Categories
ଆଜିର ଖବର ଆଞ୍ଚଳିକ

ଖଲ୍ଲିକୋଟ ଅଞ୍ଚଳର ହୃଦରୋଗୀ ଅଭାଗିନୀଙ୍କୁ ସହାୟ ହେଲେ ବାଣପୁରର ଦୁଇ ଯୁବକ

ସୀତାରାମ ଅଗ୍ରୱାଲ

ବାଣପୁର: ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଶ୍ରୀକୃର୍ଷ୍ଣଶରଣପୁର ଗ୍ରାମର ହୃଦ ରୋଗରେ ଆକ୍ରାନ୍ତ ଅଭାଗିନୀ ପରିଡ଼ାଙ୍କୁ ଖୋର୍ଦ୍ଧା ଜିଲ୍ଲା ବାଣପୁରର ଦୁଇଜଣ ଯୁବକ ସହାୟତାର ହାତ ବଢାଇଛନ୍ତି।

ଘଟଣାରୁ ପ୍ରକାଶ ଯେ, ଗୁରୁତର ହୃଦରୋଗି ଅଭାଗିନୀଙ୍କ ଦୁର୍ଦ୍ଦଶା ସଂପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା। ଏଥିରେ ବିଚଳିତ ହୋଇ ଖୋର୍ଦ୍ଧା ଜିଲ୍ଲା ବାଣପୁରର ଶିବ ଶଙ୍କର ସେନାପତି ଓ ସନ୍ତୋଷ ପ୍ରଧାନ ଗଣମାଧ୍ୟମର ପ୍ରତିନିଧିଙ୍କ ସହ ଯୋଗାଯୋଗ କରିଥିଲେ। ଏହାପରେ ଶିବଶଙ୍କର ଓ ସନ୍ତୋଷ ଗତ ଗୁରବାର ଦିନ ଅଭାଗିନୀଙ୍କ ଘରେ ପହଂଚି ତାଙ୍କର ସ୍ୱାସ୍ଥ୍ୟବସ୍ଥା ସଂପର୍କରେ ପଚାରି ବୁଝିବା ସହ ୧୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିଥିଲେ। ଏଥିସହ ସେମାନଙ୍କ ଦ୍ବାରା ଯାହା ସମ୍ଭବ ହୋଇପାରିବ ଅଭାଗିନୀଙ୍କ ଚିକିତ୍ସା ପାଇଁ ସାହାର୍ଯ୍ୟ ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ତାଙ୍କର ଏହି କାର୍ଯ୍ୟ ଦ୍ବାରା ପ୍ରେରିତ ହୋଇ ବାଣପୁର ଓ ବାଲୁଗାଁ ଅଞ୍ଚଳର ବହୁ ଉତ୍ସାହି ଯୁବକ ଓ ବ୍ୟବସାୟୀ ସହାୟତାର ହାତ ବଢ଼ାଇବେ ବୋଲି ସେମାନେ ଆଶା ପ୍ରକଟ କରିଛନ୍ତି। ଶିବଶଙ୍କର ବାଣପୁର ବଜାରରେ ଗୋଟିଏ ଆପେକ୍ସ ୱାଲ ନାମକ ଏକ ମୋବାଇଲ୍ ଦୋକାନ ଦେଇଥିବାବେଳେ ସନ୍ତୋଷ ଜଣେ ମେଧାବୀ ଛାତ୍ର ଏବଂ ଏବିଭିପିର ଜଣେ କାର୍ଯ୍ୟକର୍ତ୍ତା।

ଏଠାରେ ସୂଚନା ଯୋଗ୍ୟ ଯେ ଶ୍ରୀକୃର୍ଷ୍ଣଶରଣପୁର ଗ୍ରାମର ଅଭାଗିନୀ ପରିଡ଼ା ଗତ ୬ବର୍ଷ ପୂର୍ବରୁ ହୃଦ ରୋଗରେ ଆକ୍ରାନ୍ତ ହୋଇଥିବା ଜାଣିବାକୁ ପାଇଥିଲେ ମଧ୍ୟ ଅର୍ଥାଭାବରୁ ନିଜର ଚିକିତ୍ସା କରାଇ ନପାରି ଘରେ ପଡ଼ିରହିଛନ୍ତି। ବର୍ତ୍ତମାନ ତାଙ୍କର ସ୍ବାସ୍ଥ୍ୟବସ୍ଥା ଧିରେ ଧିରେ ବିଗିଡ଼ିବାରେ ଲାଗିଛି। ଅଭାଗିନୀ ଘରର କିଛି କାମ କରିଦେଲେ ଧଇଁସଇଁ ହୋଇପଡିବା ସହ ବେଳେ ବେଳେ ରକ୍ତ ବାନ୍ତି କରୁଥିବା କୁହାଯାଉଛି।

