Categories
ଆଜିର ଖବର ରାଜ୍ୟ ଖବର

ବୀର ସୁରେନ୍ଦ୍ର ସାଏ ମେଡ଼ିକାଲ କଲେଜ, ବୁର୍ଲା ପରିସରରେ ‘ସୁପର ସ୍ପେସାଲିଟି ହସ୍ପିଟାଲ’ ଉଦଘାଟିତ

ବୁର୍ଲା: ଓଡ଼ିଶାରେ ଡାକ୍ତରୀ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀମାନେ ଚାକିରି ପାଇଁ ବାହାରକୁ ନଯାଇ ଓଡ଼ିଶାରେ ଡାକ୍ତରୀ ସେବା କରିବା ଆବଶ୍ୟକ। ଡାକ୍ତରୀ ପିଲାମାନେ ଏହିଭଳି ମନ ବଳାଇଲେ ହିଁ ଆମ ରାଜ୍ୟ ଏକ ନମ୍ବର ହୋଇପାରିବ ବୋଲି ଗୁରୁବାର  ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଏବଂ ଗବେଷଣା ପ୍ରତିଷ୍ଠାନ(ଭିମସାର୍), ବୁର୍ଲା ପରିସରରେ ସୁପର ସ୍ପେସାଲିଟି ହସ୍ପିଟାଲକୁ ଉଦଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ କହିଛନ୍ତି ପ୍ରାୟ ୧୨୫ କୋଟି ଟଙ୍କା ବ୍ୟୟରେ  ନିର୍ମିତ ଏହି ହସ୍ପିଟାଲରେ ୫୮ ଟି ଆଇସିୟୁ ଶଯ୍ୟା ସହିତ ମୋଟ୍ ୨୭୨ଟି ଶଯ୍ୟା ଅଛି। ଏହି ସୁପର୍ ସ୍ପେସାଲିଟି ହସ୍ପିଟାଲରେ ୟୁରୋଲଜି, ନେଫ୍ରୋଲଜି, ନ୍ୟୁରୋଲଜି, ନ୍ୟୂରୋସର୍ଜରୀ, ପେଡିଆଟ୍ରିକ୍ସ ସର୍ଜରୀ, ପ୍ଲାଷ୍ଟିକ ସର୍ଜରୀ, ଗ୍ୟାଷ୍ଟ୍ରୋଏଣ୍ଡେରୋଲଜି, ଏଣ୍ଡୋକ୍ରାଇନୋଲଜି ଏବଂ କ୍ଲିନିକାଲ୍ ହେମାଟୋଲଜି ସମେତ ନଅଟି ସୁପର୍ ସ୍ପେସାଲିଟି ବିଭାଗ ରହିବ। ଲୋକାର୍ପିତ ସୁପର ସ୍ପେସାଲିଟି ହସ୍ପିଟାଲ ଦ୍ୱାରା ସମ୍ବଲପୁର ସମେତ ୧୩ଟି ଜିଲ୍ଲାର ଜନସାଧାରଣ ଏବଂ ଛତିଶଗଡ଼, ଝାଡ଼ଖଣ୍ଡ ରାଜ୍ୟର ସଂଲଗ୍ନ ଅଞ୍ଚଳ ଗୁଡିକରେ ରହୁଥିବା ଲୋକମାନେ ଏହି ପ୍ରକଳ୍ପ ଦ୍ୱାରା ଅତ୍ୟନ୍ତ ଲାଭବାନ ହେବେ । ସିକିଲ୍ ସେଲର ରୋଗୀମାନଙ୍କ ପାଇଁ ଏହି ହସ୍ପିଟାଲ ନୂତନ ସୁଯୋଗ ସୃଷ୍ଟି କରିବ । ରୋଗୀମାନଙ୍କୁ ଅତ୍ୟାଧୁନିକ ସମସାମୟିକ ସ୍ୱାସ୍ଥ୍ୟସେବା ପ୍ରଦାନ କରିବାରେ ଏହି ସୁପର ସ୍ପେସାଲିଟି ହସ୍ପିଟାଲ ଅଗ୍ରଣୀ ଭୂମିକା ନିର୍ବାହ କରିବ । ସମାଜର ଅନ୍ତିମ ଶ୍ରେଣୀର ଲୋକମାନଙ୍କୁ ସୁପର୍ ସ୍ପେସାଲିଟି ଚିକିତ୍ସା ସୁବିଧା ଯୋଗେଇବା ଦିଗରେ ପଦକ୍ଷେପ ନେଇଥିବାରୁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି, ସମ୍ବଲପୁର ଜିଲ୍ଲାରେ ଭିମସାର୍ ସମେତ ଆଇଆଇଏମ, ସମ୍ବଲପୁର, ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ, ସମ୍ବଲପୁର ବିଶ୍ୱବିଦ୍ୟାଳୟ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, ଓଡ଼ିଶା ଓପନ ୟୁନିଭର୍ସିଟି, ଓୟୁଏଟି ଚିପିଲିମା କୃଷି ମହାବିଦ୍ୟାଳୟ ପରି ଅନୁଷ୍ଠାନ ଅଛି, ଯାହା ସମ୍ବଲପୁରର ବିଶେଷତ୍ୱ । ଭିମସାର ମେଡିକାଲରୁ ପାଠ ପଢି ଅନେକ ଛାତ୍ରଛାତ୍ରୀ ମେଡିକାଲ ବିଜ୍ଞାନ ନୁହେଁ ବରଂ ବିଭିନ୍ନ କ୍ଷେତ୍ରରେ ରାଜ୍ୟ ଓ ଦେଶ ପାଇଁ ସୁନାମ ଆଣିଛନ୍ତି । ଭିସୁଟ୍ ଓ ଭିମସାର ମିଶି ଏକ ମଲ୍ଟି ଡିସିପ୍ଲିନାରୀ କୋର୍ସ କରିବା ପାଇଁ ପରାମର୍ଶ ଦେଇଛନ୍ତି ଶ୍ରୀ ପ୍ରଧାନ ।

ସ୍ୱାସ୍ଥ୍ୟ ହେଉଛି ମାନବ ଜୀବନର ସମ୍ପଦ । ଓଡ଼ିଶାର ପଶ୍ଚିମାଞ୍ଚଳରେ ଲୋକଙ୍କ ସ୍ୱାସ୍ଥ୍ୟକୁ  ଠିକ୍ ରଖିବାର  ମୂଳ ପ୍ରୟୋଗଶାଳା ହେଉଛି ଭିମସାର୍ । ଓଡ଼ିଶାକୁ ଏକ ନମ୍ବର କରିବା ପାଇଁ ହେଲେ ରାଜ୍ୟରେ ଭିମସାର ଭଳି ଅନୁଷ୍ଠାନରୁ ପାଠ ପଢୁଥିବା ଡାକ୍ତର ଛାତ୍ରଛାତ୍ରୀମାନେ ବାହାର ରାଜ୍ୟରେ ଚାକିରି ନକରି ଆମ ରାଜ୍ୟରେ ଚାକିରି କରିବା ଦରକାର । ତେବେ ଯାଇ ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତର ଲକ୍ଷ୍ୟ ପୂରଣ ହୋଇପାରିବ । ଭିମସାର  ପରିସରରେ ଏକ ୟୁନିଟାରୀ ଡେଣ୍ଟାଲ୍ କଲେଜ୍ ପ୍ରତିଷ୍ଠା କରିବା ପାଇଁ ରାଜ୍ୟ ସରକାର ବଜେଟରେ ଘୋଷଣା କରିଛନ୍ତି । ଭିମାସରର ପୁନଃବିକାଶ ପାଇଁ ମାଷ୍ଟର ପ୍ଲାନ୍ କରିବା ପାଇଁ ସରକାରଙ୍କ ଯୋଜନାରେ ରହିଛି ।  ଭିମସାରରେ ମେଡିଟେକ୍, ବାୟୋଟେକ୍, ଏଆଇ ଏନେବଲ୍ଡ୍ ଟ୍ରିଟମେଣ୍ଟ ଭଳି ଅତ୍ୟାଧୁନିକ ମେଡିକାଲ ପଦ୍ଧତି ସହ ଗଣାତ୍ମକ ଶିକ୍ଷା, ସୁଶାସନ ମଡେଲ ଏବଂ ଷ୍ଟାର୍ଟଅପ ଦୁନିଆକୁ ଯୋଡିବା ପାଇଁ ଡବଲ ଇଞ୍ଜିନ ସରକାର ପ୍ରତିବଦ୍ଧ । ଏହାର ଭିତ୍ତିଭୂମିର ବିକାଶ ପାଇଁ  ସମସ୍ତଙ୍କ ପରାମର୍ଶ ନେବା ସହ ଏଠାରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର କର୍ମଶାଳାର ଆୟୋଜନ କରିବା ଉପରେ ଶ୍ରୀ ପ୍ରଧାନ ମତପ୍ରକାଶ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ଗ୍ରାମୀଣ ବିକାଶ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାଏକ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

***

 

Categories
ଆଜିର ଖବର ରାଜ୍ୟ ଖବର

ସମ୍ବଲପୁର ନୀଳଡୁଙ୍ଗୁରିରେ ଟର୍ମିନାଲ ମାର୍କେଟ୍ କମ୍ପଲେକ୍ସ ପ୍ରତିଷ୍ଠା ପାଇଁ କୃଷି ମନ୍ତ୍ରୀଙ୍କୁ ଅନୁରୋଧ କଲେ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନଙ୍କୁ ଭେଟି ସମ୍ବଲପୁର ନୀଳଡୁଙ୍ଗୁରିରେ ଟର୍ମିନାଲ ମାର୍କେଟ୍ କମ୍ପଲେକ୍ସ ପ୍ରତିଷ୍ଠା କରିବା ପାଇଁ ସହଯୋଗ କରିବା ପାଇଁ ଅନୁରୋଧ କରିବା ସହ ଏ ସମ୍ପର୍କୀତ ଏକ ଲିଖିତ ପତ୍ର ପ୍ରଦାନ କରିଛନ୍ତି।

କେନ୍ଦ୍ରମନ୍ତ୍ରୀ ଉକ୍ତ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ୨୦୦୯-୧୦ ମଧ୍ୟରେ ଓଡ଼ିଶା ସରକାରଙ୍କ ଦ୍ୱାରା ସମ୍ବଲପୁରରେ ଏକ ଟର୍ମିନାଲ ମାର୍କେଟ୍ କମ୍ପ୍ଲେକ୍ସ (ଟିଏମସି) ପ୍ରତିଷ୍ଠା ପାଇଁ ଏକ ପ୍ରସ୍ତାବ ଦାଖଲ କରାଯାଇଥିଲା ଏବଂ ଜାତୀୟ ଉଦ୍ୟାନ କୃଷି ମିଶନ (ଏନଏଚଏମ) ର କାର୍ଯ୍ୟକାରୀ କମିଟି ଦ୍ୱାରା ଏହାକୁ ନୀତିଗତ ଭାବରେ ଅନୁମୋଦନ କରାଯାଇଥିଲା। ତଥାପି, ବିଶ୍ୱସ୍ତରୀୟ ଟେଣ୍ଡରିଂ ପ୍ରକ୍ରିୟା ମାଧ୍ୟମରେ ଜଣେ ଘରୋଇ ଉଦ୍ୟୋଗୀଙ୍କୁ ସଂକ୍ଷିପ୍ତ ତାଲିକାଭୁକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ଅସହଯୋଗ ଯୋଗୁଁ ପ୍ରକଳ୍ପଟି ଆଗକୁ ବଢ଼ିପାରିଲା ନାହିଁ। ତେବେ ବର୍ତ୍ତମାନ ପରିପ୍ରେକ୍ଷୀରେ ଆବଶ୍ୟକତାକୁ ଦୃଷ୍ଟିରେ ରଖି କୃଷି ଭିତ୍ତିଭୂମି ପାଣ୍ଠି (ଏଆଇଏଫ) ଅଧୀନରେ ଆନୁଷଙ୍ଗିକ ଭିତ୍ତିଭୂମି ସହ ସମ୍ବଲପୁରର ନୀଳଡୁଙ୍ଗୁରିରେ ଏକ ଟର୍ମିନାଲ ମାର୍କେଟ୍ କମ୍ପ୍ଲେକ୍ସ ପ୍ରତିଷ୍ଠାକୁ ପୁନଃବିଚାର ଏବଂ ସମର୍ଥନ କରିବା ପାଇଁ ଶ୍ରୀ ପ୍ରଧାନ ବିଭାଗୀୟ ମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିଛନ୍ତି।

ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଥିଲେ ଯେ ଉକ୍ତ ସ୍ଥାନଟି ଭୌଗୋଳିକ ଏବଂ ଆର୍ଥିକ ଦୃଷ୍ଟିରୁ ସମ୍ବଲପୁର, ବରଗଡ଼, ବଲାଙ୍ଗିର, ସୋନପୁର, ଦେବଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, ଅନୁଗୋଳ, ବୌଦ୍ଧ, ସୁନ୍ଦରଗଡ଼ ଏବଂ ନୂଆପଡ଼ା ଜିଲ୍ଲାକୁ ନେଇ ଏକ କେନ୍ଦ୍ରୀୟ ବଜାରର ପେଣ୍ଠସ୍ଥଳୀ ହେବା ପାଇଁ ଉପଯୁକ୍ତ। ଏହି ଜିଲ୍ଲାଗୁଡ଼ିକ ମିଳିତ ଭାବେ ବାର୍ଷିକ ୩୫ ଲକ୍ଷ ମେଟ୍ରିକ୍ ଟନରୁ ଅଧିକ ଫଳ ଏବଂ ପନିପରିବା ଉତ୍ପାଦନ କରନ୍ତି ଏବଂ ଅନେକ ସମ୍ଭାବନା ଅଛି, ଯାହା ବଜାରର ଆବଶ୍ୟକତା ଠାରୁ ୫୦ ପ୍ରତିଶତ ଅଧିକ। ବର୍ତ୍ତମାନ ଏହି ଅଞ୍ଚଳର ଚାଷୀମାନେ ଆନୁଷ୍ଠାନିକ ବଜାର ଭିତ୍ତିଭୂମିର ଅଭାବ ଯୋଗୁଁ ବଡ ବଡ ପ୍ରତିବନ୍ଧକର ସମ୍ମୁଖୀନ ହେଉଛନ୍ତି। ସୁବ୍ୟବସ୍ଥିତ ବଜାର ଅଭାବରୁ ଲୋକମାନେ ପନିପରିବା ଚାଷ ପାଇଁ ସେମାନଙ୍କର ସମ୍ପୂର୍ଣ୍ଣ ଜମିର ବ୍ୟବହାର କରିପାରୁ ନାହାଁନ୍ତି। ଉଦାହରଣସ୍ୱରୂପ, ଏଠାରେ ବାଇଗଣ, ବନ୍ଧାକୋବି ଓ ଫୁଲକୋବି ଏବଂ ଅଦା ଭଳି ଚାଷ ବିପୁଳ ପରିମାଣରେ କରାଯାଉଛି। ତେବେ ଏଠାରେ ଆଳୁ ଏବଂ ପିଆଜ ମୁଖ୍ୟତଃ ଅଭାବ ଦେଖାଯାଉଥିବାରୁ ଅନ୍ୟ ଅନ୍ୟ ରାଜ୍ୟରୁ ଏହି ଅଞ୍ଚଳକୁ ବାର୍ଷିକ ପ୍ରାୟ ୫୦,୦୦୦ ମେଟ୍ରିକ୍ ଟନ୍ ଆଳୁ ଆମଦାନୀ କରାଯାଇଥାଏ। ଏହି ମର୍ମରେ ନୀଳଡୁଙ୍ଗୁରିରେ ଟର୍ମିନାଲ ମାର୍କେଟ୍ କମ୍ପ୍ଲେକ୍ସ ପ୍ରତିଷ୍ଠା କେବଳ ଏହି ଯୋଗାଣ ଶୃଙ୍ଖଳକୁ କେବଳ ସୁଗମ କରିବ ନାହିଁ ବରଂ ବ୍ୟବସାୟ ଓ ବିତରଣ କରିବା ପାଇଁ ଏକ ଉପଯୁକ୍ତ ପ୍ଲାଟଫର୍ମ ପ୍ରଦାନ କରିବ।

