Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

୭୦ ଭାଗ ପୋଡି ହୋଇଯାଇଥିବା ଶିଶୁକୁ ନୂଆ ଜୀବନ ଦେଲେ ସମ୍ ଡାକ୍ତର

ଭୁବନେଶ୍ୱର: ଦୁଇ ବର୍ଷରେ ପାଦ ଥାପିଛି କୁନିପୁଅ ବେଦାଂଶୁ। ତେବେ ତା’ର ଜନ୍ମ ଦିନ ସହିତ ସେ ନୂଆ ଜନ୍ମ ପାଇଥିବାର ଖୁସି ମନାଉଛନ୍ତି ବେଦାଂଶୁର ବାପା-ମା। ଆଜକୁ ଠିକ୍ ୧୫ ଦିନ ତଳେ ତତଲା ପାଣି ପଡ଼ିବା ଯୋଗୁଁ କୁନିପୁଅଟିର ଶରୀରର ୭୦ ଭାଗ ପୋଡି ହୋଇଯାଇଥିବା ବେଳେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଡାକ୍ତରଙ୍କର ଚିକିତ୍ସା, ଯତ୍ନ ଓ ଉଦ୍ୟମ ଫଳରେ ସମ୍ପୂର୍ଣ୍ଣ ସୁସ୍ଥ ହେବା ସହ ନୂଆ ଜୀବନ ପାଇଛି ଶିଶୁ।

ଗତ ନଭେମ୍ବର ୯ ତାରିଖ ଦିନ ପାତ୍ରପଡା ଅଂଚଳରେ ରହୁଥିବା ଅଟୋଚାଳକ ବିପିନ୍ କୁମାର ସାହୁ ଏବଂ ତାଙ୍କ ପତ୍ନୀ ଗୀତାଞ୍ଜଳୀଙ୍କର ପୁଅ ବେଦାଂଶୁ ଖେଳୁଥିବା ସମୟରେ ଗ୍ୟାସ୍ ଚୁଲାରେ ବସିଥିବା ଗରମ୍ ପାଣିର ହାଣ୍ଡି ତା’ ଶରୀର ଉପରେ ପଡିଯାଇଥିଲା। ଛୋଟ ଛୁଆର ଶରୀରରେ ତତଲା ପାଣି ପଡିବା ଯୋଗୁଁ ତା’ ଶରୀରର ୭୦ ଭାଗ ପୋଡି ହୋଇଯାଇଥିଲା। ଗୁରୁତର ଅବସ୍ଥାରେ ପ୍ରଥମେ ଏକ ସ୍ଥାନୀୟ ହସ୍ପିଟାଲ୍ ଏବଂ ପରେ ସମ୍ ହସ୍ପିଟାଲ୍‌କୁ ଆଣିଥିଲେ ତା’ର ବାପା-ମା।

ହସ୍ପିଟାଲ୍‌ରେ ଭର୍ତ୍ତି ହେବା ସମୟରେ ବେଦାଂଶୁ ଗୁରୁତର ଥିବା ବେଳେ ତା’ର ମୁହଁ, ହାତ, ଦୁଇ ଜଂଘ, ଗୋଡ ଏବଂ ଶରୀରର ପଛ ଭାଗ ସମ୍ପୂର୍ଣ୍ଣ ପୋଡି ହୋଇଯାଇଥିଲା। ତୁରନ୍ତ ତାକୁ ବର୍ନ, ପ୍ଲାଷ୍ଟିକ୍ ଆଣ୍ଡ ରିକନ୍‌ଷ୍ଟ୍ରକ୍ଟିଭ୍ ସର୍ଜରୀ ବିଭାଗର ଆଇସିୟୁରେ ଭର୍ତି କରାଯାଇ ଚିକିତ୍ସା ଆରମ୍ଭ କରାଯାଇଥିଲା। ୧୦ ତାରିଖ ସକାଳେ ଶିଶୁଟିର ଶରୀରରେ ପ୍ଲାଷ୍ଟିକ୍ ସର୍ଜରୀ ମାଧ୍ୟମରେ କୋଲାଜେନ୍ ଅର୍ଥାତ୍‌ ଆର୍ଟିଫିସିଆଲ୍ ସ୍କିନ୍ ପ୍ରତ୍ୟାରୋପଣ କରାଯାଇଥିବା ସୂଚନା ଦେଇଛନ୍ତି ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ସୁଶାନ୍ତ ମିଶ୍ର।

