Categories
ଆଜିର ଖବର ରାଜ୍ୟ ଖବର

ସମ୍ବଲପୁର ବିଶ୍ୱବିଦ୍ୟାଳୟର ୫୮ତମ ପ୍ରତିଷ୍ଠା ଦିବସରେ କେନ୍ଦ୍ରମନ୍ତ୍ରୀ

ସମ୍ବଲପୁର: ପ୍ରାୟ ୧୧ ବର୍ଷ ପରେ ୨୦୩୬ ମସିହା ଏପ୍ରିଲ ପହିଲାରେ ଓଡ଼ିଶା ଭାଷା ଭିତ୍ତିରେ ସ୍ୱତନ୍ତ୍ର ପ୍ରଦେଶ ଗଠନ କରିବ। ୨୦୪୭ ସୁଦ୍ଧା ଆଉ ପ୍ରାୟ ୨୨ ବର୍ଷ ପରେ ଭାରତ ସ୍ୱାଧୀନତା ପ୍ରାପ୍ତିର ଶତବାର୍ଷିକୀ ପାଳନ କରିବ। ଏହି ଦୁଇ ଦଶନ୍ଧି ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଏହାକୁ ଦୃଷ୍ଟିରେ ରଖି ସମ୍ବଲପୁର ବିଶ୍ୱବିଦ୍ୟାଳୟ କେବଳ ଉଚ୍ଚ ଶିକ୍ଷା କ୍ଷେତ୍ରରେ ନୁହେଁ ବରଂ ରାଜ୍ୟରେ ସାମାଜିକ, ମୌଳିକ ସମସ୍ୟା ତଥା ପାନୀୟଜଳ, ସ୍ୱାସ୍ଥ୍ୟ, କ୍ୟାନସରର ମୁକାବିଲା, ଚାଷୀ ସମସ୍ୟା ଏବଂ ପରିବେଶ ସୁରକ୍ଷାର ସମାଧାନ ବାହାର କରିବା ଦିଗରେ ମଧ୍ୟ ଦାୟିତ୍ୱ ନେବା ଦରକାର ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ କହିଛନ୍ତି ଦେଶକୁ ସ୍ୱାଧୀନତା ଦେବାରେ ହେଉ କିମ୍ବା ଇଂରେଜମାନଙ୍କ ସହ ସାଲିସ ବୀହିନ ସଂଘର୍ଷ କରିବାରେ, ସମ୍ବଲପୁର ସବୁବେଳେ ନିଜ ବୀରତ୍ୱ ଓ ପରାକ୍ରମ ଦେଖାଇଆସିଛି। ଦେଶକୁ ସ୍ୱତନ୍ତ୍ରତା ଦେବାରେ ସମ୍ବଲପୁର ସମେତ ଓଡ଼ିଶାର ପଶ୍ଚିମାଞ୍ଚଳ ବିଶେଷ ଭାବରେ ବୀର ସୁରେନ୍ଦ୍ର ସାଏ, ଧ୍ରୁବ ସାଏ ଉଜ୍ଜଳ ସାଏ, ଛବିଳ ସାଏ, ଯାଜ୍ଜଳ ସାଏ, ମେଦିନୀ ସାଏ, କୋଲାବିରା ଜମିଦାର କରୁଣାକର ସିଂହ ନାଏକ, ଘେଁସ ଜମିଦାର ପରିବାରର ମାଧୋ ସିଂହ, କୁଞ୍ଜଲ ସିଂହ, ଐରୀ ସିଂହ, ବୈରୀ ସିଂହ, ହଟେ ସିଂହ, ଶହୀଦ ମଧୁ ଗଡତିଆଙ୍କ ଅବଦାନ ଅତୁଳନୀୟ। ସମ୍ବଲପୁରର ହୀରାକୁଦ ନଦୀବନ୍ଧ ଯୋଜନା ଓଡ଼ିଶାରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି।

