ରଥଯାତ୍ରା ପାଇଁ ପ୍ରସ୍ତୁତି ଶେଷ, ସିଂହଦ୍ବାରରେ ତିନି ରଥ, ଆଜି ରାତିରୁ ବଳବତ୍ତର ହେବ କର୍ଫ୍ୟୁ

Published: Jul 11, 2021, 4:59 pm IST

ପୁରୀ, ଆସନ୍ତାକାଲି ମହାପ୍ରଭୃଙ୍କ ରଥଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ତିନି ରଥ ସିଂହଦ୍ବାରରେ ଲାଗିଛି। ଆଜି ଆଜ୍ଞାମାଳ ଆସିବା ପରେ ପ୍ରଥମେ ନନ୍ଦିଘୋଷ, ଦେବଦଳନ ଏବଂ ତାଳଧ୍ବଜ ରଥକୁ ସିଂହଦ୍ବାର ନିକଟକୁ ନିଆଯାଇ ଗୁଣ୍ଡିଚା ମନ୍ଦିର ମୁହାଁ ରଖାଯାଇଛି। ଆସନ୍ତାକାଲି ମହାପ୍ରଭୃ ଏହି ରଥରେ ବିଜେ କରି ଗୁଣ୍ଡିଚା ମନ୍ଦିର ଯିବେ।

ପଂରପରା ଅନୁସାରେ ରଥଯାତ୍ରା ପୂର୍ବଦିନ ରଥ ନିର୍ମାଣର ସମସ୍ତ କାର୍ଯ୍ୟ ଶେଷ ହୋଇଥାଏ। ରଥଖଳାରେ ଏହା ନିର୍ମାଣ ହେଉଥିବାରୁ ସିଂହଦ୍ବାରଠାରୁ ଏହା ଅଳ୍ପ ଦୂରରେ ରୁହେ। ହେଲେ ରଥଯାତ୍ରା ପାଇଁ ତା ପୂର୍ବଦିନ ରଥକୁ ଦକ୍ଷଣିମୋଡ କରାଯାଇ ସିଂହଦ୍ବାର ନିକଟକୁ ନିଆଯାଇଥାଏ। ଫଳରେ ଠାକୁର ଶ୍ରୀମନ୍ଦିରରୁ ବାହାରି ସିଧା ରଥରେ ବସିପାରିବେ।

ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ ବିନା ଭକ୍ତରେ ରଥଯାତ୍ରା ଅନୁଷ୍ଠିତ ହେବ। ସେଥିପାଇଁ ମନ୍ଦିର ପ୍ରଶାସନ ତଥା ପୋଲିସ ପ୍ରଶାସନ ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଆଜି ରାତିରୁ ପୁରୀ ସହରରେ କର୍ଫୁ ଲାଗିବ ଯାହା ମଙ୍ଗଳବାର ସଂଧ୍ୟା ପର୍ଯ୍ୟନ୍ତ ରହିବ। ବିନା ଭକ୍ତରେ କିପରି ଶାନ୍ତି ଶୃଙ୍ଖଳାରେ ପ୍ରଭୃଙ୍କ ନିତି ହେବ ସେ ନେଇ ମନ୍ଦିର ପ୍ରଶାସନ ତରଫରୁ ପଦକ୍ଷେପ ନିଆଯାଇଛି।

ମନ୍ଦିର ପ୍ରଶାସନ ଅନୁସାରେ ସୋମବାର ସକାଳ ୮ଟା ୩୦ ମିନିଟରେ ପହଣ୍ଡି ବିଜେ ହେବ। ତିନିଠାକୁରଙ୍କ ଏହି ପହଣ୍ଡି ବିଜେ ଦିନ ୧୧ଟା ୩୦ ମିନିଟ ପର୍ଯ୍ୟନ୍ତ ଚାଲିବ। ସେହିପରି ଛେରା ପହଁରା ମଧ୍ୟାହ୍ନ ୧୨ ଟା ୪୫ ରୁ ୨ଟା ପଯ୍ୟନ୍ତ ଚାଲିବ। ରଥଟଣା ଅପରାହ୍ନ ୩ଟା ବେଳ ଆରମ୍ଭ ହେବ।

କରୋନା ପାଇଁ ଗଜପତି ଦିବ୍ୟସିଂହ ଚଳିତ ସ୍ନାନ ପୂର୍ଣ୍ଣିମାରେ ଛେରା ପହଁରା କରି ନ ଥିଲେ। ହେଲେ ସେ ରଥଯାତ୍ରା ଏବଂ ବାହୁଡା ଯାତ୍ରାରେ ଛେରା ପହଁରା କରିବେ ବୋଲି ରାଜନଅର ତରଫରୁ କୁହାଯାଇଛି। ଗତ ବର୍ଷ ମଧ୍ୟ ସ୍ନାନ ପୂର୍ଣ୍ଣିମାରେ ଗଜପତି ଛେରା ପହଁରା କରି ନ ଥିଲେ।

Related posts