Categories
ବିଶେଷ ଖବର ରାଜ୍ୟ ଖବର

ଦେବଗଡ ବିଧାୟକଙ୍କ ପାଣ୍ଠିରେ ନିର୍ମାଣ ହେଲା ତାଙ୍କ ବନ୍ଧୁଙ୍କ ଘରର ପାଚେରୀ, ବିଜେଡିର ଅଭିଯୋଗ

ଭୁବନେଶ୍ବର: ଦେବଗଡର ବିଜେପି ବିଧାୟକ ଶ୍ରୀ ସୁବାଷ ପାଣିଗ୍ରାହୀ ତାଙ୍କ ବିଧାୟକ ଅନୁଦାନ ପାଣ୍ଠିରେ ବିଜେପିର ଜଣେ କର୍ମୀ ତଥା ତାଙ୍କର ଖାସ୍ ଅନୁଗତଙ୍କ ଘରର ପାଚେରି ନିର୍ମାଣ କରିବା ଘଟଣା ପଦାକୁ ଆସିବା ପରେ ସମଗ୍ର ଜିଲ୍ଲାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ଏହାକୁ ନେଇ ବର୍ଷିଛି ବିଜେଡି। ବିଧାୟକଙ୍କ ଏଭଳି କଳାକାରନାମା ପାଇଁ ଦେବଗଡ଼ବାସୀ ଆଜି ଲଜ୍ଜା ଅନୁଭବ କରୁଥିବା ଦର୍ଶାଇ ବିଧାୟକ ଓ ତାଙ୍କ ଅନୁଗତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ବିଜୁଜନତା ଦଳ ପକ୍ଷରୁ ଦାବି କରାଯାଇଛି।

ଆଜି ଶଙ୍ଖ ଭବନରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ବିଜୁ ଜନତା ଦଳର ନେତୃବୃନ୍ଦ ଏହି ଦୁର୍ନୀତି ଓ ପ୍ରିୟାପ୍ରୀତି ତୋଷଣର ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିଥିଲେ।ସେମାନେ କହିଥିଲେ ଯେ ବିଧାୟକ ଶ୍ରୀ ପାଣିଗ୍ରାହୀ ଦେବଗଡ଼ ମହିଳା ମହାବିଦ୍ୟାଳୟର ପାଚେରୀ ନିର୍ମାଣ ନିମନ୍ତେ ତାଙ୍କ ପାଣ୍ଠିରୁ ୩ ଲକ୍ଷ ଟଙ୍କାର ଅନୁଦାନ ରାଶି ପ୍ରଦାନ କରିଥିଲେ। ମାତ୍ର ଏହି ଅନୁଦାନରେ ମହିଳା ମହାବିଦ୍ୟାଳୟର ପାଚେରି ପରିବର୍ତ୍ତେ ତାଙ୍କର ଖାସ୍ ଅନୁଗତ ଭୁକାବେଡ଼ା ଗ୍ରାମର ଅଧିବାସୀ ଶିକ୍ଷକ ସୌଭାଗ୍ୟ ପାତ୍ରଙ୍କ ପାଚେରି ନିର୍ମାଣ ହୋଇଛି।

କୌତୂହଳର ବିଷୟ ହେଲା, ମହିଳା ମହାବିଦ୍ୟାଳୟଠାରୁ ସୌଭାଗ୍ୟ ପାତ୍ରଙ୍କ ଘରର ଦୂରତା ହେଉଛି ପ୍ରାୟ ୭ କିମି। ଏପରିକି ୩ ଲକ୍ଷ ଟଙ୍କା ଅନୁଦାନରେ ମହିଳା ମହାବିଦ୍ୟାଳୟର ପାଚେରୀ ନିର୍ମାଣ ହୋଇଥିବା ନେଇ ସୌଭାଗ୍ୟ ପାତ୍ରଙ୍କ ପାଚେରୀରେ ସ୍ପଷ୍ଟ ଭାବେ ଲେଖା ଯାଇଥିଲା। ନିକଟରେଏହି ଗ୍ରାମର ଜଣେ ବିଜେପି କର୍ମୀ ଏକଥା ଲୋକଲୋଚନକୁ ଆଣିଥିଲେ।