ସମ୍ବଲପୁର ଗୋଟିଏ ସାରସ୍ୱତ କ୍ଷେତ୍ର। ସମ୍ବଲପୁରରେ ଜାତୀୟ ସ୍ତରର ଆଇଆଇଏମ ସମ୍ବଲପୁର, ସମ୍ବଲପୁର ବିଶ୍ୱବିଦ୍ୟାଳୟ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, ବୁର୍ଲା ମେଡିକାଲ କଲେଜ, ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି, ଓୟୁଏଟିର ଚିପିଲିମା କ୍ୟାମ୍ପସ ଏବଂ ଓପନ ୟୁନିଭରସିଟି ମଧ୍ୟ ଅଛି। ସମ୍ବଲପୁରକୁ ଏକ ଜ୍ଞାନ ଆଧାରିତ ଅର୍ଥନୀତିର ପେଣ୍ଠସ୍ଥଳି କରିବା ପାଇଁ ଆମେ ସମସ୍ତେ ଦାୟିତ୍ୱ ନେବା ଉଚିତ୍। ଓଡ଼ିଶାରେ ହାଭାର୍ଡ, ଏମଆଇଟି ଓ ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟ ଭଳି ପରିସଂସ୍ଥାନ ସୃଷ୍ଟି କରିବା ଆମର ଲକ୍ଷ୍ୟ ବୋଲି ସେ କହିଛନ୍ତି।

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଆହୁରି କହିଛନ୍ତି ଯେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଏକ ଶୈକ୍ଷିକ, ଗବେଷଣା ଏବଂ ନବସୃଜନର କେନ୍ଦ୍ରବିନ୍ଦୁ। ଏହାର ଚରିତ୍ର ନିରୂପଣ କରିବାର ସମୟ ଆସିଛି। ସ୍ଥାନୀୟ ଅଞ୍ଚଳରେ ଶିକ୍ଷା ମାଧ୍ୟମରେ ସାମଗ୍ରିକ ବିକାଶ କରିବା କେବଳ କହିଲେ ହେବ ନାହିଁ ବରଂ ଏଥିପାଇଁ ଦାୟିତ୍ୱ ନେବା ପାଇଁ ପଡିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ଜାତୀୟ ଶିକ୍ଷା ନୀତିର ପରାମର୍ଶ ଅନୁସାରେ ମାତୃଭାଷାରେ ଶିକ୍ଷାକୁ ପ୍ରୋତ୍ସାହିତ କରିବାକୁ ହେବ । ଭାରତୀୟ ଜ୍ଞାନ ପରମ୍ପରାରେ ଆଗକୁ ବଢିବାକୁ ହେବ। ସମ୍ବଲପୁର ଅଞ୍ଚଳରେ ଶିକ୍ଷାର ବୃଦ୍ଧି ପାଇଁ ସ୍ଥାନୀୟ ଭାଷାରେ ଶିକ୍ଷା ଦେବାକୁ ପଡ଼ିବ।

ସମ୍ବଲପୁର ବିଶ୍ଵବିଦ୍ୟାଳୟର ୫୮ ତମ ପ୍ରତିଷ୍ଠା ଦିବସରେ ଓଡ଼ିଶାରେ ଉଚ୍ଚ ଶିକ୍ଷା ପରମ୍ପରାରେ ଅନ୍ୟତମ ପରିଚୟ ତିଆରି କରିଛି। ଏହି ଶିକ୍ଷାନୁଷ୍ଠାନର ପ୍ରତିଷ୍ଠା ଦିବସରରେ ଶ୍ରୀ ପ୍ରଧାନ ଛାତ୍ରଛାତ୍ରୀ, ପ୍ରାଧ୍ୟାପକ, କର୍ମଚାରୀ ଏବଂ ପୁରାତନ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ‘ଗଙ୍ଗାଧର ଜାତୀୟ କବିତା ପୁରସ୍କାର’ରେ ସମ୍ମାନିତ ହୋଇଥିବା ଓଡ଼ିଆ ସାହିତ୍ୟ ଜଗତର ବିଶିଷ୍ଟ କବି ତଥା ସୁସାହିତ୍ୟିକା ଡ଼. ପ୍ରତିଭା ଶତପଥୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଏହି ଅବସରରେ ଶ୍ରୀ ପ୍ରଧାନ ଶିକ୍ଷାନୁଷ୍ଠାନ ପରିସରରେ ମହିମା ଧର୍ମର ମହାନ ପ୍ରଚାରକ ସନ୍ଥକବି ଭୀମ ଭୋଇ, ସ୍ୱଭାବ କବି ଗଙ୍ଗାଧର ମେହେର, କବିବର ରାଧାନାଥ ରାୟ, ଭକ୍ତକବି ମଧୁସୂଦନ ରାଓ ଏବଂ ବ୍ୟାସକବି ଫକୀର ମୋହନ ସେନାପତିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ। ଓଡ଼ିଶାର ଭାଷା ସାହିତ୍ୟକୁ ସୁସମୃଦ୍ଧ କରିବା ସହ ଜାତୀୟ ସ୍ତରରେ ଆମ ରାଜ୍ୟକୁ ସ୍ୱତନ୍ତ୍ର ପରିଚୟ ଦେବାରେ ଏହି ମହାନ ବରପୂତ୍ରଙ୍କ ଯୋଗଦାନ ଅତୁଳନୀୟ ବୋଲି ଶ୍ରୀ ପ୍ରଧାନ ମତପ୍ରକାଶ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସମ୍ବଲପୁରରେ ଭୀମ ଭୋଇ ଓ ଗଙ୍ଗାଧର ମେହେରଙ୍କ ଉପରେ ଡାକ ଟିକେଟ ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ

ସମ୍ବଲପୁର: ଡାକ ଟିକେଟ୍ ଆମର ଅସ୍ମିତା, ଗୌରବ, ସ୍ୱାଭିମାନ, ସମ୍ମାନ ଓ ପରିଚୟର ପ୍ରତୀକ। ଆଜି ସମ୍ବଲପୁର ବିଶ୍ୱବିଦ୍ୟାଳୟ ପରିସରରେ ସନ୍ଥକବି ଭୀମ ଭୋଇ ଓ ସ୍ୱଭାବ କବି ଗଙ୍ଗାଧର ମେହେର ଏବଂ ପଶ୍ଚିମ ଓଡ଼ିଶାର ସାଂସ୍କୃତିକ ଐତିହ୍ୟ ଉପରେ ୮ ଗୋଟି ଡାକ ଟିକେଟ ଉନ୍ମୋଚିତ ହୋଇଛି। ଆଜିର ପଦକ୍ଷେପ ଦ୍ୱାରା ଓଡ଼ିଶାର ସଂସ୍କୃତି, ସଭ୍ୟତା ଓ ସ୍ୱାଭିମାନକୁ ମୋଦି ସରକାରରେ ଉଚିତ୍ ସମ୍ମାନ ମିଳିଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ ପଶ୍ଚିମ ଓଡ଼ିଶାର ନୂଆଁଖାଇ, ଶୀତଳଷଷ୍ଠୀ, ସମ୍ବଲପୁରୀ ବାନ୍ଧ, ସମ୍ବଲପୁରୀ ନୃତ୍ୟ ଉପରେ ଗୋଟିଏ ଲେଖାଏଁ ଡାକ ଟିକଟ ଏବଂ ଧନୁଯାତ୍ରା ଉପରେ ଦୁଇଟି ଡାକ ଟିକଟ ଉନ୍ମୋଚନ କରିଥିଲେ। ଏହାସହ ୫ ଜିଲ୍ଲାର ସମ୍ବଲପୁର, ବରଗଡ଼, ଦେବଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାର ୪୨ଟି ଡାକଘରର ଉଦଘାଟନ କରିଥିଲେ କେନ୍ଦ୍ରମନ୍ତ୍ରୀ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଆଜି ଓଡ଼ିଶା ପାଇଁ ଗୌରବର ଦିନ। ରାଜ୍ୟ ପାଇଁ ବଡ ସମ୍ମାନ ଓ ରାଜ୍ୟବାସୀଙ୍କ ପାଇଁ ଆନନ୍ଦ ଓ ଉଲ୍ଲାସର କ୍ଷଣ। ୨୦୩୬ ମସିହା ଏପ୍ରିଲ ୧ରେ ଓଡ଼ିଶା ପ୍ରଥମ ଭାଷା ଭିତ୍ତିରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ଶତବାର୍ଷିକୀ ପୂରଣ କରିବ। ଓଡ଼ିଆ ଆଧୁନିକ କାବ୍ୟ ସାହିତ୍ୟର ମହାନ କବି ଗଙ୍ଗାଧର ମେହେରଙ୍କ ଜନ୍ମ ଜୟନ୍ତୀର ଶତବାର୍ଷିକୀ ମଧ୍ୟ ପାଳନ ହେବାକୁ ଆଉ ମାତ୍ର କିଛି ଦିନ ବାକି ଅଛି। ଏହି ସମୟରେ ଭାରତୀୟ ଡାକ ବିଭାଗ ପକ୍ଷରୁ ତାଙ୍କ ଉପରେ ଡାକ ଟିକେଟ ଉନ୍ମୋଚନ ହେବା ଗୌରବର ବିଷୟ।

