Categories
ଆଜିର ଖବର ଜାତୀୟ ଖବର

ଏନଏସଓ ଦ୍ବାରା ଦ୍ୱିତୀୟ ସର୍ବଭାରତୀୟ ସମୟ ବ୍ୟବହାର ସର୍ବେକ୍ଷଣ ରିପୋର୍ଟ ପ୍ରକାଶିତ

ନୂଆଦିଲ୍ଲୀ: ଜାନୁଆରୀ-ଡିସେମ୍ବର ୨୦୧୯ ମଧ୍ୟରେ ହୋଇଥିବା ପ୍ରଥମ ସର୍ବେକ୍ଷଣ ପରେ ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନଏସଓ), ଏମଓଏସପିଆଇ ଜାନୁଆରୀ -ଡିସେମ୍ବର, ୨୦୨୪ ମଧ୍ୟରେ କରାଯାଇଥିବା ଦ୍ୱିତୀୟ ସର୍ବଭାରତୀୟ ସମୟ ବ୍ୟବହାର ସର୍ବେକ୍ଷଣ (ଟିୟୁଏସ୍) ଶେଷ କରିଛି।

ଅନ୍ୟ ଘରୋଇ ସର୍ବେକ୍ଷଣ ଠାରୁ ଟାଇମ୍ ୟୁଜ୍ ସର୍ଭେର ବିଶେଷତ୍ୱ ହେଉଛି ଏହା ମାନବ କାର୍ଯ୍ୟକଳାପର ବିଭିନ୍ନ ଦିଗରେ ସମୟ ଉପଯୋଗକୁ ଦର୍ଶାଇଥାଏ।  ବାସ୍ତବରେ, ସମୟ-ବ୍ୟବହାର ସର୍ବେକ୍ଷଣ ସମସ୍ତ ପ୍ରକାର କାର୍ଯ୍ୟକୁ ଧରିବା ପାଇଁ ବିଶେଷ ଭାବରେ ଉପଯୋଗୀ ଅଟେ: ଏଥିରେ ଘରୋଇ କ୍ଷେତ୍ରରେ କାର୍ଯ୍ୟ, ଏବଂ ଜାତୀୟ ଆକାଉଣ୍ଟରେ ହିସାବ ଦିଆଯାଇ ନଥିବା କାର୍ଯ୍ୟ, ଯେପରିକି ବେତନ ବିହୀନ ଘରୋଇ କାର୍ଯ୍ୟ ଏବଂ ପରିବାର ସଦସ୍ୟଙ୍କ ଯତ୍ନ ନେବା କାର୍ଯ୍ୟ ଅନ୍ତର୍ଭୁକ୍ତ ରହିଛି।

ସର୍ବେକ୍ଷଣ କାର୍ଯ୍ୟ ଶେଷ ହେବାର ୩ ମାସ ମଧ୍ୟରେ ରିପୋର୍ଟ ପ୍ରକାଶ ପାଇଥାଏ। ୨୦୨୫ ଫେବ୍ରୁଆରି ମାସରେ ସର୍ଭେର ପ୍ରମୁଖ ଫଳାଫଳ ଉପରେ ଆଲୋକପାତ କରି ଏକ ଫ୍ୟାକ୍ଟ ସିଟ୍ ପ୍ରକାଶ ପାଇଥିଲା।

