Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଡ. ପୁରୁଷୋତ୍ତମ ମିଶ୍ରଙ୍କୁ ପ୍ରଦାନ କରାଗଲା ‘ସୁରେଶ ସୃଜନ ସମ୍ମାନ’

ଭୁବନେଶ୍ୱର: ଉପଭୋକ୍ତାବାଦ ଓ ବଜାରୀକରଣ ଲୋକସଂସ୍କୃତି ସୁରକ୍ଷା କ୍ଷେତ୍ରରେ ବିରାଟ ଆହ୍ୱାନ ସୃଷ୍ଟି କରିଛି । ଲୋକସଂସ୍କୃତିରେ ଆମର ଐତିହ୍ୟ, କଳାତ୍ମକ ଗୁଣ, ତୃଣମୂଳ ବୈଚିତ୍ର୍ୟ ରହିଥିବାବେଳେ ଆମେ ଆଧୁନିକତା ଓ ବିକାଶ ଆଳରେ ଲୋକସଂସ୍କୃତିକୁ ଅଣଦେଖା କରିଚାଲିଛୁ ବୋଲି ବିଶିଷ୍ଟ ସଂସ୍କୃତି ବିଶାରଦ ତଥା ନୂଆଦିଲ୍ଲୀସ୍ଥିତ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ପ୍ରଫେସର ଡ. ବ୍ରହ୍ମ ପ୍ରକାଶ ମତ ପ୍ରଦାନ କରିଛନ୍ତି ।

ବିଶିଷ୍ଟ ଲେଖକ, ସଂଗ୍ରାହକ, ନାଟ୍ୟକର୍ମୀ ତଥା ଲୋକସଂସ୍କୃତି ଗବେଷକ ସ୍ୱର୍ଗତ ସୁରେଶ ବଳବନ୍ତରାୟଙ୍କ ୬୮ତମ ଜନ୍ମତିଥି ଅବସରରେ ଆୟୋଜିତ ‘ସୁରେଶ ସମାବେଶ’ରେ ସ୍ମାରକ ବକ୍ତୃତା ପ୍ରଦାନ କରି ଡ. ବ୍ରହ୍ମ ପ୍ରକାଶ ଏହି ମର୍ମରେ ଲୋକସଂସ୍କୃତିର ସଂରକ୍ଷଣ ଦିଗରେ ନବଚେତନାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଛନ୍ତି ।

ସୁରେଶ ବଳବନ୍ତରାୟ ଫାଉଣ୍ଡେସନ୍‌ ଆନୁକୂଲ୍ୟରେ ଆଜି ସନ୍ଧ୍ୟାରେ ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଖ୍ୟାତିସଂପନ୍ନ ଚିତ୍ର ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ଓ ସମ୍ମାନିତ ଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ସଂଜୟ କୁମାର ଦାସବର୍ମା ଯୋଗଦେଇ ସ୍ୱର୍ଗତ ବଳବନ୍ତରାୟଙ୍କ ଜୀବନୀ ଓ କୃତିତ୍ୱ ଉପରେ ବକ୍ତବ୍ୟ ରଖିଥିଲେ । ଫାଉଣ୍ଡେସନ୍‌ର ସଭାପତି ଡ. ହରେକୃଷ୍ଣ ପାତ୍ରଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ବିଶିଷ୍ଟ ନାଟ୍ୟକାର, ଅଭିନେତା ଓ ସଂସ୍କୃତି-ଗବେଷକ ଅଧ୍ୟାପକ ଡ. ପୁରୁଷୋତ୍ତମ ମିଶ୍ରଙ୍କୁ ‘ସୁରେଶ ସୃଜନ ସମ୍ମାନ’ ପ୍ରଦାନ କରାଯାଇଥିଲା । ଡ. ମିଶ୍ର ସମ୍ମାନପ୍ରାପ୍ତିରେ ଆପଣାର କୃତଜ୍ଞତା ପ୍ରକାଶ କରିଥିଲେ । ସ୍ୱର୍ଗତ ବଳବନ୍ତରାୟଙ୍କ ଦ୍ୱାରା ଅନୂଦିତ ନାଟକ ‘ଆଷାଢ଼ର ଦିନେ’ ଅତିଥିମାନଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା ।

