Categories
ଆଞ୍ଚଳିକ

ବାଣପୁରରେ ସାଇବର ସଚେତନତା ରଥକୁ ବିପୁଳ ସ୍ୱାଗତ

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କଟାରିଆଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ବାଣପୁର ଥାନା ଅଞ୍ଚଳରେ ଆଜି ଉକ୍ତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ସକାଳେ ବାଣପୁର ସରକାରୀ ଉଚ୍ଚ ବିଦ୍ୟାଳୟ ଏବଂ ପୂର୍ବାହ୍ନରେ ଗୋଦାବରୀଶ ମହାବିଦ୍ୟାଳୟ ପରିସରରେ ଉକ୍ତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବାଣପୁର ଆଇଆଇସି ରମେଶ ଚନ୍ଦ୍ର ଦେବତାଙ୍କ ତତ୍ୱାବଧାନରେ ବିଭିନ୍ନ ସ୍ଥାନରେ ଉକ୍ତ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।

ଗୋଦାବରୀଶ ମହାବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ କିଶୋର ଚନ୍ଦ୍ର ମୁଣ୍ଡ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଡ଼ିଏସପି ସୁଜିତ ପଣ୍ଡା, ଡ଼ିଏସପି ଅନିଲ କୁମାର ମହାନ୍ତି, ଡ଼ିଏସପି ମିନାକ୍ଷୀ ଠାକୁର, ବାଲୁଗାଁ ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର, ଆଇଆଇସି ରମେଶ ଚନ୍ଦ୍ର ଦେବତା, ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ବିନାୟକ ହୋତା, ପ୍ରଶାସନିକ ଅଧିକାରୀ ଡା ସୁରପ୍ରତାପ ନରେନ୍ଦ୍ର ସିଂ ବର୍ମା ଓ ସହ ପ୍ରଶାସନିକ ଅଧିକାରିଣୀ ଡା ସୁଜାତା ମିଶ୍ର ଯୋଗଦେଇଥିଲେ।

ଏହି ଅବସରରେ ସାଇବର ଠକେଇ ସମ୍ପ୍ରତି ସମାଜରେ ଚ୍ୟାଲେଞ୍ଜ ଭାବେ ଉଭା ହୋଇଥିବା ବେଳେ ଏହାକୁ ପ୍ରତିହିତ କରିବା ପାଇଁ ସଚେତନତା ଏକମାତ୍ର ଉପାୟ ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ। ସାଇବର ଲୁଟେରାଙ୍କ ଶିକାର ବିଶେଷ କରି ଯୁବ ପିଢ଼ି ଓ ବରିଷ୍ଠ ନାଗରିକ ମାନେ ହେଉଥିବା ବେଳେ ଏଥିରୁ ରକ୍ଷା ପାଇବାକୁ ହେଲେ ତୁରନ୍ତ ସ୍ଥାନୀୟ ପୋଲିସର ସହାୟତା ନେବାକୁ ଅତିଥି ମାନେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ।

ଅଜଣା ଫୋନ କଲ ଆସିଲେ ଓଟିପି ନଦେବା,  ୟୁପିଆଇରେ ପେମେଣ୍ଟ କରିବା ବେଳେ ସତର୍କ ରହିବା, ସାଇବର ଠକେଇର ଶିକାର ହେଲେ ୧୯୩୦ ଟୋଲ ଫ୍ରି ନମ୍ବରରେ ଅଭିଯୋଗ କରିବା ଭଳି ଏକାଧିକ ଉପାୟ ଅବଲମ୍ବନ କରିବା ପାଇଁ ଅତିଥିମାନେ କହିଥିଲେ।

ସଭା ଶେଷରେ ସାଇବର ସୁରକ୍ଷା ସମ୍ବନ୍ଧୀୟ ଏକାଧିକ ସାଂସ୍କୃତିକ କାର୍ଯ୍ୟକ୍ରମ, ନାଟକ ଏବଂ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏବଂ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା।

ପରିଶେଷରେ ସାଇବର ସଚେତନତା ରଥକୁ ବାଣପୁର ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ପରିକ୍ରମା କରାଯାଇ ସଚେତନତାର ବାର୍ତ୍ତା ପ୍ରଦାନ କରାଯାଇଥଲା।