ଗଣମାଧ୍ୟମରେ ତଥ୍ୟ ଓ ଚିତ୍ର ସହିତ ଏହି ଖବର ପ୍ରସାରିତ ହେବା ପରେ ଅନିୟମିତତା ଧରା ପଡ଼ିଯିବା ଭୟରେ ବିଧାୟକଙ୍କ ନିର୍ଦ୍ଦେଶରେ ତରବରିଆ ଭାବେ ପାଚେରିରେ ଲେଖା ଯାଇଥିବା ସୂଚନାକୁ ଲିଭାଇ ଦିଆଯାଇଥିଲା।  ସେଠାରେ ବିଧାୟକଙ୍କ ପାଣ୍ଠିରୁ ୨ ଲକ୍ଷଟଙ୍କାର ଅନୁଦାନରେ ସିସିରୋଡ଼ ଓ ଗାର୍ଡ଼ୱାଲ ନିର୍ମାଣ ହୋଇଛି ବୋଲି ଲେଖା ଯାଇଥିଲା। ଫଳରେ ଏହି ଅନିୟମିତତା ଓ ଅର୍ଥ ଲୁଟରେ ବିଧାୟକ ନିଜେ ସଂପୃକ୍ତ ଥିବା ସ୍ପଷ୍ଟ ହୋଇଛି।

ସାମ୍ୱାଦିକ ସମ୍ମିଳନୀରେ ଉପସ୍ଥିତ ବିଜୁ ଜନତା ଦଳର ଦେବଗଡ଼ ଜିଲ୍ଲା ସଭାପତି ରୋମାଞ୍ଚ ରଂଜନ ବିଶ୍ୱାଳ ଏକଥା ମଧ୍ୟ ସୂଚନା ଦେଇ କହିଥିଲେ ଯେ ବିଧାୟକଙ୍କର ଖାସ୍‌ ଲୋକ ଭାବେ ପରିଚିତ ସୌଭାଗ୍ୟ ପାତ୍ର ହେଉଛନ୍ତି ତିଳେଇବଣି ବ୍ଲକ୍ ଅନ୍ତର୍ଗତ ଝାଲିଆମରା ସରକାରୀ ପ୍ରାଥମିକ ସ୍କୁଲର ଜଣେ ଶିକ୍ଷକ। ତେବେ କୌଣସି ଦିନ ସ୍କୁଲ ନ ଯାଇ ସେ ବିଜେପିର ଦଳୀୟ ସଭା ସମିତିରେ ସକ୍ରିୟ ଭାବେ ଅଂଶ ଗ୍ରହଣ କରନ୍ତି।

ଗତ ପଞ୍ଚାୟତ ନିର୍ବାଚନ ସମୟରେ ଶ୍ରୀ ପାତ୍ର ବିଜେପିର ଏକ ଗାଡ଼ିରେ ୩ ଲକ୍ଷ ଟଙ୍କା ନେଇ ବାଣ୍ଟିବାକୁ ଯାଉଥିବା ବେଳେ ପୁଲିସ ଟଙ୍କା ସହ ତାଙ୍କୁ ଧରି ଥାନାକୁ ନେଇଥିଲା।ସେତେବେଳେ ଖୋଦ୍ ବିଧାୟକ ଥାନାକୁ ଯାଇ ସୌଭାଗ୍ୟ ପାତ୍ରଙ୍କୁ ଛାଡ଼ି ଦେବାକୁ ଯୁକ୍ତିତର୍କ କରିଥିଲେ। କେବଳ ସରକାରୀ ଅର୍ଥ ହରିଲୁଟ୍ ନୁହେଁ, ବିଧାୟକ ଶ୍ରୀ ପାଣିଗ୍ରାହୀ ଜଣେ ଅଭ୍ୟାସଗତ ଅପରାଧୀ ବୋଲି ପୂର୍ବରୁ ବହୁବାର ପ୍ରମାଣିତ ହୋଇସାରିଛି ବୋଲି ବିଜେଡି କହିଛି।