ଶରୀରର ୭୦ ଭାଗ ପୋଡି ହୋଇଯାଇଥିବା ବୟସ୍କ ବ୍ୟକ୍ତିଙ୍କ କ୍ଷେତ୍ରରେ ମଧ୍ୟ ସୁସ୍ଥ ହେବା କଷ୍ଟକର ହୋଇପଡିଥିବା ବେଳେ ଶିଶୁଟି ସର୍ଜରୀ ପରେ ବିପଦମୁକ୍ତ ହୋଇପାରିଛି। ଶିଶୁଟି ଧୀରେ ଧୀରେ ସୁସ୍ଥ ହେଉଛି ଏବଂ ଖୁବ୍ ଶୀଘ୍ର ତାକୁ ହସ୍ପିଟାଲରୁ ଡିସ୍‌ଚାର୍ଜ କରାଯିବ ବୋଲି ଡାକ୍ତର ମିଶ୍ର ସୂଚନା ଦେଇଛନ୍ତି। କୁନିପୁଅ ବେଦାଂଶୁ ଏବେ ଟିକେ ଟିକେ ଚାଲିବା ଆରମ୍ଭ କଲାଣି, ଭିଡିଓ ଦେଖୁଛି ଓ ନିଜ ଖାଇବା ମଧ୍ୟ ଖାଇପାରୁଛି। ପୁଅକୁ ସମ୍‌ ହସ୍ପିଟାଲ୍‌ରେ ନୂଆ ଜୀବନ ମିଳିଛି। ପୁଅ ଏତେ ଶୀଘ୍ର ସୁସ୍ଥ ହୋଇପାରିବ ବୋଲି ଆମେ ଆଶା କରିନଥିଲୁ।

ଡାକ୍ତର ମିଶ୍ର ଓ ତାଙ୍କ ଟିମ୍ ମୋ ପୁଅକୁ ମୃତ୍ୟୁ ମୁଖରୁ ବଂଚାଇଛନ୍ତି ବୋଲି ଖୁବ୍ ଆନନ୍ଦର ସହ କହିଛନ୍ତି ବେଦାଂଶୁର ମା ଗୀତାଞ୍ଜଳୀ ସାହୁ। ହସ୍ପିଟାଲ୍‌ରେ ବର୍ନ, ପ୍ଲାଷ୍ଟିକ୍ ଆଣ୍ଡ ରିକନ୍‌ଷ୍ଟ୍ରକ୍ଟିଭ୍ ସର୍ଜରୀ ବିଭାଗ ପକ୍ଷରୁ ବେଦାଂଶୁର ଆଜି ଜନ୍ମଦିନ ପାଳନ କରାଯାଇଛି। ଆମ ଭଳି ପରିବାର ପାଇଁ ଗୁରୁତର ପୁଅର ଖୁବ୍ ଶୀଘ୍ର ଓ ଉତମ ତଥା ଅତ୍ୟାଧୁନିକ ଚିକିତ୍ସା ମିଳିବା ଖୁବ୍ କଷ୍ଟକର।

ତେବେ ପୁଅର ଚିକିତ୍ସା ଏବଂ ସୁସ୍ଥ ହେବା ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଜଏଂଟ ରେଜିଷ୍ଟ୍ରାର ଡକ୍ଟର ଶଶାଙ୍କ ଶେଖର ମିଶ୍ରଙ୍କ ଉଦ୍ୟମ ଓ ସାହାଯ୍ୟ ନିମନ୍ତେ ତାଙ୍କୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି ଗୀତାଞ୍ଜଳୀ।

