ଆଜିଠୁ ପ୍ରତି ମେଟ୍ରିକ ଟନ୍ ଉପରେ ପିଆଜ ଏମ୍ଇପି ୮୦୦ ଡଲାର ରହିବ: ବିଜ୍ଞପ୍ତି ଜାରି କଲେ ସରକାର

Published: Oct 29, 2023, 10:14 am IST

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଜି ଠାରୁ ଡିସେମ୍ବର ୩୧, ୨୦୨୩ ପର୍ଯ୍ୟନ୍ତ ପିଆଜ ରପ୍ତାନି ଉପରେ ପ୍ରତି ମେଟ୍ରିକ ଟନ୍ ଉପରେ ଏଫ୍ଓବି ଆଧାରରେ ସର୍ବନିମ୍ନ ରପ୍ତାନି ମୂଲ୍ୟ (ଏମ୍ଇପି) ୮୦୦ ଆମେରିକୀୟ ଡଲାର ରହିବ ବୋଲି ବିଜ୍ଞପ୍ତି ଜାରି କରିଛନ୍ତି। ସଂରକ୍ଷିତ ରବି ଋତୁ ୨୦୨୩ରେ ପିଆଜର ପରିମାଣ ହ୍ରାସ ପାଉଥିବାରୁ ପିଆଜ ରପ୍ତାନି ପରିମାଣକୁ ନିୟନ୍ତ୍ରଣ କରି ଘରୋଇ ଉପଭୋକ୍ତା ମାନଙ୍କୁ ସୁଲଭ ମୂଲ୍ୟରେ ପିଆଜର ପର୍ଯ୍ୟାପ୍ତ ଉପଲବ୍ଧତା ବଜାୟ ରଖିବା ନିମନ୍ତେ ଏହି ପଦକ୍ଷେପ ନିଆଯାଇଛି। ମେଟ୍ରିକ୍ ଟନ୍ ପିଛା ୮୦୦ ଆମେରିକୀୟ ଡଲାରର ଏମଇପି କିଲୋ ଗ୍ରାମ ପିଛା ପ୍ରାୟ ୬୭ ଟଙ୍କା ଅଟେ।

ପିଆଜ ରପ୍ତାନି ଉପରେ ଏମଇପି ଲାଗୁ କରିବାକୁ ନିଷ୍ପତ୍ତି ନେବା ସହିତ ବଫର ପାଇଁ ପୂର୍ବରୁ କ୍ରୟ କରାଯାଇଥିବା ୫ ଲକ୍ଷ ଟନ୍ ପିଆଜ ଅତିରିକ୍ତ ୨ ଲକ୍ଷ ଟନ୍ ପିଆଜ କ୍ରୟ କରିବାକୁ ମଧ୍ୟ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଅଗଷ୍ଟ ଦ୍ୱିତୀୟ ସପ୍ତାହରୁ ସାରା ଦେଶର ପ୍ରମୁଖ ଉପଭୋକ୍ତା କେନ୍ଦ୍ର ଗୁଡ଼ିକରେ ବଫରରୁ ପିଆଜ କ୍ରମାଗତ ଭାବରେ ନିଷ୍କାସିତ ହେଉଛି ଏବଂ ଏନ୍ସିସିଏଫ୍ ଏବଂ ନାଫେଡ୍ ଦ୍ୱାରା ପରିଚାଳିତ ମୋବାଇଲ ଭ୍ୟାନ୍ ମାଧ୍ୟମରେ ଖୁଚୁରା ଉପଭୋକ୍ତା ମାନଙ୍କୁ କିଲୋ ପିଛା ୨୫ ଟଙ୍କାରେ ଯୋଗାଇ ଦିଆଯାଉଛି। ବର୍ତ୍ତମାନ ସୁଦ୍ଧା ବଫରରୁ ପ୍ରାୟ ୧ ଲକ୍ଷ ୭୦ ହଜାର ମେଟ୍ରିକ୍ ଟନ୍ ପିଆଜ ନିଷ୍କାସନ କରାଯାଇଛି। ପିଆଜ ଚାଷୀ ମାନଙ୍କୁ ଲାଭଦାୟକ ମୂଲ୍ୟ ସୁନିଶ୍ଚିତ କରିବା ସହିତ ଉପଭୋକ୍ତା ମାନଙ୍କ ପାଇଁ ମୂଲ୍ୟକୁ ନିୟନ୍ତ୍ରଣ କରିବା ନିମନ୍ତେ ବଫରରୁ ପିଆଜର ନିରନ୍ତର କ୍ରୟ ଏବଂ ନିଷ୍କାସନ କାର୍ଯ୍ୟ ହାତକୁ ନିଆଯାଇଛି।

ଘରୋଇ ଉପଭୋକ୍ତା ମାନଙ୍କ ପାଇଁ ପିଆଜ ଦରକୁ ସୁଲଭ ରଖିବା ପାଇଁ ସରକାର ଯେଉଁ ଦୃଢ଼ ସଂକଳ୍ପ ନେଇଛନ୍ତି, ତାହାକୁ ମେଟ୍ରିକ୍ ଟନ୍ ପିଛା ୮୦୦ ଡଲାରର ଏମଇପି ଲାଗୁ କରିବାର ନିଷ୍ପତ୍ତି ପ୍ରଦର୍ଶିତ କରୁଛି।

Related posts