Categories
ଆଞ୍ଚଳିକ

ବାଣପୁର: ସମାଜସେବୀ ଦୋଳଗୋବିନ୍ଦ ବଳିୟାରସିଂହଙ୍କ ପରଲୋକ

ସୀତାରାମ ଅଗ୍ରୱାଲ
ବାଣପୁର: ବାଣପୁର ଅଞ୍ଚଳର ଜଣେ ପରୋପକାରୀ ଓ ରାଜନେତା ଭାବେ ଜଣାଶୁଣା ଦୋଳଗୋବିନ୍ଦ ବଳିୟାରସିଂହଙ୍କ ପରଲୋକ ଘଟିଯାଇଛି। ଶ୍ରୀଯୁକ୍ତ ବଳିୟାରସିଂହ ବାଣପୁର ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତର ନରେନ୍ଦ୍ରପୁର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ। ସେ ଟେକ୍ସଟାଇଲ ଇଞ୍ଜିନିଅର ଭାବରେ ଜୀବିକା ଆରମ୍ଭ କରିଥିବାବେଳେ ଚାକିରୀ ଛାଡି ବିଶ୍ଵଭୂଷଣ ହରିଚନ୍ଦନଙ୍କର କାର୍ଯ୍ୟରେ ଅନୁପ୍ରାଣିତ ହୋଇ ରାଜନୈତିକ ଜୀବନ ଆରମ୍ଭ କରିଥିଲେ।

ବିଶ୍ୱଭୂଷଣ ହରିଚନ୍ଦନଙ୍କର ଚିଲିକା ନିର୍ବାଚନ ମଣ୍ଡଳୀରେ ମୁଖ୍ୟଲୋକ ଭାବରେ କାର୍ଯ୍ୟ କରୁଥିଲେ। ବିଶ୍ୱ ଭୂଷଣ ହରିଚନ୍ଦନ ଜନତା ଦଳରେ ଥିବାବେଳେ ସେ ଜନତା ଦଳର ଚିଲିକା ନିର୍ବାଚନ ମଣ୍ଡଳୀର ସଭାପତି ଭାବରେ ମଧ୍ୟ କାର୍ଯ୍ୟରତ ଥିଲେ। ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଭାବରେ ଚିଲିକା ନିର୍ବାଚନ ମଣ୍ଡଳୀରୁ ଦୁଇଥର ନିର୍ବାଚନରେ ପ୍ରତିଦ୍ବନ୍ଦିତା କରି ପରାଜିତ ହୋଇଥିଲେ। ସେ ବାଣପୁର ଅଞ୍ଚଳରେ ବହୁ ଗରିବ ଲୋକଙ୍କର ବ୍ଲକ ଓ ତହସିଲରେ ପଡିରହିଥିବା କାର୍ଯ୍ୟକୁ ସୁରୁଖୁରୁରେ କରିବାରେ ସସିଦ୍ଧହସ୍ତ ଥିଲେ।

ତେବେ ସେ ୮୫ ବର୍ଷ ବୟସରେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Categories
ଆଞ୍ଚଳିକ

ଅବସରପ୍ରାପ୍ତ ପ୍ରଧ୍ୟାପିକାଙ୍କ ପରଲୋକ: ଗୋଦାବରୀଶ ମହାବିଦ୍ୟାଳୟରୁ ନେଇଥିଲେ ଅବସର

ରଣପୁର: ଆଜି ରଣପୁର ବ୍ଲକର ଜଣେ ଅବସରପ୍ରାପ୍ତ ପ୍ରଧ୍ୟାପିକା, ସମାଜସେବୀ, ମୋ ସ୍କୁଲ ଅଧ୍ୟକ୍ଷା ତଥା ଶିକ୍ଷାବିତଙ୍କ ପରଲୋକ ଘଟି ଯାଇଛି। ସେ ମହିୟସୀ ମହିଳା ହେଉଛନ୍ତି ଗୋପାଳପୁରର ସ୍ବର୍ଗତ ଲୋକନାଥ ସ୍ୱାଇଁ ଓ କୁନ୍ତଳା କୁମାରୀ ସ୍ୱାଇଁଙ୍କ ଝିଅ ସ୍ବର୍ଗତ ସୁବାସିନୀ ଦେଇ।

