Categories
ଆଜିର ଖବର

ହାତ ଧୋଇବା ଦ୍ୱାରା ସଂକ୍ରମଣକୁ ଦୂର କରିହେବ: ବିଶେଷଜ୍ଞ

ଭୁବନେଶ୍ୱର: ସେପ୍‌ସିସ୍ ଯୋଗୁଁ ବିଶ୍ୱରେ ବର୍ଷକୁ ୧ କୋଟି ଲୋକଙ୍କର ମୃତ୍ୟୁ ହେଉଛି। ପ୍ରତି ୧୦୦ ମୃତ୍ୟୁ ମଧ୍ୟରୁ ୩୫ ଟିର କାରଣ ସେପ୍‌ସିସ୍। ଏହା ପୃଥିବୀରେ ମୃତ୍ୟୁର ତୃତୀୟ ମୁଖ୍ୟ କାରଣ ପାଲଟିଥିବା ବେଳେ ଆଇସିୟୁରେ ପ୍ରଥମ ମୃତ୍ୟୁର କାରଣ ପାଲଟିଛି ଏବଂ ଏହା କୌଣସି ମହାମାରୀ ଠାରୁ କମ୍ ନୁହେଁ ବୋଲି କହିଛନ୍ତି ସମ୍ ଅଲ୍ଟିମେଟ ମେଡିକେୟାରର କ୍ରିଟିକାଲ୍ କେୟାର ମେଡିସିନ୍ ବିଭାଗର ମୁଖ୍ୟ ଡାକ୍ତର ବାନାମ୍ବର ରାୟ।

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ସହଯୋଗରେ ମଙ୍ଗଳବାର ଆୟୋଜିତ ଇଣ୍ଡିଆନ୍ ସୋସାଇଟି ଅଫ୍ କ୍ରିଟିକାଲ୍ କେୟାର ମେଡିସିନ୍ (ଆଇଏସ୍‌ସିସିଏମ୍‌), ଭୁବନେଶ୍ୱର ଶାଖାର ବାର୍ଷିକ ଉତ୍ସବରେ ଯୋଗ ଦେଇ ଡାକ୍ତର ରାୟ କହିଛନ୍ତି ଯେ ସେପ୍‌ସିସ୍ ଭଳି ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଲୋକମାନେ ସଚେତନ ହେବା ସହ ଡାକ୍ତରଖାନାରେ ନିୟମିତ ହାତ ଧୋଇବାର ପ୍ରକ୍ରିୟାକୁ ଜାରି ରଖିବା ଉଚିତ୍। କୋଭିଡ ପରେ ଲୋକମାନେ ପୁଣି ଥରେ ନିୟମିତ ହାତ ଧୋଇବା ଅଭ୍ୟାସ ଭୁଲିଯାଇଥିବା ବେଳେ କେବଳ ହାତ ଧୋଇବା ଦ୍ୱାରା ହିଁ ୯୫ ପ୍ରତିଶତ ସଂକ୍ରମଣର ଭୟକୁ ଦୂର କରାଯାଇପାରିବ ବୋଲି ସେ କହିଛନ୍ତି।

ଆଇଏସ୍‌ସିସିଏମ୍‌ର ଚଳିତ ବର୍ଷର ପ୍ରସଙ୍ଗ ରହିଛି ‘ପ୍ରିଭେଂଟ ସେପ୍‌ସିସ୍‌, ସେଭ୍ ଲାଇଫ୍‌’। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର)ପୁଷ୍ପରାଜ ସାମନ୍ତସିଂହାର ସେପ୍‌ସିସ୍‌ରୁ ରକ୍ଷା ପାଇବା ନିମନ୍ତେ ଓ କୌଣସି ପ୍ରକାର ବ୍ୟାଧିର ଶିକାର ନ ହେବା ପାଇଁ ହାତ ଧୋଇବା ହିଁ ସବୁଠାରୁ ବଡ଼ ପ୍ରତିଷେଧକ ବୋଲି କହିଥିଲେ।

ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଗୁରୁତର ରୋଗୀଙ୍କ ଚିକିତ୍ସା ନିମନ୍ତେ ଉନ୍ନତମାନର ଆଇସିୟୁ, ଏସ୍‌ଡିୟୁ ଓ ବିଶେଷଜ୍ଞ ଡାକ୍ତର ଓ ଅତ୍ୟାଧୁନିକ ଚିକିତ୍ସା ବ୍ୟବସ୍ଥା ଉପଲବ୍ଧ ବୋଲି ପ୍ରଫେସର ସାମନ୍ତସିଂହାର କହିଥିଲେ।

