Categories
ଆଞ୍ଚଳିକ

ଜୀବନ ସହ ସଂଗ୍ରାମ କରୁଛନ୍ତି ବାଣପୁରର ମୁଖକର୍କଟ ରୋଗୀ: ସରକାରୀ ସହାୟତା ପାଇଁ ଆକୁଳ ନିବେଦନ

ସୀତାରାମ ଅଗ୍ରୱାଲ

ବାଣପୁର: ମୋ ପୁଅକୁ ବଞ୍ଚାଇଦିଅ, ବାପ ପୁଅ ମିଶି ସବୁ ଋଣ ସୁଝିଦେବୁ, ଆମ ଉପରେ ଦୟା କରନ୍ତୁ। ଏ ଭଳି କରୁଣ ନିବେଦନ କରିଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଅଲାଇଡିହ ଗ୍ରାମର ଜୀବନ ପଣ୍ଡା।

ଜୀବନ ପଣ୍ଡାଙ୍କ ଏକମାତ୍ର ପୁଅ ବରଦା ପ୍ରସାଦ ପଣ୍ଡା ହରିଆନାର କୌଣସି ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। ଆଉ ବାପା ଜୀବନ ପଣ୍ଡା ବାଲୁଗାଁର ଏକ ମନ୍ଦିରରେ ପୂଜକ ଭାବେ କାର୍ଯ୍ୟ କରୁଥିଲେ। କରୋନା ପାଇଁ ବାପା ଜୀବନ ପଣ୍ଡା ନିଜର ଜୀବିକା ହରେଇ ବସିଲେ। ପୁଅର ରୋଜଗାରରେ ଘରଟି ଦୁଃଖସୁଖରେ ଚାଲିଥିଲା।

ତେବେ ଦିନେ ବରଦା ମାଆଙ୍କ ସହ ଫୋନରେ କଥା ହେଉଥିଲେ। ବରଦାଙ୍କ କଥାଗୁଡିକ ପରିଷ୍କାର ଉଚ୍ଚାରଣ ହୋଇପାରୁନଥିବାରୁ ମା’ ପଚାରିଥିଲେ, “ପୁଅ ତୋର କଥା ଏମିତି କଣ ଶୁଭୁଛି। ପୁଅ କହିଥିଲା, ”ବୋଉ ମୋର ଦାନ୍ତ ବିନ୍ଧା ହେଉଛି। ବରଦା ସେଠାରେ ଡାକ୍ତରଙ୍କୁ ଦେଖାଇ ଔଷଧ ଖାଉଥିଲେ। ହେଲେ ଭଲ ନହେବାରୁ ଘରକୁ ଫେରିଆସି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପରୀକ୍ଷା କରିଥିଲେ।

ରିପୋର୍ଟ ଆସିଲା ପରେ ଡାକ୍ତର ଯାହା କହିଲେ ତାଙ୍କ ପାଦତଳୁ ମାଟି ଖସିଗଲା। ବରଦାଙ୍କୁ ମୁଖକର୍କଟ ରୋଗ ହୋଇଥିବା ଜଣାପଡିଥିଲା। ୨୭ ବର୍ଷର ପୁଅ ମୁଖ କର୍କଟ ରୋଗରେ ପୀଡିତ। ଯାହା ଟଙ୍କା ଥିଲା ଚିକିତ୍ସାରେ ସବୁ ଶେଷ ହୋଇଗଲା। ବାପା ଜୀବନ ପଣ୍ଡା ନିଜର ଜୀବିକା ହରେଇ ଘରେ ବସିଛନ୍ତି। ପୁଅର ଚିକିତ୍ସା ତ ଦୂରର କଥା ଘରେ ଚୁଲି ମଧ୍ୟ ଜଳୁନି। ବରଦାଙ୍କ ଗୋଟିଏ ବୋଲି ଭଉଣୀ ବାହା ହୋଇ ଶାଶୁ ଘରେ ରହୁଛନ୍ତି। ପ୍ରଶାସନ ଏବଂ ବଦାନ୍ୟ ବ୍ୟକ୍ତିଙ୍କୁ ବରଦାଙ୍କ ପିତା, ମାତା ଓ ଦାଦା ସହାୟତା ନିମନ୍ତେ ଗଣମାଧ୍ୟମ ଜରିଆରେ ଗୁହାରି କରିଛନ୍ତି।

