Categories
ବିଶେଷ ଖବର

ସାଂସଦଙ୍କ ଯୁକ୍ତି: ପ୍ରେମ ବିବାହ, ଲିଭ୍‍ ଇନ୍‍ରୁ ନଷ୍ଟ ହେଉଛି ବଂଶ ଓ ସଂସ୍କୃତି

ନୂଆଦିଲ୍ଲୀ: ଦେଶରେ ଲିଭ୍ ଇନ୍ ରିଲେସନ୍ ସିପ୍‍କୁ ନିଷିଦ୍ଧ କରିବା ପାଇଁ ସରକାର ଆଇନ ପ୍ରଣୟନ କରନ୍ତୁ ଏବଂ ପ୍ରେମ ବିବାହରେ ପିତାମାତାଙ୍କ ସହମତି ବାଧ୍ୟତାମୂଳକ କରାଯାଉ ବୋଲି ଭାରତୀୟ ଜନତା ପାର୍ଟି (ବିଜେପି)ର ଜଣେ ସାଂସଦ ଲୋକସଭାରେ ଦାବି ଉଠାଇଛନ୍ତି। ଏହା ବେଆଇନ ବୋଲି ସାଂସଦ ଦାବି କରିଛନ୍ତି।

ହରିୟାଣାର ଭିଓ୍ଵାନି-ମହେନ୍ଦ୍ରଗଡ଼ରୁ ବିଜେପିର ଲୋକସଭା ସଦସ୍ୟ ଧର୍ମବୀର ସିଂହ ଲୋକସଭାରେ ଶୂନ୍ୟକାଳରେ କହିଛନ୍ତି ଯେ ଦେଶରେ ପ୍ରେମ ବିବାହ ବୃଦ୍ଧି ଯୋଗୁଁ ଛାଡ଼ପତ୍ର ମାମଲା ବୃଦ୍ଧି ପାଇଛି ଏବଂ ‘ଲିଭ୍ ଇନ୍’ ସମ୍ପର୍କ ଦେଶର ସଂସ୍କୃତିକୁ ନଷ୍ଟ କରୁଛି। ଆରେଞ୍ଜ ମ୍ୟାରେଜ୍ ସପକ୍ଷରେ ସେ ଯୁକ୍ତି ବାଢ଼ିଥିଲେ।

ସିଂହ କହିଛନ୍ତି ଯେ, ଭାରତୀୟ ସମାଜରେ ପାରମ୍ପରିକ ଭାବରେ ପୁଅ ଓ ଝିଅଙ୍କ ସହମତିରେ ପରିବାର ଦ୍ୱାରା ବିବାହ ଆୟୋଜନ କରାଯାଏ। ଏଭଳି ସମ୍ପର୍କରେ ପରିବାରର ପୃଷ୍ଠଭୂମିକୁ ମଧ୍ୟ ପ୍ରାଥମିକତା ଦିଆଯାଉଛି ବୋଲି ସେ କହିଛନ୍ତି। ସେ ଦାବି କରିଛନ୍ତି ଯେ ଗତ କିଛିବର୍ଷ ମଧ୍ୟରେ ଆମେରିକା ଏବଂ ପାଶ୍ଚାତ୍ୟ ଦେଶ ଭଳି ଆମ ଦେଶରେ ଛାଡ଼ପତ୍ର ମାମଲା ବୃଦ୍ଧି ପାଇଛି ଏବଂ ଏହାର ଏକମାତ୍ର କାରଣ ହେଉଛି ପ୍ରେମ ବିବାହ।

ବିଜେପି ସାଂସଦ କହିଛନ୍ତି ଯେ ଏଭଳି ସମ୍ପର୍କରେ ପରବର୍ତ୍ତୀ ସମୟରେ ଝଗଡ଼ା ବଢ଼ିଯାଏ ଏବଂ ଉଭୟ ପକ୍ଷର ବଂଶବାଦ ନଷ୍ଟ ହୋଇଯାଏ। ପ୍ରେମ ବିବାହ ମାମଲାରେ ପୁଅ ଓ ଝିଅର ପିତାମାତା ଏବଂ ଉଭୟ ପକ୍ଷର ସହମତି ବାଧ୍ୟତାମୂଳକ କରାଯାଉ ବୋଲି ସେ ସରକାରଙ୍କ ନିକଟରେ ଦାବି କରିଛନ୍ତି। ପାଶ୍ଚାତ୍ୟ ଦେଶ ଭଳି ଭାରତରେ ମଧ୍ୟ ଲିଭ୍ ଇନ୍ ରିଲେସନ୍ ସିପ୍ ଭଳି ସାମାଜିକ କୁସଂସ୍କାର ବୃଦ୍ଧି ପାଉଛି, ଯାହାର ପରିଣାମ ଭୟଙ୍କର ହୋଇଥାଏ। ଏହା ଆମ ସଂସ୍କୃତିକୁ ନଷ୍ଟ କରୁଛି।

ଏଭଳି ଚାଲିଲେ ଯେଉଁ ସଭ୍ୟତା ଓ ସଂସ୍କୃତି ପାଇଁ ଆମେ ପରିଚିତ, ତାହା ଦିନେ ଲୋପ ପାଇବ ବୋଲି ସେ କହିଛନ୍ତି। ସିଂ କହିଛନ୍ତି ଯେ ଲିଭ୍ ଇନ୍ ସମ୍ପର୍କକୁ ରୋକିବା ପାଇଁ ଦେଶରେ ଏକ ଆଇନ ପ୍ରଣୟନ କରାଯିବା ଉଚିତ।