ସମ୍ବଲପୁର ଏକ ବିକଶିତ ସହର ହୋଇଥିବାରୁ ଏଠାକୁ ରାସ୍ତା ଏବଂ ରେଳ ଯୋଗାଯୋଗର ଭଲ ବ୍ୟବସ୍ଥା ରହିଛି। ସମ୍ବଲପୁରର ଆଖପାଖରେ ଭୁବନେଶ୍ୱର, କଟକ, ରାୟପୁର, ରାଞ୍ଚି ଏବଂ ବିଳାସପୁର ଭଳି ପ୍ରମୁଖ ବଜାର ଦଣ୍ଡାୟମାନ। ଏହାସହ ଦିଲ୍ଲୀ, ମୁମ୍ବାଇ, ବାଙ୍ଗାଲୋର, କୋଲକାତା ଏବଂ ହାଇଦ୍ରାବାଦ ସମେତ ଦୂରବର୍ତ୍ତୀ ମେଟ୍ରୋ ବଜାରଗୁଡ଼ିକୁ ମଧ୍ୟ ସମ୍ବଲପୁରରୁ ରେଳ ଏବଂ ସଡ଼କ ଯୋଗାଯୋଗର ଭଲ ବ୍ୟବସ୍ଥା ରହିଛି। ଏହି ସମ୍ଭାବନାକୁ ଦୃଷ୍ଟିରେ ରଖି କୃଷି ଭିତ୍ତିଭୂମି ପାଣ୍ଠି ଅଧୀନରେ ନୀଳଡୁଙ୍ଗୁରିରେ ଟର୍ମିନାଲ ମାର୍କେଟ୍ କମ୍ପଲେକ୍ସ ପ୍ରତିଷ୍ଠା କରିବା ପାଇଁ ଅନୁମୋଦନ କରିବା ନିମନ୍ତେ ବିଚାର କରିବାକୁ ଶ୍ରୀ ପ୍ରଧାନ କେନ୍ଦ୍ର କୃଷି ମନ୍ତ୍ରୀଙ୍କ ସହଯୋଗ ଲୋଡିଛନ୍ତି। ସମ୍ବଲପୁରର ନୀଳଡୁଙ୍ଗୁରିରେ ଟର୍ମିନାଲ ମାର୍କେଟ୍ କମ୍ପ୍ଲେକ୍ସ ପ୍ରତିଷ୍ଠା ଦ୍ୱାରା ଉଦ୍ୟାନ କୃଷିକୁ ବଡ ଗତି ମିଳିବ। ଚାଷୀଙ୍କ ଆୟ ବଢିବା ସହ ଫସଲ କ୍ଷୟକ୍ଷତି ହ୍ରାସର ହେବ ତଥା ସ୍ଥାନୀୟ  ଅଞ୍ଚଳ ପାଇଁ ଏକ ଆଧୁନିକ ବଜାର ପ୍ରଦାନ କରିବାରେ ଏକ ଗେମ ଚେଞ୍ଜର ଭାବରେ କାର୍ଯ୍ୟ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସମ୍ବଲପୁରରେ ଦୁର୍ଗାପାଲି ରେଳବାଇ ଓଭରବ୍ରିଜର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ

ସମ୍ବଲପୁର: ସମ୍ବଲପୁର ଗସ୍ତରେ ଥିବା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ୬୦ କୋଟି ୪୩ ଲକ୍ଷ ୭୮ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟରେ ନିର୍ମିତ ଦୁର୍ଗାପାଲି ରେଳବାଇ ଓଭରବ୍ରିଜର ଉଦଘାଟନ କରିଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଏହି ଓଭରବ୍ରିଜ୍ ସମ୍ବଲପୁର ସହରକୁ ଅଧିକ ସୁନ୍ଦର ଓ ଆଧୁନିକ କରିବା ପାଇଁ ଏହା ଏକ ଭଲ ପଦକ୍ଷେପ। ଏହି ଦ୍ୱାରା ସ୍ଥାନୀୟ ଅଞ୍ଚଳରେ ଟ୍ରାଫିକ୍ ନିୟନ୍ତ୍ରଣ ହ୍ରାସ ହେବା ସହ ଜନସାଧାରଣଙ୍କ ଯାତାୟତ ସୁରକ୍ଷିତ ଓ ସୁଗମ ହେବ।

ଆଗାମୀ ଦିନରେ ଡବଲ ଇଞ୍ଜିନ ସରକାରରେ ସମ୍ବଲପୁର ସହରକୁ ଏକ ଶ୍ରୀମନ୍ତ ସହରରେ ବିକଶିତ କରାଯିବ। ରାସ୍ତାଘାଟ, ପିଇବା ପାଣି, ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥାରେ ଉନ୍ନତି ଅଣାଯିବ। ଯୋଗାଯୋଗ ଏବଂ ଆନୁଷଙ୍ଗିକ ଭିତ୍ତିଭୂମିକୁ ସୁଦୃଢ କରାଯିବ। ସମ୍ବଲପୁରରେ ରିଙ୍ଗ୍ ରୋଡ୍ କରାଯିବ। ସହର ମଧ୍ୟରେ ଥିବା ଆଭ୍ୟନ୍ତରୀଣ ରାସ୍ତା ତିଆରି କରାଯିବ।  ମହାନଦୀ ଉପରେ ବ୍ରିଜ୍ ନିର୍ମାଣ ହେବ, ଯାଗା ବୁର୍ଲା ଓ ହୀରାକୁଦକୁ ସଂଯୋଗ କରିବ।  ସମ୍ବଲପୁର ସହରକୁ ଏକ ବୃହତ ମହାନିଗମ ନିଗମରେ ପରିଣତ କରିବା ପାଇଁ ଆମ ସରକାର ଅଙ୍ଗିକାରବଦ୍ଧ।

ଏହି ଅବସରରେ ଶ୍ରୀ ପ୍ରଧାନ ସମ୍ବଲପୁରରେ ଦେବଦମ୍ପତ୍ତି ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କ ଅନନ୍ୟ ପର୍ବ ଶୀତଳ ଷଷ୍ଠୀ ପର୍ବରେ ସାମିଲ ହେବା ପାଇଁ ରାଜ୍ୟ ଏବଂ ଦେଶବାସୀଙ୍କୁ ନିମନ୍ତ୍ରଣ ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସମ୍ବଲପୁରକୁ ଏକ ଷ୍ଟାର୍ଟଅପର ପେଣ୍ଠସ୍ଥଳୀ କରିବା ପାଇଁ ସମସ୍ତ ପ୍ରକାର ସମ୍ଭାବନା ଅଛି: ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର: ଦେଶରେ ଚାଟାର୍ଡ ଆକାଉଣ୍ଟାଣ୍ଟ୍ (ସିଏ) ସମୁଦାୟ ବୃଦ୍ଧି ପାଇଲେ ବ୍ୟବସାୟ ବୃଦ୍ଧି ପାଇବ। ଏହି କମ୍ୟୁନିଟିର ବନ୍ଧୁମାନେ କୃଷି ଉତ୍ପାଦ ସଂଗଠନ ତଥା ଏଫପିଓ, ଷ୍ଟ୍ରିଟ୍ ଭେଣ୍ଡର ବା ଉଠା ବ୍ୟବସାୟୀ ଏବଂ ଲକ୍ଷପତି ଦିଦି ଭଳି ବିଷୟ ସହ ଯୋଡିହେବା ଦରକାର। ଏହିଭଳି ବ୍ୟବସାୟକୁ ସହଯୋଗ କରିବା ଦରକାର। ସେମାନଙ୍କ ଆର୍ଥିକ ବ୍ୟବସ୍ଥା ବଢିଲେ ହିଁ ଆମର ବ୍ୟବସାୟରେ ଅଭିବୃଦ୍ଧି ଘଟିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶନିବାର ଆଇଆଇଏମ ସମ୍ବଲପୁରରେ ଇନଷ୍ଟିଚ୍ୟୁଟ୍ ଅଫ୍ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଅଫ୍ ଇଣ୍ଡିଆ (ଆଇସିଏଆଇ)ର ଉପ-ଆଞ୍ଚଳିକ ସମ୍ମିଳନୀ ‘ସକ୍ଷମ-୨୦୨୫’ର ଉଦଘାଟନୀ ଅଧିବେଶନରେ ଯୋଗଦେଇ ସିଏ ସମୁଦାୟକୁ ଏହି ପରାମର୍ଶ ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ।

ଏହି ନିଆରା କର୍ମଶାଳାରେ ସାରା ଦେଶରୁ ଯୋଗଦେଇଥିବା  ଚାଟାର୍ଡ ଆକାଉଣ୍ଟାଣ୍ଟ ଏବଂ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ ଶ୍ରୀ ପ୍ରଧାନ। “ସକ୍ଷମ୍ – ବୃତ୍ତିଗତଙ୍କୁ ସଶକ୍ତ କରିବା, ପ୍ରଗତିକୁ ସକ୍ଷମ କରିବା”କଥାବସ୍ତୁ ଉପରେ ଆୟୋଜିତ ସମ୍ମିଳନୀକୁ ସମ୍ବୋଧିତ କରି କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି ଦେଶର ଅର୍ଥବ୍ୟବସ୍ଥାକୁ ସୁଦୃଢ଼ କରିବାରେ ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି। ଏହି କ୍ଷେତ୍ରର ଅଭିଜ୍ଞ ବ୍ୟକ୍ତିମାନଙ୍କର ଯୋଗଦାନ ଭାରତକୁ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥବ୍ୟବସ୍ଥାରେ ପରିଣତ କରିଛି। ଆଗାମୀ ଦିନମାନଙ୍କରେ ଏହି କ୍ଷେତ୍ରରେ ଭାରତର ସ୍ଥାନ ତୃତୀୟ ହେବ। ବିଶ୍ୱରେ ଭାରତର ପରିଚୟ ବଢିବ। ଭାରତର ଏହି ଯାତ୍ରାରେ ଆମର ସିଏ ସମ୍ପ୍ରଦାୟର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି। ନରେନ୍ଦ୍ର ମୋଦୀ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଯେ ଦେଶର ଓ୍ୱେଲଥ୍ କ୍ରିଏଟରଙ୍କୁ ସଠିକ୍ ସମ୍ମାନ ଦେଇଛନ୍ତି, ଯେଉଁଥିରେ ଆମର ଚାଟାର୍ଡ୍ ଆକାଉଣ୍ଟାଣ୍ଟ୍ ଏକ କାଟାଲିଷ୍ଟ୍ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି, ଆମେ ୨୦୩୬ ସୁଦ୍ଧା ଓଡିଶାରେ ୧୦୦ କ୍ୟୁବର ଲକ୍ଷ୍ୟ ରଖିଛୁ, ଯେଉଁଥିରେ ପ୍ରତ୍ୟେକ ଷ୍ଟାର୍ଟଅପର ଆନୁମାନିକ ମୂଲ୍ୟ ୧୦୦ କୋଟି ଟଙ୍କା କରିବାର ଯୋଜନା କରିଛୁ। ଏଥିପାଇଁ ଆମକୁ ଏକ ସକ୍ଷମ ଇକୋସିଷ୍ଟମ ଏବଂ ଉଦ୍ୟମିତା ବାତାବରଣ ବଢାଇବାକୁ ହେବ। ଆଇଡ଼ିଆରୁ ଇନୋଭେସନ, ଇନୋଭେସନରୁ ଟେକ୍ନୋଲୋଜି ଏବଂ ପୁଣି ଟେକ୍ନୋଲୋଜିରୁ ସ୍କେଲ ଅପ୍ କରିବା ଆମର ପ୍ରାଥମିକତା ହେବା ଦରକାର।

ଆଜି ସମଗ୍ର ଦେଶରେ ଆମର ଯୁବଶକ୍ତି ୨.୫ ଲକ୍ଷରୁ ଅଧିକ ଷ୍ଟାର୍ଟଅପରୁ ପ୍ରାୟ ୪୦ ଲକ୍ଷ କୋଟି ମୂଲ୍ୟର ତଥା ୭ ଲକ୍ଷରୁ ଅଧିକ ଲୋକଙ୍କୁ ରୋଜଗାର ଦେଉଛନ୍ତି। ଆମର ଯୁବବର୍ଗଙ୍କୁ ପ୍ରୋତ୍ସାହନ ଦେବା ପାଇଁ ଆମେ ନୂଆ ସୁଯୋଗ ଏବଂ ସାମାନ ମଞ୍ଚ ପ୍ରସ୍ତୁତ କରିବାକୁ ହେବ। ପୁରାତନ ବ୍ୟବସାୟକୁ ସମର୍ଥନ ଦେବା ସହିତ ନୂଆ ନୂଆ ବ୍ୟବସାୟକୁ ମଧ୍ୟ ଆଗକୁ ନେବାକୁ ହେବ। ଓଡ଼ିଶାର ପଶ୍ଚିମାଞ୍ଚଳରେ ଅପାର ସମ୍ଭାବନା ରହିଥିବା ବେଳେ ତାହାର କେନ୍ଦ୍ରବିନ୍ଦୁରେ ସମ୍ବଲପୁର ରହିଛି। ସମ୍ବଲପୁରକୁ ଏକ ଷ୍ଟାର୍ଟଅପର ପେଣ୍ଠସ୍ଥଳୀ କରିବା ପାଇଁ ସମସ୍ତ ପ୍ରକାର ସମ୍ଭାବନା ଅଛି। ଏଠାରେ ଟେକ୍ସଟାଇଲ, ଗାରମେଣ୍ଟ, କୃଷି-ଉତ୍ପାଦ ଓ ଡିଜିଟାଲ ପ୍ରକଳ୍ପ ଭଳି ଅନେକ କ୍ଷେତ୍ରରେ ସୁଯୋଗ ରହିଛି। ଆମର ସିଏ କମ୍ୟୁନିଟି ଏହି ସୁଯୋଗଗୁଡିକୁ ଚିହ୍ନଟ କରିପାରିଲେ ହିଁ ଆମର ଯୁବବର୍ଗ ଏବଂ ନିବେଶକମାନେ ଉପଯୁକ୍ତ ହୋଇପାରିବେ। ଏହି କର୍ମଶାଳା ଆଇସିଏଆଇକୁ ସ୍ଥାନୀୟ ପ୍ରତିଭାଶାଳୀ ଯୁବବର୍ଗ ଏବଂ ପ୍ରତିଭାଙ୍କୁ ଖୋଜିବାରେ ସହାୟକ ହେବ।