କିଛି ସାହାଯ୍ୟ କରି ବରଦାକୁ ବଞ୍ଚେଇଦେଲେ ବାପ ପୁଅ ମିଶି ସାହାଯ୍ୟ କରିଥିବା ବ୍ୟକ୍ତିଙ୍କ ଋଣ ଧିରେ ଧିରେ ପରିଶୋଧ କରିଦେବେ। ଏହା ଥିଲା ଜଣେ ବାପାର ଆକୁଳ ନିବେଦନ।

ଯଦି କୌଣସି ସେବା ଅନୁଷ୍ଠାନ ଓ କୌଣସି ବଦାନ ବ୍ୟକ୍ତି ବରଦାକୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି, ତେବେ ଏହି ନମ୍ବରରେ (୯୦୯୦୨୩୩୨୮୪) ଯୋଗାଯୋଗ କରି ସାହାଯ୍ୟ କରିପାରିବେ।

ଉକ୍ତ ରୋଗୀଙ୍କୁ ପ୍ରଶାସନିକ ସହାୟତା ଯୋଗାଇଦେବା ଲାଗି ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ସିଡ଼ିଏମଓ ଙ୍କୁ ମଧ୍ୟ ‘ସମୀକ୍ଷା’ ପକ୍ଷରୁ ଅନୁରୋଧ କରାଯାଉଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସରକାରୀ ସହାୟତା ପାଇବେ କୋଭିଡ୍ ରେ ଜୀବନ ହରାଇଥିବା ୧୬ ସାମ୍ବାଦିକଙ୍କ ପରିବାର 

ନୂଆଦିଲ୍ଲୀ/ଭୁବନେଶ୍ବର: କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସଚିବ ଅପୂର୍ବ ଚନ୍ଦ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜର୍ଣ୍ଣାଲିଷ୍ଟ ୱେଲଫେୟାର ସ୍କିମ କମିଟିର ପ୍ରସ୍ତାବକୁ ମଞ୍ଜୁର କରାଯାଇଛି। ଏହା ଅନ୍ତର୍ଗତ ଜୀବନ ହରାଇଥିବା ୩୫ ଜଣ ସାମ୍ବାଦିକ ପରିବାରଙ୍କୁ  ଆର୍ଥିକ ସହାୟତା ପ୍ରଦାନ କରାଯିବ। ଏଥିରେ ଅନ୍ତର୍ଭୁକ୍ତ ରହିଛନ୍ତି ୧୬ ଜଣ ସାମ୍ବାଦିକଙ୍କ  ପରିବାର ଯେଉଁମାନେ କୋଭିଡ-୧୯ ହେତୁ ଜୀବନ ହରାଇଛନ୍ତି। ଏହି ସହାୟତା ଜର୍ଣ୍ଣାଲିଷ୍ଟ ୱେଲଫେୟାର ସ୍କିମ୍ (ଜେଡବ୍ଲୁଏସ) ଅନ୍ତର୍ଗତ ପ୍ରଦାନ କରାଯିବ। ଏହି ପରିବାରଗୁଡ଼ିକୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ପ୍ରଦାନ କରାଯିବ।

