Categories
ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ଉଦଯାପିତ ହେଲା ରାଜ୍ୟସ୍ତରୀୟ ଜନଜାତି କବି ସମ୍ମିଳନୀ

ଭୁବନେଶ୍ବର: ସ୍ବତନ୍ତ୍ର ଉନ୍ନୟନ ପରିଷଦ ମାଧ୍ୟମରେ ବର୍ତ୍ତମାନ ମୁଖ୍ୟସ୍ରୋତରେ ଜନଜାତି ସମ୍ପ୍ରଦାୟ ସାମିଲ ହୋଇପାରିଛନ୍ତି। ଜନଜାତି ଛାତ୍ରଛାତ୍ରୀ ମାନେ ବର୍ତ୍ତମାନ ଉଚ୍ଚଶିକ୍ଷିତ ହେଉଛନ୍ତି । ସବୁ କ୍ଷେତ୍ରରେ ସେମାନେ ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣି ଦେଉଛନ୍ତି ବୋଲି ମତ ପ୍ରକାଶ କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତଥା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡି।

ଜନଜାତୀୟ ଗୌରବ ଦିବସ ପାଳନ ଅବସରରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଗବେଷଣ ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ( ଏସସିଏସଟିଆରଟିଆଇ ) ରେ ଆୟୋଜିତ ହୋଇଥିବା ଦୁଇ ଦିନିଆ ଜନଜାତି କବି ସମ୍ମିଳନୀର ଉଦଯାପନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଉଦଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ମାର୍ଣ୍ଡି କହିଛନ୍ତି, ଗାଁ-ଗାଁରେ ଜନଜାତୀୟ ଗୌରବ ଦିବସ ପାଳନ ହେବା ଆବଶ୍ୟକ। ଏହାଦ୍ବାରା ପ୍ରତ୍ୟେକ ଗାଁରେ ଜନଜାତିଙ୍କ କାହାଣୀ ପହଞ୍ଚିବା ସହ ଆମ ଦେଶ ପାଇଁ ବଳିଦାନ ଦେଇଥିବା ଜନଜାତି ସଂଗ୍ରାମୀଙ୍କ ବିଷୟରେ ଜନସାଧାରଣ ଜାଣିବାକୁ ପାଇବେ।

ଉଦଯାପନୀ କାର୍ଯ୍ୟକ୍ରମରେ 23 ଜଣ ଜନଜାତି କବି କବିତା ପାଠ କରିଥିଲେ। ହୋ ସମ୍ପ୍ରଦାୟରୁ 5 ଜଣ, ମୁଣ୍ଡାରୀ ସମ୍ପ୍ରଦାୟରୁ 5 ଜଣ, ସାନ୍ତାଳୀ ସମ୍ପ୍ରଦାୟରୁ 6 ଜଣ, ଖଡିଆ ସମ୍ପ୍ରଦାୟରୁ 2 ଜଣ, କିସାନ ସମ୍ପ୍ରଦାୟରୁ 2 ଜଣ, ଭୂମିଜ ସମ୍ପ୍ରଦାୟରୁ ଜଣେ, ଓରାଓଁ ସମ୍ପ୍ରଦାୟରୁ ଜଣେ, ମୁଣ୍ଡା ସମ୍ପ୍ରଦାୟରୁ ଜଣେ କବି ଜନଜାତିଙ୍କ ଐତିହ୍ୟ, ସଂସ୍କୃତି, ଖାଦ୍ୟପେୟ. ବେଶଭୂଷା ସମ୍ପର୍କରେ କବିତା ପାଠ କରିଥିଲେ। ଉଦଯାପନୀ କାର୍ଯ୍ୟକ୍ରମରେ ଚୈତନ୍ୟ ପ୍ରସାଦ ମାଝୀଙ୍କ ସଂଯୋଜନାରେ ପ୍ରକାଶ ପାଇଥିବା ସାନ୍ତାଳୀ ଅଭିଧାନକୁ ମୁଖ୍ଯ ଅତିଥି ଶ୍ରୀ ସୁଦାମ ମାର୍ଣ୍ଡିଙ୍କୁ ପ୍ରଦାନ କରାଯିବା ସହ ଜନଜାତି ଚିତ୍ରଶିଳ୍ପୀଙ୍କ ଦ୍ବାରା ଅଙ୍କିତ ଫଟୋଚିତ୍ର ଦେଇ ସମ୍ମାନିତ କରାଯାଇଛି।

କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବିଭାଗର ଶାସନ ସଚିବ ଶ୍ରୀମତୀ ରୂପା ରୋଶନ ସାହୁ ଯୋଗ ଦେଇ ବିଭାଗର କାର୍ଯ୍ୟକାରିତା ସମ୍ପର୍କରେ ସୂଚନା ଦେଇଥିଲେ । ସେ କହିଛନ୍ତି, ଜନଜାତି ସମ୍ପ୍ରଦାୟରୁ ଅଧିକ ଲୋକେ ମୁଖ୍ୟସ୍ରୋତରେ ସାମିଲ ହୋଇ ପାରିଛନ୍ତି। ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ହାଇସ୍କୁଲ ଗୁଡିକରେ 100 ଟି ଜନଜାତି ଭାଷା ଲ୍ୟାବ୍ ନିର୍ମାଣ କରାଯିବା ନେଇ ପ୍ରସ୍ତାବ ଦିଆଯାଇଛି। ସ୍ବତନ୍ତ୍ର ଉନ୍ନୟନ ପରିଷଦ ମାଧ୍ୟମରେ କେବଳ ଭିତ୍ତିପ୍ରସ୍ତର ନୁହେଁ ବରଂ ଜ୍ଞାନ ବୃଦ୍ଧି ନେଇ ମଧ୍ୟ ବ୍ୟବସ୍ଥା କରାଯାଉଛି। ବର୍ତ୍ତମାନ ଆଦିବାସୀ ଜୀବନଶୈଳୀରେ ଆସିଥିବା ପରିବର୍ତ୍ତନକୁ ଦର୍ଶାଇ 3 ଗୋଟି ଫଟୋ ବୁକ୍ ପ୍ରସ୍ତୁତ କରାଯିବ। ଜନଜାତି ସଂସ୍କୃତି ପ୍ରଗତି ହିଁ ବିଭାଗର ମୂଳ ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି।

କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଓଡିଶା ଭାଷା ବିଭାଗର ପୂର୍ବତନ ପ୍ରଫେସର ଡ଼ ପ୍ରମୋଦ କୁମାର ପରିଡା ଯୋଗ ଦେଇ ସାହିତ୍ୟ ଓ କବିତା ବିଷୟରେ ବର୍ଣ୍ଣନା କରି ସେ କହିଛନ୍ତି, କବିତା ବାସ୍ତବିକତାକୁ ବର୍ଣ୍ଣନା କରେ। ଅତୀତର କଥାବସ୍ତୁକୁ ନେଇ କବିତା ରଚନା କରାଯାଏ । ଜଡଧର୍ମ, ଜୀବଧର୍ମ, ଦେବଧର୍ମକୁ କବିତାର ଜନ୍ମ। ବିଭାଗର ଅର୍ଥ ପରାମର୍ଶଦାତା ତଥା ସ୍ବତନ୍ତ୍ର ସଚିବ ଶ୍ରୀ ବିଜୟ ବସନ୍ତ ଖାଲକୋ ଯୋଗ ଦେଇ ଜନଜାତି ଭାଷା ସଂରକ୍ଷଣକୁ ଗୁରୁତ୍ବ ଦେଇଥିଲେ।

ଉଦଯାପନୀ କାର୍ଯ୍ୟକ୍ରମରେ ଏସସିଏସଟିଆରଟିଆଇର ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣୀ ତ୍ରିପାଠୀ ସ୍ବାଗତ ଅଭିଭାଷଣ ଦେଇଥିବା ବେଳେ ସଂଯୋଜନା କରିଛନ୍ତି ସ୍ବତନ୍ତ୍ର ଅଧିକାରୀ ଶ୍ରୀ ସମରେନ୍ଦ୍ର ଭୂତିଆ ଓ ଧନ୍ୟବାଦ ଅର୍ପଣ କରିଛନ୍ତି ସହକାରୀ ନିର୍ଦ୍ଦେଶିକା ମଧୁସ୍ମିତା ସାହୁ।

Categories
ଆଜିର ଖବର ରାଜ୍ୟ ଖବର

ମହାନ୍‌ ବିପ୍ଳବୀ ଶହୀଦ ବିର୍ସା ମୁଣ୍ଡାଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ

ଭୁବନେଶ୍ବର: ଭାରତରେ ମୁକ୍ତି ସଂଗ୍ରାମରେ ମହାନ୍‌ ବିପ୍ଳବୀ ଶହୀଦ ବିର୍ସା ମୁଣ୍ଡାଙ୍କ ଅବଦାନ ଅନବଦ୍ୟ ଓ ଅବିସ୍ମରଣୀୟ। ଭାରତର ଚିରସ୍ମରଣୀୟ ସ୍ୱାଧୀନତା ସଂଗ୍ରାମୀମାନଙ୍କ ମଧ୍ୟରୁ ଶହୀଦ ବିର୍ସା ମୁଣ୍ଡା ଅନ୍ୟତମ। ଇଂରେଜ ଶାସନ, କୁସଂସ୍କାର, ଅନ୍ଧବିଶ୍ୱାସ ଓ କ୍ରୀତଦାସ ପ୍ରଥା ବିରୁଦ୍ଧରେ ଜଣେ ଯୋଦ୍ଧା ଭାବେ ଅଦମ୍ୟ ସାହସ ଓ ପ୍ରଶଂସନୀୟ ଉତ୍ସାହର ମୂର୍ତ୍ତିମନ୍ତ ପ୍ରତୀକ ହେଉଛନ୍ତି ବିର୍ସାମୁଣ୍ଡା।

ଜନଜାତି ସଂପ୍ରଦାୟ ତାଙ୍କୁ ଧରତୀଆବା ବା ବିର୍ସା ଭଗବାନ ଆଖ୍ୟା ଦେଇ ସମ୍ମାନ କରି ଆସିଛନ୍ତି ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ସ୍ଥାନୀୟ ଜୟଦେବ ଭବନଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ମହାନ୍‌ ବିପ୍ଳବୀ ଶହୀଦ ବିର୍ସା ମୁଣ୍ଡା ଜୟନ୍ତୀ ଅବସରରେ ପୌରୋହିତ୍ୟ କରି  ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପଞ୍ଚାୟତିରାଜ ଓ ପାନୀୟଜଳ, ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ଶ୍ରୀ ପ୍ରଦୀପ କୁମାର ଅମାତ ପ୍ରକାଶ କରିଛନ୍ତି।

ରାଜ୍ୟସ୍ତରୀୟ ଜୟନ୍ତୀ କାର୍ଯ୍ୟକ୍ରମରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ, ଆଇନ ମନ୍ତ୍ରୀ ଶ୍ରୀଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭାରତର ମୁକ୍ତି ସଂଗ୍ରାମରେ ବିପ୍ଳବୀ ବିର୍ସାମୁଣ୍ଡା ଓ ଜନଜାତିଙ୍କ ଅବଦାନ ଅତୁଳନୀୟ। ଆଜିର ପିଢ଼ି ବିର୍ସାଙ୍କ ସ୍ୱାଧୀନଚେତା, ନିର୍ଭୀକତା, ସ୍ୱାଭିମାନ ଓ ନିଜ ପରିଚିତିକୁ ନେଇ ଗର୍ବ କରିବାର ସୁଗୁଣଗୁଡ଼ିକୁ ଅନୁକରଣ କରି ନିଜ ଜୀବନରେ ଲଗାଇ ପାରିଲେ ସମାଜର ସର୍ବାଙ୍ଗୀନ ଉନ୍ନତି ହୋଇପାରିବ ବୋଲି କହିଥିଲେ।