ଦୃଶ୍ୟଶ୍ରାବ୍ୟ ଉପସ୍ଥାପନ କ୍ରମେ ମୁଖ୍ୟବକ୍ତା ଡ. ବ୍ରହ୍ମ ପ୍ରକାଶ ଆମର ଐତିହ୍ୟ, ସ୍ମୃତି, ଦେବଦେବୀ, ପର୍ବପର୍ବାଣି, ସ୍ଥାନୀୟତାକୁ ନିର୍ଭର କରି ବିଭିନ୍ନ ସମୟରେ ପ୍ରଚଳିତ ଲୋକସଂସ୍କୃତି ଉପାଦାନଗୁଡ଼ିକ ଉପରେ ପ୍ରାଞ୍ଜଳ ଭାବରେ ଆଲୋକପାତ କରିଥିଲେ । କଳା ଓ ସଂସ୍କୃତି ନେଇ ଆମର ଅବବୋଧ ଓ ଆଗ୍ରହ କ୍ରମେ କ୍ରମେ କମିଯିବା ବାବଦରେ ସେ କ୍ଷୋଭ ପ୍ରକାଶ କରିଥିଲେ ।

କାର୍ଯ୍ୟକ୍ରମ ଆରମ୍ଭରେ ଫାଉଣ୍ଡେସନ୍‌ ପକ୍ଷରୁ କବି ରକ୍ଷକ ନାୟକ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସଂପାଦିକା ଡ. ଅନ୍ୟା ଅନୁରୂପା ବିବରଣୀ ଉପସ୍ଥାପନ କରିଥିଲେ । ଡ. ଶାଶ୍ୱତୀ ଜେନା ମାନପତ୍ର ପାଠ କରିଥିଲେ ଓ ଶେଷରେ ଭାଷା ବିଜ୍ଞାନୀ ଡ. ଦେବାଶିଷ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Categories
ବିଶେଷ ଖବର ରାଜ୍ୟ ଖବର

ଚିଲିକା ମତ୍ସ୍ୟଜୀବୀଙ୍କ ଜୀବନଜୀବିକାର ଉନ୍ନତି ନିମନ୍ତେ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସମୀକ୍ଷା ବୈଠକ

ଭୁବନେଶ୍ୱର : ଆଜି ଅପରାହ୍ନରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ସଂଜୟ କୁମାର ଦାସବର୍ମାଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱରସ୍ଥ ସର୍କିଟ୍‌ ହାଉସ୍‌ ସମ୍ମିଳନୀ କକ୍ଷଠାରେ ମତ୍ସ୍ୟଜୀବୀମାନଙ୍କ କଲ୍ୟାଣ ନିମନ୍ତେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଚିଲିକା ମତ୍ସ୍ୟଜୀବୀଙ୍କ ଜୀବନଜୀବିକାରେ ଉନ୍ନତି ଆଣିବା ଉଦ୍ଦେଶ୍ୟରେ ବିଭିନ୍ନ ଯୋଜନା ନେଇ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ ବୈଠକରେ ଶ୍ରୀ ଦାସବର୍ମା ରାଜ୍ୟ ସରକାରଙ୍କ ମତ୍ସ୍ୟଜୀବୀ ଉନ୍ନୟନ ଯୋଜନା ସମ୍ବନ୍ଧରେ ବ୍ୟାପକ ଜନସଚେତନତା ସୃଷ୍ଟି ଏବଂ ହିତାଧିକାରୀଙ୍କ ନିମନ୍ତେ ଶିବିର ଆୟୋଜନ ପୂର୍ବକ ମିଳୁଥିବା ସହାୟତା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ବୈଠକରେ ଚିଲିକା ଉପରେ ନିର୍ଭରଶୀଳ ମତ୍ସ୍ୟଜୀବୀଙ୍କ ପାରମ୍ପରିକ ଡଙ୍ଗାକୁ ମୋଟରଚାଳିତ କରିବା, ପୁରାତନ କାଠଡଙ୍ଗା ବଦଳରେ ନୂତନ ଡଙ୍ଗା ପ୍ରଦାନ ବ୍ୟବସ୍ଥାରେ ଚିଲିକା ମତ୍ସ୍ୟଜୀବୀଙ୍କୁ ପ୍ରାଥମିକତା ଦେବା, ରାଜ୍ୟ ମତ୍ସ୍ୟନୀତି ଅନୁଯାୟୀ ମତ୍ସ୍ୟଜୀବୀଙ୍କୁ ନୂତନ ଡଙ୍ଗା, ଜାଲ କ୍ରୟ ଉପରେ ପ୍ରଚଳିତ ରିହାତି ବ୍ୟବସ୍ଥା, ଖାରିପାଣି ଚିଙ୍ଗୁଡ଼ି ଚାଷ ପାଇଁ ପ୍ରୋତ୍ସାହନ ଇତ୍ୟାଦି ବିଷୟରେ ସମୀକ୍ଷା କରାଯାଇଥିଲା।