ସମୟ ବ୍ୟବହାର ସର୍ବେକ୍ଷଣ (ଟିୟୁଏସ୍), ୨୦୨୪ ର ଫଳାଫଳର ମୁଖ୍ୟ ବିଶେଷତ୍ବ

  • ବେତନପ୍ରାପ୍ତ କାର୍ଯ୍ୟକଳାପରେ ଅଂଶଗ୍ରହଣ ଏବଂ ସମୟ: ୧୫-୫୯ ବର୍ଷ ବୟସର ଜନସଂଖ୍ୟାରେ ୭୪.୫% ପୁରୁଷ ଏବଂ ୨୪.୯% ମହିଳା ଗୋଟିଏ ଦିନରେ ଏଭଳି କାର୍ଯ୍ୟକଳାପରେ ଯଥାକ୍ରମେ ହାରାହାରି ୪୨୧ ମିନିଟ୍ ଏବଂ ୩୦୫ ମିନିଟ୍ ବ୍ୟୟ କରି ପେଡ୍ କାର୍ଯ୍ୟକଳାପରେ ଅଂଶଗ୍ରହଣ କରିଥିଲେ।
  • ଏସଏନଏ ଉତ୍ପାଦନ ଏବଂ ଅଣ-ଏସଏନଏ ଉତ୍ପାଦନ କାର୍ଯ୍ୟକଳାପରେ ଅଂଶଗ୍ରହଣ1: ୧୫-୫୯ ବର୍ଷ ବୟସ ବର୍ଗର ୭୯.୨% ପୁରୁଷ ଏବଂ ୪୩.୪% ମହିଳା ଏସଏନଏ ଉତ୍ପାଦନ କାର୍ଯ୍ୟକଳାପରେ ଅଂଶଗ୍ରହଣ କରିଥିବା ବେଳେ ୪୫% ପୁରୁଷ ଏବଂ ୯୩.୯% ମହିଳା ରେଫରେନ୍ସ ଦିନ ରେ ଅଣ-ଏସଏନଏ ଉତ୍ପାଦନ କାର୍ଯ୍ୟକଳାପରେ ଅଂଶଗ୍ରହଣ କରିଥିଲେ ।
  • ରୋଜଗାର ସମ୍ବନ୍ଧୀୟ କାର୍ଯ୍ୟକଳାପ ପାଇଁ ଯାତାୟାତ: ୧୫-୫୯ ବର୍ଷ ବୟସର ପୁରୁଷ ଯାତ୍ରୀମାନେ (ନିଯୁକ୍ତି ସମ୍ବନ୍ଧୀୟ କାର୍ଯ୍ୟକଳାପ ପାଇଁ) ଦିନକୁ ହାରାହାରି ୭୭ ମିନିଟ୍ ଯାତାୟାତରେ ବିତାଉଥିବା ବେଳେ ମହିଳା ଯାତ୍ରୀମାନେ ୬୭ ମିନିଟ୍ ଯାତାୟାତରେ ବିତାଇଥାନ୍ତି।
  • ପରିବାରସଦସ୍ୟଙ୍କ ପାଇଁ ଘରୋଇ ଏବଂ ଯତ୍ନଶୀଳ କାର୍ଯ୍ୟକଳାପ ଘରର ମହିଳା ସଦସ୍ୟମାନେ ବହନ କରିବା ଜାରି ରଖିଛନ୍ତି, ଯଦିଓ ଏଭଳି କାର୍ଯ୍ୟକଳାପରେ ପୁରୁଷ ସଦସ୍ୟଙ୍କ ଅଂଶଗ୍ରହଣ ବୃଦ୍ଧି ପାଇଛି: ୨୬.୪% ପୁରୁଷ ଏବଂ ୮୩.୧% ମହିଳା ସାଧାରଣ ଦିନରେ ପରିବାର ସଦସ୍ୟଙ୍କ ପାଇଁ ଘରୋଇ ସେବାରେ ଅଂଶଗ୍ରହଣ କରିଥିଲେ। ‘ଅନ୍ୟ ଦିନ’ (ଅର୍ଥାତ୍ ସାପ୍ତାହିକ ଛୁଟି ଦିନ, ଛୁଟି ଇତ୍ୟାଦି)ରେ ପୁରୁଷ ଓ ମହିଳାଙ୍କ ଅଂଶଗ୍ରହଣ ଯଥାକ୍ରମେ ୩୨.୨% ଓ ୬୭.୫% ଥିଲା।
  • ଗଣମାଧ୍ୟମର ବ୍ୟବହାର: ସହରାଞ୍ଚଳରେ ୧୫-୨୯ ବର୍ଷ ବୟସର ୮୭.୪% ଓ ଗ୍ରାମାଞ୍ଚଳରେ ୭୩.୪% ଯୁବକ ଗୋଟିଏ ଦିନରେ ଅତି କମରେ ଥରେ ଗଣମାଧ୍ୟମର ବ୍ୟବହାର କରିଥିବା ଜଣାପଡିଛି। ସେମାନେ ଗଣମାଧ୍ୟମର ବ୍ୟବହାରରେ ଯଥାକ୍ରମେ ୧୨୬ ମିନିଟ୍ ଓ ୧୧୬ ମିନିଟ୍ ବିତାଇଥିଲେ।
  • ୬-୧୪ ବର୍ଷ ବୟସର ପିଲାମାନେ ଅତିରିକ୍ତ କାର୍ଯ୍ୟକଳାପରେ ବିତାଉଥିବା ସମୟ: ୬-୧୪ ବର୍ଷ ବୟସର ପିଲାମାନେ ୬୧ ମିନିଟ୍ ଅତିରିକ୍ତ କାର୍ଯ୍ୟକଳାପରେ ବିତାଇଥାନ୍ତି। ୧୫-୨୯ ବର୍ଷ ବୟସର ଯୁବକମାନେ ଦିନକୁ ହାରାହାରି ୭୪ ମିନିଟ୍ ଅତିରିକ୍ତ କାର୍ଯ୍ୟକଳାପରେ ବିତାଇଥିଲେ।