ସେ ତିଳେଇବଣିର ତତ୍କାଳୀନ ଅନୁସୂଚିତ ଜନଜାତିର ବିଡିଓଙ୍କୁ ସର୍ବ ସମ୍ମୁଖରେ ମାଡ଼ ମାରି ଗିରଫ ହୋଇଥିଲେ। ଦେବଗଡ଼ ସହରରେ ମହିଳା ସ୍ୱୟଂସହାୟକ ଗୋଷ୍ଠୀ ନିର୍ମାଣାଧୀନ ପାଚେରିକୁ ଭାଙ୍ଗିବା ସହ ଏସ୍‌ଏଚ୍‌ଜିମା’ମାନଙ୍କୁ ଧମକଚମକ ଦେଇ ଅପମାନିତ କରିଥିଲେ।ତେଣୁ ପ୍ରିୟାପ୍ରୀତିତୋଷଣ କରି ସରକାରୀ ଅର୍ଥର ହରିଲୁଟ୍‌ କରୁଥିବା ଦେବଗଡ଼ ବିଧାୟକ ଶ୍ରୀ ସୁବାସ ପାଣିଗ୍ରାହୀଙ୍କ ବିଧାୟକ ପାଣ୍ଠିର ଗତ ଚାରିବର୍ଷ ହେଲା ଯେଉଁ ଅପବ୍ୟବହାର ହୋଇଛି ତାହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ତୁରନ୍ତ ବିଧାୟକଙ୍କ ବିରୋଧରେ ଏବଂ ସରକାରୀ ଅର୍ଥରେ ନିଜ ଘରର ପାଚେରି ନିର୍ମାଣ କରିଥିବା ସଂପୃକ୍ତ ଶିକ୍ଷକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀବିଶ୍ୱାଳ ଦୃଢ଼ ଦାବି କରିଥିଲେ।

ଦେବଗଡ଼ ବିଧାୟକଙ୍କ ଅସଂଖ୍ୟ କଳାକାରନାମାର ଏହା କେବଳ ମାତ୍ର ଏକ ନମୁନା ବୋଲି ଦର୍ଶାଇ ବିଜେଡି ମୁଖପାତ୍ର ଗୌତମବୁଦ୍ଧ ଦାସ କହିଥିଲେ ଯେ ଓଡ଼ିଶା ବିଜେପିର ସବୁ ନେତା ଓ ବିଧାୟକମାନଙ୍କ ଚରିତ୍ର କ’ଣ ଏମିତି କଳଙ୍କିତ? ତିନିତିନି ଥର ବିଧାୟକ ହୋଇଥିବା ବିଜେପିର ଜଣେ ପୁରୁଖା ନେତା ଶ୍ରୀ ପାଣିଗ୍ରାହୀ ଜାଣିଶୁଣି ଏତେବଡ଼ ଅନିୟମିତତା କଲେ କିପରି? ସରକାରୀ ଅର୍ଥକୁ ହରିଲୁଟ୍‌ କରିବା ପାଇଁ ନିଜ ଦଳୀୟ କର୍ମୀ ତଥା ଅନୁଗତଙ୍କ ହାତକୁ ଟେକି ଦେବା ପୂର୍ବରୁ ଥରେ ନିଜ ପଦ ମର୍ଯ୍ୟାଦା କଥା ଭାବିଲେ ନାହିଁ କେମିତି?

ଏଭଳି ଅନିୟମିତତା ଓ ପ୍ରିୟାପ୍ରୀତି ତୋଷଣ କରିବାରେ ବିଧାୟକଙ୍କର ନିଶ୍ଚୟ ବହୁତ ଅଭିଜ୍ଞତା ରହିଛି। ସବୁ କଥାରେ ନୈତିକତାର ଭାଷଣ ଦେଉଥିବା ବିଜେପି ନେତାମାନେ ଦେବଗଡ଼ ବିଧାୟକଙ୍କ ହାତ ପାଣ୍ଠିର ଏଭଳି ଅପବ୍ୟବହାର ହୋଇଥିବା ଜାଣିବା ପରେ ମଧ୍ୟ ଏଯାଏ ଚୁପ୍‌ ବସିଛନ୍ତି କାହିଁକି? ବିଭିନ୍ନ ଘଟଣାରେ ଲୋକଙ୍କୁ ଭୁଆଁ ବୁଲାଇ କେବଳ ହୀନ ରାଜନୀତି କରିବାକୁ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ପଠାଉ ଥିବା ଓଡ଼ିଶା ବିଜେପି ନିଜ ଦଳର ବିଧାୟକଙ୍କ ଏଭଳି ଅନିୟମିତତାର ତଦନ୍ତ ଲାଗି କେବେ ଫ୍ୟାକ୍ଟ ଫାଇଣ୍ଡିଂ ପଠାଇବ, ତାହା ଆମେ ଅପେକ୍ଷା କରିଛୁ  ବୋଲି ସେ କହିଥିଲେ।