ମତ୍ସ୍ୟଜୀବୀଙ୍କ ଉନ୍ନତି ନିମନ୍ତେ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ନେଇ ବ୍ୟାପକ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଖୁବ୍‌ଶୀଘ୍ର ବାଲୁଗାଁ ଏବଂ ପୁରୀ ଅଞ୍ଚଳର ସମସ୍ତ ମତ୍ସ୍ୟଜୀବୀ ସମବାୟ ସମିତିର ସଦସ୍ୟମାନଙ୍କୁ ନେଇ ବ୍ରହ୍ମଗିରିଠାରେ ଏକ ସଚେତନତା ଶିବିର ଆୟୋଜନ କରାଯିବ ବୋଲି ଶ୍ରୀ ଦାସବର୍ମା ପ୍ରକାଶ କରିଥିଲେ।

ସମୀକ୍ଷା ବୈଠକରେ ରାଜ୍ୟ ମତ୍ସ୍ୟ ନିର୍ଦ୍ଦେଶକ ଶ୍ରୀ ସ୍ମୃତିରଞ୍ଜନ ପ୍ରଧାନ, ଅତିରିକ୍ତ ନିର୍ଦ୍ଦେଶକ ଦେବାନନ୍ଦ ଭଞ୍ଜ, ଯୁଗ୍ମ ନିର୍ଦ୍ଦେଶକ ପବିତ୍ର କୁମାର ବେହେରା ଏବଂ ପ୍ରତାପ ରଞ୍ଜନ ରାଉତ, ଉପନିର୍ଦ୍ଦେଶକ ବସନ୍ତ କୁମାର ଦାସ, ପୁରୀ ଓ ବାଲୁଗାଁର ଜିଲ୍ଲା ମତ୍ସ୍ୟ ଅଧିକାରୀ, ଅତିରିକ୍ତ ମତ୍ସ୍ୟ ଅଧିକାରୀ ରବୀନ୍ଦ୍ର କୁମାର ମହାନ୍ତି, ବାଲୁଗାଁ, ପୁରୀ ଓ ବ୍ରହ୍ମଗିରି ଅଞ୍ଚଳର ସମସ୍ତ ମତ୍ସ୍ୟ ସମବାୟ ସମିତିର କର୍ମକର୍ତ୍ତା ଏବଂ ବରିଷ୍ଠ ରାଜନେତା ତଥା ସମାଜସେବୀ କେଦାରନାଥ ଜେନା ଉପସ୍ଥିତ ଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ସାମୁଦ୍ରିକ ଜୁଆରଠାରୁ ଚିଲିକାବାସୀଙ୍କ ସୁରକ୍ଷା ପାଇଁ ନିର୍ମାଣ ହେବ ବନ୍ଧ

ଭୁବନେଶ୍ୱର: ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ସଂଜୟ କୁମାର ଦାସବର୍ମାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ପୁରୀ ଜିଲ୍ଲା ସଦର ବ୍ଲକ୍‌ ଅନ୍ତର୍ଗତ ମାଳିସାହି ନିକଟରେ ଭାର୍ଗବୀ ନଦୀ ଉପରେ ନିର୍ମାଣାଧୀନ ସେତୁ କାର୍ଯ୍ୟ ପୂର୍ଣ୍ଣାଙ୍ଗ କରିବା ଉପରେ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ଦାସବର୍ମା ଗୁରୁତ୍ୱ ଦେଇଥିଲେ ।