ସୂଚନା ଥାଉକି ଓଡିଶା ପୋଲିସ ଆଇସିଆଇସିଆଇ ଫାଉଣ୍ଡେସନର ସହାୟତାରେ ସାରା ଓଡ଼ିଶାରେ ଉକ୍ତ ସାଇବର ସଚେତନତା କାର୍ଯ୍ୟକ୍ରମ ଜାରି ରଖିଛି।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲାରେ ପୂରଣ ହେଲା ସମସ୍ତ ଥାନାଧିକାରୀ ପଦବୀ: ଶୀଘ୍ର କାର୍ଯ୍ୟରେ ଯୋଗଦେବା ପାଇଁ ନିର୍ଦ୍ଦେଶ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ପୋଲିସ ଇନ୍ସପେକ୍ଟର ସ୍ତରରେ ଆଜି ଛୋଟ ଧରଣର ଅଦଳବଦଳ ହୋଇଛି। ନିକଟରେ ଜିଲ୍ଲା ପୋଲିସର ୧୦ ଜଣ ଇନ୍ସପେକ୍ଟରଙ୍କ ବଦଳି ହୋଇଥିବାରୁ ବିଭିନ୍ନ ଥାନା ଖାଲି ପଡିଥିଲା। ଏହି ପରିପ୍ରେକ୍ଷୀରେ ପୁର୍ବରୁ ଏକାଧିକ ଥାନାରେ ନୂତନ ଆଇଆଇସି ନିଯୁକ୍ତି ସରିଥିବା ବେଳେ ଆଜି ଖାଲି ପଡ଼ିଥିବା ଅନ୍ୟ ଥାନା ମାନଙ୍କରେ ନୂତନ ଆଇଆଇସି ମାନଙ୍କୁ ନିଯୁକ୍ତି ଦେଇଛନ୍ତି ଏସପି ସିଦ୍ଧାର୍ଥ କଟାରିଆ।

ଜିଲ୍ଲା ପୋଲିସ ମୁଖ୍ୟାଳୟ ଇନ୍ସପେକ୍ଟର ସୁଶାନ୍ତ କୁମାର ବେହେରାଙ୍କୁ ଟାଙ୍ଗୀ ଥାନା ଆଇଆଇସି, ଜ୍ୟୋତିପ୍ରକାଶ ପଣ୍ଡାଙ୍କୁ ବୋଲଗଡ଼ ଥାନା ଆଇଆଇସି, ସୁଚିତ୍ରା ଜେନାଙ୍କୁ ନିରାକାରପୁର ଥାନା ଆଇଆଇସି ଓ ସ୍ନିଗ୍ଧାମୟୀ ବରାଳଙ୍କୁ ଟାଉନ ଥାନା ଅତିରିକ୍ତ ଆଇଆଇସି ଭାବେ ନୂତନ ନିଯୁକ୍ତି ଦିଆଯାଇଥିବା ବେଳେ ଟାଉନ ଥାନା ଅତିରିକ୍ତ ଆଇଆଇସି ବନବିହାରୀ ପ୍ରଧାନଙ୍କ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି ହୋଇଛି।

ସମସ୍ତ ଅଧିକାରୀମାନଙ୍କୁ ତୁରନ୍ତ ସେମାନଙ୍କ ନୂତନ ସ୍ଥାନରେ ଯୋଗଦେବା ପାଇଁ ଏସପି ନିର୍ଦ୍ଦେଶ ଦେଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଜାତୀୟ ରାଜପଥରେ ସମାନ ଧରଣର ଲୁଟର ପର୍ଦ୍ଦାଫାଶ କଲା ଟାଙ୍ଗୀ ପୋଲିସ, ୩ ଗିରଫ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: କିଛି ଦିନ ଧରି ଏନଏଚ ୧୬ ରେ ଲୁଟ୍ ଆତଙ୍କ ମଚାଇଥିବା ଗ୍ୟାଙ୍ଗର ପର୍ଦ୍ଦାଫାଶ୍ କରିଛି ଟାଙ୍ଗୀ ପୋଲିସ୍। ଏ ନେଇ ଟାଙ୍ଗୀ ଥାନାରେ ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କଟାରିଆ ଏକ ପ୍ରେସ୍ ମିଟ୍ ଜରିଆରେ ସୁଚନା ଦେଇଛନ୍ତି। ଗତ କିଛି ଦିନ ଧରି ୧୬ ନଂ ଜାତୀୟ ରାଜପଥରେ ଯାଉଥିଵା ମହିଳାମାନଙ୍କୁ ଏହି ଲୁଟେରାମାନେ ଟାର୍ଗେଟ୍ କରୁଥିଲେ।

ମହିଳାମାନଙ୍କ ଠାରୁ ବାଇକରେ ଆସି ଭ୍ୟାନିଟ୍ ବ୍ୟାଗ୍ ଝାମ୍ପି ନେବା ସହ ସୁନା ହାର ଛିନତାଇ କରୁଥିଲେ। ଫଳରେ ମହିଳାମାନେ ସ୍କୁଟି ଏବଂ ବାଇକରୁ ପଡି ଗୁରୁତର ହୋଇଥିଲେ। ଗତ କିଛିଦିନ ତଳେ ଟାଙ୍ଗୀ ବାଇପାସ୍ ରେ ଦୁଇ ଜଣ ମହିଳାଙ୍କଠାରୁ ଝାମ୍ପି ନେବା ବେଳେ ୨ ଜଣ ମହିଳା ଗୁରୁତର ହୋଇ ମେଡିକାଲରେ ଚିକିତ୍ସିତ ହୋଇଥିଲେ। ଲୁଟର ଶୀକାର ହୋଇଥିବା ମହିଳାମାନଙ୍କ ଠାରୁ ଅଭିଯୋଗ ପାଇଵା ପରେ ପୋଲିସ ଆରମ୍ଭ କରିଥିଲା ଅପରେସନ୍।