ଏହି ଅବସରରେ ଆଇଏସ୍‌ସିସିଏମ୍‌ର ଭୁବନେଶ୍ୱର ଶାଖାର ଚେୟାରମ୍ୟାନ୍ ତଥା ସମ୍ ଅଲ୍ଟିମେଟ୍ ମେଡିକେୟାରର ଡେପୁଟି ମେଡିକାଲ୍ ସୁପରିଟେଣ୍ଡେଂଟ ଡ. ଆନନ୍ଦ ମିଶ୍ର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ଅକ୍ଟୋବର ମାସକୁ ଆଇଏସ୍‌ସିସିଏମ୍ ମାସ ଭାବେ ପାଳନ କରାଯାଏ ବୋଲି କହିଥିଲେ।

ସେପ୍‌ସିସ୍‌କୁ ନେଇ ଲୋକମାନେ ସଚେତନ ହେବା ଆବଶ୍ୟକ ଓ ଅସୁସ୍ଥ ହେଲେ ତୁରନ୍ତ ଡାକ୍ତରଙ୍କୁ ଦେଖାଇବା ଜରୁରୀ ବୋଲି ଡ. ମିଶ୍ର କହିଥିଲେ। ଏହା ଦ୍ୱାରା ସଂକ୍ରମଣ ଶରୀରର ଅନ୍ୟାନ୍ୟ ଅଂଗକୁ ପହଂଚିପାରିବ ନାହିଁ। ସେପ୍‌ସିସ୍ ସବୁ ବୟସର ଲୋକଙ୍କ ଶରୀରକୁ ସଂକ୍ରମିତ କରିପାରେ। ବିଶେଷ କରି ଏହା ଯକୃତ, ଫୁସଫୁସ ଓ ବୃକକ୍‌କୁ ଅଧିକ ମାତ୍ରାରେ ଆକ୍ରାନ୍ତ କରିଥାଏ ବୋଲି ଡ. ମିଶ୍ର କହିଥିଲେ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆଇଏସ୍‌ସିସିଏମ୍‌ର ସମ୍ପାଦକ ଡ. ବିଶ୍ୱବିକାଶ ମହାନ୍ତି ଓ କୋଷାଧ୍ୟକ୍ଷ ଡ. ସମୀର ସାମଲ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ରୋଗୀମାନଙ୍କର ସମ୍ପର୍କୀୟ ମାନଙ୍କ ଉଦ୍ଦେଶ୍ୟରେ ଏକ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍ ଅଲ୍ଟିମେଟରେ ବିରଳ ମିନିମାଲ୍ ଇନ୍‌ଭାସିଭ୍ ପ୍ରକ୍ରିୟାରେ ବନ୍ଦ କରାଗଲା ରକ୍ତସ୍ରାବ

ଭୁବନେଶ୍ୱର: ଓଡ଼ିଶାରେ ପ୍ରଥମ ଥର ପାଇଁ ଜଣେ ରୋଗୀଙ୍କର ପରିସ୍ରା ନଳୀରେ ରକ୍ତସ୍ରାବ ହେଉଥିବା ସମସ୍ୟାକୁ ସମ୍ ଅଲ୍ଟିମେଟ ମେଡିକେୟାରର ଡାକ୍ତରମାନେ ପ୍ରୋଷ୍ଟେଟିକ୍ ଧମନୀରେ ସୁପର ସିଲେକ୍ଟିଭ୍ ଆନ୍‌ଜିଓ-ଏମ୍ବୋଲାଇଜେସନ୍ ପଦ୍ଧତିରେ ସଫଳତାର ସହ ଚିକିତ୍ସା କରିପାରିଛନ୍ତି।

ସମ୍ମମ୍‌ର ୟୁରୋଲୋଜି ବିଭାଗର କନ୍‌ସଲଟାଂଟ ଡାକ୍ତର ପ୍ରିୟବ୍ରତ ଦାସଙ୍କ ସହିତ ଇଂଟରଭେନ୍‌ସନାଲ୍ ରେଡିଓଲୋଜିଷ୍ଟ ଡାକ୍ତର ସମ୍ବିତ୍ ପଟ୍ଟନାୟକ ଏବଂ ଡାକ୍ତର ଜିତେନ୍ଦ୍ର କୁମାର ବରାଡ ମିଳିତ ଭାବେ ଏହି ସଫଳ ଅସ୍ତ୍ରୋପଚାର କରିଛନ୍ତି। ଡାକ୍ତର ଦାସ କହିଛନ୍ତି ଯେ ଓଡ଼ିଶାରେ ଏହି ପଦ୍ଧତିରେ ପ୍ରଥମ ଥର ପାଇଁ ଚିକିତ୍ସା କରାଯାଇଛି।

