Categories
ଆଜିର ଖବର ରାଜ୍ୟ ଖବର

ବାଣପୁର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ରଜତ ଜୟନ୍ତୀ ସମାରୋହକୁ ଉଦଘାଟନ କଲେ ଛତିଶଗଡ ରାଜ୍ୟପାଳ

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଭଗବତୀ ବିହାରସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ତିନିଦିନ ଧରି ପାଳନ ହେବାକୁ ଥିବା ରଜତ ଜୟନ୍ତୀ ସମାରୋହ ଆଜି ଉଦଘାଟିତ ହୋଇଯାଇଛି। ସକାଳେ କଳସ ଓ ମଶାଲ ଶୋଭାଯାତ୍ରା ମା’ଭଗବତୀ ମନ୍ଦିରରୁ ବାହାରି ବିଦ୍ୟାଳୟରେ ପହଁଚିଲା ପରେ ଅପରାହ୍ନରେ ଗାୟତ୍ରୀ ମହାଯଂଜ୍ଞ, ଏବଂ ଶାରୀରିକ ଓ ରଙ୍ଗମଞ୍ଚ ଅନୁଷ୍ଠିତ ହୋଇଥିଲା।

ଆଜିର ଉଦଘାଟନ ଉତ୍ସବର ସଭା ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରାଜକିଶୋର ଭୋପାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବାବେଳେ ମୁଖ୍ୟ ଅତିଥି ଭାବେ ଛତିଶଗଡ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଯୋଗ ଦେଇଥିଲେ। ମୁଖ୍ୟବକ୍ତା ଭାବେ ଶିକ୍ଷା ବିକାଶ ସମିତି ସଭାପତି କୁଳମଣି ମିଶ୍ର, ସମ୍ମାନିତ ଅତିଥି ଭାବେ ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ ଯୋଗ ଦେଇଥିବା ବେଳେ ବିଶିଷ୍ଟ ଅତିଥି ଭାବେ ଗୁଜୁରାଟ ବାନପ୍ରସ୍ତ ସାଧକ ଆଶ୍ରମ ସଚିବ ସ୍ୱାମୀ ମୁକ୍ତାନନ୍ଦଜୀ ପରିବ୍ରାଜକ ଯୋଗ ଦେଇଥିଲେ।

ମୁଖ୍ୟବକ୍ତାଙ୍କ ଅଭିଭାଷଣରେ ଅଭିଭାବକମାନେ ନିଜ ମନର କଥାକୁ ପିଲା ଉପରେ ଲଦି ଦିଅନ୍ତୁ ନାହିଁ ବୋଲି କହିଥିଲେ। ପିଲାର ମସ୍ତିକ ଧାରଣ କ୍ଷମତାଠାରୁ ଅଧିକ ବୋଝ ନ ଲଦି ପିଲା ଉପରେ ଭରସା ରଖନ୍ତୁ। ଏହି ବିଦ୍ୟାମନ୍ଦିରରେ ଖାଲି ବିଦ୍ୟା ଅଧ୍ୟୟନ କରାଯାଇ ନଥାଏ ସଂସ୍କୃତି ଓ ପରମ୍ପରାକୁ ରକ୍ଷା କରିବାକୁ ମଧ୍ୟ ପିଲା ମାନଙ୍କୁ ଶିକ୍ଷା ଦିଆଯାଏ।

