ଡ. ପୁରୁଷୋତ୍ତମ ମିଶ୍ରଙ୍କୁ ପ୍ରଦାନ କରାଗଲା ‘ସୁରେଶ ସୃଜନ ସମ୍ମାନ’

Published: Oct 27, 2022, 8:26 pm IST

ଭୁବନେଶ୍ୱର: ଉପଭୋକ୍ତାବାଦ ଓ ବଜାରୀକରଣ ଲୋକସଂସ୍କୃତି ସୁରକ୍ଷା କ୍ଷେତ୍ରରେ ବିରାଟ ଆହ୍ୱାନ ସୃଷ୍ଟି କରିଛି । ଲୋକସଂସ୍କୃତିରେ ଆମର ଐତିହ୍ୟ, କଳାତ୍ମକ ଗୁଣ, ତୃଣମୂଳ ବୈଚିତ୍ର୍ୟ ରହିଥିବାବେଳେ ଆମେ ଆଧୁନିକତା ଓ ବିକାଶ ଆଳରେ ଲୋକସଂସ୍କୃତିକୁ ଅଣଦେଖା କରିଚାଲିଛୁ ବୋଲି ବିଶିଷ୍ଟ ସଂସ୍କୃତି ବିଶାରଦ ତଥା ନୂଆଦିଲ୍ଲୀସ୍ଥିତ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ପ୍ରଫେସର ଡ. ବ୍ରହ୍ମ ପ୍ରକାଶ ମତ ପ୍ରଦାନ କରିଛନ୍ତି ।

ବିଶିଷ୍ଟ ଲେଖକ, ସଂଗ୍ରାହକ, ନାଟ୍ୟକର୍ମୀ ତଥା ଲୋକସଂସ୍କୃତି ଗବେଷକ ସ୍ୱର୍ଗତ ସୁରେଶ ବଳବନ୍ତରାୟଙ୍କ ୬୮ତମ ଜନ୍ମତିଥି ଅବସରରେ ଆୟୋଜିତ ‘ସୁରେଶ ସମାବେଶ’ରେ ସ୍ମାରକ ବକ୍ତୃତା ପ୍ରଦାନ କରି ଡ. ବ୍ରହ୍ମ ପ୍ରକାଶ ଏହି ମର୍ମରେ ଲୋକସଂସ୍କୃତିର ସଂରକ୍ଷଣ ଦିଗରେ ନବଚେତନାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଛନ୍ତି ।

ସୁରେଶ ବଳବନ୍ତରାୟ ଫାଉଣ୍ଡେସନ୍‌ ଆନୁକୂଲ୍ୟରେ ଆଜି ସନ୍ଧ୍ୟାରେ ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଖ୍ୟାତିସଂପନ୍ନ ଚିତ୍ର ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ଓ ସମ୍ମାନିତ ଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ସଂଜୟ କୁମାର ଦାସବର୍ମା ଯୋଗଦେଇ ସ୍ୱର୍ଗତ ବଳବନ୍ତରାୟଙ୍କ ଜୀବନୀ ଓ କୃତିତ୍ୱ ଉପରେ ବକ୍ତବ୍ୟ ରଖିଥିଲେ । ଫାଉଣ୍ଡେସନ୍‌ର ସଭାପତି ଡ. ହରେକୃଷ୍ଣ ପାତ୍ରଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ବିଶିଷ୍ଟ ନାଟ୍ୟକାର, ଅଭିନେତା ଓ ସଂସ୍କୃତି-ଗବେଷକ ଅଧ୍ୟାପକ ଡ. ପୁରୁଷୋତ୍ତମ ମିଶ୍ରଙ୍କୁ ‘ସୁରେଶ ସୃଜନ ସମ୍ମାନ’ ପ୍ରଦାନ କରାଯାଇଥିଲା । ଡ. ମିଶ୍ର ସମ୍ମାନପ୍ରାପ୍ତିରେ ଆପଣାର କୃତଜ୍ଞତା ପ୍ରକାଶ କରିଥିଲେ । ସ୍ୱର୍ଗତ ବଳବନ୍ତରାୟଙ୍କ ଦ୍ୱାରା ଅନୂଦିତ ନାଟକ ‘ଆଷାଢ଼ର ଦିନେ’ ଅତିଥିମାନଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା ।

ଦୃଶ୍ୟଶ୍ରାବ୍ୟ ଉପସ୍ଥାପନ କ୍ରମେ ମୁଖ୍ୟବକ୍ତା ଡ. ବ୍ରହ୍ମ ପ୍ରକାଶ ଆମର ଐତିହ୍ୟ, ସ୍ମୃତି, ଦେବଦେବୀ, ପର୍ବପର୍ବାଣି, ସ୍ଥାନୀୟତାକୁ ନିର୍ଭର କରି ବିଭିନ୍ନ ସମୟରେ ପ୍ରଚଳିତ ଲୋକସଂସ୍କୃତି ଉପାଦାନଗୁଡ଼ିକ ଉପରେ ପ୍ରାଞ୍ଜଳ ଭାବରେ ଆଲୋକପାତ କରିଥିଲେ । କଳା ଓ ସଂସ୍କୃତି ନେଇ ଆମର ଅବବୋଧ ଓ ଆଗ୍ରହ କ୍ରମେ କ୍ରମେ କମିଯିବା ବାବଦରେ ସେ କ୍ଷୋଭ ପ୍ରକାଶ କରିଥିଲେ ।

କାର୍ଯ୍ୟକ୍ରମ ଆରମ୍ଭରେ ଫାଉଣ୍ଡେସନ୍‌ ପକ୍ଷରୁ କବି ରକ୍ଷକ ନାୟକ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସଂପାଦିକା ଡ. ଅନ୍ୟା ଅନୁରୂପା ବିବରଣୀ ଉପସ୍ଥାପନ କରିଥିଲେ । ଡ. ଶାଶ୍ୱତୀ ଜେନା ମାନପତ୍ର ପାଠ କରିଥିଲେ ଓ ଶେଷରେ ଭାଷା ବିଜ୍ଞାନୀ ଡ. ଦେବାଶିଷ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Related posts