Categories
ଆଞ୍ଚଳିକ

‘ମୋ ଘର’ ଯୋଜନାର ସଫଳ ରୂପାୟନ ପାଇଁ ବାଣପୁର ବ୍ଲକରେ ଆରମ୍ଭ ହେଲା ସଚେତନତା କର୍ମଶାଳା

ସୀତାରାମ ଅଗ୍ରୱାଲ

ବାଣପୁର: ନିକଟରେ ଗ୍ରାମୀଣ ହିତାଧିକାରୀଙ୍କୁ ଘର ଯୋଗାଇଦେବା ଲକ୍ଷରେ ରାଜ୍ୟ ସରକାର ‘ମୋ ଘର’ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ନରେ ବାଣପୁର ବ୍ଲକ ସଭାଗୃହରେ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।

ଉକ୍ତ କର୍ମଶାଳାରେ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ବିଡ଼ିଓ ଶୀତଲ ଅଗ୍ରୱାଲ, ତହସିଲଦାର କୁଞ୍ଜବିହାରୀ ବଡ଼ଜେନା, ଉପ ନିବନ୍ଧକ ରମେଶ ଚନ୍ଦ୍ର ପାଣି ସାମିଲ ହୋଇ ସରକାରଙ୍କ ଏହି ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ।

ବିଡ଼ିଓ ଶ୍ରୀମତୀ ଅଗ୍ରୱାଲ ‘ମୋ ଘର’ ଯୋଜନା ସମ୍ପର୍କରେ ଆଲୋକପାତ କରି ଏହି ଯୋଜନା ଦ୍ୱାରା ଗ୍ରାମାଞ୍ଚଳରେ କଚ୍ଚାଘରେ ବସବାସ କରୁଥିବା ପରିବାର ଗୁଡିକ କିପରି ଉପକୃତ ହେବେ ଏବଂ ବ୍ଲକରେ ଏହାକୁ କିପରି ସୁଚାରୁ ରୂପେ କାର୍ଯ୍ୟକାରୀ କରାଯାଇପାରିବ ସେନେଇ ଆଲୋଚନା କରିଥିଲେ।

ସରକାରଙ୍କ ଯୋଗ୍ୟତା ଓ ମାପଦଣ୍ଡ ପୂରଣ କରୁଥିବା ପରିବାର ଆସନ୍ତା ୧୬ ତାରିଖରୁ ଏଚଟିଟିପି/ଆରଏଚଓଡିଶା. ଗଭର୍ଣ୍ଣମେଣ୍ଟ. ଇନ/ମୋ ଘର ୱେବସାଇଟ ମାଧ୍ୟମରେ ଆବେଦନ କରିପାରିବେ ବୋଲି ସୂଚନା ଦେଇଥିଲେ। ‘ମୋ ଘର’ ଯୋଜନାରେ ଅନ୍ତର୍ଭୁକ୍ତ ହେବାକୁ ହେଲେ କଚ୍ଚା ଘରେ କିମ୍ବା ଏକ ବଖରା ଛାତ ଘରେ ବାସ କରୁଥିବା ସମସ୍ତ ପରିବାର ଆବେଦନ କରିପାରିବେ। ଏବଂ ଆଗରୁ ଯଦି କୌଣସି ପରିବାର ସରକାରଙ୍କ କୌଣସି ଯୋଜନାରେ ଘର ପାଈଥିବେ ତେବେ ସେମାନେ ସେମାନଙ୍କର ଗୃହକୁ ବର୍ଦ୍ଧିକରଣ ଓ ଉନ୍ନତିକରଣ ନିମନ୍ତେ ମଧ୍ୟ ଆବେଦନ କରିପାରିବେ।

ତହସିଲଦାର ଶ୍ରୀ ବଡ଼ଜେନା ଉକ୍ତ ଯୋଜନାର ମାର୍ଗଦର୍ଶିକା ଅନୁସାରେ ବ୍ଲକ ଓ ତହସିଲର କର୍ମଚାରୀମାନେ ଆବେଦନ କାରୀଙ୍କୁ ମାର୍ଗଦର୍ଶନରେ ସମ୍ପୂର୍ଣ ସହଯୋଗ କରିବାକୁ ପରାମର୍ଶ ଦେଇଥିଲେ। ଏହାର ସଫଳ ରୂପାୟନ ଦିଗରେ ପଞ୍ଚାୟତ, ବ୍ୟାଙ୍କ ଓ ରାଜସ୍ବ ଅଧିକାରୀ ମାନଙ୍କ ଭୂମିକା ବିଷୟରେ ନିଜର ମତ ରଖିଥିଲେ।