ସେ ୧୯୫୫ ମସିହା ମେ ମାସ ୨୯ ତାରିଖରେ ଜନ୍ମ ଗ୍ରହଣ କରିଥିଲେ। ସେ ସାହିତ୍ୟ ବିଭାଗର ପ୍ରଧ୍ୟାପିକା ଥିଲେ। ୧୯୮୦ ମସିହାରେ ସାହିତ୍ୟ ବିଭାଗର ଅଧ୍ୟାପିକା ଭାବେ ପ୍ରଥମେ ରଣପୁର ମହାବିଦ୍ୟାଳୟରେ ଯୋଗ ଦେଇଥିଲେ। ଏହା ପରେ ୧୯୯୭ ମସିହାରେ ବାଣପୁର ସ୍ଥିତ ଗୋଦାବରୀଶ ମହାବିଦ୍ୟାଳୟକୁ ବଦଳି ହୋଇଥିଲେ ଏବଂ ସେଠାରେ ସେ ଓଡିଆ ବିଭାଗର ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ। ସେଠାରୁ ସେ ୨୦୧୫ ମସିହାରେ ଚାକିରୀରୁ ଅବସର ନେଇଥିଲେ।

ଏହା ପରେ ନିଜ ଗ୍ରାମରେ ରହି ସମାଜସେବା କାମରେ ନିଜକୁ ଲିପ୍ତ ରଖି ଥିଲେ। ଏହା ସହିତ ଗୋପାଳପୁର ଉଚ୍ଚ ବିଦ୍ୟାଳୟର ସେ ମୋ ସ୍କୁଲର ଅଧ୍ୟକ୍ଷା ଭାବେ ମଧ୍ୟ କାର୍ଯ୍ୟ କରୁଥିଲେ।

ସେ ଜଣେ ପରୋପକାରୀ, ମେଳାପୀ, ମିଷ୍ଟଭାଷୀ ସ୍ଵଭାଵର ଥିଲେ। ତାଙ୍କର ମୃତ୍ୟୁ ଖବର ପାଇବା ପରେ ଅମର ଆତ୍ମାର ସଦଗତି କାମନା କରି ରଣପୁର କଲେଜରେ ଛାତ୍ରଛାତ୍ରୀମାନେ ଗୀତା ପାଠ ଓ ଶୋକ ସଭା କରିଥିଲେ। ମୃତ୍ୟୁ ବେଳକୁ ତାଙ୍କ ପାଖରେ ଭାଇ ଭାଗ୍ୟଧାର ସ୍ୱାଇଁଙ୍କ ସହ ସମସ୍ତ ଭାଇ, ଭାଉଜ, ପୁତୁରା, ଝିଆରୀ, ଭଣଜା, ଭାଣେଜୀ ଓ ଗ୍ରାମବାସୀମାନେ ଉପସ୍ଥିତ ଥିଲେ। ଏହି ଖବର ଜାଣିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