ବାପା ରମେଶ ପରିଡ଼ା ଜଣେ ଭିନ୍ନକ୍ଷମ ହୋଇଥିବାରୁ ପରିବାର ଚଳାଇବରେ ସେ ଅସମର୍ଥ। ପିଲାଟି ଦିନରୁ ମାଆଙ୍କୁ ହରାଇଥିବା ବେଳେ ଆଉ ତିନି ଭଉଣୀଙ୍କ ବୋଝ ଅଭାଗିନୀଙ୍କ କାନ୍ଧ ଉପରେ। ମୁଣ୍ତ ଗୁଞ୍ଜିବାକୁ ନିଜର ବୋଲି ଘର ଖଣ୍ତିଏ ମଧ୍ୟ ନାହିଁ। ଗ୍ରାମର ଜଣେ ବ୍ୟକ୍ତି ରାମ ପାହାନ ଦୟାକରି ସେମାନଙ୍କୁ ରହିବା ପାଇଁ ଏକ ଘର ଦେଇଛନ୍ତି। ଏ ପରିସ୍ଥିତିରେ ସଂପୁର୍ଣ୍ଣ ଅସହାୟ ହୋଇପଡ଼ିଛନ୍ତି ଅଭାଗିନୀ।

ତାଙ୍କର ଚିକିତ୍ସା ପାଇଁ ସରକାର କିମ୍ବା କୌଣସି ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନର ସାହାଯ୍ୟ ଯୋଗାଇ ଦେବାପାଇଁ ସେ ଆକୁଳ ନିବେଦନ କରିଛନ୍ତି। ସେପଟେ ଗଣମାଧ୍ୟମରେ ଖବର ପ୍ରକାଶିତ ହେବାପରେ ବାଣପୁରର ଦୁଇ ଯୁବକ କିଛି ଆର୍ଥିକ ସହାୟତା ପ୍ରଦାନ କରିଥିବା ବେଳେ ଆଜି ପର୍ଯ୍ୟନ୍ତ ତାଙ୍କପାଖରେ କୌଣସି ରାଜନେତା କିମ୍ବା ପ୍ରଶାସନିକ ଅଧିକାରୀ ନପହଁଞ୍ଚିବା ଅତ୍ୟନ୍ତ କ୍ଷୋଭ ଓ ପରିତାପର ବିଷୟ ପାଲଟିଛି।

ଯଦି କୌଣସି ସହୃଦୟ ବ୍ୟକ୍ତି ଅଭାଗିନୀଙ୍କୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି ତେବେ ସେ ୯୯୩୭୯୪୭୪୯୮ ନମ୍ବରକୁ ଯୋଗାଯୋଗ କରି ସହଯୋଗ କରିପାରିବେ।

Categories
ଆଞ୍ଚଳିକ

ଘିଅଖଲା କରୋନା ମୃତକଙ୍କ ପରିବାରକୁ ସାହା ହେଲା “ସମାଜର ଦର୍ପଣ”

ସୀତାରାମ ଅଗ୍ରୱାଲ
ଚିଲିକା: ଚିଲିକା ବ୍ଳକ ଅନ୍ତର୍ଗତ ଶିଙ୍ଗେଶ୍ଵର ପଞ୍ଚାୟତର ଘିଅଖଲା ଗ୍ରାମର କରୋନା ମୃତକଙ୍କ ପରିବାରକୁ ସାହା ହେଲା “ସମାଜର ଦର୍ପଣ” ସ୍ବେଚ୍ଛାସେବୀ ସଂଗଠନ। ଗତ ମେ ମାସ ୨୬ ତାରିଖରେ ଘିଅଖଲା ଗ୍ରାମର ଗଣେଶ ଜୁଝାରସିଂଙ୍କ ସମ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳ ମୃତ୍ୟୁ ହୋଇଥିଲା। କିନ୍ତୁ ଏଯାବତ ସରକାର କରୋନା ମୃତକ ପରିବାରଙ୍କ ପାଇଁ କିଛି ଅନୁକମ୍ପାମୂଳକ ସହାୟତା ଘୋଷଣା କରିନାହାନ୍ତି। ଏଭଳି ସମୟରେ ଅନେକ ସ୍ବେଚ୍ଛାସେବୀ ସଂଗଠନ ଆଗକୁ ଆସି ସହାୟତାର ହାତ ବଢେଇଛନ୍ତି। ଆଜି ବାଣପୁରସ୍ଥିତ “ସମାଜର ଦର୍ପଣ “ ସ୍ବେଚ୍ଛାସେବୀ ସଂଗଠନର ଯୁବ କର୍ମକର୍ତ୍ତାମାନେ ପହଞ୍ଚି ମୃତକଙ୍କ ପରିବାରକୁ ସମବେଦନା ଜଣେଇବା ସହ ଅନୁକମ୍ପାମୂଳକ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।

ଘଟଣାନୁସାରେ ମୃତକ ଗଣେଶ ଜୂଝାରସିଂ ଗତ ମାସ ୧୬ ତାରିଖରେ ସ୍ଵାସ୍ଥ୍ୟଗତ ସମସ୍ୟା ହେତୁ ଭୁବନେଶ୍ଵରସ୍ଥିତ ଏମ୍ସ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। କିନ୍ତୁ ଭର୍ତ୍ତି ହେବା ପରଦିନ ସେ କୋଭିଡ ପଜିଟିଭ ଘୋଷିତ ହୋଇଥିଲେ। ଯାହା ଫଳରେ ତାଙ୍କୁ ସମ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବା ସହ ତାଙ୍କ ପାଖରେ ଥିବା ପତ୍ନୀ ସଜନି ଜୁଝାରସିଂଙ୍କୁ ସଙ୍ଗରୋଧରେ ରଖାଗଲା। କିନ୍ତୁ ମେ ୨୬ ତାରିଖରେ ତାଙ୍କର ଦେହାନ୍ତ ହେଇଯିବା ଫଳରେ ସରକାର କୋଭିଡ ନିୟମାବଳୀ ଅନୁସାରେ ତାଙ୍କର ଶବ ଦାହ କରିଥିଲେ। କିନ୍ତୁ ସରକାରୀ ରିପୋର୍ଟରେ ତାଙ୍କୁ ମୃତକ ଘୋଷଣା କରା ନଯିବା ଦ୍ଵାରା ଅଞ୍ଚଳରେ ପ୍ରବଳ ଜନ ଅସନ୍ତୋଷ ବଢିବାରେ ଲାଗିଲା। ଚିଲିକାର ବୁଦ୍ଧିଜୀବୀ ଓ ଗଣମାଧ୍ୟମ ଏହାକୁ ନେଇ ସରକାରଙ୍କ ପାଖରେ ବାରମ୍ବାର ଫେରାଦ ହେବା ପରେ ମୃତକଙ୍କୁ କୋଭିଡ ପଜିଟିଭ ଘୋଷଣା କରାଯିବା ସହ ଜକୃତ ରୋଗରେ ମୃତ ଘୋଷଣା କରାଗଲା। ମୃତକ ଗଣେଶଙ୍କ ଦୁଇ ସନ୍ତାନ ନାବାଳକ ଥିବାବେଳେ ଏପର୍ଯ୍ୟନ୍ତ କୌଣସି ସରକାରୀ ସହାୟତା ମିଳି ନାହିଁ। ଏଭଳିକି ସ୍ଥାନୀୟ ପ୍ରଶାସନ ମଧ୍ୟ ମୃତକଙ୍କ ପରିବାରକୁ କୌଣସି ସହାୟତାର ଆଶ୍ବାସନା ନ ଦେବା ଫଳରେ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି।

ଆଜି “ସମାଜର ଦର୍ପଣ” ସଂଗଠନର କର୍ମକର୍ତ୍ତାମାନେ ଗ୍ରାମରେ ପହଞ୍ଚି ସହଯୋଗର ହାତ ବଢେଇବା ସହ ୫୫୦୦ ଟଙ୍କା ସହାୟତା ରାଶି ପ୍ରଦାନ କରିଥିଲେ। ତା ସହିତ କିଭଳି ଭାବେ ନାବାଳକ ସନ୍ତାନମାନେ ପାଠ ପଢ଼ା ଜାରି ରଖିବେ ସେ ନେଇ ଆଶ୍ଵସ୍ତ କରିଥିଲେ। ଚିଲିକାର ଯୁବ ସମାଜସେବୀ ଲଲାଟେନ୍ଦୁ ଶତପଥୀ ଓ କଳିଯୁଗେଶ୍ଵର ମନ୍ଦିରର ଟ୍ରଷ୍ଟ ବୋର୍ଡ ଅଧ୍ୟକ୍ଷ ସୁବାଷ ବେବର୍ତ୍ତା ମଧ୍ୟ ଏହି ସମୟରେ ଉପସ୍ଥିତ ରହି କିଭଳି ମୃତକଙ୍କର ମୃତ୍ୟୁ ପ୍ରମାଣପତ୍ର ମିଳିବ ଓ ବିଧବା ଭତ୍ତା କରାଯିବ ସେ ନେଇ ଚର୍ଚ୍ଚା କରିଥିଲେ। “ସମାଜର ଦର୍ପଣ “ ସଂଗଠନ ତରଫରୁ ଦୀପକ ଜେନା, ସୌରଭ ମହାରଣା, ରାମଚନ୍ଦ୍ର ଶତୃଶଲ୍ୟ, ଚୁମକି ବରାଳ, ଦିଲ୍ଲୀପ କୁମାର ସ୍ବାଇଁ ଓ ଆଶିଷ ପତି ପ୍ରମୁଖ ଏହି ସହାୟତା କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ। ଯୁବ ସମାଜସେବୀଙ୍କ ଏତାଦୃଶ କାର୍ଯ୍ୟକୁ ଅଞ୍ଚଳବାସୀ ଭୂୟସୀ ପ୍ରସଂଶା କରିଥିଲେ।