ତେବେ ଯେପରି ଆବେଦନ କାରି କୌଣସି ହଇରାଣ ନ ହୋଇ ଯୋଜନାରେ ଅଂଶୀଦାର ହୋଇପାରିବେ ସେଥିପ୍ରତି ଯତ୍ନବାନ ହେବାକୁ ଉପସ୍ଥିତ ସମସ୍ତ ଅଧିକାରୀଙ୍କୁ ବିଡ଼ିଓ ଶ୍ରୀମତୀ ଅଗ୍ରୱାଲ ତାଗିଦ କରିଥିଲେ। କର୍ମଶାଳାରେ ଏକାଧିକ ନିର୍ବାଚିତ ଜନପ୍ରତିନିଧି, ବ୍ଲକ ସ୍ତରୀୟ ଅଧିକାରୀ ଏବଂ ରାଜସ୍ବ ଅଧିକାରୀମାନେ ଉପସ୍ଥିତ ଥିଲେ। ଉକ୍ତ କର୍ମଶାଳାକୁ ଗ୍ରାମ୍ୟଗୃହ ନିର୍ମାଣ ବିଭାଗର ଅଧିକାରିଣୀ ସନ୍ତୋଷୀ ମହାରଣା ପରିଚାଳନା କରିଥିଲେ।

Categories
ଆଞ୍ଚଳିକ

ବାଣପୁର: ୫ ଟି ଅନ୍ତର୍ଗତ ବଳରାମ ଯୋଜନାର ସଫଳ ରୂପାୟନ ସମ୍ପର୍କରେ ପ୍ରସ୍ତୁତି ବୈଠକ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ସଭାଗୃହରେ ବିଡ଼ିଓ ଶୀତଲ ଅଗ୍ରୱାଲଙ୍କ ଅଧକ୍ଷତାରେ ୫ ଟି ଅନ୍ତର୍ଗତ ବଳରାମ ଯୋଜନାର ସଫଳ ରୂପାୟନ ସମ୍ପର୍କରେ ଏକ ବ୍ଲକ ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଏବିଡ଼ିଓ ସୀମାଦ୍ରୀ ପାତ୍ର, ବ୍ଲକ କୃଷି ଅଧିକାରୀ ଅଜୟ କୁମାର କର, ବାଣପୁର ବ୍ଲକ ଅଧିନସ୍ଥ ସମସ୍ତ ବ୍ୟାଙ୍କ ପରିଚାଳକ, କୃଷି ବିଭାଗର ସମସ୍ତ କ୍ଷେତ୍ର ଅଧିକାରୀ, ସମସ୍ତ ସମବାୟ ସମିତିର ସମ୍ପାଦକ, ଉଦ୍ୟାନ ଓ ମତ୍ସ୍ୟ ଓଡିଶା ଜୀବିକା ମିଶନ ସହ ସମସ୍ତ କୃଷକସାଥି ଉପସ୍ଥିତ ଥିଲେ।

କୃଷି ଅଧିକାରୀ ଶ୍ରୀ କର ଭିଡିଓ ମାଧ୍ୟମରେ ବଳରାମ ଯୋଜନର ଆଭିମୁଖ୍ୟ ଓ ବାସ୍ତବକ୍ଷେତ୍ରରେ ତାହାର କାର୍ଯ୍ୟକାରିତା, ନୀତିନିୟମ ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ। କିପରି ଛୋଟଚାଷୀ, ଭାଗ ଚାଷୀ ମାନେ ବଳରାମ ଯୋଜନାରେ ଅଂଶ ଗ୍ରହଣ ପୂର୍ବକ ବ୍ୟାଙ୍କ ମାଧ୍ୟମରେ ଋଣ ଗ୍ରହଣ କରି ବିଭିନ୍ନ କୃଷିର ଉନ୍ନତି କରିପାରିବେ ତାହା ବ୍ୟାଖ୍ୟା କରିଥିଲେ।

