Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ପଦ୍ମଭୂଷଣ ରଘୁନାଥ ମହାପାତ୍ରଙ୍କର ଜ୍ୟେଷ୍ଠ ପୁତ୍ରଙ୍କ ଦେହାନ୍ତ: ଗତକାଲି କନିଷ୍ଠ ପୁତ୍ରଙ୍କ ହୋଇଥିଲା ପରଲୋକ

ଭୁବନେଶ୍ୱର: ବିଶିଷ୍ଟ ସ୍ଥପତି ତଥା ସାଂସଦ ପଦ୍ମଭୂଷଣ ସ୍ବର୍ଗତ ରଘୁନାଥ ମହାପାତ୍ରଙ୍କ ବଡ ପୁଅ ଯଶୋବନ୍ତ ମହାପାତ୍ରଙ୍କର ଆଜି ବିୟୋଗ ଘଟିଛି।

ଭୁବନେଶ୍ୱର ଏମ୍ସ ରେ ଚିକିତ୍ସାଧୀନ ଥିବା ଯଶୋବନ୍ତ ଅତ୍ୟନ୍ତ ସଙ୍କଟାପନ୍ନ ଅବସ୍ଥାରେ ଗତକାଲି ସମ କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତେବେ ସମ କୋଭିଡର ଡାକ୍ତର ଓ ନର୍ସ ମାନଙ୍କର ସମସ୍ତ ପ୍ରଚେଷ୍ଟା ଓ ନିରବଛିନ୍ନ ଚିକିତ୍ସା ସତ୍ତ୍ୱେ ତାଙ୍କର ଆଜି ଦିନ ୧ ଘଟିକାରେ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ବୟସ ହୋଇଥିଲା।

ଗତକାଲି କୋଭିଡ ଆକ୍ରାନ୍ତ ଥିବା ତାଙ୍କ ସାନ ଭାଇ ତଥା କ୍ରିକେଟର ପ୍ରଶାନ୍ତ ମହାପାତ୍ରଙ୍କର ଏମ୍ସ ରେ ମୃତ୍ୟୁ ଘଟିଥିବା ବେଳେ ୧୨ ଦିନ ତଳେ ବାପା ରଘୁନାଥ ମହାପାତ୍ର ମଧ୍ୟ କରୋନା ସଂକ୍ରମଣ ଯୋଗୁଁ ମୃତ୍ୟୁ ବରଣ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ କୋଭିଡ ହସ୍ପିଟାଲରେ କରୋନାକୁ ପରାସ୍ତ କଲେ ୯୯ ବର୍ଷୀୟ ବୃଦ୍ଧ

ଭୁବନେଶ୍ୱର: କରୋନା ବିରୁଦ୍ଧ ଯୁଦ୍ଧରେ ବିଜୟୀ ହେଉଛନ୍ତି ବୟୋଜ୍ୟେଷ୍ଠ। ସମ କୋଭିଡ ହସ୍ପିଟାଲରୁ ସୁସ୍ଥ ହେଉଛନ୍ତି ଜଣକ ପରେ ଜଣେ ବରିଷ୍ଠ ନାଗରିକ। ଏହି କ୍ରମରେ ଆଜି ଜଣେ ୯୯ ବର୍ଷୀୟ ବୃଦ୍ଧ କରୋନା ରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଭୁବନେଶ୍ୱର ସହିଦନଗର ଅଂଚଳର ମୁରଲୀଧର ଦାସ କୋଭିଡ ସଂକ୍ରମିତ ହୋଇ ଗତ ମେ ୯ ତାରିଖରେ ସମ କୋଭିଡ ହସ୍ପିଟାଲରେ ଭର୍ତି ହୋଇଥିଲେ। ତେବେ ସମ କୋଭିଡ ର ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟ ସେବାରେ ନିୟୋଜିତ ଥିବା କର୍ମଚାରୀଙ୍କ ଉତ୍ତମ ଚିକିତ୍ସା, ସେବା ଓ ଯତ୍ନ ଫଳରେ ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ମୁରଲୀଧରଙ୍କର ପାର୍କିନ୍ସନ, ଉଚ୍ଚ ରକ୍ତଚାପ, ମଧୁମେହ ଭଳି ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ରହିଥିବା ବେଳେ ଆଗରୁ ବ୍ରେନଷ୍ଟ୍ରୋକ ମଧ୍ୟ ହୋଇସାରିଛି।

