Categories
ଆଞ୍ଚଳିକ

ଅର୍ଜ୍ଜୁନ ସ୍ନାତକ ମହାବିଦ୍ୟାଳୟରେ ସାମ୍ବାଦିକ ଓ ସାହିତ୍ୟିକ ମନୋରଞ୍ଜନ ନନ୍ଦଙ୍କ ସ୍ମୁତି ସଭା

ରେଢାଖୋଲ (କନ୍ଦର୍ପ ବେହେରା): ଜୀବନ ହିଁ ସାହିତ୍ୟ। ସାହିତ୍ୟିକର ଜନ୍ମ ଦୁଃଖ ଓ ଯନ୍ତ୍ରଣାରେ ପରିପୂର୍ଣ୍ଣ। ସାହିତ୍ୟ ହିଁ ମଣିଷକୁ ଭଲ ବାଟ କଢାଇଥାଏ। ଯେଉଁ ଦେଶର ସାହିତ୍ୟ ଯେତେ ଉଚ୍ଚକୋଟୀର ସେ ଦେଶ ସେତେ ଉନ୍ନତ ଓ ସମୃଦ୍ଧଶାଳୀ ବୋଲି ଆଜି ଅର୍ଜ୍ଜୁନ ସ୍ନାତକ ମହାବିଦ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ତଥା ସାହିତ୍ୟିକ ମନୋରଞ୍ଜନ ନନ୍ଦଙ୍କ ସ୍ମୁତି ସଭାରେ ବକ୍ତାମାନେ ମତବ୍ୟକ୍ତ କରିଥିଲେ।

ଅନୁଷ୍ଠାନର ସଭାପତି କୃଷ୍ଣ ଚନ୍ଦ୍ର ହୋତାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସ୍ମୁତି ସଭାରେ ଅତିଥି ଭାବରେ ବୌଦ୍ଧର କବି କିଶୋର ମିଶ୍ର, ସମାଜସେବୀ ବିଜୟ ମହାନ୍ତି, କବି ସନ୍ତୋଷ କୁମାର ରଥ, କଲେଜର ଅଧ୍ୟକ୍ଷ ଅଖିଳେନ୍ଦ୍ର ଶାସନୀ, ସ୍ବର୍ଗତ ସାହିତ୍ୟିକ ମନୋରଞନ ନନ୍ଦଙ୍କ ସୁପୁତ୍ର ମାନସ କୁମାର ନନ୍ଦ ପ୍ରମୁଖ ମଂଚାସୀନ ଥିଲେ।

ମାନସ କୁମାର ନନ୍ଦ ସ୍ବର୍ଗତ କବି ମନୋରଞ୍ଜନ ନନ୍ଦଙ୍କ ଜୀବନାଦର୍ଶ ସଂପର୍କରେ ଆଲୋଚନା କରିଥିବା ବେଳେ ଅତିଥି ମାନେ ସାହିତ୍ୟ ମଣିଷକୁ ଆଲୋକ ଦେଖାଇଥାଏ। କବି ଚିରଅମର। କବି ହେଉଛି ସମାଜର ଦର୍ପଣସଦ୍ରୁଶ ବୋଲି ମତ ବ୍ୟକ୍ତ କରିଥିଲେ। ସୁଚିତ୍ରା ପତ୍ରିକାର ସଂପାଦକ କନ୍ଦର୍ପ ବେହେରା ଅତିଥି ପରିଚୟ ପ୍ରଦାନ କରିବା ସହ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ।

କଲେଜର ଛାତ୍ରୀ ସରୀତା, ଅଙ୍କିତା, ସୁଷମା ଏବଂ କରିସ୍ମା ସ୍ବାଗତ ସଂଗୀତ ପରିବେଷଣ କରିଥିଲେ। କଲେଜର ଅଧ୍ୟାପକ ସୁଦର୍ଶନ ଷାଣ୍ଢ, ଅଧ୍ୟାପିକା ବିସ୍ମିତା ମହାକୁଡ ଅଧ୍ୟାପିକା ଅସିମା ପ୍ରଧାନ, ଛବିଳ ପ୍ରଧାନ, ବେଲାରସେନ୍ ସାହୁ ପ୍ରମୁଖ ସହଯୋଗ କରିଥିଲେ। କବି ମନୋରଞ୍ଜନ ନନ୍ଦଙ୍କ ସ୍ମୁତି ଉଦ୍ଦେଶ୍ୟରେ ଏକ ସ୍ମରଣୀକା “ଅମ୍ଳାନ ପ୍ରତିଭା”
ଉନ୍ମୋଚିତ ହୋଇଥିଲା।