ବାଣପୁରରେ ଦୀର୍ଘ ୧୮ ବର୍ଷର ଚାକିରି କାଳ ମଧ୍ୟରେ ସେ ସମସ୍ତଙ୍କର ପ୍ରିୟ ହୋଇପାରିଥିଲେ। ଏହି ଦୁଃଖଦ ଖବର ପାଇବା ପରେ ବାଣପୁର ଅଞ୍ଚଳରେ ମଧ୍ୟ ଶୋକର ଛାୟା ଖେଳିଯାଇଛି। ବାଣପୁର ଗୋଦାବରୀଶ ମହାବିଦ୍ୟାଳୟ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି। ମହାବିଦ୍ୟାଳୟ ପକ୍ଷରୁ ପ୍ରାଧ୍ୟାପିକାଙ୍କ ବିୟୋଗରେ ତାଙ୍କ ଶୋକ ସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଯାଇଛି। ଦାରୁଣ ଦୁଃଖ ସହିବା ନିମନ୍ତେ ପ୍ରଭୁ ପରମେଶ୍ଵର ତାଙ୍କ ଶୋକାକୁଳ ପରିବାର ବର୍ଗକୁ ଶକ୍ତି ଦିଅନ୍ତୁ ବୋଲି କଲେଜ ପକ୍ଷରୁ ପ୍ରାର୍ଥନା କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧୮ ହଜାର ୩୫୦ ଟଙ୍କା ଦାନ କଲେ ଚା’ ଦୋକାନୀ ଶିବଶଙ୍କର ଜେନା

ଭୁବନେଶ୍ୱର: ସମାଜସେବୀ ତଥା ଚା’ ଦୋକାନୀ ଶିବ ଶଙ୍କର ଜେନା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୮ ହଜାର ୩୫୦ ଟଙ୍କା ଦାନ କରିଛନ୍ତି। ଏଠାରେ ପ୍ରକାଶ ଥାଉକି କି ଗତ କିଛିଦିନ ତଳେ ବିଏମ୍‌ସି ଏବଂ ବିଡ଼ିଏ କର୍ତ୍ତୃପକ୍ଷ ମିଳିତ ଭାବେ ଶିବଶଙ୍କରଙ୍କ ଆଚାର୍ଯ୍ୟ ବିହାର ଆରଟିଓ ଅଫିସ୍ ନିକଟରେ ଥିବା ଚା’ ଦୋକାନଟିକୁ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଥିଲେ। ଚା’ ଦୋକାନକୁ ହରାଇବା ପରେ ଶିବଶଙ୍କର ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ମୁଖ୍ୟମନ୍ତ୍ରୀ ଶିବଶଙ୍କରଙ୍କ ବିଷୟରେ ଶୁଣିବା ପରେ ତାଙ୍କୁ ଚା’ ଦୋକାନ କରିବାକୁ ବିଏମ୍‌ସିକୁ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଶିବଶଙ୍କର ପୁନର୍ବାର ଆରଟିଓ ଅଫିସ୍ ନିକଟରେ ନୂତନ ଚା’ ଦୋକାନ କରିଥିଲେ ଏବଂ ତାଙ୍କ ମନରେ ଗୋଟିଏ ଅବଶୋଷ ଥିଲା ଯେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଚା’ ଦୋକାନ ଫେରିପାଇଥିବାରୁ, ଚା’ ଦୋକାନରୁ ଲାଭ କରୁଥିବା ଅର୍ଥକୁ ସେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିବେ। ଏଥିସହିତ ମହାମାରୀ କରୋନା ଯୋଗୁ ଶିବଶଙ୍କରଙ୍କୁ ୯ ମାସର କୋଭିଡ଼ ସହାୟତା ମିଳିଥିବା ୬ ହଜାର ୭ଶହ ଟଙ୍କା ଏବଂ ନିଜ ଚା’ ଦୋକାନରୁ ଆୟ କରିଥିବା ଅର୍ଥକୁ ମିଶାଇ ମୋଟ ୧୮ ହଜାର ୩୫୦ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିଥିଲେ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଶିବଶଙ୍କର ଶୁକ ବିହାର ବସ୍ତିରେ ଦୀର୍ଘଦିନ ରହି ଆଚାର୍ଯ୍ୟ ବିହାର ଆରଟିଓ ଅଫିସ୍ ସମ୍ମୁଖରେ ଚା’ ଦୋକାନ କରି ନିଜର ଗୁଜୁରାଣ ମେଣ୍ଟାଇବା ସହିତ ଗରିବ ଅସହାୟ ଲୋକମାନଙ୍କୁ ସହଯୋଗର ହାତ ବଢାଇ ଆସୁଥିଲେ। ଶିବଶଙ୍କର ରହୁଥିବା ବସ୍ତି ସମେତ ରାଜଧାନୀର ଅନ୍ୟାନ୍ୟ ବସ୍ତିମାନଙ୍କରେ ମାନ୍ୟବର ମୁଖ୍ୟମନ୍ତ୍ରୀ ବିଭିନ୍ନ ଯୋଜନା ମାଧ୍ୟମରେ ଲୋକଙ୍କୁ ସେବା ଯୋଗାଇ ଆସୁଛନ୍ତି। ତେଣୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଧାରାରେ ପ୍ରଭାବିତ ହୋଇ ଶିବଶଙ୍କର ଜଣେ ଚା ଦୋକାନୀ ତଥା ଜଣେ ବାସ୍ତିବାସନ୍ଦା ଭାବେ ସେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଏହି ଟଙ୍କା ଦାନ କରିଛନ୍ତି ବୋଲି ପ୍ରକାଶ କରିଥିଲେ।

