Categories
ଆଞ୍ଚଳିକ

ଭିନ୍ନ ଢଙ୍ଗରେ ଅସନ୍ତୋଷ ଜାହିର କଲେ ସରକାରୀ ହାଇସ୍କୁଲର ଏନପିଏସ ଶିକ୍ଷକ ଶିକ୍ଷୟିତ୍ରୀ

ଭୁବନେଶ୍ୱର: ଆଜି ଏକ ଭିନ୍ନ ପ୍ରକାରର ପ୍ରତିବାଦ କରିଛନ୍ତି ସରକାରୀ ଉଚ୍ଚ ବିଦ୍ୟାଳୟର ଏନପିଏସ ଶିକ୍ଷକ ଶିକ୍ଷୟିତ୍ରୀ। ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଟ୍ରେଣ୍ଡ କରୁଛି ଏହି ଶିକ୍ଷକ ମାନଙ୍କର ଅସନ୍ତୋଷର ସ୍ୱର। ଯାହା ସୂଚନା ଅଛି, ସରକାର ଚୁକ୍ତିଭିତ୍ତିକ ଉଚ୍ଛେଦ ନିୟମ-୨୦୨୨ରୁ ହଜାର ହଜାର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଉପେକ୍ଷା କଲେ ଏବଂ ତାଙ୍କର ୬ ବର୍ଷ ଚୁକ୍ତି ଅବଧିକୁ ଗଣନା କଲେନାହିଁ କି ୬ଟି ନୋସନାଲ ଇଂକ୍ରିମେଣ୍ଟ ମଧ୍ୟ ପ୍ରଦାନ କଲେନାହିଁ।

ସରକାର ଶିକ୍ଷକ ମାନଙ୍କୁ ବିଭାଜନ କରି କିଛି ଶିକ୍ଷକଙ୍କୁ ୬ବର୍ଷ ଚୁକ୍ତି ଅବଧିକୁ ଗଣନା କଲେ ଏବଂ ୬ଟି ନୋସନାଲ ଇଂକ୍ରିମେଣ୍ଟ ପ୍ରଦାନ କଲେ। କିଛି ଶିକ୍ଷକଙ୍କୁ ଗୋଟିଏ, ଦୁଇଟି ଇଂକ୍ରିମେଣ୍ଟ ଦେଇ ଅନ୍ୟ କିଛି କନିଷ୍ଠ ଶିକ୍ଷକଙ୍କ ସହ ସମାନ କଲେ। କିନ୍ତୁ ୨୦୦୪ ରୁ ୨୦୦୯ ମଧ୍ୟରେ ନିଯୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସଂପୂର୍ଣ୍ଣ ଅଣଦେଖା କଲେ। ବହୁବାର ଆନ୍ଦୋଳନ ସହିତ ଦାବି ପତ୍ର ସରକାରଙ୍କୁ ଦିଆଯାଇଥିବା ସ୍ଥଳେ ସରକାର କିଛି ଶୁଣିଲେ ନାହିଁ। ଏବେ ନିକଟରେ ପ୍ରାଥମିକ ଶିକ୍ଷକ ମାନଙ୍କର ଏବଂ ଅନ୍ୟ କେତେକ ବିଭାଗର କ୍ୟାଡର ପୁର୍ନଗଠନ ସରକାର କଲେ, କିନ୍ତୁ ମାଧ୍ୟମିକ ଶିକ୍ଷକ ମାନଙ୍କର କ୍ୟାଡର ପୁର୍ନଗଠନ ସରକାର କରିବା ପାଇଁ ଭୁଲିଗଲେ।