ସେହିପରି ସନ୍ଥକବି ଭୀମ ଭୋଇ ମହିମା ଧର୍ମର ମହାନ ପ୍ରଚାରକ। ଭୀମ ଭୋଇଙ୍କ ଜୀବନୀ ଆମ ସମସ୍ତଙ୍କ ପାଇଁ ଆଦର୍ଶ। ତାଙ୍କ ଉପରେ ଡାକ ଟିକେଟ ଉନ୍ମୋଚନ କରି ଭୀମ ଭୋଇଙ୍କୁ ସମ୍ମାନିତ କରିଥିବାରୁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ରେଳ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ରଙ୍ଗବତୀ ଗୀତର ତିନି ଜଣ ସ୍ରଷ୍ଟାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରି ମୋଦି ସରକାର ଏହି ଲୋକକଳାକୁ ଜାତୀୟ ସ୍ୱୀକୃତି ଦେଇଛନ୍ତି ଏବଂ ସମ୍ବଲପୁରକୁ ତଥା ଓଡ଼ିଶାକୁ ସମ୍ମାନିତ କରିଛନ୍ତି। ଆଜି ସମ୍ବଲପୁର ସହ ଜଡ଼ିତ ପାରମ୍ପରିକ କଳା ଓ ଐତିହ୍ୟ ଉପରେ ଡାକ ଟିକଟ ଉନ୍ମୋଚନ ହେବା ଦ୍ୱାରା ଆମର କଳା, ସଂସ୍କୃତି ଓ ପରମ୍ପରାର ସୁଦୂର ପ୍ରଚାରପ୍ରସାର ହେବ। ସେହିପରି ଆଜି ଦୁନିଆ ବଦଳୁଥିବା ବେଳେ ସ୍ଥାନୀୟ ଯୋଗାଯୋଗ ବ୍ୟବସ୍ଥାକୁ ଆହୁରି ମଜଭୁତ କରିବା ଦିଗରେ ଉଦଘାଟିତ ଅତ୍ୟାଧୁନିକ ଡାକଘରର ଅଗ୍ରଣୀ ଭୂମିକା ରହିବ। ମୋଦି ଦେଶରେ ମିଳିନ ହେଉଥିବା ଡାକଘରକୁ ସଜାଡି ଆଉ ଥରେ ଦୀପ ଲଗାଇ ଦେଇଛନ୍ତି।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ସମ୍ବଲପୁରର ବୀରଗାଥାର ପ୍ରତୀକ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ। ୧୮୫୭ ମସିହା ବିଦ୍ରୋହରେ ସେ ଓ ତାଙ୍କ ସହଯୋଗୀମାନେ ଦେଶକୁ ସ୍ୱାଧୀନତା ଦେବା ପାଇଁ ଜାତୀୟ ଆନ୍ଦୋଳନରେ ଭାଗ ନେଇ ଇଂରେଜ ମାନଙ୍କ ସହ ବୀରତ୍ୱର ସହ ଲଢ଼ି ବଳିଦାନ ଦେଇଥିଲେ। ବୀର ସୁରେନ୍ଦ୍ର ସାଏ ମଧ୍ୟପ୍ରଦେଶର ଆସିରଗଡ ଦୁର୍ଗରେ ଶେଷ ଜୀବନ କାଟିଥିଲେ। ଏହି ପରିପ୍ରେକ୍ଷୀରେ ସେ ମଧ୍ୟପ୍ରଦେଶର ଆସିରଗଡ ଦୁର୍ଗରେ ବୀର ସୁରେନ୍ଦ୍ର ସାଏଙ୍କ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ସହ ସ୍ମାରକୀ ସ୍ଥାପନା ପାଇଁ ପତ୍ର ଲେଖିଥିଲେ। ଅବିଳମ୍ବେ ଆସିରଗଡ଼ରେ ସୁରେନ୍ଦ୍ର ସାଏଙ୍କ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ସହ ସ୍ମାରକୀ ସ୍ଥାପନା ପାଇଁ ପଦକ୍ଷେପ ନେବା ପାଇଁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡା. ମୋହନ ଯାଦବ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି। ସେହି ସ୍ଥାନରେ ବୀର ସୁରେନ୍ଦ୍ର ସାଏଙ୍କ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ନିର୍ମାଣ ସହ ସ୍ମାରକୀ ସ୍ଥାପନା ହେଲେ ସମ୍ବଲପୁର ଅଞ୍ଚଳର ସ୍ୱାଭିମାନ ଓ ଆକାଂକ୍ଷା ପୂରଣ ହେବ।

