ନିୟମିତ ଦାବିରେ ଓଡିଶା ସରକାରୀ ହାଇସ୍କୁଲ ଚୁକ୍ତିଭିତ୍ତିକ ଶିକ୍ଷକ ସଙ୍ଘର ମହାସମାବେଶ

Published: Apr 9, 2023, 8:56 pm IST

ଭୁବନେଶ୍ୱର: ୧୮ ହଜାର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ନିୟମିତ କରିବା ଦାବିରେ ଓଡିଶା ସରକାରୀ ହାଇସ୍କୁଲ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ ଆଜି ଏକ ମହାସମାବେଶ ସଙ୍ଘଠିତ କରିଥିଲା। ଭୁବନେଶ୍ୱର ସ୍ଥିତ ଗାନ୍ଧୀମାର୍ଗରେ ଆଜି ନିୟମିତ ହେବା ଦାବିରେ ହଜାର ହଜାର ଶିକ୍ଷକ ଶିକ୍ଷୟିତ୍ରୀ ପ୍ରତିବାଦ ଜଣାଇଥିଲେ। ଯାହା ସୂଚନା ଅଛି ଏହି ଶିକ୍ଷକ ଶିକ୍ଷୟିତ୍ରୀ
ଗତ ଏପ୍ରେଲ ୧ ତାରିଖ ଦିନ ଉତ୍କଳ ଦିବସରୁ ସାରା ଓଡିଶାର ପ୍ରାୟ ୧୮ ହଜାରରୁ ଉର୍ଦ୍ଧ୍ଵ ଚୁକ୍ତିଭିତ୍ତିକ ତଥା ଇନିସିଆଲ ଆପଇଣ୍ଟି ଶିକ୍ଷକ/ଶିକ୍ଷୟିତ୍ରୀ ମାନେ ନିୟମିତ ହେବା ଦାବିରେ ଧାରଣାରେ ବସିଛନ୍ତି।

ଧାରଣାର ତୃତୀୟ ଦିବସରେ ଉଭୟ ସଚିବ ଏବଂ ବିଭାଗୀୟ ମନ୍ତ୍ରୀ ସହ ଆଲୋଚନା ହୋଇଥିଲା। ଆଲୋଚନା ପରେ ମନ୍ତ୍ରୀ ମହୋଦୟ ପ୍ରତିଶୃତି ଦେଇଥିଲେ ଯେ, ଉକ୍ତ ଦିନ ନିୟମିତ ନିର୍ଦେଶାନାମାଟି ପ୍ରକାଶ ପାଇବ। କିନ୍ତୁ ମନ୍ତ୍ରୀଙ୍କର ଘୋଷଣା ପରେ ବି ନିର୍ଦ୍ଦେଶ ନାମାଟି ପ୍ରକାଶ ପାଇଲା ନାହିଁ, ମନ୍ତ୍ରୀଙ୍କର ପ୍ରତିଶୃତି ପାଣିର ଗାର ସଦୃଶ ହୋଇଅଛି ବୋଲି ସଂଘ କହିଛି।

ଏପଟେ ମୁଖ୍ୟମନ୍ତ୍ରୀଙ୍କର ଘୋଷଣାକୁ ୬ ମାସ ସମୟ ବିତିଗଲେ ବି ଶିକ୍ଷକ ଶିକ୍ଷୟିତ୍ରୀ ମାନେ ନିୟମିତ ହେବାରୁ ବଞ୍ଚିତ ହୋଇ ବାରମ୍ବାର ରାଜ ରାସ୍ତାକୁ ଆସୁଛନ୍ତି। ଶିକ୍ଷକ ଶିକ୍ଷୟତ୍ରୀ ନିୟମିତ ହୋଇନଥିବାରୁ ଦରମା ପାଉନାହାନ୍ତି। ଇତି ମଧ୍ୟରେ ୬ ଜଣ ଶିକ୍ଷକ ନିୟମିତ ନହୋଇପାରି ମୃତ୍ୟୁବରଣ ମଧ୍ୟ କରିଛନ୍ତି। ତଥାପି ବିଭାଗ ପକ୍ଷରୁ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ନିୟମିତ କରିବା ପାଇଁ ନିର୍ଦ୍ଧେଶନାମା ଜାରି କରାଯାଇନି ବୋଲି ସଙ୍ଘର ସଭାପତି ପଞ୍ଚାନନ ଜେନା ଅଭିଯୋଗ କରିଛନ୍ତି।

ତେଣୁ ଏହାକୁ ବିରୋଧ କରି ସମସ୍ତ ଚୁକ୍ତିଭିତ୍ତିକ ତଥା ଇନିସିଆଲ ଆପଇଣ୍ଟି ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କୁ ତୁରନ୍ତ ନିୟମିତ କରିବା ଭଳି ଏକ ଦଫା ଦାବି ନେଇ ଆଜିର ଏହି ଆନ୍ଦୋଳନ ଅନିର୍ଦ୍ଧିଷ୍ଟ କାଳ ତଥା ନିୟମିତ ନିର୍ଦ୍ଧେଶନାମା ପ୍ରକାଶ ପାଇବା ପର୍ଯ୍ୟନ୍ତ ବିଧାନସଭା ଆଗରେ ସମସ୍ତ ଚୁକ୍ତିଭିତ୍ତିକ ତଥା ଇନିସିଆଲ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇ ଚାଲିବ ବୋଲି ରାଜ୍ୟ ସଙ୍ଘର ସମ୍ପାଦକ ସତ୍ୟଭୂଷଣ ତରାଇ ଏକ ପ୍ରେସ ବିବୃତିରେ ସୂଚନା ଦେଇଛନ୍ତି।

Related posts