Categories
ଆଞ୍ଚଳିକ

ଗମ୍ଭାରୀମୁଣ୍ଡାରେ ନୂଆ-ଓ ନବୀନ ଓଡ଼ିଶା ଆନୁକୁଲ୍ୟରେ ସଚେତନତା ଶିବିର ଅନୁଷ୍ଠିତ

ଗମ୍ଭାରୀମୁଣ୍ଡା (ସୀତାରାମ ଅଗ୍ରୱାଲ): ପର୍ଶୁରାମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଗମ୍ଭାରୀମୁଣ୍ଡା ପରିସରରେ ନୂଆ-ଓ ନବୀନ ଓଡ଼ିଶା ଆନୁକୁଲ୍ୟରେ ଏକ ସାମାଜିକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରକୁ ଅଧ୍ୟକ୍ଷ ପ୍ରେମରାଜ ପ୍ରଧାନ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ପରେ ଛାତ୍ର ଛାତ୍ରୀମାନେ ପଲିଥିନ୍ ମୁକ୍ତ ସମାଜ, ସ୍ବଚ୍ଛତା, ନାରୀ ଶିକ୍ଷା, ମହିଳା ସଶକ୍ତିକରଣ ଉପରେ ବିଭିନ୍ନ ସ୍ଳୋଗାନ ଦେଇ ଓ ପ୍ଳାକାର୍ଡକୁ ଧରି ଗମ୍ଭାରୀ ମୁଣ୍ଡା ବଜାର ସମେତ ମହାବିଦ୍ୟାଳୟ ସଂଲଗ୍ନ ଏକାଧିକ ଗ୍ରାମ ପରିକ୍ରମା କରିଥିଲେ।

ପରିଶେଷରେ ବିଂଝଳା ଗ୍ରାମରେ ଏକ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା। ଅଧ୍ୟାପିକା ଗୀତାଞ୍ଜଳି ବିଶ୍ବାଳ, ପ୍ରଶାନ୍ତ କୁମାର ହୋତା, ନିରଞ୍ଜନ ପ୍ରଧାନ, ପ୍ରହଲ୍ଲାଦ ଜେନା, ଭାଗିରଥି ସାହୁ, ପ୍ରଦୀପ କୁମାର ଶତପଥୀ, ମଧୁସୂଦନ ଜେନା ଓ ରାମକୃଷ୍ଣ ପାଲଟାସିଂହ ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ଶେଷରେ ଅଧ୍ୟକ୍ଷ ପ୍ରେମରାଜ ପ୍ରଧାନ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, କର୍ମଚାରୀ ଓ ଛାତ୍ରଛାତ୍ରୀମାନଙ୍କୁ ଧନ୍ୟବାଦ ଅର୍ପଣ କରି ଶିବିରକୁ ଉଦଯାପନ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ଜୀବ ନିଷ୍ଠୁରତା ନିରୋଧ ଆଇନ ଓ ପଶୁ କଲ୍ୟାଣ ସଚେତନତା ଶିବିର ଅନୁଷ୍ଠିତ

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): ସ୍ଥାନୀୟ ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷ ରେ ଜିଲ୍ଲାପାଳ , କଳାହାଣ୍ଡି ପି ଅନ୍ୱେଷା ରେଡ୍ଡୀ ଙ୍କ ଅଧ୍ୟକ୍ଷତା ରେ  “ ଜିଲ୍ଲାସ୍ତରୀୟ ଜୀବ ନିଷ୍ଠୁରତା ନୀରୋଧ ଆଇନ ଓ ପଶୁକଲ୍ୟାଣ ସଚେତନତା ଶିବିର” ଅନୁଷ୍ଠିତ ହୋଇଯାଇଛି।ସଭାରେ ବିଶିଷ୍ଟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ ଯୋଗ ଦେଇଥିଲେ। ପ୍ରଥମେ ଡଃ ହେମନ୍ତ କୁମାର ପ୍ରଧାନ ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସାଧିକାରୀ ସମସ୍ତ ଅତିଥି ମାନଙ୍କୁ ସ୍ଵାଗତ ଜଣାଇ ସଭାର ଉଦ୍ଦେଶ୍ୟ ସମ୍ପର୍କରେ ଜଣାଇଥିଲେ।