ଉତ୍ସବରେ ବିଦ୍ୟାଳୟ ଗଣଶିକ୍ଷା, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡି ଅନ୍ୟତମ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇ କହିଥିଲେ ବିପ୍ଳବୀ ବିର୍ସା ମୁଣ୍ଡା ମାତ୍ର ୨୫ ବର୍ଷ ବୟସରେ ଶହୀଦ ହୋଇଥିଲେ। ସେ ହେଉଛନ୍ତି ଜଣେ ମହାନ୍‌ ସ୍ୱାଧୀନତା ସଂଗ୍ରାମୀ।ବିର୍ସା ଆଜି ପ୍ରତ୍ୟେକ ଜନଜାତିଙ୍କ ହୃଦୟରେଏକ ସ୍ୱତନ୍ତ୍ର ଓ ସମ୍ମାନସ୍ପଦ ସ୍ଥାନ ଅଧିକାର କରିଛନ୍ତି।

ମୁଖ୍ୟବକ୍ତା ଭାବେ ବିଶିଷ୍ଟଶିକ୍ଷାବିତ୍‌ ଏବଂ ଗବେଷକ ଡଃ ସେମା ଚାନ୍ଦ ଯୋଗ ଦେଇ ଭାରତର ଚିରସ୍ମରଣୀୟ ସ୍ୱାଧୀନତା ସଂଗ୍ରାମୀମାନଙ୍କ ମଧ୍ୟରୁ ଶହୀଦ ବିର୍ସାମୁଣ୍ଡା ଅନ୍ୟତମ ବୋଲି ମତ ପ୍ରକାଶ କରିବା ସଙ୍ଗେ ସଙ୍ଗେ ବିର୍ସାଙ୍କର ଜୀବନାଦର୍ଶ ସମ୍ପର୍କରେ ବିସ୍ତୃତ ଆଲୋକପାତ କରିଥିଲେ।

ସୂଚନା ଓ ଲୋକସମ୍ପର୍କ ବିଭାଗନିର୍ଦ୍ଦେଶକ(ବୈଷୟିକ) ଶ୍ରୀ ସୁରେନ୍ଦ୍ର ନାଥ ପରିଡ଼ା ସ୍ୱାଗତ ଭାଷଣ ଦେଇ କହିଥିଲେ ଭାରତ ସରକାର ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ “ଜନଜାତୀୟ ଗୌରବ ଦିବସ’’ ଭାବେ ପାଳନ କରୁଛନ୍ତି। ଆଜି ତାଙ୍କର ଜନ୍ମବାର୍ଷିକୀ ଅବସରରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତାଙ୍କୁ ସମ୍ମାନର ସହ ସ୍ମରଣ କରି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି।

ସୂଚନା ଓ ଲୋକସମ୍ପର୍କ ବିଭାଗ ସହକାରୀ ନିର୍ଦ୍ଦେଶକ(କ୍ଷେତ୍ର) ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀ ଧନ୍ୟବାଦ ଅର୍ପଣ କରିଥିଲେ। ଲୋକସଂପର୍କ ଅଧିକାରୀ ସୁଶ୍ରୀ ରୋଜାଲିନ୍‌ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ବିର୍ସାମୁଣ୍ଡା ଜୟନ୍ତୀ ପାଳନ ଅବସରରେ ସକାଳେ ଜାଭିଅର ମାର୍ଗସ୍ଥିତ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ମନ୍ତ୍ରୀ ସୁଦାମମାର୍ଣ୍ଡି, ଜଗନ୍ନାଥ ସାରକା, ସାଂସଦ ଅମର ପଟ୍ଟନାୟକ, ବିଧାୟକ ସୁଶାନ୍ତ ରାଉତ, ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କଅଁର, ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ ଡଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ଉତ୍କଳ ପ୍ରସଙ୍ଗ ଓ ଓଡିଶାରିଭ୍ୟୁ ସମ୍ପାଦିକା କସ୍ତୁରୀ ମହାପାତ୍ର, ସୂଚନା ଓ ଲୋକସମ୍ପର୍କ ବିଭାଗ ବୈଷୟିକ ନିର୍ଦ୍ଦେଶକଶ୍ ରୀସୁରେନ୍ଦ୍ରନାଥ ପରିଡା ଓ ବିଭିନ୍ନ ସଂଗଠନର କର୍ମକର୍ତ୍ତା ପ୍ରମୁଖ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲୋ

 

Categories
ଆଜିର ଖବର ରାଜ୍ୟ ଖବର

ଏମପିସି ସ୍ୱୟଂଶାସିତ ମହାବିଦ୍ୟାଳୟକୁ ଜମି ପଟ୍ଟା ପ୍ରଦାନ କଲେ ମନ୍ତ୍ରୀ ସୁଦାମ ମାର୍ଣ୍ଡି

ବାରିପଦା: ମୟୂରଭଞ୍ଜ ଜିଲ୍ଲାପାଳ ଶ୍ରୀ ବିନୀତ ଭରଦ୍ୱାଜଙ୍କ ଅଧ୍ୟକ୍ଷତାରେ ଏମପିସି ସ୍ୱୟଂଶାସିତ ମହାବିଦ୍ୟାଳୟର ଜମି ପଟ୍ଟା ବଣ୍ଟନ ସମ୍ଭନ୍ଧୀୟ ଏକ କାର୍ଯ୍ୟକ୍ରମ ଜିଲ୍ଲାପାଳଙ୍କ ଅଫିସରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ରାଜସ୍ୱ ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡି ଯୋଗଦେଇ ପ୍ରଥମେ ସମସ୍ତଙ୍କୁ ଶାରଦୀୟ ଅଭିନନ୍ଦନ ଜଣାଇ ଥିଲେ।

