Categories
ଆଜିର ଖବର

ସାହିତ୍ୟ ପତ୍ରିକା “ଅପୂର୍ବା’ର ରଜତ ଜୟନ୍ତୀ ଉତ୍ସବ, କବି ରକ୍ଷକ ନାୟକ ପୁରସ୍କୃତ

ଭୁବନେଶ୍ୱର: ଭାଷା ଯେତେ ବ୍ୟବହୃତ ହେବ, ଭାଷା ସେତେ ସମୃଦ୍ଧ ହେବ। ଓଡ଼ିଆ ଭାଷାକୁ ଜ୍ଞାନବିଜ୍ଞାନ ଓ ଜୀବନଜୀବିକାର ଭାଷା ଭାବରେ ବିକଶିତ କରିବାକୁ ହେବ। ଓଡ଼ିଆ ଭାଷାର ଇତିହାସ ଓ ଐତିହ୍ୟ ଅତ୍ୟନ୍ତ ସମୃଦ୍ଧ। ଏହି ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିବା ଆମ ପାଇଁ ଗର୍ବ ଓ ଗୌରବର କଥା। ଭାଷାର ସେବା ହିଁ ଯଥାର୍ଥରେ ଜାତି ସେବା। ଏହି ସେବାରେ ନିଜକୁ ସମର୍ପିତ କରିବା ପାଇଁ ରାଜ୍ୟପାଳ ରଘୁବର ଦାସ ଆହ୍ୱାନ ଦେଇଛନ୍ତି।

ଭୁବନେଶ୍ୱରରେ ସାହିତ୍ୟ ପତ୍ରିକା “ଅପୂର୍ବା ‘ର ରଜତ ଜୟନ୍ତୀ ସମାରୋହରେ ଯୋଗଦେଇ ରାଜ୍ୟପାଳ କହିଛନ୍ତି ଯେ, ଭାରତରେ ଅନେକ ଭାଷା ଅଛି। ସେସବୁ ଆମର ସମ୍ପଦ। ଭାଷା ଅନେକ ହେଲେ ମଧ୍ୟ, ଭାବ ଏକ। ଏହା ହେଉଛି ଭାରତୀୟତା।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଓଡ଼ିଆ ଭାଷାରେ ଅନେକ କାଳଜୟୀ ସୃଷ୍ଟି ଅଛି। ଏହାର ବ୍ୟାପକ ଅନୁବାଦ ହେବା ଦରକାର। ଫଳରେ ଓଡ଼ିଶାର ସୃଜନ ସମ୍ପଦର ବିଶେଷ ପ୍ରସାର ହୋଇପାରିବ। ଏ ସମ୍ପର୍କରେ ଗୁରୁତ୍ୱ ଦେବାକୁ ରାଜ୍ୟପାଳ ଶ୍ରୀ ଦାସ ପରାମର୍ଶ ଦେଇଛନ୍ତି।

ସାହିତ୍ୟର ବିକାଶରେ ପତ୍ରପତ୍ରିକାର ବିଶେଷ ଭୂମିକା ରହିଛି। ଅନେକ ସଫଳ ସୃଜନ ଯାତ୍ରା ପତ୍ରିକା ପୃଷ୍ଠାରୁ ଆରମ୍ଭ ହୁଏ। ପ୍ରତିଭାର ପ୍ରକାଶ ଓ ବିକାଶ ନିମନ୍ତେ ଲୋଡ଼ା ଅନୁକୂଳ ପରିବେଶ ଏବଂ ପତ୍ରପତ୍ରିକା ଏ କ୍ଷେତ୍ରରେ ପ୍ରଭାବଶାଳୀ ଭୂମିକା ନିର୍ବାହ କରେ ବୋଲି ରାଜ୍ୟପାଳ ପ୍ରକାଶ କରିଛନ୍ତି।