କୋଭିଡ ଆକ୍ରାନ୍ତ ହେବା ପରେ ସେ ଠିକ ଭାବେ କଥା ମଧ୍ୟ କହି ପାରୁନଥିଲେ। ତେଣୁ ଏହି ବୟୋଜ୍ୟେଷ୍ଠଙ୍କର ନିଷ୍ଠା ଓ ଯତ୍ନର ସହ ସେବା କରିଥିଲେ ସମ କୋଭିଡ ର ଡାକ୍ତର ଓ ନର୍ସ।
ଦୀର୍ଘ ୧୧ ଦିନ ମଧ୍ୟରେ ତାଙ୍କ ସହ ଏକ ଅନାବିଳ ସମ୍ପର୍କ ସୃଷ୍ଟି ହୋଇଯାଇଥିଲା ବୋଲି କହିଛନ୍ତି ହସ୍ପିଟାଲର ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟକର୍ମୀ।

ମୁରଲୀଧର ହସ୍ପିଟାଲରୁ ଡିସ୍ଚାର୍ଜ ହେବା ସମୟରେ ବେଶ ଆନନ୍ଦିତ ଥିଲେ। ସେ ଯିବା ସମୟରେ ଏକ ଭାବବିହ୍ଵଳ ପରିବେଶ ସୃଷ୍ଟି ହୋଇଥିଲା।

କୋଭିଡର ଦ୍ଵିତୀୟ ଲହରୀ ସମୟରେ ଭୁବନେଶ୍ୱରର ୯୦ ଓ ୯୮ ବର୍ଷୀୟା ଦୁଇ ଜଣ ବୃଦ୍ଧା ସମ କୋଭିଡ ହସ୍ପିଟାଲ ରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କରୋନାକୁ ପରାସ୍ତ କଲେ ୯୦ ବର୍ଷୀୟା ବୃଦ୍ଧା: ସମ୍ କୋଭିଡ ହସ୍ପିଟାଲରୁ ହେଲେ ସୁସ୍ଥ

ଭୁବନେଶ୍ୱର: ହାରିବ କରୋନା, ଜିତିବ ମଣିଷ। ଏ କଥାକୁ ପୁଣି ଥରେ ସାବ୍ୟସ୍ତ କରିଛନ୍ତି ୯୦ ବର୍ଷୀୟା ଜଣେ ବୃଦ୍ଧା। ସମ କୋଭିଡ ହସ୍ପିଟାଲରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି କରୋନା ସଂକ୍ରମିତ ହୋଇଥିବା ବାଉରୀ ସାହୁ। ଭୁବନେଶ୍ୱର ୟୁନିଟ ୨ ଅଂଚଳର ବାଉରୀ
ଗତ ମେ ୩ ତାରିଖରେ କୋଭିଡ ଆକ୍ରାନ୍ତ ହେବା ପରେ ସମ କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।

ତେବେ ଏହି ହସ୍ପିଟାଲର ଡାକ୍ତର, ନର୍ସ ଏବଂ ଅନ୍ୟ ସ୍ୱାସ୍ଥ୍ୟ କର୍ମୀଙ୍କ ପ୍ରଚେଷ୍ଟା ଫଳରେ ସେ ରବିବାର ଆରୋଗ୍ୟ ଲାଭ କରିବା ସହ ଘରକୁ ଫେରିଛନ୍ତି। ବୃଦ୍ଧା ଜଣଙ୍କ ସୁସ୍ଥ ହେବା ନେଇ ସମ କୋଭିଡ ହସ୍ପିଟାଲକୁ ତାଙ୍କ ପୁଅ ବିଶି ସାହୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି। ଗତ ୧୩ ତାରିଖରେ ଜଣେ ୯୮ ବର୍ଷୀୟା ବୃଦ୍ଧା ଅନ୍ନପୂର୍ଣ୍ଣା ବିଶ୍ୱାଳ ମଧ୍ୟ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସମ କୋଭିଡ ହସ୍ପିଟାଲ ଡାକ୍ତରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର: ସମ କୋଭିଡ ହସ୍ପିଟାଲ ର ଚିକିତ୍ସା ତଥା ଡାକ୍ତରଙ୍କୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