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ବର୍ନ, ପ୍ଲାଷ୍ଟିକ୍ ଆଣ୍ଡ ରିକନ୍‌ଷ୍ଟ୍ରକ୍ଟିଭ୍ ସର୍ଜରୀ ବିଭାଗ ରାଜ୍ୟର ଏକମାତ୍ର ୟୁନିଟ୍ ଯେଉଁଠାରେ କି ସମସ୍ତ ପ୍ରକାର ବର୍ନ ଏବଂ ପ୍ଲାଷ୍ଟିକ୍ ସର୍ଜରୀ ଚିକିତ୍ସା ସହିତ ସ୍କିନ୍ ବ୍ୟାଙ୍କ ସୁବିଧା ମଧ୍ୟ ଉପଲବ୍ଧ ଅଛି ଏବଂ ରାଜ୍ୟର ଅନେକ ସ୍ଥାନରୁ ରୋଗୀମାନେ ଏଠାକୁ ଚିକିତ୍ସା ପାଇଁ ଆସିବା ସହ ସୁସ୍ଥ ହୋଇ ଘରକୁ ଫେରୁଛନ୍ତି ବୋଲି କହିଛନ୍ତି ପ୍ରଫେସର ଡାକ୍ତର ମିଶ୍ର।

ବେଦାଂଶୁର ପ୍ଲାଷ୍ଟିକ୍ ସର୍ଜରୀ ଓ ଚିକିତ୍ସାରେ ଡାକ୍ତର ମିଶ୍ର ଓ ତାଙ୍କ ଟିମ୍‌ଙ୍କ ସମେତ ଶିଶୁରୋଗ ବିଭାଗର ଡାକ୍ତର ଦିଲ୍ଲୀପ ଦାଶ ଓ ତାଙ୍କ ଟିମ୍‌, କ୍ରିଟିକାଲ୍ କେୟାର ବିଭାଗର ଡାକ୍ତର ସନ୍ତୋଷ ସିଂହ ଏବଂ ଆନେସ୍‌ଥେସିଷ୍ଟ ଆସିଷ୍ଟାଂଟ ପ୍ରଫେସର ଡାକ୍ତର ଶେଖ୍ ମୁସ୍ତାକ ଅଲ୍ଲୀ ପ୍ରମୁଖ ସାମିଲ ହୋଇ ଶିଶୁଟିକୁ ସୁସ୍ଥ କରାଇବାରେ ସମସ୍ତ ପ୍ରଚେଷ୍ଟା ଓ ସହଯୋଗ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଗୁରୁତର ଭାବେ ପୋଡି ହୋଇଯାଇଥିବା ବାଳକର ଜୀବନ ବଂଚାଇଲେ ସମ୍ ଡାକ୍ତର

ଭୁବନେଶ୍ୱର: ବାଣ ଫୁଟାଇବା ବେଳେ ଗୁରୁତର ଅଗ୍ନିକାଣ୍ଡରେ ପୋଡି ହୋଇଯାଇଥିବା ଏକ ୭ ବର୍ଷର ବାଳକର ଜୀବନ ବଂଚାଇଛନ୍ତି ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡାକ୍ତର। ପ୍ରାୟ ଏକ ମାସ ତଳେ ବାଣ ସହ ଖେଳୁଥିବା ବେଳେ ବାଳକଟି ସହ ଏଭଳି ଦୁର୍ଘଟଣା ଘଟିଥିଲା।

ଯେତେବେଳେ ବାଳକଟିକୁ ମଧ୍ୟରାତ୍ରରେ ସମ୍ ହସ୍ପିଟାଲ୍‌ର ଜରୁରୀକାଳୀନ ସେବା ବିଭାଗକୁ ଅଣାଯାଇଥିଲା ସେତେବେଳେ ତା’ ଶରୀରର ଏକ ତୃତୀୟାଂଶ ପୋଡି ହୋଇଯାଇଥିବା ସହ ଆଖି, ନାକ, ମୁହଁ, ଗାଲ ଏବଂ ବେକରେ ଗୁରୁତର କ୍ଷତ ହୋଇଥିଲା। ଏଥି ସହିତ ତା’ର ଛାତି, ପେଟ, ହାତ ଏବଂ ଗୋଡ ପୋଡି ହୋଇଯାଇଥିବା ବେଳେ ତା’ ପେଟ ମଧ୍ୟରୁ ଅନ୍ତନଳୀ ବାହାରକୁ ବାହାରି ଆସିଥିଲା।