ଶ୍ରୀ ଦାସ ଆହୁରି କହିଥିଲେ ଯେ ଆମେ ଜାଣିଛୁ, ଫ୍ୟାକ୍ଟ ଫାଇଣ୍ଡିଂଟିମ୍ ପଠାଇବାକୁ ବିଜେପିର ସତସାହସ ନାହିଁ । ଏହା ପୂର୍ବରୁ ବିଜେପିର ଦୁଇ ବରିଷ୍ଠ ନେତା ଅଭ୍ୟାସଗତ ଅପରାଧୀ ଜୟନାରାୟଣ ମିଶ୍ର ଓ ଈରାଶିଷ ଆଚାର୍ଯ୍ୟ ମହିଳାଙ୍କ ଉପରେ ଆକ୍ରମଣ ଓ ଗୁଣ୍ଡାଗର୍ଦ୍ଦି କଲା ବେଳେ ମଧ୍ୟ ସେମାନେ ଚୁପ୍‌ ରହିଥିଲେ। ତେଣୁ ନିଜ ଦଳର ଆଉ ଜଣେ ବିଧାୟକଙ୍କ ଏଭଳି କଳାକାରନାମା ବେଳେ ସେମାନେ ଆଉ କ’ଣ କରିବେ ବୋଲି ସେ ପ୍ରଶ୍ନ କରିଥିଲେ।

କେବଳ ମୁହଁରେ ତୁଣ୍ଡି ବାନ୍ଧି ବସିବେ। ଓଡ଼ିଶା ବାସୀ ସବୁ ଦେଖୁଛନ୍ତି। ଆମର ଦୃଢ଼ ବିଶ୍ୱାସ ସଚେତନ ଜନତା ଠିକଣା ସମୟରେ ବିଜେପିର ଏଭଳି ଗୁଣ୍ଡାଗର୍ଦ୍ଦି, ଅନିୟମିତତା ଏବଂ ପ୍ରିୟାପ୍ରୀତି ତୋଷଣର ଦୃଢ଼ ଜବାବ ଦେବେ। ଏହି ସାମ୍ୱାଦିକ ସମ୍ମିଳନୀରେ ବିଜେଡି କର୍ପୋରେଟର ତଥା ଦେବଗଡ଼ ଜିଲ୍ଲା ବିଜେଡିର ପର୍ଯ୍ୟବେକ୍ଷକ ଅମରେଶ ଜେନା ମଧ୍ୟ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀ ହେବେ ବିରୋଧୀ ଦଳର ନେତା !

ଭୁବନେଶ୍ବର: ଦେଓଗଡର ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀ ହେବେ ବିରୋଧୀ ଦଳର ନେତା। ଏ ନେଇ ନୂଆଦିଲ୍ଲୀ ଗସ୍ତରେ ଥିବା ବିଜେପି ବିଧାୟକ ଦଳ ବୈଠକରେ ନିଷ୍ପତି ହୋଇସାରିଛି। ଖୁବ ଶିଘ୍ର ବିଧାନସଭା ଆରମ୍ଭ ପୂର୍ବରୁ ଘୋଷଣା କରାଯିବ।

ନୂଆଦିଲ୍ଲୀରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡାଙ୍କ ସହିତ ଓଡିଶା ବିଜେପି ବିଧାୟକଙ୍କ ବୈଠକ ହୋଇଥିଲା। ଏହି ବୈଠକରେ ସୁବାଷଙ୍କ ନାମ କୁହାଯାଇଥିଲା। ଏହାପରେ ନଡ୍ଡା ସୁବାଷଙ୍କ ସହିତ ବ୍ୟକ୍ତିଗତ ଭାବେ ଆଲୋଚନା ମଧ୍ୟ କରିଛନ୍ତି।