ଶ୍ରୀ ପ୍ରଧାନ ଆଇଆଇଏମ ସମ୍ବଲପୁରରକୁ ଆସନ୍ତା ୫ ବର୍ଷରେ ଏକ ସବୁଜ ବନାଞ୍ଚଳ ଭାବରେ ବିକଶିତ କରିବା ପାଇଁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ ଏହି ଲକ୍ଷ୍ୟ ପୂରଣ କରିବା ପାଇଁ ବର୍ତ୍ତମାନ ସମୟରୁ ବୃକ୍ଷରୋପଣ ଏବଂ ପରିବେଶ ସୁରକ୍ଷା ଉପରେ ସଠିକ୍ ପଦକ୍ଷେପ ନେବାକୁ ହେବ। ଆମେ ସମ୍ବଲପୁରକୁ ଏକ ସ୍ଥାୟୀ, ସବୁଜ ଓ ସ୍ୱଚ୍ଚ ସହର ବନାଇବା ଦରକାର ଏବଂ ଏହାର ଆରମ୍ଭ ଛୋଟ-ଛୋଟ ପଦକ୍ଷେପ ଦ୍ୱାରା ସମ୍ଭବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ସମ୍ବଲପୁରରେ ମୁଖ୍ୟମନ୍ତ୍ରୀ, ୧୪୦୦ ଲୋକଙ୍କ ଅଭିଯୋଗର ଶୁଣାଣି, ୧୦ ଜଣ ମନ୍ତ୍ରୀ, ସଚିବ ଓ ଅଫିସର ଉପସ୍ଥିତ

ଭୁବନେଶ୍ୱର: ସମୟ ଥିଲା ସକାଳ ୮ ଟା। ଲୋକାରଣ୍ୟ ହୋଇ ଉଠିଥିଲା ସମ୍ବଲପୁର ମହାନଗର ନିଗମ କାର୍ଯ୍ୟାଳୟ ପରିସର ।

କାରଣ ଲୋକଙ୍କ ମୁଖ୍ୟମନ୍ତ୍ରୀ ଆସିଛନ୍ତି ଲୋକଙ୍କ ସମସ୍ୟା ଓ ଅଭିଯୋଗ ଶୁଣିବା ପାଇଁ । କେବଳ ମୁଖ୍ୟମନ୍ତ୍ରୀ ନୁହନ୍ତି ତାଙ୍କ ସହିତ ଥିଲେ ସହଯୋଗୀ ୧୦ ଜଣ ମନ୍ତ୍ରୀ ଓ ରାଜ୍ୟ ପ୍ରଶାସନର ବିଭିନ୍ନ ବିଭାଗ ଦାୟିତ୍ୱରେ ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ ଓ ସଚିବ ସ୍ତରୀୟ ଅଧିକାରୀଗଣ । ସମ୍ପୂର୍ଣ୍ଣ ରାଜ୍ୟ ପ୍ରଶାସନ ସ୍ଥାନାନ୍ତରିତ ହୋଇଥିଲା ସମ୍ବଲପୁରକୁ ।ଲୋକଙ୍କ ଅଭିଯୋଗ ଶୁଣି ଏହାର ସମାଧାନ କରିବାକୁ । ବାସ୍ତବିକ ଏଇ ହେଉଛି ଲୋକଙ୍କ ସରକାର ।

ଆଜିଥିଲା ଅଭିଯୋଗ ଶୁଣାଣିର ୧୦ମ ପାଳି। ଏହା ଥିଲା ଅନ୍ୟ ନଅ’ଟି ପାଳି ଠାରୁ ଭିନ୍ନ, କାରଣ ସରକାରଙ୍କ ପାଖକୁ ଲୋକ ଆସି ନାହାନ୍ତି, ସରକାର ଆସିଛନ୍ତି ଲୋକଙ୍କ ଅଭିଯୋଗ ଶୁଣିବାକୁ।

ଗତ କାଲି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ମନ୍ତ୍ରୀମଣ୍ଡଳର ସଦସ୍ୟଗଣ ସମ୍ବଲପୁରରେ ପହଞ୍ଚି ମା’ ସମଲେଶ୍ୱରୀଙ୍କ ଦର୍ଶନ କରି ରାଜ୍ୟବାସୀଙ୍କ କଲ୍ୟାଣ ପାଇଁ ପ୍ରାର୍ଥନା କରିଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, ସମ୍ବଲପୁରରେ ଏ ଜନ ଶୁଣାଣି କାର୍ଯ୍ୟକ୍ରମ ସମସ୍ତଙ୍କ ପାଇଁ ଶୁଭଙ୍କର । ସରକାରଙ୍କ ପାଇଁ, ଲୋକଙ୍କ ପାଇଁ, ଓଡ଼ିଶା ରାଜ୍ୟ ପାଇଁ ଓ ସର୍ବୋପରି ଗଣତନ୍ତ୍ର ପାଇଁ ଏକ ସକରାତ୍ମକ ବାର୍ତ୍ତା ଦେଉଛି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀ ଆମର ଏହି ଜନ ଶୁଣାଣି କାର୍ଯ୍ୟକ୍ରମକୁ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ମାର୍ଗ ଦର୍ଶନ ଆମକୁ ଲୋକଙ୍କ ଆହୁରି ନିକଟତର ହେବାକୁ ପ୍ରେରଣା ଦେଇଛି ବୋଲି ସେ କହିଛନ୍ତି।

ସେ ପୁଣି କହିଥିଲେ ଯେ, ଆମର ଉଦ୍ଦେଶ୍ୟ ହେଉଛି ରାଜ୍ୟର ବୃହତ୍ତର ବିକାଶର ଲକ୍ଷ୍ୟ ପୂରଣ ଭିତରେ ଗରିବ, ଅସହାୟ ଲୋକଙ୍କ ଦୁଃଖକୁ ଆମେ ଯେପରି ନଜର ଅନ୍ଦାଜ୍ ନ କରୁ। ସେମାନେ ଯେପରି ଅନୁଭବ ନ କରନ୍ତି ଯେ, ସେମାନଙ୍କ ଦୁଃଖ ଶୁଣିବା ପାଇଁ କେହି ନାହାନ୍ତି। ପୂର୍ବ ସରକାର ଏଥିପ୍ରତି ଉଦାସୀନ ମନୋଭାବ ପୋଷଣ କରୁଥିଲେ। ଆମେ କିନ୍ତୁ, ରାଜ୍ୟର ବିଭିନ୍ନ ଅଞ୍ଚଳରେ ଜନ ଶୁଣାଣି କରିବା ପାଇଁ ନିଷ୍ପତ୍ତି ନେଇଛୁ। ଆଜି ସମ୍ବଲପୁରରେ ହେଲା, ଆଗାମୀ ଦିନରେ ରାଜ୍ୟର ଅନ୍ୟ ସ୍ଥାନରେ ହେବ।

ସେ ଆହୁରି କହିଥିଲେ ଯେ, ଏହି କ୍ଷେତ୍ରୀୟ ଜନଶୁଣାଣି କାର୍ଯ୍ୟକ୍ରମ ଦ୍ୱାରା ଅଧିକାରୀ ମାନେ ସେମାନଙ୍କ ସ୍ତରରେ ହିଁ, ଯେତେଦୂର ସମ୍ଭବ, ଲୋକଙ୍କ ସମସ୍ୟା ସମାଧାନ କରିବାକୁ ତତ୍ପର ହେବେ। ଲୋକଙ୍କ ମୌଳିକ ସମସ୍ୟାର ସମାଧାନ ଦିଗରେ ଅଧିକ ସଚେତନ ହେବେ ବୋଲି ସେ କହିଛନ୍ତି।

ସମସ୍ତ ଅଭିଯୋଗର ଶୀଘ୍ର ସମାଧାନ ପାଇଁ ଅଧିକାରୀ ମାନଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆ ଯାଇଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ।

ପୂର୍ବ ଜନଶୁଣାଣି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆଗରୁ ଭୁବନେଶ୍ୱରରେ ଆମର ନଅ’ଟି ଜନ ଶୁଣାଣି ହୋଇଛି। ପୂର୍ବ ନଅ’ଟି ପାଳିରେ ୯,୩୭୭ ଲୋକଙ୍କ ଅଭିଯୋଗ ଗ୍ରହଣ କରିଛୁ ଏବଂ ପ୍ରାୟ ୮୮ ପ୍ରତିଶତ ଅଭିଯୋଗର ସମାଧାନ କରାଯାଇଛି। ଅବଶିଷ୍ଟ ଗୁଡିକ ପ୍ରକ୍ରିୟା ଭିତରେ ଅଛି ।

ଲୋକଙ୍କ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ଆଜି ଥିଲା ୧୦ମ ପାଳି। ଏହି ପାଳିରେ ପ୍ରାୟ ୧୦୦୦ ଜଣ ଅନଲାଇନ ଜରିଆରେ ପଂଜିକୃତ ଓ ଅଫଲାଇନରେ ପ୍ରାୟ ୪୦୦ ଲୋକଙ୍କ ଅଭିଯୋଗ ଗ୍ରହଣ କରାଯାଇଛି ।

ସିଙ୍ଗିଲ୍ ୱିଣ୍ଡୋ ସିଷ୍ଟମରେ ଅସାଧ୍ୟ ଓ ଦୂରାରୋଗ୍ୟରେ ପୀଡ଼ିତ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ତୁରନ୍ତ ସହାୟତା ଯୋଗାଇ ଦିଆଯାଉଛି। ଆଜି ଏହି ସିଷ୍ଟମରେ ଚିକିତ୍ସା ଖର୍ଚ୍ଚ ପାଇଁ ୧୮ ଜଣଙ୍କୁ ୧୯ ଲକ୍ଷ ୫୦ ହଜାର ଟଙ୍କାର ଚିକିତ୍ସା ସହାୟତା ପ୍ରଦାନ କରାଯାଇଛି ।

ଏହି ତତ୍‌କାଳ ସହାୟତା ପ୍ରଦାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଅଭିଯୋଗ ପ୍ରକୋଷ୍ଠରେ ଡାକ୍ତରୀ ଦଳ ମଧ୍ୟ ନିୟୋଜିତ ଥିଲେ ।

କେବଳ ଚିକିତ୍ସା ସହାୟତା ନୁହେଁ, ଅନ୍ୟାନ୍ୟ ବିଭିନ୍ନ ସମସ୍ୟା ନେଇ ଅଭିଯୋଗକାରୀମାନେ ଆସିଥିଲେ । ସମସ୍ତଙ୍କ ଅଭିଯୋଗ ଗୁଡ଼ିକୁ ଗୁରୁତ୍ୱର ସହ ଶୁଣି ଆବଶ୍ୟକ ସ୍ଥଳେ ଟେଲିଫୋନ୍ ଜରିଆରେ ମନ୍ତ୍ରୀମଣ୍ଡଳର ସଦସ୍ୟ ଓ ଉପସ୍ଥିତ ବରିଷ୍ଠ ସଚିବ ସ୍ତରୀୟ ଅଧିକାରୀମାନେ ସମ୍ପୃକ୍ତ କର୍ତ୍ତୃପକ୍ଷମାନଙ୍କୁ ନିର୍ଦ୍ଦେଶ ଦେଉଥିଲେ ।

ଅଭିଯୋଗ ପ୍ରକୋଷ୍ଠରୁ ଫେରୁଥିବା ପ୍ରତ୍ୟେକଙ୍କ ମୁହଁରେ ପ୍ରକାଶ ପାଉଥିଲା ଭରସା ଓ ଆତ୍ମ ସନ୍ତୋଷର ଚିହ୍ନ ।

ଅଭିଯୋଗକାରୀଙ୍କ ମଧ୍ୟରେ ଥିଲେ ସମ୍ବଲପୁରର ଦୀପ୍ତିରାଣୀ ପାଢ଼ୀ । ସେ ତାଙ୍କ ପେନ୍ସନ ସଂକ୍ରାନ୍ତୀୟ ଅଭିଯୋଗ ନେଇ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଆସିଥିଲେ । ମୁଖ୍ୟମନ୍ତ୍ରୀ ତାଙ୍କ ସମସ୍ୟା ଶୁଣିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଶ୍ରୀମତୀ ପାଢ଼ୀ ଗଭୀର ଆତ୍ମସନ୍ତୋଷର ସହ ଘରକୁ ଫେରିଥିଲେ ।

ସେହିପରି ବରଗଡ଼ ଜିଲ୍ଲା ଡୁଙ୍ଗୁରିବାହାଲ ର କିଛି ବାସିନ୍ଦା ଆସିଥିଲେ ଡୁଙ୍ଗୁରିବାହାଲ ଜଳସେଚନ ପ୍ରକଳ୍ପରୁ ଜଳସେଚନ ସୁବିଧା କରାଇବା ପାଇଁ । ମୁଖ୍ୟମନ୍ତ୍ରୀ ତୁରନ୍ତ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ଏହାର ସମାଧାନ ପାଇଁ । ମୁଖ୍ୟମନ୍ତ୍ରୀଙ୍କ ଠୁ ଆଶ୍ୱାସନା ପାଇ ସେମାନେ ଖୁସି ମନରେ ଫେରିଥିଲେ ।

ଏହିପରି ଜଣେ ପରେ ଜଣେ ଅଭିଯୋକାରୀ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ମାନଙ୍କୁ ଭେଟି ଭରସା ଓ ସନ୍ତୋଷ ନେଇ ଫେରୁଥିଲେ । ସମସ୍ତଙ୍କ ମୁହଁରେ ଥିଲା ଖୁସିର ଲହରୀ କାରଣ ମୁଖ୍ୟମନ୍ତ୍ରୀ ନିଜେ ତାଙ୍କ ସମସ୍ୟା ଶୁଣିଛନ୍ତି ଓ ସମାଧାନର ବ୍ୟବସ୍ଥା ମଧ୍ୟ କରିଛନ୍ତି ।

ଆଜି ମୁଖ୍ୟମନ୍ତ୍ରୀଙ୍କ ସହିତ ଉପ-ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ଗୃହ ଓ ନଗରଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଇଂ ଗଣେଶ ରାମ ସିଂ ଖୁଣ୍ଟିଆ, ପଞ୍ଚାୟତିରାଜ ପାନୀୟଜଳ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାୟକ, ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର, ଶିଳ୍ପ ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଇସ୍ପାତ ଓ ଖଣି ମନ୍ତ୍ରୀ ଶ୍ରୀ ବିଭୁତି ଭୂଷଣ ଜେନା, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ଉଚ୍ଚଶିକ୍ଷା ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ, ପ୍ରମୁଖ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଥିଲେ ।

ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ସାଧାରଣ ଅଭିଯୋଗ ଓ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓ ରଞ୍ଜନ କୁମାର ସିଂହ, ଏବଂ ଅନ୍ୟ ବିଭାଗ ଗୁଡ଼ିକର ସଚିବ ସ୍ତରୀୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହି ଏହି କାର୍ଯ୍ୟ ପରିଚାଳନା କରିଥିଲେ ।

Categories
ଖେଳ ଜାତୀୟ ଖବର ବିଶେଷ ଖବର

ସମ୍ବଲପୁରରେ ଜାତୀୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ସମାରୋହରେ ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ସମ୍ବଲପୁର ଜିଲ୍ଲା ବଡିବିଲଡର ଏବଂ ଫିଟନେସ୍ ଆସୋସିଏସନ ପକ୍ଷରୁ ଆୟୋଜିତ ୧୮ତମ ସିନିୟର ନ୍ୟାସନାଲ ବଡିବିଲଡିଂ ଏବଂ ଫିଟନେସ୍ ଚାମ୍ପିୟନସିପ୍ – ମିଷ୍ଟର ଇଣ୍ଡିଆ ଏବଂ ମିସ୍ ଇଣ୍ଡିଆ ୨୦୨୫-୨୬ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି। ସୁନ୍ଦର ସ୍ୱାସ୍ଥ୍ୟ ତଥା ସାମାଜିକ ଜୀବନରେ ସୁସ୍ଥ ରହିବା ପାଇଁ ଫିଟନେସ୍ ଭଳି କାର୍ଯ୍ୟକ୍ରମକୁ ଜନଆନ୍ଦୋଳନରେ ପରିଣତ କରିବା ପାଇଁ ଆହ୍ୱାନ କରିଛନ୍ତି ଶ୍ରୀ ପ୍ରଧାନ ।

