Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଘରୋଇ ବଜାରରେ ଦର ବୃଦ୍ଧିକୁ ରୋକିଲା ପିଆଜର ସର୍ବନିମ୍ନ ରପ୍ତାନି ମୂଲ୍ୟ ଉପରେ କେନ୍ଦ୍ରର ହସ୍ତକ୍ଷେପ

ନୂଆଦିଲ୍ଲୀ: ରପ୍ତାନିକୁ ନିରୁତ୍ସାହିତ କରିବା ଏବଂ ଘରୋଇ ବଜାରରେ ଉପଲବ୍ଧତା ବଜାୟ ରଖିବା ପାଇଁ ୨୯ ଅକ୍ଟୋବର୨୦୨୩ରୁ ୩୧ ଡିସେମ୍ବର୨୦୨୩ ପର୍ଯ୍ୟନ୍ତ ପିଆଜ ଉପରେ ସର୍ବନିମ୍ନ ରପ୍ତାନି ମୂଲ୍ୟ ଟନ୍‍ ପ୍ରତି ୮୦୦ ଆମେରିକୀୟ ଡଲାର ଲାଗୁ କରିବାକୁ ଭାରତ ସରକାରଙ୍କ ନିଷ୍ପତ୍ତି ମହାରାଷ୍ଟ୍ର ବଜାରରେ ମୂଲ୍ୟ ସଂଶୋଧନର ତୁରନ୍ତ ପ୍ରଭାବ ଦେଖାଇଛି, ଯେଉଁଠାରେ ମୂଲ୍ୟ ଗତ ସପ୍ତାହରେ ଧାର୍ଯ୍ୟ ସର୍ବୋଚ୍ଚ ମୂଲ୍ୟଠାରୁ ୫% ରୁ ୯% ହ୍ରାସ ପାଇଛି । ମହାରାଷ୍ଟ୍ରରେ ସମସ୍ତ ବଜାରରେ ପିଆଜର ହାରାହାରି ମୂଲ୍ୟ ୪.୫% ହ୍ରାସ ପାଇଛି ଏବଂ ବିକ୍ରୟ କେନ୍ଦ୍ରରେ ମଧ୍ୟ ସମାନ ହ୍ରାସ ପରିଲକ୍ଷିତ ହୋଇଛି ।

ଖାଉଟି ବ୍ୟାପାର ବିଭାଗ ପିଆଜ ରପ୍ତାନି ଏବଂ ଦର ଉପରେ ପ୍ରତିଦିନ ନଜର ରଖିଛି ଯାହା ଦ୍ୱାରା ଘରୋଇ ମୂଲ୍ୟରେ ସ୍ଥିରତା ଏବଂ ଉପଭୋକ୍ତାଙ୍କୁ ଉପଲବ୍ଧତା ସୁନିଶ୍ଚିତ ହେବ । ନଭେମ୍ବର ମାସରେ ବଢୁଥିବା ଚାହିଦାକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ପିଆଜ ବଫର ଷ୍ଟକକୁ ଉଭୟ ମଣ୍ଡି ବିକ୍ରି ଓ ରିହାତି ବିକ୍ରୟ ମାଧ୍ୟମରେ ଖୁଚୁରା ଉପଭୋକ୍ତାଙ୍କୁ ଅଧିକ ମୂଲ୍ୟରେ ବଜାରକୁ ଛାଡିବା ଆରମ୍ଭ କରିଛି । ଏଥିରେ ୧୭୦ରୁ ଅଧିକ ସହରକୁ ଅନ୍ତର୍ଭୁକ୍ତ କରି ୬୮୫ଟି ଭ୍ରାମ୍ୟମାଣ ଖୁଚୁରା ବିକ୍ରୟକେନ୍ଦ୍ର ମାଧ୍ୟମରେ ବିକ୍ରି କରାଯାଉଛି । ପିଆଜ ଦରକୁ ନିୟନ୍ତ୍ରଣରେ ରଖିବା ଏବଂ ଉପଭୋକ୍ତାଙ୍କ ସ୍ୱାର୍ଥ କୁ ସୁରକ୍ଷିତ ରଖିବା ପାଇଁ ନାଫେଡ୍ ଏବଂ ଏନସିସିଏଫ ମଧ୍ୟ ଖରିଫ ଅମଳର ଅତିରିକ୍ତ ୨ ଲକ୍ଷ ମେଟ୍ରିକ ଟନ୍‍ ପିଆଜ କିଣିବା ଆରମ୍ଭ କରିଛନ୍ତି ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଆଜିଠୁ ପ୍ରତି ମେଟ୍ରିକ ଟନ୍ ଉପରେ ପିଆଜ ଏମ୍ଇପି ୮୦୦ ଡଲାର ରହିବ: ବିଜ୍ଞପ୍ତି ଜାରି କଲେ ସରକାର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଜି ଠାରୁ ଡିସେମ୍ବର ୩୧, ୨୦୨୩ ପର୍ଯ୍ୟନ୍ତ ପିଆଜ ରପ୍ତାନି ଉପରେ ପ୍ରତି ମେଟ୍ରିକ ଟନ୍ ଉପରେ ଏଫ୍ଓବି ଆଧାରରେ ସର୍ବନିମ୍ନ ରପ୍ତାନି ମୂଲ୍ୟ (ଏମ୍ଇପି) ୮୦୦ ଆମେରିକୀୟ ଡଲାର ରହିବ ବୋଲି ବିଜ୍ଞପ୍ତି ଜାରି କରିଛନ୍ତି। ସଂରକ୍ଷିତ ରବି ଋତୁ ୨୦୨୩ରେ ପିଆଜର ପରିମାଣ ହ୍ରାସ ପାଉଥିବାରୁ ପିଆଜ ରପ୍ତାନି ପରିମାଣକୁ ନିୟନ୍ତ୍ରଣ କରି ଘରୋଇ ଉପଭୋକ୍ତା ମାନଙ୍କୁ ସୁଲଭ ମୂଲ୍ୟରେ ପିଆଜର ପର୍ଯ୍ୟାପ୍ତ ଉପଲବ୍ଧତା ବଜାୟ ରଖିବା ନିମନ୍ତେ ଏହି ପଦକ୍ଷେପ ନିଆଯାଇଛି। ମେଟ୍ରିକ୍ ଟନ୍ ପିଛା ୮୦୦ ଆମେରିକୀୟ ଡଲାରର ଏମଇପି କିଲୋ ଗ୍ରାମ ପିଛା ପ୍ରାୟ ୬୭ ଟଙ୍କା ଅଟେ।

