Categories
ଆଞ୍ଚଳିକ

ସାଇବର ଅପରାଧ ଭିତ୍ତିକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ହିଲପାଟଣାରେ ଅବସ୍ଥିତ ମାତ୍ରୁଶ୍ରୀ ଆଙ୍ଗ୍ଲୋଭେଦିକ୍ ବିଦ୍ୟାଳୟ ପରିସରରେ ଏକ ସାଇବର ଅପରାଧ ଭିତ୍ତିକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସହରର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଫ୍ରେଣ୍ଡ୍ସ୍ ହେଲ୍ପିଂ କ୍ଳବ୍ ପକ୍ଷରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ଅଧ୍ୟକ୍ଷ ଦ୍ବାରିକାନାଥ ପଣ୍ଡା ଙ୍କ ଦ୍ଵାରା ଉଦଘାଟିତ ଉକ୍ତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ଅଧ୍ୟାପିକା ଡଃ ବନୀତା ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବହୁ ପରିମାଣର ଛାତ୍ର ଓ ଛାତ୍ରୀ ମାନେ ଆଜିକାଲି ସେଲ୍ ଫୋନ୍ ବ୍ୟବହାର କରି ବିଶେଷକରି ଟୁଇଟର ଓ ଫେସବୁକ ଦ୍ଵାରାସାଇବର ଠକାମୀର ଶିକାର ହେଉଛନ୍ତି।

ଏହିଭଳି ପରିସ୍ଥିତିରେ ସେଲ୍ ଫୋନ୍ ରେ ଆସୁଥିବା କୌଣସି ଠକାମୀ କିମ୍ବା ଅପରାଧ ବିଷୟ ଆସିଲେ ତତକ୍ଷଣାତ୍ ସାଇବର ଥାନା କୁ ସୁଚନା ଦେବାପାଇଁ କହିଥିଲେ ଓ ଫୋନ୍ ମାଧ୍ୟମରେ ଆସୁଥିବା ବିଭିନ୍ନ ଖେଳକୁ ବନ୍ଦ କରିବା ପାଇଁ ପରାମର୍ଶ ଦେଇଥିଲେ।

ଏତଦବ୍ୟତୀତ ପାୱାର ପୟଣ୍ଟ୍ ଜରିଆରେ ବିଭିନ୍ନ ଅପରାଧ ର ଉପସ୍ଥାପନ କରିଥିଲେ। ଆୟୋଜକ ଇ ଲକ୍ଷ୍ମୀକାନ୍ତ ପାତ୍ର ଙ୍କ ସୁପରିଚାଳନା ରେ ସମ୍ପନ୍ନ କାର୍ଯ୍ୟକ୍ରମରେ କ୍ଳବ୍ ଉପସଭାପତି କେ ନନ୍ଦେଶୁ ଉପସ୍ଥିତ ଅତିଥି ଓ ଛାତ୍ରଛାତ୍ରୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଞ୍ଚଳିକ

ବାଲୁଗାଁ କଲେଜରେ ସାଇବର ଅପରାଧ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ରାଜ୍ୟ ତଥା ଦେଶରେ ଦିନକୁ ଦିନ ସାଇବର ଅପରାଧୀ ମାନେ ସକ୍ରିୟ ହେବା ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ସାଇବର ଅପରାଧ ସଚେତନତା କାର୍ଯ୍ୟକ୍ରମ ଜିଲ୍ଲାବ୍ୟାପୀ ଅନୁଷ୍ଠିତ ହେଉଛି। ଆଜି ବାଲୁଗାଁ ମହାବିଦ୍ୟାଳୟ ପରିସରରେ ଏହି ସଚେତନତା କାର୍ଯ୍ୟକ୍ରମ ପାଇଁ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସୁରେନ୍ଦ୍ର ନାଥ ମୁର୍ମୁଙ୍କ ସମେତ ବାଲୁଗାଁ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶୁଭ୍ରାଂଶୁ ଶେଖର ମିଶ୍ର ଙ୍କୁ ମହାବିଦ୍ୟାଳୟର ଏନସିସି କ୍ୟାଡେଟ ମାନେ ପ୍ୟାରେଡ ମାଧ୍ୟମରେ ପାଛୋଟି ଆଣିବା ପରେ ଗାର୍ଡ ଅଫ ଅନର ପ୍ରଦାନ କରିଥିଲେ। ଏହାପରେ ମହାବିଦ୍ୟାଳୟର ସଭାଗୃହରେ ଅଧ୍ୟକ୍ଷା ଡକ୍ଟର କଳ୍ପନା ଦାଶଙ୍କ ସଭାପତିତ୍ୱରେ ଆୟୋଜିତ ସଚେତନତା କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଅତିରିକ୍ତ ଏସପି ଶ୍ରୀ ମୁର୍ମୁ ଉଦଘାଟନ କରିଥିଲେ।