ଏହି ଉତ୍ସବରେ ପ୍ରଖ୍ୟାତ ସାହିତ୍ୟିକ ଶାନ୍ତନୁ କୁମାର ଆଚାର୍ଯ୍ୟ, ସାଂସଦ ମାନସ ରଞ୍ଜନ ମଙ୍ଗରାଜ ପ୍ରମୁଖ ଓଡ଼ିଆ ଭାଷା ଓ ସାହିତ୍ୟର ସ୍ଥିତି ଓ ଭବିଷ୍ୟତ ସମ୍ପର୍କରେ ଆଲୋଚନା କରିଥିଲେ। ରାଜ୍ୟପାଳଙ୍କ ଦ୍ୱାରା “ଅପୂର୍ବା’ର ରଜତ ଜୟନ୍ତୀ ସଂଖ୍ୟା ସହିତ ଅନେକ ପୁସ୍ତକ ଉନ୍ମୋଚିତ ହୋଇଥିଲା।

ଏହି ଅବସରରେ କଥା ସାହିତ୍ୟରେ ବିଜୟ ନାୟକ, କବିତାରେ ରକ୍ଷକ ନାୟକ, ଉପନ୍ୟାସରେ ଶ୍ରୀକାନ୍ତ ମିଶ୍ର, ପ୍ରବନ୍ଧରେ ଚନ୍ଦ୍ରଶେଖର ହୋତା, ଶିକ୍ଷାରେ ପ୍ରଭାତ କୁମାର ରାଉଳ, ପତ୍ରିକା ସଂପାଦନାରେ ଇତିରାଣୀ ସାମନ୍ତ, ସ୍ୱାସ୍ଥ୍ୟ କ୍ଷେତ୍ରରେ ତିରୁପତି ପାଣିଗ୍ରାହୀ, ଶିଳ୍ପରେ ପ୍ରଦୀପ ମହାନ୍ତି ପ୍ରମୁଖଙ୍କୁ ଅପୂର୍ବା ଗୌରବ ସମ୍ମାନ ପ୍ରଦାନ କରାଯାଇଥିଲା।

“ଅପୂର୍ବା’ର ସଂପାଦକ କ୍ଷୀରୋଦ ଚନ୍ଦ୍ର ପତି ଓ ଉପଦେଷ୍ଟା ବ୍ରହ୍ମା ମିଶ୍ର “ଅପୂର୍ବା’ର ସୃଜନ ଯାତ୍ରାର ଉପଲବ୍ଧି ସଂପର୍କରେ ବକ୍ତବ୍ୟ ରଖିଥିଲେ। ଉତ୍ସବରେ ବହୁ ବିଶିଷ୍ଟ ଲେଖକ, କବି ଓ ଚିନ୍ତକ ଯୋଗଦେଇଥିଲେ। କବି ଗୀତାଶ୍ରୀ ପ୍ରିୟମ୍ବଦା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟପାଳଙ୍କ ଦ୍ବାରା ‘ତମିସ୍ରାର ନୀଳଜହ୍ନ’ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର: ଆଜି ଭୁବନେଶ୍ୱର ରାଜଭବନରେ କବି ଅଶୋକ କୁମାର ପଟ୍ଟନାୟକଙ୍କ ପ୍ରଥମ କବିତା ସଂକଳନ “ତମିସ୍ରାର ନୀଳଜହ୍ନ  ମହାମହିମ ରାଜ୍ୟପାଳ ଗଣେଶୀ ଲାଲଙ୍କ କରକମଳରେ ଉନ୍ମୋଚିତ ହୋଇଯାଇଛି।

ଏହି ଅବସରରେ କବି ଅଶୋକ ପଟ୍ଟନାୟକ, ବରିଷ୍ଠ କବି ରକ୍ଷକ ନାୟକ,  ମହେନ୍ଦ୍ର ନାୟକ ଏବଂ ପ୍ରକାଶକ ମାନମୟୀ ରଥ ଉପସ୍ଥିତ ଥିଲେ। ଏକ ନିରାଡ଼ମ୍ବର ପରିବେଶରେ ଏଭଳି ଏକ ଅଭିନଵ ଉନ୍ମୋଚନରେ ନିଜ ବହିଟିକୁ ଉନ୍ମୋଚିତ ହେବାର ଦେଖି କବି ଅଶୋକ ପଟ୍ଟନାୟକ ନିଜ ଆନନ୍ଦ ଓ କୃତଜ୍ଞତା ଜ୍ଞାପନ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଡ. ପୁରୁଷୋତ୍ତମ ମିଶ୍ରଙ୍କୁ ପ୍ରଦାନ କରାଗଲା ‘ସୁରେଶ ସୃଜନ ସମ୍ମାନ’

