ନୂଆଦିଲ୍ଲୀ: କେନ୍ଦ୍ର ବିଜ୍ଞାନ ଓ କାରିଗରୀ (ସ୍ୱାଧୀନ); ଭୂବିଜ୍ଞାନ (ସ୍ୱାଧୀନ); ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, କାର୍ମିକ, ସାଧାରଣ ଅଭିଯୋଗ, ପେନସନ ପ୍ରଶାସନ, ଆଣବିକ ଶକ୍ତି ଓ ମହାକାଶ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ‘ଟିବି ମୁକ୍ତ ଭାରତ’ ଲକ୍ଷ୍ୟ ହାସଲ ପାଇଁ ସମନ୍ୱିତ ରଣନୀତିର ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, କୋଭିଡ-୧୯ ପାଇଁ ବିଶ୍ୱର ସର୍ବପ୍ରଥମ ଡିଏନଏ ଟିକା ବିକଶିତ କରିଥିବା ବାୟୋଟେକ୍ନୋଲୋଜି ବିଭାଗ ୨୦୨୫ ସୁଦ୍ଧା ‘ଟିବି ମୁକ୍ତ ଭାରତ’ ଲକ୍ଷ୍ୟ ହାସଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂକଳ୍ପକୁ ଦୃଷ୍ଟିରେ ରଖି ଯକ୍ଷ୍ମା ଉନ୍ମୁଳନ ପାଇଁ ସମନ୍ୱିତ ସାମଗ୍ରିକ ସ୍ୱାସ୍ଥ୍ୟସେବା ଦୃଷ୍ଟିକୋଣ ଆପଣାଇବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ।
ବାରାଣାସୀ ଠାରେ ୨୪ ମାର୍ଚ୍ଚରେ ଅନୁଷ୍ଠିତ ଏକ ବିଶ୍ୱ ଯକ୍ଷ୍ମା ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନରେ ଅନୁପ୍ରାଣିତ ହୋଇ କେନ୍ଦ୍ର ମନ୍ତ୍ରୀ ଡକ୍ଟର ସିଂ ଇଣ୍ଡିଆନ୍ ଟ୍ୟୁବରୋକ୍ୟୁଲୋସିସ ଜିନୋମିକ ସର୍ଭିଲାନ୍ସ କସର୍ଟିଅମ (ଇନଟିଜିଏସ)ର ପାଇଲଟ୍ ପର୍ଯ୍ୟାୟ ଶୁଭାରମ୍ଭ ହେବା ବିଷୟରେ ଘୋଷଣା କରିଥିଲେ। ଏଥିସହିତ ଯକ୍ଷ୍ମା ରୋଗୀଙ୍କ ଠାରୁ ପୃଥକ ହୋଇଥିବା ଏମଟିବିର ୧୮୨ଟି ଷ୍ଟ୍ରେନର ଡବ୍ଲୁଜିଏସ ସଫଳତା ପୂର୍ବକ ଶେଷ ହେବା ଏବଂ ବେଙ୍ଗାଲୁରୁର ଡିବିଟି-ଇନଷ୍ଟେମ ଠାରେ ଏକ ନୂତନ ବ୍ଲଡ୍ ବ୍ୟାଗ ଟେକ୍ନୋଲୋଜି ବିକାଶ ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ ସୂଚନା ଦେଇଥିଲେ । ବାୟୋ ନେକ୍ସଟ୍ ଟେକ୍ ଇନୋଭେସନ୍ସ ଠାରେ ଗଣମାଧ୍ୟମକୁ ସମ୍ବୋଧିତ କରି ଡକ୍ଟର ଜିତେନ୍ଦ୍ର ସିଂ ଏହା କହିଛନ୍ତି ।
ଏହି ଅବସରରେ ଯକ୍ଷ୍ମା ଚିକିତ୍ସା ପରିଣାମରେ ସୁଧାର ଦିଗରେ ଆରମ୍ଭ ହୋଇଥିବା ନୂଆ ଯୋଜନାଗୁଡ଼ିକ ବିଷୟରେ ସୂଚନା ଦିଆଯାଇଥିଲା। ପ୍ରଥମତଃ ଯକ୍ଷ୍ମା ରୋଗୀଙ୍କ ଜୀବନ ଗୁଣବତ୍ତା ସୁଧାର ପାଇଁ ଆୟୁଷ ହସ୍ତକ୍ଷେପ କାର୍ଯ୍ୟକାରୀ କରାଯିବ। ଦ୍ୱିତୀୟତଃ ଜିନୋମିକ୍ସ ଓ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଜରିଆରେ ଔଷଧ ପ୍ରତିରୋଧକୁ ମାପିବା ଏବଂ ସଂରକ୍ଷିତ ରକ୍ତର ଗୁଣବତ୍ତା ଓ ସ୍ୱ ଜୀବନ ବଢ଼ାଇବା ଲାଗି ନୂଆ ବ୍ଲଡ୍ ବ୍ୟାଗ ପ୍ରଯୁକ୍ତି ସମ୍ପର୍କରେ ଏଥିରେ ସୂଚନା ଦିଆଯାଇଥିଲା।