ଏସପି ଶ୍ରୀ କଟାରିଆଙ୍କ ନିର୍ଦ୍ଦେଶକ୍ରମେ ଟାଙ୍ଗୀ ଥାନା ପକ୍ଷରୁ ୩ ଟି ଟିମ୍ ଗଠନ କରାଯାଇଥିଲା। ପୋଲିସ ନିରାକାରପୁର ଓ ଟାଙ୍ଗୀର ବିଭିନ୍ନ ଅଂଚଳରେ ଚଢାଉ କରି ୩ ଜଣ ଲୁଟେରାଙ୍କୁ ଗିରଫ କରିଥିବା ଜଣାପଡିଛି। ୩ ଜଣ ଜାତୀୟ ରାଜପଥ ଲୁଟେରା ହେଲେ ରାମେଶ୍ୱର ମଙ୍ଗଳାସାହିର କାଳିଆ ଓରଫ ଲଳିତ କୁମାର ପଣ୍ଡିତ( ୩୦ ), ନିରାକାରପୁର ଖଜୁରୀ ପଡାର ଡାକା ଓରଫ ଅନିଲ କୁମାର ସୁନ୍ଦରାୟ(୨୭) ଓ ରଣପୁର ଥାନା ଗୋପାଳପୁର ବଘେଇ ସାହିର ସାଗର ମହାପାତ୍ର( ୨୩)।

ଏହା ସହ ଚୋରା ସୁନା ଗହଣା କିଣିଥିବା ଅଭିଯୋଗରେ ଜଣେ ଚୋରା ବେପାରୀଙ୍କୁ ଗିରଫ କରିଛି ପୋଲିସ। ଗିରଫ ଚୋରା ବେପାରୀ ହେଲେ ପୁରୀ ଜିଲା ଗଡିଶାଗଦା ଥାନା ରାୟଗରପୁରର ବିଭୁତି ଭୁଷଣ ସାହୁ ଓରଫ ବିଭୁ। ଗିରଫ ଲୁଟେରାମାନଙ୍କ ଠାରୁ ୨ ଟି ସୁନା ଚେନ, ୧ ଟି ସୁନା ହାର, ୩ ଟି ସୁନା ମୁଦି, ୪ ଟି ମୋବାଇଲ ଫୋନ୍, ୨ ହଳ ସୁନା ଚୁଡି ଏବଂ ୩ ଟି ଭ୍ୟାନିଟ୍ ବ୍ୟାଗ୍ ଜବତ କରିଛି ପୋଲିସ୍। ଏହା ସହ ଲୁଟରେ ବ୍ୟବହାର ହୋଇଥିବା ୨ ଟି ସ୍ପିଡ୍ ବାଇକ ମଧ୍ୟ ଜବତ କରିଛି ପୋଲିସ।

ଉକ୍ତ ପ୍ରେସ ମିଟରେ ଏସପିଙ୍କ ସମେତ ବାଲୁଗାଁ ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର ଏବଂ ଟାଙ୍ଗୀ ଆଇଆଇସି ଦିଗବିଜୟ ବିଶ୍ୱାଳ ଉପସ୍ଥିତ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଠିକାଦାର ରମେଶ ରାଉତଙ୍କ ହତ୍ୟାକାଣ୍ଡ ଘଟଣା: ପାଞ୍ଚ ଦିନ ମଧ୍ୟରେ ପର୍ଦ୍ଦାଫାଶ କଲା ଟାଙ୍ଗୀ ପୋଲିସ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ବହୁଚର୍ଚ୍ଚିତ ଠିକାଦାର ରମେଶ ରାଉତଙ୍କ ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାଶ ହୋଇଛି। ମାତ୍ର ପାଞ୍ଚ ଦିନ ମଧ୍ୟରେ ଟାଙ୍ଗୀ ଥାନା ପୋଲିସ ଏହାର ପର୍ଦ୍ଦାଫାଶ କରିଛି। ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କଟାରିଆ ଆଜି ଅପରାହ୍ନରେ ଟାଙ୍ଗୀ ଥାନାରେ ପ୍ରେସ୍ ମିଟ୍ ଜରିଆରେ ଏ ନେଇ ସୂଚନା ଦେଇଛନ୍ତି।

ଗୁଳିକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅଞ୍ଚଳର ମନୋଜ କୁମାର ପରିଡାଙ୍କ ସମେତ ୪ ଜଣଙ୍କୁ ଟାଙ୍ଗୀ ଥାନା ପୋଲିସ୍ ଗିରଫ କରିଛି। ଗିରଫ ଅଭିଯୁକ୍ତମାନଙ୍କଠାରୁ ଗୋଟିଏ ଦେଶୀ ପିସ୍ତଲ, ଗୋଟିଏ ଖାଲି କ୍ୟାଟ୍ରିଜ୍ , ଗୋଟିଏ ଜୀବନ୍ତ ଗୁଳି ଏବଂ ୩ ଗୋଟି ବାଇକ୍ ଜବତ କରିଛି ପୋଲିସ।

