Categories
ଆଜିର ଖବର ରାଜ୍ୟ ଖବର

ବିଭାଗୀୟ କାର୍ଯ୍ୟର ସମୀକ୍ଷା କଲେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ

ଭୁବନେଶ୍ୱର: ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଗୁରୁବାର ଦିନ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ଓ ଯୋଜନାର ସମୀକ୍ଷା କରିଛନ୍ତି। ଯୁବବର୍ଗଙ୍କୁ ଚିହ୍ନଟ କରି ବିଭିନ୍ନ ଜୀବିକା ସମ୍ବନ୍ଧୀୟ କାର୍ଯ୍ୟକ୍ରମକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରିବା ପାଇଁ ସେ ସମୀକ୍ଷା କରିବା ଅବସରରେ ଆହ୍ୱାନ ଦେଇଛନ୍ତି।

ଅନୁସୁଚିତ ଜନଜାତି ଓ ଅନୁସୂଚିତ ଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ହୋଇଥିବା ଏହି ସମୀକ୍ଷା ବୈଠକରେ ଅଧିକାରୀ ଓ କର୍ମଚାରୀଙ୍କୁ ସର୍ବାଙ୍ଗୀନ ସହଯୋଗ କରିବା ସହ ୧୦୦ ଦିନିଆ କାର୍ଯ୍ୟ ଯୋଜନା ଓ ଦୂରଦୃଷ୍ଟିସମ୍ପନ୍ନ ଏକ ଦସ୍ତାବିଜ ପ୍ରସ୍ତୁତ କରି ବିଭାଗକୁ ଏକ ନୂତନ ସ୍ତରରେ ପହଞ୍ଚାଇବାକୁ ଶ୍ରୀ ଗଣ୍ଡ କହିଥିଲେ।

ଏହା ସହିତ ଆଦିବାସୀ ପରିବାର ସଦସ୍ୟ ଓ ଛାତ୍ରଛାତ୍ରୀଙ୍କ ରହିବା ଓ ଖାଇବା ପାଇଁ ରାଜ୍ୟବ୍ୟାପୀ ଆଦିବାସୀଙ୍କ ପାଇଁ ବହୁମୁଖୀ କମୁ୍ୟନିଟି ସେଣ୍ଟର, ରାଜଧାନୀ ଓ ଏହାର ଆଖପାଖ ଅଞ୍ଚଳରେ ସହରାଞ୍ଚଳ ଆବାସିକ ବ୍ୟବସ୍ଥା ନିର୍ମାଣ ପାଇଁ ଏକ ନୂତନ ଯୋଜନା ହାତକୁ ନେବା ପାଇଁ ମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ କହିଛନ୍ତି।

ସହରାଞ୍ଚଳରେ ମେଧାବୀ ଆଦିବାସୀ ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଇଂରାଜୀ ମାଧ୍ୟମ ଶିକ୍ଷା ପ୍ରଦାନ ପାଇଁ ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଅନେ୍ୱଷା ଯୋଜନାରେ ଅନ୍ତର୍ଭୁକ୍ତ କରିବାକୁ ଆହ୍ୱାନ ଦେବା ସହ ରାଜ୍ୟ ଯୋଜନା ମାଧ୍ୟମରେ ସାରା ରାଜ୍ୟରେ ଅନୁସୂଚିତ ଜାତି ଓ ପଛୁଆ ବର୍ଗ ଛାତ୍ରଛାତ୍ରୀମାନେ କିଭଳି ଉଚ୍ଚଶିକ୍ଷା ପାଇପାରିବେ ସେଥିପାଇଁ ରାଜ୍ୟ ଯୋଜନା ମାଧ୍ୟମରେ ଅଧିକ ହଷ୍ଟେଲ ସୁବିଧା ଯୋଗାଇ ଦେବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଓଡ଼ିଶାରେ ବର୍ତମାନ ୬୪ଟି ଆଦିବାସୀ ସମ୍ପ୍ରଦାୟ ଓ ୧୩ଟି ଆଦିମ ଜନଜାତି ଗୋଷ୍ଠୀ ରହିଛନ୍ତି। ଏହି ସବୁ ଗୋଷ୍ଠୀଙ୍କୁ ଆଧାର ଅନ୍ତର୍ଭୁକ୍ତ କରିବା ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ।

