Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍‌ର ପ୍ରଫେସର ମୈତ୍ରେୟୀ ପଣ୍ଡା ଶିଶୁ ଚର୍ମରୋଗ ସଂଘର ଜାତୀୟ ସମ୍ପାଦିକା ମନୋନୀତ

ଭୁବନେଶ୍ୱର: ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଚର୍ମ ଓ ଯୌନ ରୋଗ ବିଭାଗର ପ୍ରଫେସର (ଡାକ୍ତର) ମୈତ୍ରେୟୀ ପଣ୍ଡା ଭାରତୀୟ ଶିଶୁ ଚର୍ମରୋଗ ସଂଘ (ଇଣ୍ଡିଆନ୍ ସୋସାଇଟି ଅଫ୍ ପେଡିଆଟ୍ରିକ ଡର୍ମାଟୋଲୋଜି)ର ଜାତୀୟ ସଂପାଦିକା ଭାବେ ମନୋନୀତ ହୋଇଛନ୍ତି। ନିକଟରେ ଅନ୍‌ଲାଇନ୍‌ରେ ଅନୁଷ୍ଠିତ ଭାରତୀୟ ଶିଶୁ ଚର୍ମ ରୋଗ ସଂଘର ବାର୍ଷିକ ସାଧାରଣ ସଭାରେ ଡାକ୍ତର ମୈତ୍ରେୟୀ ପଣ୍ଡାଙ୍କୁ ଜାତୀୟ ସ୍ତରରେ ଏହି ପଦ ନିମନ୍ତେ ମନୋନୀତ କରାଯାଇଛି।

ପ୍ରଥମ ଥର ପାଇଁ ଓଡିଶାରୁ କେହି ଏହି ପଦବୀ ନିମନ୍ତେ ମନୋନୀତ ହୋଇଛନ୍ତି। ପ୍ରଫେସର ପଣ୍ଡାଙ୍କୁ ମିଳିଥିବା ଏହି ସମ୍ମାନ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଓ ଓଡ଼ିଶା ଚର୍ମ ଓ ଯୌନ ରୋଗ ସଂଘ ନିମନ୍ତେ ଏକ ଗୌରବର ବିଷୟ।

ପ୍ରଫେସର ପଣ୍ଡା ଏକାଧାରରେ ଜଣେ ଦକ୍ଷ ଓ ଅଭିଜ୍ଞ ଡାକ୍ତର, ଶିକ୍ଷାବିତ୍ ଓ ଚିକିତ୍ସା ଓ ସେବା କ୍ଷେତ୍ରରେ ଜଣେ ସଫଳ ଦିଗଦର୍ଶକ । ରାଜ୍ୟ, ଦେଶ ଓ ଆନ୍ତର୍ଜାତୀୟ ସ୍ତରରେ ଚିକିତ୍ସା ଓ ସେବା କ୍ଷେତ୍ରରେ ତାଙ୍କର ଅବଦାନ ତଥା ତାଙ୍କ ଦ୍ୱାରା ପ୍ରସ୍ତୁତ ଶତାଧିକ ଲିଖିତ ପ୍ରକାଶନ (ପ୍ରେଜେଂଟେସନ୍‌ସ ଆଣ୍ଡ ପବ୍ଲିକେସନ୍ସ) ପ୍ରଶଂସିତ ଓ ପୁରସ୍କୃତ ହୋଇଛି।

ପ୍ରଫେସର ପଣ୍ଡା ଏହା ପୂର୍ବରୁ ଜାତୀୟ ଚର୍ମ ଓ ଯୌନ ରୋଗ ସଂଘର ଏସ୍‌ଆଇଜି କନ୍‌ଭେନର ଭାବରେ ଓ ରାଜ୍ୟରେ ସଂପୃକ୍ତ ସଂଘର କର୍ମକର୍ତା ରହି ସଫଳ ଭାବେ କାର୍ଯ୍ୟଭାର ତୁଲାଇଥିବା ବେଳେ ପୂର୍ବରୁ ଏମ୍‌ସ ଭୁବନେଶ୍ୱରଠାରେ ଚର୍ମ ଓ ଯୌନ ବିଭାଗରେ ଆସିଷ୍ଟାଂଟ ପ୍ରଫେସର ଭାବେ କାର୍ଯ୍ୟ କରିଥିଲେ।