ମୁଖ୍ୟ ଅତିଥି ମହାମହିମ ରାଜ୍ୟପାଳ ଭାରତର ସଂସ୍କୃତିକୁ ସାରା ବିଶ୍ୱ ଆଜି ଗ୍ରହଣ କରିଛି ବୋଲି କହିଥିଲେ। ଭାରତର ସଂସ୍କୃତି ଯୁଦ୍ଧ ନୁହେଁ ସର୍ବଦା ଶାନ୍ତିର ବାର୍ତ୍ତାଦିଏ। ଭାରତୀୟ ଦର୍ଶନ ହେଉଛି ବସୁଧେୟିବ କୁଟୁମ୍ବକମ। ତେଣୁ ଏହି ଦର୍ଶନରେ ଅନୁପ୍ରାଣିତ ହେବାକୁ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ବାଣପୁର ମାଟି ହେଉଛି ଏକ ବୀର ମାଟି, ଏହାର ଐତିହ୍ୟ ବହୁ ପ୍ରାଚୀନ, ଏ ଜାତି ହେଉଛି ସ୍ୱାଭିମାନର ଜାତି। ଏହାକୁ ରକ୍ଷା କରିବା ଦାୟିତ୍ୱ ହେଉଛି ପିଲା ମାନଙ୍କର। ମୋ ମା, ମୋ ମାଟି, ମୋ ଭାଷା ଓ ମୋ ଦେଶକୁ ରକ୍ଷା କରିବାକୁ ମହାମହିମ ରାଜ୍ୟପାଳ ଶ୍ରୀ ହରିଚନ୍ଦନ ଆହ୍ୱାନ ଦେଇଥିଲେ।

ଏହି ଅବସରରେ ବାଣପୁର ଅଂଚଳର ବିଭିନ୍ନ ବର୍ଗ ଯଥା ଶିକ୍ଷାବିତ, ଡାକ୍ତର ଏବଂ ସମାଜସେବୀଙ୍କୁ ଉପଢୌକନ ଦେଇ ମହାମହିମ ରାଜ୍ୟପାଳ ସମ୍ବର୍ଦ୍ଧିତ କରିଥିଲେ।  ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ରାଜ୍ୟପାଳଙ୍କ ଆଗରେ ପାଇକ ଆଖଡ଼ାର କଳା କୌଶଳ ପ୍ରଦର୍ଶନ କରିଥିବାରୁ ରାଜ୍ୟପାଳ ଖୁସି ବ୍ୟକ୍ତ କରିଥିଲେ।

ବିଦ୍ୟାଳୟ ପରିଚାଳନା କମିଟି ସମ୍ପାଦକ ଆଇନଜୀବୀ ଶ୍ୟାମସୁନ୍ଦର ମିଶ୍ର ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ପ୍ରଧାନଆଚାର୍ଯ୍ୟ ଅବିନାଶ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଞ୍ଚଳିକ

ବାଣପୁରରେ ‘ଅଖଣ୍ଡ ଭାରତ ସଂକଳ୍ପ ଦିବସ’ ପାଳିତ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ରେ ଜିଲ୍ଲା ସଂସ୍କୃତି ସୁରକ୍ଷା ସମିତି ପକ୍ଷରୁ ‘ଅଖଣ୍ଡ ଭାରତ ସଂକଳ୍ପ ଦିବସ’ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି।  ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ(ଆରଏସଏସ), ବାଣପୁରର ସଂଘଚାଳକ ସତ୍ୟନାରାୟଣ ଷଡ଼ଙ୍ଗୀ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ସଂସ୍କୃତି ଓ ରାଷ୍ଟ୍ର ବିଷୟରେ ଉଦବୋଧନ ଦେଇଥିଲେ।

ମୁଖ୍ୟ ଅତିଥି ଭାବେ ବାଣପୁରସ୍ଥ ସଂଗୀତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ମାଧବ ଚନ୍ଦ୍ର ପଲେଇ ଯୋଗଦେଇ ଦେଶ ସ୍ୱାଧୀନତା ଓ ଏଥିରେ ବାଣପୁରର ଯୋଗଦାନ ସମ୍ପର୍କରେ ଆଲୋଚନା କରିଥିଲେ।

ଏହି ଅବସରରେ ସଂସ୍କୃତି ସୁରକ୍ଷା ସମିତି ପକ୍ଷରୁ ବାଣପୁର ର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ପୁର୍ବରୁ ଅନୁଷ୍ଠିତ ସଂଗୀତ ଓ ତର୍କ ପ୍ରତିଯୋଗିତା ରେ ସଫଳତା ଲାଭ କରିଥିବା କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।