ସର୍ଭେର ବୈଶିଷ୍ଟ୍ୟ

ଏହି ସର୍ବେକ୍ଷଣରେ, ୬ ବର୍ଷ କିମ୍ବା ତା’ଠାରୁ ଅଧିକ ବୟସର ପ୍ରତ୍ୟେକ ପରିବାର ସଦସ୍ୟଙ୍କ ପାଇଁ କାର୍ଯ୍ୟକଳାପ ବିବରଣୀ ବିଷୟରେ ସୂଚନା ସଂଗ୍ରହ କରାଯାଇଥିଲା, ସାକ୍ଷାତକାର ତାରିଖର ପୂର୍ବ ଦିନ ସକାଳ ୪.୦୦ ରୁ ସାକ୍ଷାତକାର ଦିନ ସକାଳ ୪.୦୦ ପର୍ଯ୍ୟନ୍ତ 24 ଘଣ୍ଟାର ରେଫରେନ୍ସ ଅବଧି ଥିଲା । ୨୪ ଘଣ୍ଟାର ରେଫରେନ୍ସ ଅବଧିକୁ ୪୮ଟି ଟାଇମ୍ ସ୍ଲଟରେ ବିଭକ୍ତ କରାଯାଇଥିଲା, ଯାହାର ଅବଧି ୩୦ ମିନିଟ୍ ଥିଲା। ଗୋଟିଏ ଟାଇମ୍ ସ୍ଲଟ୍ ରେ ଏକାଧିକ କାର୍ଯ୍ୟକଳାପ କ୍ଷେତ୍ରରେ ୧୦ ମିନିଟ୍ କିମ୍ବା ତା’ଠାରୁ ଅଧିକ ସମୟ ପାଇଁ କରାଯାଇଥିବା କାର୍ଯ୍ୟକଳାପ ରେକର୍ଡ କରାଯାଇଥିଲା, ଗୋଟିଏ ଟାଇମ୍ ସ୍ଲଟ୍ ରେ ସର୍ବାଧିକ ତିନୋଟି କାର୍ଯ୍ୟକଳାପ ରହିଥିଲା।

ଉତ୍ତରଦାତାଙ୍କ ଦ୍ୱାରା ରିପୋର୍ଟ କରାଯାଇଥିବା କାର୍ଯ୍ୟକଳାପଗୁଡିକ, ସମୟ ବ୍ୟବହାର ପରିସଂଖ୍ୟାନ ପାଇଁ କାର୍ଯ୍ୟକଳାପର ଅନ୍ତର୍ଜାତୀୟ ବର୍ଗୀକରଣ ୨୦୧୬ (ଆଇସିଏଟିଏଏସ ୨୦୧୬) ଅନୁସରଣ କରି ସଂଶୋଧିତ କରାଯାଇଥିଲା।

iii. କମ୍ପ୍ୟୁଟର ସହାୟକ ବ୍ୟକ୍ତିଗତ ସାକ୍ଷାତକାର (ସିଏପିଆଇ) ମାଧ୍ୟମରେ ସମୟ ବ୍ୟବହାର ବିଷୟରେ ସୂଚନା ସଂଗ୍ରହ କରାଯାଇଥିଲା।

କଭରେଜ: ଏହି ସର୍ବେକ୍ଷଣରେ ୧,୩୯,୪୮୭ ପରିବାର (ଗ୍ରାମୀଣ: ୮୩,୨୪୭ ଏବଂ ସହରାଞ୍ଚଳ: ୫୬,୨୪୦) ଅନ୍ତର୍ଭୁକ୍ତ କରାଯାଇଥିଲା। ଚୟନ କରାଯାଇଥିବା ପରିବାରର ୬ ବର୍ଷ କିମ୍ବା ତା’ଠାରୁ ଅଧିକ ବୟସର ପ୍ରତ୍ୟେକ ସଦସ୍ୟଙ୍କଠାରୁ ସମୟ ବ୍ୟବହାର ସମ୍ପର୍କରେ ସୂଚନା ସଂଗ୍ରହ କରାଯାଇଥିଲା। ଏହି ସର୍ବେକ୍ଷଣରେ ୬ ବର୍ଷ କିମ୍ବା ତା’ଠାରୁ ଅଧିକ ବୟସର ୪,୫୪,୧୯୨ ଜଣ (ଗ୍ରାମୀଣ: ୨,୮୫,୩୮୯ ଏବଂ ସହରାଞ୍ଚଳ: ୧,୬୮,୮୦୩) ଲୋକଙ୍କୁ ଗଣନା କରାଯାଇଥିଲା।

