Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସାଂସଦ ସୁଲତା ଦେଓ: ସେବେ ପଞ୍ଚାୟତ ପରିଚାଳନା କରୁଥିଲେ ଏବେ ରାଜ୍ୟସଭା

ନୂଆଦିଲ୍ଲୀ: ସେ ଥିଲେ ସରପଞ୍ଚ। ଗାଁ ଗାଁ ବୁଲି ପଞ୍ଚାୟତ କଥା ବୁଝୁଥିଲେ, ପୁରା ପଞ୍ଚାୟତ ପରିଚାଳନା କରୁଥିଲେ। ଏବେ ସେ ରାଜ୍ୟସଭା ପରିଚାଳନା କରୁଛନ୍ତି। ଯାହା ଓଡିଶା ପାଇଁ ଆଣିଛି ଗର୍ବ ଓ ଗୌରବ। ଗତକାଲି ବିଜେଡି ସାଂସଦ ସୁଲତା ଦେଓ ରାଜ୍ୟସଭା ଉପାଧ୍ୟକ୍ଷଙ୍କ ଆସନରେ ବସି ଗୃହ ପରିଚାଳନା କରିଥିଲେ। ସେତିକି ନୁହେଁ ସେ ଗତକାଲି ଜନଜାତି ସଂଶୋଧନ ବିଲକୁ ମଧ୍ୟ ପାଶ କରାଇଥିଲେ।

ପ୍ରଥମ ଥର ପାଇଁ ସୁଲତା ଦେଓ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇଯାଇଛନ୍ତି। କେତୋଟି ଅଧିବେସନରେ ସେ ବସିବା ପରେ ତାଙ୍କୁ ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲ ସଦସ୍ୟା ଭାବେ ମନୋନିତ କରାଯାଇଥିଲା। ଏହାପରେ ପ୍ରଥମ ଥର ପାଇଁ ଗତକାଲି ତାଙ୍କୁ ଗୃହ ପରିଚାଳନା କରିବା ପାଇଁ ସୁଯୋଗ ମିଳିଥିଲା। ପୂର୍ବରୁ ସାଂସଦ ସସ୍ମିତ ପାତ୍ର ମଧ୍ୟ ଏହି ପ୍ୟାନଲର ସଦସ୍ୟ ରହି ଗୃହ ପରିଚାଳନା କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ସାଂସଦ ସୁଲତା ଦେଓଙ୍କୁ ମିଳିଲା ବଡ ପଦ, ହେଲେ ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲ ସଦସ୍ୟା

ନୂଆଦିଲ୍ଲୀ: ବିଜେଡି ସାଂସଦ ସୁଲତା ଦେଓଙ୍କୁ ମିଳିଛି ଏକ ବଡ ପଦ। ତାଙ୍କୁ ଆଜି ରାଜ୍ୟସଭାର ଉପାଧ୍ୟକ୍ଷ ପ୍ୟାନେଲ ସଦସ୍ୟା ଭାବେ ନିଯୁକ୍ତି ଦିଆଯାଇଛି। ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଏହି ନିଯୁକ୍ତି ଦେଇଛନ୍ତି। ଆଜି ମୌସୁମୀ ଅଧିବେସନରେ ଅଧ୍ୟକ୍ଷ ଧନଖଡ ଏହି ପ୍ୟାନଲକୁ ପୁନଃଗଠନ କରି ନୂଆ ଆଠ ଜଣ ସଦସ୍ୟଙ୍କୁ ମନୋନିତ କରିଛନ୍ତି।

ନୂଆ ପ୍ୟାନେଲର ମୋଟ ଆଠଜଣଙ୍କ ମଧ୍ୟରୁ ଚାରିଜଣ ହେଉଛନ୍ତି ମହିଳା। ଆଉ ଏହି ଚାରିଜଣ ମଧ୍ୟ ପ୍ରଥମ ଥର ପାଇଁ ରାଜ୍ୟସଭାକୁ ନିର୍ବାଚିତ ହୋଇ ଯାଇଛନ୍ତି। ଅଧ୍ୟକ୍ଷ କହିଛନ୍ତି ଯେ, ପଚାଶ ପ୍ରତିଶତ ମହିଳା ସଂରକ୍ଷଣକୁ ଦୃଷ୍ଟିରେ ରଖି ଏପରି କରାଯାଇଛି। ସେହିପରି ନୂଆ ସଦସ୍ୟଙ୍କୁ ସୁଯୋଗ ଦେବା ପାଇଁ ଏହି ନୂଆ ପ୍ୟାନେଲକୁ ଗଠନ କରାଯାଇଛି।

ସୁଲତା ଦେଓଙ୍କ ସହିତ ଆଉ ଯେଉଁ ତିନି ଜଣ ମହିଳା ସାଂସଦ ମନୋନିତ ହୋଇଛନ୍ତି  ସେମାନେ ହେଲେ ପିଟି ଉଷା, ଏସ ଫାନଗୋନ କୋନାକ୍, ଫୁଜିଆ ଖାନ, ଭି ବିଜୟସାଇ ରେଡ୍ଡୀ। ଏମାନେ ରାଜ୍ୟସଭା ଅଧ୍ୟକ୍ଷ କିମ୍ବା ଉପାଧ୍ୟକ୍ଷ ଅନୁପସ୍ଥିତ ଥିବା ବେଳେ ଗୃହ ପରିଚାଳନା କରିବେ।