ଡଃ ଅଶୋକ ପଣ୍ଡା, ଅତିରିକ୍ତ ଜିଲ୍ଲାପ୍ରାଣୀ ଚିକିତ୍ସାଧାରୀ ( ଜୀବେ କଲ୍ୟାଣ ), କଳାହାଣ୍ଡି, ଜିଲ୍ଲାରେ ଚାଲିଥିବା ବିଭିନ୍ନ ଜୀବେ କଲ୍ୟାଣ କାର୍ଯ୍ୟକ୍ରମ ତଥା ରାଜ୍ୟ ସରକାରଙ୍କ ତରଫରୁ ପ୍ରଣୀତ ବିଭିନ୍ନ ଯୋଜନା ବିଷୟରେ ଜଣାଇଥିଲେ। ବିଶେଷ ଭାବରେ ବୁଲା , ପରିତ୍ୟକ୍ତ ଓ ରୋଗୀଣା ଗାଇ, ଷଣ୍ଡ, କୁକୁର ଓ ଅନ୍ୟ ଗୃହ ପାଳିତ ପଶୁ ଙ୍କୁ ଉଦ୍ଧାର, ଯତ୍ନ ଓ ଚିକିତ୍ସା ଉପରେ ସବିଶେଷ ସୂଚନା ଦେଇଥିଲେ।ସଭାରେ ଜିଲ୍ଲାପାଳ ଭବାନୀପାଟଣା ମୁନିସିପାଲିଟିରେ ବୁଲା ଗାଇ ଗୋରୁଙ୍କ ନିୟନ୍ତ୍ରଣର ଆବଶ୍ୟକ ରହୁଛି ଏବଂ ଏଥିପାଇଁ ସ୍ଵେଚ୍ଛାକୃତ ଭାବେ ଏକ ଗୋଶାଳା ସ୍ଥାପନ କରାଗଲେ ବିକ୍ଷିପ୍ତ ଭାବେ ରାସ୍ତା ଘାଟରେ ବୁଲୁଥିବା ନିଜେ ଦୁର୍ଘଟଣା ଓ ଦୁର୍ଘଟଣାର କାରଣ ହେଉଥିବା ପଶୁଙ୍କୁ ରକ୍ଷା କରାଯାଇପାରନ୍ତା ବୋଲି କହିଥିଲେ।

ପ୍ରାଣୀସମ୍ପଦ ବିଭାଗ ତରଫରୁ ପଶୁଜନ୍ତୁ ଙ୍କ ପାଇଁ ଆମ୍ବୁଲାନ୍ସ ର ବ୍ୟବସ୍ଥା ୨୪*୭ କରାଯାଇଛି ଏବଂ ଏଥିପାଇଁ ଯେ କୌଣସି ବ୍ୟକ୍ତି ହେଲ୍ପ ଲାଇନ ନମ୍ବର ୧୯୬୨ କୁ ଫୋନ କଲ୍ କରି ଆହତ ରୋଗିଣା ପଶୁକୁ ସାହାଯ୍ୟ କରିପାରିବେ।ସଭାର ଆଲୋଚନାଚକ୍ରରେ ସଂଜୀବ ଯୋଶୀ, ସୁପ୍ରିମକୋର୍ଟ ଆଇନଜୀବୀ ଜୀବେ ନିଷ୍ଠୁରତା ଆଇନ ଉପରେ ପ୍ରାରବ୍ଧ ଭାବରେ କହିଥିଲେ। ଆଲୋଚନାଚକ୍ରରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ସିଂହଦେଓ ପ୍ରତ୍ୟକ୍ଷ ରୂପେ ଅଂଶଗ୍ରହଣ କରିଥିଲେ।