ଏହାପରେ ମନ୍ତ୍ରୀ କିଛି ମୁଖ୍ୟ ବିଷୟ ଉପରେ ସମୀକ୍ଷା କରିଥିଲେ। ଏଥି ମଧ୍ୟରୁ ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ଦ୍ୱାରା ବେନିୟମ ଭାବେ ସରକାରୀ ଜମି ଦଖଲକାରୀଙ୍କୁ ଚିହ୍ନଟ କରି ଉକ୍ତ ଜମିଗୁଡିକ କିପରି ପୁଣି ସରକାରଙ୍କ ନିକଟକୁ ଫେରାଇ ଅଣାଯାଇପାରିବ ସେ ସମ୍ଭନ୍ଧରେ ପଦକ୍ଷେପ ଗ୍ରହଣ, ଜିଲ୍ଲାରେ ବନ୍ୟା ବାତ୍ୟା ଆଶ୍ରୟସ୍ଥଳୀର ସ୍ଥିତି ଓ ନୂତନ ଆଶ୍ରୟସ୍ଥଳୀ ନିର୍ମାଣ ନେଇ ପ୍ରସ୍ତାବ, ସରକାରୀ ଚାକିରିରେ କାର୍ଯ୍ୟରତ ଥିବା ସମୟରେ ମୃତୁ୍ୟ ବରଣ କରିଥିବା କର୍ମଚାରୀଙ୍କ ପରିବାର ବର୍ଗ ଜଣେ ସଦସ୍ୟଙ୍କୁ ପୁନଃଥଇଥାନ ଯୋଜନାରେ ଚାକିରି ପ୍ରଦାନ ଓ ଲଘୁ ଖଣିଜାତ ଦ୍ରବ୍ୟ ଯଥା ବାଲି, ମୋରମ ଇତ୍ୟାଦିର ସ୍ଥିତି ଉପରେ ସମୀକ୍ଷା କରି ମାନ୍ୟବର ମନ୍ତ୍ରୀ ଏହା ଉପରେ ଯଥାଯଥ ପଦକ୍ଷେପ ନେବା ପାଇଁ ପରାମର୍ଶ
ଦେଇଥିଲେ।

ଏହା ପରେ ମନ୍ତ୍ରୀ ଜିଲ୍ଲାପାଳଙ୍କ ସହିତ ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ମୁକ୍ତିକାନ୍ତ ପଣ୍ଡାଙ୍କୁ କଲେଜ ନାମରେ ରେକର୍ଡ ହୋଇଥିବା ୫୩.୫୯୫ ଏକର ପରିମାଣର ଜମି ପଟ୍ଟା ପ୍ରଦାନ କରିଥିଲେ। ଏହି ଅବସରରେ ମନ୍ତ୍ରୀ ତାଙ୍କ ବକ୍ତବ୍ୟ ରଖି କହିଥିଲେ ଯେ ଆଜି ଆମ ପାଇଁ ଏକ ଆନନ୍ଦର ଦିବସ।

କାରଣ ଜିଲ୍ଲାର ସର୍ବପୁରାତନ ଏମ୍‌.ପି.ସି କଲେଜ ଏହାର ୭୫ ବର୍ଷ ପୂର୍ତ୍ତି ପାଳନ କରିବାକୁ ଯାଉଥିବା ଅ୍ୟବହିତ ପୂର୍ବରୁ ଏହି ପଟ୍ଟା ପ୍ରଦାନ କରାଗଲା ଏବଂ ଏହି ଜମି ପଟ୍ଟା ପ୍ରଦାନ ପ୍ରକ୍ରିୟା ଆରମ୍ଭ ମାତ୍ର ଭବିଷ୍ୟତରେ ଏହି ପ୍ରକ୍ରିୟା ଜାରିରଖା ଯାଇ କଲେଜକୁ କିପରି ଆଉ ଅଧିକ ଜମି ହସ୍ତାନ୍ତର କରାଯିବ ପଦକ୍ଷେପ ନିଆଯିବ।

ଏହି ଜମି ପଟ୍ଟା ବଣ୍ଟନ କାର୍ଯ୍ୟକୁ କଲେଜ ଅଧ୍ୟକ୍ଷ, ଏମ୍‌.ପି.ସି କଲେଜର ପ୍ରେସିଡେଣ୍ଟ ଡ଼. ବିଜୟ ଅଗ୍ରୱାଲଙ୍କ ସମେତ କଲେଜର ଅଧ୍ୟାପକ ଅଧ୍ୟାପିକା ତଥା ଉପସ୍ଥିତ ସମସ୍ତେ ସ୍ୱାଗତ କରିଥିଲେ। ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ ) ଶ୍ରୀ ନେତ୍ରାନନ୍ଦ ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ଅକ୍ଷୟ ସୁନୀଲ ଅଗ୍ରୱାଲ, ଅତିରିକ୍ତ ଜିଲ୍ଲାପାଳ, ରାଇରଙ୍ଗପୁର ଶ୍ରୀ ଦୌଲତ ଚନ୍ଦ୍ରକାର ଯୋଗ ଦେଇଥିବାବେଳେ ବାରିପଦା ଉପଜିଲ୍ଲାପାଳ ଶ୍ରୀ  ଈଶ୍ୱର ଚନ୍ଦ୍ର ନାଏକ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କୁ ଦିଆଗଲା ରାଜସ୍ବ ବିଭାଗ ଦାୟିତ୍ବ

ଭୁବନେଶ୍ବର: ଉଚ୍ଚ ଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ସେ ଉଚ୍ଚ ଶିକ୍ଷା ବିଭାଗ ସହିତ ରାଜସ୍ବ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇବେ। ଏହି ମନ୍ତ୍ରୀ ଦାୟିତ୍ବରେ ଥିବା ପ୍ରମିଳା ମଲ୍ଲିକ ଆଜି ସକାଳେ ଇସ୍ତଫା ଦେଇ ବାଚସ୍ପତି ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ଏ ନେଇ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ତରଫରୁ ସୂଚନା ଦେବା ସହିତ ରାଜ୍ୟପାଳଙ୍କ ଅନୁମୋଦନ ପାଇଁ ପଠାଇଛି। ପୂର୍ବରୁ ସୁଦାମ ମାର୍ଣ୍ଡି ଏହି ବିଭାଗର ଦାୟିତ୍ବରେ ଥିଲେ। ଜୁନ ଚାରି ତାରିଖରେ ନବୀନ ମନ୍ତ୍ରୀ ମଣ୍ଡଳ ଅଦଳ ବଦଳ କରି ତାଙ୍କୁ ମନ୍ତ୍ରୀରେ ସାମିଲି କରିଥିଲେ। ରୋହିତ ପୂଜାରୀଙ୍କୁ ମନ୍ତ୍ରୀ ପଦରୁ ବହିସ୍କାର ପରେ ସୁଦାମ ଉଚ୍ଚ ଶିକ୍ଷା ମନ୍ତ୍ରୀ ହୋଇଥିଲେ।

