Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଜଗା ଦର୍ଶନ ପାଇଁ ଖୋଲିବ ସିଂହଦ୍ବାର, ଏସଓପି ଜାରି କଲା ଶ୍ରୀମନ୍ଦିର ପ୍ରଶାସନ

ପୁରୀ, ଶେଷରେ ବହୁ ପ୍ରତୀକ୍ଷା ପରେ ଜଗାର ସିଂହଦ୍ବାର ସାଧାରଣ ଭକ୍ତଙ୍କ ପାଇଁ ଖୋଲିବ। ଆସନ୍ତା 16 ତାରିଖ ପରଠାରୁ ଏହି ଦର୍ଶନ ଆରମ୍ଭ ହେବ। ତେବେ ପ୍ରଥମ ପାଞ୍ଚଦିନ ପୁରୀ ସହରବାସୀଙ୍କ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି। ସେଥିପାଇଁ ପ୍ରଶାସନ ତରଫରୁ ୱର୍ଡୱାରୀ ଦର୍ଶନ ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ଦିନ 6ଟି ଲେଖାଏଁ ୱାର୍ଡର ଲୋକଙ୍କୁ ଦର୍ଶନ କରିବାର ଅନୁମତି ଦିଆଯାଇଛି। ତେବେ କରୋନା କଟକଣା ପାଇଁ ଏହି ଦର୍ଶନ ବେଳେ କେତେକ ନିୟମ ଲାଗୁ କରାଯାଇଛି।

ପୁରୀବାସୀ ଅଗଷ୍ଟ 16 ତାରିଖରୁ 20 ତାରିଖ ପର୍ଯ୍ୟନ୍ତ ଦର୍ଶନ କରିବେ। ତେବେ ସେମାନଙ୍କୁ କୌଣସି କରୋନା ସାର୍ଟିଫିକେଟ ଦେଖାଇବାର ଆବଶ୍ୟକତା ନାହିଁ। ବର୍ତ୍ତମାନ ସୁଦ୍ଧା ପୁରା ପୁରୀ ସହରରେ ଟିକାକରଣ ହୋଇ ନ ଥିଲେ ମଧ୍ୟ ଜଗା ଦର୍ଶନ ପାଇଁ କୌଣସି ପ୍ରମାଣ ପତ୍ରର ଆବଶ୍ୟକତା ନାହିଁ। ତେବେ ପୁରୀ ବାସିନ୍ଦା ଭାବେ ଆଧାରକାର୍ଡ କିମ୍ବା ଅନ୍ୟ ପ୍ରମାଣ ପତ୍ର ଦେଖାଇବା ବାଧ୍ୟତାମୂଳକ କରାଯାଇଛି। ପୁରୀବାସୀ କିପରି ଭଲରେ ଜଗା ଦର୍ଶନ କରିବେ ସେ ନେଇ ପ୍ରଶାସନ ତରଫରୁ ବ୍ୟବସ୍ଥା କରାଯାଇଛି।

ଏହାପରେ 23 ତାରିଖରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ। 20 ତାରିଖରେ ପୁରୀବାସୀଙ୍କ ଦର୍ଶନ ସରିବା ପରେ 21 ଓ 22 ତାରିଖ ଦୁଇଦିନ ସପ୍ତାହନ୍ତ ଲକଡାଉନ ଲାଗୁ ରହିଛି। ଫଳରେ ସେହି ଦୁଇଦିନ ଦର୍ଶନ ବନ୍ଦ କରାଯାଇଛି। ସେଥିପାଇଁ 23 ତାରିଖରୁ ଏହି ଦର୍ଶନ ଆରମ୍ଭ ହେବ। ସପ୍ତାହର 5ଦିନ ସକାଳ 7ଟାରୁ ସଂଧ୍ୟା 5ଟା ପର୍ଯ୍ୟନ୍ତ ଦର୍ଶନ ସୁବିଧା ମିଳିପାରିବ। ତେବେ ଏହି ସମୟରେ ନେଗେଟିଭ ସାର୍ଟିଫିକେଟ କିମ୍ବା ଦୁଇ ଡୋଜ ଟିକା ନେବାର ପ୍ରମାଣ ପତ୍ର ଭକ୍ତଙ୍କୁ ଦେବାକୁ ପଡିବ।

ପୂର୍ବପରି ଭକ୍ତମାନେ ମାସ୍କ, ସାନିଟାଇଜର ପ୍ରଭୃତି ବ୍ୟବହାର କରିବା ପାଇଁ ବାଧ୍ୟତାମୂଳକ କରାଯାଇଛି। ପ୍ରତ୍ୟେକ ଦ୍ବାରରେ ସାନିଟାଇଜର ରଖାଯିବ ବୋଲି ନିଷ୍ପତି କରାଯାଇଛି। ସେହିପରି ମନ୍ଦିର ଭିତରେ ଦୀପ ଲଗାଇବା ପାଇଁ ମନା କରାଯାଇଛି। ଭକ୍ତମାନେ ଆନନ୍ଦ ବଜାରରୁ ଅଭଡା କିଣିପାରିବେ ହେଲେ ସେଠାରେ ସେବନ କରିପାରିବେ ନାହିଁ। ଦର୍ଶନ ପାଇଁ ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗମାନଙ୍କ ନିମନ୍ତେ ସ୍ବତନ୍ତ୍ର ଧାଡି କରାଯିବ।

