Categories
ଆଞ୍ଚଳିକ

ବାଣପୁର: ପ୍ରାକୃତ ଓଡ଼ିଆ ଓ ଚାଟଶାଳୀ ପାଠ” ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ

ବାଣପୁର (ସୀତାରାମ ଅଗ୍ରୱାଲ): ଭାଷା ସୁରକ୍ଷା ସମ୍ମିଳନୀ ଚିଲିକା, ବାଲୁଗାଁ ଓ ସାହିତ୍ୟ ସିନ୍ଦୁରା, ବାଣପୁରଙ୍କ ମିଳିତ ଆନୁକୂଲ୍ୟରେ ”ପ୍ରାକୃତ ଓଡ଼ିଆ ଓ ଚାଟଶାଳୀ ପାଠ” ଶୀର୍ଷକ ଆଲୋଚନା ଚକ୍ର ସହିତ ପାର୍ବଣ କବିତା ଆସର ବାଣପୁରସ୍ଥିତ ଶୁଭମଙ୍ଗଳ କଲ୍ୟାଣମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଭାଷା ସୁରକ୍ଷା ସମ୍ମିଳନୀ ଚିଲିକା ଶାଖାର ସଭାପତି ରଙ୍କନାଥ ସେଠିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ରାଜ୍ୟ ସ୍ତରୀୟ ଆସରରେ ମୁଖ୍ୟଅତିଥି ଭାବେ ବରିଷ୍ଠ ପତ୍ରକାର ନୃସିଂହ ଚରଣ ମିଶ୍ର ଯୋଗଦେଇ ଚାଟଶାଳୀ ପାଠ ନଥିଲେ ଓଡ଼ିଆ ଭାଷା ବଞ୍ଚି ରହିନଥାନ୍ତା ବୋଲି କହିଥିଲେ।

ଏହି ଆଲୋଚନା ଚକ୍ରରେ ଭିତ୍ତି ପ୍ରବନ୍ଧ ଉପସ୍ଥାପନ କରି ଐତିହ୍ୟ ଗବେଷକ ମଦନ ମୋହନ ମହାପାତ୍ର ପ୍ରାଚୀନ ବଙ୍କାଡ଼ ଶିଳାଲେଖ ଓ ଷଷ୍ଠ ଶତାଦ୍ଧିରୁ ଚଟାଶାଳୀ ପାଠ ଶିକ୍ଷା ସଂସ୍କାରର ମୂଳଦୁଆ ପକାଇଥିଲା ବୋଲି ମତ ଦେଇଥିଲେ।

ପ୍ରାରମ୍ଭରେ ମା’ ଭଗବତୀ କଳାନିକେତନର କଳାକାର ମାନେ ବିଷ୍ନୁପ୍ରିୟା ବାରିକଙ୍କ ନିର୍ଦ୍ଦେଶନାରେ ଗଣେଶ ନୃତ୍ୟ ପରିବେଷଣ କରିଥିଲେ। ଅତିଥି ପରିଚୟ ଓ ବିବରଣୀ ପାଠ କରିଥିଲେ ସମ୍ପାଦକ ଶେଷଦେବ ମହାରଣା। ଗୋପୀନାଥ ଦାସ ଓ ଡ଼ଃ ରଶ୍ମି କରଙ୍କ ସମ୍ପାଦନାରେ ପାର୍ବଣ କବିତା ଆସର ପାଠ କରାଯାଇଥିଲା। ଏଥିରେ ବହୁ କବି ଓ କବୟିତ୍ରୀ ତାଙ୍କର ସ୍ୱରଚିତ କବିତା ପାଠ କରିଥିଲେ।

ଏହି ଅବସରରେ ଐତିହାସିକ ସତ୍ୟବାଦୀ ବଳିୟାରସିଂ ଓ ଲେଖକ ବିପିନ ବିହାରୀ ମହାନ୍ତି ଙ୍କୁ ଖୋର୍ଦ୍ଧା ସାହିତ୍ୟ ସାରଥୀ ଉପାଧି ପ୍ରଦାନ କରାଯାଇଥିଲା। ନାଟ୍ୟକାର ଜିତେନ୍ଦ୍ର ପଟ୍ଟନାୟକ ଓଡ଼ିଆ ଉତ୍ପତିରେ ସଂଗୀତ ଶାସ୍ତ୍ରର ଭୂମିକା ସମ୍ବଦ୍ଧରେ ଆଲୋକପାତ କରିଥିଲେ। ପରିଶେଷରେ ସାହିତ୍ୟ ସିନ୍ଦୁରାର ସଂଯୋଜକ ଧନ୍ୟବାଦ ଅର୍ପଣ କରିଥିଲେ।