ପରିଶେଷରେ ବୈଠକରେ ଉପସ୍ଥିତ ସମସ୍ତ ବ୍ୟାଙ୍କ ଅଧିକାରୀ, କୃଷକ ସାଥି, କୃଷି କ୍ଷେତ୍ରଧିକାରୀ ଓ ଅନ୍ୟାନ୍ୟ କର୍ମଚାରୀ ମାନଙ୍କୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ କୃଷି ଅଧିକାରୀ ଆଗାମୀ ଦିନରେ ସରକାରଙ୍କ ୫ ଟି ଅନର୍ଗତ ଏହି ବଳରାମ ଯୋଜନାକୁ କିପରି ସଫଳ ରୂପାୟନ ଦିଆଯାଇପାରିବ ସମସ୍ତଙ୍କର ସହଯୋଗ କାମନା କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡ଼ିଶାରେ “ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ୨୦୩୦”ର ସଫଳ ରୂପାୟନ: ସୁନ୍ଦରଗଡ଼ରୁ ଶୁଭାରମ୍ଭ ହେବ କର୍ମଶାଳା 

ସୁନ୍ଦରଗଡ଼: ମିଳିତ ଜାତିସଂଘ ପକ୍ଷରୁ ପ୍ରସ୍ତୁତ “ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ” ୨୦୩୦ର ଓଡ଼ିଶାରେ ସଫଳ ରୂପାୟନ ଲାଗି ରାଜ୍ୟ ସରକାର ବିଶେଷ ପଦକ୍ଷେପ ନେଉଛନ୍ତି। ଏନେଇ ଯୋଜନା ଏବଂ ସଂଯୋଜନ ବିଭାଗ ପକ୍ଷରୁ ପ୍ରତ୍ୟେକ ଜିଲ୍ଲାର କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କୁ ନେଇ ଏକ ସ୍ୱତନ୍ତ୍ର କର୍ମଶାଳା କରାଯିବ। ପାଇଲଟ୍ କାର୍ଯ୍ୟକ୍ରମ ଭାବେ ସୁନ୍ଦରଗଡ଼ଠାରେ ଏହି ଦୁଇଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।

ଜନସମୁଦାୟ ପାଇଁ ଦୀର୍ଘସ୍ଥାୟୀ ଆର୍ଥିକ, ସାମାଜିକ ଓ ପାରିବେଶିକ ବିକାଶକୁ ସୁନିଶ୍ଚିତ କରିବା ପାଇଁ ମିଳିତ ଜାତିସଂଘ ପକ୍ଷରୁ ୨୦୧୫ ମସିହାରେ ୧୭ଟି ପ୍ରମୁଖ ଲକ୍ଷ୍ୟକୁ “ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ” ବା ଏସଡିଜି ଭାବେ ଚିହ୍ନଟ କରାଯାଇଛି। ସେହି ଲକ୍ଷ୍ୟଗୁଡ଼ିକୁ ୨୦୩୦ ସୁଦ୍ଧା ହାସଲ କରିବା ଲାଗି ରାଜ୍ୟ ସରକାର ଆବଶ୍ୟକ ଖସଡ଼ା ଓ ପଦକ୍ଷେପ ନେଉଛନ୍ତି।

ସୁନ୍ଦରଗଡ଼ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ରଠାରେ ଚାଲିଥିବା ଏହି ଦୁଇଦିନିଆ ସାମର୍ଥ୍ୟ ବିକାଶ ତାଲିମ କାର୍ଯ୍ୟକ୍ରମ ବୁଧବାର ଦିନ ଶେଷ ହୋଇଛି। ମଙ୍ଗଳବାର ଦିନ ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ଏହାର ଉଦଘାଟନ କରିଥିଲେ। ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନାକୁ ତୃଣମୂଳସ୍ତରରେ ଲୋକମାନଙ୍କ ପାଖରେ ପହଞ୍ଚାଇବା ସହ ସେଗୁଡ଼ିକର ସଫଳ କାର୍ଯ୍ୟକାରିତା ଉପରେ ବିଶେଷ ଧ୍ୟାନ ଦେବାକୁ ଜିଲ୍ଲାପାଳ ଉପସ୍ଥିତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ।

