Categories
ଆଜିର ଖବର ରାଜ୍ୟ ଖବର ସିନେମା

ଓଟିଟି ପ୍ଲାଟଫର୍ମ କଞ୍ଚାଲଙ୍କାରେ ଏବେ ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ର “ଶଲା ବୁଢା”

ଭୁବନେଶ୍ବର: ଲୋକପ୍ରିୟ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ରଙ୍କ ନିର୍ଦ୍ଦେଶିତ ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ର “ଶଲା ବୁଢା” ଏହି ଫ୍ରେବୁୟାରୀ ୨୭ ତାରିଖରେ ଓଟିଟିପ୍ଲାଟଫର୍ମ କଞ୍ଚା ଲଙ୍କାରେ ଷ୍ଟ୍ରିମିଙ୍ଗ ହବାକୁ ଯାଉଛି।

ଏହି କାହାଣୀ ଜଣେ ଗରିବ ଗାଁ ମୁଖିଆଙ୍କର। ୧୯୩୦ ଦଶକ, ରାଜାରାଜୁଡ଼ା ଶାସନ ସମୟର। କ୍ରମାଗତ ଦୁର୍ଭିକ୍ଷ ଓ ଲୋଭି ରାଜାଙ୍କ କବଳରୁ ଭରତ ରାମ (ଶଲା ବୁଢ଼ା) କିଭଳି ନିଜ ଲୋକ ଓ ଜମିଜମାକୁ ବଞ୍ଚାଇ ରଖିଥିଲେ। ସାଧାରଣ ଧାରଣା ଥାଏ ଯେ ବୃଦ୍ଧମାନେ ଅକର୍ମଣ୍ୟ, କିନ୍ତୁ ସେମାନେ ହିଁ ସମାଜକୁ ଦେଖାଇଥାନ୍ତି ନୂତନ ଦିଗନ୍ତ, ଶଲା ବୁଢ଼ାରେ ଘଟିଛି ଏମିତି କିଛି ଘଟଣା। ଈଶ୍ବରଙ୍କ ଉପରେ ଆସ୍ଥା, ମଣିଷପଣିଆ ଉପରେ ବିଶ୍ୱାସ ଦ୍ଵାରା କିଭଳି ସବୁ କିଛି ଜିତି ହୁଏ ଶଲା ବୁଢ଼ା ତା’ର ଏକ ନିଚ୍ଛକ ନିଦର୍ଶନ।

ଏହି ଚଳଚ୍ଚିତ୍ରର ପ୍ରଯୋଜକ ସୁଶାନ୍ତ ମହାପାତ୍ର ଥିବାବେଳେ ଏହାର କାହାଣୀ ଲେଖିଛନ୍ତି ଶ୍ରୀ କପିଳେଶ୍ଵର ମହାପାତ୍ର, ସଂଙ୍ଗୀତରେ ସଜେଇଛନ୍ତି ପଙ୍କଜ ଜାଲ୍ ଓ ଘାସିରାମ ମିଶ୍ର, ଏହାର କ୍ୟାମେରା ମ୍ୟାନ୍‌ ଓମ୍ ପ୍ରକାଶ ମହାପାତ୍ର ଥିବା ବେଳେ ସଂପାଦନାରେ ରାଜେନ୍ଦ୍ର ମହାପାତ୍ର, ସଂଳାପ ଲେଖିଛନ୍ତି ଅଟଳ ବିହାରୀ ପଣ୍ଡା, ନିର୍ଦ୍ଦେଶନା ଓ ଚିତ୍ରନାଟ୍ୟର ଦାୟିତ୍ୱରେ ଅଛନ୍ତି ସବ୍ୟସାଚୀ ମହାପାତ୍ର।

ଏହି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ଅଟଳ ପଣ୍ଡା, ରତନ୍ ମେହେର୍,ପ୍ରିଥିବିରାଜ ନାଏକ,ରୋଜି ଶଡଙ୍ଗୀ, ତପସ୍ବୋନୀ ଗୁରୁ ଓ ଅନ୍ୟମାନେ।

ଏହା ପୂର୍ବରୁ ଓଟିଟି ପ୍ଲାଟଫର୍ମରେ ଷ୍ଟ୍ରିମିଙ୍ଗ୍ ହୋଇଥିବା ପ୍ରତ୍ୟେକ୍ ଚଳଚ୍ଚିତ୍ର ଓ ୱେବ୍ ସିରିଜ୍ କୁ ଆପଣ ମାନେ ଯେତିକି ଭଲପାଇବା ଦେଇଛନ୍ତି ସେତିକି ଭଲ ପାଇବା ଆମର ଏହି ଶଲା ବୁଢା ଚଳଚ୍ଚିତ୍ରକୁ ଦେବେ ବୋଲି ଆମର ଆଶା ଓ ବିଶ୍ୱାସ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଡ. ପୁରୁଷୋତ୍ତମ ମିଶ୍ରଙ୍କୁ ପ୍ରଦାନ କରାଗଲା ‘ସୁରେଶ ସୃଜନ ସମ୍ମାନ’