ଆଦିବାସୀଙ୍କୁ ଅର୍ଥନୈତିକ ପ୍ରୋତ୍ସାହନ ଦେବା ପାଇଁ ଗ୍ରାମପଞ୍ଚାୟତ ସ୍ତରରେ ଲଘୁ ଜଙ୍ଗଲ ଜାତ ଦ୍ରବ୍ୟ (ଏମଏଫପି) କ୍ରୟ ବ୍ୟବସ୍ଥା କରିବା ଗ୍ରାମପଂଚାୟତଗୁଡ଼ିକୁ କ୍ରୟ ୟୁନିଟ୍‌ ଭାବେ କାର୍ଯ୍ୟ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ମନ୍ତ୍ରୀ ଶ୍ରୀ ଗଣ୍ଡ ନିର୍ଦ୍ଦେଶ ଦେଇଛନ୍ତି।

ବିଭାଗ ପକ୍ଷରୁ ନିଆଯାଇଥିବା ବିଭିନ୍ନ ଯୋଜନା, କାର୍ଯ୍ୟକ୍ରମ, ପଦକ୍ଷେପ ଓ କାର୍ଯ୍ୟକଳାପ ସମ୍ପର୍କରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗୀୟ କମିଶନର ତଥା ସଚିବ ଶ୍ରୀମତୀ ରୂପା ରୋଶନ ସାହୁ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ମନ୍ତ୍ରୀଙ୍କୁ ଅବଗତ କରିଥିଲେ।

ସମୀକ୍ଷା ବେଳେ ମନ୍ତ୍ରୀ, ପ୍ରଧାନମନ୍ତ୍ରୀ ଅନୁସୂଚିତ ଜାତି ଅଭୁ୍ୟଦୟ ଯୋଜନାକୁ ଅଧିକ ଲୋକାଭିମୁଖୀ କରିବା ସହ ଗ୍ରାମପଂଚାୟତ ସ୍ତରରେ ଜିଲ୍ଲାସ୍ତରୀୟ ବୈଠକ ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବାକୁ ସେ ପରାମର୍ଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ଭଳି ଜୀବିକା ଯୋଜନା ପାଇଁ ଠିକ୍‌ ସମୟରେ କୃଷି ଉପକରଣ ବିତରଣ ସୁନିଶ୍ଚିତ କରାଯିବା ଆବଶ୍ୟକ ବୋଲି ଉଲ୍ଲେଖ କରି ମନ୍ତ୍ରୀ ବରିଷ୍ଠ ଅଧିକାରୀମାନଙ୍କୁ ରାଜ୍ୟ ଯୋଜନା ଏବଂ ପ୍ରଧାନମନ୍ତ୍ରୀ ଜନଜାତି ନ୍ୟାୟ ମହାଅଭିଯାନ (ପିଏମ୍‌-ଜନମାନ) ମାଧ୍ୟମରେ ଅଧିକରୁ ଅଧିକ ଆଦିମ ଜନଜାତି ଗୋଷ୍ଠୀକୁ ଅନ୍ତର୍ଭୁକ୍ତ କରିବାକୁ କହିଥିଲେ।

ଉଭୟ ରାଜ୍ୟ ଓ କେନ୍ଦ୍ର ଅଧୀନରେ ଥିବା ଅବ୍ୟବହୃତ ସରକାରୀ କୋଠାଗୁଡ଼ିକ ସରକାରୀ ରାଜକୋଷର ଅପଚୟ ବୋଲି ଦର୍ଶାଇ ମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ରାଜ୍ୟବ୍ୟାପୀ ଏଭଳି ନିର୍ମାଣର ମାନଚିତ୍ର ପ୍ରସ୍ତୁତ କରି ଓଡ଼ିଶାର ଅନୁସୂଚିତ ଜାତି, ଜନଜାତି, ଓବିସି ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟର ହଷ୍ଟେଲ ଉଦ୍ଦେଶ୍ୟରେ ବ୍ୟବହାର କରିବାକୁ ମନ୍ତ୍ରୀ ଶ୍ରୀ ଗଣ୍ଡ ପରାମର୍ଶ ଦେଇଥିଲେ।