ଡାକ୍ତରମାନେ ପ୍ରଥମେ ଶିଶୁଟିର ଅତ୍ୟାଧୁନିକ ଚିକିତ୍ସା ପଦ୍ଧତିରେ ପ୍ରାଥମିକ ଚିକିତ୍ସା କରିବା ସହ ତା’ ଶରୀରରେ ଥିବା କ୍ଷତଗୁଡିକର ଉପଯୁକ୍ତ ପରୀକ୍ଷା ନିରୀକ୍ଷା କରିଥିଲେ। ବାଳକଟିର ଚିକିତ୍ସା ଓ ସର୍ଜରୀ ନିମନ୍ତେ ଶିଶୁରୋଗ, ସାଧାରଣ ଶଲ୍ୟ, ଶିଶୁ ଶଲ୍ୟ, ପ୍ଲାଷ୍ଟିକ ସର୍ଜରୀ, ଓପ୍‌ଥାଲମୋଲୋଜି ଏବଂ ରେଡିଓଲୋଜି ବିଭାଗର ଡାକ୍ତରମାନଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇଥିଲା।

ଯଦିଓ ଗୁରୁତର ଭାବେ ପୋଡି ହୋଇଯାଇଥିବା ଏହି ବାଳକଟିର ଅବସ୍ଥା ଖୁବ୍‌ ସଙ୍କଟାପନ୍ନ ଥିଲା ତା’ ପେଟର କ୍ଷତ ଗଭୀର ହୋଇଥିବାରୁ ତୁରନ୍ତ ସର୍ଜରୀ ପାଇଁ ନିଷ୍ପତି ନିଆଯାଇଥିଲା. ସର୍ଜରୀ ପରେ ବାଳକଟିକୁ ଆଇସିୟୁରେ ରଖାଯିବା ସହ ଦୀର୍ଘ ଏକ ମାସ ଧରି ତା’ର ସ୍ୱାସ୍ଥ୍ୟାବସ୍ଥା ନିରୀକ୍ଷଣ କରାଯାଇଥିଲା। ସୁସ୍ଥ ହେବା ପରେ ସେ ଚାଲିବା ଓ ବସିବାକୁ ସକ୍ଷମ ହୋଇପାରିଥିଲା। “ଆମେ ଖୁବ୍ ଖୁସୀ ଯେ ଆମ ଚେଷ୍ଟା ଫଳରେ ଶିଶୁ ଏବଂ ତା’ର ଅଭିଭାବକଙ୍କ ମୁହଁରେ ପୁଣି ଥରେ ହସ ଫେରିଆସିଛି” ବୋଲି ପେଡିଆଟ୍ରିକ୍ ସର୍ଜରୀ ବିଭାଗର ପ୍ରଫେସର (ଡଃ) ଅନ୍ତର୍ଯ୍ୟାମୀ ପ୍ରଧାନ କହିଛନ୍ତି।

ବାଳକଟିର ଚିକିତ୍ସା ନିମନ୍ତେ ଗଠିତ ଟିମ୍‌ରେ ଜେନେରାଲ୍ ସର୍ଜରୀ ବିଭାଗର ଡାକ୍ତର ଜେ.ଏନ ସେନାପତି ଓ ଡାକ୍ତର ସୋନାଲି ମହାନ୍ତି, ପେଡିଆଟ୍ରିକ୍‌ ସର୍ଜରୀ ବିଭାଗର ଡାକ୍ତର ଅନ୍ତର୍ଯ୍ୟାମୀ ପ୍ରଧାନ ଓ ଡାକ୍ତର ସୁଧାଂଶୁ ଏସ୍ ପାତ୍ର, ପ୍ଲାଷ୍ଟିକ୍ ସର୍ଜରୀ ବିଭାଗର ଡାକ୍ତର ସୁଶାନ୍ତ ମିଶ୍ର ଓ ଡାକ୍ତର ରାଜେଶ ଗନ୍ତାୟତ, ରେଡିଓଲୋଜି ବିଭାଗର ଡାକ୍ତର ସତ୍ୟ ଏସ୍‌. ମହାପାତ୍ର ଏବଂ ଆନେସ୍‌ଥେସିଆ ବିଭାଗର ଡାକ୍ତର ରଞ୍ଜିତା ଆଚାର୍ଯ୍ୟ, ଡାକ୍ତର ରୋହନ୍‌ ନାୟକ, ଡାକ୍ତର ଅଶୋକ ଓ ଡାକ୍ତର ମିନଲ୍ ପ୍ରମୁଖ ସାମିଲ ଥିଲେ।