ସୂଚନା ଥାଉକି ଗତ ୧୮ ତାରିଖ ରାତିରେ ଟାଙ୍ଗୀ ଥାନା ମୁଣ୍ଡାଳ ନିକଟରେ ଠିକାଦାର ରମେଶକୁ ଗୁଳି ମାଡ ହୋଇଥିଲା ଏବଂ ତାଙ୍କର ସେଠାରେ ମୃତ୍ୟୁ ହୋଇଥିଲା। ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ରାଧାମୋହନ ପୁର ଗ୍ରାମରେ ଠିକାଦାର ରମେଶଙ୍କ ଘର। ଗତ ଜୁନ୍ ୧୪ ତାରିଖରେ ମୟୁରଭଞ୍ଜରେ ହୋଇଥିବା ଏକ ଡକାୟତି ଘଟଣାର ପର୍ଦ୍ଦାଫାଶ୍ ହୋଇଯିବା ଭୟରେ ଏହି ଗୁଳିକାଣ୍ଡ ହୋଇଥିବା ଜଣାପଡିଛି।

ମୁଖ୍ୟ ଅଭିଯୁକ୍ତ ମନୋଜ ପରିଡାଙ୍କ ନାମରେ ୧୫ ରୁ ଅଧିକ ଜଘନ୍ୟ ମାମଲା ରାଜ୍ୟର ବିଭିନ୍ନ ଥାନାରେ ରହିଛି। ଅନ୍ୟ ୩ ଅଭିଯୁକ୍ତମାନେ ହେଲେ ଗଂଜାମ ଜିଲା କବିସୂର୍ଯ୍ୟ ନଗରର ସନ୍ତୋଷ କୁମାର ପ୍ରଧାନ ଏବଂ ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ମୁଣ୍ଡାଳ ଗ୍ରାମର ଦିଲିପ କୁମାର ସୁରଜିତ୍ ଓରଫ ଟୁଟୁ ବାରିକ ଓ ବୁନା ଓରଫ ଗଂଗାଧର ସୁବୁଦ୍ଧି ବୋଲି ଏସପି ସୂଚନା ଦେଇଛନ୍ତି।

ଉକ୍ତ ପ୍ରେସ ମିଟରେ ବାଲୁଗାଁ ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର ଏବଂ ଟାଙ୍ଗୀ ଥାନା ଆଇଆଇସି ଦିଗବିଜୟ ବିଶ୍ୱାଳ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ପ୍ରତିଷ୍ଠା ଦିବସରେ ପୋଲିସ ସେବା ପାଇଁ ଛଅ କର୍ମଚାରୀଙ୍କୁ ସମ୍ମାନିତ କଲେ ଏସପି

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ପୋଲିସ ପକ୍ଷରୁ ଆଜି ୮୮ ତମ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ସ୍ଥାନୀୟ ପୋଲିସ ରିଜର୍ଭ ପଡିଆରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟାରିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମ୍ମିଳିତ ପରେଡରେ ଅଭିଭାଦନ ଗ୍ରହଣ କରିଥିଲେ।

ଏହି ଅବସରରେ ଏସପି କଟାରିଆ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପଠନ କରିଥିଲେ। ନିଜ ଅଭିଭାଷଣରେ ଏସପି କହିଥିଲେ କି, ପୋଲିସ କେବଳ ଜନତାର ବନ୍ଧୁ କହିଲେ ହେବନି, ବାସ୍ତବରେ ଏହାକୁ ପ୍ରତିପାଦନ କର। ନିଜ ଦାୟିତ୍ବ ଓ କର୍ତ୍ତବ୍ୟ ସୂଚାରୁ ରୁପେ ପାଳନ କର। ସେବା ଓ ସମର୍ପଣ ଭାବ ନେଇ କାର୍ଯ୍ୟ କର। ନାଗରିକଙ୍କ ସହ ଉତ୍ତମ ବ୍ୟବହାର ଏବଂ ବନ୍ଧୁତ୍ଵପୂର୍ଣ୍ଣ ବାତାବରଣ ରହିଲେ ହୃଦୟ ଜିଣିପାରିବ ବୋଲି ଏସପି କହିଥିଲେ।

ପୋଲିସ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ଖୋର୍ଦ୍ଧା ଶିଳ୍ପାଞ୍ଚଳ ଫାଣ୍ଡି ଅଧିକାରୀଣି ଅଞ୍ଜଳି ମଲ୍ଲିକ , ବାଲୁଗାଁ ଥାନା ଏଏସଆଇ ଶରତ ଚନ୍ଦ୍ର ପ୍ରଧାନ ,ଟାଉନ ଥାନା କନଷ୍ଟେବଳ ବି.କେ ପ୍ରତାପସିଂହ , କନଷ୍ଟେବଳ ଲଳିତ କୁମାର ଧଳ,ଜ୍ଞାନରଞ୍ଜନ ମଙ୍ଗରାଜ ଏବଂ ସନ୍ତୋଷ କୁମାର ବେହେରା ଆଦି ୬ ଜଣ ପୋଲିସ କର୍ମଚାରୀଙ୍କୁ ଏସପି ପୁରସ୍କୃତ କରିଥିଲେ।

