ସଡକ ଦୁର୍ଘଟଣାରେ ମୃତକ ପାଇଁ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ: ଘୋଷଣା କଲେ ସହାୟତା ରାଶି

Published: Feb 16, 2021, 6:31 pm IST

ଭୁବନେଶ୍ବର: ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାର ଲୋକଙ୍କୁ ଗଭୀର ସମବେଦନା ଜଣାଇବା ସହ ମୃତକଙ୍କ ପରିଜନଙ୍କୁ ଦୁଇ ଲଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ସେହିପରି ଆହତମାନଙ୍କୁ ମାଗଣାରେ ଚିକିତ୍ସା ଯୋଗାଇ ଦିଆଯିବ ଵୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏଥି ସହିତ ମୁଖ୍ୟମନ୍ତ୍ରୀ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ବାହାଘର ଭୋଜିରେ ଯୋଗ ଦେବା ପାଇଁ ଏକ ୪୦୭ ଗାଡିରେ କିଛି ଲୋକ ଯାଉଥିବା ବେଳେ ଗାଡିଟି ଆର.ଉଦୟଗିରି ଥାନା ନିକଟସ୍ଥ କଙ୍କଡାଗୁଡା ଗ୍ରାମ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିବାରୁ ବହୁ ଧନ ଜୀବନ ନଷ୍ଟ ହୋଇଥିଲା। ସୂଚନା ପ୍ରକାରେ ନୂଆଁଗଡ଼ ବ୍ଲକର ତୁମନ ଗ୍ରାମରେ ଏକ ବାହାଘର ଭୋଜି ନେଇ ଜାମଡିହ ଗ୍ରାମରୁ ତୁମନ ଗ୍ରାମକୁ ୪୦୭ ଗାଡିଟି ଯାଉଥିବା ବେଳେ ଉକ୍ତ ଗାଡିଟି ଭାରସାମ୍ୟ ହରାଇ ରାସ୍ତା କଡରେ ଓଲଟି ପଡିଥିଲା। ଉକ୍ତ ଡାଲା ଗାଡିଟି ଓଲଟି ପଡ଼ିବାରୁ ଗାଡି ପଛପଟେ ବସିଥିବା ଯାତ୍ରୀମାନେ ଗାଡିତଳେ ଚାପିହୋଇ ରହିଥିଲେ।

ଖବର ପାଇ ସ୍ଥାନୀୟ ଲୋକ, ଅଗ୍ନିଶମ ବାହିନୀ ଓ ପୁଲିସ ପ୍ରଶାସନର ଉଦ୍ୟମରେ ଗାଡିରେ ଫସି ରହିଥିବା ଯାତ୍ରୀମାନଙ୍କୁ ବାହାର କରିବା ସହ ସେମାନଙ୍କୁ ରା.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଘଟଣା ସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୩ ଜଣ ଗୁରୁତର ଥିବା ଜଣାପଡିଛି। ମୃତକ ମାନେ ହେଲେ ଯାମଡିହ ଗ୍ରାମର ଯନ୍ତ ଦଳବେହେରା  ଓ ଗାୟତ୍ରୀ ରଇତ। ଗୁରୁତର ମାନଙ୍କ ମଧ୍ୟରୁ ତିନିରୁ ଚାରି ବର୍ଷର ଏକ ଶିଶୁ ରହିଥିବା ସୂଚନା ମିଳିଛି।

Related posts