ଆକଳନର ଉପସ୍ଥାପନା: ଟାଇମ୍ ୟୁଜ୍ ସର୍ଭେ, ୨୦୨୪ ରୁ ପ୍ରାପ୍ତ ୬ ବର୍ଷ କିମ୍ବା ତା’ଠାରୁ ଅଧିକ ବୟସର ବ୍ୟକ୍ତିଙ୍କ ପାଇଁ ସର୍ବଭାରତୀୟ ଏବଂ ରାଜ୍ୟସ୍ତରୀୟ ଆକଳନ ରିପୋର୍ଟରେ ଉପସ୍ଥାପିତ ହୋଇଛି।

ପ୍ରମୁଖ ସୂଚକ: ଟିୟୁଏସ, ୨୦୨୪ରୁ ସୃଷ୍ଟି ହୋଇଥିବା ପ୍ରମୁଖ ସୂଚକଗୁଡିକ ଏଠାରେ ବର୍ଣ୍ଣନା କରାଯାଇଛି ।

ଅଂଶଗ୍ରହଣ ହାର: କୌଣସି କାର୍ଯ୍ୟକଳାପରେ ଗୋଟିଏ ଦିନରେ ଅଂଶଗ୍ରହଣ ହାର ଦିନରେ ସେହି କାର୍ଯ୍ୟକଳାପ କରୁଥିବା ବ୍ୟକ୍ତିଙ୍କ ପ୍ରତିଶତ ଭାବରେ ଗଣନା କରାଯାଏ ।

ପ୍ରତି ଅଂଶଗ୍ରହଣକାରୀ ଙ୍କ ଦିନରେ ବିତାଇଥିବା ହାରାହାରି ସମୟ: କୌଣସି କାର୍ଯ୍ୟକଳାପ ପାଇଁ ପ୍ରତି ଅଂଶଗ୍ରହଣକାରୀଙ୍କ ପାଇଁ ଗୋଟିଏ ଦିନରେ ବିତାଇଥିବା ହାରାହାରି ସମୟ କାର୍ଯ୍ୟକଳାପରେ ଅଂଶଗ୍ରହଣ କରିଥିବା ଲୋକଙ୍କୁ ବିଚାର କରି ଗଣନା କରାଯାଏ ।

ବ୍ୟକ୍ତି ପିଛା ଗୋଟିଏ ଦିନରେ ବିତାଇଥିବା ହାରାହାରି ସମୟ: କୌଣସି କାର୍ଯ୍ୟକଳାପ ପାଇଁ ବ୍ୟକ୍ତି ପିଛା ଗୋଟିଏ ଦିନରେ ବିତାଇଥିବା ହାରାହାରି ସମୟ ସମସ୍ତ ବ୍ୟକ୍ତିଙ୍କୁ ବିଚାର କରି ଗଣନା କରାଯାଏ ଯେ ସେମାନେ କାର୍ଯ୍ୟକଳାପରେ ଅଂଶଗ୍ରହଣ କରନ୍ତି କି ନାହିଁ । ଏହି ପଦ୍ଧତି ଦ୍ୱାରା ବିଭିନ୍ନ କାର୍ଯ୍ୟରେ ବ୍ୟକ୍ତି ପିଛା ଦିନର ମୋଟ ୧୪୪୦ ମିନିଟ୍ ସମୟକୁ ଆବଣ୍ଟିତ କରାଯାଏ।

Categories
ଆଜିର ଖବର ଜାତୀୟ ଖବର

ମାସିକ ମୁଣ୍ଡପିଛା ଉପଯୋଗ ବ୍ୟୟ ଗ୍ରାମାଞ୍ଚଳରେ ୧୮୮% ଏବଂ ସହରାଞ୍ଚଳରେ ୧୬୬% ବୃଦ୍ଧି: ସର୍ବେକ୍ଷଣ ରିପୋର୍ଟ

ନୂଆଦିଲ୍ଲୀ: ଗତ ଏକ ଦଶନ୍ଧି ମଧ୍ୟରେ ଦେଶରେ ମାସିକ ମୁଣ୍ଡପିଛା ଉପଯୋଗ ବ୍ୟୟ (ଏମପିସିଇ) ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଛି। ୨୦୧୧ ତୁଳନାରେ ୨୦୨୩-୨୪ରେ ଭାରତର ଗ୍ରାମାଞ୍ଚଳରେ ୧୮୮% ଏବଂ ୧୬୬% ବୃଦ୍ଧି ପାଇଥିବା ପାରିବାରିକ ଉପଭୋକ୍ତା ବ୍ୟୟ ସର୍ବେକ୍ଷଣ (ଏଚସିଇଏସ୍) ୨୦୨୩-୨୪ରୁ ସୂଚନା ମିଳିଛି। ବର୍ତ୍ତମାନ ଭାରତର ଗ୍ରାମାଞ୍ଚଳରେ ଏମପିସିଇ ହାର ୪,୧୨୨ ଟଙ୍କା ଥିବା ବେଳେ ସହରାଞ୍ଚଳରେ ୬,୯୯୬ ଟଙ୍କା ରହିଛି। ଗତ ଏକ ଦଶନ୍ଧି ଉପଯୋଗ ବ୍ୟୟରେ ସୁଧାରକୁ ନେଇ ସକାରାତ୍ମକ ଧାରା ଦେଖିବାକୁ ମିଳିଥିବା ସର୍ବେକ୍ଷଣରେ ଆଲୋକପାତ କରାଯାଇଛି।