ନିର୍ମାଣ କାର୍ଯ୍ୟକୁ ସମୟାନୁବନ୍ଧିତ ଭାବେ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଓଡ଼ିଶା କନ୍‌ଷ୍ଟ୍ରକସନ୍‌ କର୍ପୋରେସନ୍‌ (ଓସିସି)ର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବ୍ରହ୍ମଗିରି ବ୍ଲକ୍‌ର ଆବଶ୍ୟକତାକୁ ଲକ୍ଷ୍ୟ କରି ସୁନାମୁଖୀ ନଦୀ ଉପରେ କଣ୍ଟ୍ରୋଲ ଷ୍ଟ୍ରକଚର ଏବଂ ବି୍ରଜ ନିର୍ମାଣ ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା । ଏଥିପାଇଁ ୭ କୋଟି ଟଙ୍କାର ଖର୍ଚ୍ଚ ଆକଳନ କରାଯାଇଛି ।

ଚିଲିକା ଓ ସମୁଦ୍ରର ଝଡ଼ ଓ ଜୁଆର ପାଣିରେ କ୍ଷତିଗ୍ରସ୍ତ ହେଉଥିବା ଆଳୁପାଟଣା, ବାଘମୁଣ୍ଡା, ନୂଆଗାଁ, ସିପକୁଦା, ଅରକୁଦା, ସାନପାଟଣା, ମିର୍ଜାପୁର, ଗବଗୁଣ୍ଡୁ, ସିପବନ୍ଧ ଓ ମୋଟ ପର୍ଯ୍ୟନ୍ତ ଅଞ୍ଚଳର ସୁରକ୍ଷା ପାଇଁ ସ୍ଥାୟୀ ବ୍ୟବସ୍ଥା ଉପରେ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ଦାସବର୍ମା ଗୁରୁତ୍ୱ ଦେଇଥିଲେ । ଏଥି ନିମନ୍ତେ ନାବାର୍ଡ ସହାୟତାରେ ଲୁଣା ଜୁଆର ବନ୍ଧ ନିର୍ମାଣ ନିମନ୍ତେ ତ୍ୱରିତ ପଦକ୍ଷେପ ନେବାକୁ ମୁଖ୍ୟ ଶାସନ ସଚିବ ଜଳସଂପଦ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ତିନୋଟି ପ୍ରକଳ୍ପ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଆରମ୍ଭ ଓ ଶେଷ କରିବା ଉପରେ ଏହି ବୈଠକରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ପ୍ରଦାନ କରିଛନ୍ତି । ଚିଲିକା ଓ ସମୁଦ୍ର ଦ୍ୱାରା କ୍ରମାଗତ ଜୁଆର ଓ ସାମୁଦି୍ରକ ଝଡ଼ ଦ୍ୱାରା ଆଳୁପାଟଣାଠାରୁ ମୋଟ ପର୍ଯ୍ୟନ୍ତ ତଟବର୍ତ୍ତୀ ଅଞ୍ଚଳ ବାରମ୍ବାର ପ୍ରଭାବିତ ହେଉଥିବାବେଳେ ଏକ ଦୀର୍ଘକାଳୀନ ଓ ସ୍ଥାୟୀ ଯୋଜନା ପ୍ରସ୍ତୁତ କରି ତୁରନ୍ତ କାର୍ଯ୍ୟାନ୍ୱୟନ ଉପରେ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ଦାସବର୍ମା ଗୁରୁତ୍ୱାରୋପ କରିଛନ୍ତି ।

ଏହି ବୈଠକରେ ଜଳସଂପଦ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ମୁଖ୍ୟ ବନ ସଂରକ୍ଷକ(ପିସିସିଏଫ୍‌), ମୁଖ୍ୟ କାର୍ଯ୍ୟନିର୍ବାହୀ (ସିଡିଏ), ଜଳସଂପଦ ବିଭାଗର ପ୍ରମୁଖ ଯନ୍ତ୍ରୀ, ଡ୍ରେନେଜ୍‌ ଡିଭିଜନ୍‌ର ମୁଖ୍ୟ ଯନ୍ତ୍ରୀ, ବନ୍ୟା ନିୟନ୍ତ୍ରଣ ଓ ମହାନଦୀ ଅବବାହିକାର ମୁଖ୍ୟଯନ୍ତ୍ରୀ, ଜଳସଂପଦ ବିଭାଗର ମୁଖ୍ୟଯନ୍ତ୍ରୀ(ଡିଜାଇନ୍‌) ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଡଙ୍ଗରିଆ କନ୍ଧ ଯୁବକଯୁବତୀଙ୍କୁ କୋଭିଡ ଟିକା ନେବା ପାଇଁ ମନାଇଲା ଯୋଜନା ବୋର୍ଡ ଉପାଧ୍ୟକ୍ଷ