ଡଃ କେଦାର ନାଥ ଖମାରୀ ଧନ୍ୟବାଦ ଅର୍ପଣ କରିଥିଲେ ।ସଭାରେ ଅନ୍ୟ ମାନଂକ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟ,ବ୍ଲକ୍ ଅଧ୍ୟକ୍ଷ,ସରପଞ୍ଚ ,ଏ ଡି ପି ଏଚ ଓ, ଡି ଆଇ ପି ଆର୍ ଓ,ସହକାରୀ ଜିଲ୍ଲାପାଳ, ଡି ଏଫ୍ ଓ, ସ୍ବେଛାସେବୀ ସଂସ୍ଥା ଦାପ୍ତା, ଆତ୍ମା,ଗୋପାଳ  ଗୋଶାଳା କେସିଙ୍ଗା କର୍ମକର୍ତ୍ତା, ପ୍ରାଣୀ ସମ୍ପଦ ବିଭାଗର କର୍ମକର୍ତ୍ତା ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ଡେଙ୍ଗୁ ନିରାକରଣ ନିମନ୍ତେ ବାଣପୁର ବ୍ଲକରେ ସଚେତନତା ଶିବିର

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲାପାଳ ଓ ସିଡ଼ିଏମଓ ଙ୍କ ନିର୍ଦେଶକ୍ରମେ ଆଜି ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ବ୍ଲକ ସଭାଗୃହରେ ଏକ ଡେଙ୍ଗୁ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା। ଉକ୍ତ ସଚେତନତା ଶିବିର ବିଡ଼ିଓ ଶୀତଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ବେଳେ, ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ା ରମାକାନ୍ତ ନାୟକ, ସିଡ଼ିପିଓ ସୁଜାତା ତ୍ରିପାଠୀ ଏବଂ ସ୍ୱାସ୍ଥ୍ୟ ବିଭାଗର ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

ବର୍ଷାଦିନର ପ୍ରାରମ୍ଭରେ ଗାଁ ଗଣ୍ଡା ଓ ସହରରେ ମଶାଙ୍କ ପ୍ରାଦୁର୍ଭାବ ବଢୁଥିବା ବେଳେ ଡେଙ୍ଗୁ ବ୍ୟାପିବାର ଆଶଙ୍କା ଥିବାରୁ ଜନ ସାଧାରଣଙ୍କୁ କିପରି ଭାବରେ ସଚେତନ କରାଯାଇ ଏହାର ନିରାକରଣ କରାଯାଇ ପାରିବ ପୁଙ୍ଖାନୁପୁଙ୍ଖଭାବେ ଉକ୍ତ ବୈଠକରେ ଆଲୋଚନା କରାଯାଇଥିଲା।

ଆଗାମୀ ଦିନରେ ଯେପରି ବାଣପୁର ଅଞ୍ଚଳରେ ଗୋଟିଏ ବି ଡେଙ୍ଗୁ ରୋଗୀ ସୃଷ୍ଟି ନହୁଅନ୍ତି ସେଥିପ୍ରତି ସଜାଗ ରହିବାକୁ ବିଭାଗୀୟ ଅଧିକାରୀଙ୍କୁ ବିଡ଼ିଓ ତାଗିଦ କରିଥିଲେ। ତେବେ ଆଗାମୀ ଦିନରେ ଆଶା କର୍ମୀ, ସ୍ୱୟଂ ସହାୟକ ଗୋଷ୍ଠୀ,ଅଙ୍ଗନବାଡି କର୍ମୀ ଓ ପଞ୍ଚାୟତ ମାଧ୍ୟମରେ ଡେଙ୍ଗୁ ନିରାକରଣ ନିମିତ୍ତ ସାଧାରଣ ଲୋକଙ୍କୁ ଅବଗତ କରିବା ସହ ସଚେତନ କରାଯିବାକୁ ସ୍ୱାସ୍ଥ୍ୟ ଅଧିକାରୀ ବୈଠକରେ ମତବ୍ୟକ୍ତ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବାଲେଶ୍ୱର ଷ୍ଟେଟବ୍ୟାଙ୍କ ଠାରେ ଡିଜିଟାଲ ଜୀବନ ପ୍ରମାଣପତ୍ର ଦାଖଲ ଶିବିର

