ସାମୁଦ୍ରିକ ଜୁଆରଠାରୁ ଚିଲିକାବାସୀଙ୍କ ସୁରକ୍ଷା ପାଇଁ ନିର୍ମାଣ ହେବ ବନ୍ଧ

Published: Oct 5, 2021, 10:13 am IST

ଭୁବନେଶ୍ୱର: ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ସଂଜୟ କୁମାର ଦାସବର୍ମାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ପୁରୀ ଜିଲ୍ଲା ସଦର ବ୍ଲକ୍‌ ଅନ୍ତର୍ଗତ ମାଳିସାହି ନିକଟରେ ଭାର୍ଗବୀ ନଦୀ ଉପରେ ନିର୍ମାଣାଧୀନ ସେତୁ କାର୍ଯ୍ୟ ପୂର୍ଣ୍ଣାଙ୍ଗ କରିବା ଉପରେ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ଦାସବର୍ମା ଗୁରୁତ୍ୱ ଦେଇଥିଲେ ।

ନିର୍ମାଣ କାର୍ଯ୍ୟକୁ ସମୟାନୁବନ୍ଧିତ ଭାବେ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଓଡ଼ିଶା କନ୍‌ଷ୍ଟ୍ରକସନ୍‌ କର୍ପୋରେସନ୍‌ (ଓସିସି)ର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବ୍ରହ୍ମଗିରି ବ୍ଲକ୍‌ର ଆବଶ୍ୟକତାକୁ ଲକ୍ଷ୍ୟ କରି ସୁନାମୁଖୀ ନଦୀ ଉପରେ କଣ୍ଟ୍ରୋଲ ଷ୍ଟ୍ରକଚର ଏବଂ ବି୍ରଜ ନିର୍ମାଣ ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା । ଏଥିପାଇଁ ୭ କୋଟି ଟଙ୍କାର ଖର୍ଚ୍ଚ ଆକଳନ କରାଯାଇଛି ।

ଚିଲିକା ଓ ସମୁଦ୍ରର ଝଡ଼ ଓ ଜୁଆର ପାଣିରେ କ୍ଷତିଗ୍ରସ୍ତ ହେଉଥିବା ଆଳୁପାଟଣା, ବାଘମୁଣ୍ଡା, ନୂଆଗାଁ, ସିପକୁଦା, ଅରକୁଦା, ସାନପାଟଣା, ମିର୍ଜାପୁର, ଗବଗୁଣ୍ଡୁ, ସିପବନ୍ଧ ଓ ମୋଟ ପର୍ଯ୍ୟନ୍ତ ଅଞ୍ଚଳର ସୁରକ୍ଷା ପାଇଁ ସ୍ଥାୟୀ ବ୍ୟବସ୍ଥା ଉପରେ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ଦାସବର୍ମା ଗୁରୁତ୍ୱ ଦେଇଥିଲେ । ଏଥି ନିମନ୍ତେ ନାବାର୍ଡ ସହାୟତାରେ ଲୁଣା ଜୁଆର ବନ୍ଧ ନିର୍ମାଣ ନିମନ୍ତେ ତ୍ୱରିତ ପଦକ୍ଷେପ ନେବାକୁ ମୁଖ୍ୟ ଶାସନ ସଚିବ ଜଳସଂପଦ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ତିନୋଟି ପ୍ରକଳ୍ପ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଆରମ୍ଭ ଓ ଶେଷ କରିବା ଉପରେ ଏହି ବୈଠକରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ପ୍ରଦାନ କରିଛନ୍ତି । ଚିଲିକା ଓ ସମୁଦ୍ର ଦ୍ୱାରା କ୍ରମାଗତ ଜୁଆର ଓ ସାମୁଦି୍ରକ ଝଡ଼ ଦ୍ୱାରା ଆଳୁପାଟଣାଠାରୁ ମୋଟ ପର୍ଯ୍ୟନ୍ତ ତଟବର୍ତ୍ତୀ ଅଞ୍ଚଳ ବାରମ୍ବାର ପ୍ରଭାବିତ ହେଉଥିବାବେଳେ ଏକ ଦୀର୍ଘକାଳୀନ ଓ ସ୍ଥାୟୀ ଯୋଜନା ପ୍ରସ୍ତୁତ କରି ତୁରନ୍ତ କାର୍ଯ୍ୟାନ୍ୱୟନ ଉପରେ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ଦାସବର୍ମା ଗୁରୁତ୍ୱାରୋପ କରିଛନ୍ତି ।

ଏହି ବୈଠକରେ ଜଳସଂପଦ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ମୁଖ୍ୟ ବନ ସଂରକ୍ଷକ(ପିସିସିଏଫ୍‌), ମୁଖ୍ୟ କାର୍ଯ୍ୟନିର୍ବାହୀ (ସିଡିଏ), ଜଳସଂପଦ ବିଭାଗର ପ୍ରମୁଖ ଯନ୍ତ୍ରୀ, ଡ୍ରେନେଜ୍‌ ଡିଭିଜନ୍‌ର ମୁଖ୍ୟ ଯନ୍ତ୍ରୀ, ବନ୍ୟା ନିୟନ୍ତ୍ରଣ ଓ ମହାନଦୀ ଅବବାହିକାର ମୁଖ୍ୟଯନ୍ତ୍ରୀ, ଜଳସଂପଦ ବିଭାଗର ମୁଖ୍ୟଯନ୍ତ୍ରୀ(ଡିଜାଇନ୍‌) ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ ।

Related posts