ବରିଷ୍ଠ ଡ଼ାକ୍ତର, ସାହିତ୍ୟିକ ଚନ୍ଦ୍ରମଣି ସ୍ୱାଇଁଙ୍କ ପରଲୋକ

Published: Nov 3, 2020, 10:56 pm IST

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବରିଷ୍ଠ ଚିକିତ୍ସକ ତଥା ରାଜ୍ୟର ଜଣାଶୁଣା ସାହିତ୍ୟିକ, ନବୀନ ସାହିତ୍ୟ ପ୍ରତିଷ୍ଠାନର ସାଧାରଣ ସଂପାଦକ ଡ଼ା. ଚନ୍ଦ୍ରମଣି ସ୍ୱାଇଁଙ୍କ ୭୪ ବର୍ଷରେ ଆଜି ହୃଦ୍‌ଘାତରେ ପରଲୋକ ହୋଇଛି। ସ୍ୱର୍ଗତ ସ୍ୱାଇଁ ରାଜ୍ୟର ଏକ ଆଗଧାଡ଼ିର ସାହିତ୍ୟିକ, ଗବେଷକ ଓ ସୁବକ୍ତା ଭାବେ ସୁଖ୍ୟାତି ଅର୍ଜନ କରିଥିଲେ। ସେ ନବୀନ ପ୍ରତିଷ୍ଠାନ ସହିତ ବହୁ ସାହିତ୍ୟ ଅନୁଷ୍ଠାନ ସହିତ ସଂପୃକ୍ତ ଥିଲେ। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, କଳିଙ୍ଗ ସାହିତ୍ୟ ସମାଜ ଭଳି ବହୁ ସାହିତ୍ୟ ଅନୁଷ୍ଠାନରୁ ସମ୍ବର୍ଦ୍ଧିତ ହୋଇଥିଲେ। ସେ ଏଗାରଟି ଗ୍ରନ୍ଥ ରଚନା କରି ପାଠକୀୟ ଆଦୃତ ଲାଭ କରିଥିଲେ।

ତାଙ୍କର ମୃତ୍ୟୁ ଖବର ପାଇବା ପରେ ବରିଷ୍ଠ ସାମ୍ବାଦିକ ତଥା ନବୀନର ସଂପାଦକ ରବି ରଥ, ଡା. ସଂକର୍ଷଣ ପାତ୍ର, ଡା. ଅମୂଲ୍ୟ ପଟ୍ଟନାୟକ, ଡା. ସାଗର ରଂଜନ ତ୍ରିପାଠୀ, ବହୁମୁଖୀ ଅନୁଷ୍ଠାନର ସଭାପତି କୃଷ୍ଣଚନ୍ଦ୍ର ଦାସ, ସଂପାଦକ ମହମ୍ମଦ ଆସଲାମ୍‌, ନୀବନ ସାହିତ୍ୟ ପ୍ରତିଷ୍ଠାନ ତରଫରୁ ପ୍ରକାଶିତ ମଂଜୁ ରଥ ସଂପାଦକ କପିଳଚନ୍ଦ୍ର ମହାନ୍ତି, ସୁଶାନ୍ତ କର, ପବିତ୍ର ଚୌଧୁରୀ, ସରୀତା ପଣ୍ଡା, ଜ୍ୟୋତ୍ସ୍ନାରାଣୀ ପଣ୍ଡା, ଶିକ୍ଷାବିତ୍ ଜିତେନ୍ଦ୍ର ପଟ୍ଟନାୟକ, ରବି ମହାରଣା ପ୍ରମୁଖ ଶତାଧିକ ସାହିତ୍ୟିକ ଉପସ୍ଥିତ ଥିଲେ। ମୃତ୍ୟୁବେଳକୁ ତାଙ୍କ ସହଧର୍ମିଣୀ ଜ୍ୟୋତ୍ସ୍ନରାଣୀ ସ୍ୱାଇଁ, ଦୁଇପୁତ୍ର, ପୁତ୍ରବଧୁ ଓ ପରିବାର ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ। ଗୋକର୍ଣ୍ଣେଶ୍ୱର ମନ୍ଦିର ଶ୍ମଶାନରେ ତାଙ୍କର ଅନ୍ତେଷ୍ଟିକ୍ରିୟା ସମାପନ ହୋଇଥିଲା।

Related posts