ସରକାର ବର୍ତ୍ତମାନ ବିଭିନ୍ନ କର୍ମଚାରୀ ମାନଙ୍କର ଦାବିକୁ ଗୁରୁତ୍ୱ ଦେଇ ପୂରଣ କରୁଛନ୍ତି। କିନ୍ତୁ ସରକାରୀ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କର କୌଣସି ଦାବି ସରକାର ପୂରଣ କରିନାହାନ୍ତି। ୫ ଟି ଯେତେବେଳେ ସରକାରୀ ମାଧ୍ୟମିକ ବିଦ୍ୟାଳୟ ମାନଙ୍କରେ କାର୍ଯ୍ୟକାରୀ ହେଲା ସର୍ବ ପ୍ରଥମେ ସରକାର ଏହି ସରକାରୀ ମାଧ୍ୟମିକ ବିଦ୍ୟାଳୟ ମାନଙ୍କରେ କାର୍ଯ୍ୟକାରୀ କରିଥିବା ବେଳେ ଏହି ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସରକାର କିପରି ଅଣଦେଖା କଲେ ବୋଲି ଏହି ବର୍ଗର ଶିକ୍ଷକ ଶିକ୍ଷୟିତ୍ରୀ ପ୍ରଶ୍ନ କରିବା ସହ ସେମାନେ ଏବଂ ତାଙ୍କ ପରିବାର ସରକାରଙ୍କ ଉପରେ ଖୁସି ନାହାନ୍ତି ବୋଲି ସାମାଜିକ ଗଣମାଧ୍ୟମ ମାଧ୍ୟମରେ ସରକାରଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି। ଆଗକୁ ସରକାର କଣ ନିଷ୍ପତି ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା। ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଯାହା ଅଭିଯୋଗ କରୁଛନ୍ତି ସେମାନଙ୍କର ଗୋଟିଏ ବି ଦାବି ପୂରଣ ହୋଇନାହିଁ।

Categories
ଆଜିର ଖବର ରାଜ୍ୟ ଖବର

ନିୟମିତ ଦାବିରେ ଓଡିଶା ସରକାରୀ ହାଇସ୍କୁଲ ଚୁକ୍ତିଭିତ୍ତିକ ଶିକ୍ଷକ ସଙ୍ଘର ମହାସମାବେଶ

ଭୁବନେଶ୍ୱର: ୧୮ ହଜାର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ନିୟମିତ କରିବା ଦାବିରେ ଓଡିଶା ସରକାରୀ ହାଇସ୍କୁଲ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ ଆଜି ଏକ ମହାସମାବେଶ ସଙ୍ଘଠିତ କରିଥିଲା। ଭୁବନେଶ୍ୱର ସ୍ଥିତ ଗାନ୍ଧୀମାର୍ଗରେ ଆଜି ନିୟମିତ ହେବା ଦାବିରେ ହଜାର ହଜାର ଶିକ୍ଷକ ଶିକ୍ଷୟିତ୍ରୀ ପ୍ରତିବାଦ ଜଣାଇଥିଲେ। ଯାହା ସୂଚନା ଅଛି ଏହି ଶିକ୍ଷକ ଶିକ୍ଷୟିତ୍ରୀ
ଗତ ଏପ୍ରେଲ ୧ ତାରିଖ ଦିନ ଉତ୍କଳ ଦିବସରୁ ସାରା ଓଡିଶାର ପ୍ରାୟ ୧୮ ହଜାରରୁ ଉର୍ଦ୍ଧ୍ଵ ଚୁକ୍ତିଭିତ୍ତିକ ତଥା ଇନିସିଆଲ ଆପଇଣ୍ଟି ଶିକ୍ଷକ/ଶିକ୍ଷୟିତ୍ରୀ ମାନେ ନିୟମିତ ହେବା ଦାବିରେ ଧାରଣାରେ ବସିଛନ୍ତି।

ଧାରଣାର ତୃତୀୟ ଦିବସରେ ଉଭୟ ସଚିବ ଏବଂ ବିଭାଗୀୟ ମନ୍ତ୍ରୀ ସହ ଆଲୋଚନା ହୋଇଥିଲା। ଆଲୋଚନା ପରେ ମନ୍ତ୍ରୀ ମହୋଦୟ ପ୍ରତିଶୃତି ଦେଇଥିଲେ ଯେ, ଉକ୍ତ ଦିନ ନିୟମିତ ନିର୍ଦେଶାନାମାଟି ପ୍ରକାଶ ପାଇବ। କିନ୍ତୁ ମନ୍ତ୍ରୀଙ୍କର ଘୋଷଣା ପରେ ବି ନିର୍ଦ୍ଦେଶ ନାମାଟି ପ୍ରକାଶ ପାଇଲା ନାହିଁ, ମନ୍ତ୍ରୀଙ୍କର ପ୍ରତିଶୃତି ପାଣିର ଗାର ସଦୃଶ ହୋଇଅଛି ବୋଲି ସଂଘ କହିଛି।