ଏହାପରେ ମହାବିଦ୍ୟାଳୟ ଅଧ୍ୟକ୍ଷା ଅତିଥିମାନଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିବା ପରେ ଶ୍ରୀ ମୁର୍ମୁ ଅଧ୍ୟକ୍ଷାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଛାତ୍ରୀ ଦୀପ୍ତି ସାହୁ ଓ ପ୍ରଜ୍ଞାସ୍ମିତା ସାହୁଙ୍କ ସ୍ୱାଗତ ସଂଗୀତ ଓ ପୋଲିସ ସବ ଇନ୍ସପେକ୍ଟର ଦିଲ୍ଲୀପ କୁମାର ସାହୁଙ୍କ ସଂଗୀତ ପରିବେଷଣ ପରେ ସଂଯୋଜକ ତଥା ଅଧ୍ୟାପକ ଡକ୍ଟର କୈଳାସ ଚନ୍ଦ୍ର ମହାରଣା ଅତିଥି ପରିଚୟ ଓ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ l ବାଲୁଗାଁ ପୋଲିସ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୀ ମିଶ୍ର ସାଇବର ଅପରାଧ ସଚେତନତା କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ।

ଏହାପରେ କେ. ଦିନେଶ ସାଇବର ଠକେଇର ବିଭିନ୍ନ ଦିଗ ସମ୍ପର୍କରେ ଅବଗତ କରାଇବା ସହ ସାଇବର ସୁରକ୍ଷାର ସାଧାରଣ ସୂତ୍ର ଓ ମୋବାଇଲର ଯାନ୍ତ୍ରିକ କୌଶଳ ବିଷୟରେ ସଚେତନତା ସୃଷ୍ଟି କରିଥିଲେ। ଏହାପରେ ସମ୍ମାନିତ ଅତିଥି ତଥା ମହାବିଦ୍ୟାଳୟ ପରିଚାଳନା ପରିଷଦ ସଭାପତି ପ୍ରବାସ କୁମାର ସୁନ୍ଦରାୟ ସାଇବର ଠକେଇରୁ ଦୁରେଇ ରହିବା,ନିଜର ଓଟିପିକୁ ହସ୍ତାନ୍ତର ନ କରିବା,ଅଜଣା ଫୋନ କଲ ଦ୍ୱାରା ଅର୍ଥ ଲୋଭରେ ବ୍ୟାଙ୍କ ବିବରଣୀ ନ ଦେବା ସମ୍ପର୍କରେ ଛାତ୍ର ଛାତ୍ରୀ ଓ ଯୁବବର୍ଗଙ୍କୁ ପରାମର୍ଶ ଦେଇଥିଲେ।

