ସାଂସଦ ସୁଲତା ଦେଓଙ୍କୁ ମିଳିଲା ବଡ ପଦ, ହେଲେ ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲ ସଦସ୍ୟା

Published: Jul 20, 2023, 2:23 pm IST

ନୂଆଦିଲ୍ଲୀ: ବିଜେଡି ସାଂସଦ ସୁଲତା ଦେଓଙ୍କୁ ମିଳିଛି ଏକ ବଡ ପଦ। ତାଙ୍କୁ ଆଜି ରାଜ୍ୟସଭାର ଉପାଧ୍ୟକ୍ଷ ପ୍ୟାନେଲ ସଦସ୍ୟା ଭାବେ ନିଯୁକ୍ତି ଦିଆଯାଇଛି। ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଏହି ନିଯୁକ୍ତି ଦେଇଛନ୍ତି। ଆଜି ମୌସୁମୀ ଅଧିବେସନରେ ଅଧ୍ୟକ୍ଷ ଧନଖଡ ଏହି ପ୍ୟାନଲକୁ ପୁନଃଗଠନ କରି ନୂଆ ଆଠ ଜଣ ସଦସ୍ୟଙ୍କୁ ମନୋନିତ କରିଛନ୍ତି।

ନୂଆ ପ୍ୟାନେଲର ମୋଟ ଆଠଜଣଙ୍କ ମଧ୍ୟରୁ ଚାରିଜଣ ହେଉଛନ୍ତି ମହିଳା। ଆଉ ଏହି ଚାରିଜଣ ମଧ୍ୟ ପ୍ରଥମ ଥର ପାଇଁ ରାଜ୍ୟସଭାକୁ ନିର୍ବାଚିତ ହୋଇ ଯାଇଛନ୍ତି। ଅଧ୍ୟକ୍ଷ କହିଛନ୍ତି ଯେ, ପଚାଶ ପ୍ରତିଶତ ମହିଳା ସଂରକ୍ଷଣକୁ ଦୃଷ୍ଟିରେ ରଖି ଏପରି କରାଯାଇଛି। ସେହିପରି ନୂଆ ସଦସ୍ୟଙ୍କୁ ସୁଯୋଗ ଦେବା ପାଇଁ ଏହି ନୂଆ ପ୍ୟାନେଲକୁ ଗଠନ କରାଯାଇଛି।

ସୁଲତା ଦେଓଙ୍କ ସହିତ ଆଉ ଯେଉଁ ତିନି ଜଣ ମହିଳା ସାଂସଦ ମନୋନିତ ହୋଇଛନ୍ତି  ସେମାନେ ହେଲେ ପିଟି ଉଷା, ଏସ ଫାନଗୋନ କୋନାକ୍, ଫୁଜିଆ ଖାନ, ଭି ବିଜୟସାଇ ରେଡ୍ଡୀ। ଏମାନେ ରାଜ୍ୟସଭା ଅଧ୍ୟକ୍ଷ କିମ୍ବା ଉପାଧ୍ୟକ୍ଷ ଅନୁପସ୍ଥିତ ଥିବା ବେଳେ ଗୃହ ପରିଚାଳନା କରିବେ।

ରାଜ୍ୟସଭା ଅଧ୍ୟକ୍ଷ ଧନକଡ ସମସ୍ତଙ୍କୁ ସ୍ବାଗତ କରିବା ସହିତ ସୁଚାରୁ ରୂପେ ଗୃହକାର୍ଯ୍ୟ ତୁଲାଇବେ ବୋଲି ସେ ଆଶା କରିଛନ୍ତି। ସେମାନେ ଠିକ ଭାବରେ ଏହି ଦେଶ ପାଇଁ ସେବା କରିବେ କହି ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ପୂର୍ବରୁ ଓଡିଶାର ବିଜେଡି ସାଂସଦ ସସ୍ମିତ ପାତ୍ର ଏହି ପ୍ୟାନେଲରେ ଅଛନ୍ତି।

Related posts