ଅତିରିକ୍ତ ଏସପି ସୁରେନ୍ଦ୍ର ନାଥ ମୁର୍ମୁଙ୍କ ସମେତ ଖୋର୍ଦ୍ଧା ଏସଡିପିଓ ଦିଲ୍ଲୀପ ଦାସ , ସମସ୍ତ ଡ଼ିଏସପି, ଥାନାଧିକାରୀ, ଅବସର ପ୍ରାପ୍ତ ବରିଷ୍ଠ ପୋଲିସ ଓ ସେନାଧିକାରୀମାନେ ମଧ୍ୟ ଉକ୍ତ ସମାରୋହରେ ଉପସ୍ଥିତ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବହୁ ଚର୍ଚ୍ଚିତ ନାଚୁଣୀ ହତ୍ୟାକାଣ୍ଡର ପର୍ଦ୍ଦାଫାଶ: ମାଷ୍ଟରମାଇଣ୍ଡ ମୃତକଙ୍କ ପତ୍ନୀ

ସୀତାରାମ ଅଗ୍ରୱାଲ

ନାଚୁଣୀ: ବହୁ ଚର୍ଚ୍ଚିତ ନାଚୁଣୀ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ପୋଲିସ। ଉକ୍ତ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ମୃତକଙ୍କ ପତ୍ନୀଙ୍କ ସମେତ ଅନ୍ୟ ଦୁଇ ପୁରୁଷ ଗିରଫ ହୋଇଛନ୍ତି। ଏ ନେଇ ଆଜି ଅପରାହ୍ନରେ ନାଚୁଣୀ ଥାନା ପରିସରରେ ଏସପି ସିଦ୍ଧାର୍ଥ କଟାରିଆ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ଖୋର୍ଦ୍ଧା।

ଏସପି ଙ୍କ ସୂଚନା ମୁତାବକ ମୃତକ ମନୋରଞ୍ଜନ ମହାପାତ୍ର (୩୫) ଚାନ୍ଦପୁର ଥାନା ରାଜ ଜଙ୍କିଆ ଗ୍ରାମର ନିଲି ଦାସ (୨୫) ଙ୍କୁ ବିବାହ କରିଥିଲେ। ତେବେ ନିଜ ଗ୍ରାମ ରଣପୁରରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ସହ ମନୋରଞ୍ଜନଙ୍କର ଅପଡ଼ ହେବାରୁ ସେ ତାଙ୍କ ପରିବାର ସହ ଟାଙ୍ଗୀ ଥାନା ଚଣ୍ଡେଶ୍ୱର ଅଞ୍ଚଳରେ ରହୁଥିଲେ।

ତେବେ ମନୋରଞ୍ଜନ ଜଣେ ଆନ୍ତଃ ଜିଲ୍ଲା ଡକାୟତ ଥିବା ବେଳେ ତାଙ୍କ ବିରୁଦ୍ଧରେ ନୟାଗଡ଼ ଜିଲ୍ଲାର ଦୁଇ ଗୋଟି ଡକାୟତ ମାମଲାରେ ଜାମିନ ବିହୀନ ଗିରଫ ପରୱାନା ମଧ୍ୟ ଜାରି ହୋଇଥିଲା। ସେ ସଦାବେଳେ ମଦ୍ୟପାନ କରି ନିଜ ପତ୍ନୀ ନିଲିଙ୍କୁ ଶାରୀରିକ ନିର୍ଯ୍ୟାତନା ଦେଇ ଆସୁଥିଲେ।

