Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ପାରାଦ୍ବୀପରେ ସ୍ଥାପନା ହେବ ୬୧ ହଜାର କୋଟି ଟଙ୍କାର ପେଟ୍ରୋକେମିକାଲ କମ୍ପେ୍ଲକ୍ସ

ଭୁବନେଶ୍ୱର : ଜଗତସିଂହପୁର ଜିଲ୍ଲାର ପାରାଦ୍ବୀପରେ ଏକ ପେଟ୍ରୋକେମିକାଲ କମ୍ପେ୍ଲକ୍ସ ସ୍ଥାପନା ପାଇଁ ଭାରତୀୟ ତୈଳ ନିଗମର ଯୋଜନାକୁ ବୋର୍ଡ ତରଫରୁ ଅନୁମୋଦନ ମିଳିଛି। ପ୍ରସ୍ଥାବିତ ଏହି କମ୍ପେ୍ଲକ୍ସରେ ବିଶ୍ୱଶ୍ରେଣୀୟ କ୍ରାକର ୟୁନିଟ୍ ସ୍ଥାନ ପାଇବା ସହ ପଲି ପ୍ରୋପିଲିନ୍‌, ହାଇ-ଡେନ୍‌ସିଟି ପଲିଏଥିଲିନ୍‌, ପଲି ଭିନାଇଲ୍ କ୍ଲୋରାଇଡ ଆଦି ଉତ୍ପାଦନ ପାଇଁ ବିଭିନ୍ନ ଶିଳ୍ପ ୟୁନିଟ୍ ସ୍ଥାପନା ହେବ।

ଓଡ଼ିଶାରେ ନିଯୁକ୍ତି ଓ ଆତ୍ମନିଯୁକ୍ତି କ୍ଷେତ୍ରରେ ଏହି ୟୁନିଟ୍ ଏକ ମାଇଲଷ୍ଟ୍ରୋନ ହୋଇ ରହିବ। ଟେକ୍ସଟାଇଲ ଶିଳ୍ପରେ ଗୁଜରାଟର ସୁରାଟ୍ ଯେଭଳି ଏକ ହବ୍ ହୋଇପାରିଛି ଆଗାମୀ ଦିନରେ ଓଡିଶା ଏହାର ସ୍ଥାନ ନେବାର ସୁଯୋଗ ଆସିଛି ବୋଲି ବିଜେପି ମୁଖପାତ୍ର ତଥା ଭାରତୀୟ ତୈଳ ନିଗମ ନିର୍ଦ୍ଦେଶକ ସୁଦୀପ୍ତ ରାୟ କହିଛନ୍ତି।

ଓଡ଼ିଶାବାସୀଙ୍କ ତରଫରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ୍ ସିଂ ପୁରୀଙ୍କୁ ଧନ୍ୟବାଦ ଦେଇ ଶ୍ରୀ ରାୟ କହିଛନ୍ତି ଯେ, ଇଣ୍ଡିଆନ୍ ଅଏଲର ଏହି ପ୍ରକଳ୍ପରେ ୬୧,୦୭୭ କୋଟି ଟଙ୍କା ନିବେଶ ହେବ। ପ୍ରକଳ୍ପ ନିର୍ମାଣରେ ପ୍ରତ୍ୟେକ ଦିନ ୮ହଜାରରୁ ଅଧିକ କର୍ମସଂସ୍ଥାନ ତିଆରି ହେବ। ପ୍ରକଳ୍ପ ଚାଲୁହେବା ପରେ ପ୍ରତିଦିନ ୩ ହଜାର ସିଧାସଳଖ ନିଯୁକ୍ତି ଓ ଆଉ ୧୦ ହଜାର ଅତିରିକ୍ତ ଆତ୍ମନିଯୁକ୍ତିର ସୁଯୋଗ ସୃଷ୍ଟି ହେବ।

ଶ୍ରୀ ରାୟ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ପୂର୍ବୋଦୟ’ ଭିଜନ୍‌ର ଏହି ପ୍ରକଳ୍ପ ଅଂଶବିଶେଷ। କୌଣସି ଗୋଟିଏ ସ୍ଥାନରେ ଏହା ଭାରତୀୟ ତୈଳନିଗରମର ସର୍ବବୃହତ୍ ନିବେଶ ହେବ। ଏହି ପ୍ରକଳ୍ପ ପାଇଁ ଆବଶ୍ୟକୀୟ ସମସ୍ତ ଜମି ରାଜ୍ୟ ସରକାର ତୁରନ୍ତ ଯୋଗାଇବାର ଆବଶ୍ୟକତା ରହିଛି । ଏହି ପେଟ୍ରୋକେମିକାଲ କମ୍ପେ୍ଲକ୍ସ ପିଭିସି, ଫିନୋଲ୍‌, ଆଇପିଏ ଏବଂ ପଲିମର୍ ଆଦି ଉତ୍ପାଦନ କରିବ।