ଉକ୍ତ ପ୍ରତିଯୋଗିତାରେ ବିଚାରକ ମଣ୍ଡଳି ଭାବେ ସଂଯୁକ୍ତା ପ୍ରଧାନ, ଦିଲ୍ଲୀପ କୁମାର ପାତ୍ର ଓ ସରୋଜକାନ୍ତ ଶାସମଲ ଯୋଗ ଦେଇଥିବା ବେଳେ ଆଜିର କାର୍ଯ୍ୟକ୍ରମକୁ ଆରଏସଏସ ବାଣପୁର ଖଣ୍ଡ କାର୍ଯ୍ୟବାହ ପ୍ରଶାନ୍ତ କୁମାର ସୁପକାର ସଂଚାଳନ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁରେ ଜିଲ୍ଲା ଘୋଷ ସଂଚଳନ, ଯୋଗ ଦେଲେ ୨୦୮ ଜଣ ଶିଶୁ ଘୋଷ ବିଦ୍ୟାର୍ଥୀ

ସୀତାରାମ ଅଗ୍ରୱାଲା

ବାଲୁଗାଁ: ବିଦ୍ୟାଭାରତୀ ଏବଂ ଶିକ୍ଷା ବିକାଶ ସମିତିର ଯୋଜନା ଅନୁସାରେ ଖୋର୍ଦ୍ଧା ବିଭାଗର ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାରୁ ଆସିଥିବା ୧୩ ଗୋଟି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ମୋଟ ୨୦୮ ଜଣ ଶିଶୁ ଘୋଷ ବିଦ୍ୟାର୍ଥୀ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ବାଲୁଗାଁଠାରେ ଦୁଇ ଦିନିଆ ଶିବିରରେ ଯୋଗଦେଇଛନ୍ତି।

ଏମାନେ ନଭେମ୍ବର ୧୩ ଓ ୧୪ ତାରିଖରେ ରେ ପୂର୍ଣ୍ଣ ସମୟ ଉପସ୍ଥିତ ରହିବା ସହ ସେମାନଙ୍କୁ ନେଇ ‘ଶିଶୁ ଦିବସ’ ଉପଲକ୍ଷେ ବାଲୁଗାଁ ନଗରରେ ଏକ ଘୋଷ ପଥ ସଂଚଳନ କରାଯାଇଥିଲା। ଘୋଷ ଶିବିରକୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଓ ବାଲୁଗାଁ ନଗରର ଶୁଭେଛୁ ମାନେ ଅତି ଉତ୍ସାହପୂର୍ବକ ସହକାରେ ସହଯୋଗ କରିଥିଲେ।

ପଥ ସଂଚଳନ ସମୟରେ ଜାତୀୟ ରାଜପଥର ଉଭୟ ପାର୍ଶ୍ଵରେ ଶତାଧିକ ଅଭିଭାବକ ତଥା ଶୁଭେଛୁ ଉପସ୍ଥିତ ରହି ଅଭ୍ୟର୍ଥନା ପ୍ରଦାନ କରିଥିଲେ। ସଂଚଳନ ଚିଲିକା କୂଳଠାରୁ ଅଡ଼ିଟୋରିଅମ ହଲ ଏବଂ ପୁନଃ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପର୍ଯ୍ୟନ୍ତ ଵୀରବାଦ୍ୟ ସହ ପରିକ୍ରମା କରିଥିଲା। ତେବେ ସ୍ଥାନୀୟ ଅଞ୍ଚଳରେ ଏହାର ପ୍ରଭାବ ମଧ୍ୟ ଦେଖିବାକୁ ମିଳିଛି। ଉକ୍ତ କାର୍ଯ୍ୟକ୍ରମକୁ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ବାଲୁଗାଁର ଆଚାର୍ଯ୍ୟ, ଆଚାର୍ଯ୍ୟା,ସେବକ ସେବିକା ଓ ପରିଚାଳନା ସମିତିର କାର୍ଯ୍ୟକର୍ତାମାନେ ସଫଳ କରାଇଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଇକ ଡ଼ିକିରୁ ଦୁଇ ଲକ୍ଷ ଲୁଟ ଘଟଣାର ପର୍ଦ୍ଦାଫାଶ କଲା ବାଣପୁର ପୋଲିସ, ଜଣେ ଗିରଫ