ଏପଟେ ମୁଖ୍ୟମନ୍ତ୍ରୀଙ୍କର ଘୋଷଣାକୁ ୬ ମାସ ସମୟ ବିତିଗଲେ ବି ଶିକ୍ଷକ ଶିକ୍ଷୟିତ୍ରୀ ମାନେ ନିୟମିତ ହେବାରୁ ବଞ୍ଚିତ ହୋଇ ବାରମ୍ବାର ରାଜ ରାସ୍ତାକୁ ଆସୁଛନ୍ତି। ଶିକ୍ଷକ ଶିକ୍ଷୟତ୍ରୀ ନିୟମିତ ହୋଇନଥିବାରୁ ଦରମା ପାଉନାହାନ୍ତି। ଇତି ମଧ୍ୟରେ ୬ ଜଣ ଶିକ୍ଷକ ନିୟମିତ ନହୋଇପାରି ମୃତ୍ୟୁବରଣ ମଧ୍ୟ କରିଛନ୍ତି। ତଥାପି ବିଭାଗ ପକ୍ଷରୁ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ନିୟମିତ କରିବା ପାଇଁ ନିର୍ଦ୍ଧେଶନାମା ଜାରି କରାଯାଇନି ବୋଲି ସଙ୍ଘର ସଭାପତି ପଞ୍ଚାନନ ଜେନା ଅଭିଯୋଗ କରିଛନ୍ତି।

ତେଣୁ ଏହାକୁ ବିରୋଧ କରି ସମସ୍ତ ଚୁକ୍ତିଭିତ୍ତିକ ତଥା ଇନିସିଆଲ ଆପଇଣ୍ଟି ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କୁ ତୁରନ୍ତ ନିୟମିତ କରିବା ଭଳି ଏକ ଦଫା ଦାବି ନେଇ ଆଜିର ଏହି ଆନ୍ଦୋଳନ ଅନିର୍ଦ୍ଧିଷ୍ଟ କାଳ ତଥା ନିୟମିତ ନିର୍ଦ୍ଧେଶନାମା ପ୍ରକାଶ ପାଇବା ପର୍ଯ୍ୟନ୍ତ ବିଧାନସଭା ଆଗରେ ସମସ୍ତ ଚୁକ୍ତିଭିତ୍ତିକ ତଥା ଇନିସିଆଲ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇ ଚାଲିବ ବୋଲି ରାଜ୍ୟ ସଙ୍ଘର ସମ୍ପାଦକ ସତ୍ୟଭୂଷଣ ତରାଇ ଏକ ପ୍ରେସ ବିବୃତିରେ ସୂଚନା ଦେଇଛନ୍ତି।

Categories
ବିଶେଷ ଖବର

ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ: ପୂରଣ ହେବ ସରକାରୀ ହାଇସ୍କୁଲର ସବୁ ପଦବୀ

ଭୁବନେଶ୍ଵର: ରାଜ୍ୟର ବିଭିନ୍ନ ସରକାରୀ ହାଇସ୍କୁଲ ମାନଙ୍କରେ ବିଭିନ୍ନ ବିଷୟରେ ଖାଲି ଥିବା ଶିକ୍ଷକ ପଦବୀ ପୂରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଖୁବଶୀଘ୍ର ୭୫୪୦ ହାଇସ୍କୁଲ ନିଯୁକ୍ତ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଓଡିଶା ଷ୍ଟାଫ ସିଲେକ୍‌ସନ କମିଶନଙ୍କୁ ଅନୁରୋଧ କରାଯାଇଛି। ଏହି ପଦବୀ ଗୁଡିକ ପୂରଣ ହେବା ପରେ ରାଜ୍ୟର ସମସ୍ତ ୪୮୪୮ଟି ସରକାରୀ ହାଇସ୍କୁଲର ସବୁ ଶିକ୍ଷକ ପଦବୀ ପୂରଣ ହୋଇପାରିବ।