ଭୁବନେଶ୍ୱର: ଉପଭୋକ୍ତାବାଦ ଓ ବଜାରୀକରଣ ଲୋକସଂସ୍କୃତି ସୁରକ୍ଷା କ୍ଷେତ୍ରରେ ବିରାଟ ଆହ୍ୱାନ ସୃଷ୍ଟି କରିଛି । ଲୋକସଂସ୍କୃତିରେ ଆମର ଐତିହ୍ୟ, କଳାତ୍ମକ ଗୁଣ, ତୃଣମୂଳ ବୈଚିତ୍ର୍ୟ ରହିଥିବାବେଳେ ଆମେ ଆଧୁନିକତା ଓ ବିକାଶ ଆଳରେ ଲୋକସଂସ୍କୃତିକୁ ଅଣଦେଖା କରିଚାଲିଛୁ ବୋଲି ବିଶିଷ୍ଟ ସଂସ୍କୃତି ବିଶାରଦ ତଥା ନୂଆଦିଲ୍ଲୀସ୍ଥିତ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ପ୍ରଫେସର ଡ. ବ୍ରହ୍ମ ପ୍ରକାଶ ମତ ପ୍ରଦାନ କରିଛନ୍ତି ।

ବିଶିଷ୍ଟ ଲେଖକ, ସଂଗ୍ରାହକ, ନାଟ୍ୟକର୍ମୀ ତଥା ଲୋକସଂସ୍କୃତି ଗବେଷକ ସ୍ୱର୍ଗତ ସୁରେଶ ବଳବନ୍ତରାୟଙ୍କ ୬୮ତମ ଜନ୍ମତିଥି ଅବସରରେ ଆୟୋଜିତ ‘ସୁରେଶ ସମାବେଶ’ରେ ସ୍ମାରକ ବକ୍ତୃତା ପ୍ରଦାନ କରି ଡ. ବ୍ରହ୍ମ ପ୍ରକାଶ ଏହି ମର୍ମରେ ଲୋକସଂସ୍କୃତିର ସଂରକ୍ଷଣ ଦିଗରେ ନବଚେତନାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଛନ୍ତି ।

ସୁରେଶ ବଳବନ୍ତରାୟ ଫାଉଣ୍ଡେସନ୍‌ ଆନୁକୂଲ୍ୟରେ ଆଜି ସନ୍ଧ୍ୟାରେ ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଖ୍ୟାତିସଂପନ୍ନ ଚିତ୍ର ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ଓ ସମ୍ମାନିତ ଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ସଂଜୟ କୁମାର ଦାସବର୍ମା ଯୋଗଦେଇ ସ୍ୱର୍ଗତ ବଳବନ୍ତରାୟଙ୍କ ଜୀବନୀ ଓ କୃତିତ୍ୱ ଉପରେ ବକ୍ତବ୍ୟ ରଖିଥିଲେ । ଫାଉଣ୍ଡେସନ୍‌ର ସଭାପତି ଡ. ହରେକୃଷ୍ଣ ପାତ୍ରଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ବିଶିଷ୍ଟ ନାଟ୍ୟକାର, ଅଭିନେତା ଓ ସଂସ୍କୃତି-ଗବେଷକ ଅଧ୍ୟାପକ ଡ. ପୁରୁଷୋତ୍ତମ ମିଶ୍ରଙ୍କୁ ‘ସୁରେଶ ସୃଜନ ସମ୍ମାନ’ ପ୍ରଦାନ କରାଯାଇଥିଲା । ଡ. ମିଶ୍ର ସମ୍ମାନପ୍ରାପ୍ତିରେ ଆପଣାର କୃତଜ୍ଞତା ପ୍ରକାଶ କରିଥିଲେ । ସ୍ୱର୍ଗତ ବଳବନ୍ତରାୟଙ୍କ ଦ୍ୱାରା ଅନୂଦିତ ନାଟକ ‘ଆଷାଢ଼ର ଦିନେ’ ଅତିଥିମାନଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା ।