ଏହି କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ କେନ୍ଦ୍ରମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ସାମିଲ ହୋଇ ନିଜର ଅଭିଭାଷଣ ରଖିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ‘ଜାତୀୟ ଶିକ୍ଷା ନୀତି କନକ୍ଲେଭ’ରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ

ସମ୍ବଲପୁର: ସମ୍ବଲପୁର ବିଶ୍ୱବିଦ୍ୟାଳୟ ଯୁବସମାଜକୁ ଯେଉଁ ନବାଚାର, ନୂତନତ୍ୱ ଓ ଚରିତ୍ର ନିର୍ମାଣର ବାର୍ତ୍ତା ଦେଉଛି, ତାହା ଠାରୁ ବଡ ଶିକ୍ଷା କିଛି ହୋଇନପାରେ ବୋଲି ରବିବାର ଏହି ବିଶ୍ୱବିଦ୍ୟାଳୟରେ ଆୟୋଜିତ ‘ଜାତୀୟ ଶିକ୍ଷା ନୀତି-2020’ କନକ୍ଲେଭରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଏକ ଅଭିନବ କଳ୍ପନା। ଅନେକ ଶିକ୍ଷାନୁଷ୍ଠାନ ଯାଇଥିଲେ ମଧ୍ୟ ଏହି ବିଶ୍ୱବିଦ୍ୟାଳୟ ତନ୍ମଧ୍ୟରୁ ଅନ୍ୟତମ। ଏଭଳି ଜୀବନ୍ତ କ୍ୟାମ୍ପସ ମୋ ପାଇଁ ସବୁବେଳେ ଅନନ୍ୟ। ଆଜି ସେହି ଶିକ୍ଷା ରୂପକ ମନ୍ଦିରକୁ ଆସି ମୁଁ ନିଜକୁ ସୌଭାଗ୍ୟଶାଳୀ ମନେ କରୁଛି ଏବଂ ଦୀର୍ଘ 30 ବର୍ଷ ପୂର୍ବରୁ ଶିକ୍ଷାନୁଷ୍ଠାନ ସହ ଥିବା ସ୍ମୃତିକୁ ମନେପକାଇ ପାରୁଛି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ  ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ଭାବନା, ସନ୍ଥ କବି ଭୀମ ଭୋଇ ଓ ବୀର ସୁରେନ୍ଦ୍ର ସାଏଙ୍କ ବିଚାର ଏବଂ  ମାଧୋ ସିଂହ ଓ ହାତୀ ସିଂହଙ୍କ ତ୍ୟାଗର ଉଦାହରଣ ଦେଇଥିଲେ।

ଏହାବ୍ୟତିତ ଶ୍ରୀ ପ୍ରଧାନ କହିଥିଲେ ଯେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିସମ୍ପନ୍ନ ଜାତୀୟ ଶିକ୍ଷା ନୀତିରେ ଅନେକ ବିଷୟରେ ଅଧିକ ଗୁରୁତ୍ୱ ଦିଆଯାଇଛି। 3 ବର୍ଷରୁ 8 ବର୍ଷର ଶିଶୁଙ୍କ ଶିକ୍ଷା ପ୍ରବେଶ ସହ ମାତୃଭାଷାରେ ପଢାଇବାର ବ୍ୟବସ୍ଥା ହୋଇଛି। ମାତୃଭାଷାରେ ଶିକ୍ଷା ନେଇ ସେ କହିଛନ୍ତି ଯେ ଏପିଜେ ଅବଦୁଲ କଲାମ ନିଜ ମାତୃଭାଷା ତାମିଲ ଭାଷାରେ ପାଠପଢି ବଡ ବୈଜ୍ଞାନିକ ହୋଇଥିଲେ। ଚୀନ ଜାପାନ ଭଳି ବିକଶିତ ରାଷ୍ଟ୍ର ମାତୃଭାଷା ପାଇଁ ନିଜ ସଫଳତା ହାସଲ କରିଛନ୍ତି। ସେ ସମୟରେ ହୀରାକୁଦର ମାଟିବନ୍ଧ ବନାଇଥିବା ଲୋକମାନେ ଇଂରାଜୀ ଭାଷା ଜାଣିନଥିଲେ।