ଓଡ଼ିଶାରେ ପ୍ରଥମ ଥର ପାଇଁ କଳିଙ୍ଗ ବଡିବିଲଡିଂ ଆସୋସିଏସନ ସହଯୋଗରେ ଏଭଳି ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ଆୟୋଜନ କରି ସମ୍ବଲପୁର ଏବଂ ଓଡ଼ିଶାର ମାନ ବଢାଇଥିବାରୁ ସମ୍ବଲପୁର ଜିଲ୍ଲା ବଡିବିଲଡର ଆଣ୍ଡ୍ ଫିଟନେସ ଆସୋସିଏସନର ମୁଖ୍ୟ ପୃଷ୍ଠପୋଷକ ତଥା ପୂର୍ବତନ ବିଧାୟିକା ଡ. ରାଶେଶ୍ୱରୀ ପ୍ରାଣିଗ୍ରାହୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଶ୍ରୀ ପ୍ରଧାନ । ସେ କହିଛନ୍ତି ଯେ ଏହିଭଳି କାର୍ଯ୍ୟକ୍ରମ ଦ୍ୱାରା ସମାଜରେ ସ୍ପୋର୍ଟ୍ସ ମ୍ୟାନ୍ ସ୍ପିରିଟର ଉତ୍ସାହ ବଢୁଛି । ସମ୍ବଲପୁର ଉତ୍ସାହୀ ଲୋକମାନଙ୍କର ସହର ।

ଏଠାରେ ଖେଳକୁ ନେଇ ଲୋକମାନଙ୍କ ମଧ୍ୟରେ ଉତ୍ସାହ ଅଛି । ଫୁଟବଲ, କବାଡି, ସନ୍ତରଣ ସହ ଅନ୍ୟାନ୍ୟ ଆଥଲେଟିକ୍ ଗେମ ପ୍ରତି ଲୋକଙ୍କ ମଧ୍ୟରେ ଆଗ୍ରହ ଅଛି । ନାଚ, ଗୀତ, ପର୍ବ ପର୍ବାଣୀ, ଖାଦ୍ୟ ପେୟକୁ ନେଇ ବିଶେଷ ଆକର୍ଷଣ ରହିଛି । ସାମାଜିକ ଜୀବନର ଚାଲିଚଳଣୀରେ ଜୀବନ୍ତତା ଭରିରହଛି । ଏପରି ଏକ ସହରରେ ଫିଟନେସ୍ ପ୍ରତି ପିଲାମାନଙ୍କ ମଧ୍ୟରେ ଆଗ୍ରହ ବଢାଇବା ଦରକାର ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ ସମୟରେ ଛୋଟ ଛୋଟ ପିଲାମାନେ ଚଟପଟି ଖାଦ୍ୟ ତଥା ମ୍ୟାଗି, କୁରକୁରେ ଖାଇବାକୁ ଅଧିକ ପସନ୍ଦ କରୁଛନ୍ତି । ତେଣୁ ବିଶେଷ ଭାବରେ ସେମାନେ ସେହି ଖାଦ୍ୟରୁ ଦୂରେଇ କିପରି ଫିଟନେସ୍ ରହିବେ, ସେଥି ପ୍ରତି ସମସ୍ତେ ଦୃଷ୍ଟି ଦେବା ଦରକାର । ଅପରପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୁବ ସମାଜକୁ ନିଜ ଖାଦ୍ୟ ପ୍ରଣାଳୀରେ ୧୦ ପ୍ରତିଶତ ଖାଇବା ତେଲ କମ କରିବା ପାଇଁ ପରାମର୍ଶ ଦେଇଛନ୍ତି ।

ଆମେ ସମସ୍ତେ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଏହି ଜନଆନ୍ଦୋଳନରେ ସାମିଲ ହୋଇ ଆମର ଖାଦ୍ୟ ପଦ୍ଧତିରେ ୧୦ ପ୍ରତିଶତ ତେଲ କମ କରିବା ଏବଂ ଅନ୍ୟମାନଙ୍କୁ ମଧ୍ୟ ଏ ବିଷୟରେ ସଚେତନ କରାଇବା ଆବଶ୍ୟକ । ମୋଦୀ ସରକାରରେ ଖେଲୋ ଇଣ୍ଡିଆ ଏବଂ ଫିଟ୍ ଇଣ୍ଡିଆ ଭଳି ପଦକ୍ଷେପ ସ୍କୁଲ, କଲେଜ ଏବଂ ବିଶ୍ୱବିଦ୍ୟାଳୟରୁ ପ୍ରତିଭାବାନ କ୍ରୀଡ଼ାବିତ୍‌ଙ୍କୁ ଅନ୍ୱେଷଣ କରୁଛି । ତେଣୁ ବର୍ତ୍ତମାନ ସମୟରେ  ଦୌଡିବା ସହ ଇନଡୋର ଜିମ, ଓପନ ଜିମ୍ ଯିବା ପାଇଁ ଯୁବବର୍ଗଙ୍କୁ ପ୍ରେରିତ କରିବା ଦରକାର । ନିଜକୁ ସୁସ୍ଥ ରଖିବାର ପ୍ରୟାସ କରିବା ପାଇଁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ଆରମ୍ଭ ହେଲା ସୁଭଦ୍ରା ଶକ୍ତି ମେଳା

ସମ୍ବଲପୁର: ସମ୍ବଲପୁରର ଅଇଁଠାପାଲି ସ୍ଥିତ ବିର୍ସା ମୁଣ୍ଡା ମଇଦାନ (ପି.ଏଚ୍.ଇ.ଡି ପଡିଆ) ରେ “ସୁଭଦ୍ରା ଶକ୍ତି ମେଳା” ର ଉଦଘାଟିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ସିଦ୍ଧେଶ୍ଵର ବଳିରାମ ବୋନ୍ଦର, ଅତିରିକ୍ତ ଜିଲ୍ଲାପାଳ ସୁଧାଂଶୁ କୁମାର ଭୋଇ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରସନ୍ନ କୁମାର ପାତ୍ର, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ରେଣୁବାଳା ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ। ମାର୍ଚ୍ଚ ମାସ ୫ ତାରିଖ ରୁ ୧୧ ତାରିଖ ପର୍ଯ୍ୟନ୍ତ ଏହି ମେଳା ଚାଲିବ।

ଏହି ମେଳାରେ ମହିଳା ସୟଂ ସହାୟକ ଗୋଷ୍ଠୀଗୁଡ଼ିକ ନିଜର ଉତ୍ପାଦନ ବିକ୍ରୟ କରିବା ପାଇଁ ଏକ ମଞ୍ଚ ପାଇବେ, ଯେଉଁଠି ସେ ନିଜର କୌଶଳ, ଉଦ୍ୟମିତା ପଦର୍ଶନ କରିପାରିବେ ବୋଲି ଜିଲ୍ଲାପାଳ କହିଛନ୍ତି ଏଥିସହିତ ଦର୍ଶକ ମାନଙ୍କର ମନୋରଞ୍ଜନ ପାଇଁ ପ୍ରତିଦିନ ସଂନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ପାରମ୍ପରିକ ନୃତ୍ୟକଳା ଆୟୋଜନ ମଧ୍ୟ ହୋଇଛ ସୁଭଦ୍ରା ଯୋଜନା ଅନ୍ତର୍ଗତ ସମ୍ବଲପୁର ଜିଲ୍ଲାର ପ୍ରାୟ ୨,୬୦,୦୦୦ ଜଣ ହିତାଧିକାରୀ ଅଛନ୍ତି। ସାତ ଦିନ ବ୍ୟାପି ହେବାକୁ ଥିବା ଏହି ମେଳାରେ ୧୫୦ ଷ୍ଟଲରେ ରାଜ୍ୟସାରା ବିଭିନ୍ନ ପ୍ରକାର ଦ୍ରବ୍ୟ ବିକ୍ରି ହେବ।

ଏହି ମେଳାରେ ଓଡିଶାର ସମସ୍ତ ଜିଲ୍ଲା ରୁ ମହିଳା ସୟଂ ସହାୟକ ଗୋଷ୍ଠୀ / ଉତ୍ପାଦକ ଗୋଷ୍ଠୀ, ବୁଣାକାର, କାରିଗର ଓ ଶିଳ୍ପୀ ମାନଙ୍କ ଦ୍ବାରା ପ୍ରସ୍ତୁତ ଦ୍ରବ୍ୟ,ହସ୍ତଶିଳ୍ପ ଓ କଳାକୃତି, ମିଲେଟ, ଅର୍ଗାନିକ ଉତ୍ପାଦ ଓ ପାରମ୍ପରିକ ସୁସ୍ବାଦୁ ଖାଦ୍ୟ ଯଥା ଆରିସା ପିଠା,ମଣ୍ଡା ପିଠା, ବୁନ୍ଦି ଖଜା, କାକରା, ମାଲପୁଆ, ରସବରା, ଲସତଲା ପିଠା ଆଦିର ପ୍ରଦର୍ଶନୀ ଏବଂ ବିକ୍ରୟ କରିବେ।

Categories
ଆଜିର ଖବର ରାଜ୍ୟ ଖବର

ପର୍ଯ୍ୟଟନ ସ୍ଥଳୀ ଭୀମମଣ୍ଡଳୀ କ୍ଷେତ୍ର ପରିଦର୍ଶନ କଲେ କେନ୍ଦ୍ର ମନ୍ତ୍ରୀ

ରେଢ଼ାଖୋଲ (କନ୍ଦର୍ପ ବେହେରା): ସବୁଜ ବନାନି ଘେରା ଏବଂ ଘଞ୍ଚ ଜଙ୍ଗଲ ଓ ଉଚ୍ଚ ପର୍ବତ ମାଳାରେ ପର୍ଯ୍ୟବେଶିତ, ଚମ୍ପାଳୀ ନଦୀ କୂଳରେ ଥିବା ପ୍ରସିଦ୍ଧ ଐତିହ୍ୟ ପୀଠ ଭୀମ ମଣ୍ଡଳୀ ରାଜ୍ୟ ସରକାରଙ୍କ ଦ୍ୱାରା ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇବା ପରେ ପ୍ରଥମ କରି ସମ୍ବଲପୁର ସାଂସଦ ତଥା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗସ୍ତ କରିଛନ୍ତି। ଆଜି ପୂର୍ବାହ୍ନରେ ଶ୍ରୀ ପ୍ରଧାନ ଭୀମ ମଣ୍ଡଳୀ ଗସ୍ତକରି ପ୍ରଥମେ ଭୀମମଣ୍ଡଳୀ ଗୁମ୍ଫା ପାର୍ଶ୍ଵରେ ଅବସ୍ଥିତ ଗୁପ୍ତେଶ୍ୱର ଦର୍ଶନପରେ ଭୀମମଣ୍ଡଳୀ ବୁଲି ଦେଖିଥିଲେ। ଗୁମ୍ଫାଗୁଡିକର ପ୍ରସ୍ତର ଦେହରେ ଥିବା ବିଭିନ୍ନ ଶୀଳାଲେଖ ଗୁଡିକ ଅନୁଧ୍ୟାନ କରିଥିଲେ। ସ୍ଥାନୀୟ ଅଧିବାସୀଙ୍କ ସହ ମିଶିଲେ ଓ କଥା ହେଲେ। ଏଏସଆଇ ଅଧିକାରୀଙ୍କ ସହ ଏହି ଐତିହ୍ୟ ସ୍ଥାନର ଉତ୍ପତି, ଐତିହ୍ୟ ଓ ଇତିହାସ ଉପରେ ଆଲୋଚନା କରିଛନ୍ତି।

ଐତିହାସିକଙ୍କ ମତରେ ପାଖାପାଖି ୩୦ ହଜାର ବର୍ଷ ପୂର୍ବରୁ ଭୀମମଣ୍ଡଳୀରେ ମାନବ ସଭ୍ୟତା ଗଢି ଉଠିଥିଲା ବୋଲି କହିଛନ୍ତି। ଶ୍ରୀ ପ୍ରଧାନ ଭାରତ ସରକାରଙ୍କ ଆଇସିଏଚଆର ସମେତ ବିଭିନ୍ନ ମାଧ୍ୟମରେ ଉଚ୍ଚସ୍ତରୀୟ ଗବେଷଣା କରାଯିବ। ଜାତୀୟ ସ୍ତରରେ ଡେବ୍ରୀଗଡ଼ ଓ ଭୀମମଣ୍ଡଳୀର ପ୍ରଚାର ପ୍ରସାର ପାଇଁ ପ୍ରୟାସ ହେବ। ଡେବ୍ରିଗଡ, ଭୀମମଣ୍ଡଳୀ ଓ ହୀରାକୁଦକୁ ନେଇ ଏକ ପର୍ଯ୍ୟଟନ କ୍ଳଷ୍ଟର କରିବାପାଇଁ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଛନ୍ତି।

ଏହି ଐତିହ୍ୟ ଅଞ୍ଚଳର ପ୍ରସିଦ୍ଧି ବଢିବା ପରେ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ରୋଜଗାର ସୃଷ୍ଟି ହେବ। ପ୍ରଧାନମନ୍ତ୍ରଙ୍କ ଦ୍ୱାରା ଆକାଂକ୍ଷା ବ୍ଲକ ଅଧୀନରେ ପରିବର୍ତ୍ତନ ହୋଇଥିବା ଦେଶର ୫୦୦ ବ୍ଲକ ମଧ୍ୟରୁ ନାକଟିଦେଉଳ ବ୍ଲକ ଅନ୍ୟତମ। ଜିଲ୍ଲାପାଳ ସମ୍ବଲପୁର ସିଦ୍ଧେଶ୍ବର ବଳିରାମ ବନ୍ଦର ସଭା ପରିଚାଳନା କରିଥିବା ବେଳେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ରାଜ୍ୟ ସରକାରଙ୍କ ପଂଚାୟତରାଜ ଓ ପାନୀୟ ଜଳ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାୟକ, ଉତ୍ତରାଞ୍ଚଳ ଆଇଜୀ ସମ୍ବଲପୁର ହିମାଂଶୁ ଲାଲ, ଉତ୍ତରାଞ୍ଚଳ ରାଜସ୍ବ କମିସନର ସଚିନ ରାମଚନ୍ଦ୍ର ଯାଦବ, ଏସପି ମୁକେଶ ଭାମୁ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଭିସି ଏନ ନାଗରାଜୁ ରାଓ, ରେଙ୍ଗାଲିର ପୂର୍ବତନ ବିଧାୟକ ନାଉରି ନାଏକ, ଐତିହାସିକ ଦୀପକ ପଣ୍ଡା, ଗଙ୍ଗାଧର ମହେର ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗର ସହକାରୀ ଅଧ୍ୟାପକ ଅତୁଳ ଚରଣ ପ୍ରଧାନ, ନାକଟିଦେଉଳ କଲେଜର ଇତିହାସ ଅଧ୍ୟାପକ ଦେବେଶ କୁମାର ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ। ରେଢ଼ାଖୋଲ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ବିଜେପି ନେତା ଦେବେନ୍ଦ୍ର ମହାପାତ୍ର, ଉପଜିଲ୍ଲାପାଳ ରଶ୍ମିରଂଜନ ମହନ୍ତ, ବିଡ଼ିଓ କ୍ଷମା ନିଧି ଭୋଇ ମଧ୍ୟ୍ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