ଜେଡବ୍ଲୁଏସ୍ କମିଟି ସ୍ଥାୟୀ ଭିନ୍ନକ୍ଷମତାରେ ପୀଡ଼ିତ ଥିବା ଦୁଇ ଜଣ ସାମ୍ବାଦିକଙ୍କୁ ଓ ଗୁରୁତର ରୋଗରେ ପୀଡ଼ିତ ଥିବା ପାଞ୍ଚ ଜଣ ସାମ୍ବାଦିକଙ୍କ ପାଇଁ ଜେଡବ୍ଲୁଏସ୍ ନିୟମାବଳୀ ଅନୁସାରେ ସହାୟତା ପାଇଁ ସୁପାରିଶ୍ କରିଛନ୍ତି। ଏହି ମିଟିଂରେ କମିଟି ସମୁଦାୟ ଟ.୧.୮୧ କୋଟିର ସହାୟତା ମଞ୍ଜୁର କରିଛନ୍ତି।

ଏପର୍ଯ୍ୟନ୍ତ କୋଭିଡ୍-୧୯ ହେତୁ ଜୀବନ ହରାଇଥିବା ୧୨୩ ଜଣ ସାମ୍ବାଦିକଙ୍କ ପରିବାରକୁ ସହାୟତା ପ୍ରଦାନ କରାଯାଇଛି। ଚଳିତ ମିଟିଂର ବର୍ତ୍ତମାନର ମଞ୍ଜୁର ସହିତ, ସମୁଦାୟ ୧୩୯ ପରିବାରକୁ ସହାୟତା ପ୍ରଦାନ କରାଯାଇଛି।

ଏହି ସ୍କିମ୍ ଅନ୍ତର୍ଗତ ସମ୍ବାଦିକଙ୍କ  ପରିବାରକୁ  ସାମ୍ବାଦିକଙ୍କ ମୃତ୍ୟୁ କ୍ଷେତ୍ରରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଏହା ସହିତ ସ୍ଥାୟୀ ଅକ୍ଷମତା, ଗୁରୁତର ଦୁର୍ଘଟଣା ଓ ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ପାଇଁ ମଧ୍ୟ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।

ଗତ ଆର୍ଥିକ ବର୍ଷରେ, ବିଭିନ୍ନ ବର୍ଗରେ ୧୩୪ ଜଣ ସାମ୍ବାଦିକ ଓ ତାଙ୍କର ପରିବାରକୁ ୬.୪୭ କୋଟିର ସହାୟତା ପ୍ରଦାନ କରାଯାଇଥିଲା।

ଏହି ଜେଡବ୍ଲୁଏସ କମିଟି ମିଟିଂରେ ଜୟଦୀପ ଭଟ୍ଟନାଗର, ପ୍ରମୁଖ ମହାନିର୍ଦ୍ଦେଶକ, ପିଆଇବି, ବିକ୍ରମ ସହାୟ, ଯୁଗ୍ମ ସଚିବ ଏବଂ କମିଟିର ସମ୍ବାଦିକମାନଙ୍କ ପ୍ରତିନିଧି ସନ୍ତୋଷ ଠାକୁର, ଅମିତ କୁମାର, ଉମେଶ୍ବର କୁମାର, ସର୍ଜନା ଶର୍ମା, ରାଜକିଶୋର ତିୱାରୀ ଓ ଗଣେଶ ବିଷ୍ଟ ଉପସ୍ଥିତ ଥିଲେ।

ଜର୍ଣ୍ଣାଲିଷ୍ଟ ୱେଲଫେୟାର ସ୍କିମ୍ (ଜେଡବ୍ଲୁଏସ୍) ଅନ୍ତର୍ଗତ ସମ୍ବାଦିକ ଓ ତାଙ୍କର ପରିବାର ସହାୟତା ପାଇଁ ପିଆଇବି ର ୱେବସାଇଟ୍ https://accreditation.pib.gov.in/jws/default.aspx ରେ ଆବେଦନ କରିପାରିବେ।