ଟିଜିଟି (କଳା), ଟିଜିଟି (ପିସିଏମ ଓ ସିବିଜେଡ୍), ସଂସ୍କୃତ, ହିନ୍ଦି, ଉର୍ଦ୍ଦୁ, ତେଲୁଗୁ ଓ ଶାରୀରିକ ଶିକ୍ଷକ ପଦବୀ ପୂରଣ ନିମନ୍ତେ ଚୟନ ପ୍ରକ୍ରିୟା ଆରମ୍ଭ କରାଯିବ।

ପ୍ରକାଶ ଥାଉ କି, ୨୦୨୧-୨୨ ବର୍ଷରେ କରାଯାଇଥିବା ଦୁଇଟି ଚୟନ ପ୍ରକ୍ରିୟାରେ ୧୩ ହଜାରରୁ ଉର୍ଦ୍ଧ୍ବ ଶିକ୍ଷକ ପଦବୀ ପୂରଣ କରାଯାଇ ବିଭିନ୍ନ ସରକାରୀ ବିଦ୍ୟାଳୟ ମାନଙ୍କରେ ନିଯୁକ୍ତ କରାଯାଇଥିଲା।

ସୂଚନାଯୋଗ୍ୟ ଯେ ରାଜ୍ୟ ସରକାରଙ୍କ ୫-ଟି ଉପକ୍ରମରେ ରାଜ୍ୟର ବିଭିନ୍ନ କାର୍ଯ୍ୟକ୍ରମରେ ରୂପାନ୍ତର ଆଣିବା ପ୍ରକ୍ରିୟା ଜାରି ରହିଥିବା ବେଳେ ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମକୁ ଗୁରୁତ୍ବ ଦିଆଯାଇ ପିଲାମାନଙ୍କ ପାଇଁ ଆଧୁନିକ ଶିକ୍ଷା ବ୍ୟବସ୍ଥା କରାଯାଇଛି। କମ୍ପୁଟର, ଇଣ୍ଟରନେଟ ଠାରୁ ଆରମ୍ଭ କରି ଇ-ଲାଇବ୍ରେରୀ, ଉନ୍ନତ ଖେଳ ଉପକରଣ ଓ ପଡିଆ ତଥା ଅନ୍ୟାନ୍ୟ ସୁବିଧାର ବିକାଶ କରାଯାଉଛି। ୫-ଟିରେ ନିଯୁକ୍ତି କାର୍ଯ୍ୟକ୍ରମକୁ ମଧ୍ୟ ତ୍ବରାନ୍ବିତ କରାଯାଉଛି। ବିଭିନ୍ନ ବିଭାଗରେ ଥିବା ଖାଲି ପଦବୀ ଗୁଡିକୁ ସଂପୂର୍ଣ୍ଣ ସ୍ବଚ୍ଛତାର ସହିତ କ୍ଷୀପ୍ର ଗତିରେ ପୂରଣ କରାଯାଉଛି। ଗତ କିଛି ବର୍ଷ ମଧ୍ୟରେ ବିଭିନ୍ନ ବିଭାଗର ହଜାର ହଜାର ପଦବୀ ପୂରଣ କରାଯାଇଥିବା ବେଳେ ଏହି ନିଯୁକ୍ତି ପ୍ରକ୍ରିୟା ଆଗକୁ ମଧ୍ୟ ଜାରି ରହିବ।

Categories
ଆଜିର ଖବର ବିଶେଷ ଖବର ରାଜ୍ୟ ଖବର

ରାଜ୍ୟ ସରକାରଙ୍କ ୫-ଟି ଅଭିଯାନ: ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ସରକାରୀ ହାଇସ୍କୁଲ ନେବ ନୂଆ ରୂପ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ସରକାରୀ ହାଇସ୍କୁଲ ସଂପୂର୍ଣ୍ଣ ନୂଆ ରୂପ ନେବାକୁ ଯାଉଛି। ଏଥିପାଇଁ ରାଜ୍ୟ ସରକାରଙ୍କ ୫-ଟି ଅଭିଯାନ ଅଧୀନରେ ରୂପାନ୍ତରଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ପ୍ରଥମ ପର‌୍ୟ୍ୟାୟରେ ରୂପାନ୍ତରଣ ହେବାକୁ ଥିବା ହାଇସ୍କୁଲ ମଧ୍ୟରୁ ୪୦ଟି ସ୍କୁଲର ସମୀକ୍ଷା କରାଯାଇଛି। ଶନିବାର ଦିନ ୫-ଟି ସଚିବ ଭି କାର୍ତ୍ତିକେୟନ୍ ପାଣ୍ଡିଆନ୍ ଲୋକସେବା ଭବନରୁ ଭିଡିଓ କନଫରେନ୍ସିଂ ଜରିଆରେ ଏହାର ସମୀକ୍ଷା କରିଛନ୍ତି।