ପାରିବାରିକ ଉପଭୋକ୍ତା ବ୍ୟୟ ସର୍ବେକ୍ଷଣ (ଏଚସିଇଏସ୍) ପରିବାରଗୁଡ଼ିକ ଦ୍ୱାରା ଦ୍ରବ୍ୟ ଏବଂ ସେବାର ମୁଣ୍ଡପିଛା ଉପଯୋଗ ବିଷୟରେ ସୂଚନା ସଂଗ୍ରହ କରିବା ପାଇଁ ପ୍ରସ୍ତୁତ କରାଯାଇଥାଏ। ଏଚସିଇଏସରେ ସଂଗୃହୀତ ସୂଚନା ପରିବାରର ଉପଯୋଗ ଏବଂ ବ୍ୟୟ ଢାଞ୍ଚା, ଜୀବନଧାରଣର ମାନ ଓ କଲ୍ୟାଣ ବୁଝିବାରେ ସହାୟକ ହୋଇଥାଏ।

ଗତ ଏକ ଦଶନ୍ଧି ମଧ୍ୟରେ ଭାରତର ଆର୍ଥିକ ପରିଦୃଶ୍ୟରେ ଦ୍ରବ୍ୟ ଓ ସେବାର ଉପଯୋଗ କ୍ଷେତ୍ରରେ ରୂପାନ୍ତରଣକାରୀ ପରିବର୍ତ୍ତନ ଦେଖିବାକୁ ମିଳିଛି । ୨୦୧୧-୧୨ ତୁଳନାରେ ୨୦୨୩-୨୪ ଏଚସିଇଏସରେ ଏହାର ସ୍ପଷ୍ଟ ଚିତ୍ର ଦେଖିବାକୁ ମିଳିଛି । ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବର୍ତ୍ତମାନର ଦରଦାମରେ ଦ୍ରବ୍ୟ ଓ ସେବା ଉପଯୋଗ ବାବଦ ବ୍ୟୟ ତିନିଗୁଣ ବୃଦ୍ଧି ପାଇଛି। ଏହି ଉଲ୍ଲେଖନୀୟ ବୃଦ୍ଧି ଆର୍ଥିକ ସଶକ୍ତିକରଣ ଏବଂ ସାରା ଦେଶରେ ଭାରତୀୟ ଉପଭୋକ୍ତାଙ୍କର କ୍ରୟ ଶକ୍ତି ସୁଦୃଢ଼ ହେବାକୁ ଦର୍ଶାଉଛି ।

କେବଳ ସେତିକି ନୁହେଁ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ରହିଥିବା ଏମପିସିଇ ବ୍ୟବଧାନ ୨୦୧୧-୧୨ରେ ୮୪% ଥିବା ବେଳେ ୨୦୨୩-୨୪ରେ ଏହା ୭୦%କୁ ହ୍ରାସ ପାଇଛି। ଏଥିରେ ୧୬% ହ୍ରାସ ଦେଖିବାକୁ ମିଳିଛି। ୨୦୨୨-୨୩ରେ ସହରାଞ୍ଚଳ-ଗ୍ରାମାଞ୍ଚଳ ଏମପିସିଇ ବ୍ୟବଧାନ ୭୧% ଥିଲା। ଏହା ଗ୍ରାମାଞ୍ଚଳରେ ଉପଭୋକ୍ତା ଅଭିବୃଦ୍ଧିର ନିରନ୍ତର ପ୍ରଗତିକୁ ପ୍ରତିଫଳିତ କରେ।