ପ୍ରାଧ୍ୟାପକ ଡ଼ଃ ଲକ୍ଷ୍ମୀଧର ସୁବୁଦ୍ଧି ଦେଶର ବିଭିନ୍ନ ସାଇବର ଏନ୍ତୁଡ଼ିଶାଳ ବିଷୟରେ ସୂଚନା ଦେବା ସହ ସାମ୍ପ୍ରତିକ ସମୟର ଏହା ବଡ଼ ଅପରାଧ ବୋଲି ସୂଚନା ଦେଇଥିଲେ। ଏହାପରେ ମୁଖ୍ୟ ଅତିଥି ଶ୍ରୀ ମୁର୍ମୁ ଜିଲ୍ଲା ବ୍ୟାପୀ ଏହି ସଚେତନତା କାର୍ଯ୍ୟକ୍ରମରେ ସମସ୍ତଙ୍କର ସମ୍ପୃକ୍ତି ଓ ଗ୍ରହଣଶୀଳତା କାମନା କରିଥିଲେ। ସଭାପତି ପ୍ରାଧ୍ୟାପିକା ଡକ୍ଟର କଳ୍ପନା ଦାଶ ସାଇବର ସୁରକ୍ଷାକୁ ଜୀବନ ସୁରକ୍ଷା ବୋଲି ନାମିତ କରିବା ସହ ମହାବିଦ୍ୟାଳୟର ବିଭିନ୍ନ ଶ୍ରେଣୀରେ ଏହି ସଚେତନତା କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ଶିକ୍ଷାର୍ଥୀ ମାନଙ୍କୁ ଆହ୍ୱାନ ଜଣାଇଥିଲେ।

ଏହି ପରିପ୍ରେକ୍ଷୀରେ ଏନସିସି,ଏନଏସଏସ ଓ ଯୁବ ରେଡ଼କ୍ରସର ସ୍ବେଛାସେବୀମାନେ କ୍ଷୁଦ୍ର ଏକାଙ୍କିକା ମାଧ୍ୟମରେ ଏଟିଏମ ଠକେଇ,ଛଦ୍ମ ନାମରେ ପଇସା ଠକେଇ, ସାଧାରଣ ବ୍ୟକ୍ତିଙ୍କୁ ବ୍ୟାଙ୍କ ଠକେଇ ,ବିଭିନ୍ନ କମ୍ପାନୀ ନାମରେ ଚାକିରି ପ୍ରଲୋଭନ, ନାମଲେଖା ଠକେଇ ଆଦି ବିଭିନ୍ନ ସାଇବର ଅପରାଧର ଦୃଶ୍ୟ ଅଭିନୟ କରି ପ୍ରଶଂସିତ ହୋଇଥିଲେ। ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଶ୍ରେଷ୍ଠ ସ୍ଵେଚ୍ଛାସେବୀ ଓ ପୋଲିସ କର୍ମଚାରୀଙ୍କୁ ପୁରସ୍କାର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଶେଷରେ ବାଲୁଗାଁ ଥାନା ଆଇଆଇସି ଜୟ ପ୍ରକାଶ ପରିଡ଼ା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି କାର୍ଯ୍ୟକ୍ରମ ପରିଚାଳନାରେ ଅଧ୍ୟାପିକା ମନସ୍ବିନୀ ପଟ୍ଟନାୟକ, ସ୍ୱାତୀ ସ୍ଵାଗତିକା ସାହୁ,କୀର୍ତ୍ତି ମୟୀ ବାରିକ, ଡଃ ସନ୍ତୋଷ କୁମାର ରଥ ସହାୟତା କରିଥିଲେ। ଛାତ୍ର ଛାତ୍ରୀଙ୍କ ସମେତ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର ସ୍ୱଚ୍ଚସାଥୀ ଏଥିରେ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମକୁ ବାଲୁଗାଁ ଥାନା ଆଇଆଇସି ଜୟ ପ୍ରକାଶ ପରିଡ଼ା ପରିଚାଳନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲା ପୋଲିସ ପକ୍ଷରୁ ନାଚୁଣୀ ମହାବିଦ୍ୟାଳୟରେ ସାଇବର ଅପରାଧ ସଚେତନତା କାର୍ଯ୍ୟକ୍ରମ