ସେତେବେଳେ ନବୀନ ତିନିଜଣଙ୍କୁ ନୂଆ ମନ୍ତ୍ରୀ ଭାବେ ସାମିଲି କରାଇଥିଲେ। ସେମାନେ ହେଲେ ସୁଦାମ ମାର୍ଣ୍ଡି, ସାରଦା ନାୟକ ଏବଂ ବିକ୍ରମ କେଶରୀ ଅରୁଖ। ବିକ୍ରମ କେଶରୀ ବାଚସ୍ପତି ପଦରୁ ଇସ୍ତଫା ଦେଇ ମନ୍ତ୍ରୀ ହୋଇଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ନବନିଯୁକ୍ତ ଓଡିଶା ଶିକ୍ଷାସେବା ଅଧିକାରୀଙ୍କ ପ୍ରଶିକ୍ଷଣ ଆରମ୍ଭ

ଭୁବନେଶ୍ବର: ଶିକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ନବନିଯୁକ୍ତ ଓଡିଶା ଶିକ୍ଷା ସେବା(ଓଇଏସ୍‌) ଅଧିକାରୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ନିଯୁକ୍ତି ପାଇଥିବା ୧୬୦ ଜଣ ଓଡିଶା ଶିକ୍ଷା ସେବା ଅଧିକାରୀଙ୍କୁ ଦୁଇଟି ପର୍ଯ୍ୟାୟରେ ତାଲିମ ଦିଆଯିବାର ବ୍ୟବସ୍ଥା କରାଯାଇଛି।

ଭୁବନେଶ୍ୱରସ୍ଥିତ ମଧୁସୂଦନ ଦାସ ରିଜିଓନାଲ ଏକାଡେମି ଅଫ୍‌ ଫାଇନାନ୍ସିଆଲ୍‌ ମ୍ୟାନେଜମେଣ୍ଟ୍‌ଠାରେ ଆରମ୍ଭ ହୋଇଥିବା ଏହି ତାଲିମ କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ୮୦ଜଣ ନବନିଯୁକ୍ତ ଅଧିକାରୀ ପ୍ରଶିକ୍ଷଣ ନେଉଛନ୍ତି। ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓସେପା) ଦ୍ୱାରା ଆୟୋଜିତ ଏହି ୧୬ ଦିନିଆ କାର୍ଯ୍ୟକ୍ରମ ସୋମବାରଠାରୁ ଆରମ୍ଭ ହୋଇ ଆସନ୍ତା ଅଗଷ୍ଟ ୮ତାରିଖ ପର୍ଯ୍ୟନ୍ତ ଚାଲିବ। ଦ୍ୱିତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ ଆସନ୍ତା ଅଗଷ୍ଟ ୧୪ରୁ ୨୯ତାରିଖ ପର୍ଯ୍ୟନ୍ତ ଚାଲିବ।

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସୁଦାମ ମାର୍ଣ୍ଡି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବା ସହ ନବନିଯୁକ୍ତ ଅଧିକାରୀମାନଙ୍କୁ ଶିକ୍ଷାର ବିକାଶ ପାଇଁ ଉତ୍ସର୍ଗୀକୃତ ହୋଇ କାମ କରିବାକୁ ପରାମର୍ଶ ଦେଇଥିଲେ। ସେ କହିଥିଲେ, ଶିକ୍ଷକ ହିଁ ବ୍ୟକ୍ତିକୁ ତାହାର ବ୍ୟକ୍ତିତ୍ୱ ସହ ପରିଚିତ କରାଇଥାଏ। ପ୍ରତ୍ୟେକଙ୍କ ଜୀବନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ।

ଶିକ୍ଷା କ୍ଷେତ୍ରର ପ୍ରଶାସନିକ ଯୋଗାଯୋଗକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ଦିଗରେ ଶ୍ରୀ ମାର୍ଣ୍ଡି ଗୁରୁତ୍ୱ ଦେଇଥିଲେ। ଶିକ୍ଷା ଭଳି ଏକ ମହତ୍ତ୍ୱପୂର୍ଣ୍ଣ ଓ ଦାୟିତ୍ୱସମ୍ପନ୍ନ ବିଭାଗ ନବ ନିଯୁକ୍ତ ଅଧିକାରୀମାନଙ୍କ ନୂତନ ଚିନ୍ତାଧାରା ସହ ଆଗକୁ ବଢ଼ିବ ବୋଲି ସେ ଆଶାବ୍ୟକ୍ତ କରିଥିଲେ।

ବିଭାଗୀୟ ସଚିବ ଶ୍ରୀମତୀ ଅଶ୍ୱଥୀ ଏସ୍‌ ନବନିଯୁକ୍ତ ଅଧିକାରୀମାନଙ୍କୁ ବିଭାଗ ତରଫରୁ ସ୍ୱାଗତ ଜଣାଇଥିଲେ। ଶିକ୍ଷା ବ୍ୟବସ୍ଥାକୁ ଉଚ୍ଚ ସ୍ତରରେ ପହଞ୍ଚାଇବା ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ସେ କହିଥିଲେ। ୨୦୨୩-୨୪ ଶିକ୍ଷାବର୍ଷ ନୂତନ ଅଧିକାରୀମାନଙ୍କ ସହଯୋଗ ଓ ନୂତନ ଦୃଷ୍ଟିକୋଣ ମାଧ୍ୟମରେ ସଫଳତାର ଶୀର୍ଷ ଛୁଇଁବ ବୋଲି ସେ ଆଶା କରିଛନ୍ତି।

ଓସେପାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଅନୁପମ ସାହା ସ୍ୱାଗତ ଭାଷଣରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ସବିଶେଷ ତଥ୍ୟ ପ୍ରଦାନ କରିଥିଲେ। ଓଡିଶା ଆଦର୍ଶ ବିଦ୍ୟାଳୟର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀମତୀ ଜାମିନୀ ଷଡ଼ଙ୍ଗୀ ସେମାନଙ୍କୁ ଭବିଷ୍ୟତ ବୃତ୍ତିଗତ ଜୀବନର ବାଧାବିଘ୍ନକୁ ସାହସର ସହ ସାମ୍ନା କରିବାକୁ ଉପଦେଶ ଦେଇଥିଲେ। କାର୍ଯ୍ୟକ୍ରମରେ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