ଦୃଶ୍ୟଶ୍ରାବ୍ୟ ଉପସ୍ଥାପନ କ୍ରମେ ମୁଖ୍ୟବକ୍ତା ଡ. ବ୍ରହ୍ମ ପ୍ରକାଶ ଆମର ଐତିହ୍ୟ, ସ୍ମୃତି, ଦେବଦେବୀ, ପର୍ବପର୍ବାଣି, ସ୍ଥାନୀୟତାକୁ ନିର୍ଭର କରି ବିଭିନ୍ନ ସମୟରେ ପ୍ରଚଳିତ ଲୋକସଂସ୍କୃତି ଉପାଦାନଗୁଡ଼ିକ ଉପରେ ପ୍ରାଞ୍ଜଳ ଭାବରେ ଆଲୋକପାତ କରିଥିଲେ । କଳା ଓ ସଂସ୍କୃତି ନେଇ ଆମର ଅବବୋଧ ଓ ଆଗ୍ରହ କ୍ରମେ କ୍ରମେ କମିଯିବା ବାବଦରେ ସେ କ୍ଷୋଭ ପ୍ରକାଶ କରିଥିଲେ ।

କାର୍ଯ୍ୟକ୍ରମ ଆରମ୍ଭରେ ଫାଉଣ୍ଡେସନ୍‌ ପକ୍ଷରୁ କବି ରକ୍ଷକ ନାୟକ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସଂପାଦିକା ଡ. ଅନ୍ୟା ଅନୁରୂପା ବିବରଣୀ ଉପସ୍ଥାପନ କରିଥିଲେ । ଡ. ଶାଶ୍ୱତୀ ଜେନା ମାନପତ୍ର ପାଠ କରିଥିଲେ ଓ ଶେଷରେ ଭାଷା ବିଜ୍ଞାନୀ ଡ. ଦେବାଶିଷ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ଭକ୍ତର ମାନସିକ ନଡିଆକୁ ମା’ଙ୍କ ନିକଟରେ ପହଞ୍ଚାଇଲେ ଅଭିନେତା ସବ୍ୟସାଚୀ

ଭୁବନେଶ୍ବର: ଭକ୍ତ ଓ ଭଗବାନଙ୍କ ମଧ୍ୟରେ କରୋନା ଏକ ପାଚେରୀ ହୋଇ ଠିଆ ହୋଇଛି। କରୋନା ଯୋଗୁଁ ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ରହିଛି। ଯଦିଓ ଭକ୍ତ ଓ ଭଗବାନଙ୍କ ସମ୍ପର୍କ ଆବେଗିକ କିନ୍ତୁ ଦେବାଳୟକୁ ଯାଇ ପ୍ରଭୁଙ୍କ ନିକଟରେ ଭକ୍ତଟିଏ ପ୍ରାର୍ଥନା କରିବାକୁ ସବୁବେଳେ ଆତୁର। କରୋନା ଯୋଗୁଁ ଦୀର୍ଘ ୧୦ ମାସ ହେଲା ଭକ୍ତଟିଏ ମନ୍ଦିର ଯାଇପାରୁନାହିଁ।

ଏପରି ସ୍ଥିତିରେ ଭକ୍ତର ମାନସିକ ନଡିଆ ମଧ୍ୟ ବାଦ୍‌ ପଡିଛି। ନା ଭକ୍ତ ଯାଇପାରୁଛି ମନ୍ଦିରକୁ ନା ଯାଇପାରୁଛି ତା’ର ମାନସିକ ନଡିଆ। ଭକ୍ତଟିଏ ନଡିଆଟିଏ ବାନ୍ଧି ଦେଇ ମା’ଙ୍କୁ ନିଜର ସମସ୍ତ ଅଳି ଅର୍ଦ୍ଦଳି ଜଣାଇଥାଏ। ପ୍ରତି ମାନସିକ ନଡିଆ ସହିତ ଜଡି ହୋଇ ରହି ଥାଏ ଦୁଃଖୀ ମଣିଷମାନଙ୍କର ବିକଳ ପ୍ରାର୍ଥନା। କୋଉଠି ମାଆ, ମୃତ୍ୟୁମୁହଁରେ ପଡ଼ିଥିବା ନିଜ ଛୁଆଟିର ଜୀବନ ପାଇଁ ଠାକୁରାଣୀ ମାଆ ପାଖେ ନଡିଆଟିଏ ଯାଚିଦେଇଥାଏ ତ କେଉଁଠି ଯନ୍ତ୍ରଣାରେ ଛଟପଟ ହେଉଥିବା ସ୍ବାମୀଙ୍କୁ ରକ୍ଷା କରିବା ପାଇଁ ନଡ଼ିଆଟିଏ ମାନସିକ କରିଥାଏ ସ୍ତ୍ରୀ।