ଗତ ୨୦ ତାରିଖ ଦିନ ମନୋରଞ୍ଜନ ମଦ୍ୟପାନ କରି ପତ୍ନୀ ନିଲିଙ୍କୁ ଅମାନୁଷିକ ଭାବେ ବାଡେଇଥିଲେ। ଯାହାଫଳରେ ମିଲି ନିଜ ସ୍ୱାମୀଙ୍କଠୁ ମୁକ୍ତି ପାଇବା ପାଇଁ ତାଙ୍କର ହତ୍ୟା ଯୋଜନା କରିଥିଲେ। ଏଥି ପାଇଁ ସେ ଟାଙ୍ଗୀ ଥାନା ଅଞ୍ଚଳର ତାଙ୍କ ସାଙ୍ଗ ବିକ୍ରମ କୁମାର ସାହୁ (୨୯) ଏବଂ ଚାନ୍ଦପୁର ଥାନା ଅଞ୍ଚଳର ସମ୍ପର୍କୀୟ ଭାଇ ମିଟୁ ଦାସ (୨୬) ଙ୍କୁ ଯୋଗାଯୋଗ କରିଥିଲେ। ଏହାପରେ ୨୧ ତାରିଖ ସଂନ୍ଧ୍ୟାରେ ଅଭିଯୁକ୍ତ ବିକ୍ରମ ଚାନ୍ଦପୁର ବଜାରରୁ ଏକ ସୁଟକେସ କିଣି ମନୋରଞ୍ଜନ ଚଣ୍ଡେଶ୍ୱରସ୍ଥିତ ଘରକୁ ଯାଇଥିଲେ। ଏହାପରେ ସମସ୍ତ ୩ ଅଭିଯୁକ୍ତ ମାନେ ମନୋରଞ୍ଜନକୁ ପ୍ରଚୁର ମଦ୍ୟ ପାନ କରାଇ ନିଶାସକ୍ତ ଅବସ୍ଥାକୁ ଆଣିଥିଲେ ଏବଂ ସମସ୍ତେ ମିଶିକରି ମନୋରଞ୍ଜନଙ୍କ ବେକକୁ ଚିପି ମାରିଦେଇଥିଲେ। ଏହାପରେ ଉକ୍ତ ରାତିରେ ମନୋରଞ୍ଜନଙ୍କ ମୃତ ଶରୀରକୁ ସୁଟକେସରେ ଭର୍ତ୍ତିକରି ନାଚୁଣୀ ହରିପୁର ଜଙ୍ଗଲ ମଧ୍ୟକୁ ଫୋପାଡ଼ିଦେଇଥିଲେ।

ତେବେ ଉକ୍ତ ହତ୍ୟାକାଣ୍ଡରେ ସାମିଲ ଥିବା ଉକ୍ତ ତିନି ଅଭିଯୁକ୍ତ ମାନେ ମୁଖ୍ୟ ଅଭିଯୁକ୍ତ ବୋଲି ଏସପି କହିଛନ୍ତି। ଗିରଫ ଅଭିଯୁକ୍ତଙ୍କ ବିରୁଦ୍ଧରେ ନାଚୁଣୀ ପୋଲିସ କେସ ନମ୍ବର ୧୧/୨୩ ରେ ମାମଲା ରୁଜୁ କରି ସମସ୍ତଙ୍କୁ କୋର୍ଟଚାଲାଣ କରିଥିବା ବେଳେ ଅଧିକ ତଦନ୍ତ ଜାରିରହିଥିବାର ଏସପି ଶ୍ରୀ କଟାରିଆ କହିଛନ୍ତି।

ସେହିପରି ଭାବେ ଏପରି ଏକ ଜଟିଳ ହତ୍ୟାକାଣ୍ଡର ସ୍ୱଳ୍ପ ଘଣ୍ଟା ମଧ୍ୟରେ ପର୍ଦ୍ଦାଫାଶ କରାଯାଇଥିବାରୁ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ, ନାଚୁଣୀ ଆଇଆଇସି ଚନ୍ଦ୍ରଶେଖର ଜେନା, ଟାଙ୍ଗୀ ଆଇଆଇସି ଦିଗବିଜୟ ବିଶ୍ୱାଳ, ନାଚୁଣୀ ଏସଆଇ କେଶବ ବେହରା ଓ ଟିମକୁ ଏସପି ଧନ୍ୟବାଦ ଦେଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଗୋଟାଏ ଦିନରେ ୨୧ ଅମାନିଆଙ୍କ ବାଇକ ଜବତ କଲା ଟାଙ୍ଗୀ ପୋଲିସ, ୨୧ ମାମଲା ରୁଜୁ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କଟାରିଆଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ପୋଲିସ ବର୍ତ୍ତମାନ ଅମାନିଆ ବାଇକ ଚାଳକଙ୍କୁ ଗୋଡ଼ାଇ ଗୋଡ଼ାଇ ଧରୁଛି ଏବଂ ସେମାନଙ୍କ ନାମରେ ମାମଲା ମଧ୍ୟ ରୁଜୁ କରି ଖୁବ କମ ସମୟରେ ଅଦାଲତରେ ଚାର୍ଜସିଟ ଦାଖଲ କରୁଛି। ତେବେ ବାଲୁଗାଁ ପୋଲିସ ସବଡିଭିଜନ ଅଞ୍ଚଳରେ ଏସଡ଼ିପିଓ ମାନସ ରଞ୍ଜନ ବାରିକଙ୍କ ତତ୍ୱାବଧାନରେ ସମସ୍ତ ଥାନାଧିକାରୀମାନେ ପ୍ରାୟତଃ ଚବିଶ ଘଣ୍ଟା ମଧ୍ୟରେ ଚାର୍ଜସିଟ ଅଦାଲତରେ ଦାଖଲ କରୁଛନ୍ତି, ଫଳରେ ଗାଡ଼ି ମାଲିକଙ୍କୁ ଜବତ ବାଇକ ମୁକୁଳାଇବାରେ ଅସୁବିଧା ହେଉନାହିଁ।