ପ୍ରଶିକ୍ଷାର୍ଥୀମାନଙ୍କୁ ୧୬ଦିନ ମଧ୍ୟରେ ଶିକ୍ଷା ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ସୂଚନା ଦିଆଯିବ। ଜିଲ୍ଲା, ବ୍ଲକ୍‌ ସ୍ତରରେ କ୍ଷେତ୍ର ଅଧ୍ୟୟନ ମାଧ୍ୟମରେ ଶିକ୍ଷା ପ୍ରଶାସନର କାର୍ଯ୍ୟପ୍ରଣାଳୀ ଉପରେ ସବିଶେଷ ପ୍ରଶିକ୍ଷଣ ଦିଆଯିବ। ନୂତନ ଭାବେ ପ୍ରଣୟନ କରାଯାଇଥିବା ହାଉସ ସିଷ୍ଟମ, ସ୍କୁଲ କ୍ଲବ୍‌, ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର- ବିଷୟରେ ସ୍ୱତନ୍ତ୍ର ଭାବେ ତାଲିମ ଦିଆଯିବ।

Categories
ବିଶେଷ ଖବର ରାଜ୍ୟ ଖବର

ରାଜ୍ୟରେ ଶିକ୍ଷାର ବିକାଶ ଆଣିବା ପାଇଁ ଜାତୀୟସ୍ତରୀୟ ସଂସ୍ଥା ସହ ଦୁଇଟି ଚୁକ୍ତିନାମା ସ୍ୱାକ୍ଷରିତ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଶିକ୍ଷା ଭିତ୍ତିଭୂମିର ଉନ୍ନତି ପାଇଁ ରାଜ୍ୟ ସରକାର ୫-‘ଟି’ ହାଇସ୍କୁଲ ରୂପାନ୍ତରୀକରଣ କାର୍ଯ୍ୟକ୍ରମକୁ ସଫଳ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ବିଦ୍ୟାଳୟଗୁଡ଼ିକର ଶୈକ୍ଷିକ ପରିବେଶରେ ଉନ୍ନତି ଆଣିବା ନିମନ୍ତେ ଆକାଂକ୍ଷୀ କାର୍ଯ୍ୟକ୍ରମ ମାଧ୍ୟମରେ ହାଉସ୍‌ ସିଷ୍ଟମ୍‌ ଏବଂ ସ୍କୁଲ କ୍ଲବ୍‌ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡି ମତବ୍ୟକ୍ତ କରିଛନ୍ତି।

ଏହାକୁ ଆଉ ପାଦେ ଆଗକୁ ନେଇ ଆଜି ଦୁଇଟି ଜାତୀୟ ସ୍ତରୀୟ ସଂସ୍ଥା ସହ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ରୂପାନ୍ତରିତ ବିଦ୍ୟାଳୟରେ ଅସ୍ପିରେସନାଲ୍‌ କରିକୁଲମ୍‌ ଆରମ୍ଭ କରିବାକୁ ଆଜି ‘ମୋ ସ୍କୁଲ ଅଭିଯାନ’ ଏବଂ ଶିକ୍ଷାକ୍ଷେତ୍ରରେ ଜାତୀୟ ସ୍ତରରେ କାର୍ଯ୍ୟ କରୁଥିବା ‘ମ୍ୟାଜିକ୍‌ ବସ୍‌ ଫାଉଣ୍ଡେସନ୍‌’ ମଧ୍ୟରେ ଯେଉଁ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି ତାହା ଆମ ପିଲାମାନଙ୍କର ସର୍ବାଙ୍ଗୀନ ବିକାଶରେ ସହାୟକ ହେବ ଏବଂ ସେମାନଙ୍କ ଦକ୍ଷତା ବୃଦ୍ଧିରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ପାଠପଢ଼ା ସହ ସେମାନେ ଖେଳକୁଦରେ ନିଜକୁ ଦକ୍ଷ ଭାବରେ ଗଢ଼ିତୋଳି ପାରିବେ ବୋଲି ମନ୍ତ୍ରୀ ଶ୍ରୀ ମାର୍ଣ୍ଡି ପ୍ରକାଶ କରିଛନ୍ତି।

‘ଓଡ଼ିଶା ଆଦର୍ଶ ବିଦ୍ୟାଳୟ’ ଛାତ୍ରଛାତ୍ରୀଙ୍କ ପାଇଁ ଗଣିତ ଶିକ୍ଷାକୁ ଅଧିକ ସହଜ କରିବାକୁ ଆଜି ‘ଓଡ଼ିଶା ଆଦର୍ଶ ବିଦ୍ୟାଳୟ’ ଏବଂ ଜାତୀୟ ସ୍ତରୀୟ ଖ୍ୟାତନାମା ସଂସ୍ଥା ‘ଖାନ୍‌ ଏକାଡେମୀ’ ମଧ୍ୟରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଏହା ମାଧ୍ୟମରେ ଓଡ଼ିଶାର ୩୧୫ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ‘ଖାନ୍‌ ଏକାଡେମୀ’ ଉପାଦେୟ ଶିକ୍ଷଣ ଉପକରଣ ଯୋଗାଇଦେବ। ଏହା ସହ ଗଣିତ ଶିକ୍ଷକମାନଙ୍କୁ ମଧ୍ୟ ସ୍ୱତନ୍ତ୍ର ଭାବରେ ପ୍ରଶିକ୍ଷଣ ପ୍ରଦାନ କରାଯିବ। ଓଡ଼ିଶା ଶିକ୍ଷାକ୍ଷେତ୍ରରେ ଗ୍ରହଣ କରିଥିବା ଏକାଧିକ ବିକାଶମୂଳକ ପଦକ୍ଷେପକୁ ସଫଳ କରିବାରେ ଏହି ଦୁଇ ଚୁକ୍ତିନାମା ବିଶେଷ ଭାବରେ ସହାୟକ ହେବ।