‘ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା’ରେ ବିଭିନ୍ନ ଚାଷୀମାନଙ୍କୁ ସହାୟତା ରାଶି ହସ୍ତାନ୍ତରଣ କଲେ କେନ୍ଦ୍ରମନ୍ତ୍ରୀ

ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଧାରିତ ଲକ୍ଷ୍ୟରୁ ଅଧିକ ଧାନ କିଣାଯାଇଛି, ଯାହା ଡବଲ ଇଞ୍ଜିନ ସରକାରର ଚାଷୀଙ୍କ ପ୍ରତି ଥିବା ପ୍ରତିବଦ୍ଧତାର ପ୍ରତିଫଳନ ବୋଲି ସୋମବାର ସମ୍ବଲପୁର ଠାରେ ପିଏମ୍ କିଷାନ ସମ୍ମାନ ନିଧିର ୬ ବର୍ଷ ପୂର୍ତ୍ତି ଅବସରରେ ‘କିଷାନ ସମ୍ମାନ ସମାରୋହ’ରେ ଯୋଗଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଡବଲ ଇଞ୍ଜିନ ସରକାରରେ ସମ୍ବଲପୁର ଜିଲ୍ଲାର ୧ ଲକ୍ଷ ୨୦ ହଜାର ଚାଷୀ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଓ ମୁଖ୍ୟମନ୍ତ୍ରୀ କିଷାନ ଯୋଜନାରେ ୧୨୦ କୋଟି ଟଙ୍କା ଲାଭ ପାଇଛନ୍ତି। କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ଏମଏସପିରେ ଧାନ ସଂଗ୍ରହ ବାବଦକୁ ସମ୍ବଲପୁର ଜିଲ୍ଲାରେ ପ୍ରାୟ ୩୨ ଲକ୍ଷ କ୍ୱିଣ୍ଟାଲ ଧାନ ପ୍ରାୟ ୯୭୬ କୋଟି ଟଙ୍କାରେ କିଣାଯାଇଛି। ସେଥିମଧ୍ୟରୁ କେନ୍ଦ୍ର ସରକାର ୭୨୪ କୋଟି ଏବଂ ରାଜ୍ୟ ସରକାର ୨୫୨ କୋଟି ଟଙ୍କା ମୂଲ୍ୟର ଧାନ କିଣିଛନ୍ତି। ନିର୍ଦ୍ଧାରିତ ଲକ୍ଷ୍ୟ ଠାରୁ ଅଧିକ ଧାନ କିଣିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡ଼ିଓ କନଫରେନ୍ସିଂ ଜରିଆରେ ବିହାରର ଭାଗଲପୁରରୁ ପିଏମ କିଷାନ ସମ୍ମାନ ନିଧିର ୧୯ତମ କିସ୍ତିର ହସ୍ତାନ୍ତର କାର୍ଯ୍ୟକ୍ରମ ଅନ୍ତର୍ଗତ ଓଡ଼ିଶା ସମେତ ଦେଶର ୯ କୋଟି ୮୦ ଲକ୍ଷ ଚାଷୀ ହିତାଧିକାରୀଙ୍କୁ ପ୍ରାୟ ୨୨ ହଜାର କୋଟି ଟଙ୍କା ପ୍ରଦାନ କରିଛନ୍ତି। ଆଜି ପିଏମ କିଷାନ ସମ୍ମାନ ନିଧି ଯୋଜନାରେ ସମ୍ବଲପୁର ଜିଲ୍ଲାର ପାଖାପାଖି ୬୧ ହଜାର ୨୩୭ ଜଣ ଚାଷୀଙ୍କୁ ପ୍ରାୟ ୧୨ କୋଟି ଟଙ୍କା ମିଳିଛି।

ଏହି ଅବସରରେ ରାଜ୍ୟ ସରକାରଙ୍କ ‘ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା’ରେ ବିଭିନ୍ନ ଚାଷୀମାନଙ୍କୁ ସହାୟତା ରାଶି ମଧ୍ୟ ହସ୍ତାନ୍ତରଣ କରାଯାଇଛି। ପିଏମ କିଷାନ ସମ୍ମାନ ନିଧି ଯୋଜନାରେ ଡିବିଟି ମାଧ୍ୟମରେ ଟଙ୍କା ଗ୍ରହଣ କରିଥିବା ଏବଂ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଉପକୃତ ହୋଇଥିବା ଅନ୍ନଦାତାମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ।

ସେହିପରି ଜିଲ୍ଲାରେ ୨ ଲକ୍ଷ ୬୦ ହଜାର ମା’ ଭଉଣୀଙ୍କୁ ସୁଭଦ୍ରା ଯୋଜନାରେ ପ୍ରାୟ ୨୬୦ କୋଟି ଟଙ୍କା ଦିଆଯାଇଛି। ମହିଳାମାନଙ୍କୁ ବିନା ସୁଧରେ ୪୨୫ କୋଟିରୁ ଅଧିକ ଟଙ୍କାର ଋଣ ମିଳିଛି। ଚାଷୀମାନଙ୍କୁ କମ ସୁଧରେ ପ୍ରାୟ ୫ ହଜାର କୋଟି ଟଙ୍କା ଋଣ ଆକାରରେ ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ୧୧୨ଟି ବର୍ଗରେ ଫସଲ, ଗୋପାଳନ, ମତ୍ସ୍ୟ ଚାଷ ସମେତ ସବୁ ବର୍ଗର ଚାଷୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଆର୍ଥିକ ରାଶି ପ୍ରଦାନ କରାଯାଉଛି। ସବସିଡି ବି ପ୍ରଦାନ କରାଯାଉଛି। କେନ୍ଦ୍ର ବଜେଟରେ ଡାଲି ଉତ୍ପାଦନରେ ଆତ୍ମନିର୍ଭର ହେବା ତୈଲ ଜାତୀୟ ଫସଲକୁ ପ୍ରୋତ୍ସାହନ ଦେବା ଉପରେ ଗୁରୁତ୍ୱ ଦିଆଯାଉଛି।

ଆଗାମୀ ଦିନରେ ଭାରତ ସରକାରଙ୍କ ସହଯୋଗରେ ଏହି ଅଞ୍ଚଳରେ ପ୍ରାୟ ୧୦୦ କୋଟି ଟଙ୍କା ବ୍ୟୟରେ ଅତ୍ୟାଧୁନିକ ମତ୍ସ୍ୟ ପ୍ରକ୍ରିୟାକରଣ ପ୍ରଶିକ୍ଷଣ କେନ୍ଦ୍ର ପ୍ରତିଷ୍ଠା ହେବ। ଏକ ଇଏସଆଇ ହସ୍ପିଟାଲ କରିବା ପାଇଁ ମଧ୍ୟ ଯୋଜନା ହେଉଛି। ନୀଳଡୁଙ୍ଗୁରି ମାର୍କେଟି ଟର୍ମିନାଲର ପ୍ରସ୍ତାବକୁ ପୁନର୍ବାର କରିବା ପାଇଁ କାମ ଆରମ୍ଭ ହୋଇଛି। ଚିପିଲିମାର କୃଷି ବିଶ୍ୱବିଦ୍ୟାଳୟକୁ ସମ୍ପୂର୍ଣ୍ଣ ଭାବେ ସ୍ୱତନ୍ତ୍ର କୃଷି ବିଦ୍ୟାଳୟରେ ପରିଣତ କରିବା ନେଇ କଳ୍ପନା ରହିଛି । ଜଙ୍ଗଲଜାତ ଉତ୍ପାଦ ପାଇଁ ଏଗ୍ରୋଫରେଷ୍ଟ୍ରି କୋର୍ସ କରାଯିବାର ଯୋଜନା ରହିଛି। ସମ୍ବଲପୁର ଜିଲ୍ଲାରେ ପାଖାପାଖି ୧୫ ଲକ୍ଷ ଲୋକମାନେ ବାସ କରୁଛନ୍ତି । ସେମାନଙ୍କ ଏ ଜୀବନରେ ସମ୍ପନ୍ନତା ଆଣିବା ଆମର ଲକ୍ଷ୍ୟ ରହିଛି। “ସବକା ସାଥ୍ – ସବକା ବିକାଶ”କୁ ଶାସନର ମୂଳ ମନ୍ତ୍ର କରିଥିବା ମୋଦୀ ସରକାର ସମ୍ବଲପୁର ଜିଲ୍ଲାକୁ କୃଷି ଓ ଗ୍ରାମ୍ୟ ଆଧାରିତ ଅର୍ଥନୀତିର ପେଣ୍ଠସ୍ଥଳୀ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀ ପ୍ରଧାନ ମତପ୍ରକାଶ କରିଛନ୍ତି।

ଉଲ୍ଲେଖନୀୟ ଯେ, ଶ୍ରୀ ପ୍ରଧାନ ସମ୍ବଲପୁରରେ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଆୟୋଜିତ ମେଳା ବୁଲିବା ସହ ଚାଷୀମାନଙ୍କ କଥା ହୋଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସମ୍ବଲପୁରରେ ପୂର୍ବୋଦୟ-୨୦୨୫ କାର୍ଯ୍ୟକ୍ରମ ଉଦଘାଟିତ

ଭୁବନେଶ୍ଵର: ସମ୍ବଲପୁର ଜିଏମ ବିଶ୍ବବିଦ୍ୟାଳୟ ଅଡିଟୋରିୟମରେ ଏମଏସଏମଇ ବିଭାଗ ପକ୍ଷରୁ ପୂର୍ବୋଦୟ-୨୦୨୫ କାର୍ଯ୍ୟକ୍ରମ ଉଦଘାଟିତ ହୋଇଛି। ୩ ଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ପଂଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ଉଦଘାଟନ କରିଛନ୍ତି।

ସେହିପରି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର, ରେଙ୍ଗାଲିର ପୂର୍ବତନ ବିଧାୟକ ନାଉରୀ ନାଏକ ପ୍ରମୁଖ ଉପସ୍ଥିତ ଥିଲେ। ଚାକିରି କରିବା ଅପେକ୍ଷା ଚାକିରୀ ଯୋଗାଇ ଦେବା ନୂଆଁ ପିଢୀର ଲକ୍ଷ ହେବା ଦରକାର ବୋଲି ମନ୍ତ୍ରୀ ଶ୍ରୀ ନାଏକ କହିଛନ୍ତି। ସେହିପରି ଷ୍ଟାର୍ଟଅପ କରିବା ପାଇଁ ଉଭୟ ଓ କେନ୍ଦ୍ର ରାଜ୍ୟ ସରକାରଙ୍କର ଅନେକ ଯୋଜନା ରହିଥିବା ମନ୍ତ୍ରୀ କହିଛନ୍ତି। ଫଳରେ ଆଜିର କାର୍ଯ୍ୟକ୍ରମରେ ସ୍ବାବଲମ୍ବୀ ହେବା ସହ ଲୋକଙ୍କୁ ରୋଜଗାର ଦେବା ସଂକ୍ରାନ୍ତରେ ପ୍ରଶିକ୍ଷଣ ଦିଆଯାଉଛି ବୋଲି ମନ୍ତ୍ରୀ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସମ୍ବଲପୁରରେ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରୀ ଯୋଜନାର ଶୁଭାରମ୍ଭ

ଭୁବନେଶ୍ଵର: ସମ୍ବଲପୁରରେ ତୃତୀୟ ପର୍ଯାୟ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରୀ ଯୋଜନାର ଶୁଭାରମ୍ଭ ହୋଇଛି। ଓଡ଼ିଶାର ୮ ଟି ଜ଼ିଲ୍ଲାର ବରିଷ୍ଠ ନାଗରିକ ମାନେ ଏହି ଯାତ୍ରାରେ ସାମିଲ ହୋଇଛନ୍ତି ରାଜ୍ୟରେ ଆର୍ଥିକ ଅନଗ୍ରସର ଓ ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ବରିଷ୍ଠ ନାଗରିକ ମାନଙ୍କୁ ସେମାନଙ୍କର ଆଧ୍ୟାତ୍ମିକ ଆକାଂକ୍ଷା ପୂରଣ ନିମନ୍ତେ ରାଜ୍ୟ ସରକାର (ପର୍ଯ୍ୟଟନ ବିଭାଗ) ୨୦୧୬ ମସିହାରୁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ପ୍ରଣୟନ କରି ସେମାନଙ୍କୁ ଦେଶର ବିଭିନ୍ନ ତୀର୍ଥସ୍ଥାନ ଭ୍ରମଣର ସୁଯୋଗ ପ୍ରଦାନ କରିଆସୁଛନ୍ତି। ଏହି ଯୋଜନାରେ ୬୦ ରୁ ୭୫ ବର୍ଷ ବୟସ୍କ ନାଗରିକ ମାନଙ୍କୁ ଜାତି ଧର୍ମ ନିର୍ବିଶେଷରେ ଚୟନ କରାଯାଉଅଛି।

ଚଳିତ ବର୍ଷ ୮୦୦୦ ବରିଷ୍ଠନାଗରିକ ୧୦ ଟି ପର୍ଯ୍ୟାୟରେ ସିରିଡି, ନାସିକ, ଦକ୍ଷିଣେଶ୍ବର କାଳୀ (କୋଲକାତା), କାମାକ୍ଷା, ଅଯୋଧ୍ୟା, ବାରଣାସୀ ଆଦି ତୀର୍ଥସ୍ଥାନ ଭ୍ରମଣର ସୁଯୋଗ ପାଇବେ। IRCTC ଦ୍ବାରା ଯାତ୍ରା ସମୟରେ ସମସ୍ତ ତୀର୍ଥଯାତ୍ରୀମାନଙ୍କର ରହିବା, ଯିବା ଆସିବା ଏବଂ ଖାଦ୍ୟ ପାନୀୟର ବ୍ୟବସ୍ଥା। IRCTC ଦ୍ବାରା ଗସ୍ତ ଜଗୁଆଳୀ, ପଥପ୍ରଦର୍ଶକ, ଯାତ୍ରୀବୀମା ଏବଂ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଛି। ୨୦୨୪-୨୫ ଆର୍ଥିକ ବର୍ଷର ତିର୍ଥ ଯାତ୍ରାଟ୍ରେନ୍ ସମ୍ବଲପୁର ରେଳଷ୍ଟେସନ ଠାରୁ ଜିଲ୍ଲାରୁ ବରିଷ୍ଠ ନାଗରିକ ମାନେ ଯାତ୍ରା କରିଛନ୍ତି।