ବର୍ତ୍ତମାନ ବିରୋଧୀ ଦଳର ନେତା ପ୍ରଦୀପ ନାୟକ ଅସୁସ୍ଥ ଥିବାରୁ ସେ ଗୃହ କାର୍ଯ୍ୟରେ ଯୋଗ ଦେଇପାରୁ ନାହାଁନ୍ତି। ଫଳରେ ଦଳ ଜଣେ ସୁବାଷଙ୍କୁ ଏହି ଦାୟିତ୍ବ ଦେବା ପାଇଁ ନିଷ୍ପତି କରିଛି।

Categories
ଆଜିର ଖବର ରାଜ୍ୟ ଖବର

ବିଧାୟକ ସୁବାଷ ପାଣିଗ୍ରାହୀଙ୍କ ଗିରଫ ପ୍ରତିବାଦରେ ରାଜ୍ୟ ବିଜେପିର ରାଜ୍ୟପାଳଙ୍କୁ ସ୍ମାରକ ପତ୍ର

ଭୁବନେଶ୍ୱର : ନିର୍ବାଚିତ ଜନପ୍ରତିନିଧି ତଥା ଦେବଗଡ ବିଧାୟକ ଶ୍ରୀ ସୁବାଷ ପାଣିଗ୍ରାହୀଙ୍କ ବିରୋଧରେ ଷଡଯନ୍ତ୍ର ରଚାଯାଇ ରୁଜୁ ହୋଇଥିବା ମିଛ କେସ୍‌କୁ ପ୍ରତ୍ୟାହାର କରାଯାଇ ତାଙ୍କୁ ମୁକ୍ତ କରାଯାଉ। ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କ ଦ୍ୱାରା ପ୍ରଥମେ ରୁଜୁ ହୋଇଥିବା ଏଫଆଇଆର ଆଧାରରେ ତିଲେଇବଣି ବିଡିଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।

ବୁକ୍ ସର୍କୁଲାର୍ – ୪୭ ର ସଠିକ୍ କାର୍ଯ୍ୟକାରିତା ପାଇଁ ରାଜ୍ୟ ସରକାର କଠୋର ଆଭିମୁଖ୍ୟ ଓ ବିହୀତ ପଦକ୍ଷେପ ଗ୍ରହଣ କରିବା ଦାବୀରେ ବିଜେପି ପ୍ରତିନିଧି ଦଳ ଆଜି ରାଜ୍ୟପାଳଙ୍କୁ ସାକ୍ଷାତ କରି ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।

ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କୁ ତିଲେଇବଣି ବିଡିଓଙ୍କ ବିଶୃଙ୍ଖଳିତ ଆଚରଣ ଓ ଦୁର୍ବ୍ୟବହାର ପ୍ରଦର୍ଶନକୁ ଆଧାର କରି ବିଧାୟକ ଶ୍ରୀ ପାଣିଗ୍ରାହୀ ପ୍ରଥମେ ଥାନାର ଦ୍ୱାରସ୍ଥ ହୋଇ ଏଫଆଇଆର ରୁଜୁ କରିଥିଲେ। କିନ୍ତୁ ସରକାରଙ୍କ ପରୋକ୍ଷ ଚାପରେ ବିଧାୟକଙ୍କ ଅଭିଯୋଗକୁ ତଦନ୍ତ କରାଗଲା ନାହିଁ। ଅନ୍ୟପକ୍ଷରେ ତା’ପରଦିନ ଏକ ଅଭାବନୀୟ ଘଟଣା କ୍ରମେ ତିଲେଇବଣି ବ୍ଲକ ଉନ୍ନୟନ ଅଧିକାରୀଙ୍କ ଅଭିଯୋଗକୁ ଭିତିକରି ବିନା ତଦନ୍ତରେ ଘଟଣାର ମୂଳ ଉତ୍ସକୁ ନ ଯାଇ ତତ୍‌କ୍ଷଣାତ୍ ସରକାରଙ୍କ ସିଧାସଳଖ ଚାପରେ ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କୁ ତାଙ୍କ ଭୁବନେଶ୍ୱର ବାସଭବନରୁ ଗିରଫ କରାଯାଇଛି।