କୋରାପୁଟ କଫି ଓଡ଼ିଶାର ଏକ ଅନନ୍ୟ ଆଦିବାସୀ ଉତ୍ପାଦ ଯାହା ସାରା ବିଶ୍ୱରେ ଲୋକପ୍ରିୟ ହୋଇପାରିଥିବାରୁ ଶ୍ରୀ ଗଣ୍ଡ ଏହାର ପ୍ରଶଂସା କରିଥିଲେ। ଗୁଣାତ୍ମକ ଏବଂ ଜୈବିକ କଫିର ଉତ୍ପାଦକୁ ଉନ୍ନତ କରିବା ଦ୍ୱାରା ପ୍ରକ୍ରିୟାକରଣ ଏବଂ ଚାଷ ସହିତ ଜଡିତ ଆଦିବାସୀ ଗୋଷ୍ଠୀ ଉପକୃତ ହେବେ ବୋଲି ମନ୍ତ୍ରୀ କହିଥିଲେ।

Categories
ବିଶେଷ ଖବର

ହିନ୍ଦୁମାନଙ୍କୁ ସଂଖ୍ୟାଲଘୁ ବୋଲି ଏହି ରାଜ୍ୟଗୁଡିକ ଘୋଷଣା କରିପାରିବେ: କେନ୍ଦ୍ର ସରକାର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ରାଜ୍ୟମାନେ ଯେକୌଣସି ସମ୍ପ୍ରଦାୟ କିମ୍ବା ଭାଷାକୁ ନିଜସ୍ୱ ଅଧିକାରରେ ସଂଖ୍ୟାଲଘୁ ମାନ୍ୟତା ଦେଇପାରିବେ। ଏହା ସେମାନଙ୍କ ଅଧୀନରେ ଆସେ। ରାଷ୍ଟ୍ରୀୟ ସଂଖ୍ୟାଲଘୁ ଆୟୋଗର ଗଠନ ବିରୋଧରେ ଆବେଦନକୁ ନେଇ ସୁପ୍ରିମକୋର୍ଟରେ କେନ୍ଦ୍ର ସରକାର ଉତ୍ତର ରଖିଛନ୍ତି। ଏହି ଆବେଦନରେ ପ୍ରତ୍ୟେକ ରାଜ୍ୟରେ ଜନସଂଖ୍ୟା ଅନୁଯାୟୀ ସଂଖ୍ୟାଲଘୁ ସମ୍ପ୍ରଦାୟର ନିର୍ଣ୍ଣୟ ପାଇଁ ଦାବି ରହିଛି।

ବିଜେପି ନେତା ତଥା ଓକିଲ ଅଶ୍ୱିନୀ ଉପାଧ୍ୟାୟ ୧୯୯୨ର ଜାତୀୟ ସଂଖ୍ୟାଲଘୁ ଆୟୋଗ ଆଇନ ଏବଂ ୨୦୦୪ ର ଜାତୀୟ ସଂଖ୍ୟାଲଘୁ ଆୟୋଗ ଶିକ୍ଷା ପ୍ରତିଷ୍ଠାନ ଆଇନକୁ ଚ୍ୟାଲେଞ୍ଜ କରିଛନ୍ତି। ସେ କହିଛନ୍ତି ଯେ, ୯ ଟି ରାଜ୍ୟରେ ହିନ୍ଦୁମାନେ ସଂଖ୍ୟାଲଘୁ ଅଟନ୍ତି। ଲଦାଖରେ ହିନ୍ଦୁ ଜନସଂଖ୍ୟା ୧ ପ୍ରତିଶତ ଥିବା ବେଳେ ମିଜୋରାମରେ ୨.୭୫ ପ୍ରତିଶତ, ଲକ୍ଷଦ୍ୱୀପ ରେ ୨.୭୭ ପ୍ରତିଶତ, କାଶ୍ମୀରରେ ୪ ପ୍ରତିଶତ, ନାଗାଲାଣ୍ଡରେ ୮.୭୪ ପ୍ରତିଶତ, ମେଘାଳୟରେ ୧୧.୫୨ ପ୍ରତିଶତ, ଅରୁଣାଚଳ ପ୍ରଦେଶରେ ୨୯.୨୪ ପ୍ରତିଶତ, ପଞ୍ଜାବରେ ୩୮.୪୯ ପ୍ରତିଶତ ଏବଂ ମଣିପୁରରେ ୪୧.୨୯ ପ୍ରତିଶତ ରହିଛି। କିନ୍ତୁ ତଥାପି ସରକାରୀ ଯୋଜନା କାର୍ଯ୍ୟକାରୀ କରିବା ସମୟରେ ସେମାନଙ୍କୁ କୌଣସି ସୁବିଧା ମିଳିପାରୁ ନାହିଁ।