ଏକାଧିକ ଶିକ୍ଷା ପ୍ରବେଶ ସହ ବହୁମୁଖୀ ଶିକ୍ଷାର କଳ୍ପନା କରାଯାଇଛି। ଆଜିର ଉଭା ହେଉଥିବା ଟେକ୍ନୋଲୋଜି ସମୟରେ ଜାତୀୟ ଶିକ୍ଷା ନୀତି ଆଧାରରେ ଯୁବପିଢିଙ୍କୁ ନିଯୁକ୍ତିଦାତା ବନାଇବା ସହ ଜ୍ଞାନ ଓ ଦକ୍ଷତା ବୃଦ୍ଧି କରିବା ଏବଂ ବିଶ୍ୱ ସମସ୍ୟାର ସମାଧାନ  ପାଇଁ ଗୁରୁତ୍ୱ ଦିଆଯାଉଛି । ଆଗାମୀ ଦିନରେ ସମ୍ବଲପୁର ବିଶ୍ୱବିଦ୍ୟାଳୟକୁ ଭାରତବର୍ଷର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବେ ପରିଣତ କରିବା ପାଇଁ ଦାୟିତ୍ୱ ନେବା । ଜାତୀୟ ଶିକ୍ଷା ନୀତି ଆଧାରରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନିଯୁକ୍ତିଦାତା ବନାଇବା ସହ ଦକ୍ଷତା ବୃଦ୍ଧି କରି ଅତ୍ୟାଧୁନିକ ଗବେଷଣା କ୍ଷେତ୍ରରେ ଆଗେଇ ନେବା ପାଇଁ ପ୍ରୟାସ କରିବା । ଅମୃତକାଳରେ ଭାରତର ଅମୃତ ବିନ୍ଦୁ ଭାବରେ ଏହି ଶିକ୍ଷାନୁଷ୍ଠାନ ବିକଶିତ ଭାରତ ପାଇଁ ବଡ ଦାୟିତ୍ୱ ନେବ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି ।

ରଙ୍ଗବତୀ କେବଳ ଏକ ଗୀତ ନୁହେଁ, ଏହା ଏକ ବିଚାର ଓ ସଂସ୍କୃତିର ଅଭିବ୍ୟକ୍ତି । ଏହି ଗୀତର ଲୋକପ୍ରିୟତା ଜାଣିବା ପାଇଁ ମଧ୍ୟ ଗବେଷଣା ହେବା ଆବଶ୍ୟକ ।

ଏହି ଅବସରରେ ଶ୍ରୀ ପ୍ରଧାନ ବିଶ୍ୱବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀଙ୍କ ସହ ବୃକ୍ଷରୋପଣ କରିଥିଲେ । ଏହାସହ ଜାତୀୟ ଶିକ୍ଷା ନୀତି କନକ୍ଲେଭ ଅବସରରେ ଆୟୋଜିତ ଏକ ପ୍ରଦର୍ଶନୀ ଦେଖିବା ସହ ଛାତ୍ରଛାତ୍ରୀଙ୍କ ଅଭିନବ ଉପକରଣ ଓ ପଦ୍ଧତିକୁ ପ୍ରଶଂସା କରିଥିଲେ । ସେ କହିଥିଲେ ପିଲାମାନେ ହୀରାକୁଦ ଡ୍ୟାମର ପାଣି ଓ ଗଭୀରତାକୁ ବୈଜ୍ଞାନିକ ପ୍ରକ୍ରିୟାରେ ଜାଣିବା ପାଇଁ ରକେଟ୍ ଓ ସାଟେଲାଇଟ୍ ପ୍ରସ୍ତୁତ କରିଛନ୍ତି । ଛାତ୍ରଛାତ୍ରୀମାନେ ଦୁର୍ଘଟଣାରୁ ବର୍ତ୍ତିବା ପାଇଁ ନିରାପଦ ଡଙ୍ଗା ପ୍ରସ୍ତୁତ କରୁଛନ୍ତି । ଛୋଟ ପିଲାମାନଙ୍କ ଦ୍ୱାରା ଆମ୍ବ ଟାକୁଆରୁ ଆମ୍ବ ଗଛ ହେବା ପର୍ଯ୍ୟନ୍ତ ବୈଜ୍ଞାନିକ ପଦ୍ଧତିକୁ ପ୍ରଦର୍ଶିତ କରାଯାଇଛି। ଏହା ହିଁ ଜାତୀୟ ଶିକ୍ଷା ନୀତିର ଉଦ୍ଦେଶ୍ୟ ଓ ରୂପରେଖ, ଯାହାକୁ ସମଗ୍ର ଦେଶ ସହମତି ଦେଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।