ନାଚୁଣୀ ( ସୀତାରାମ ଅଗ୍ରୱାଲ): ଆଜି ନାଚୁଣୀ କଲେଜରେ ଖୋର୍ଦ୍ଧା ଜିଲା ପୋଲିସ ପକ୍ଷରୁ ସାଇବର ଅପରାଧ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁରେନ୍ଦ୍ରନାଥ ମୁର୍ମୁ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ସମ୍ନାନିତ ଅତିଥିଭାବେ ଡ଼ିଏସପି ଅନିଲ କୁମାର ମହାନ୍ତି, ମୁଖ୍ୟ ବକ୍ତାଭାବେ ବାଲୁଗାଁ ଏସଡ଼ିପିଓ ଶୁଭ୍ରାଂଶୁ ଶେଖର ମିଶ୍ର, ଆମନ୍ତ୍ରିତ ଅତିଥି ଭାବେ ନାଚୁଣୀ ଆଇଆଇସି ଚନ୍ଦ୍ରଶେଖର ଜେନା, ନାଚୁଣୀ କଲେଜ ଅଧ୍ୟକ୍ଷ ନାରାୟଣ ବଳିୟାରସିଂହ ଓ କଲେଜ ପରିଚାଳନା କମିଟି ସଭାପତି ଅରୁଣ କୁମାର ଦାସ ଯୋଗ ଦେଇଥିଲେ । ଅଧ୍ୟାପିକା ଲୀନା ନଦିଜା କାର୍ଯ୍ୟକ୍ରମ ସ°ଚାଳନରେ ସହଯୋଗ କରିଥିଲେ। କିଭଳି ଭାବରେ ସାଇବର ଅପରାଧରୁ ଦୁରେଇ ରହିବା, କୌଣସି ଅଜଣା ଫୋନ କଲ ଆସିଲେ ଓଟିପି ନଦେବା, ୟୁପିଆଇ ମାଧ୍ୟମରେ କାରବାର କଲେ ସମ୍ପୂର୍ଣ୍ଣ ସଚେତନ ରହିବା ସହ ବିଭିନ୍ନ ଦିଗକୁ ନେଇ ହେଉଥିବା ସାଇବର ଠକେଇରୁ ନିଜକୁ ସୁରକ୍ଷିତ ରହିବାକୁ ନେଇ ଉପସ୍ଥିତ ଅତିଥିମାନେ ନିଜ ନିଜର ବକ୍ତବ୍ୟ ରଖିଥିଲେ।

ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ, କୁଇଜ ପ୍ରତିଯୋଗିତା, ଗୀତ ଓ ଡ୍ୟାନ୍ସ ପୋଗ୍ରାମର ଆୟୋଜନ କରାଯାଇଥିଲା। ଏଥିରେ ଯେଉଁ ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରି ପ୍ରଥମ, ଦିତୀୟ ଓ ତୃତୀୟ ସ୍ଥାନ ପାଇ ଥିଲେ ସେମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।

ଉକ୍ତ କାର୍ଯ୍ୟକ୍ରମରେ ସମାଜସେବୀ ଅଭିଜିତ ବିଶ୍ୱାଳ ଏବଂ ପ୍ରଦୁମ୍ନ ରଞ୍ଜନ ସୁଆର ସହଯୋଗ ପ୍ରଦାନ କରିଥିଲେ। ପରିଶେଷରେ ଅଧ୍ୟାପିକା ଡଃ ସୁଭଦ୍ରା ଭୋଳ ଧନ୍ୟବାଦ ଅର୍ପଣ କରିଥିଲେ। ଉପରୋକ୍ତ ଆୟୋଜକଙ୍କ ପକ୍ଷରୁ ନିକଟସ୍ଥ ହରିପୁର ର ଲକ୍ଷ୍ମୀଧର ସରକାରୀ ହାଇସ୍କୁଲ ରେ ପ୍ରଧାନ ଶିକ୍ଷୟିତ୍ରୀ ସୁବ୍ରତା ସାହୁଙ୍କ ସହଯୋଗ ରେ ମଧ୍ୟ ସାଇବର ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଡିଏଭି ପୋଖରୀପୁଟରେ ଗୋପବନ୍ଧୁ ଜୟନ୍ତୀ ଓ ସାଇବର ଅପରାଧ ନିୟନ୍ତ୍ରଣ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର: ଡିଏଭି ପୋଖରୀପୁଟରେ ପୁଣ୍ୟାତ୍ମା ଗୋପବନ୍ଧୁଙ୍କର ୧୪୬ତମ ଜନ୍ମଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁ, ସମସ୍ତ ନିରୀକ୍ଷକ ନିରୀକ୍ଷିକା ତଥା ଓଡ଼ିଆ ବିଭାଗର ସମସ୍ତ କର୍ମକର୍ତ୍ତା ଉତ୍କଳମଣିଙ୍କ ଫଟୋଚିତ୍ରରେ ଭକ୍ତି ସୁମନ ଅର୍ପଣ କରିଥିଲେ।