ଭୁବନେଶ୍ୱର, ଆଜି ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ସଂଜୟ କୁମାର ଦାସବର୍ମା ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ୍‌ ନିୟମଗିରି ପାହାଡ଼ରେ ରହୁଥିବା ଆଦିମ ଜନଜାତି ଡଙ୍ଗରିଆ କନ୍ଧ ସଂପ୍ରଦାୟଙ୍କୁ ଭେଟିଥିଲେ। ସେଠାରେ ଟିକାକରଣ ଶିବିରର ଉଦ୍‌ଘାଟନ କରିଥିଲେ ଏବଂ ଟିକାକରଣ ନେଇ ଆଦିମ ଜନଜାତି ଡଙ୍ଗରିଆ କନ୍ଧ ଓ ଲାଂଜିଆ ସଉରାଙ୍କ ମନରେ ଥିବା ଭୟ ଓ ଅନ୍ଧବିଶ୍ୱାସ ଦୂର କରିବା ସହିତ କରୋନା ମହାମାରୀର ମୁକାବିଲା କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଟିକାକରଣ କାର୍ଯ୍ୟକ୍ରମରେ ବହୁସଂଖ୍ୟାରେ ସାମିଲ ହେବାକୁ ଜନସାଧାରଣଙ୍କୁ ନିବେଦନ କରିଥିଲେ।

ରାୟଗଡ଼ା ଜିଲ୍ଲାର ଚାଟିକଣାସ୍ଥିତ ଜନଜାତି ବ୍ୟାଖ୍ୟାନ କେନ୍ଦ୍ରଠାରେ ଏକ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକରେ ଯୋଗଦେଇ ଦାସବର୍ମା ଜିଲ୍ଲାର ପାର୍ଶାଲି, ଚାଟିକଣାରେ ବସବାସ କରୁଥିବା ୧୦,୧୮୫ ଆଦିମ ଜନଜାତି ଓ କନ୍ଧ ଗୁଣୁପୁର ବ୍ଲକ୍‌ର ପୁଟାସିଂ ଅଞ୍ଚଳରେ ବାସ କରୁଥିବା ୬,୮୭୪ ଲାଂଜିଆ ସଉରା ଆଦିମ ଜନଜାତି ବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିବା ସ୍ୱତନ୍ତ୍ର ପ୍ୟାକେଜ୍‌ ବଣ୍ଟନ ପାଇଁ ଡାଟାବେସ୍‌ ପ୍ରସ୍ତୁତ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ।

ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟ ଆଦିମ ଜନଜାତିଙ୍କୁ ଟିକାକରଣ କାର୍ଯ୍ୟକୁ ସଫଳ କରିବା ପାଇଁ ଲୋକ ପ୍ରତିନିଧି, ଜିଲ୍ଲା ପ୍ରଶାସନ, ଗଣମାଧ୍ୟମ ଏବଂ ସ୍ୱାସ୍ଥ୍ୟକର୍ମୀମାନଙ୍କ ସମ୍ମିଳିତ ଉଦ୍ୟମ ହେଲେ ଏଭଳି ଆହ୍ୱାନମୂଳକ ଅଞ୍ଚଳରେ ଟିକାକରଣ କାର୍ଯ୍ୟ ସଫଳ ହୋଇପାରିବା । ଯେଉଁମାନେ ଏହି ଦୁଇବର୍ଗର ଆଦିମ ଜନଜାତିଙ୍କ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ସଂକ୍ରମିତ ସଙ୍ଗରୋଧ କେନ୍ଦ୍ରରେ ଯିଏ ରହିବ ତାଙ୍କ ପାଇଁ ସ୍ୱତନ୍ତ୍ର ଅନୁଦାନ ବଣ୍ଟନ ସହ କାର୍ଯ୍ୟରତ ଥିବା ଅଙ୍ଗନବାଡ଼ି କର୍ମୀ ଓ ଆଶାକର୍ମୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ବର୍ତ୍ତମାନ ଜିଲ୍ଲାରେ ହାରାହାରି ୧୬୦୦ ହେଉଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ସର୍ବନିମ୍ନ ସ୍ତରରେ ପହଞ୍ଚିଛି । କୋଭିଡ୍‌ ସଂକ୍ରମିତ ପରିବାରଙ୍କୁ ଶୁଖିଲା ରାସନ୍‌, ପରିବାର ପିଛା ୨୫୦୦ ଟଙ୍କା ଏବଂ ସଂକ୍ରମିତ ବ୍ୟକ୍ତିମାନଙ୍କୁ ୧୪ ଦିନ ପାଇଁ ଦୈନିକ ୧୦୦ ଟଙ୍କା ଜିଲ୍ଲା ତରଫରୁ ଶତପ୍ରତିଶତ ପ୍ରଦାନ କରାଯାଇଛି । ଯୋଜନା ବୋର୍ଡ ଉପାଧ୍ୟକ୍ଷ ଅପରାହ୍ନରେ ଗୁଣୁପୁର ବ୍ଲକ୍‌ର ପୁଟାସିଂଠାରେ କାର୍ଯ୍ୟରତ ଲାଂଜିଆ ସଉରା ଉନ୍ନୟନ ସଂସ୍ଥା ପରିଦର୍ଶନ କରିଛନ୍ତି ।

ସେଠାରେ ଆଦିମ ଜନଜାତି ଲାଂଜିଆ ସଉରାଙ୍କ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଗ୍ରହଣ କରାଯାଇଥିବା ବିଭିନ୍ନ ଲୋକାଭିମୁଖି ଯୋଜନାର ସମୀକ୍ଷା କରିବା ସହିତ ନିକଟସ୍ଥ ଗ୍ରାମପଞ୍ଚାୟତ ତାରକେଲ ଗ୍ରାମକୁ ଯାଇ ଆଦିମ ଜନଜାତି ବାସ କରୁଥିବା ଲାଂଜିଆ ସଉରା ବର୍ଗର ଜନସାଧାରଣଙ୍କୁ ଭେଟିଥିଲେ । ଟିକାକରଣ ପାଇଁ ଲାଂଜିଆ ସଉରା ଜନଜାତିଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଅନ୍ଧବିଶ୍ୱାସ ଓ ଭୟ ଦୂର କରି ଟିକାକରଣକୁ ଏକ ଜନଆନ୍ଦୋଳନ ଭାବରେ ଗଢ଼ି ତୋଳିବାକୁ ଦାସବର୍ମା ପରାମର୍ଶ ଦେଇଛନ୍ତି ।

କୋଭିଡ୍‌ ମହାମାରୀର ମୁକାବିଲା କରିବା ପାଇଁ ରାୟଗଡ଼ା ଜିଲ୍ଲାର ଉଭୟ ଆଦିମ ଜନଜାତିଙ୍କ ମଧ୍ୟରେ ପରୀକ୍ଷଣ, ଚିକିତ୍ସା ଓ ଟିକାକରଣ କାର୍ଯ୍ୟ ଠିକ୍‌ ଭାବରେ ଚାଲିଥିବାରୁ ଜିଲ୍ଲା ପ୍ରଶାସନ, ମେଡିକାଲ ଟିମ୍‌ ଏବଂ ସହଯୋଗ କରୁଥିବା ବିଭାଗଙ୍କୁ ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା ଓ ଲାଂଜିଆ ସଉରା ଉନ୍ନୟନ ସଂସ୍ଥାର ଅଧିକାରୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଜିଲ୍ଲାରେ ଲାଂଜିଆ ସଉରା ଓ ଡଙ୍ଗରିଆ କନ୍ଧ ଆଦିମ ଜନଜାତିଙ୍କ ପାଇଁ ୧୬ ଲକ୍ଷ ୪୨ ହଜାର କାର୍ଯ୍ୟଦିବସ ସୃଷ୍ଟି କରାଯାଇଥିବାବେଳେ ବର୍ତ୍ତମାନ ସୁଦ୍ଧା ୮୨ ହଜାର ୧୦୦ ଶ୍ରମ ଦିବସ ଲକ୍ଷ୍ୟ ହାସଲ ହୋଇପାରିଛି ଏବଂ ଜିଲ୍ଲାରେ ବର୍ତ୍ତମାନ ପର୍ଯ୍ୟନ୍ତ ୨୧ ଲକ୍ଷ ୬୭ ହଜାର ୮୬୫ ଶ୍ରମଦିବସ ଜିଲ୍ଲାର ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ପ୍ରଶାସନ ସମର୍ଥ ହୋଇଛି । ଜିଲ୍ଲା ୮୨% ଶ୍ରମଦିବସ ସୃଷ୍ଟି କରି ରାଜ୍ୟରେ ୧୦ମ ସ୍ଥାନରେ ରହିଛି ।

