ଜୀବନ ସହ ସଂଗ୍ରାମ କରୁଛନ୍ତି ବାଣପୁରର ମୁଖକର୍କଟ ରୋଗୀ: ସରକାରୀ ସହାୟତା ପାଇଁ ଆକୁଳ ନିବେଦନ

Published: Jan 13, 2023, 12:38 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ମୋ ପୁଅକୁ ବଞ୍ଚାଇଦିଅ, ବାପ ପୁଅ ମିଶି ସବୁ ଋଣ ସୁଝିଦେବୁ, ଆମ ଉପରେ ଦୟା କରନ୍ତୁ। ଏ ଭଳି କରୁଣ ନିବେଦନ କରିଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଅଲାଇଡିହ ଗ୍ରାମର ଜୀବନ ପଣ୍ଡା।

ଜୀବନ ପଣ୍ଡାଙ୍କ ଏକମାତ୍ର ପୁଅ ବରଦା ପ୍ରସାଦ ପଣ୍ଡା ହରିଆନାର କୌଣସି ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। ଆଉ ବାପା ଜୀବନ ପଣ୍ଡା ବାଲୁଗାଁର ଏକ ମନ୍ଦିରରେ ପୂଜକ ଭାବେ କାର୍ଯ୍ୟ କରୁଥିଲେ। କରୋନା ପାଇଁ ବାପା ଜୀବନ ପଣ୍ଡା ନିଜର ଜୀବିକା ହରେଇ ବସିଲେ। ପୁଅର ରୋଜଗାରରେ ଘରଟି ଦୁଃଖସୁଖରେ ଚାଲିଥିଲା।

ତେବେ ଦିନେ ବରଦା ମାଆଙ୍କ ସହ ଫୋନରେ କଥା ହେଉଥିଲେ। ବରଦାଙ୍କ କଥାଗୁଡିକ ପରିଷ୍କାର ଉଚ୍ଚାରଣ ହୋଇପାରୁନଥିବାରୁ ମା’ ପଚାରିଥିଲେ, “ପୁଅ ତୋର କଥା ଏମିତି କଣ ଶୁଭୁଛି। ପୁଅ କହିଥିଲା, ”ବୋଉ ମୋର ଦାନ୍ତ ବିନ୍ଧା ହେଉଛି। ବରଦା ସେଠାରେ ଡାକ୍ତରଙ୍କୁ ଦେଖାଇ ଔଷଧ ଖାଉଥିଲେ। ହେଲେ ଭଲ ନହେବାରୁ ଘରକୁ ଫେରିଆସି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପରୀକ୍ଷା କରିଥିଲେ।

ରିପୋର୍ଟ ଆସିଲା ପରେ ଡାକ୍ତର ଯାହା କହିଲେ ତାଙ୍କ ପାଦତଳୁ ମାଟି ଖସିଗଲା। ବରଦାଙ୍କୁ ମୁଖକର୍କଟ ରୋଗ ହୋଇଥିବା ଜଣାପଡିଥିଲା। ୨୭ ବର୍ଷର ପୁଅ ମୁଖ କର୍କଟ ରୋଗରେ ପୀଡିତ। ଯାହା ଟଙ୍କା ଥିଲା ଚିକିତ୍ସାରେ ସବୁ ଶେଷ ହୋଇଗଲା। ବାପା ଜୀବନ ପଣ୍ଡା ନିଜର ଜୀବିକା ହରେଇ ଘରେ ବସିଛନ୍ତି। ପୁଅର ଚିକିତ୍ସା ତ ଦୂରର କଥା ଘରେ ଚୁଲି ମଧ୍ୟ ଜଳୁନି। ବରଦାଙ୍କ ଗୋଟିଏ ବୋଲି ଭଉଣୀ ବାହା ହୋଇ ଶାଶୁ ଘରେ ରହୁଛନ୍ତି। ପ୍ରଶାସନ ଏବଂ ବଦାନ୍ୟ ବ୍ୟକ୍ତିଙ୍କୁ ବରଦାଙ୍କ ପିତା, ମାତା ଓ ଦାଦା ସହାୟତା ନିମନ୍ତେ ଗଣମାଧ୍ୟମ ଜରିଆରେ ଗୁହାରି କରିଛନ୍ତି।

କିଛି ସାହାଯ୍ୟ କରି ବରଦାକୁ ବଞ୍ଚେଇଦେଲେ ବାପ ପୁଅ ମିଶି ସାହାଯ୍ୟ କରିଥିବା ବ୍ୟକ୍ତିଙ୍କ ଋଣ ଧିରେ ଧିରେ ପରିଶୋଧ କରିଦେବେ। ଏହା ଥିଲା ଜଣେ ବାପାର ଆକୁଳ ନିବେଦନ।

ଯଦି କୌଣସି ସେବା ଅନୁଷ୍ଠାନ ଓ କୌଣସି ବଦାନ ବ୍ୟକ୍ତି ବରଦାକୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି, ତେବେ ଏହି ନମ୍ବରରେ (୯୦୯୦୨୩୩୨୮୪) ଯୋଗାଯୋଗ କରି ସାହାଯ୍ୟ କରିପାରିବେ।

ଉକ୍ତ ରୋଗୀଙ୍କୁ ପ୍ରଶାସନିକ ସହାୟତା ଯୋଗାଇଦେବା ଲାଗି ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ସିଡ଼ିଏମଓ ଙ୍କୁ ମଧ୍ୟ ‘ସମୀକ୍ଷା’ ପକ୍ଷରୁ ଅନୁରୋଧ କରାଯାଉଛି।

Related posts