ଆୟ ଅସମାନତାକୁ ମାପିବା ପାଇଁ ବ୍ୟବହାର କରାଯାଉଥିବା ଏକ ମାପକ ‘ଗିନି କୋଏଫିସିଏଣ୍ଟ’କୁ ଆଧାର କରି ଦେଖିଲେ ଭାରତରେ ଉପଯୋଗ ବ୍ୟୟ କ୍ଷେତ୍ରରେ ଅସମାନତା ମଧ୍ୟ ହ୍ରାସ ପାଇଥିବା ଜଣାପଡ଼ିଥାଏ। ଗତ ଏକ ଦଶନ୍ଧି ମଧ୍ୟରେ ଭାରତ ଅଧିକ ସମାନତାପୂର୍ଣ୍ଣ ଆର୍ଥିକ ଅଭିବୃଦ୍ଧି ଦିଗରେ ଉଲ୍ଲେଖନୀୟ ପ୍ରଗତି କରିଥିବା ଜଣାପଡ଼ିଥାଏ। ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ଗିନି କୋଏଫିସିଏଣ୍ଟ ବିଶେଷ ଭାବେ ହ୍ରାସ ପାଇଥିବା ଏଚସିଇଏସ:୨୦୨୩-୨୪ରେ ଜଣାପଡ଼ିଥାଏ। ଗତ ଦଶନ୍ଧି ମଧ୍ୟରେ ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ସଫଳ ପଦକ୍ଷେପର ପ୍ରତ୍ୟକ୍ଷ ପ୍ରତିଫଳନ ସ୍ୱରୂପ ଉପଭୋକ୍ତା ଅସମାନତା ହ୍ରାସ ହେଉଛି। ଲକ୍ଷ୍ୟ ଆଧାରିତ କଲ୍ୟାଣକାରୀ ଯୋଜନା, ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟକ୍ରମ ଏବଂ ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ ଆର୍ଥିକ ଅନ୍ତର୍ଭୁକ୍ତୀକରଣରେ ଉନ୍ନତି ଆଣିବା ଉଦ୍ଦେଶ୍ୟରେ ନୀତି ପ୍ରଣୟନ ଦ୍ୱାରା ସମ୍ପତ୍ତି ଓ ଉପଯୋଗ ବ୍ୟୟରେ ଅଧିକ ସନ୍ତୁଳନ ଆସିଛି। ଦେଶର ଗ୍ରାମାଞ୍ଚଳରେ ଗିନି କୋଏଫିସିଏଣ୍ଟ ୨୦୧୧-୧୨ରେ ୦.୨୮୩ ଥିବା ବେଳେ ଏହା ୨୦୨୩-୨୪ରେ ୦.୨୮୩କୁ ହ୍ରାସ ପାଇଛି। ସେହିପରି ସହରୀ ଭାରତରେ ଏହା ୨୦୧୧-୧୨ରେ ୦.୩୬୩ରୁ ୨୦୨୩-୨୪ରେ ୦.୨୮୪କୁ ଖସି ଆସିଛି।

ଉପଭୋକ୍ତାମାନେ ମୌଳିକ ଆବଶ୍ୟକତା ପାଇଁ ବ୍ୟୟ ଠାରୁ ଆଗକୁ ବଢ଼ି ଅଣଖାଦ୍ୟ ସାମଗ୍ରୀ ପାଇଁ ଅଧିକ ଖର୍ଚ୍ଚ କରୁଛନ୍ତି ବୋଲି ରିପୋର୍ଟରେ ଦର୍ଶାଯାଇଛି। ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଗ୍ରାମୀଣ ଭାରତ ୨୦୨୨-୨୩ରେ ଏହାର ବ୍ୟୟ ଅଭ୍ୟାସରେ ଏକ ଗୁରୁତ୍ୱପୂର୍ଣ୍ଣ ସୀମା ଅତିକ୍ରମ କରିଛି। ୨୦୨୨-୨୩ରେ ଘରୋଇ ବଜେଟରେ ଅଣ-ଖାଦ୍ୟ ଖର୍ଚ୍ଚର ଅଂଶ ୫୦% ଅତିକ୍ରମ କରିଛି, ଯାହା ଜୀବିକା ନିର୍ବାହରୁ ଆକାଂକ୍ଷା-ପରିଚାଳିତ ବ୍ୟବହାର ଦିଗରେ ଏକ ବଡ଼ ପରିବର୍ତ୍ତନକୁ ଦର୍ଶାଉଛି। ଏହାର ଅର୍ଥ ହେଉଛି ଗ୍ରାମାଞ୍ଚଳର ଲୋକମାନେ ଖାଦ୍ୟ ଭଳି ମୌଳିକ ଆବଶ୍ୟକତା ପାଇଁ ଖର୍ଚ୍ଚ କରିବା ପରେ ନିଜ ଇଚ୍ଛା ମୁତାବକ ଅନ୍ୟ ବାବଦରେ ଖର୍ଚ୍ଚ କରିପାରୁଛନ୍ତି। ଗ୍ରାମୀଣ ବ୍ୟୟ ଶୈଳୀରେ ଅଣ-ଖାଦ୍ୟ ବ୍ୟୟର ପ୍ରାଧାନ୍ୟ ବୃଦ୍ଧି ପାଇଛି।