ସମ୍ବଲପୁରରୁ ୭୭୫ ଜଣ ବରିଷ୍ଠ ନାଗରିକ ଏହି ଯାତ୍ରା ରେ ସାମିଲ ହୋଇଛନ୍ତି। ଏମାନଙ୍କ ପାଈଁ ଓଡିଶା ସରକାର ୨୫ ଜଣ ସଦସ୍ୟଙ୍କୁ ମଧ୍ୟ ତାଙ୍କ ସହ ପଠାଯାଇଛି। ସମ୍ବଲପୁର ସମେତ ବରଗଡ଼, ଦେବଗଡ଼ ଝାରସୁଗୁଡା, ସୁନ୍ଦରଗଡ଼, ବଲାଙ୍ଗୀର, ସୁବର୍ଣ୍ଣପୁର ଓ ଅନୁଗୁଳ ଜ଼ିଲ୍ଲାରୁ ବରିଷ୍ଠ ନାଗରିକ ମାନେ ତୀର୍ଥ ଯାତ୍ରା ପାଈଁ ଯାଇଛନ୍ତି। ସେପଟେ ଏହି ତୀର୍ଥଯାତ୍ରା ରେ ଯାଉଥିବା ବରିଷ୍ଠ ନାଗରିକ ମାନେ ମଧ୍ୟ ବେଶ ଖୁସି ପ୍ରକଟ କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଲିଙ୍ଗ ନିରୂପଣ ନିଷିଦ୍ଧ ଆଇନ ୧୯୯୪ ର ଜିଲ୍ଲା ପରାମର୍ଶ ଦାତା ଓ ଟାସ୍କ ଫୋର୍ସ ବୈଠକ

ଭୁବନେଶ୍ଵର: ଲିଙ୍ଗ ନିରୂପଣ ନିଷିଦ୍ଧ ଆଇନ ୧୯୯୪ ର ଜିଲ୍ଲା ପରାମର୍ଶ ଦାତା ଏବଂ ଟାସ୍କ ଫୋର୍ସ ବୈଠକ ଗୁରୁବାର ଅପରାହ୍ନରେ ଜିଲ୍ଲାପାଳ, ସମ୍ବଲପୁର ସିଦ୍ଧେଶ୍ଵର ବଳିରାମ ବୋନ୍ଦର(ଆଇ.ଏ.ଏସ), ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଙ୍କ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି। ସମ୍ବଲପୁର ଜିଲ୍ଲାରେ ୨ଟି ବେସରକାରୀ ଅଲ୍ଟ୍ରାସାଉଣ୍ଡ କେନ୍ଦ୍ର ର ପଞ୍ଜୀକରଣ କରିବା ପାଇଁ ଆଲୋଚନା କରାଯାଇ ଅନୁମୋଦନ କରାଗଲା। ଜିଲ୍ଲାରେ ରାଜସ୍ୱ ପାଣ୍ଠି ରୁ ୨୪ ଟି ପ୍ରଶାସନିକ, ଡାକ୍ତରଖାନା ଏବଂ ବିଭିନ୍ନ ଅଞ୍ଚଳ ରେ ହୋର୍ଡିଂ ଲଗାଇ ଜନ ସଚେତନ କରାଯାଇଅଛି।

ଏହା ବ୍ୟତୀତ ଜିଲ୍ଲାର ୱେବସାଇଟ ରେ ସମସ୍ତ ପଞ୍ଜୀକୃତ ଅଲ୍ଟ୍ରାସାଉଣ୍ଡ କ୍ଲିନିକ୍ ଗୁଡିକର ତଥ୍ୟ ଉପଲବ୍ଧ କରାଯାଇଅଛି। ଜିଲ୍ଲାରେ ନଭେମ୍ବର ୨୫ ରୁ ଡିସେମ୍ବର ୧୦ ପର୍ଯ୍ୟନ୍ତ ମହିଳା ଓ ଘରୋଇ ହିଂସା ନିରାକରଣ ପକ୍ଷ ପାଳନ କରାଯାଇଅଛି। ଉକ୍ତ ସଭାରେ ଜିଲ୍ଲା ମୁଖ୍ୟ ଚିକତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡଃ ସୁଜାତାରାଣୀ ମିଶ୍ର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସଞ୍ଜୁକ୍ତା କୁଲୁ, ସଖୀ ଏନଜିଓ, ଚାଇଲ୍ଡ ଲାଇନ ପ୍ରତିନିଧି, ସରକାରୀ ଓକିଲ,ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ପ୍ରମୁଖ ଉପସ୍ଥିତ ଥିଲେ। ସମସ୍ତ ତଥ୍ୟ କୁ ବୁଧ ରଞ୍ଜନ ଭୋଇ, ସହକାରୀ ପରିଚାଳକ (ଆଇନ ବ୍ୟାପାର) ଉପସ୍ଥାପନ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସମ୍ବଲପୁର ହେବ ଶିଳ୍ପ ଓ ବ୍ୟବସାୟର ପେଣ୍ଠସ୍ଥଳି: ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର: ସମ୍ବଲପୁରର ଅପାର ସମ୍ଭାବନାକୁ ଉପଯୋଗ କରି ଜିଲ୍ଲାକୁ ଶିଳ୍ପ ଓ ବ୍ୟବସାୟର ପେଣ୍ଠସ୍ଥଳିରେ ପରିଣତ କରିବା ପାଇଁ ଆମେ ଯୋଜନା କରିବା ଦରକାର ବୋଲି ରବିବାର ସମ୍ବଲପୁର ଠାରେ ଚାମ୍ବର ଅଫ୍ କମର୍ସ ବୈଠକରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ସମ୍ବଲପୁରରେ ଥିବା ଶିଳ୍ପ ଓ ବ୍ୟବସାୟର ସମ୍ଭାବନା ଉପରେ ଆଲୋକପାତ କରିବା ସହ ଶ୍ରୀ ପ୍ରଧାନ କହିଛନ୍ତି କଳା, ସଂସ୍କୃତି ଓ ପୁରାତନ ସଭ୍ୟତାର ସହର ହେଉଛି ସମ୍ବଲପୁର। ସମ୍ବଲପୁରର ମୂଳ ଅର୍ଥନୀତି ହେଉଛି ଟ୍ରେଡିଂ ବା ବାଣିଜ୍ୟ। ଜିଲ୍ଲାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏଠାରେ କେବଳ ଶିଳ୍ପ ନୁହେଁ ବରଂ ସ୍ଥାନୀୟ ନାଗରିକଙ୍କ ଇଜ୍ ଅଫ୍ ଲିଭିଂକୁ ପରିବର୍ତ୍ତନ କରିବା ପାଇଁ ପଡିବ। ପାନୀୟ ଜଳ, ସ୍ୱାସ୍ଥ୍ୟ, ଶିକ୍ଷା, ରୋଜଗାର ସହ ସଡ଼କପଥ ଭିତ୍ତିଭୂମିକୁ ମଜଭୂତ୍ କରିବା ପାଇଁ ପଡିବ।

ସମ୍ବଲପୁରରେ ବ୍ୟବସାୟର ବାତାବରଣ ତିଆରି କରିବା, ଶିଳ୍ପ କ୍ଷେତ୍ରର ଅଭିବୃଦ୍ଧି ପାଇଁ ପ୍ରୟାସ କରିବା ତଥା ଜିଲ୍ଲାର ଅର୍ଥନୀତିକୁ ମଜଭୂତ୍ କରିବା ଦିଗରେ ଚାମ୍ବର୍ ଅଫ କମର୍ସର ଅବଦାନ ଅତୁଳନୀୟ। ତେବେ ଏଠାରେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ସହଯୋଗୀ ହୋଇ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ସମ୍ବଲପୁରର ପୁରୁଣା ଅଯୋଧ୍ୟା ସାଗର ବନ୍ଧକୁ ‘ରିଭରଫ୍ରଣ୍ଟ ଡେଭଲପମେଣ୍ଟ ପ୍ରୋଜେକ୍ଟ’ ଅଧୀନରେ ବିକଶିତ କରିବାର କଳ୍ପନା କରାଯାଇଛି। ହୀରାକୁଦ ବନ୍ଧର ନବୀକରଣ ପାଇଁ ସରକାର କାର୍ଯ୍ୟ କରୁଛନ୍ତି। ଦେବ୍ରୀଗଡ଼ ଅଭୟାରଣ୍ୟ ସମେତ ସମ୍ବଲପୁରର ପର୍ଯ୍ୟଟନ ଭିତ୍ତିଭୂମିକୁ ସୁଦୃଢ କରିବା ସହ ପର୍ଯ୍ୟଟକଙ୍କ ସଂଖ୍ୟା ବଢାଇବା ପାଇଁ ଉଦ୍ୟମ ଜାରି ରହିଛି। ଏଥିରେ ଚାମ୍ବର ଅଫ୍ କମର୍ସ ମଧ୍ୟ ସହଯୋଗୀ ହେବା ଦରକାର।

ଏକବିଂଶ ଶତାବ୍ଦୀରେ ସମ୍ବଲପୁରକୁ ଆଧୁନିକ ଓ ଶିଳ୍ପଭିତ୍ତିକ ସହରରେ ପରିଣତ କରିବା ଦିଗରେ ଚାମ୍ବର ଅଫ୍ କମର୍ସ ଏକ ଅଗ୍ରଣୀ ଭୂମିକା ନିର୍ବାହ କରିବା ଦରକାର ବୋଲି ଶ୍ରୀ ପ୍ରଧାନ ମତ ପ୍ରକାଶ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

କୁଦୋପାଲି ଘଟଣା ଜାଲିଆନାୱାଲା ବାଗ ହତ୍ୟାକାଣ୍ଡରୁ କୌଣସି ଗୁଣରେ କମ ନଥିଲା: ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର: ୧୮୫୭ର ସମ୍ବଲପୁର କୁଦୋପାଲି ଘଟଣା କୌଣସି ଗୁଣରେ ଜାଲିଆନାୱାଲା ବାଗ ହତ୍ୟାକାଣ୍ଡ ଘଟଣା ଠାରୁ କମ ନଥିଲା ବୋଲି ରବିବାର ସମ୍ବଲପୁର ଠାରେ ‘ଦି ସାଗା ଅଫ୍ କୁଦୋପାଲି : ଦ ଅନସଙ୍ଗ୍ ଷ୍ଟୋରି ଅଫ୍ ୧୮୫୭” ଇଂରାଜୀ ପୁସ୍ତକ ଉନ୍ମୋଚନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

କୁଦୋପାଲି ଘାଟିରେ ଶହୀଦ ହୋଇଥିବା ବୀର ଛବିଳ ସାଏ ତଥା ୫୭ ଜଣ ଶହୀଦଙ୍କ ସ୍ମୃତିରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାର ଅବ୍ୟବହିତ ପୂର୍ବରୁ ଆଜି ଗଣମାନ୍ୟ ବ୍ୟକ୍ତିବିଶେଷଙ୍କ ଗହଣରେ ପୁସ୍ତକର ଇଂରାଜୀ ସଂସ୍କରଣକୁ ଉନ୍ମୋଚନ କରି ଗୌରବାନ୍ୱିତ ହୋଇଥିବା କହିଛନ୍ତି ଶ୍ରୀ ପ୍ରଧାନ । ସେ କହିଛନ୍ତି ୧୮୫୭ ମସିହା ଡିସେମ୍ବର ୩୦ରେ ସମ୍ବଲପୁରର କୁଦୋପାଲି ଘାଟିରେ ବ୍ରିଟିଶ ମାନଙ୍କ ସହ ଅଦମ୍ୟ ସାହସର ସହ ଲଢି ୫୩ ସହଯୋଗୀ ସଂଗ୍ରାମୀ ଶହୀଦ ହୋଇଥିଲେ ଓ ପରେ ୪ ଜଣଙ୍କୁ ଦଣ୍ଡାଦେଶ ଦିଆଯାଇଥିଲା । ସମ୍ବଲପୁର ମାଟିରେ ସଂଗଠିତ ଏହି କୁଦୋପାଲି ମହାସଂଗ୍ରାମରେ ଖିଣ୍ଡା, କୁଲାବିରା, ଘେଁସ, ଲଖନପୁର ଆଦି ଅଞ୍ଚଳର ଅନେକ ପରିବାର ସଂଗ୍ରାମରେ ତ୍ୟାଗ ଓ ବଳିଦାନ ଦେଇଛନ୍ତି । ମାତ୍ର ଏହି ଇତିହାସ ଅନେକଙ୍କ ପାଇଁ ଅଜଣା ଥିଲା । ଗତବର୍ଷ ଡିସେମ୍ବର ୩୦ରେ କୁଦୋପାଲି ଠାରେ ‘ବୀର ଛବିଳ ସାଏ ସ୍ମୃତି କମିଟି’ ପକ୍ଷରୁ ବୀର ଛବିଳ ସାଏ ଓ ୫୭ ଜଣ ଶହୀଦଙ୍କ ସ୍ମୃତିରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଏହି ବିଷୟରେ ସେ ଅବଗତ ହେବା ସହ କୁଦୋପାଲିର ଇତିହାସ ଉପରେ ଗବେଷଣା ସହ ତାହାକୁ ପୂର୍ଣ୍ଣାଙ୍ଗ ପୁସ୍ତକର ରୂପ ଦେବା ପାଇଁ ଆଇସିଏଚଆର୍ ଓ ଏନବିଟିକୁ ଦାୟିତ୍ୱ ଦେଇଥିଲେ ।  ସ୍ୱାଧୀନତାର ୭୫ ବର୍ଷ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଇତିହାସ ପୃଷ୍ଠାରେ ଅନାଲୋଚିତ ସଂଗ୍ରାମୀମାନଙ୍କୁ ଲୋକଲୋଚନକୁ ଆଣିବା ପାଇଁ ଆହ୍ୱାନ ଦେଇଥିଲେ । ସେହି କ୍ରମରେ ଏହା ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ । କୁଦୋପାଲିର ବୀରମାନଙ୍କ ସ୍ମୃତିରେ ଏଭଳି ଏକ ଐତିହାସିକ ପୁସ୍ତକ ସଙ୍କଳନ ଓ ପ୍ରକାଶନ ପାଇଁ ଶ୍ରୀ ପ୍ରଧାନ ନ୍ୟାସନାଲ ବୁକ୍ ଟ୍ରଷ୍ଟ ଏବଂ ଆଇସିଏଚଆର ଏବଂ ପୁସ୍ତକ ପ୍ରକାଶନ କରିବାରେ ସହଯୋଗୀ ହୋଇଥିବା ସମସ୍ତଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି ।

ସେ କହିଛନ୍ତି ଆଗାମୀ ଦିନରେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଏନବିଟି ତରଫରୁ ଆୟୋଜିତ ହେଉଥିବା ସର୍ବବୃହତ ପୁସ୍ତକ ମେଳା ଅବସରରେ ଲୋକାର୍ପିତ ଏହି ପୁସ୍ତକର ହିନ୍ଦୀ ସଂସ୍କରଣ କରିବା ପାଇଁ ଯୋଜନା ରହିଛି । ପୁସ୍ତକଟିକୁ ଓଡ଼ିଆ ସମେତ ୧୦ଟି ପ୍ରମୁଖ ଭାରତୀୟ ଭାଷାରେ ପ୍ରକାଶିତ କରିବା ପାଇଁ ଏନବିଟିକୁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି । ଆଜିର ପୁସ୍ତକ ଦ୍ୱାରା କୁଦୋପାଲିର ବଳିଦାନ ଓ ବୀରଗାଥା ବିଶ୍ୱର କୋଣ ଅନୁକୋଣରେ ପହଞ୍ଚିବ । ଇତିହାସ ପୃଷ୍ଠାରେ ଅନାଲୋଚିତ ଓଡ଼ିଶାର ଗୌରବକୁ ଏହି ପୁସ୍ତକ ଏକ ଜାତୀୟ ସ୍ୱୀକୃତି ଆଣିଦେବ । ଏ ପ୍ରକାର ଐତିହାସିକ ତଥ୍ୟ ନିରନ୍ତର ଆସିବା ଦରକାର ବୋଲି ସେ ଆଶାବ୍ୟକ୍ତ କରିଥିଲେ ।

ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କର ଦେବ୍ରୀଗଡ଼ ସହ ଥିବା ସମ୍ପର୍କ, ବକ୍ସି ଜଗବନ୍ଧୁ, ଜୟୀ ରାଜଗୁରୁ, ସମ୍ବଲପୁର କାନ୍ତି ଉପରେ ଆଲୋକପାତ କରିଥିଲେ କେନ୍ଦ୍ରମନ୍ତ୍ରୀ । ସେ କହିଥିୱେ ଓଡ଼ିଶାରେ ଏମିତି କେଉଁ ଜିଲ୍ଲା ନାହିଁ ଯେଉଁ ଜିଲ୍ଲାରେ ସ୍ୱାଧୀନତା ସଂଗ୍ରାମର ଇତିହାସ ଓ ପ୍ରେରଣାର କାହାଣୀ ନଥିବ ।  ଆଉ ପ୍ରାୟ ଦୁଇ ବର୍ଷରେ ସମ୍ବଲପୁର କ୍ରାନ୍ତିର ୨୦୦ ବର୍ଷ ପୂର୍ତ୍ତି ପାଳନ ହେବ । ଏବେଠାରୁ ଆମ ମାଟିର ସଂଘର୍ଷ ସମଗ୍ର ବିଶ୍ୱକୁ ଜଣାଇବା ପାଇଁ ପଡିବ । ଏହି ବୀର ଶହୀଦ ମାନଙ୍କ ତ୍ୟାଗ, ନିଷ୍ଠା ଓ  ପରାକ୍ରମ ସବୁ ଦିନ ପାଇଁ ସ୍ମରଣୀୟ ହୋଇ ରହିବ ବୋଲି ଶିକ୍ଷା ମନ୍ତ୍ରୀ କହିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସମ୍ବଲପୁରରେ ‘ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା’ ବୁଲିଲେ କେନ୍ଦ୍ରମନ୍ତ୍ରୀ

ସମ୍ବଲପୁର: ଚାଷ ହେଉଛି ସମ୍ବଲପୁରର ଅର୍ଥନୀତି। କୃଷି ହିଁ ଏଠାକାର ସାଂସ୍କୃତିକ ଓ ସାମାଜିକ ଏକତାର ମୂଳ ଉପାଦାନ। ସମ୍ବଲପୁରର ଜନସାଧାରଣ ବିଶେଷ ଭାବରେ ‘ଅନ୍ନଦାତା’ଙ୍କ ପାଖରେ ଆଧୁନିକ କୃଷି ଯନ୍ତ୍ରପାତି ପହଞ୍ଚାଇବା ଦିଗରେ ରାଜ୍ୟ ସରକାରଙ୍କ ପକ୍ଷରୁ ‘ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା’ର ଆୟୋଜନ ସ୍ୱାଗତଯୋଗ୍ୟ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

‘ସୁଶାସନ ଦିବସ’ ଅବସରରେ ସମ୍ବଲପୁର ଜିଲ୍ଲାର ଅଇଁଠାପାଲି ଠାରେ “ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା, କୃଷି ମହୋତ୍ସବ ଏବଂ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ୨୦୨୪-୨୫” ରେ ଯୋଗଦେଇ ଶ୍ରୀ ପ୍ରଧାନ ଚାଷୀମାନଙ୍କୁ ଆଧୁନିକ କୃଷି ଉପକରଣ ପ୍ରଦାନ କରିଛନ୍ତି । ବିଭିନ୍ନ ରକମର ଚାଷ କରୁଥିବା ଚାଷୀ, ଓ ସଂସ୍ଥାମାନଙ୍କୁ ପୁରସ୍କୃତ କରିବା ସହ ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସମ୍ବଲପୁର ସମେତ ଓଡ଼ିଶାର ଚାଷ ଓ ଚାଷୀଙ୍କୁ ଅଧିକରୁ ଅଧିକ ସଶକ୍ତ କରିବା ପାଇଁ ଡବଲ ଇଞ୍ଜିନ ସରକାର ନିରନ୍ତର ପ୍ରୟାସ କରଛନ୍ତି । ରାଜ୍ୟରେ ବିଜେପି ସରକାର ହେବା ପରେ ଚାଷୀମାନଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ ହୋଇଛି ।

ଓଡ଼ିଶାର ଚାଷୀମାନଙ୍କର ହିତ ପାଇଁ କ୍ୱିଣ୍ଟାଲ ପିଛା କେନ୍ଦ୍ର ସରକାରଙ୍କ ଧାନର ଏମଏସପି ୨୩୦୦ ଟଙ୍କା ଉପରେ ଅଧିକ ୮୦୦ ଟଙ୍କାର ଇନ୍‌ପୁଟ୍‌ ସହାୟତା ରାଶି ତଥା ସମୁଦାୟ ୩୧୦୦ ଟଙ୍କା ପ୍ରଦାନର ଶୁଭାରମ୍ଭ ହୋଇଛି । ସମ୍ବଲପୁର ଜିଲ୍ଲାରେ ଅଧିକ ଧାନ କିଣାଯିବା ନେଇ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ସୁଭଦ୍ରା ଯୋଜନାରେ ମାଆ ଭଉଣୀମାନଙ୍କୁ ସିଧାସଳଖ ଡିବିଟି ସାହାଯ୍ୟରେ ଆର୍ଥିକ ସହାୟତା ମିଳିବା ଦ୍ୱାରା ସେମାନେ ସଶକ୍ତ ହେଉଛନ୍ତି । ଏ ସବୁ ଦ୍ୱାରା ଆନୁମାନିକ ୫୫୦ କୋଟି ଟଙ୍କା ସମ୍ବଲପୁର ଜିଲ୍ଲାକୁ ପ୍ରଥମ ଥର ପାଇଁ ଡବଲ ଇଞ୍ଜିନ ସରକାର ଦେଉଛନ୍ତି ।

ଚାଷ ସମେତ ସମ୍ବଲପୁରରେ ବୁଣାକାର ଓ ଅନ୍ୟାନ୍ୟ ଶିଳ୍ପସମୂହ ଅଛି । ସମ୍ବଲପୁରକୁ ଆଧୁନିକ ଅର୍ଥନୀତି ଭାବେ ଗଢିତୋଳିବା ପାଇଁ ଆମର ଉଦ୍ୟମ ଜାରି ରହିଛି । ସୁନ୍ଦର, ସମୃଦ୍ଧ ଏବଂ ସମ୍ପନ୍ନ ସମ୍ବଲପୁର ତିଆରି କରିବା ଆମର ଲକ୍ଷ୍ୟ ରହିଥିବା ବେଳେ ଚାଷ ଏହାର ମୂଳଦୂଆ ଭାବେ କାମ କରିବ । ଚାଷୀ, ମହିଳା, ଯୁବ, ପଛୁଆ ବର୍ଗର ଲୋକମାନେ ଏ ସବୁ କ୍ଷେତ୍ରରେ ନେତୃତ୍ୱ ନେବେ ବୋଲି ସେ କହିଛନ୍ତି ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଗ୍ରାମୀଣ ବିକାଶ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ମନ୍ତ୍ରୀ ରବି ନାରାୟଣ ନାୟକ ଓ ବିଧାୟକ ଜୟ ନାରାୟଣ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Categories
ଆଜିର ଖବର ଜାତୀୟ ଖବର

‘ସୁଶାସନ ଦିବସ’ ଅବସରରେ ସମ୍ବଲପୁରରେ ଟିବି ପୀଡିତଙ୍କୁ ପୁଷ୍ଟି କିଟ୍ ବିତରଣ କଲେ କେନ୍ଦ୍ରମନ୍ତ୍ରୀ

ସମ୍ବଲପୁର:  ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଶତବାର୍ଷିକୀ ତଥା ସୁଶାସନ ଦିବସ ଏବଂ ପବିତ୍ର ବଡ ଦିନରେ ସମ୍ବଲପୁର ଜିଲ୍ଲାର ସରକାରୀ ସ୍ତରରେ ପଞ୍ଜିକୃତ ହୋଇଥିବା ଟିବି ପୀଡ଼ିତ ଭାଇ ଭଉଣୀମାନଙ୍କୁ ମାସିକ ପୁଷ୍ଟି କିଟ୍ ପ୍ରଦାନ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଅବସରରେ ସମବେତ ଜନସାଧାରଣଙ୍କୁ ଟିବି ମୁକ୍ତ ପାଇଁ ଶପଥ ପାଠ କରାଇବା ସହ ୨୦୨୫ ଡିସେମ୍ବର ସୁଦ୍ଧା ସମ୍ବଲପୁର ଜିଲ୍ଲାକୁ ଟିବି ମୁକ୍ତ କରିବା ପାଇଁ ସଂକଳ୍ପ ନେବାକୁ ସେ ଆହ୍ୱାନ କରିଛନ୍ତି।

ଟିବି ମୁକ୍ତ ଭାରତ ଅଭିଯାନ ଅଧୀନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଟିବି ବା ଯକ୍ଷ୍ମା ଏକ ସଂକ୍ରାମକ ରୋଗ ନୁହେଁ। ପରିବେଶ ପ୍ରଦୂଷଣ, ଦାରିଦ୍ର‌୍ୟ ଓ ସଚେତନତା ଅଭାବରୁ ଲୋକମାନେ ଏହି ରୋଗର ଶୀକାର ହୋଇଥାନ୍ତି। ସମ୍ବଲପୁର ଜିଲ୍ଲାରେ ସରକାରୀ ପଞ୍ଜିକୃତ ହୋଇଥିବା ଯକ୍ଷ୍ମା ରୋଗୀଙ୍କ ସଂଖ୍ୟା ଅଛି ୧୪୩୫। ତନ୍ମଧ୍ୟରୁ ୧୧୮୫ ଜଣ ଯକ୍ଷ୍ମା ରୋଗୀଙ୍କ ଚିକିତ୍ସା କରାଯାଉଛି। ଅଧିକ ୨୫୦ ଜଣ ରୋଗୀ ଏହି ସଂଖ୍ୟାରେ ଯୋଡି ହୋଇଛନ୍ତି। ତେବେ ପୁଷ୍ଟିକର ଖାଦ୍ୟ, ଆଧୁନିକ ଚିକିତ୍ସା ଏବଂ ଜନ ଭାଗିଦାରୀ ବଳରେ ଟିବିର ସମ୍ପୂର୍ଣ୍ଣ ବିଲୋପ କରାଯାଇପାରିବ। ଏଥିପାଇଁ ରୋଗୀଙ୍କୁ ଧୈର୍ଯ୍ୟ ଧରି ସାହସର ସହ ଏହି ରୋଗର ମୁକାବିଲା କରିବାକୁ ପଡିବ। ସମ୍ବଲପୁର ସମେତ ସମଗ୍ର ଓଡ଼ିଶାକୁ ଟିବି ମୁକ୍ତ କରାଇବା ପାଇଁ ପଡିବ। ପ୍ରଦୂଷଣକୁ ହ୍ରାସ କରିବା ପାଇଁ ସୁବଜ ପରିବେଶ ସୃଷ୍ଟି କରିବାକୁ ହେବ।

ସେ ଆହୁରି କହିଛନ୍ତି ଯେ ସମ୍ବଲପୁର ସମେତ ଓଡ଼ିଶାରେ ନିକ୍ଷୟ ମିତ୍ର ଏବଂ କମ ସମୟରେ ପ୍ରଭାବୀ ଉପଚାର ଭଳି ପଦକ୍ଷେପ ଯୋଗୁ ଯକ୍ଷ୍ମା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଛି। ସମ୍ବଲପୁର ଜିଲ୍ଲାକୁ ଟିବି ମୁକ୍ତ କରିବା ପାଇଁ ଜନପ୍ରତିନିଧି ଓ କର୍ପୋରେଟ୍ ସଂସ୍ଥାମାନେ ଦାୟିତ୍ୱ ନେଉଛନ୍ତି। ଏହି ଟିବି ମୁକ୍ତ ଅଭିଯାନରେ ପୀଡିତ ଓ ସେମାନଙ୍କ ପରିବାରର ସେବା ପାଇଁ ସମାଜର ପ୍ରବୃଦ୍ଧ ବ୍ୟକ୍ତି, ଯୁବ ସଂଗଠନ, ସାମାଜିକ ସଂଗଠନ ଓ ନାଗରିକମାନେ ବି ବ୍ୟକ୍ତିଗତ ଭାବରେ ସାମିଲ ହୁଅନ୍ତୁ। ଯକ୍ଷ୍ମା ରୋଗୀଙ୍କ ସହ ସେମାନଙ୍କ ପରିବାରକୁ ଆର୍ଥିକ ଓ ଅନ୍ୟାନ୍ୟ ସହାୟତାର ଦାୟିତ୍ୱ ନେବା ପାଇଁ ସେ ପରାମର୍ଶ ଦେଇଛନ୍ତି।

ଶ୍ର ପ୍ରଧାନ କହିଛନ୍ତି ଯେ, ଜିଲ୍ଲା ପ୍ରଶାସନ ଏଥିପାଇଁ ପାରଦର୍ଶୀ ଭାବରେ ପୋର୍ଟାଲର ବ୍ୟବସ୍ଥା ସହ ବିଭିନ୍ନ ଯୋଜନା କରନ୍ତୁ। ଅନ୍ୟର ସେବା କରିବାର ମନୋଭାବ ରହିଲେ ହିଁ ଆମର ସମାଜକୁ ସୁସ୍ଥ କରିବାର ମୂଳ ଲକ୍ଷ୍ୟ ସାଧିତ ହୋଇପାରିବ। ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ସମ୍ବଲପୁର ଏବଂ ଓଡ଼ିଶା ସମେତ ଭାରତକୁ ସଂପୂର୍ଣ୍ଣ ଭାବରେ ଟିବି ମୁକ୍ତ କରିବା ପାଇଁ “ଟିବି ମୁକ୍ତ ଭାରତ ଅଭିଯାନ”ରେ ସାମିଲ ହେବା ଏବଂ ଯକ୍ଷ୍ମା ରୋଗ ଦୂର କରିବା ପାଇଁ ଆମର ଯୋଗଦାନ ଦେବା। ଶ୍ରୀ ପ୍ରଧାନ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା’ ସମଲେଶ୍ୱରୀଙ୍କ ପାଖରେ ପୀଡିତଙ୍କ ଆଶୁ ଆରୋଗ୍ୟ ଓ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ଲାଭ ସହ ପାରିବାରିକ ମଙ୍ଗଳ ପାଇଁ ପ୍ରାର୍ଥନା କରିଛନ୍ତି।

Categories
ଆଞ୍ଚଳିକ

ନାକଟିଦେଉଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ

ରେଢ଼ାଖୋଲ (କନ୍ଦର୍ପ ବେହେରା): ନାକଟିଦେଉଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା ସମାରୋହ ଉଦଯାପିତ ହୋଇଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷ ହେମାନନ୍ଦ ପ୍ରଧାନଙ୍କ ସଭାପତିତ୍ବ ଓ ଅଧ୍ୟାପକ ଡ ପ୍ରଶାନ୍ତ କୁମାର ଦାଶଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ରେଢାଖୋଲ ଉପଜିଲ୍ଲାପାଳ ରଶ୍ମିରଞ୍ଜନ ମହନ୍ତ, ମୁଖ୍ୟ ବକ୍ତା ଭାବେ ନାକଟିଦେଉଳ ବିଡିଓ କ୍ଷମାନିଧି ଭୋଇ, ସମ୍ମାନୀତ ଅତିଥି ଭାବେ ନାକଟିଦେଉଳ ତହସିଲଦାର ଅମର ଜେ ଡୁଙ୍ଗ ଡୁଙ୍ଗ ଓ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ ଦୀପେନ କୁମାର ପଟ୍ଟନାୟକ ଯୋଗ ଦେଇ କ୍ରୀଡା ର ମହତ୍ତ୍ବ ଓ ନିଜ ନିଜ ଅନୁଭୁତି ଉପରେ ଗୁରୁତ୍ବ ଆରୋପ କରିଥିଲେ।