ଏହି ଅବସରରେ ହାଇସ୍କୁଲ ରୂପାନ୍ତରଣ ଲାଗି ପ୍ରସ୍ତୁତ ଜିଲ୍ଲାସ୍ତରୀୟ ‘ଭିଜନ ଡକ୍ୟୁମେଣ୍ଟ’ ଉନ୍ମୋଚିତ ହୋଇଥିଲା। ଏଥିରେ କାର‌୍ୟ୍ୟକ୍ରମର ମୂଳ ଲକ୍ଷ୍ୟ ସହିତ ଏହାକୁ କିପରି ସଫଳତାର ସହ କାର‌୍ୟ୍ୟକାରୀ କରାଯିବ ସେ ନେଇ ମାର୍ଗଦର୍ଶନ ପ୍ରସ୍ତୁତ କରାଯାଇଛି। ସେହିପରି ପ୍ରତ୍ୟେକ ବିଦ୍ୟାଳୟର ମାଇକ୍ରୋ ପ୍ଲାନ୍ ମଧ୍ୟ ପ୍ରସ୍ତୁତ ହୋଇଛି।

ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ପରିସରରେ ଥିବା ଓସ୍ୱାନ ଭିଡିଓ କନଫରେନ୍ସିଂ ହଲଠାରେ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣଙ୍କ ସହ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ସୁନ୍ଦରଗଡ଼ରେ ଏହି କାର୍ଯ୍ୟକ୍ରମ ଲାଗୁ କରିବା ସମ୍ପର୍କରେ ଜିଲ୍ଲାପାଳ ସୂଚନା ଦେଇଥିଲେ। ହାଇସ୍କୁଲ ରୂପାନ୍ତରଣ ଲାଗି ସରକାରଙ୍କୁ ଧନ୍ୟବାଦ ଦେବା ସହିତ ଏହାର ସଫଳ ରୂପାୟନ ପାଇଁ ସେ ସମସ୍ତଙ୍କର ସହଯୋଗ ଲୋଡ଼ିଥିଲେ।

ମୁଖ୍ୟମନ୍ତ୍ରୀଙ୍କର ପରିକଳ୍ପନା ହେଉଛି ରାଜ୍ୟର ସମସ୍ତ ସରକାରୀ ସ୍କୁଲକୁ ନୂଆ ରୂପ ଦେବା। ସ୍କୁଲର ଶିକ୍ଷା ପରିବେଶରେ ବ୍ୟାପକ ଉନ୍ନତି ଆଣିବା। ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଶିକ୍ଷାଦାନର ମାନ ବଢ଼ାଇବା। ସେହିପରି ଅଭିଭାବକ ଏବଂ ସ୍ଥାନୀୟ ଜନସାଧାରଣଙ୍କ ସହଯୋଗରେ ଶିକ୍ଷାନୁଷ୍ଠାନର ସାମଗ୍ରିକ ଉନ୍ନତି ଆଣିବା। ଏହା ହେଲେ ଆମ ସରକାରୀ ସ୍କୁଲଗୁଡ଼ିକରେ ଯେଉଁ ପ୍ରତିଭାବାନ୍ ଛାତ୍ରଛାତ୍ରୀ ଅଛନ୍ତି ସେମାନଙ୍କର ଭବିଷ୍ୟତ ଲକ୍ଷ୍ୟ ସାକାର ହୋଇପାରିବ’’, ସମୀକ୍ଷା ବେଳେ କହିଥିଲେ ଭି କାର୍ତ୍ତିକେୟନ୍ପାଣ୍ଡିଆନ୍। ତେଣୁ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସମସ୍ତେ ଏକାଠି ହୋଇ କାମ କରିବାକୁ ସେ ପରାମର୍ଶ ଦେଇଥିଲେ।