ପୁର୍ବରୁ ବାଣପୁର ଓ ବାଲୁଗାଁ ପୋଲିସ ଦିନକରେ ଏକାଧିକ ଅମାନିଆଙ୍କ ବାଇକ ଜବତ କରି ମାମଲା ରୁଜୁ କରିଥିବା ବେଳେ ଟାଙ୍ଗୀ ପୋଲିସ ଗତକାଲି ଗୋଟାଏ ଦିନରେ ୨୧ ଜଣ ଅମାନିଆଙ୍କ ବାଇକ ଜବତ କରିବା ସହ ୨୧ ଗୋଟି ମାମଲା ରୁଜୁ କରିଛି, ଯାହା ଜିଲ୍ଲା ପାଇଁ ରେକର୍ଡ଼। ଏ ନେଇ ଆଇଆଇସି ଦିଗବିଜୟ ବିଶ୍ୱାଳଙ୍କୁ ପଚାରିବାରୁ, ପୋଲିସର ଉଦ୍ଦେଶ୍ୟ ଜନସାଧାରଣଙ୍କୁ ହଇରାଣ କରିବା ନୁହଁ ବରଂ ଜନସାଧାରଣଙ୍କୁ ସୁରକ୍ଷିତ ରଖିବା।

ଅମାନିଆ ବାଇକ ଚାଳକଙ୍କ ଦ୍ୱାରା ଅଞ୍ଚଳରେ ବିଶୃଙ୍ଖଳା ସୃଷ୍ଟି ହେବା ସହ ନାଗରିକ ମାନେ ଭୟଭୀତ ଅବସ୍ଥାରେ ରହୁଥିଲେ। ତେଣୁ ଏହାକୁ ଦୃଷ୍ଟିରେ ରଖି ଏସପିଙ୍କ ନିର୍ଦ୍ଦେଶକ୍ରମେ ଏବଂ ଏସଡିପିଓଙ୍କ ତତ୍ୱାବଧାନରେ ଉକ୍ତ ଅଭିଯାନ ଜାରି ରହିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ମାଟି ତଳୁ ଅଜଣା ଗଳିତ ଶବ ଉଦ୍ଧାର, ହତ୍ୟା ସନ୍ଦେହ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ସଦର ଥାନା ଅନ୍ତର୍ଗତ ଗୁଡ଼ୁମ୍ ଗ୍ରାମ ନିକଟ ବେଙ୍ଗିଟାଙ୍ଗୀର ଏକ ଆମ୍ବତୋଟାରୁ ଏକ ଅଜଣା ଗଳିତ ଶବକୁ ଉଦ୍ଧାର କରିଛି ପୋଲିସ୍। ଶବଟି ଜଣେ ଯୁବକଙ୍କ ହୋଇଥିବା ଜଣାପଡିଛି।

ସୂଚନା ମୁତାବକ ଗତକାଲି ଅପରାହ୍ନରେ କିଛି ସ୍ଥାନୀୟ ବ୍ୟକ୍ତି ବେଙ୍ଗିଟାଙ୍ଗୀର ଲେଙ୍କାତୋଟା ଜଙ୍ଗଲର ଏକ ସ୍ଥାନରେ ମାଟି ଘୋଡ଼ା ଯାଇଥବା ଦେଖିବାକୁ ପାଇଥିଲେ। ସନ୍ଦେହ ହେବାରୁ ଉକ୍ତ ସ୍ଥାନରୁ ମାଟି ଆଡେଇବାରୁ ତନ୍ମଧ୍ୟରୁ ମନୁଷ୍ୟର ଏକ ପାପୁଲି ବାହାରିଥିବା ଦେଖିଥିଲେ ଏବଂ ସଙ୍ଗେସଙ୍ଗେ ଏ ନେଇ ସଦର ଥାନା ପୋଲିସକୁ ସୂଚନା ଦେଇଥିଲେ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଅଞ୍ଚଳ ସିଜ କରିଥିବା ବେଳେ ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ତହସିଲଦାର, ଏସପି ଏବଂ ଅନ୍ୟ ପୋଲିସ ଅଧିକାରୀ ପହଞ୍ଚି ତଦନ୍ତ କରିବାରୁ ଉକ୍ତ ସ୍ଥାନରେ ଜଣେ ଅଜଣା ଯୁବକଙ୍କ ଗଳିତ ମୃତ ଦେହ ପୋତାଯାଇଥିବାର ଜାଣିବାକୁ ପାଇଥିଲେ।