ଖେଳ ଶିକ୍ଷକ ଜିତେନ୍ଦ୍ରିୟ ପ୍ରଧାନ ଓ ଅଧ୍ୟାପକ ଉମାକାନ୍ତ ବିଶ୍ବାଳଙ୍କ ଦ୍ବାରା ପୁରସ୍କାର ବିତରଣ କରାଯାଇଥିଲା। ବାଳକ ବିଭାଗରେ +୨ କଳାଛାତ୍ର ବଳରାମ ସାହୁ ଓ ଛାତ୍ରୀ ତୁଳସୀ ନାୟକ ଚମ୍ପିଆନ ହୋଇ ପୁରସ୍କୃତ ହୋଇଥିଲେ। ଛାତ୍ରୀ ମାନେ ସ୍ବାଗତ ଓ ଉଦଯାପନୀ
ନୃତ୍ୟ ପରିବେଷଣ କରିଥିଲେ।

ଅଧ୍ୟାପିକା ବିନୀତା ମୁର୍ମୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଗ୍ରନ୍ଥଗାରିକ ଅରୁଣ କୁମାର ବିଶ୍ବାଳ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ଖେଳ ରାଜ୍ୟ ଖବର

ସର୍ବଭାରତୀୟ ସଦାଶିବ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉବ୍‌ଯାପିତ: ଏମ୍ଏମ୍‌ସିସି ଟିମ୍ ସମ୍ବଲପୁର ଚାମ୍ପିଆନ୍ 

ଭୁବନେଶ୍ଵର: ନୟାଗଡ଼ ଜିଲା ଭାପୁର ବ୍ଲକ ଫତେଗହ ଗ୍ରାମରେ ଚାଲିଥିବା ୧୫ତମ ସର୍ବଭାରତୀୟ ସଦାଶିବ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରବିବାର ସନ୍ଧ୍ୟାରେ ଉବ୍‌ଯାପିତ ହୋଇଛି। ଆଜିର ଏହି ପ୍ରତିଯୋଗୀତା ଏମ୍ଏମ୍‌ସିସି ଟିମ୍ ସମ୍ବଲପୁର ଏବଂ ବିଶାଖାପାଟଣାର ନବସିପ ଚମ୍ପିୟାନ୍ ଟିମ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଏହି ମ୍ୟାଚରେ ଏମ୍ଏମ୍‌ସିସି ଟିମ୍ ସମ୍ବଲପୁର ଚାମ୍ପିଆନ ହୋଇଛି। ବିଜୟୀ ଏମ୍ଏମ୍‌ସିସି ଟିମ୍ ସମ୍ବଲପୁର ଟିମ୍ ପ୍ରତିପକ୍ଷ ବିଶାଖାପାଟଣାର ନବସିପ ଚମ୍ପିୟାନ୍ ଟିମ୍ କୁ ପରାସ୍ତ କରି ଚାମ୍ପିଆନ ହୋଇଛି।

ପ୍ରଥମେ ଟସ୍ ଜିତି ବିଶାଖାପାଟଣାର ନବସିପ ଚମ୍ପିୟାନ୍ ଟିମ୍ ନିର୍ଦ୍ଧାରିତ ୧୮ ଓଭରରେ ସମସ୍ତ ୱିକେଟ ହରାଇ ୧୪୭ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ପ୍ରତିପକ୍ଷ ଏମ୍ଏମ୍‌ସିସି ସମ୍ବଲପୁର ୧୨ଓଭରରେ ୩ ୱିକେଟରେ ୧୫୨ ରନ ସଂଗ୍ରହ କରିଥିଲା। ଫଳରେ, ଏମ୍ଏମ୍‌ସିସି ଟିମ୍ ସମ୍ବଲପୁର ଟିମ୍ ୭ ୱିକେଟରେ ବିଜୟୀ ହୋଇଥିଲା।

ଆଜି ଏହି ଉଦ୍‌ଯାପନ ସମାରୋହରେ ଅତିଥି ଭାବେ ନୟାଗତ ବିଧାୟକ ଡ଼.ଅରୁଣ କୁମାର ସାହୁ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା,ବୋଲଗଡ଼-ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ, ଜଟଣୀର ପୂର୍ବତନ ବିଧାୟକ ସୁରେଶ ଚନ୍ଦ୍ର ରାଉତରାୟ, ରଣପୁର ପୂର୍ବତନ ବିଧାୟକ ସତ୍ୟନାରାୟଣ ପ୍ରଧାନ, ଖଣ୍ଡପଡ଼ାର ପୂର୍ବତନ ବିଧାୟକ ସିଦ୍ଧାର୍ଥ ଶେଖର ସିଂହ ପ୍ରମୁଖ ଯୋଗଦେଇଥିଲେ।

ଏହି ଅବସରରେ ଚମ୍ପିଆନ ଦଳକୁ ଟ୍ରଫି ସହ ଦେଢ଼ ଲକ୍ଷ ଟଙ୍କା ଏବଂ ରନର୍ସ ଅପ୍ ଦଳଙ୍କୁ ଟ୍ରଫି ସହ ୧ଲକ୍ଷ ଟଙ୍କା ପୁରସ୍କାର ଆକାରରେ ପ୍ରଦାନ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶା ଅଣ ଗେଜଟେଡ୍‌ ବନସେବା ସଂଘର ସାଧାରଣ ପରିଷଦ ବୈଠକରେ ଯୋଗ ଦେଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ

ଭୁବନେଶ୍ଵର: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରରେ ଓଡିଶା ଅଣ ଗେଜଟେଡ୍‌ ବନସେବା ସଂଘର ସାଧାରଣ ପରିଷଦ ବୈଠକରେ ଅତିଥି ଭାବେ ଯୋଗ ଦେଇଛନ୍ତି। ଏହି ଅବସରରେ ସେ କହିଛନ୍ତି, ରାଜ୍ୟର ବନାଞ୍ଚଳ ସୁରକ୍ଷାରେ ବନ କର୍ମଚାରୀଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଜଙ୍ଗଲ କ୍ଷେତ୍ରଫଳ ଦୃଷ୍ଟିରୁ ଓଡିଶା ସାରା ଦେଶରେ ଦ୍ବିତୀୟ ସ୍ଥାନରେ ରହିଛି। ବନ କର୍ମଚାରୀମାନେ ଜଙ୍ଗଲ ସୁରକ୍ଷାରେ ନିଷ୍ଠାର ସହ କାର୍ଯ୍ୟ କରୁଥିବାରୁ ରାଜ୍ୟର ଜଙ୍ଗଲ ଘନତ୍ବକୁ ସୁରକ୍ଷା ଦେବା ସମ୍ଭବ ହୋଇପାରିଛି।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଭାରତ ୨୦୭୦ ସୁଦ୍ଧା ଅଙ୍ଗାରକାମ୍ଳମୁକ୍ତ ରାଷ୍ଟ୍ର ହେବାର ସଂକଳ୍ପ ନେଇ ଆଗକୁ ବଢୁଛି । ଗତ ଜୁନ ମାସରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଏକ ଅଭିନବ କାର୍ଯ୍ୟକ୍ରମ – ଏକ ପେଡ ମାଆ କେ ନାମ ଆରମ୍ଭ କରାଯାଇଛି। ଏହା ଭବିଷ୍ୟତ ପିଢି ପାଇଁ ଜଙ୍ଗଲ ସୃଷ୍ଟି ଓ ପରିବେଶ ସୁରକ୍ଷାରେ ବେଶ ସହାୟକ ହୋଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ପରିବେଶ ସନ୍ତୁଳନ ରକ୍ଷା କରିବା ସମସ୍ତଙ୍କ କର୍ତ୍ତବ୍ୟ ବୋଲି ଶ୍ରୀ ପ୍ରଧାନ ଏହି ଅବସରରେ କହିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତଟ ରେଳପଥ ଦ୍ୱାରା ସମ୍ବିଧାନ ଦିବସ ପାଳନ

ଭୁବନେଶ୍ୱର: ପୂର୍ବତଟ ରେଳପଥ ମୁଖ୍ୟାଳୟ ରେଳ ସଦନରେ ଆଜି ସମ୍ବିଧାନ ଦିବସ ପାଳନ କରାଯାଇଥିଲା। ଏହି ଉତ୍ସବରେ ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲଙ୍କ ନେତୃତ୍ୱରେ ଭାରତ ସମ୍ବିଧାନର ମୁଖବନ୍ଧ ସାମୂହିକ ପଠନରେ ଅଂଶଗ୍ରହଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ମହାପ୍ରବନ୍ଧକ ମହେଶ କୁମାର ବେହେରାଙ୍କ ସହିତ ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀ ଯୋଗ ଦେଇଥିଲେ।

ଏହି ଉତ୍ସବର ଏକ ଅଂଶ ଭାବରେ ପୂର୍ବତଟ ରେଳପଥ ଅଧୀନରେ ଥିବା ତିନୋଟି ରେଳ ମଣ୍ଡଳ – ଖୋର୍ଦ୍ଧା ରୋଡ୍, ୱାଲଟିୟର ଏବଂ ସମ୍ବଲପୁରରେ ମଧ୍ୟ ସମ୍ବିଧାନ ଦିବସ ପାଳନ କରାଯାଇଥିଲା। ଏହି ଦିବସ ପାଳନ ମଧ୍ୟ ରେଳପଥର ବିଭିନ୍ନ ରେଳ ଷ୍ଟେସନକୁ ମଧ୍ୟ ପ୍ରସାରିତ ହୋଇଥିଲା। ସୁଦୂର ସ୍ଥାନରେ ଅବସ୍ଥିତ ରେଳ କର୍ମଚାରୀମାନେ ମଧ୍ୟ ନିଜ ନିଜ କାର୍ଯ୍ୟକ୍ଷେତ୍ରରେ ଭାରତୀୟ ସମ୍ବିଧାନର ମୁଖବନ୍ଧ ପଠନ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।

ଏହି କାର୍ଯ୍ୟକ୍ରମକୁ ରେଳପଥର ପ୍ରମୁଖ କାର୍ମିକ ଅଧିକାରୀ ସିଦ୍ଧାର୍ଥ କାଟିଙ୍କ ଦ୍ୱାରା ସଂଯୋଜନା କରାଯାଇଥିଲା। ପୂର୍ବତଟ ରେଳପଥରେ ସମ୍ବିଧାନ ଦିବସ ପାଳନ କରିବା ଦ୍ୱାରା ସମ୍ବିଧାନରେ ଦର୍ଶାଯାଇଥିବା ମୂଲ୍ୟବୋଧ ପ୍ରତି ସଂଗଠନର ଗଭୀର ସମ୍ମାନ ଏବଂ ଦୈନନ୍ଦିନ ଜୀବନ ଏବଂ କାର୍ଯ୍ୟରେ ଏହାର ନୀତି ରକ୍ଷା କରିବାର ଗୁରୁତ୍ୱକୁ ପ୍ରତିଫଳିତ କରାଯାଇଥିଲା।

ଏହି ପଦକ୍ଷେପ ଭାରତୀୟ ସମ୍ବିଧାନର ମହତ୍ତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା ସହିତ କର୍ମଚାରୀ ଏବଂ ହିତାଧିକାରୀଙ୍କ ମଧ୍ୟରେ ସାମ୍ବିଧାନିକ ମୂଲ୍ୟବୋଧକୁ ପ୍ରୋତ୍ସାହିତ କରିବା ପାଇଁ ପୂର୍ବତଟ ରେଳପଥର ପ୍ରତିବଦ୍ଧତାର ଏକ ଅଂଶ।

Categories
ଆଜିର ଖବର ରାଜ୍ୟ ଖବର

ସଠିକ୍ ସମୟରେ ଧାନ ବିକି ନପାରିଲେ ୭ ଦିନ ସମୟ ଦିଆଯିବ: ଖାଦ୍ୟ ଯୋଗାଣ ମନ୍ତ୍ରୀ

ଭୁବନେଶ୍ଵର: ସମ୍ବଲପୁର ଜିଲ୍ଲାପାଳ କାର୍ଯ୍ୟାଳୟସ୍ଥିତ ଏସଏସଏ ସମ୍ମିଳନୀ କକ୍ଷରେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜ଼ିଲ୍ଲାର ସମସ୍ତ ଯୋଗାଣ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହିଥିଲେ। କେମିତି ଠିକ ଭାବେ ଧାନ କିଣା ହେବ, ଜଉଥିରେ କି ଚାଷୀଙ୍କ ସିଧାସଳଖ ୩୧୦୦ ଟଙ୍କା ପହଞ୍ଚିବ ସେନେଇ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଏହି ପ୍ରକ୍ରିୟାରେ ଦଲାଲଙ୍କ ପ୍ରାଦୁର୍ଭାବ ଯେପରି ରହିବ ନାହିଁ, କଟନୀ ଛଟନୀ ସହ କୌଣସି ମଧ୍ୟସ୍ଥି ଯେପରି ଏହାର ଲାଭ ଉଠାଇ ପାରିବେ ନାହିଁ, ମଣ୍ଡି ପ୍ରସ୍ତୁତ ରହିଛି କି ନାହିଁ ସେନେଇ ମନ୍ତ୍ରୀ ଅଧିକାରୀ ମାନଙ୍କୁ ସତର୍କ କରିଛନ୍ତି। ଟୋକନ ସମସ୍ୟା ରହିଛି, ଚାଷୀଙ୍କ ସହ ଏନେଇ ଆଲୋଚନା କରିଛି, ଭୁବନେଶ୍ୱର ଗଲେ ଅଧୁକାରୀଙ୍କ ସହ ବୈଠକ କରି ଏହାର ସମାଧାନ ବାଟ ବାହାର କରିବି। ଟୋକନ ବ୍ୟବସ୍ଥାକୁ ଜ଼ିଲ୍ଲା ସ୍ତରରେ ଦାୟିତ୍ୱ ଦିଆଯିବ। ଯେଉଁ ଚାଷୀମାନେ ଠିକ ସମୟରେ ଧାନ ବିକ୍ରି କରିନପାରିବେ ତାଙ୍କୁ ଜ଼ିଲ୍ଲାପାଳ ଜରିଆରେ ୭ ଦିନ ଅଧିକ ସମୟ ଦିଆଯିବ।

ଅନ୍ୟ ରାଜ୍ୟର ଧାନ କିପରି ନଆସିବ ସେଥିପାଇଁ ସିସିଟିଭି କ୍ୟାମେରା ସହ ପେଟ୍ରୋଲିଙ୍ଗ ଗାଡି ବୁଲିବ। ଆଉ ନୂଆ ମଣ୍ଡି ଖୋଲିବ ନାହିଁ,ଯେଉଁଠି ମଣ୍ଡି ନାହିଁ ସେଠାରେ ଅସ୍ଥାୟୀ ମଣ୍ଡି ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।