ଶେଷରେ ଅଧ୍ୟାପକ ବୈନତେୟ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଞ୍ଚଳିକ

ବରିଷ୍ଠ ଡ଼ାକ୍ତର, ସାହିତ୍ୟିକ ଚନ୍ଦ୍ରମଣି ସ୍ୱାଇଁଙ୍କ ପରଲୋକ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବରିଷ୍ଠ ଚିକିତ୍ସକ ତଥା ରାଜ୍ୟର ଜଣାଶୁଣା ସାହିତ୍ୟିକ, ନବୀନ ସାହିତ୍ୟ ପ୍ରତିଷ୍ଠାନର ସାଧାରଣ ସଂପାଦକ ଡ଼ା. ଚନ୍ଦ୍ରମଣି ସ୍ୱାଇଁଙ୍କ ୭୪ ବର୍ଷରେ ଆଜି ହୃଦ୍‌ଘାତରେ ପରଲୋକ ହୋଇଛି। ସ୍ୱର୍ଗତ ସ୍ୱାଇଁ ରାଜ୍ୟର ଏକ ଆଗଧାଡ଼ିର ସାହିତ୍ୟିକ, ଗବେଷକ ଓ ସୁବକ୍ତା ଭାବେ ସୁଖ୍ୟାତି ଅର୍ଜନ କରିଥିଲେ। ସେ ନବୀନ ପ୍ରତିଷ୍ଠାନ ସହିତ ବହୁ ସାହିତ୍ୟ ଅନୁଷ୍ଠାନ ସହିତ ସଂପୃକ୍ତ ଥିଲେ। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, କଳିଙ୍ଗ ସାହିତ୍ୟ ସମାଜ ଭଳି ବହୁ ସାହିତ୍ୟ ଅନୁଷ୍ଠାନରୁ ସମ୍ବର୍ଦ୍ଧିତ ହୋଇଥିଲେ। ସେ ଏଗାରଟି ଗ୍ରନ୍ଥ ରଚନା କରି ପାଠକୀୟ ଆଦୃତ ଲାଭ କରିଥିଲେ।

ତାଙ୍କର ମୃତ୍ୟୁ ଖବର ପାଇବା ପରେ ବରିଷ୍ଠ ସାମ୍ବାଦିକ ତଥା ନବୀନର ସଂପାଦକ ରବି ରଥ, ଡା. ସଂକର୍ଷଣ ପାତ୍ର, ଡା. ଅମୂଲ୍ୟ ପଟ୍ଟନାୟକ, ଡା. ସାଗର ରଂଜନ ତ୍ରିପାଠୀ, ବହୁମୁଖୀ ଅନୁଷ୍ଠାନର ସଭାପତି କୃଷ୍ଣଚନ୍ଦ୍ର ଦାସ, ସଂପାଦକ ମହମ୍ମଦ ଆସଲାମ୍‌, ନୀବନ ସାହିତ୍ୟ ପ୍ରତିଷ୍ଠାନ ତରଫରୁ ପ୍ରକାଶିତ ମଂଜୁ ରଥ ସଂପାଦକ କପିଳଚନ୍ଦ୍ର ମହାନ୍ତି, ସୁଶାନ୍ତ କର, ପବିତ୍ର ଚୌଧୁରୀ, ସରୀତା ପଣ୍ଡା, ଜ୍ୟୋତ୍ସ୍ନାରାଣୀ ପଣ୍ଡା, ଶିକ୍ଷାବିତ୍ ଜିତେନ୍ଦ୍ର ପଟ୍ଟନାୟକ, ରବି ମହାରଣା ପ୍ରମୁଖ ଶତାଧିକ ସାହିତ୍ୟିକ ଉପସ୍ଥିତ ଥିଲେ। ମୃତ୍ୟୁବେଳକୁ ତାଙ୍କ ସହଧର୍ମିଣୀ ଜ୍ୟୋତ୍ସ୍ନରାଣୀ ସ୍ୱାଇଁ, ଦୁଇପୁତ୍ର, ପୁତ୍ରବଧୁ ଓ ପରିବାର ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ। ଗୋକର୍ଣ୍ଣେଶ୍ୱର ମନ୍ଦିର ଶ୍ମଶାନରେ ତାଙ୍କର ଅନ୍ତେଷ୍ଟିକ୍ରିୟା ସମାପନ ହୋଇଥିଲା।