Categories
ବିଶେଷ ଖବର

ପଶ୍ଚିମବଙ୍ଗରେ ବିଜେପିକୁ ହରାଇ ପାରିବେ କି ମମତା ବାନାର୍ଜୀ?: ଆସିଲା ସର୍ଭେ ରିପୋର୍ଟ

ନୂଆଦିଲ୍ଲୀ: ଅର୍ଥ ନେଇ ପ୍ରଶ୍ନ ପଚାରିବା ମାମଲାରେ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରା ସାଂସଦ ବରଖାସ୍ତ ହୋଇଛନ୍ତି। ସେବେଠାରୁ ପଶ୍ଚିମବଙ୍ଗ ରାଜନୀତି ସରଗରମ ହୋଇଛି। ଏହି ପ୍ରସଙ୍ଗରେ ତୃଣମୂଳ କଂଗ୍ରେସ (ଟିଏମସି) ଆକ୍ରମଣାତ୍ମକ ରହିଛି। ୨୦୨୪ ଲୋକସଭା ନିର୍ବାଚନରେ ପଶ୍ଚିମବଙ୍ଗରେ କ’ଣ ଚିତ୍ର ସାମ୍ନାକୁ ଆସିପାରେ? ଟାଇମ୍ସ ନାଓ-ଇଟିଜି ରିସର୍ଚ୍ଚ ପକ୍ଷରୁ ରାଜ୍ୟବ୍ୟାପୀ ଏକ ସର୍ଭେ କରାଯାଇଛି। ପଶ୍ଚିମବଙ୍ଗର ୪୨ଟି ଲୋକସଭା ଆସନ ଉପରେ ପୂର୍ବାନୁମାନ କରାଯାଇଛି। ଏବେ ନିର୍ବାଚନ ହେଲେ ପଶ୍ଚିମବଙ୍ଗରେ କେଉଁ ଦଳକୁ କେତେ ଆସନ ଓ କେତେ ପ୍ରତିଶତ ଭୋଟ ମିଳିବ ବୋଲି କୁହାଯାଇଛି। ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ନିଜର ପ୍ରଦର୍ଶନ କରି ସମସ୍ତଙ୍କୁ ଚକିତ କରିଥିଲା। ଦଳ ପଶ୍ଚିମବଙ୍ଗରେ ୧୮ଟି ଆସନରେ ବିଜୟୀ ହୋଇଥିଲା।

କିଏ ପାଇବ କେତେ ଆସନ?

ଟାଇମ୍ସ ନାଓ-ଇଟିଜି ରିସର୍ଚ୍ଚ ତା’ର ସଦ୍ୟତମ ସର୍ଭେରେ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସକୁ ଲୋକସଭା ନିର୍ବାଚନରେ ୨୦ରୁ ୨୪ ଆସନ ମିଳିବ ବୋଲି ପୂର୍ବାନୁମାନ କରିଛି। ସର୍ଭେରେ ବିଜେପିକୁ ୧୭ରୁ ୧୯ ଓ ସିପିଆଇଏମକୁ ୧ରୁ ୨ ଟି ଆସନ ମିଳିବ ବୋଲି ଆକଳନ କରାଯାଇଛି। ସେହିପରି କଂଗ୍ରେସକୁ ୧ରୁ ୨ଟି ଆସନ ମିଳିପାରେ। ଏଭଳି ପରିସ୍ଥିତିରେ ଏନଡିଏକୁ ମୋଟ ୧୭ରୁ ୧୯ ଟି ଆସନ ମିଳିବାର ସମ୍ଭାବନା ରହିଛି ଏବଂ ଇଣ୍ଡି ମେଣ୍ଟକୁ ୨୨ରୁ ୨୬ ଟି ଆସନ ମିଳିବାର ସମ୍ଭାବନା ରହିଛି।

୨୦୧୯ରେ କିଏ କେତେ ପ୍ରତିଶତ ଭୋଟ ପାଇଥିଲା?

୨୦୧୯ ଲୋକସଭା ନିର୍ବାଚନରେ ପଶ୍ଚିମବଙ୍ଗରେ ବିଜେପିକୁ ଏକ ଅପ୍ରତ୍ୟାଶିତ ସଫଳତା ମିଳିଥିଲା। ଦଳ ୨ଟି ଲୋକସଭା ଆସନରୁ ସିଧାସଳଖ ୧୮ଟିଆସନରେ ବିଜୟୀ ହୋଇଥିଲା। ଏହାର କ୍ଷତି ସହିଥିଲା ତୃଣମୂଳ କଂଗ୍ରେସ। ଟିଏମସି ୩୪ ଲୋକସଭା ଆସନରୁ ୨୨କୁ ଖସି ଆସିଛି। ଟାଇମ୍ସ ନାଓ ଇଟିଜି ରିସର୍ଚ୍ଚ ସର୍ଭେରେ ୨୦୧୯ ବେଳର ସ୍ଥିତି ଅପରିବର୍ତ୍ତିତ ରହିବ ବୋଲି ଆକଳନ କରାଯାଇଛି। ଗତ ନିର୍ବାଚନରେ ତୃଣମୂଳ କଂଗ୍ରେସକୁ ୪୩.୩ ପ୍ରତିଶତ ଭୋଟ୍ ମିଳିଥିବାବେଳେ ବିଜେପିକୁ ୪୦.୭ ପ୍ରତିଶତ ଭୋଟ୍ ମିଳିଥିଲା। ଲୋକସଭା ନିର୍ବାଚନରେ କଂଗ୍ରେସକୁ ୫.୬୭ ପ୍ରତିଶତ ଓ ସିପିଆଇଏମକୁ ୬.୩୩ ପ୍ରତିଶତ ଭୋଟ୍ ମିଳିଥିଲା।