ପିଆଜ ରପ୍ତାନି ଉପରେ ଏମଇପି ଲାଗୁ କରିବାକୁ ନିଷ୍ପତ୍ତି ନେବା ସହିତ ବଫର ପାଇଁ ପୂର୍ବରୁ କ୍ରୟ କରାଯାଇଥିବା ୫ ଲକ୍ଷ ଟନ୍ ପିଆଜ ଅତିରିକ୍ତ ୨ ଲକ୍ଷ ଟନ୍ ପିଆଜ କ୍ରୟ କରିବାକୁ ମଧ୍ୟ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଅଗଷ୍ଟ ଦ୍ୱିତୀୟ ସପ୍ତାହରୁ ସାରା ଦେଶର ପ୍ରମୁଖ ଉପଭୋକ୍ତା କେନ୍ଦ୍ର ଗୁଡ଼ିକରେ ବଫରରୁ ପିଆଜ କ୍ରମାଗତ ଭାବରେ ନିଷ୍କାସିତ ହେଉଛି ଏବଂ ଏନ୍ସିସିଏଫ୍ ଏବଂ ନାଫେଡ୍ ଦ୍ୱାରା ପରିଚାଳିତ ମୋବାଇଲ ଭ୍ୟାନ୍ ମାଧ୍ୟମରେ ଖୁଚୁରା ଉପଭୋକ୍ତା ମାନଙ୍କୁ କିଲୋ ପିଛା ୨୫ ଟଙ୍କାରେ ଯୋଗାଇ ଦିଆଯାଉଛି। ବର୍ତ୍ତମାନ ସୁଦ୍ଧା ବଫରରୁ ପ୍ରାୟ ୧ ଲକ୍ଷ ୭୦ ହଜାର ମେଟ୍ରିକ୍ ଟନ୍ ପିଆଜ ନିଷ୍କାସନ କରାଯାଇଛି। ପିଆଜ ଚାଷୀ ମାନଙ୍କୁ ଲାଭଦାୟକ ମୂଲ୍ୟ ସୁନିଶ୍ଚିତ କରିବା ସହିତ ଉପଭୋକ୍ତା ମାନଙ୍କ ପାଇଁ ମୂଲ୍ୟକୁ ନିୟନ୍ତ୍ରଣ କରିବା ନିମନ୍ତେ ବଫରରୁ ପିଆଜର ନିରନ୍ତର କ୍ରୟ ଏବଂ ନିଷ୍କାସନ କାର୍ଯ୍ୟ ହାତକୁ ନିଆଯାଇଛି।

ଘରୋଇ ଉପଭୋକ୍ତା ମାନଙ୍କ ପାଇଁ ପିଆଜ ଦରକୁ ସୁଲଭ ରଖିବା ପାଇଁ ସରକାର ଯେଉଁ ଦୃଢ଼ ସଂକଳ୍ପ ନେଇଛନ୍ତି, ତାହାକୁ ମେଟ୍ରିକ୍ ଟନ୍ ପିଛା ୮୦୦ ଡଲାରର ଏମଇପି ଲାଗୁ କରିବାର ନିଷ୍ପତ୍ତି ପ୍ରଦର୍ଶିତ କରୁଛି।