କରୋନା ମହାମାରୀକୁ ପ୍ରତିହତ କରିବା ନିମନ୍ତେ ଏହି ହସ୍ପିଟାଲର ଦାୟିତ୍ବରେ ଥିବା ଡାକ୍ତରମାନେ ଯେଉଁଭଳି ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ ସଂପାଦନ କରୁଛନ୍ତି ଏଥିରେ ସେ ଖୁବ ପ୍ରଭାବିତ ହୋଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ବିଶେଷ କରି ହସ୍ପିଟାଲ୍ ରେ ସଂକ୍ରମିତଙ୍କ ଚିକିତ୍ସା କରୁଥିବା ଡାକ୍ତର ପ୍ରଦୀପ୍ତ ପାତ୍ର ଓ ଡାକ୍ତର ଈଶ୍ବର ବେହେରାଙ୍କ କର୍ତ୍ତବ୍ୟ ସଂପାଦନାକୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି। ଆଜି ଉଭୟ ଡାକ୍ତରଙ୍କୁ ଟେଲିଫୋନ କରି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ୍ ଜଣାଇଥିଲେ।

କରୋନା ମହାମାରୀର ପ୍ରଭାବ ଓଡିଶାରେ ଆରମ୍ଭ ହେବା ପରଠାରୁହିଁ ଆଇଏମଏସ ଓ ସମ୍‌ ହସ୍ପିଟାଲର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଭୁବନେଶ୍ବରରେ ସମ୍‌ କୋଭିଡ ହସ୍ପିଟାଲ ସହିତ କେନ୍ଦ୍ରାପଡ଼ା ତାଳଚେର ଓ ଚାନ୍ଦପୁର ଠାରେ କୋଭିଡ ହସ୍ପିଟାଲ କାର୍ଯ୍ୟ କରୁଛି ଯେଉଁଠାରେ ଶହଶହ କରୋନା ରୋଗୀ ଚିକିତ୍ସିତ ହୋଇପାରୁଛନ୍ତି।

ସେହିପରି ସମ ତତ୍ତ୍ଵାବଧାନରେ ଭୁବନେଶ୍ୱର ଉପକଣ୍ଠ ଜାମୁଝରୀ ଏବଂ ଜଟଣୀ ଠାରେ କୋଭିଡ କେୟାର ସେଣ୍ଟର କାର୍ଯ୍ୟ କରୁଛି  ଭୁବନେଶ୍ୱର ସମ କୋଭିଡ ହସ୍ପିଟାଲ ରାଜ୍ୟର ବୃହତ୍ତମ ହୋଇଥିବା ବେଳେ ସମ ଅଧିନସ୍ଥ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲ ଗୁଡିକରେ 2200 ରୁ ଉର୍ଧ୍ଵ ଶଯ୍ୟା ରହିଛି। ସମ କୋଭିଡ ହସ୍ପିଟାଲର ଉତ୍‌ସର୍ଗୀକୃତ ସେବା ଯୋଗୁଁ ଅସଂଖ୍ୟ ରୋଗୀ ସୁସ୍ଥ ହୋଇ ଘରକୁ ଫେରୁଛନ୍ତି। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ କରୋନା ପରିଚାଳନା ନିୟମକୁ ଶୃଙ୍ଖଳିତ ଢଙ୍ଗରେ ବିନିଯୋଗ କରି ରୋଗୀଙ୍କ ସେବା କରୁଥିବାରୁ ସମ କୋଭିଡ ହସ୍ପିଟାଲ ଓ ଏହାର ଡାକ୍ତର ମାନଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ। ବିଶେଷ କରି ଧର୍ଯ୍ୟର ସହ କରୋନା ସଂକ୍ରମିତଙ୍କର ଉତ୍ତମ ସେବା, ଯତ୍ନ ଓ ଚିକିତ୍ସା କରୁଥିବା ଡାକ୍ତରମାନଙ୍କ ଯୋଗୁଁ ରୋଗୀମାନେ ଉପକୃତ ହେଉଥିବା ସେ କହିଛନ୍ତି।

ଫାଇଭ୍‌ ଟି ସଚିବ ଶ୍ରୀ ଭି କେ ପାଣ୍ଡିଆନ ମଧ୍ୟ ସମ୍‌ର ଏହି ଦୁଇ ଦକ୍ଷ ଡାକ୍ତରଙ୍କ ସହିତ ଫୋନ ଯୋଗେ ଆଲୋଚନା କରିଛନ୍ତି। ରାଜ୍ୟ ସରକାରଙ୍କ କରୋନା ପରିଚାଳନାକୁ ଡାକ୍ତର ପାତ୍ର ଏବଂ ଡାକ୍ତର ବେହେରା ମଧ୍ୟ ପ୍ରଶଂସା କରିଛନ୍ତି। ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ସରକାର ଦକ୍ଷତା ସହିତ କରୋନାର ଆଗୁଆ ପରିଚାଳନା କରୁଥିବାରୁ ଏହା ଦ୍ବାରା ହଜାର ହଜାର ରୋଗୀ ଉପକୃତ ହୋଇପାରୁଛନ୍ତି।