ଭୁବନେଶ୍ୱର: ଉପଭୋକ୍ତାବାଦ ଓ ବଜାରୀକରଣ ଲୋକସଂସ୍କୃତି ସୁରକ୍ଷା କ୍ଷେତ୍ରରେ ବିରାଟ ଆହ୍ୱାନ ସୃଷ୍ଟି କରିଛି । ଲୋକସଂସ୍କୃତିରେ ଆମର ଐତିହ୍ୟ, କଳାତ୍ମକ ଗୁଣ, ତୃଣମୂଳ ବୈଚିତ୍ର୍ୟ ରହିଥିବାବେଳେ ଆମେ ଆଧୁନିକତା ଓ ବିକାଶ ଆଳରେ ଲୋକସଂସ୍କୃତିକୁ ଅଣଦେଖା କରିଚାଲିଛୁ ବୋଲି ବିଶିଷ୍ଟ ସଂସ୍କୃତି ବିଶାରଦ ତଥା ନୂଆଦିଲ୍ଲୀସ୍ଥିତ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ପ୍ରଫେସର ଡ. ବ୍ରହ୍ମ ପ୍ରକାଶ ମତ ପ୍ରଦାନ କରିଛନ୍ତି ।

ବିଶିଷ୍ଟ ଲେଖକ, ସଂଗ୍ରାହକ, ନାଟ୍ୟକର୍ମୀ ତଥା ଲୋକସଂସ୍କୃତି ଗବେଷକ ସ୍ୱର୍ଗତ ସୁରେଶ ବଳବନ୍ତରାୟଙ୍କ ୬୮ତମ ଜନ୍ମତିଥି ଅବସରରେ ଆୟୋଜିତ ‘ସୁରେଶ ସମାବେଶ’ରେ ସ୍ମାରକ ବକ୍ତୃତା ପ୍ରଦାନ କରି ଡ. ବ୍ରହ୍ମ ପ୍ରକାଶ ଏହି ମର୍ମରେ ଲୋକସଂସ୍କୃତିର ସଂରକ୍ଷଣ ଦିଗରେ ନବଚେତନାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଛନ୍ତି ।

ସୁରେଶ ବଳବନ୍ତରାୟ ଫାଉଣ୍ଡେସନ୍‌ ଆନୁକୂଲ୍ୟରେ ଆଜି ସନ୍ଧ୍ୟାରେ ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଖ୍ୟାତିସଂପନ୍ନ ଚିତ୍ର ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ଓ ସମ୍ମାନିତ ଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ସଂଜୟ କୁମାର ଦାସବର୍ମା ଯୋଗଦେଇ ସ୍ୱର୍ଗତ ବଳବନ୍ତରାୟଙ୍କ ଜୀବନୀ ଓ କୃତିତ୍ୱ ଉପରେ ବକ୍ତବ୍ୟ ରଖିଥିଲେ । ଫାଉଣ୍ଡେସନ୍‌ର ସଭାପତି ଡ. ହରେକୃଷ୍ଣ ପାତ୍ରଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ବିଶିଷ୍ଟ ନାଟ୍ୟକାର, ଅଭିନେତା ଓ ସଂସ୍କୃତି-ଗବେଷକ ଅଧ୍ୟାପକ ଡ. ପୁରୁଷୋତ୍ତମ ମିଶ୍ରଙ୍କୁ ‘ସୁରେଶ ସୃଜନ ସମ୍ମାନ’ ପ୍ରଦାନ କରାଯାଇଥିଲା । ଡ. ମିଶ୍ର ସମ୍ମାନପ୍ରାପ୍ତିରେ ଆପଣାର କୃତଜ୍ଞତା ପ୍ରକାଶ କରିଥିଲେ । ସ୍ୱର୍ଗତ ବଳବନ୍ତରାୟଙ୍କ ଦ୍ୱାରା ଅନୂଦିତ ନାଟକ ‘ଆଷାଢ଼ର ଦିନେ’ ଅତିଥିମାନଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା ।

ଦୃଶ୍ୟଶ୍ରାବ୍ୟ ଉପସ୍ଥାପନ କ୍ରମେ ମୁଖ୍ୟବକ୍ତା ଡ. ବ୍ରହ୍ମ ପ୍ରକାଶ ଆମର ଐତିହ୍ୟ, ସ୍ମୃତି, ଦେବଦେବୀ, ପର୍ବପର୍ବାଣି, ସ୍ଥାନୀୟତାକୁ ନିର୍ଭର କରି ବିଭିନ୍ନ ସମୟରେ ପ୍ରଚଳିତ ଲୋକସଂସ୍କୃତି ଉପାଦାନଗୁଡ଼ିକ ଉପରେ ପ୍ରାଞ୍ଜଳ ଭାବରେ ଆଲୋକପାତ କରିଥିଲେ । କଳା ଓ ସଂସ୍କୃତି ନେଇ ଆମର ଅବବୋଧ ଓ ଆଗ୍ରହ କ୍ରମେ କ୍ରମେ କମିଯିବା ବାବଦରେ ସେ କ୍ଷୋଭ ପ୍ରକାଶ କରିଥିଲେ ।

କାର୍ଯ୍ୟକ୍ରମ ଆରମ୍ଭରେ ଫାଉଣ୍ଡେସନ୍‌ ପକ୍ଷରୁ କବି ରକ୍ଷକ ନାୟକ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସଂପାଦିକା ଡ. ଅନ୍ୟା ଅନୁରୂପା ବିବରଣୀ ଉପସ୍ଥାପନ କରିଥିଲେ । ଡ. ଶାଶ୍ୱତୀ ଜେନା ମାନପତ୍ର ପାଠ କରିଥିଲେ ଓ ଶେଷରେ ଭାଷା ବିଜ୍ଞାନୀ ଡ. ଦେବାଶିଷ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

‘ୱାର୍କ, ୱାର୍କମାନସିପ୍‌ ଆଣ୍ଡ ଉଇନିଙ୍ଗ୍‌’ ପୁସ୍ତକ ରାଜ୍ୟପାଳଙ୍କ ଦ୍ୱାରା ଉନ୍ମୋଚିତ

ଭୁବନେଶ୍ୱର: ସତ୍ୟଜିତ ସେନାପତିଙ୍କ ଦ୍ୱାରା ଲିଖିତ ‘ୱାର୍କ, ୱାର୍କମାନସିପ୍‌ ଆଣ୍ଡ ଉଇନିଙ୍ଗ୍‌’ ପୁସ୍ତକକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ରାଜଭବନରେ ଉନ୍ମୋଚନ କରିଛନ୍ତି । ଏହି ଉନ୍ମୋଚନ ଉତ୍ସବରେ ଲେଖକଙ୍କ ସହ ବିଶିଷ୍ଟ ଲେଖକ ତଥା ପୂର୍ବତନ ପ୍ରଶାସକ ରବି ନାରାୟଣ ସେନାପତି ଓ କବି ରକ୍ଷକ ନାୟକ ଉପସ୍ଥିତ ଥିଲେ ।

କର୍ପୋରେଟ୍‌ ଜଗତରେ ଉଚ୍ଚତର ସୋପାନରେ ପହଞ୍ଚିବା ପାଇଁ ଏହି ପୁସ୍ତକଟି ଏକ ମାର୍ଗଦର୍ଶିକା ଏବଂ ଏହା ବିପୁଳ ପାଠକୀୟତା ହାସଲ କରିବ ବୋଲି ପ୍ରକାଶ କରି ରାଜ୍ୟପାଳ ଲେଖକ ଶ୍ରୀ ସେନାପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।