ଗୋପବନ୍ଧୁଙ୍କ ଜୀବନାଦର୍ଶକୁ ଅନୁକରଣ କରି ସେବା ପରାୟଣ ମନୋଭାବ ପ୍ରଦର୍ଶନ ପୂର୍ବକ ଭଲ ମଣିଷ ହେବା ପାଇଁ ଅଧ୍ୟକ୍ଷ ବିଦ୍ୟାର୍ଥୀମାନଙ୍କୁ ଆହ୍ୱାନ ଦେଇଥିଲେ। ଷଷ୍ଠ ଶ୍ରେଣୀର ବିଦ୍ୟାର୍ଥୀ ଦିବ୍ୟଜ୍ୟୋତି ମହାପାତ୍ର ଗୋପବନ୍ଧୁଙ୍କ ଜୀବନୀ ଉପରେ ଆଲୋକପାତ କରିଥିବା ବେଳେ ସାଇ ସୁବିଦିତ ସାହୁ ଏକ ସ୍ୱରଚିତ କବିତା ଆବୃତି କରିଥିଲେ।

ଏହି କାର୍ଯ୍ୟକ୍ରମକୁ ଓଡ଼ିଆ ବିଭାଗର ବରିଷ୍ଠ ଶିକ୍ଷକ ନରୋତ୍ତମ ଷଡ଼ଙ୍ଗୀ ସଂଯୋଜନା କରିଥିବା ବେଳେ ଶୁଭ୍ରାଂଶୁ ମୋହନ ଦାଶ, କେଶବ ଚନ୍ଦ୍ର ପ୍ରଧାନ, କ୍ଷଣପ୍ରଭା ନନ୍ଦ ଆଦି ଏଥିରେ ସକ୍ରିୟ ସହଯୋଗ କରିଥିଲେ।

ବିଦ୍ୟାଳୟରେ ଗୋପବନ୍ଧୁଙ୍କ ଜନ୍ମ ତିଥି ପାଳନ କରାଯାଇଥିବାବେଳେ କମିଶନରେଟ୍  ପୋଲିସ ଆନୁକୂଲ୍ୟରେ ସାଇବର ସୁରକ୍ଷା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଦ୍ୟାଳୟ ପରିଚାଳନା ସମିତିର ଚେୟାରମ୍ୟାନ୍ ଡ. ଅରୁଣ କୁମାର ରଥ ଉପସ୍ଥିତ ରହି ଅତିଥିଙ୍କୁ ସ୍ୱାଗତ କରିବା ସହ ସେମାନଙ୍କ ପରିଚୟ ପ୍ରଦାନ କରିଥିଲେ।

ଏହି ଅବସରରେ ବିଦ୍ୟାର୍ଥୀଙ୍କୁ ସଚେତନ କରିବା ନିମନ୍ତେ ସାଇବର ଅପରାଧ ନିୟନ୍ତ୍ରଣ ସଚେତନତା ରଥ ଓ ମାସ୍କଟ “ସାଇରା” ବିଦ୍ୟାଳୟ ଫାଟକ ନିକଟରେ ପ୍ରବେଶ କରିବା ମାତ୍ରେ ବିଦ୍ୟାର୍ଥୀମାନେ ଓଡ଼ିଶୀ ନୃତ୍ୟ ମାଧ୍ୟମରେ ସ୍ୱାଗତ କରି ବିଦ୍ୟାଳୟ ପ୍ରେକ୍ଷାଳୟ ନିକଟକୁ ପାଛୋଟି ନେଇଥିଲେ।

କମ୍ପ୍ୟୁଟର ବିଭାଗ ଦ୍ୱାରା ପଥପ୍ରାନ୍ତ ନାଟକ, ୱାଲ୍ ପେଣ୍ଟିଙ୍ଗ୍ , ଚିତ୍ରାଙ୍କନ ଏବଂ କୁଇଜ୍ ପ୍ରତିଯୋଗିତା କରାଯାଇ କୃତୀ ବିଦ୍ୟାର୍ଥୀଙ୍କୁ ପୁରସ୍କୃତ କରାଯାଇଥିଲା। ସାଇବର ସେଲ୍‌ର ଏ.ସି.ପି ଅଞ୍ଜନା ଟୁଡୁଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନରେ ଏହି ସଚେତନତା କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପାଦିତ ହୋଇଥିଲା।