ବିଶେଷ କରି ଅଣଖାଦ୍ୟ ସାମଗ୍ରୀ ଉପରେ ବଢ଼ୁଥିବା ଗୁରୁତ୍ୱ, ବ୍ୟବହାର ଶୈଳୀରେ ଏହି ପରିବର୍ତ୍ତନ ସରକାରଙ୍କ ସଫଳ ନୀତି ଓ ପଦକ୍ଷେପର ପ୍ରତ୍ୟକ୍ଷ ପ୍ରତିଫଳନ। ଗ୍ରାମୀଣ ଆୟ ବୃଦ୍ଧି, ଋଣ ଉପଲବ୍ଧତାରେ ଉନ୍ନତି, ଭିତ୍ତିଭୂମି ବିକାଶ ଏବଂ ସାମାଜିକ ନିରାପତ୍ତା ପ୍ରଦାନ କରିବା ପାଇଁ ପରିକଳ୍ପିତ କାର୍ଯ୍ୟକ୍ରମଗୁଡ଼ିକ ଗ୍ରାମୀଣ ପରିବାରଗୁଡ଼ିକୁ ମୌଳିକ ଆବଶ୍ୟକତା ବ୍ୟତୀତ ଅନ୍ୟାନ୍ୟ ଆବଶ୍ୟକତା ପୂରଣ କରିବା ପାଇଁ ସଶକ୍ତ କରିବାରେ ଭୂମିକା ଗ୍ରହଣ କରିଛି। ଫଳସ୍ୱରୂପ, ଗ୍ରାମୀଣ ଭାରତର ଲୋକମାନେ ବର୍ତ୍ତମାନ ଏକ ଉଚ୍ଚ ମାନର ଜୀବନଧାରଣ ଉପଭୋଗ କରୁଛନ୍ତି। ସେମାନଙ୍କର କ୍ରୟ ଶକ୍ତି ବୃଦ୍ଧି ପାଇଛି ଏବଂ ସେମାନେ ବିଭିନ୍ନ ସାମଗ୍ରୀ ଏବଂ ସେବା ପାଇପାରୁଛନ୍ତି।

୨୦୧୧-୧୨ ସହିତ ୨୦୨୩-୨୪ ସମୟକୁ ତୁଳନା କଲେ ଅଣ ଖାଦ୍ୟ ସାମଗ୍ରୀ ବ୍ୟୟ ଦେଶର ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଯଥାକ୍ରମେ ୪୭.୧%ରୁ ୫୩% ଏବଂ ୫୭.୩୮%ରୁ ୬୦%କୁ ବୃଦ୍ଧି ପାଇଛି।

ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ମୃଦୁ ପାନୀୟ, ଜଳଖିଆ ଓ ପ୍ରକ୍ରିୟାକରଣ ଖାଦ୍ୟ ପାଇଁ ଲୋକମାନେ ଅଧିକ ବ୍ୟୟ କରୁଥିବା ୨୦୨୩-୨୪ ସର୍ବେକ୍ଷଣରେ କୁହାଯାଇଛି। ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ପରିବାରଗୁଡ଼ିକ ଅଣଖାଦ୍ୟ ଖର୍ଚ୍ଚ ବାବଦରେ ପରିବହନ, ପୋଷାକ, ଶଯ୍ୟା, ଜୋତା, ବିବିଧ ସାମଗ୍ରୀ ଏବଂ ମନୋରଞ୍ଜନ ଓ ଦୀର୍ଘସ୍ଥାୟୀ ସାମଗ୍ରୀ ପାଇଁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି। ସେହିପରି ଘର, ଗ୍ୟାରେଜ୍‌ ଭଡ଼ା ଏବଂ ହୋଟେଲ ରହଣି ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଇଛି।

Categories
ବିଶେଷ ଖବର

ସର୍ବେକ୍ଷଣ ରିପୋର୍ଟକୁ ଚ୍ୟାଲେଞ୍ଜ କଲେ ରାଜସ୍ୱ ମନ୍ତ୍ରୀ ପ୍ରମିଳା: କହିଲେ, ବିରୋଧୀ ଶୂନ୍ୟ ହେବ ଓଡିଶା

ଭୁବନେଶ୍ବର: ଆସନ୍ତା ସାଧାରଣ ନିର୍ବାଚନ ୨୦୨୪ ରେ ଓଡିଶା ବିରୋଧୀ ଶୂନ୍ୟ ହେବ। ବର୍ତ୍ତମାନ ସରକାରୀ ଦଳ ବିଜୁ ଜନତା ଦଳ ବିଧାନସଭାର ସମସ୍ତ ଆସନ ଏବଂ ଲୋକସଭାର ସମସ୍ତ ଆସନ ହାତେଇବ। ଜାତୀୟ ଗଣମାଧ୍ୟମ ସର୍ବେକ୍ଷଣର ରିପୋର୍ଟକୁ ନେଇ ରାଜସ୍ଵ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଗୃହରେ ଏଭଳି ଉତ୍ତର ରଖିଛନ୍ତି। ସେ କହିଛନ୍ତି ଯେ, ବିଜେଡ଼ି ୧୪୭ ବିଧାୟକ ଓ ୨୧ ସାଂସଦ ପଦ ହାତେଇବ।