କରୋନା ଭଳି ମହାମାରୀର ମୁକବିଲା କରୁଥିବାବେଳେ ଆଦିବାସୀ ଓ ଆଦିମ ଜନଜାତି ଅଧ୍ୟୁଷିତ ଉପଯୋଜନା ଜିଲ୍ଲାର ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ସହିତ କର୍ମନିଯୁକ୍ତି ସୃଷ୍ଟି କରି ସଫଳତାର ସହତ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ସମର୍ଥ ହୋଇଛି । ନିକଟରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଆକାଂକ୍ଷୀ ଜିଲ୍ଲା ମଧ୍ୟରେ ରାୟଗଡ଼ା ତାି୩୯;ର ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ଏହି ଧାରାକୁ ଗତିଶୀଳ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ଶ୍ରୀ ଦାସବର୍ମା ପରାମର୍ଶ ଦେବା ସହିତ କୋଭିଡ୍‌ ମହାମାରୀ ସମୟରେ ନିଷ୍ଠାର ସହିତ କର୍ତ୍ତବ୍ୟ କରିଥିବା ସମସ୍ତ କ୍ଷେତ୍ର ଅଧିକାରୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା କ୍ଷେତ୍ର ପରିଦର୍ଶନ ସମୟରେ ଡଙ୍ଗରିଆ କନ୍ଧ ଓ ଲାଂଜିଆ ସଉରା ବର୍ଗର ଉଚ୍ଚଶିକ୍ଷିତ ଛାତ୍ରଛାତ୍ରୀଙ୍କ ଦକ୍ଷତା ମୂଲ୍ୟାୟନ କରିବା ସହିତ ତାଙ୍କୁ ଜିଲ୍ଲା ମଧ୍ୟରେ ଓ ଜିଲ୍ଲା ବାହାରେ ନିଯୁକ୍ତି ଓ କର୍ମସଂସ୍ଥାନ ଉପରେ ଗୁରୁତ୍ୱ ଦେଇଛନ୍ତି ।

ଗସ୍ତ ସମୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଉପଦେଷ୍ଟା ସୁଧୀର ଦାସ ରାୟଗଡ଼ାର ମାନ୍ୟବର ବିଧାୟକ ଶ୍ରୀ ମକରନ୍ଦ ମୁଦୁଲି, ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ, ଜିଲ୍ଲାପାଳ ସରୋଜ କୁମାର ମିଶ୍ର, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମା, ଗୁଣୁପୁର ଉପଜିଲ୍ଲାପାଳ ଜେ. ସାମଲ, ପିଡ଼ିଡ଼ିଆର୍‌ଡିଏ, ମହେଶ୍ୱର ନାୟକ, ପିଏଆଇଟିଡିଏ ଗୋରାଚାନ୍ଦ ଗମାଙ୍ଗ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଆର୍ତ୍ତବନ୍ଧୁ ନାୟକ, ଡଙ୍ଗରିଆ କନ୍ଧ ଉନ୍ନୟନ ପରିଷଦର କାର୍ଯ୍ୟନିର୍ବାହୀ ଏମ୍‌. ଏନ୍‌. ଦଳବେହେରା, ଲାଂଜିଆ ସଉରା ଉନ୍ନୟନ ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ କୃପାସିନ୍ଧୁ ବେହେରା ଓ ଜିଲ୍ଲାର ସମସ୍ତ ଅଧିକାରୀମାନେ ଉପସ୍ଥିତ ଥିଲେ ।