Categories
ଆଞ୍ଚଳିକ

ତିର୍ତ୍ତୋଲ ବ୍ଳକ୍ କଂଗ୍ରେସର ଦାବିପତ୍ର: ବର୍ଷା କ୍ଷତିଗ୍ରସ୍ତଙ୍କୁ ଯୋଗାଇ ଦିଆଯାଉ ସରକାରୀ ସହାୟତା

ରମେଶ ମହାନ୍ତି
ଜଗତସିଂହପୁର: ଲଘୁଚାପଜନିତ ଲଗାଣବର୍ଷା ଯୋଗୁଁ ଜିଲ୍ଲାରେ ବହୁ କ୍ଷୟକ୍ଷତି ହୋଇଥିବା ବେଳେ ତିର୍ତ୍ତୋଲ ବ୍ଲକର ୨୯ ପଞ୍ଚାୟତରେ ମଧ୍ୟ ବ୍ୟାପକ ଫସଲ ହାନି ହେବାସହ କ୍ଷୟକ୍ଷତି ହୋଇଛି। ଏହି କ୍ଷତିଗ୍ରସ୍ତ ଲୋକମାନଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯିବା ଦାବିରେ ଆଜି ତିର୍ତ୍ତୋଲ ବ୍ଲକ କଂଗ୍ରେସ ସଭାପତି ନିହାର ରଂଜନ ନାୟକଙ୍କ ନେତୃତ୍ବରେ ଶତାଧିକ ଚାଷୀ ଜଗତସିଂହପୁର ଜିଲ୍ଲା କୃଷି ଅଧିକାରୀ, ତିର୍ତ୍ତୋଲ ତହସିଲଦାର, ତିର୍ତ୍ତୋଲ କୃଷି ଅଧିକାରୀ, ଜିଲ୍ଲାପାଳ, ଓଡ଼ିଆ ମୁଖ୍ୟକୃଷି ଅଧିକାରୀ ପ୍ରମୁଖଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଶତାଧିକ ହେକ୍ଟର ଚାଷ ଜମିରୁ ବର୍ଷାଜଳ ନିଷ୍କାସନ ହୋଇପାରି ନଥିବାରୁ ବ୍ୟାପକ ଫସଲ ନଷ୍ଟ ହୋଇଛି।

ଏହି ବ୍ଲକର ଅଧିକାଶଂ ଲୋକ କୃଷି ଉପରେ ନିର୍ଭର କରିଥାନ୍ତି। ୠଣ ଓ ହାତ ଉଧାରୀ କରି ଚାଷକରି ଥିବା ଫସଲନଷ୍ଟ ଦେଖି ଚାଷୀ ଆଖିରେ ଲୁହ ଭରି ଯାଇଛି। ବର୍ଷକର ଆହାର ହରାଇଛି ଚାଷୀ। ପ୍ରଶାସନ ପକ୍ଷରୁ ଯଥାଶୀଘ୍ର ତଦନ୍ତ କରାଯାଇ କ୍ଷତିଗ୍ରସ୍ତ ଚାଷୀଙ୍କୁ ଚହ୍ନଟ କରାଯିବା ସହିତ ସେମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ସହ ଋଣଛାଡ୍ କରାଯିବାକୁ ତିର୍ତ୍ତୋଲ ବ୍ଲକ କଂଗ୍ରେସ ପକ୍ଷରୁ ଦାବୀ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ଲଲାଟକେଶରୀ ମହାନ୍ତି, ଦେବାଶିଷ ଶର୍ମା, ସ୍ମୃତି ରଂଜନସ୍ୱାଇଁ, କୈଳାସ ପରିଡ଼ା, କୈଳାସ ଚନ୍ଦ୍ର ସାହୁ,ଅଜୟ ରାଉଳ, ବ୍ରଜବନ୍ଧୁ ମଲ୍ଲିକ, ନବିନ ନାୟକ, ତୋଫାନ ସ୍ୱାଇଁ, ଶରତ ଦାସ ପ୍ରମୁଖ ସାମିଲ ହୋଇଥିଲେ।