ସୁପରିକଳ୍ପିତ ଏବଂ ଷଡଯନ୍ତ୍ର ରଚାଯାଇ ମିଛ କେସ୍‌ରେ ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କୁ ଗିରଫ କରାଯିବା ସଂପୂର୍ଣ୍ଣ ଅଗଣତାନ୍ତ୍ରୀକ। ତେଣୁ ଶ୍ରୀ ପାଣିଗ୍ରାହୀଙ୍କ ବିରୋଧରେ ଥିବା ମିଛ କେସ୍‌କୁ ପ୍ରତ୍ୟାହାର କରାଯାଇ ତାଙ୍କୁ ମୁକ୍ତ କରାଯାଉ। ଏଥି ସହ ବିଧାୟକ ଶ୍ରୀ ପାଣିଗ୍ରାହିଙ୍କ ଏଫଆଇଆର ଆଧାରରେ ବିଡିଓଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ପ୍ରତିନିଧି ଦଳ ଦାବୀ କରିଛି ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି।

ଏହି ପ୍ରତିନିଧି ଦଳରେ ବିଧାୟକ ଭାସ୍କର ମଢେଇ, ଡ.ମୁକେଶ ମହାଲିଙ୍ଗ, ପ୍ରକାଶ ସୋରେନ, ନବଚରଣ ମାଝୀ, ସନାତନ ବିଜୁଳି, ଇଂ.ଗଣେଷରାମ ଖୁଂଟିଆ, ଡ.ବୁଧନ ମୁର୍ମୁ, କେ.ନାରାୟଣ ରାଓ, ରାଜ୍ୟ ସାଧାରଣ ସଂପାଦକ ଡ.ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ମୁଖପାତ୍ର ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ ଏବଂ ସହମୁଖ୍ୟ ସୁଜିତ୍ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବିଧାୟକଙ୍କୁ ଗିରଫ ପ୍ରତିବାଦରେ ପୋଲିସ ଡିଜିଙ୍କୁ କଲେ ସାକ୍ଷାତ ବିଜେପି ପ୍ରତିନିଧି ଦଳ

ଭୁବନେଶ୍ବର: ଆଜି ରାଜ୍ୟ ବିଜେପିର ଏକ ପ୍ରତିନିଧି ଦଳ ପୋଲିସ ଡିଜି ସୁନୀଲ ବଂଶଲଙ୍କୁ ସାକ୍ଷାତ କରିଛନ୍ତି। ସେମାନେ ବିଧାୟକ ସୁବାଷ ପାଣିଗ୍ରାହୀଙ୍କୁ ଅନ୍ୟାୟ ଭାବେ ଗିରଫ କରାଯାଇଛି ବୋଲି ଅଭିଯୋଗ କରିଛନ୍ତି। ଏ କ୍ଷେତ୍ରରେ ଡିଜି ନିଜେ ତୁରନ୍ତ ହସ୍ତକ୍ଷେପ କରିବା ପାଇଁ ଏହି ପ୍ରତିନିଧି ମଣ୍ଡଳ ଦାବୀ କରିଛନ୍ତି।

ସେମାନେ ଅଭିଯୋଗ କରିଛନ୍ତି ଯେ, ବିଧାୟକ ସୁବାଷ ପାଣିଗ୍ରାହୀ ବିଡିଓଙ୍କୁ ସାକ୍ଷାତ କରିବା ପାଇଁ ବାରମ୍ବାର କହିଥିଲେ ମଧ୍ୟ ସେ ଦେଖା ଦେଉ ନ ଥିଲେ। ଏପରିକି ଗୋଟିଏ ସ୍ଥାନକୁ ଡାକି ପୁଣି ଅନ୍ୟ ସ୍ଥାନକୁ ଯିବା ପାଇଁ କହୁଥିଲେ। ଏପରି ବାରମ୍ବାର କରିବା ପରେ ବିଡିଓ ନିଜେ ବିଧାୟକଙ୍କୁ ଗାଳି କରିବା ସହିତ ଭିଡାଭିଡି କରିଥିଲେ। ଏ ନେଇ ବିଧାୟକ ଏତାଲା ଦେଇଥିଲେ ମଧ୍ୟ ବହୁ ବିଳମ୍ବରେ ତାଙ୍କ ଏତଲା ରଖାଯାଇଥିଲା। ଡିଜି ତୁରନ୍ତ ଏହା ଉପରେ ହସ୍ତକ୍ଷେପ କରନ୍ତୁ ବୋଲି ଦଳ ଦାବୀ କରିଛି।