୨୦୦୨ ର ଟିଏମଏ ପଇ ବନାମ କର୍ଣ୍ଣାଟକ ମାମଲାରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ମଧ୍ୟ ଆବେଦନ କରାଯାଇଥିଲା। ତା’ପରେ ସୁପ୍ରିମକୋର୍ଟ କହିଥିଲେ ଯେ, ସମ୍ବିଧାନର ଧାରା ୩୦ (୧) ଅନୁଯାୟୀ ସେମାନଙ୍କର ଧର୍ମ ଓ ସଂସ୍କୃତିର ସୁରକ୍ଷା ପାଇଁ ବିଦ୍ୟାଳୟ, କଲେଜ ଖୋଲିବାର ଅଧିକାର ଅଛି। ଉପାଧ୍ୟାୟ କହିଛନ୍ତି ଯେ, ସଂଖ୍ୟାଲଘୁ ସମ୍ପ୍ରଦାୟ ଯେପରି ଦେଶରେ ଚର୍ଚ୍ଚ ଦ୍ୱାରା ପରିଚାଳିତ ବିଦ୍ୟାଳୟ କିମ୍ବା ମଦ୍ରାସା ଖୋଲନ୍ତି, ୯ ଟି ରାଜ୍ୟରେ ହିନ୍ଦୁମାନଙ୍କୁ ମଧ୍ୟ ଅନୁମତି ଦିଆଯିବା ଉଚିତ୍। ଏହି ବିଦ୍ୟାଳୟଗୁଡ଼ିକ ସରକାରୀ ସ୍ୱତନ୍ତ୍ର ସୁରକ୍ଷା ପାଇବା ଉଚିତ୍।

ଏହି ମାମଲାରେ ସୁପ୍ରିମକୋର୍ଟ ଅଗଷ୍ଟ ୨୮ ତାରିଖ ୨୦୨୦ରେ ଏକ ବିଜ୍ଞପ୍ତି ଜାରି କରିଥିଲେ। ଚଳିତ ବର୍ଷ ଜାନୁଆରୀ ୭ ତାରିଖରେ କୋର୍ଟ ଏହାର ଉତ୍ତର ଦାଖଲ କରିବାର ଶେଷ ସୁଯୋଗ ଦେଇଥିଲେ। ଚଳିତ ବର୍ଷ ଜାନୁୟାରୀ ୩୧ ତାରିଖରେ କେନ୍ଦ୍ର ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରଣାଳୟର ଉତ୍ତର ଦାଖଲ କରିବାରେ ବିଳମ୍ବ କରିବା ଯୋଗୁଁ ଜଷ୍ଟିସ ସଞ୍ଜୟ କିଶାନ କୌଲ ଏବଂ ଏମଏମ ସୁନ୍ଦରେଶଙ୍କ ଏକ ବେଞ୍ଚ ୭ ହଜାର ୫୦୦ ଟଙ୍କା ସାଙ୍କେତିକ ଜରିମାନା ଲଗାଇଥିଲେ।