ଆଜିର ଏହି କାର୍ଯ୍ୟକ୍ରମରେ ସମାଜସେବୀ ତଥା ବସ୍ତିନେତା ପ୍ରତାପ ସାହୁ, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ କୁମାର ମହାନ୍ତି, କଟକ ଉଚ୍ଚ ନ୍ୟାୟାଳୟର ଆଡ଼ଭୋକେଟ ଲକ୍ଷ୍ମୀଧର ପଣ୍ଡା, ଗାନ୍ଧୀଆନ ନେତା ସନାତନ ବେହେରା, ଲକ୍ଷ୍ମୀଧର ମହାଭୋଇଙ୍କ ସମେତ ବହୁ ସମାଜସେବୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଶିବଶଙ୍କରଙ୍କ ଏତାଦୃଶ କାର୍ଯ୍ୟକଳାପକୁ ଭୂୟସୀ ପ୍ରଶଂସା କରିଥିଲେ।

Categories
ଆଞ୍ଚଳିକ

ଜନ୍ମଦିନକୁ ନିଆରା ଢଙ୍ଗରେ ପାଳନ କଲେ ସମାଜସେବୀ ରଞ୍ଜନ ମହାପାତ୍ର

ଭୁବନେଶ୍ୱର: ସାମ୍ପ୍ରତିକ ସମାଜରେ ନିଜର ଜନ୍ମ ଦିନଟିକୁ କେହି କେହି ହୋଟେଲ, ପଞ୍ଚତାରକା ହୋଟେଲରେ, ଡ଼ିଜେର ତାଳେ ତାଳେ ଧୂମ୍‌ଧାମ୍‌ରେ ପାଳନ କରୁଥିବା ବେଳେ, ଆଉ କେହି କେହି ସାଙ୍ଗସାଥୀଙ୍କ ମେଳରେ, ଭୋଜିଭାତ ଆସରରେ ପାଳନ କରି ନିଜ ଜନ୍ମଦିନିଟକୁ ସ୍ମରଣୀୟ କରିଥାନ୍ତି। ହେଲେ ଜାତୀୟତାର ମହାନ୍ ଚିନ୍ତାଧାରାରେ ଅନୁପ୍ରାଣିତ ହୋଇ ନିଜ ଜନ୍ମଦିନକୁ ଏକ ନିଆରା ଢଙ୍ଗରେ ପାଳନ କରିଛନ୍ତି ଜଣାଶୁୁଣା ସମାଜସେବୀ ରଞ୍ଜନ କୁମାର ମହାପାତ୍ର।