ତେବେ ମୃତ୍ୟୁର ରହସ୍ୟ ଉନ୍ମୋଚନ ହୋଇନଥିବା ବେଳେ ଉକ୍ତ ସ୍ଥାନରୁ ଶବକୁ ନଷ୍ଟ କରିବା ନିମନ୍ତେ ବ୍ୟବହୃତ ହେଉଥିବା ବହୁ ସାମଗ୍ରୀ ମଧ୍ୟ ପୋଲିସ ଜବତ କରିଛି। ତେବେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ପୋଲିସ ସନ୍ଦେହ କରୁଥିବା ବେଳେ ଆସାମୀକୁ ଧରିବା ପାଇଁ ଜିଲ୍ଲା ପୋଲି ର ଦକ୍ଷ ଅଧିକାରୀଙ୍କୁ ନେଇ ଚାରି ଗୋଟି ଟିମ ଗଠନ କରାଯାଇଥିବାର ଏସପି ସିଦ୍ଧାର୍ଥ କଟାରିଆ ସୂଚନା ଦେଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପୁଣି ଖୋର୍ଦ୍ଧାରୁ ୨ ଲକ୍ଷରୁ ଉର୍ଦ୍ଧ୍ଵ ମୂଲ୍ୟର ବ୍ରାଉନ ସୁଗାର ଜବତ, ଯୁବତୀଙ୍କ ସମେତ ଦୁଇ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ବ୍ରାଉନ ସୁଗାର କାରବାର ଥମିବାର ନାଁ ଧରୁନି। ରଜ ପରିପ୍ରେକ୍ଷୀରେ ଯେଉଁଠି ସାଧାରଣ ଜନତା ଘରେ ରହି ଏହାକୁ ପାଳନ କରୁଛନ୍ତି। ଅନ୍ୟ ପକ୍ଷରେ ବ୍ରାଉନ ସୁଗାର ବେପାରିଙ୍କ ପାଇଁ ସତେ ଯେମିତି ଏହା ଏକ ମଉକା ଧଳା ଜହର ବିକ୍ରି କରିବାର। ଆଜି ଟାଉନ ଥାନା ପୋଲିସ ପୁଣି ବ୍ରାଉନ ସୁଗାର ଜବତ କରିବା ସହ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

ସୂଚନା ମୁତାବକ ଗୁରୁଜଙ୍ଗ ଗ୍ରାମ ନନ୍ଦ ସାହିରେ ଆଜି ବ୍ରାଉନ ସୁଗାର କାରବାର ଚାଲିଥିବାର ଏସପି ସିଦ୍ଧାର୍ଥ କଟାରିଆଙ୍କୁ କୌଣସି ଏକ ବିଶେଷ ସୂତ୍ରରୁ ଖବର ମିଳିଥିଲା। ବିଳମ୍ବ ନକରି ଟାଉନ ଥାନା ପୋଲିସକୁ ଏସପି ଚଢାଉ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଖୋର୍ଦ୍ଧା ଏସଡିପିଓ ସୁଶୀଲ ମିଶ୍ର ଏବଂ ଟାଉନ ଥାନା ଇନଚାର୍ଜ ଡ଼ିଏସପି ସଞ୍ଜୟ ପଟ୍ଟନାୟକଙ୍କ ତତ୍ୱାବଧାନରେ ଏବଂ ସ୍ୱତନ୍ତ୍ର ସ୍କ୍ୱାର୍ଡର ସହଯୋଗରେ ଏକ ଟିମ ଗଠନ କରାଯାଇ ଉକ୍ତ ସ୍ଥାନରେ ଚଢ଼ାଉ କରାଯାଇଥଲା।

ଚଢ଼ାଉ ସମୟରେ ପୋଲିସ ଉକ୍ତ ସ୍ଥାନରୁ ୨୧ ଗ୍ରାମ ବ୍ରାଉନ ସୁଗାର, ନକଦ ୨୫ ହଜାର ୫୨୦ ଟଙ୍କା ଓ ଏକ ସ୍କୁଟି ଜବତ କରିବା ସହ ଅଭିଯୁକ୍ତ ଦ୍ବୟ ନୃସିଂହ ସିଂହ (୨୫) ଏବଂ ଆକାଂକ୍ଷା ଓରଫ ଲିପ୍ସା ମହାପାତ୍ର (୨୦) ଙ୍କୁ ଗିରଫ କରିଛି। ଜବତ ବ୍ରାଉନସୁଗାର ମୂଲ୍ୟ ୨ ଲକ୍ଷ ୧୦ ହଜାର ଟଙ୍କା ହେବ ବୋଲି ଜଣାପଡିଛି।

ଗିରଫ ଅଭିଯୁକ୍ତଙ୍କ ବିରୋଧରେ ଏନଡ଼ିପିଏସ ଅଧିନିୟମ ୨୧(ଖ)/୨୯ ଅନୁଯାୟୀ ଟାଉନ ଥାନା କେଶ ନମ୍ବର ୨୮୩/୨୨ ରେ ମାମଲା ରୁଜୁ କରାଯାଇ ଆଜି କୋର୍ଟଚାଲାଣ କରାଯାଇଥିବାର ସୂଚନା ମିଳିଛି।

ଉକ୍ତ ଚଢ଼ାଉରେ ଏସଆଇ ସୁକାନ୍ତ ଦଳାଇ, ସସ୍ମିତା ବେହେରା, ପଦ୍ମଲୋଚନ ବେହେରା ଏବଂ ଅନ୍ୟ ପୋଲିସ କର୍ମୀ ଓ ସ୍ୱତନ୍ତ୍ର ସ୍କ୍ୱାର୍ଡର କର୍ମଚାରୀମାନେ ଆଦି ସାମିଲ ଥିଲେ।