ହେଲେ କରୋନା ପାଇଁ ଲକ୍ ଡାଉନ୍ ଆରମ୍ଭରୁ ମାନସିକ ନଡ଼ିଆ ସବୁ ମା’ ତାରିଣୀଙ୍କ ପାଖରେ ପହଞ୍ଚି ନ ପାରି ଗଦେଇ ହୋଇ ଚାଲିଥିଲା ରାସ୍ତାକଡରେ ଓ ବସ୍ ଷ୍ଟାଣ୍ଡ ରେ। ମହାମାରୀ ଆତଙ୍କ ଯୋଗୁ କେହି ହାତ ମାରିବାକୁ ଚାହୁଁନଥିଲେ ସେଇ ଗଦା ହେଇଥିବା ନଡ଼ିଆକୁ। ଭକ୍ତର ନଡିଆଟି ସେମିତି ପଡି ରହିଥିଲା ରାସ୍ତାକଡରେ।

ମାନସିକ ନଡିଆଗୁଡିକ ରାସ୍ତାରେ ପଡି ପଡି ସହରର ପରିବେଶ ଓ ସୌନ୍ଦର୍ଯ୍ୟ ମଧ୍ୟ ନଷ୍ଟ କରୁଥିଲା। କିଛି ନଡ଼ିଆରୁ ଗଜା ବାହାରିସାରିଥିଲା ଓ କିଛି ପଚିଯାଇଥିବାରୁ ଦୁର୍ଗନ୍ଧ ସହ ପରିବେଶ ଦୂଷିତ ହେଉଥିଲା। କୁକୁର ଦ୍ଵାରା କିଛି ନଡିଆ ରାସ୍ତାକୁ ଗଡି ଆସୁଥିବା ଫଳରେ ଦୁର୍ଘଟଣାର କାରଣ ମଧ୍ୟ ହେଉଥିଲା। ହେଲେ ସବୁଠୁ ବଡ଼ କଥା ହେଲା ଭକ୍ତର ଆବେଗଭରା ବିଶ୍ୱାସ ହୋଇଯାଇଥିଲା ସାହାଶୂନ୍ୟ।

ତେବେ ଭକ୍ତ ଓ ଭଗବାନ ମଧ୍ୟରେ ପୁଣି ଥରେ ଆସ୍ଥାର ଯୋଗସୂତ୍ର ସ୍ଥାପନ ହୋଇଛି। ଭକ୍ତର ମାନସିକ ନଡିଆ ପୁଣିଥରେ ଭକ୍ତର ମନୋବାଞ୍ଛା ନେଇ ମା’ଙ୍କ ପାଖରେ ପହଞ୍ଚୁଛି। ଏଭଳି ଏକ ଧାର୍ମିକ କାର୍ଯ୍ୟରେ ସହଯୋଗ କରିଛନ୍ତି ଓଲିଉଡ୍‌ ଅଭିନେତା ସବ୍ୟସାଚୀ। ଭୁବନେଶ୍ୱର ର ବରମୁଣ୍ଡା, ଫାୟାର୍ ଷ୍ଟେସନ୍ ଛକ, ସିଆରପି, ଆଚାର୍ଯ୍ୟବିହାର, ବାଣୀବିହାର, ରସୁଲଗଡ଼, କଟକର ଅନେକ ଜାଗା, ଚଣ୍ଡିଖୋଲ ସହ ପାଣିକୋଇଲିରୁ ଏଇଭଳି ଅଟକି ରହିଥିବା ପାଖାପାଖି ୩୫୦୦୦ ନଡିଆ (୩୦୦ ବସ୍ତା) କୁ ଆଜି ଦୁଇଟି ଟ୍ରକ୍ ମାଧ୍ୟମରେ ଘଟଗାଁ ପଠାଇଛନ୍ତି। ଭକ୍ତଙ୍କ ଭରସାକୁ ମାଁ ଙ୍କ ନିକଟରେ ପହଞ୍ଚାଇ ବେଶ୍‌ ଆନନ୍ଦିତ ହୋଇଛନ୍ତି ଅଭିନେତା।

ସୂଚନାଯୋଗ୍ୟ, କରୋନା କାଳରେ ଲକ୍‌ଡାଉନ୍‌ ସମୟରେ ଓଡ଼ିଶାର ପ୍ରତ୍ୟେକ ଅସହାୟଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି ଏହି ଅଭିନେତା ଜଣକ। ଆଜି ଭକ୍ତଙ୍କ ମନୋବାଞ୍ଛା ପୂରଣ କରିବା ପାଇଁ ମାନସିକ ନଡିଆକୁ ମା’ଙ୍କ ପାଖକୁ ପଠାଇ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି ଅଭିନେତା ଜଣକ।