ରୋଗୀ ଜଣକ ଆଡ୍‌ଭାନ୍ସଡ କାର୍ସିନୋମା ପ୍ରୋଷ୍ଟେଟ୍ ସମସ୍ୟାରେ ପୀଡ଼ିତ ଥିବା ବେଳେ ତାଙ୍କର ବାରମ୍ବାର ରକ୍ତସ୍ରାବ ହେଉଥିଲା। ତେଣୁ ରକ୍ତସ୍ରାବକୁ ବନ୍ଦ କରିବା ପାଇଁ ଆମକୁ ପ୍ରୋଷ୍ଟେଟିକ୍ ଧମନୀ ବନ୍ଦ କରିବାକୁ ପଡ଼ିଥିଲା। ଏହି ପ୍ରକ୍ର୍ରିୟାକୁ ସୁପର ସିଲେକ୍ଟିଭ୍ ଆନ୍‌ଜିଓ-ଏମ୍ବୋଲାଇଜେସନ୍ କୁହାଯାଏ ବୋଲି ଡାକ୍ତର ଦାସ କହିଛନ୍ତି।

ପୂର୍ବରୁ ଏହିଭଳି ସମସ୍ୟା ଜଡ଼ିତ ରୋଗୀମାନଙ୍କର ଚିକିତ୍ସା ଅସ୍ତ୍ରୋପଚାର ମାଧ୍ୟମରେ କରାଯାଉଥିଲା ଯାହାଦ୍ୱାରା ରୋଗୀର ଶରୀରର ଅନ୍ୟାନ୍ୟ ଅଂଗ ଆକ୍ରାନ୍ତ ହେବାର ଅନେକ ସମ୍ଭାବନା ରହୁଥିଲା। ତେବେ ଏହି ପଦ୍ଧତି ଦ୍ୱାରା କେବଳ ପ୍ରୋଷ୍ଟେଟ୍‌କୁ ରକ୍ତପ୍ରବାହ ରୋକାଯାଇ ପାରୁଛି ବୋଲି ଡାକ୍ତର ଦାସ କହିଛନ୍ତି।

ଏହା ଏକ ଅତ୍ୟାଧୁନିକ ନୂତନ ପ୍ରକ୍ରିୟା ଏବଂ ଚିରାଚରିତ ଅସ୍ତ୍ରୋପଚାର ଅପେକ୍ଷା ଏହାର ଅନେକ ସୁଫଳ ରହିଛି ବୋଲି ଡାକ୍ତର ପଟ୍ଟନାୟକ କହିଛନ୍ତି।

ତଳିପେଟର ବାମ ଭାଗରେ ଏକ ଛୋଟ ଛିଦ୍ର ଦ୍ୱାରା ଫେମୋରାଲ୍ ଧମନୀ ବାଟେ ଆମେ ପ୍ରୋଷ୍ଟେଟିକ୍ ଧମନୀ ନିକଟରେ ପହଂଚିଥିଲୁ। ଏହା ପରେ ଏହି ପଦ୍ଧତିରେ ଚିକିତ୍ସା କରାଯାଇଥିଲା ବୋଲି ଡାକ୍ତର ପଟ୍ଟନାୟକ କହିଛନ୍ତି। ଏହା ଏକ ମିନିମାଲ୍ ଇନ୍‌ଭାସିଭ୍ ପ୍ରକ୍ରିୟା ଯେଉଁଥିରେ କି ରୋଗୀ ଶୀଘ୍ର ସୁସ୍ଥ ହୋଇଥାଏ। ଅପରେସନ୍ ପରେ ରୋଗୀଙ୍କ ଶରୀରରେ ବିଶେଷ ସମସ୍ୟା ଦେଖାଯାଇ ନଥାଏ। ଏହା ସ୍ୱଳ୍ପ ମୂଲ୍ୟରେ କରାଯାଇପାରେ ଓ ଅନ୍ୟାନ୍ୟ ବ୍ୟାଧି ଥିବା ରୋଗୀମାନଙ୍କ କ୍ଷେତ୍ରରେ ଏହା ସୁବିଧାଜନକ ଅଟେ ବୋଲି ସେ କହିଥିଲେ।