ତେବେ ଶ୍ରୀମନ୍ଦିର ପ୍ରତ୍ୟେକ ଶନିବାର ଓ ରବିବାର ସହିତ ବିଭିନ୍ନ ପର୍ବପର୍ବାଣୀରେ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି। କାରଣ ଏହିଦିନ ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମର ଆଶଙ୍କା ରହିଥିବାରୁ ପ୍ରଶାସନ ଏହି ନିଷ୍ପତି ଗ୍ରହଣ କରିଛି।

Categories
RathJatra ଜାତୀୟ ଖବର ଧର୍ମ ବିଶେଷ ଖବର ରାଜ୍ୟ ଖବର

ରଥଯାତ୍ରା ପାଇଁ ପ୍ରସ୍ତୁତି ଶେଷ, ସିଂହଦ୍ବାରରେ ତିନି ରଥ, ଆଜି ରାତିରୁ ବଳବତ୍ତର ହେବ କର୍ଫ୍ୟୁ

ପୁରୀ, ଆସନ୍ତାକାଲି ମହାପ୍ରଭୃଙ୍କ ରଥଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ତିନି ରଥ ସିଂହଦ୍ବାରରେ ଲାଗିଛି। ଆଜି ଆଜ୍ଞାମାଳ ଆସିବା ପରେ ପ୍ରଥମେ ନନ୍ଦିଘୋଷ, ଦେବଦଳନ ଏବଂ ତାଳଧ୍ବଜ ରଥକୁ ସିଂହଦ୍ବାର ନିକଟକୁ ନିଆଯାଇ ଗୁଣ୍ଡିଚା ମନ୍ଦିର ମୁହାଁ ରଖାଯାଇଛି। ଆସନ୍ତାକାଲି ମହାପ୍ରଭୃ ଏହି ରଥରେ ବିଜେ କରି ଗୁଣ୍ଡିଚା ମନ୍ଦିର ଯିବେ।

ପଂରପରା ଅନୁସାରେ ରଥଯାତ୍ରା ପୂର୍ବଦିନ ରଥ ନିର୍ମାଣର ସମସ୍ତ କାର୍ଯ୍ୟ ଶେଷ ହୋଇଥାଏ। ରଥଖଳାରେ ଏହା ନିର୍ମାଣ ହେଉଥିବାରୁ ସିଂହଦ୍ବାରଠାରୁ ଏହା ଅଳ୍ପ ଦୂରରେ ରୁହେ। ହେଲେ ରଥଯାତ୍ରା ପାଇଁ ତା ପୂର୍ବଦିନ ରଥକୁ ଦକ୍ଷଣିମୋଡ କରାଯାଇ ସିଂହଦ୍ବାର ନିକଟକୁ ନିଆଯାଇଥାଏ। ଫଳରେ ଠାକୁର ଶ୍ରୀମନ୍ଦିରରୁ ବାହାରି ସିଧା ରଥରେ ବସିପାରିବେ।

ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ ବିନା ଭକ୍ତରେ ରଥଯାତ୍ରା ଅନୁଷ୍ଠିତ ହେବ। ସେଥିପାଇଁ ମନ୍ଦିର ପ୍ରଶାସନ ତଥା ପୋଲିସ ପ୍ରଶାସନ ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଆଜି ରାତିରୁ ପୁରୀ ସହରରେ କର୍ଫୁ ଲାଗିବ ଯାହା ମଙ୍ଗଳବାର ସଂଧ୍ୟା ପର୍ଯ୍ୟନ୍ତ ରହିବ। ବିନା ଭକ୍ତରେ କିପରି ଶାନ୍ତି ଶୃଙ୍ଖଳାରେ ପ୍ରଭୃଙ୍କ ନିତି ହେବ ସେ ନେଇ ମନ୍ଦିର ପ୍ରଶାସନ ତରଫରୁ ପଦକ୍ଷେପ ନିଆଯାଇଛି।

ମନ୍ଦିର ପ୍ରଶାସନ ଅନୁସାରେ ସୋମବାର ସକାଳ ୮ଟା ୩୦ ମିନିଟରେ ପହଣ୍ଡି ବିଜେ ହେବ। ତିନିଠାକୁରଙ୍କ ଏହି ପହଣ୍ଡି ବିଜେ ଦିନ ୧୧ଟା ୩୦ ମିନିଟ ପର୍ଯ୍ୟନ୍ତ ଚାଲିବ। ସେହିପରି ଛେରା ପହଁରା ମଧ୍ୟାହ୍ନ ୧୨ ଟା ୪୫ ରୁ ୨ଟା ପଯ୍ୟନ୍ତ ଚାଲିବ। ରଥଟଣା ଅପରାହ୍ନ ୩ଟା ବେଳ ଆରମ୍ଭ ହେବ।

କରୋନା ପାଇଁ ଗଜପତି ଦିବ୍ୟସିଂହ ଚଳିତ ସ୍ନାନ ପୂର୍ଣ୍ଣିମାରେ ଛେରା ପହଁରା କରି ନ ଥିଲେ। ହେଲେ ସେ ରଥଯାତ୍ରା ଏବଂ ବାହୁଡା ଯାତ୍ରାରେ ଛେରା ପହଁରା କରିବେ ବୋଲି ରାଜନଅର ତରଫରୁ କୁହାଯାଇଛି। ଗତ ବର୍ଷ ମଧ୍ୟ ସ୍ନାନ ପୂର୍ଣ୍ଣିମାରେ ଗଜପତି ଛେରା ପହଁରା କରି ନ ଥିଲେ।