ରାଜ୍ୟସଭା ଅଧ୍ୟକ୍ଷ ଧନକଡ ସମସ୍ତଙ୍କୁ ସ୍ବାଗତ କରିବା ସହିତ ସୁଚାରୁ ରୂପେ ଗୃହକାର୍ଯ୍ୟ ତୁଲାଇବେ ବୋଲି ସେ ଆଶା କରିଛନ୍ତି। ସେମାନେ ଠିକ ଭାବରେ ଏହି ଦେଶ ପାଇଁ ସେବା କରିବେ କହି ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ପୂର୍ବରୁ ଓଡିଶାର ବିଜେଡି ସାଂସଦ ସସ୍ମିତ ପାତ୍ର ଏହି ପ୍ୟାନେଲରେ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ, ଡ. ହରେକଷ୍ଣ ମହତାବଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ

ଭୁବନେଶ୍ୱର : ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନବଉତ୍କଳର ନିର୍ମାତା ଡ. ହରେକୃଷ୍ଣ ମହତାବ ସର୍ବଦା ଓଡ଼ିଶାର ସାମଗି୍ରକ ବିକାଶ କଥା ଚିନ୍ତା କରୁଥିଲେ । କେବଳ ଯେ ରାଜନୀତି କ୍ଷେତ୍ରରେ ସେ ପ୍ରତିଷ୍ଠା ଲାଭ କରିଥିଲେ, ତାହା ନୁହେଁ ବରଂ ଜଣେ ଐତିହାସିକ, ସାହିତି୍ୟକ, ସାମ୍ବାଦିକ, ସଂପାଦକ, ଦକ୍ଷ ପ୍ରଶାସକ ଓ ସଂସ୍କୃତିସଂପନ୍ନ ବ୍ୟକ୍ତି ଭାବେ ସୁପ୍ରତିଷ୍ଠିତ ଥିଲେ ।

ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଓ ବମ୍ବେ ପ୍ରଦେଶର ରାଜ୍ୟପାଳ ଭାବେ ସେ ନିଜର କର୍ତ୍ତବ୍ୟ ଯେପରି ଭାବେ ନିଷ୍ଠାର ସହ ତୁଲାଇଥିଲେ, ଅନୁରୂପ ଭାବରେ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଝାସଦେଇ ନେତୃତ୍ୱର ପରାକାଷ୍ଠା ମଧ୍ୟ ପ୍ରଦର୍ଶନ କରିଥିଲେ ବୋଲି ନବଉତ୍କଳର ନିର୍ମାତା ଡ. ହରେକୃଷ୍ଣ ମହତାବଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବର ଅତିଥିମାନେ ମତବ୍ୟକ୍ତ କରିଛନ୍ତି ।

ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଜୟଦେବ ଭବନଠାରେ ନବଉତ୍କଳର ନିର୍ମାତା ଡ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଉତ୍ସବରେ ରାଜ୍ୟସଭା ସାଂସଦ ଶ୍ରୀମତୀ ସୁଲତା ଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍କଳ କେଶରୀ ଡ. ମହତାବ ଓଡ଼ିଶାର ଏକ ବହୁମୁଖୀ ଅନୁଷ୍ଠାନ ଥିଲେ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଭାବେ ଯୋଗାଦଇ ଭଣ୍ଡାରୀପୋଖରୀର ବିଧାୟକ ଶ୍ରୀ ପ୍ରଫୁଲ୍ଲ ସାମଲ ଡ. ହରେକୃଷ୍ଣ ମହତାବଙ୍କ ପ୍ରତି କାର୍ଯ୍ୟରେ ସ୍ୱକୀୟତା, ସାହାସ ଓ ନିର୍ଭୀକତାର ପରିପ୍ରକାଶ ହୋଉଥିଲା ବୋଲି କହିଥିଲେ ।

ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଶିକ୍ଷାବିତ୍‌ ଓ ଗବେଷକ ଡ. ଗିରିଶ ପ୍ରସାଦ ସ୍ୱାଇଁ ଡ. ମହତାବଙ୍କ କର୍ମମୟ ଜୀବନ ସଂପର୍କରେ ଆଲୋକପାତ କରିଥିଲେ । ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତି୍ରପାଠୀ ସ୍ୱାଗତ ଭାଷଣ ପ୍ରଦାନ କରି ଡ. ମହତାବଙ୍କୁ ଆଧୁନିକ ଓଡ଼ିଶାର ନିର୍ମାତା ବୋଲି ଦର୍ଶାଇଥିଲେ । ସଭା ପ୍ରାରମ୍ଭରେ ଅତିଥିମାନେ ନବ ଉତ୍କଳର ନିର୍ମାତା ଡ. ହରେକୃଷ୍ଣ ମହତାବଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ଏବଂ ପରେ ଆଚାର୍ଯ୍ୟ ଜଳଧର ପ୍ରଧାନ ଓ ସାଥି ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ ।

ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ସୁରେନ୍ଦ୍ର ନାଥ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ସହକାରୀ ନିର୍ଦ୍ଦେଶକ (କ୍ଷେତ୍ର) ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀ ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମରେ ସୂଚନା ଓ ଲୋକସଂପର୍କ ବିଭାଗର ବହୁ ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀଙ୍କ ସମେତ ଛାତ୍ରଛାତ୍ରୀ, ଗଣମାଧ୍ୟମର ପ୍ରତିନିଧି ଏବଂ ବୁଦ୍ଧିଜୀବୀ ଯୋଗ ଦେଇଥିଲେ ।