ଏହି ସମୀକ୍ଷା ବେଳେ ୫-ଟି ସଚିବ ଗୋଟି ଗୋଟି କରି ସମସ୍ତ ସ୍କୁଲ ସହ ସିଧାସଳଖ କଥାବାର୍ତ୍ତା କରିଥିଲେ। ଜିଲ୍ଲାର ସମସ୍ତ ୧୭ଟି ବ୍ଲକରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ହୋଇଥିବା ଏହି କାର୍ଯ୍ୟକ୍ରମ ବେଳେ ବିଡିଓଙ୍କ ସହ ବ୍ଲକ ଶିକ୍ଷା ଅଧିକାରୀ, ବିଭିନ୍ନ ସ୍କୁଲର ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଏବଂ ବିଦ୍ୟାଳୟ ପରିଚାଳନା ସମିତିର ସଦସ୍ୟ, ପଞ୍ଚାୟତିରାଜ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

‘‘୫-ଟି ଅଭିଯାନ ଅଧୀନରେ ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ୩୮୩ଟି ସରକାରୀ ହାଇସ୍କୁଲକୁ ସାମିଲ କରାଯାଇଛି। ତା’ ଭିତରୁ ପ୍ରଥମ ପର‌୍ୟ୍ୟାୟରେ ହେବାକୁ ଥିବା ହାଇସ୍କୁଲଗୁଡ଼ିକର ରୂପାନ୍ତରଣ ବିଷୟରେ ଏହି ବୈଠକରେ ବିସ୍ତୃତ ଆଲୋଚନା ହୋଇଛି। ଆଗାମୀ ଅକ୍ଟୋବର ୨ ତାରିଖ ସୁଦ୍ଧା ପ୍ରଥମ ପର‌୍ୟ୍ୟାୟ ରୂପାନ୍ତରଣ କାର‌୍ୟ୍ୟ ଶେଷ କରିବାକୁ ଆମେ ଲକ୍ଷ୍ୟ ରଖିଛୁ। ଏହା ଫଳରେ ସରକାରୀ ସ୍କୁଲର ପାଠ୍ୟ ପରିବେଶରେ ବିଶେଷ ଉନ୍ନତି ଆସିବା ସହ ଛାତ୍ରଛାତ୍ରୀଙ୍କ ଭବିଷ୍ୟତର କ୍ୟାରିୟର ଗଠନ ଉପରେ ଗୁରୁତ୍ୱ ଦିଆଯାଉଛି’’, କହିଛନ୍ତି ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ।

ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭୈରବ ସିଂ ପଟେଲ, ସୁନ୍ଦରଗଡ଼ ଡିଏମଏଫର ସିଇଓ ରସାଇ ଲାଗୁରୀ, ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ଷଡ଼ଙ୍ଗୀଙ୍କ ସହିତ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ଏହି କାର‌୍ୟ୍ୟକ୍ରମରେ ଉପସ୍ଥିତ ଥିଲେ।

ଏହି ରୂପାନ୍ତରଣ କାର‌୍ୟ୍ୟକ୍ରମ ଜରିଆରେ ସ୍କୁଲଗୁଡ଼ିକର ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ଶିକ୍ଷାନୁଷ୍ଠାନ କିପରି ଛାତ୍ରଛାତ୍ରୀଙ୍କ ପାଇଁ ଅଧିକ ଆକର୍ଷଣୀୟ ହୋଇପାରିବ, ତା’ ଉପରେ ଗୁରୁତ୍ୱ ଦିଆଯାଉଛି। ସ୍ମାର୍ଟ କ୍ଲାସରୁମ, ଇ-ଲାଇବ୍ରେରି, ବିଜ୍ଞାନାଗାର, ଖେଳପଡ଼ିଆ, ପାନୀୟ ଜଳ ଏବଂ ସ୍ୱଚ୍ଛ ଶୌଚାଳୟ ଆଦି ଉପରେ ପ୍ରାଥମିକତା ଦିଆଯାଉଛି। ସେହିପରି ଗୋଷ୍ଠୀ ସହଭାଗିତାକୁ ଆଧାର କରି ଏହି କାର‌୍ୟ୍ୟକ୍ରମକୁ ସଫଳ କରିବା ପାଇଁ ୫-ଟି ଅଧୀନରେ ଲକ୍ଷ୍ୟ ରଖାଯାଇଛି।