ବାଇକ ଡ଼ିକିରୁ ଦୁଇ ଲକ୍ଷ ଲୁଟ ଘଟଣାର ପର୍ଦ୍ଦାଫାଶ କଲା ବାଣପୁର ପୋଲିସ, ଜଣେ ଗିରଫ

Published: Jun 21, 2021, 7:33 pm IST

ସୀତାରାମ ଅଗ୍ରୱାଲ
ବାଣପୁର: ଗତ ଫେବୃଆରୀ ମାସରେ ବାଣପୁର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ସାମ୍ନାରୁ ଏକ ବାଇକ ଡ଼ିକିରୁ ୨ ଲକ୍ଷ ଟଙ୍କା ଚୋରି ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ। ଉକ୍ତ ମାମଲାରେ ଜଣେ ଅଭିଯୁକ୍ତକୁ ପୋଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି।

ଗିରଫ ଅଭିଯୁକ୍ତ ହେଲେ ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅଞ୍ଚଳର ପୁଲି ଶଙ୍କର(୩୯)। ପୋଲିସ ଅଭିଯୁକ୍ତଙ୍କ ନିକଟରୁ ୮୫ ହଜାର ଟଙ୍କା, ଗୋଟେ ମୋବାଇଲ ଫୋନ ଏବଂ ଗୋଟେ ସ୍କ୍ରିଉ ଡ୍ରାଇଭର ଜବତ କରିଛି। ଏ ନେଇ ବାଣପୁର ଥାନା ଆଇଆଇସି ରଶ୍ମିରଞ୍ଜନ ସାହୁ ସୂଚନା ଦେଇଛନ୍ତି।

ସୂଚନା ଥାଉକି ଫେବୃଆରୀ ମାସ ୧୨ ତାରିଖ ଦିନ ବାଣପୁର ଥାନା ବଡ଼ସିରେଇପୁର ଗ୍ରାମର ନେତ୍ରାନନ୍ଦ ମହାନ୍ତି ବାଣପୁର ଷ୍ଟେଟ ବ୍ୟାଙ୍କରୁ ଦୁଇ ଲକ୍ଷ ଟଙ୍କା ଉଠାଇ ନିଜ ବାଇକ ଡ଼ିକିରେ ରଖି ସରସ୍ବତୀ ଶିଶୁ ମନ୍ଦିରକୁ ଯାଇଥିଲେ। ସେଠାରୁ କାମସାରି ଫେରିଲାବେଳକୁ ଡ଼ିକି ଭଙ୍ଗା ଥିବାର ସେ ଦେଖିବାକୁ ପାଇଥିଲେ ଏବଂ ସେଥିରୁ ସମସ୍ତ ଟଙ୍କା ଚୋରି ହୋଇଯାଇଥିଲା।

ତେବେ ପୋଲିସ ସିସି ଟିଭି ଫୁଟେଜ ଆଧାରରେ ତଦନ୍ତ ଜାରି ରଖିଥିବାବେଳେ ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକଙ୍କ ନିର୍ଦ୍ଦେଶକ୍ରମେ ବାଣପୁର ଆଇଆଇସି ରଶ୍ମିରଞ୍ଜନ ସାହୁ, ଏସଆଇ ରାଜକିଶୋର ବେହେରା ଏବଂ ଏସଆଇ ପ୍ରସନ୍ନ କୁମାର ଜେନାଙ୍କୁ ନେଇ ଏକ ଟିମ ଗଠନ କରାଯାଇ ଗତକାଲି ଗଞ୍ଜାମ ଜିଲ୍ଲା କୋଦଳା ଅଞ୍ଚଳରେ ଚଢ଼ାଉ କରାଯାଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା।

Related posts