ଆଜି ନିଜର ୨୯ତମ ଜନ୍ମଦିନ ଅବସରରେ ରଞ୍ଜନ କ୍ୟାପିଟାଲ ହସ୍ପିଟାଲ ବ୍ଲଡ଼ବ୍ୟାଙ୍କ ପରିସରରେ ଆୟୋଜିତ ଏକ ରକ୍ତଦାନ ଶିବିରରେ ରକ୍ତଦାନ କରି ନିଜର ଜନ୍ମଦିନଟିକୁ ସ୍ମରଣୀୟ କରିଛନ୍ତି। ନିୟମିତ ରକ୍ତ ଆବଶ୍ୟକ କରୁଥିବା ରକ୍ତଶୂନ୍ୟତା ଭୋଗୁଥିବା ଶିଶୁ, ପୋଡ଼ାଜଳା ରୋଗୀ, ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତି ଏବଂ ଥାଲାସେମିଆ, ଅସହାୟ ଓ ନିରାଶ୍ରୟ ରୋଗୀମାନଙ୍କୁ ବଞ୍ଚାଇ ରଖିବା ପାଇଁ ଦୈନିକ ରକ୍ତର ଆବଶ୍ୟକତା ହୋଇଥାଏ। ହେଲେ ଏ ରକ୍ତ ଆସିବ କେଉଁଠୁ? ରକ୍ତ ତ ବିଜ୍ଞାନଗାରରେ ତିଆରି ହୋଇପାରିବନି। କେବଳ ବଦାନ୍ୟ ବ୍ୟକ୍ତିମାନେ ହିଁ ନିଜ ଶରୀରରୁ ଏହି ରକ୍ତଦାନ କରିପାରିବେ। ରକ୍ତଦାତା ନ ରହିଲେ ରକ୍ତ ଆବଶ୍ୟକ କରୁଥିବା ପୀଡ଼ିତଙ୍କ ଜୀବନରକ୍ଷା କରିବା ସମ୍ଭବ ନୁହେଁ। ତେଣୁ ପ୍ରତ୍ୟେକ ବଦାନ୍ୟ ବକ୍ତି ନିଜର ଜନ୍ମଦିନରେ ରକ୍ତଦାନ କରିପାରିଲେ, ଅନେକ ପୀଡ଼ିତଙ୍କ ଜୀବନ ରକ୍ଷା ହୋଇପାରିବ ବୋଲି ରଞ୍ଜନ ତାଙ୍କ ବକ୍ତବ୍ୟରେ କହିଥିଲେ।

ଏହି ଅବସରରେ ଭୁବନେଶ୍ୱରସ୍ଥିତ ରସୁଲଗଡ଼ ରାମକୃଷ୍ଣ ବାଳାଶ୍ରମରେ ରହୁଥିବା ଅନ୍ତେବାସୀମାନଙ୍କୁ ଅନ୍ନ, ଡ଼ାଲମା, ଖଟା ଓ କ୍ଷିରୀ ଭୋଜନରେ ଆପ୍ୟାୟିତ କରିବା ସହିତ କିଛି ସମୟ ତାଙ୍କ ସହିତ ଅତିବାହିତ କରି ନିଜ ଜନ୍ମଦିନର ଖୁସିକୁ ବାଣ୍ଟିଥିଲେ।

ଏହି କାର୍ଯ୍ୟକ୍ରମରେ ଜୟଦେବ ବିଧାୟକ ଅରବିନ୍ଦ ଢାଲି, ଏସିପି ଲଳିତେନ୍ଦୁ ମହାନ୍ତି, ମିଶନ ରକ୍ତ ବନ୍ଧନର ମୁଖ୍ୟ ହରପ୍ରସାଦ ମହାପାତ୍ର, ନାରାୟଣ ବେହେରା, ବିଭାରାଣୀ ପାତ୍ର, କାଞ୍ଚନ ପାଉଣ୍ଡେସନର ସମ୍ପାଦକ ତାପସ ରଞ୍ଜନ ମଲ୍ଲିକ, ବିଶ୍ୱଜିତ ସାମନ୍ତରାୟ, ତପନ କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ରଞ୍ଜନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହିତ ତାଙ୍କର ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