ଏହି ଚୁକ୍ତିନାମା ସ୍ୱାକ୍ଷର କାର୍ଯ୍ୟକ୍ରମରେ ବିଭାଗୀୟ କମିଶନର ତଥା ଶାସନ ସଚିବ ଶ୍ରୀମତୀ ଅଶ୍ୱଥୀ ଏସ୍‌, ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ (ଓସେପା) ତଥା ‘ମୋ ସ୍କୁଲ ଅଭିଯାନ’ ପରିଚାଳନା ସଂଗଠନର ସଦସ୍ୟ ସଚିବ ଶ୍ରୀ ଅନୁପମ ସାହା, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଦୁର୍ଗାପ୍ରସାଦ ମହାପାତ୍ର, ‘ମୋ ସ୍କୁଲ’ର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅମରଜିତ ଜେନା, ମ୍ୟାଜିକ୍‌ବସ୍‌ ଫାଉଣ୍ଡେସନ୍‌ର ଶ୍ରୀ ଅଜୟ ରାସ୍ତୋଗୀ, ‘ଖାନ୍‌ ଏକାଡେମୀ’ର ପ୍ରତିନିଧି ଶୁଭ୍ରା ମିତଲ ପ୍ରମୁଖ ଉପସ୍ଥିତ ଥିଲେ।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଆଇଟିଇ ଏଜୁକେସନ୍‌ ସର୍ଭିସେସ୍‌, ସିଙ୍ଗାପୁର
ମଧ୍ୟରେ ସ୍ୱାକ୍ଷରିତ ଚୁକ୍ତିନାମା

ଗତ ଜୁନ୍‌ ୫ ତାରିଖ ଦିନ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଆଇଟିଇ ଏଜୁକେସନ୍‌ ସର୍ଭିସେସ୍‌, ସିଙ୍ଗାପୁର ମଧ୍ୟରେ ବୈଷୟିକ ଓ ଧନ୍ଦାମୂଳକ ଶିକ୍ଷା ଓ ପ୍ରଶିକ୍ଷଣ କ୍ଷେତ୍ରରେ ସହଯୋଗିତା ନିମନ୍ତେ ସିଙ୍ଗାପୁରଠାରେ ପ୍ରବାସୀ ଓଡ଼ିଶା ଦିବସ ପାଳନ ଅବସରରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଏହା ଦ୍ୱାରା ଛାତ୍ରଛାତ୍ରୀ ଏବଂ ପ୍ରଶିକ୍ଷକମାନଙ୍କ ମଧ୍ୟରେ ଭାବବିନିମୟ ହୋଇପାରିବ। ବୈଷୟିକ ଶିକ୍ଷା ଏବଂ ଧନ୍ଦାମୂଳକ ଶିକ୍ଷାର ଭିତ୍ତିଭୂମି ସୁଦୃଢ଼ ହୋଇପାରିବ। ଛାତ୍ରଛାତ୍ରୀମାନଙ୍କର ଦକ୍ଷତା ବିକାଶ ହୋଇପାରିବ।

ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ (ଓସେପା) ଶ୍ରୀ ଅନୁପମ ଶାହା, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ଦୁର୍ଗାପ୍ରସାଦ ମହାପାତ୍ର ଏବଂ ଆଇଟିଇ ଏଜୁକେସନ୍‌ ସର୍ଭିସେସ୍‌ ତରଫରୁ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବ୍ରୁସ୍‌ ପୋ ଜିଓକ୍‌ ହୁଆଟ୍‌ ଏବଂ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଲିମ୍‌ ବୁନ୍‌ ତିଓଙ୍ଗ୍‌ ଉପସ୍ଥିତ ଥିଲେ ଏବଂ ଚୁକ୍ତିନାମାରେ ସ୍ୱାକ୍ଷର କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ତିନି ମନ୍ତ୍ରୀଙ୍କୁ ଶପଥ କରାଇଲେ ରାଜ୍ୟପାଳ ପ୍ରଫେସର ଗଣେଷୀଲାଲ

ଭୁବନେଶ୍ବର: ଏକ ବର୍ଣ୍ଣାଢ୍ୟ ଉତ୍ସବରେ ଆଜି ତିନି ନୂଆମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି। ସେମାନେ ହେଲେ ବିକ୍ରମ କେଶରୀ ଆରୁଖ, ସୁଦାମ ମାରାଣ୍ଡି ଏବଂ ସାରଦା ନାୟକ। ସେମାନଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଷୀଲାଲ ଶପଥପାଠ କରାଇଛନ୍ତି। ଲୋକସଭା ଭବନରେ ଥିବା କନଭେନସନ ହଲରେ ତାଙ୍କୁ ଶପଥ କରାଯାଇଛି।

ଏହି ଶପଥ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ମନ୍ତ୍ରୀ ମଣ୍ଡଳର ସମସ୍ତ ସଦସ୍ୟ ଏବଂ ବିଧାୟକଗଣ ଉପସ୍ଥିତ ଥିଲେ। ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ପ୍ରେକ୍ଷାଳୟକୁ ସମସ୍ତ ଅତିଥୀ ପହଞ୍ଚିସାରିଥିଲେ। ଏହାପରେ ରାଜ୍ୟପାଳ ଆସିବା ପରେ ଶପଥପାଠ ଆରମ୍ଭ କରାଯାଇଥିଲା। ଆଉ କିଛି ସମୟ ପରେ ସେମାନଙ୍କୁ ଦାୟିତ୍ବ ବଣ୍ଟନ କରାଯିବ। ସମସ୍ତେ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ସ୍ମାର୍ଟ ହେଲ୍‌ଥ କାର୍ଡ ଯୋଜନାରେ କେନ୍ଦୁଝର ଜିଲ୍ଲା, ୪ ଲକ୍ଷ ୨୦ ହଜାର ପରିବାର ହେବେ ଉପକୃତ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କେନ୍ଦୁଝର ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଜିଲ୍ଲାର ପ୍ରାୟ ୪.୨୦ ଲକ୍ଷ ପରିବାରଏହି ସୁବିଧା ପାଇବେ । କେନ୍ଦୁଝର ସହିତ ରାଜ୍ୟର ୧୩ଟି ଜିଲ୍ଲା ଏହି କାର୍ଯ୍ୟକ୍ରମରେ ସାମିଲ ହେଲା ।