ଭୁବନେଶ୍ବର: ଭାରତ ସରକାରଙ୍କ ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ ପକ୍ଷରୁ ସାରା ଦେଶରେ ଜୀବନ ପ୍ରମାଣ ଆପ୍‌ ଜରିଆରେ ପେନସନଭୋଗୀଙ୍କ ପାଇଁ ଫେସ ଅଥେଣ୍ଟିକେସନ ପ୍ରଯୁକ୍ତି ମାଧ୍ୟମରେ ଏକ ଡିଜିଟାଲ ଜୀବନ ପ୍ରମାଣପତ୍ର ଦାଖଲ ଶିବିର ଅନୁଷ୍ଠିତ ହେଉଛି। ଏହି କ୍ରମରେ ବାଲେଶ୍ୱରସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କର ପ୍ରଶାସନିକ କାର୍ଯ୍ୟାଳୟ ଆନୁକୂଲ୍ୟରେ ଏସବିଆଇ ବାଲେଶ୍ୱର ଶାଖାରେ ଏଭଳି ଏକ ଶିବିର ଅନୁଷ୍ଠିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ଅନୁ ସଚିବ ବିଶାଲ କୁମାର, ଏଏସଓ ଅଂଶୁଲ ଶର୍ମା, ୟୁଆଇଡିଏଆଇର ଉପନିର୍ଦ୍ଦେଶକ ଟି. ଚୈତନ୍ୟ ରେଡ୍ଡୀ ଏବଂ ଏସବିଆଇ  ଡିଜିଏମ ଅମରେନ୍ଦ୍ର କୁମାର ଯୋଗ ଦେଇଥିଲେ।

ଜୀବନ ପ୍ରମାଣ ଆପ୍‌ ଜରିଆରେ ଫେସ ଅଥେଣ୍ଟିକେସନ ପ୍ରଯୁକ୍ତି ମାଧ୍ୟମରେ ଡିଜିଟାଲ ଜୀବନ ପ୍ରମାଣପତ୍ର ଦାଖଲ କରିବା ଲାଗି ଭାରତ ସରକାରଙ୍କ ପକ୍ଷରୁ ପେନସନଭୋଗୀଙ୍କ ନିମନ୍ତେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏହି ଶିବିରରେ ନୂଆ ପଦ୍ଧତି ଜରିଆରେ ୧୦୦ରୁ ଅଧିକ ପେନସନଭୋଗୀ ଡିଜିଟାଲ ଜୀବନ ପ୍ରମାଣପତ୍ର ଦାଖଲ କରିଥିଲେ। ବାଲେଶ୍ୱର ଜୋନ ୨ ଏଜିଏମ ଡିବି ପୀତବାସ ପାଣିଗ୍ରାହୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ସୁପରିଚାଳନାରେ ସହଯୋଗ କରିଥିଲେ।

ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ ପକ୍ଷରୁ ଦେଶର ୩୭ଟି ଏବଂ ଓଡ଼ିଶାର ୩ଟି ସହରରେ ଡିଜିଟାଲ ଲାଇଫ ସାର୍ଟିଫିକେଟ ଦାଖଲ ଶିବିର ଆୟୋଜନ କରାଯାଉଛି। ଭୁବନେଶ୍ୱର, ଏବଂ ବାଲେଶ୍ୱର ଠାରେ ଏହି ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ୧୯ ତାରିଖରେ କଟକରେ ଏଭଳି ଶିବିର ଆୟୋଜନ କରାଯିବ।