ବିଦ୍ୟାଳୟ କମ୍ପ୍ୟୁଟର ବିଭାଗର ଗୀତାଞ୍ଜଳି ହୋତା, ସସ୍ମିତା ରାଉତ ଓ ବିଶ୍ୱମୋହନ ମହାନ୍ତି ଉକ୍ତ କର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ବଢୁଥିବା ସାଇବର ଅପରାଧ ଯୁଗରେ କିପରି ସୁରକ୍ଷିତ ରହିବ ପାନ୍ କାର୍ଡ, ଜାଣନ୍ତୁ ସୁରକ୍ଷା ଟିପ୍ସ

ନୂଆଦିଲ୍ଲୀ: ପ୍ୟାନ କାର୍ଡ ହେଉଛି ଲୋକଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଦଲିଲ, ଏହାକୁ ସୁରକ୍ଷିତ ରଖିବା କାର୍ଡ ଧାରକଙ୍କ ଦାୟିତ୍ଵ ଏବଂ ଏହା ମଧ୍ୟ ଜରୁରୀ ଅଟେ।

ଡିଜିଟାଲ ଦୁନିଆର ଏହି ଯୁଗରେ ସାଇବର ଅପରାଧ ସହ ଜଡିତ ମାମଲା ସାମ୍ନାକୁ ଆସୁଛି। ଏପରି ପରିସ୍ଥିତିରେ, ସମସ୍ତ ଡକ୍ୟୁମେଣ୍ଟ୍ ସହିତ ପାନ୍ କାର୍ଡକୁ ସୁରକ୍ଷିତ ରଖିବା ମଧ୍ୟ ଆବଶ୍ୟକ। ଜାଲିଆତି ମାମଲାରୁ ପାନ୍ କାର୍ଡକୁ ବଞ୍ଚାଇବା ପାଇଁ କିଛି ଜିନିଷର ଯତ୍ନ ନିଆଯିବା ଉଚିତ୍।

ପାନ କାର୍ଡ ହେଉଛି ଆୟକର ବିଭାଗ ଦ୍ଵାରା ଜାରି କରାଯାଇଥିବା ୧୦ ନମ୍ବରର ଏକ ସ୍ଥାୟୀ ଆକାଉଣ୍ଟ ନମ୍ବର, ଯାହା କାର୍ଡ ଧାରକଙ୍କ ସମସ୍ତ ଆର୍ଥିକ ସୂଚନା ଧାରଣ କରିଥାଏ। ଏହି କାର୍ଡ ବ୍ୟକ୍ତିଗତ ଭାବରେ କିମ୍ବା ଆୟକର ବିଭାଗ ତରଫରୁ ଏକ କମ୍ପାନୀ କିମ୍ବା ଫାର୍ମକୁ ଦିଆଯାଏ।

ପାନ୍ କାର୍ଡକୁ ସୁରକ୍ଷିତ ରଖିବା ପାଇଁ, ପାନ୍ କାର୍ଡ ସହିତ ଜଡିତ ବିବରଣୀଗୁଡିକ ଆବଶ୍ୟକ ନହେବା ପର୍ଯ୍ୟନ୍ତ କାହା ସହିତ ଅଂଶୀଦାର ନକରିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ପାନ୍ କାର୍ଡ ସମ୍ବନ୍ଧୀୟ ସୂଚନାକୁ ସୁରକ୍ଷିତ ରଖିବା ଜରୁରୀ ଅଟେ। ଯେତେବେଳେ ଏକ ଅନଲାଇନ୍ ୱେବସାଇଟ୍ କିମ୍ବା ଫର୍ମରେ ପାନ୍ କାର୍ଡର ବିବରଣୀ ପୂରଣ କରିବା ଆବଶ୍ୟକ ହୁଏ, ପ୍ରଥମେ ସେହି ୱେବସାଇଟର ବୈଧତା ଯାଞ୍ଚ କରନ୍ତୁ।

ଯଦି କୌଣସି ସ୍ଥାନରେ ପାନ୍ କାର୍ଡର ବିବରଣୀ ଦେବା ଆବଶ୍ୟକ ଏବଂ ଆପଣ ଏହାର ସୂଚନା ପାଇବାକୁ ଏକ ଅନୁରୋଧ ପାଆନ୍ତି, ତେବେ ପ୍ରଥମେ ସେହି ଅନୁରୋଧର ବୈଧତା ଯାଞ୍ଚ କରନ୍ତୁ। ସୂଚନା ନିଶ୍ଚିତ କରନ୍ତୁ ନାହିଁ ଯେପର୍ଯ୍ୟନ୍ତ ଆପଣ ନିଶ୍ଚିତ ନୁହଁନ୍ତି ଯେ ଏକ ବୈଧ ସଂସ୍ଥା ଦ୍ୱାରା ସୂଚନା ମଗାଯାଉଛି।

ନିୟମିତ ଭାବରେ ଆପଣଙ୍କର ବ୍ୟାଙ୍କ ବିବରଣୀ ଏବଂ କ୍ରେଡିଟ୍ କାର୍ଡ ଷ୍ଟେଟମେଣ୍ଟ ଯାଞ୍ଚ କରନ୍ତୁ, ଯଦି ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟରେ କୌଣସି ଟ୍ୟାମ୍ପରିଂ ହୁଏ, ତେବେ ଆପଣ ଠିକ୍ ସମୟରେ ଏହା ବିଷୟରେ ସୂଚନା ପାଇପାରିବେ। ଯଦି ଆପଣ ଏହା ବିଷୟରେ ଜାଣନ୍ତି ତେବେ ବ୍ୟାଙ୍କ କିମ୍ବା କ୍ରେଡିଟ କାର୍ଡ କମ୍ପାନୀକୁ କୌଣସି ଠକେଇ ରିପୋର୍ଟ କରନ୍ତୁ।

ପ୍ୟାନ୍ କାର୍ଡ ସମ୍ବନ୍ଧୀୟ ସୂଚନାକୁ ମୋବାଇଲ୍ ଫୋନ୍ କିମ୍ବା କମ୍ପ୍ୟୁଟରରେ ସେଭ୍ କରନ୍ତୁ ନାହିଁ। କାରଣ ଯଦି ଆପଣଙ୍କର ଡିଭାଇସ୍ ହ୍ୟାକ୍ କିମ୍ବା ଚୋରି ହୋଇଛି, ତେବେ ଆପଣଙ୍କୁ ଏଥିପାଇଁ କ୍ଷତି ସହିବାକୁ ପଡିବ। ଏହାର ସବିଶେଷ ତଥ୍ୟ ଆପଣଙ୍କ ସହିତ ରଖିବାକୁ, ଆପଣ ଏହାର ନକଲ କପି ଆପଣଙ୍କ ସହିତ ରଖିପାରିବେ।

Categories
ବିଶେଷ ଖବର

ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା: ରାଜ୍ୟରେ ଖୋଲିବ ୧୧ଟି ସାଇବର ଓ ଅର୍ଥନୈତିକ ଅପରାଧ ଥାନା

ଭୁବନେଶ୍ବର: ସାଇବର ଅପରାଧ ଏବେ ସାରା ବିଶ୍ବରେ ଚିନ୍ତାର କାରଣ ହେଇଛି। ଦେଶ ତଥା ଆମ ରାଜ୍ୟ ଓଡିଶାରେ ମଧ୍ୟ ସାଇବର ଅପରାଧର ଅନେକ ଘଟଣା ଦୃଷ୍ଟିକୁ ଆସୁଅଛି।