ପ୍ଲାଷ୍ଟିକ୍‌, ଫାର୍ମା, ଆଗ୍ରୋକେମିକାଲ, ପର୍ସନାଲ କେୟାର ଏବଂ ପେଂଟ ଆଦି ପ୍ରମୁଖ ଡାଉନଷ୍ଟ୍ରିମ୍ ଶିଳ୍ପକୁ ଏହା ମଜଭୁତ କରିବ। ସର୍ବୋପରି ଆତ୍ମନିର୍ଭର ଭାରତ ଅଭିଯାନକୁ ଏହା ସମୃଦ୍ଧ କରିବ। ପ୍ରକଳ୍ପ କାର୍ଯ୍ୟ ଶେଷ ହେବା ପରେ ଇଣ୍ଡିଆନ ଅଏଲର ପେଟେ୍‌ାକେମିକାଲ ସୂଚକାଙ୍କରେ ଉଲ୍ଲେଖନୀୟ ଉନ୍ନତି ଆସିବ। ଏ ଶିଳ୍ପରେ କମ୍ପାନୀ ଏକ ପ୍ରମୁଖ ସଂସ୍ଥାଭାବେ ମୁଣ୍ଡ ଟେକିବ।

ପେଟ୍ରୋକେମିକାଲ କ୍ଷେତ୍ରରେ ଥିବା ନୂଆ ସୁଯୋଗକୁ ଏହା ଆହୁରି ବ୍ୟାପକ କରିବ। ଏଥିରୁ ଉତ୍ପାଦିତ ହେବାକୁ ଥିବା ପେଟ୍ରୋକେମିକାଲ ଉତ୍ପାଦ ଘରୋଇ ଚାହିଦା ପୂରଣ ସାଙ୍ଗକୁ ଆମଦାନି ନିର୍ଭରଶୀଳତାକୁ କମାଇବ। ଡାଉନଷ୍ଟ୍ରିମ୍ ଶିଳ୍ପକୁ ଏହା ସୁଦୃଢ଼ କରିବା ସହ ଦେଶରେ ତଥା ଓଡ଼ିଶାରେ ଆଖିଦୃଶିଆ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ଶ୍ରୀ ରାୟ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟ ମୁଖପାତ୍ର ତଥା ଆଇଓସିଏଲ୍ ନିର୍ଦ୍ଦେଶକ ସୁଦୀପ୍ତ ରାୟଙ୍କ ପିତୃ ବିୟୋଗ

ଭୁବନେଶ୍ୱର : ରାଜ୍ୟ ବିଜେପି ମୁଖପାତ୍ର ଆଇଓସିଏଲ୍ ନିର୍ଦ୍ଦେଶକ ଶ୍ରୀ ସୁଦୀପ୍ତ ରାୟଙ୍କ ବାପା ଶ୍ରୀ କାଳୀଚରଣ ପାଇକରାୟଙ୍କ ଆଜି ଜଟଣୀସ୍ଥିତ ବାସଭବନରେ ୯୫ ବର୍ଷ ବୟସରେ ନିଧନ ଘଟିଛି । ସ୍ୱର୍ଗତଃ ପାଇକରାୟଙ୍କ ବିୟୋଗରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି, ବିରୋଧୀ ଦଳ ନେତା ଶ୍ରୀ ଜୟନାରାୟଣ ମିଶ୍ର, ସାଧାରଣ ସଂପାଦକ (ସଂଗଠନ) ଶ୍ରୀ ମାନସ କୁମାର ମହାନ୍ତିଙ୍କ ସମେତ ବହୁ ପ୍ରମୁଖ ନେତୃବୃନ୍ଦ ଗଭୀର ଶୋକ ବ୍ୟକ୍ତ କରି ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ ବୋଲି କହିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ।

ସ୍ୱର୍ଗତଃ ପାଇକରାୟ ଜଟଣୀ ପିପିଲି ଅଂଚଳର ଜଣେ ପ୍ରତିଷ୍ଠିତ ବ୍ୟକ୍ତି ଥିଲେ ଏବଂ ଅନେକ ସାମାଜିକ ଓ ଧାର୍ମିକ ଅନୁଷ୍ଠାନ ସହିତ ଜଡିତ ଥିଲେ । କଂଟି ଗ୍ରାମପଂଚାୟତର ୩ଥର ନାଏବ ସରପଂଚ, ସମବାୟ ସମିତି ସଭାପତି, ମିଷ୍ଟଭାଷୀ ଓ ପରୋପକାରୀ ସ୍ୱର୍ଗତଃ ରାୟ ଅଂଚଳରେ ଶିକ୍ଷାର ଉନ୍ନତି ପାଇଁ ଅନେକ ଶିକ୍ଷାନୁଷ୍ଠାନ ଗଢିଥିଲେ ।

ସ୍ୱଚ୍ଛତାକୁ ସର୍ବଦା ପ୍ରାଧାନ୍ୟ ଦେଉଥିବା ସ୍ୱର୍ଗତଃ ପାଇକରାୟ ଶିକ୍ଷାଦାନ କ୍ଷେତ୍ରରେ ମଧ୍ୟ ଝିଅପିଲାମାନଙ୍କ ଅଗ୍ରାଧିକାରକୁ ସବୁବେଳେ ଗୁରୁତ୍ୱ ଦେଉଥିଲେ । ସ୍ୱର୍ଗତଃ ଆତ୍ମାର ସଦଗତି କାମନା କରିବା ସହିତ ଶୋକସନ୍ତପ ପରିବାରବର୍ଗ ଓ ବନ୍ଧୁଜନଙ୍କୁ ବିଜେପି ନେତୃବୃନ୍ଦମାନେ ଗଭୀର ସମବେଦନା ଜଣାଇଛନ୍ତି ।