ଡକ୍ଟର ଜିତେନ୍ଦ୍ର ସିଂ କହିଥିଲେ ଯେ ଯକ୍ଷ୍ମାର ଗଭୀର ସାମାଜିକ ଓ ଆର୍ଥିକ ପ୍ରଭାବକୁ ଦୃଷ୍ଟିରେ ରଖି ଭାରତ ସରକାର ୨୦୨୫ ସୁଦ୍ଧା ‘ଟିବି ମୁକ୍ତ ଭାରତ’ ଲକ୍ଷ୍ୟ ହାସଲକୁ ଭାରତ ସରକାର ପ୍ରାଥମିକତା ଦେଉଛନ୍ତି । ଏଥିପାଇଁ ବାୟୋଟେକ୍ନୋଲୋଜି ବିଭାଗ ପକ୍ଷରୁ ଗତ ବର୍ଷର ବିଶ୍ୱ ଯକ୍ଷ୍ମା ଦିବସ ଅବସରରେ ଯକ୍ଷ୍ମା ଉନ୍ମୁଳନ ପାଇଁ ତଥ୍ୟ ପରିଚାଳିତ ଗବେଷଣା – ‘‘ଡେୟାର ଟୁ ଇରା-ଡି ଟିବି’’ ନାମକ ଏକ ପ୍ରମୁଖ କାର୍ଯ୍ୟକ୍ରମ ଘୋଷଣା କରାଯାଇଥିଲା। ଇନଟିଜିଏସ ହେଉଛି ଏହି କାର୍ଯ୍ୟକ୍ରମର ଏକ ପ୍ରମୁଖ ଉପାଦାନ । ବିଜ୍ଞାନ ଓ କାରିଗରୀ ମନ୍ତ୍ରଣାଳୟ ଓ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ମିଳିତ ସହଭାଗିତାରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହେଉଥିବା ବେଳେ ଏଥିରେ ବାୟୋଟେକ୍ନୋଲୋଜି ବିଭାଗ ଅଗ୍ରଣୀ ଭୂମିକା ଗ୍ରହଣ କରିଛି । ଯକ୍ଷ୍ମାର ୩୨୫୦୦ ଷ୍ଟ୍ରେନର ସମ୍ପୂର୍ଣ୍ଣ ଜିନୋମ ସିକୁଏନ୍ସିଂ ବା ଜିନ୍ ଅନୁଶୀଳନ ପାଇଁ ଡିବିଟି, ଆଇସିଏମଆର, ସିଏସଆଇଆର ଏବଂ ଅନ୍ୟ ଗବେଷଣା ଓ ବିକାଶ ପ୍ରତିଷ୍ଠାନଗୁଡ଼ିକ ଅଂଶବିଶେଷ ରହିଛନ୍ତି ।
ବାୟୋଟେକ୍ନୋଲୋଜି ବିଭାଗର ସଚିବ ଡକ୍ଟର ରାଜେଶ ଏସ ଗୋଖଲେ କହିଥିଲେ ଯେ, ଇଣ୍ଡିଆନ୍ ସାର୍ସ-କୋଭ-୨ ଜିନୋମିକ୍ସ କନସୋର୍ଟିୟମ (ଆଇଏନଏସଏସିଓଜି) ବିଶେଷ ସଫଳ ହୋଇଥିଲା ଏବଂ ଏହି ଆଧାରରେ ଇନଟିଜିଏସ ମଡେଲକୁ ପ୍ରସ୍ତୁତ କରାଯାଇଛି ।
ଡକ୍ଟର ଜିତେନ୍ଦ୍ର ସିଂ କହିଥିଲେ ଯେ, ମାଇକ୍ରୋବେକ୍ଟେରିୟମ ଟ୍ୟୁବରକ୍ୟୁଲୋସିସ (ଏମଟିବି) ଏବଂ ସଂକ୍ରମଣ, ଚିକିତ୍ସା ଓ ରୋଗର ଗମ୍ଭୀରତା ଉପରେ ମ୍ୟୁଟେସନ ବା ଭୂତାଣୁ ରୂପ ପରିବର୍ତ୍ତନ ପ୍ରଭାବକୁ ସମ୍ପୂର୍ଣ୍ଣ ଭାବେ ବୁଝିବା ଲାଗି ଇନଟିଜିଏସ ଏକ ସର୍ବଭାରତୀୟ ବ୍ୟବସ୍ଥା ଭାବେ କାର୍ଯ୍ୟ କରିବ । ସେ କହିଥିଲେ ଯେ, ଭବିଷ୍ୟତରେ ଯକ୍ଷ୍ମା ନିଦାନ ଏବଂ ନିରୀକ୍ଷଣ ପାଇଁ ଡବ୍ଲୁଜିଏସ ଭଳି ଆଧୁନିକ ପ୍ରଯୁକ୍ତିର ବ୍ୟବହାର ଲାଗି ଏହା ମୂଳଦୁଆ ପକାଇବ । କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ, ନିକଟରେ ମାନ୍ୟବର ପ୍ରଧାନମନ୍ତ୍ରୀ ୨୪ ମାର୍ଚ୍ଚ ୨୦୨୩ ବିଶ୍ୱ ଯକ୍ଷ୍ମା ଦିବସ ଉପଲକ୍ଷେ ଏକ ବିଶ୍ୱ ଯକ୍ଷ୍ମା ଶିଖର ସମ୍ମିଳନୀକୁ ସମ୍ବୋଧିତ କରିଥିଲେ । ଯେଉଁଠି ଅନେକ ଯୋଜନା ସମ୍ପର୍କରେ ଘୋଷଣା କରାଯାଇଥିଲା।
ସେ ଆହୁରି କହିଥିଲେ ଯେ ସାମଗ୍ରିକ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ବିଭିନ୍ନ ଚିକିତ୍ସା ପଦ୍ଧତିକୁ ନେଇ ଏକ ସମନ୍ୱିତ ଦୃଷ୍ଟିକୋଣ ଅନୁସରଣ କରିବା ଲାଗି ସରକାର ଗୁରୁତ୍ୱାରୋପ କରୁଛନ୍ତି । ଆୟୁଷ ମନ୍ତ୍ରଣାଳୟ ଓ ବାୟୋଟେକ୍ନୋଲୋଜି ବିଭାଗ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି, ଯାହା ଅଧୀନରେ ଜୀବନର ଗୁଣବତ୍ତାରେ ସୁଧାର, କାଚେକ୍ସିଆ ପରିଚାଳନା, ଏଟିଟି ବାୟୋ-ଏନହାନ୍ସିଂ ଓ ହେପାଟୋ ସୁରକ୍ଷା ପାଇଁ ଯକ୍ଷ୍ମା ନିରୋଧୀ ଚିକିତ୍ସା ନିମନ୍ତେ ଆୟୁର୍ବେଦ ହସ୍ତକ୍ଷେପ ଲାଗି ଉଚ୍ଚ ପ୍ରଭାବଯୁକ୍ତ ଗବେଷଣା କରାଯିବ ।
ଡକ୍ଟର ଜିତେନ୍ଦ୍ର ସିଂ କହିଥିଲେ ଯେ, ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସ୍ୱଦେଶୀ ଗବେଷଣା ଓ ବିକାଶ ଏବଂ ନବସୃଜନକୁ ସରକାର ଦୃଢ଼ ସମର୍ଥନ ଯୋଗାଇ ଆସୁଛନ୍ତି । ବାୟୋଟେକ୍ନୋଲୋଜି ବିଭାଗର ଏକ ସ୍ୱାୟତ୍ତ ପ୍ରତିଷ୍ଠାନ ଭାବେ କାର୍ଯ୍ୟ କରୁଥିବା ଇନଷ୍ଟିଚ୍ୟୁଟ୍ ଫର ଷ୍ଟେମ ସେଲ ସାଇନ୍ସ ଓ ରିଜେନେରେଟିଭ ମେଡ଼ିସିନ (ଡିବିଟି-ଇନଷ୍ଟେମ) ଠାରେ ଏକ ନୂଆ ଇଣ୍ଡିଆନ ବ୍ଲଡ୍ ବ୍ୟାଗ ପ୍ରଯୁକ୍ତି ବିକାଶ ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ ଘୋଷଣା କରିଥିଲେ । ସେ କହିଥିଲେ ଯେ ଏହା ନାନୋଫାଇବ୍ରସ ସିଟ୍ ଉପରେ ଆଧାରିତ ଯାହାକି ସଂରକ୍ଷିତ ରକ୍ତର ଗୁଣବତ୍ତା ଓ ଜୀବନକାଳ ବଢ଼ାଇବା ଲାଗି ରକ୍ତରେ ଥିବା କ୍ଷତିକାରକ ଉପାଦାନକୁ ଅବଶୋଷଣ କରି ନେବ । ସ୍ପିନ-ଅଫ୍ ଷ୍ଟାର୍ଟଅପ୍ କମ୍ପାନୀ, କ୍ୟାପଚର୍ ବାୟୋ ପ୍ରାଇଭେଟ୍ ଲିମିଟେଡ ଜରିଆରେ ଏହି ପ୍ରଯୁକ୍ତିର ବ୍ୟବସାୟିକରଣ କରିବା ନିମନ୍ତେ ପ୍ରୟାସ କରାଯାଉଥିବା ସେ ସୂଚନା ଦେଇଥିଲେ ।