Categories
ଆଞ୍ଚଳିକ

ମହାମାରୀ ନିୟମ ଉପରେ ସାଦେଇପୁର ଠାରେ ଆଇନ ସଚେତନତା ଶିବିର

ରମେଶ ମହାନ୍ତି

ଜଗତସିଂହପୁର: ରଘୁନାଥପୁର ବ୍ଲକ ଅଧିନସ୍ଥ ସାଦେଇପୁର ଗ୍ରାମପଞ୍ଚାୟତ ଅଫିସ୍ ଠାରେ ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ମହାମାରୀ ନିୟମ ଉପରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ ତଥା ବିଚାରପତି ଶ୍ରୀ କମଳାକାନ୍ତ ରାଉତଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆଖପାଖ ଅଞ୍ଚଳରୁ ଶତାଧିକ ବୃଦ୍ଧ ବନିତା ଉପସ୍ଥିତ ଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ସରପଞ୍ଚ ଡମ୍ବରୁଧର ବେହେରା, ଉପ-ଥାନାଅଧିକାରୀ ବାୟାମହମ୍ମଦ ଏବଂ ପାରାଲିଗାଲ ସ୍ୱେଚ୍ଛାସେବୀ କ୍ଷୀରୋଦ କୁମାର ଦାଶ, ମନୋଜ କୁମାର ସ୍ବାଇଁ, ଶୁଭଲକ୍ଷ୍ମୀ ନାୟକ ଉପସ୍ଥିତ ଥିଲେ। ପ୍ରାଧିକରଣର ସଚିବ ଶ୍ରୀ ରାଉତ ତାଙ୍କ ବକ୍ତବ୍ୟରେ ମହାମାରୀ ଅଧିନିୟମ ୧୮୯୭ ଓ ୨୦୨୦ ଏବଂ ଆମ ରାଜ୍ୟ ସରକାରଙ୍କ ଥିବା ତତ୍ ସଲଗ୍ନ ବିଭିନ୍ନ ନିୟମାବଳୀ ଆଦି ବିଷୟରେ ଆଲୋଚନା କରିଥିଲେ। କରୋନା ଭୁତାଣୁ ସଂକ୍ରମଣରୁ ସୁରକ୍ଷିତ ରହିବା ପାଇଁ ହାତ ସାବୁନରେ ବାରମ୍ବାର ଧୋଇବା, ଘର ବାହାରକୁ ଯିବାବେଳେ ମାସ୍କ୍ ପିନ୍ଧିବା, ସାମାଜିକ ଦୂରତ୍ୱ ରକ୍ଷାକରିବା ଇତ୍ଯାଦି ବିଷୟରେ ଉପସ୍ଥିତ ଜନସାଧାରଣଙ୍କୁ ସଚେତନତା କରାଇବା ସହ ମାସ୍କ୍ ବଣ୍ଟନ କରିଥିଲେ।

ମହିଳା ମାନଙ୍କ ପାଇଁ ଉଦ୍ଦିଷ୍ଟ ଥିବା ବିଭିନ୍ନ ଆଇନ ତଥା ଭରଣପୋଷଣ ଆଇନ, ଘରୋଇ ହିଂସା ନିରୋଧ ଆଇନ ଓ ଜିଲ୍ଲା ଆଇନସେବା ପ୍ରାଧିକରଣର କାର୍ଯ୍ୟ ମୁଖ୍ୟତଃ ଆଇନ୍ ସେବା, ଆଇନ୍ ପରାମର୍ଶ ଓ ଓଡ଼ିଶା ସରକାରଙ୍କ ପୀଡିତା ମାନଙ୍କ ପାଇଁ ଥିବା କ୍ଷତିପୂରଣ ଅଧିନିୟମ ୨୦୧୮ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା ହୋଇଥିଲା।

ସଭାରେ ଶତାଧିକ ଲୋକ ଯୋଗ ଦେଇଥିବା ବେଳେ ସଭା ଶେଷରେ ପଞ୍ଚାୟତର ସରପଞ୍ଚ ଶ୍ରୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଞ୍ଚଳିକ