କରୋନା ରୋଗୀଙ୍କ ଘରେ ରାସନ ପହଂଚାଉଛନ୍ତି ସମାଜସେବୀ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: ସଂପ୍ରତି କରୋନାର ଭୟାଭୟତା ସମଗ୍ର କଳାହାଣ୍ଡି ଜିଲ୍ଲାକୁ କବଳିତ କରିବାରେ ଲାଗିଛି। ସେଥିରୁ ଗୋଲାମୁଣ୍ଡା ବ୍ଲକ ବାଦ ପଡିନାହିଁ। ସାଂପ୍ରତିକ ସ୍ଥିତିରେ କରୋନା ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ଗୋଲାମୁଣ୍ଡା ବ୍ଲକରେ ବଢିବାରେ ଲାଗିଛି। ସଂକ୍ରମିତଙ୍କ ମଧ୍ୟରୁ ଅନେକେ ହୋମ ଆଇସୋଲେସନରେ ରହୁଥିବା ବେଳେ ସେମାନଙ୍କ ଦୈନନ୍ଦିନ ଖାଇବା ସାମଗ୍ରୀ ମିଳିବାରେ ଅସୁବିଧା ହେଉଛି। ଏହି ଅସମୟରେ ଲୋକଙ୍କ ଦେବଦୂତ ସାଜିଛନ୍ତି ସମାଜସେବୀ ଇଂ. ଦୀନେଶ କୁମାର ରାଉତ।

ବୃନ୍ଦାବାହାଲ ବାସିନ୍ଦା ଦୀନେଶ ରାଉତ ସମାଜ ସେବା କରିବାରେ ସର୍ବଦା ତତ୍ପର ଥିବା ବେଳେ ବର୍ତ୍ତମାନ ଗୋଲାମୁଣ୍ଡା ବ୍ଲକର ସମିତି ସଭ୍ୟ ଭାବେ କାର୍ଯ୍ୟ କରୁଛନ୍ତି। ସର୍ବଦା ଲୋକଙ୍କ ସେବା କରିବାରେ ତତ୍ପର ଥିବା ଏହି ଯୁବ ସମାଜସେବୀ ଇଂ.ଦୀନେଶ ରାଉତ ଗୋଲାମୁଣ୍ଡା ବ୍ଲକର ଅଧିକାଂଶ ଗ୍ରାମରେ ଥିବା କରୋନା ସଂକ୍ରମିତ ପରିବାରକୁ ଆବଶ୍ୟକୀୟ ମେଡିସିନ, ଶୁଖିଲା ଖାଦ୍ୟ ଓ ରାସନ ସାମଗ୍ରୀ ନିଜ ଖର୍ଚ୍ଚରୁ ଯୋଗାଉଥିବା ଜଣାପଡିଛି। ଇଂ. ଦୀନେଶ ରାଉତଙ୍କ ଏଭଳି ନିସ୍ୱାର୍ଥପର ସେବା ମନୋବୃତି ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି।