ସାଇବର ଅପରାଧ, ବ୍ୟାଙ୍କ ଦେଣନେଣ ତଥା ଜଟିଳ ଡିଜିଟାଲ ଦେଣନେଣରେ ଅଧିକ ଭାବରେ ସଂପୃକ୍ତ। ତେଣୁ ଏସବୁ ଅପରାଧର ଯଥାର୍ଥ ଅନୁସଂଧାନ ଓ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ଜ୍ଞାନ ଓ ଦକ୍ଷତା ଆବଶ୍ୟକ। ତେଣୁ ସାଇବର ଅପରାଧ ତଥା ତଦ୍ ଜନିତ ଆର୍ଥିକ ଅପରାଧକୁ ରୋକିବା ତଥା ଏଭଳି ଅପରାଧର ଶିକାର ହୋଇଥିବା ଲୋକମାନେ ଯେପରି ଉପଯୁକ୍ତ ନ୍ୟାୟ ପାଇପାରିବେ, ତାକୁ ଦୃଷ୍ଟିରେ ରଖି ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏଥିପାଇଁ ୧୧ଟି ସ୍ବତନ୍ତ୍ର ଥାନା ଖୋଲାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।

ବର୍ତ୍ତମାନ ସମ୍ବଲପୁର ,ରାଉରକେଲା ଓ ବ୍ରହ୍ମପୁର ରେ କାର୍ଯ୍ୟ କରୁଥିବା ତିନୋଟି ସାଇବର ଓ ଅର୍ଥନୈତିକ ଅପରାଧ ଥାନା ର ଏହି ନୂଆ ବ୍ୟବସ୍ଥା ସହ ମିଶିଯିବ। ଏହା ଦ୍ଵାରା ଏହି ଥାନର ସଖ୍ୟା ୧୪ରେ ପହଞ୍ଚିଲା।

ଏହି ୧୪ଟି ସାଇବର ଓ ଅର୍ଥନୈତିକ ଅପରାଧ ଥାନା ନିମ୍ନଲିଖିତ ୧୪ଟି ସ୍ଥାନରେ ପ୍ରତିଷ୍ଠା କରାଯିବ। ସେଗୁଡିକ ହେଲା – କଟକ, ଭୁବବନେଶ୍ବର, କେନ୍ଦୁଝର, ସମ୍ବଲପୁର, ବ୍ରହ୍ମପୁର, ରାଉରକେଲା, ଅନୁଗୁଳ, ବାଲେଶ୍ବର, ମୟୁରଭଂଜ,ପୁରୀ, କୋରାପୁଟ, ଭବାନୀପାଟଣା, ବଲାଙ୍ଗୀର ଓ କନ୍ଧମାଳ।

ଏହି ଥାନା ମାନଙ୍କରେ ନିଯୁକ୍ତି ପାଇଁ ପୋଲିସ ବିଭାଗରେ ୧୫୪ଟି ପଦବୀ ସୃଷ୍ଟି କରାଯାଇଛି। ସେମାନଙ୍କ ମଧ୍ୟରେ ୧୪ଟି ଇନ୍ସପେକ୍ଟର, ୨୮ଟି ସବ୍ଇନ୍ସପେକ୍ଟର, ୨୮ଟି ଏ.ଏସ୍.ଆଇ (ଯୋଗାଯୋଗ), ୨୮ଟି କନେଷ୍ଟବଳ (ଯୋଗାଯୋଗ) ଓ ୫୬ଟି କନେଷ୍ଟବଳ ପଦବୀ ଅନ୍ତର୍ଭୁକ୍ତ। ଏମାନଙ୍କ ବ୍ୟତୀତ ଫାଇନାନ୍ସ ଓ ଆକାଉଣ୍ଟ ଆନାଲିଷ୍ଟ  ଆଇଟି ଏକ୍ସପର୍ଟ, ଓ ସାଇବର ଫୋରେଂସିକ ଏକ୍ସପର୍ଟ ପରି ୯୦ ଜଣ ବିଶେଷଜ୍ଞଙ୍କୁ ମଧ୍ୟ ଏହି ଥାନା ମାନଙ୍କରେ ନିୟୋଜିତ କରାଯିବ ବୋଲି ଜଣାଯାଇଛି। ରାଜ୍ୟ ସଇବର ତଥା ଆର୍ଥିକ ଅପରାଧ ରୋକିବାରେ ଏହା ସହାୟକ ହେବା ସହିତ ଲୋକଙ୍କୁ ଶୀଘ୍ର ନ୍ୟାୟ ଦେବା ଦିଗରେ ଫଳପ୍ରଦ ହେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଶା ପ୍ରକାଶ କରିଛନ୍ତି।