ସମ କୋଭିଡ ହସ୍ପିଟାଲରେ କରୋନାକୁ ପରାସ୍ତ କଲେ ୯୯ ବର୍ଷୀୟ ବୃଦ୍ଧ

Published: May 19, 2021, 8:49 pm IST

ଭୁବନେଶ୍ୱର: କରୋନା ବିରୁଦ୍ଧ ଯୁଦ୍ଧରେ ବିଜୟୀ ହେଉଛନ୍ତି ବୟୋଜ୍ୟେଷ୍ଠ। ସମ କୋଭିଡ ହସ୍ପିଟାଲରୁ ସୁସ୍ଥ ହେଉଛନ୍ତି ଜଣକ ପରେ ଜଣେ ବରିଷ୍ଠ ନାଗରିକ। ଏହି କ୍ରମରେ ଆଜି ଜଣେ ୯୯ ବର୍ଷୀୟ ବୃଦ୍ଧ କରୋନା ରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଭୁବନେଶ୍ୱର ସହିଦନଗର ଅଂଚଳର ମୁରଲୀଧର ଦାସ କୋଭିଡ ସଂକ୍ରମିତ ହୋଇ ଗତ ମେ ୯ ତାରିଖରେ ସମ କୋଭିଡ ହସ୍ପିଟାଲରେ ଭର୍ତି ହୋଇଥିଲେ। ତେବେ ସମ କୋଭିଡ ର ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟ ସେବାରେ ନିୟୋଜିତ ଥିବା କର୍ମଚାରୀଙ୍କ ଉତ୍ତମ ଚିକିତ୍ସା, ସେବା ଓ ଯତ୍ନ ଫଳରେ ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ମୁରଲୀଧରଙ୍କର ପାର୍କିନ୍ସନ, ଉଚ୍ଚ ରକ୍ତଚାପ, ମଧୁମେହ ଭଳି ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ରହିଥିବା ବେଳେ ଆଗରୁ ବ୍ରେନଷ୍ଟ୍ରୋକ ମଧ୍ୟ ହୋଇସାରିଛି।

କୋଭିଡ ଆକ୍ରାନ୍ତ ହେବା ପରେ ସେ ଠିକ ଭାବେ କଥା ମଧ୍ୟ କହି ପାରୁନଥିଲେ। ତେଣୁ ଏହି ବୟୋଜ୍ୟେଷ୍ଠଙ୍କର ନିଷ୍ଠା ଓ ଯତ୍ନର ସହ ସେବା କରିଥିଲେ ସମ କୋଭିଡ ର ଡାକ୍ତର ଓ ନର୍ସ।
ଦୀର୍ଘ ୧୧ ଦିନ ମଧ୍ୟରେ ତାଙ୍କ ସହ ଏକ ଅନାବିଳ ସମ୍ପର୍କ ସୃଷ୍ଟି ହୋଇଯାଇଥିଲା ବୋଲି କହିଛନ୍ତି ହସ୍ପିଟାଲର ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟକର୍ମୀ।

ମୁରଲୀଧର ହସ୍ପିଟାଲରୁ ଡିସ୍ଚାର୍ଜ ହେବା ସମୟରେ ବେଶ ଆନନ୍ଦିତ ଥିଲେ। ସେ ଯିବା ସମୟରେ ଏକ ଭାବବିହ୍ଵଳ ପରିବେଶ ସୃଷ୍ଟି ହୋଇଥିଲା।

କୋଭିଡର ଦ୍ଵିତୀୟ ଲହରୀ ସମୟରେ ଭୁବନେଶ୍ୱରର ୯୦ ଓ ୯୮ ବର୍ଷୀୟା ଦୁଇ ଜଣ ବୃଦ୍ଧା ସମ କୋଭିଡ ହସ୍ପିଟାଲ ରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Related posts