ବାଣପୁରଠାରେ ଆଦିବାସୀ ସଚେତନତା ଶିବିର: ଅନ୍ଧ ବିଶ୍ବାସ ଓ ଗୁଣିଗାରେଡିରୁ ବାହାରି ମୁଖ୍ୟ ସ୍ରୋତରେ ସାମିଲ୍‌ ହେବାକୁ ଆହ୍ବାନ

ସମୀକ୍ଷା ବ୍ୟୁରୋ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଦାମିଆ ବରବରା ଆଦିବାସୀ ବହୁଳ ପଞ୍ଚାୟତରେ “ଏକତା ପରିଷଦ ଟ୍ରଷ୍ଟ” ସହଯୋଗରେ ଦଳିତ, ଆଦିବାସୀ ସଚେତନା ଶିବିରର ଆୟୋଜନ ହୋଇଯାଇଛି। ଏହି ଶିବିରରେ ସମ୍ମାନିତ ଅତିଥି ଭାବରେ ହେତୁବାଦୀ ସଙ୍ଗଠନର ସମ୍ପାଦକ ଇଂ.ରାଜା ସୁରେଶ ଓ ଏ ଆଇକେଏମଏସର ଜାତୀୟ ସଂପାଦକ ଶ୍ରୀଯୁକ୍ତ ଭାଲା ଚନ୍ଦ୍ର ଯୋଗଦେଇଥିଲେ। ଉକ୍ତ ଶିବିରରେ ଦୁଇ ଶହରୁ ଅଧିକ ମହିଳା ଓ ପୁରୁଷ ଯୋଗ ଦେଇଥିଲେ। ଅତିଥିମାନେ ତାଙ୍କ ଅଭିଭାଷଣରେ ଆଦିବାସୀଙ୍କ ଜମି ଅଧିଗ୍ରହଣ ଆଇନ ତଥା ସେମାନଙ୍କ ନାଯ୍ୟା ଦାବି ଓ ଅଧିକାର ସମ୍ପର୍କରେ ଆଲୋକପାତ କରିଥିଲେ।  ସେହିପରି ଅନ୍ଧ ବିଶ୍ବାସ ଓ ଗୁଣିଗାରେଡିରୁ ବାହାରି ମୁଖ୍ୟ ସ୍ରୋତରେ ସାମିଲ୍‌ ହେବାକୁ ଆହ୍ବାନ ଜଣାଇଥିଲେ। ସରକାରଙ୍କ ଅହେତୁକ ଅବହେଳା ଓ ପ୍ରତଷ୍ଠିତ ସମାଜର ପ୍ରତିବନ୍ଧକ ଯୋଗୁଁ ଗରିବ ନିରୀହ ଆଦିବାସୀ ସମାଜ କିପରି ପଥଭ୍ରଷ୍ଟ ହେଉଛି, ସେସମ୍ପର୍କରେ ଆଲୋଚନା କରାଯାଇଥିଲା। ଏକତା ପରିଷଦ ଟ୍ରଷ୍ଟ”ର ମ୍ୟାନେଜିଂ ଟ୍ରଷ୍ଟି ସନ୍ଧ୍ୟା ଦେବୀ କର୍ଯ୍ୟକ୍ରମକୁ ଆୟୋଜନ କରିବାସହ ଅଂଚଳର ପ୍ରତ୍ୟକ ଗାଁରେ ସୂଚନା ବକ୍ସ ଦେବା ସହ ବିଭିନ୍ନ ସରକାରୀ ବିଭାଗର ଯୋଜନା ବିଷୟରେ ସୂଚନା ଦେଇଥିଲେ। ସେହିପରି ଅନ୍ଧବିଶ୍ବାସ ଓ କୁସଂସ୍କାର ଦୂର କରିବା ଲାଗି ସଚେତନତା ସୃଷ୍ଟି କରିବା ସହ ଆଦିବାସୀଙ୍କ ସ୍ବାସ୍ଥ୍ୟ ଓ ଶିକ୍ଷା ଅଧିକାର ସୁରକ୍ଷା ସମ୍ବନ୍ଧରେ ଆଲୋକପାତ କରାଇଥିଲେ।