ଏହି ଟିମ୍‌କୁ ଫାର୍ମାସିଷ୍ଟ ସସ୍ମିତା ଓ ପ୍ରଣତୀ ଏବଂ ନର୍ସିଂ ଷ୍ଟାଫ୍ ବିଶ୍ୱରଞ୍ଜନ, ପୁଷ୍ପଲତା, ସ୍ମୃତିରେଖା ଓ ତୋଫାନ୍ ପ୍ରମୁଖ ସାହାଯ୍ୟ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସାଇକେଲ୍‌ରେ ୬୦ କି.ମି. ଯାତ୍ରା କରି ଲୋକଙ୍କୁ ଆତ୍ମହତ୍ୟା ବିରୋଧୀ ସଚେତନତା କଲେ ସମ୍ ଡାକ୍ତର

ଭୁବନେଶ୍ୱର: ଆତ୍ମହତ୍ୟା ଏକ ଅନାବଶ୍ୟକ ଚିନ୍ତା। ଜୀବନର ମୂଲ୍ୟ ବୁଝିବାକୁ ଅସମର୍ଥ ହୋଇ କେହି କେହି ଏପ୍ରକାର ଭୁଲ୍ ନିଷ୍ପତ୍ତି ନିଅନ୍ତି। ମାତ୍ର ସମାଜ ଆତ୍ମହତ୍ୟାକୁ ପ୍ରତିରୋଧ କରେ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ପ୍ରତିବର୍ଷ ସେପ୍ଟେମ୍ବର ୧୦ ତାରିଖକୁ ବିଶ୍ୱ ଆତ୍ମହତ୍ୟା ନିବାରଣ ଦିବସ ଭାବେ ପାଳନ କରାଯାଏ।

ଆତ୍ମହତ୍ୟାରେ ମାନସିକ ଚାପର ଏକ ପ୍ରମୁଖ ଭୂମିକା ରହିଛି। ସଂପ୍ରତି କୋଭିଡ୍‌-୧୯ର ବିଭୀଷିକା ଆତ୍ମହତ୍ୟାର ଏକ କାରଣ ପାଲଟିଛି। ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଘରେ ରହିବା, ଚାକିରୀ ହରାଇବା, ବ୍ୟବସାୟରେ କ୍ଷତି ସହ୍ୟ କରିବା, ସାଙ୍ଗ ସାଥୀଙ୍କ ଠାରୁ ଦୂରରେ ରହିବା, ପାରିବାରିକ ମତାନ୍ତର ଓ କଳହ ଇତ୍ୟାଦି କାରଣରୁ ସମସ୍ତେ ମାନସିକ ଚାପ ମଧ୍ୟରେ ରହୁଛନ୍ତି।

ଏହି ଦିବସ ଅବସରରେ ଭୁବନେଶ୍ୱରର ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ ମେଡିକାଲ୍ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ର ଅଭିଜ୍ଞ ଡାକ୍ତର ମାନେ ଭୁବନେଶ୍ୱରରୁ କୋର୍ଣାକ ପର୍ଯ୍ୟନ୍ତ ଏକ ସାଇକେଲ୍ ରାଲି ରେ ଯାତ୍ରାକରି ଆତ୍ମହତ୍ୟା ବିରୁଦ୍ଧରେ ସଚେତନତା ସୃଷ୍ଟି କରିଛନ୍ତି।

ମାନସିକ ରୋଗ ବିଭାଗର ପ୍ରଫେସର ଡାକ୍ତର ଶୁଭେନ୍ଦୁ ନାରାୟଣ ମିଶ୍ରଙ୍କ ନେତୃତ୍ୱରେ ଡଃ. ଜିମି ନାରାୟଣ (ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି ବିଭାଗ ) ଓ ଡଃ. ବୁଲୁ ନାହାକ (ଇଏନଟି୍ ବିଭାଗ) ସାଇକେଲ୍‌ରେ ୬୦ କି.ମି. ଯାତ୍ରାକରି ଲୋକମାନଙ୍କୁ ଆତ୍ମହତ୍ୟା ବିରୁଦ୍ଧରେ ସଚେତନ କରାଇଥିଲେ।