ଲୋକଙ୍କ ସମସ୍ୟା ସହ ବିଜେଡି ସବୁବେଳେ ଯୋଡ଼ି ହୋଇଛି। ଏଠାରେ ବିରୋଧୀଙ୍କ କୌଣସି ପ୍ରଭାବ ରହିବ ନାହିଁ। ପଞ୍ଚାୟତ ଓ ପୌର ନିର୍ବାଚନରେ ଯେଉଁଭଳି ଭାବେ ବିଜେଡି ପ୍ରଦର୍ଶନ କରିଛି, ସେହିଭଳି ଆଗାମୀ ନିର୍ବାଚନରେ ଦଳ ଭଲ ପ୍ରଦର୍ଶନ କରିବ। ବିଜେଡିର ଭୋଟ ପରିମାଣ ବଢ଼ିଛି। କିନ୍ତୁ ବିଜେପିକୁ କଂଗ୍ରେସ ଭୋଟ ଯାଇଛି।

କେନ୍ଦ୍ରମନ୍ତ୍ରୀମାନଙ୍କ ବାରମ୍ବାର ଓଡ଼ିଶା ଗସ୍ତ ଯୋଗୁଁ ଏହାର ପ୍ରଭାବ ପଡିବ କି ବୋଲି ପ୍ରଶ୍ନରେ ଉତ୍ତରରେ ସେ କହିଛନ୍ତି କି କେନ୍ଦ୍ର ମନ୍ତ୍ରୀମାନଙ୍କ ଗସ୍ତରେ ବିଜେପି ପାଇଁ କିଛି ଲାଭ ହେବ ନାହିଁ। ସେମାନେ ଲୋକଙ୍କ ସମସ୍ୟା ସମାଧାନ କରିବା ପରିବର୍ତ୍ତେ ସମସ୍ୟା ସୃଷ୍ଟି କରୁଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ‘ଇଣ୍ଡିଆ ଟିଭି-ମାଟ୍ରାଇଜ୍‌ ନିଉଜ୍‌ କମ୍ୟୁନିକେସନ୍‌’ ପକ୍ଷରୁ ଏକ ସର୍ଭେକ୍ଷଣ’ କରାଯାଇଛି। ବର୍ତ୍ତମାନ ଯଦି ଲୋକସଭା ନିର୍ବାଚନ ହୁଏ, ତେବେ କେଉଁ ଦଳକୁ କେତେ ଆସନ ମିଳିବ, ସେ ନେଇ ସର୍ବେକ୍ଷଣ କରାଯାଇଛି।

ସର୍ବେକ୍ଷଣ ଅନୁଯାୟୀ, ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସ (ଏନଡିଏ) କୁ ୫୪୩ ଟି ଆସନରୁ ୩୬୨ ଆସନ ମିଳିବ ଏବଂ କଂଗ୍ରେସ ନେତୃତ୍ଵାଧୀନ ୟୁପିଏକୁ ମାତ୍ର ୯୭ ଟି ଆସନ ମିଳିପାରେ। ସେହିପରି ଅନ୍ୟାନ୍ୟ ଦଳଗୁଡିକ ୮୪ ଟି ଆସନ ଅକ୍ତିଆର କରିପାରନ୍ତି।

ତେବେ ଓଡିଶାର ଲୋକସଭା ଆସନ ସର୍ବେକ୍ଷଣରେ ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ଆସିଛି। ଏହି ରିପୋର୍ଟ ଅନୁଯାୟୀ, ଶାସକ ଦଳ ବିଜେଡ଼ି ଠାରୁ ବିଜେପି ଭଲ ପ୍ରଦର୍ଶନ କରୁଛି। ଓଡ଼ିଶାର ମୋଟ ୨୧ ଟି ଲୋକସଭା ଆସନରୁ ବିଜେପିକୁ ୧୧ ଟି ଆସନ ମିଳିପାରେ ବୋଲି ରିପୋର୍ଟରେ କୁହାଯାଇଛି। ସେହିଭଳି ବିଜେଡ଼ିକୁ ୮ ଟି ଆସନ ମିଳୁଥିବା ବେଳେ କଂଗ୍ରେସକୁ ମାତ୍ର ୨ ଟି ଆସନ ମିଳିପାରେ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।