ଏହି ତାଲିମ କାର୍ଯ୍ୟକ୍ରମର ଉଦଘାଟନ ଅବସରରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗ ଦେଇଥିଲେ ଯୋଜନା ଓ ସଂଯୋଜନ ବିଭାଗର ଯୁଗ୍ମ ସଚିବ ମନୀଷ ଅଗ୍ରୱାଲ। “ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ କରିବାକୁ ହେଲେ ପ୍ରଥମେ ସ୍ଥାନୀୟ ଅଞ୍ଚଳରେ ରହିଥିବା ବିଭିନ୍ନ ସମସ୍ୟାର ଚିହ୍ନଟ କରି ଏହାର ଆଶୁ ସମାଧାନ କରିବାକୁ ପଡ଼ିବ। ସେହିପରି ସ୍ଥାନୀୟ ସମ୍ବଳର ଉଚିତ ଉପଯୋଗ ହୋଇପାରିଲେ ଏହା ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିପାରିବ”, କହିଥିଲେ ଶ୍ରୀଯୁକ୍ତ ଅଗ୍ରୱାଲ।

ସୁନ୍ଦରଗଡ଼ ଜିଲ୍ଲା ଏସଡିଜିର ନୋଡାଲ ଅଧିକାରୀ ଭାବେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଭୈରବ ସିଂ ପଟେଲ ଏହି କର୍ମଶଳାରେ ଯୋଗ ଦେଇଥିଲେ। ଏଥିରେ ଜିଲ୍ଲାର ୧୫ଟି ବିଭାଗର ସରକାରୀ ଅଧିକାରୀ ତଥା ସ୍ୱେଚ୍ଛାସେବୀ ସଙ୍ଗଠନର କର୍ମକର୍ତ୍ତାମାନେ ଭାଗ ନେଇଥିଲେ।

ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ପାଇଁ ମିଳିତ ଜାତିସଂଘ ପକ୍ଷରୁ ନିର୍ଦ୍ଧାରିତ କରାଯାଇଥିବା ପ୍ରମୁଖ ୧୭ଟି ଲକ୍ଷ୍ୟ କିପରି ହାସଲ ହୋଇପାରିବ ସେ ବିଷୟରେ ଅଧିକାରୀମାନଙ୍କୁ ବିଶେଷ ପ୍ରଶିକ୍ଷଣ ଦିଆଯାଇଥିଲା। ଆଗାମୀ ଦିନରେ ରାଜ୍ୟର ଅନ୍ୟ ସମସ୍ତ ଜିଲ୍ଲାରେ ପର୍ଯ୍ୟାୟକ୍ରମେ ଏହି ସାମର୍ଥ୍ୟ ବିକାଶ ତାଲିମ କାର୍ଯ୍ୟକ୍ରମ କରାଯିବ ବୋଲି ଶ୍ରୀଯୁକ୍ତ ଅଗ୍ରୱାଲ ସୂଚନା ଦେଇଛନ୍ତି।

“ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ୨୦୩୦” ଏଜେଣ୍ଡାରେ ରହିଛି ରାଜ୍ୟରୁ ଦାରିଦ୍ର‌୍ୟ ସମ୍ପୂର୍ଣ୍ଣ ଦୂରୀକରଣ, ଖାଦ୍ୟ ନିରାପତ୍ତାକୁ ସୁନିଶ୍ଚିତ କରି କ୍ଷୁଧାମୁକ୍ତ ରାଜ୍ୟ ଗଠନ କରିବା, ସମସ୍ତଙ୍କ ପାଇଁ ପୋଷଣଯୁକ୍ତ ଖାଦ୍ୟ ଉପଲବ୍ଧ କରାଇବା, ଗୁଣାତ୍ମକ ଶିକ୍ଷା ସହ ଲୋକଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା, ମହିଳା ସଶକ୍ତିକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା, ଲିଙ୍ଗଗତ ଅସମାନତା ଦୂର କରିବା, ସମସ୍ତଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ ସୁନିଶ୍ଚିତ କରିବା ସହ ପରିମଳ ପରିଚାଳନା ଉପରେ ଗୁରୁତ୍ୱ ଦେବା।