Categories
ଆଞ୍ଚଳିକ

ବାଣପୁରର ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ପରଲୋକ: କୋଭିଡ଼ ନିୟମାବଳୀ ଅନୁଯାୟୀ ଅନ୍ତିମ ସଂସ୍କାର କଲା ପ୍ରଶାସନ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ବାଣପୁର ଏନ.ଏ.ସି ର ଜଣେ ବିଶିଷ୍ଟ ସମାଜସେବୀ ତଥା ଅବସରପ୍ରାପ୍ତ ଶିକ୍ଷକ ହାଡିବନ୍ଧୁ ପାତ୍ର(୯ ୦)ଙ୍କ ଧର୍ମଶାଳା ରୋଡ଼ ସ୍ଥିତ ବାସଭବନରେ ଦେହାନ୍ତ ହୋଇଯାଇଛି। ସ୍ବର୍ଗତ ପାତ୍ର ବହୁତ ଦିନ ହେବ ବିଭିନ୍ନ ରୋଗରେ ପୀଡ଼ିତ ଥାଇ ଶଯ୍ୟାଶାୟୀ ଥିଲେ। ହେଲେ ବିଡ଼ମ୍ବନାର ବିଷୟ ହେଲା କି ନିକଟରେ ତାଙ୍କ ପରିବାରର ଅନ୍ୟ ସମସ୍ତ ପାଞ୍ଚ ଜଣ ସଦସ୍ୟ କୋଭିଡ ପଜିଟିଭ ଚି଼ହ୍ନଟ ହୋଇ ପ୍ରଶାସନର ଅନୁମତି ନେଇ ହୋମ ଆଇସୋଲେସନରେ ରହିଥିବା ହେତୁ ମୃତକଙ୍କ ଶବ ସତ୍କାର କରିବା ସେମାନଙ୍କ ପକ୍ଷେ ସମ୍ଭବ ହୋଇନଥିଲା।

ଦୁଃଖଦ ସମୟରେ ପରିବାର ବର୍ଗ ହତାଶ ହୋଇ ଶେଷରେ ହାଡିବନ୍ଧୁଙ୍କ ଅନ୍ତିମ ସଂସ୍କାର ପାଇଁ ବାଣପୁର ଏନ.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ ନିଆଲଙ୍କ ସହଯୋଗ ଲୋଡ଼ିଥିଲେ। କାର୍ଯ୍ୟନିର୍ବାହୀ ଅଧିକାରୀ ତୁରନ୍ତ ଏନ.ଏ.ସି ପ୍ରଶାସନର କର୍ମଚାରୀଙ୍କୁ ନେଇ ସ୍ବର୍ଗତ ପାତ୍ରଙ୍କ ବାସଭବନ ନିକଟରେ ପହଞ୍ଚିଥିଲେ। ଏନ.ଏ.ସି ପ୍ରଶାସନ ଦ୍ୱାରା ବାସଭବନ ବିଶୋଧନ କରାଯାଇଥିଲା ଏବଂ ଏନ.ଏ.ସି କର୍ମଚାରୀ ମାନେ ପି.ପି.ଇ କିଟ ପରିଧାନ କରି ମୃତକଙ୍କ ଶବକୁ ବାସଭବନରୁ ସ୍ମଶାନକୁ ନେଇଥିଲେ।

କୋଭିଡର ସମସ୍ତ ଗାଇଡ଼ଲାଇନକୁ ପାଳନ କରି ବାଣପୁର ଏନ.ଏ.ସି ପ୍ରଶାସନ ଦ୍ୱାରା ସ୍ବର୍ଗତ ଶ୍ରୀ ପାତ୍ରଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ କରାଯାଇଥଲା ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ନିଆଲ ସୂଚନା ଦେଇଛନ୍ତି। ଉକ୍ତ କାର୍ଯ୍ୟରେ ଏନ.ଏ.ସି ପ୍ରଶାସନକୁ ପୂର୍ଣ୍ଣ ସହଯୋଗ କରିଥିଲେ ସ୍ବର୍ଗତ ପାତ୍ରଙ୍କ ଆତ୍ମୀୟ କେଶବ ଚନ୍ଦ୍ର ସାହୁ, ଅଜୟ ଦାସ ଏବଂ ଅଜିତ ଅଗ୍ରୱାଲ। ବାଣପୁର ଏନ.ଏ.ସି ପ୍ରଶାସନର ଏତାଦୃଶ ମହତ କାର୍ଯ୍ୟପାଇଁ ସବୁ ମହଲରୁ ପ୍ରଶଂସାର ସୁଅ ଛୁଟିଛି।