ଏହି ଅବସରରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍‌ଥ କାର୍ଡ କାର୍ଯ୍ୟକ୍ରମ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ସାରା ଦେଶକୁ ବାଟ ଦେଖାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଜିଲ୍ଲାର ୪ ଲକ୍ଷ ୨୦ ହଜାର ପରିବାର ସ୍ମାର୍ଟ ହେଲ୍‌ଥ କାର୍ଡ ପାଇବେ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଏଥିପାଇଁ ଖୁସିବ୍ୟକ୍ତ କରିଥିଲେ । ମୁଖ୍ୟମନ୍ତ୍ରୀ କହିଲେ ଯେ ସ୍ମାର୍ଟ ହେଲ୍‌ଥ କାର୍ଡ ଦ୍ବାରା ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ଉପକୃତ ହେବେ । ଏହାଦ୍ବାରା ଆମର ଗରିବ ଲୋକମାନେ ସ୍ବାସ୍ଥ୍ୟ ସେବା ପାଇଁ ଅନେକ ସମସ୍ୟାରୁ, ବିଶେଷକରି ଆର୍ଥିକ ସମସ୍ୟାରୁ ମୁକ୍ତ ହୋଇପାରିବେ ।

ଲୋକମାନେ ସ୍ବାସ୍ଥ୍ୟ ସମସ୍ୟାରେ ପଡିଲେ ଚିକିତ୍ସା ପାଇଁ କିପରି ଜମିବାଡି ବିକିବାକୁ ବାଧ୍ୟ ହୁଅନ୍ତି, ପିଲାଙ୍କ ପାଠପଢା ବନ୍ଦ କରନ୍ତି, ସେ ସବୁ ସମସ୍ୟା ବିଷୟରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏହା ତାଙ୍କୁ ବହୁତ ଦୁଃଖ ଦେଇଥାଏ। ବର୍ତ୍ତମାନ ଲୋକମାନେ ବିନା କୌଣସି ଅସୁବିଧାରେ କାର୍ଡ ଖଣ୍ଡିଏ ଧରି ଦେଶର ୨୦୦ ବଡ ବଡ ହସ୍‌ପିଟାଲରେ ଭଲ ଚିକିତ୍ସା ପାଇପାରିବେ । ଏଥିପାଇଁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡିବ ନାହିଁ ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ତାଙ୍କ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ। ଚାଷୀ ହେଉ ବା ମୂଲିଆ ବା ରିକ୍‌ସା ବାଲା – ସମସ୍ତେ ସମ୍ମାନର ସହ ବଞ୍ଚନ୍ତୁ । ଏହା ତାଙ୍କର ବିଭିନ୍ନ କଲ୍ୟାଣ କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି ସେ କହିଥିଲେ। ଆମ ପାଇ ପ୍ରତ୍ୟେକ ଜୀବନ ମୂଲ୍ୟବାନ ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ କରୋନା ସମୟରେ ସବୁ ରୋଗୀଙ୍କ ପାଇଁ ଟେଷ୍ଟିଂ ଠାରୁ ଆରମ୍ଭ କରି ଟ୍ରିଟ୍‌ମେଣ୍ଟ ପର୍ଯ୍ୟନ୍ତ ସବୁ ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି ।

ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ ଶିଶୁ ଦିବସ ଦିନ ୧୦୦ଟି ରୂପାନ୍ତରୀତ ସ୍କୁଲର ଲୋକାର୍ପଣ ପାଇଁ ଖୁସି ବ୍ୟକ୍ତ ପାଇଁ ଏଥିପାଇଁ କାମ କରିଥିବା ଲୋକ ମାନଙ୍କୁ ଧନ୍ୟବାଦ ଦେଇଥିଲେ। ଗୋଟିଏ ଦିନରେ ୧୦୦ଟି ସ୍କୁଲର ଲୋକାର୍ପଣ ସାରା ରାଜ୍ୟରେ ଏକ ରେକର୍ଡ ବୋଲି ସେ କହିଥିଲେ। ପୁଷ୍ଟି ନିରାପତ୍ତା କ୍ଷେତ୍ରରେ କେନ୍ଦୁଝର ଜିଲ୍ଲା ଭଲ ପ୍ରଦର୍ଶନ କରୁଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଏଥିରେ ଖୁସି ପ୍ରକାଶ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡି, ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀ ପ୍ରେମାନନ୍ଦ ନାୟକ, କେନ୍ଦୁଝର ସାଂସଦ ଶ୍ରୀମତୀ ଚନ୍ଦ୍ରାଣୀ ମୁର୍ମୁ, ଘଷିପୁରା ବିଧାୟକ ଶ୍ରୀ ବଦ୍ରୀ ନାରାୟଣ ପାତ୍ର ଓ କେନ୍ଦୁଝର ପାଟଣା ବିଧାୟକ ଶ୍ରୀ ଜଗନ୍ନାଥ ନାୟକ ଯୋଗ ଦେଇ ଓଡିଶାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସାରା ଦେଶରେ ଓଡିଶାର ମର୍ଯ୍ୟାଦା ବୃଦ୍ଧି କରିଛି ବୋଲି କହିଥିଲେ।

ବିଶେଷକରି, କୋଭିଡ ମହାମାରୀ ସମୟରେ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପ ସାରା ଦେଶରେ ଅନେକ ଜୀବନ ବଞ୍ଚାଇବାରେ ସଫଳ ହୋଇଥିଲା ବୋଲି ସେମାନେ କହିଥିଲେ । କେନ୍ଦୁଝରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଅନେକ ପଦକ୍ଷେପ ନେଇଛନ୍ତିଢ଼ ବୋଲି ପ୍ରକାଶ କରି ସେମାନେ ବିଭିନ୍ନ କ୍ଷେତ୍ରରେ କେନ୍ଦୁଝର ଜିଲ୍ଲାର ବିକାଶ ଉପରେ ଆଲୋକପାତ କରିଥିଲେ।