ସେହିପରି ଲୋକଙ୍କ ସୁବିଧା ପାଇଁ ଆଗାମୀ ଦିନରେ ନିରନ୍ତର ଅକ୍ଷୟ ଶକ୍ତି ସେବା ଉପଲବ୍ଧ କରିବା, ଭିତ୍ତିଭୂମି ନିର୍ମାଣ ସହ ଦୀର୍ଘସ୍ଥାୟୀ ଶିଳ୍ପାୟନକୁ ପ୍ରୋତ୍ସାହନ ଦେବା, ଜଳବାୟୁ ପରିବର୍ତ୍ତନ ଏବଂ ଏହାର ପ୍ରଭାବର ମୁକାବିଲା ପାଇଁ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବା ତଥା ସ୍ଥାନୀୟ ସମ୍ବଳର ଉଚିତ ବ୍ୟବହାର କରିବା ଉପରେ ମଧ୍ୟ ଏହି ତାଲିମ କର୍ମଶାଳା ମାଧ୍ୟମରେ ଗୁରୁତ୍ୱାରୋପ କରାଯାଉଛି।

ଏହି କାର୍ଯ୍ୟକ୍ରମକୁ ଯୋଜନା ଓ ସଂଯୋଜନ ବିଭାଗର ସାମର୍ଥ୍ୟ ବୃଦ୍ଧି ବିଶେଷଜ୍ଞ ସରୋଜ କୁମାର ଦାଶ ପରିଚାଳନା କରିଥିଲେ। ଏଥିରେ ରାଜ୍ୟ ଏସଡିଜି ସେଲର ସହକାରୀ ନିର୍ଦ୍ଦେଶିକା ଡକ୍ଟର ଉପାସନା ମହାପାତ୍ର, ସାମାଜିକ କ୍ଷେତ୍ର ବିଶେଷଜ୍ଞ (ପିଏମୟୁ, ଏସଡିଜି) ଡକ୍ଟର ରମେଶ ଚେଲାନ, ପରିବେଶ ବିଶେଷଜ୍ଞ ଜନ୍ମେଜୟ ମିଶ୍ର, ଜିଲ୍ଲା ଯୋଜନା ଓ ସଂଯୋଜନ ବିଭାଗର ଉପନିର୍ଦ୍ଦେଶକ ଡକ୍ଟର ବିଜ୍ଞାନାନନ୍ଦ ମହାନ୍ତି ପ୍ରମୁଖ ତାଲିମଦାତା ଭାବେ ଯୋଗ ଦେଇଥିଲେ।

ଏଥିରେ ଭାଗ ନେଇଥିବା ସରକାରୀ ଅଧିକାରୀ ଏବଂ ତାଲିମଦାତାମାନେ ସ୍ଥାନୀୟ କ୍ଷେତ୍ର ପରିଦର୍ଶନରେ ଯାଇଥିଲେ। ସୁନ୍ଦରଗଡ଼ ସଦର ବ୍ଲକର କିରେଇ ଏବଂ ଟାଙ୍ଗରପାଲି ବ୍ଲକର ମହୁଲପାଲି ପଞ୍ଚାୟତ ପରିଦର୍ଶନ କରି ସେମାନେ ସ୍ଥାନୀୟ ପଞ୍ଚାୟତ ପ୍ରତିନିଧି, ମିଶନଶକ୍ତିର ମା’, ଯୁବକ ଏବଂ ଚାଷୀମାନଙ୍କୁ ଭେଟି ସେମାନଙ୍କ ଦକ୍ଷତା ଓ ଜୀବିକା ଆଦି ବିଷୟରେ ପଚାରି ବୁଝିଥିଲେ। ସେଠାରୁ ଫେରି ସରକାରଙ୍କ ବିଭିନ୍ନ ବିକାଶମୂଳକ ଯୋଜନା ଓ କାର୍ଯ୍ୟକ୍ରମର ଉପଯୋଗ କରି କିଭଳି ଲୋକଙ୍କ ପାଇଁ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ପୂରଣ କରାଯାଇପାରିବ ସେ ଦିଗରେ କର୍ମଶାଳାରେ ଅଧିକ ଆଲୋଚନା କରାଯାଇଥିଲା।