ସୀତାରାମ ଅଗ୍ରୱାଲ
ବାଣପୁର: ଗତ ଫେବୃଆରୀ ମାସରେ ବାଣପୁର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ସାମ୍ନାରୁ ଏକ ବାଇକ ଡ଼ିକିରୁ ୨ ଲକ୍ଷ ଟଙ୍କା ଚୋରି ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ। ଉକ୍ତ ମାମଲାରେ ଜଣେ ଅଭିଯୁକ୍ତକୁ ପୋଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି।

ଗିରଫ ଅଭିଯୁକ୍ତ ହେଲେ ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅଞ୍ଚଳର ପୁଲି ଶଙ୍କର(୩୯)। ପୋଲିସ ଅଭିଯୁକ୍ତଙ୍କ ନିକଟରୁ ୮୫ ହଜାର ଟଙ୍କା, ଗୋଟେ ମୋବାଇଲ ଫୋନ ଏବଂ ଗୋଟେ ସ୍କ୍ରିଉ ଡ୍ରାଇଭର ଜବତ କରିଛି। ଏ ନେଇ ବାଣପୁର ଥାନା ଆଇଆଇସି ରଶ୍ମିରଞ୍ଜନ ସାହୁ ସୂଚନା ଦେଇଛନ୍ତି।

ସୂଚନା ଥାଉକି ଫେବୃଆରୀ ମାସ ୧୨ ତାରିଖ ଦିନ ବାଣପୁର ଥାନା ବଡ଼ସିରେଇପୁର ଗ୍ରାମର ନେତ୍ରାନନ୍ଦ ମହାନ୍ତି ବାଣପୁର ଷ୍ଟେଟ ବ୍ୟାଙ୍କରୁ ଦୁଇ ଲକ୍ଷ ଟଙ୍କା ଉଠାଇ ନିଜ ବାଇକ ଡ଼ିକିରେ ରଖି ସରସ୍ବତୀ ଶିଶୁ ମନ୍ଦିରକୁ ଯାଇଥିଲେ। ସେଠାରୁ କାମସାରି ଫେରିଲାବେଳକୁ ଡ଼ିକି ଭଙ୍ଗା ଥିବାର ସେ ଦେଖିବାକୁ ପାଇଥିଲେ ଏବଂ ସେଥିରୁ ସମସ୍ତ ଟଙ୍କା ଚୋରି ହୋଇଯାଇଥିଲା।

ତେବେ ପୋଲିସ ସିସି ଟିଭି ଫୁଟେଜ ଆଧାରରେ ତଦନ୍ତ ଜାରି ରଖିଥିବାବେଳେ ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକଙ୍କ ନିର୍ଦ୍ଦେଶକ୍ରମେ ବାଣପୁର ଆଇଆଇସି ରଶ୍ମିରଞ୍ଜନ ସାହୁ, ଏସଆଇ ରାଜକିଶୋର ବେହେରା ଏବଂ ଏସଆଇ ପ୍ରସନ୍ନ କୁମାର ଜେନାଙ୍କୁ ନେଇ ଏକ ଟିମ ଗଠନ କରାଯାଇ ଗତକାଲି ଗଞ୍ଜାମ ଜିଲ୍ଲା କୋଦଳା ଅଞ୍ଚଳରେ ଚଢ଼ାଉ କରାଯାଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା।