Categories
ଆଜିର ଖବର ରାଜ୍ୟ ଖବର

ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ଘଟଣା: ମୃତକଙ୍କ ପରିବାରକୁ ମିଳିବ ୪ ଲକ୍ଷ ଟଙ୍କା ସହାୟତା ରାଶି

ରଣପୁର: ଗତ ବୁଧବାର ଦିନ ରଣପୁର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଥିଲା। ରାତିରେ ଚାଷ ଜମିକୁ ଗଲା ବେଳେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା। ରଣପୁର ବ୍ଲକ ମହତପଲ୍ଲା ପଞ୍ଚାୟତର ବନ୍ଧପଲ୍ଲା ଗ୍ରାମରେ ଏଭଳି  ଘଟଣାଟି ଘଟିଥିଲା।

ସେହି ଗ୍ରାମର ସ୍ବର୍ଗତ ଗୁରୁବାରୀ ଜେନାଙ୍କ ପୁଅ ଜଗବନ୍ଧୁ ଜେନା ନିଜ ଜମିରେ ଟାଇଚିନ ଧାନ ଫସଲ କରିଥିଲେ। ସବୁଦିନ ଭଳି ଗତ କାଲି ମଧ୍ୟ ଫସଲ ଜଗିବା ପାଇଁ ରାତିରେ ନିଜ ଜମିକୁ ଯାଇଥିଲେ। ଏହି ସମୟରେ ଏକ ହାତୀ ପଲ ଜମି ଭିତରେ ପଶି ଫସଲ ଖାଉଥିବାର ଦେଖିବାକୁ ପାଇଥିଲେ। ସେ ନିଜ ଫସଲକୁ ରକ୍ଷା କରିବା ପାଇଁ ହାତୀମାନଙ୍କୁ ଘଉଡ଼ାଇବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ହାତୀମାନେ ଜଗବନ୍ଧୁଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ। ହାତୀମାନଙ୍କ ଆକ୍ରମଣରେ ଜଗବନ୍ଧୁ ଗୁରୁତର ଭାବେ ଆହତ ହୋଇଥିଲେ। ବନ ବିଭାଗ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଜଗବନ୍ଧୁଙ୍କୁ ରଣପୁର ମେଡିକାଲକୁ ଆଣିଥିଲେ। ସେଠାରେ ଡାକ୍ତର ବୈଦ୍ୟନାଥ ନନ୍ଦ ତାଙ୍କୁ ମୃତ ଘୋଷଣା କରିଥିଲେ।

ଏହା ପରେ ଡାକ୍ତରଖାନା ତରଫରୁ ରଣପୁର ଥାନାକୁ ଖବର ଦିଆ ଯାଇଥିଲା। ସକାଳେ ମୃତ ଜଗବନ୍ଧୁଙ୍କ ଶବ ବ୍ୟବଚ୍ଛେଦ କରାଯାଇଥିଲା। ଏହା ପରେ ମୃତକଙ୍କ ପରିବାର ଲୋକେ ବିଭିନ୍ନ ଦାବି ନେଇ କିଛି ସମୟ ପାଇଁ ଥାନା ନିକଟରେ ରାସ୍ତା ରୋକ କରିଥିଲେ। ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା ରାଶି ସମେତ ସରକାରଙ୍କ ସମସ୍ତ ସୁବିଧା ଯୋଗାଇ ଦେବାକୁ ଧାରଣାକାରୀମାନେ ଦାବି କରିଥିଲେ। ଏହା ସହିତ ଆଗାମୀ ଦିନରେ ଅନ୍ୟ ଚାଷୀମାନେ କିପରି ହାତୀ ଆକ୍ରମଣର ଶିକାର ନ ହେବେ ସେଥିପାଇଁ ବନ ବିଭାଗ ସଜାଗ ରହିବା ପାଇଁ ମଧ୍ୟ ଦାବି କରିଥିଲେ। ବନ ବିଭାଗର ଅପାରଗତା ଯୋଗୁଁ ବାରମ୍ବାର ଚାଷୀମାନେ ହାତୀ ଆକ୍ରମଣର ଶିକାର ହେଉଥିବା ଧାରଣାକାରୀ ମାନେ କହିଥିଲେ।  ରଣପୁର ଥାନା ଅଧିକାରୀ ନିହାର ରଞ୍ଜନ ମହାନ୍ତି ଧାରଣା ସ୍ଥଳରେ ପୋଲିସ ଟିମ ସହ ପହଞ୍ଚି ମୃତକଙ୍କ ପରିବାର ଲୋକଙ୍କୁ ବୁଝା ସୁଝା କରିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ଏହା ପରେ ମୃତକଙ୍କ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।

ରଣପୁର ବନ ବିଭାଗ ଦାୟିତ୍ୱରେ ଥିବା ଦେବାଶିଷ ଭୋଇଙ୍କୁ ଏ ବିଷୟରେ ପଚାରିବାରୁ ସେ କୁହନ୍ତି ସରକାରଙ୍କ ତରଫରୁ ଥିବା ୪ ଲକ୍ଷ ସହାୟତା ରାଶି ମୃତକଙ୍କ ପରିବାରଙ୍କୁ ପ୍ରଦାନ କରାଯିବ। ବର୍ତ୍ତମାନ ମୃତକଙ୍କ ପରିବାରକୁ ୪୦ ହଜାର ପ୍ରଦାନ କରାଯିବ। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ଅବଶିଷ୍ଟ ୩ ଲକ୍ଷ ୬୦ ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ଶ୍ରୀ ଭୋଇ କହିଛନ୍ତି। ଆଗାମୀ ଦିନରେ ହାତୀ କିଭଳି ଚାଷୀମାନଙ୍କ ଫସଲ ନଷ୍ଟ କରିବ ନାହିଁ, ଚାଷୀମାନେ ହାତୀ ଆକ୍ରମଣର ଶିକାର ହେବେ ନାହିଁ ତାହା ଡ଼ି.ଏଫ.ଓ. ନିର୍ଦ୍ଦେଶ ଅନୁଯାୟୀ ପଦକ୍ଷେପ ନିଆଯିବ।

ଡାକ୍ତରଖାନା ଠାରେ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ ଓ ତହସିଲଦାର ଇପ୍ସିତ ସାହୁ ପହଞ୍ଚି ମୃତକଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇବା ସହ ରେଡ଼କ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି। ପୂର୍ବତନ ସମବାୟ ମନ୍ତ୍ରୀ ସୁରମା ପାଢ଼ୀ ମଧ୍ୟ ଡାକ୍ତରଖାନା ପରିସରରେ ପହଂଚି ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

କରୋନାରେ ମୃତ୍ୟୁ ହୋଇଥିବା ସାମ୍ବାଦିକ ପରିବାରଙ୍କୁ ସହାୟତା ରାଶି ପ୍ରଦାନ କଲେ ଖୋର୍ଦ୍ଧା ଜିଲ୍ଲାପାଳ

ଖୋର୍ଦ୍ଧା: କରୋନାରେ ଆକ୍ରାନ୍ତ ହୋଇ ବୈଦ୍ୟୁତିକ ଗଣମାଧ୍ୟମ ନିଉଜ-୧୮ର ଭୁବନେଶ୍ବର ପ୍ରତିନିଧି ପ୍ରବୀର କୁମାର ପ୍ରଧାନଙ୍କ ମୃତ୍ୟୁ ହୋଇଥିଲା। ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସୁପାରିସ କ୍ରମେ ରାଜ୍ୟ ସରକାର ୧୫ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ସ୍ଵର୍ଗତ ପ୍ରବୀର କୁମାର ପ୍ରଧାନଙ୍କ ପତ୍ନୀଙ୍କୁ ପ୍ରଦାନ କରାଯାଇଛି।

ଜିଲ୍ଲାପାଳ ସନତ କୁମାର ମହାନ୍ତି ଆଜି ନିଜ କାର୍ଯ୍ଯାଳୟରେ ପ୍ରବୀରଙ୍କ ପତ୍ନୀ ସସ୍ମିତା ସ୍ଵାଇଁଙ୍କୁ ୧୫ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି। ଏନେଇ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧକାରୀ ମାନସ ବିଶ୍ଵାଳ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସଡକ ଦୁର୍ଘଟଣାରେ ମୃତକ ପାଇଁ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ: ଘୋଷଣା କଲେ ସହାୟତା ରାଶି

ଭୁବନେଶ୍ବର: ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାର ଲୋକଙ୍କୁ ଗଭୀର ସମବେଦନା ଜଣାଇବା ସହ ମୃତକଙ୍କ ପରିଜନଙ୍କୁ ଦୁଇ ଲଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ସେହିପରି ଆହତମାନଙ୍କୁ ମାଗଣାରେ ଚିକିତ୍ସା ଯୋଗାଇ ଦିଆଯିବ ଵୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏଥି ସହିତ ମୁଖ୍ୟମନ୍ତ୍ରୀ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ବାହାଘର ଭୋଜିରେ ଯୋଗ ଦେବା ପାଇଁ ଏକ ୪୦୭ ଗାଡିରେ କିଛି ଲୋକ ଯାଉଥିବା ବେଳେ ଗାଡିଟି ଆର.ଉଦୟଗିରି ଥାନା ନିକଟସ୍ଥ କଙ୍କଡାଗୁଡା ଗ୍ରାମ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିବାରୁ ବହୁ ଧନ ଜୀବନ ନଷ୍ଟ ହୋଇଥିଲା। ସୂଚନା ପ୍ରକାରେ ନୂଆଁଗଡ଼ ବ୍ଲକର ତୁମନ ଗ୍ରାମରେ ଏକ ବାହାଘର ଭୋଜି ନେଇ ଜାମଡିହ ଗ୍ରାମରୁ ତୁମନ ଗ୍ରାମକୁ ୪୦୭ ଗାଡିଟି ଯାଉଥିବା ବେଳେ ଉକ୍ତ ଗାଡିଟି ଭାରସାମ୍ୟ ହରାଇ ରାସ୍ତା କଡରେ ଓଲଟି ପଡିଥିଲା। ଉକ୍ତ ଡାଲା ଗାଡିଟି ଓଲଟି ପଡ଼ିବାରୁ ଗାଡି ପଛପଟେ ବସିଥିବା ଯାତ୍ରୀମାନେ ଗାଡିତଳେ ଚାପିହୋଇ ରହିଥିଲେ।

ଖବର ପାଇ ସ୍ଥାନୀୟ ଲୋକ, ଅଗ୍ନିଶମ ବାହିନୀ ଓ ପୁଲିସ ପ୍ରଶାସନର ଉଦ୍ୟମରେ ଗାଡିରେ ଫସି ରହିଥିବା ଯାତ୍ରୀମାନଙ୍କୁ ବାହାର କରିବା ସହ ସେମାନଙ୍କୁ ରା.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଘଟଣା ସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୩ ଜଣ ଗୁରୁତର ଥିବା ଜଣାପଡିଛି। ମୃତକ ମାନେ ହେଲେ ଯାମଡିହ ଗ୍ରାମର ଯନ୍ତ ଦଳବେହେରା  ଓ ଗାୟତ୍ରୀ ରଇତ। ଗୁରୁତର ମାନଙ୍କ ମଧ୍ୟରୁ ତିନିରୁ ଚାରି ବର୍ଷର ଏକ ଶିଶୁ ରହିଥିବା ସୂଚନା ମିଳିଛି।