ବିଧାୟକ ସୁବାଷ ପାଣିଗ୍ରାହୀଙ୍କ ଗିରଫ ପ୍ରତିବାଦରେ ରାଜ୍ୟ ବିଜେପିର ରାଜ୍ୟପାଳଙ୍କୁ ସ୍ମାରକ ପତ୍ର

Published: May 3, 2022, 6:48 pm IST

ଭୁବନେଶ୍ୱର : ନିର୍ବାଚିତ ଜନପ୍ରତିନିଧି ତଥା ଦେବଗଡ ବିଧାୟକ ଶ୍ରୀ ସୁବାଷ ପାଣିଗ୍ରାହୀଙ୍କ ବିରୋଧରେ ଷଡଯନ୍ତ୍ର ରଚାଯାଇ ରୁଜୁ ହୋଇଥିବା ମିଛ କେସ୍‌କୁ ପ୍ରତ୍ୟାହାର କରାଯାଇ ତାଙ୍କୁ ମୁକ୍ତ କରାଯାଉ। ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କ ଦ୍ୱାରା ପ୍ରଥମେ ରୁଜୁ ହୋଇଥିବା ଏଫଆଇଆର ଆଧାରରେ ତିଲେଇବଣି ବିଡିଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।

ବୁକ୍ ସର୍କୁଲାର୍ – ୪୭ ର ସଠିକ୍ କାର୍ଯ୍ୟକାରିତା ପାଇଁ ରାଜ୍ୟ ସରକାର କଠୋର ଆଭିମୁଖ୍ୟ ଓ ବିହୀତ ପଦକ୍ଷେପ ଗ୍ରହଣ କରିବା ଦାବୀରେ ବିଜେପି ପ୍ରତିନିଧି ଦଳ ଆଜି ରାଜ୍ୟପାଳଙ୍କୁ ସାକ୍ଷାତ କରି ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।

ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କୁ ତିଲେଇବଣି ବିଡିଓଙ୍କ ବିଶୃଙ୍ଖଳିତ ଆଚରଣ ଓ ଦୁର୍ବ୍ୟବହାର ପ୍ରଦର୍ଶନକୁ ଆଧାର କରି ବିଧାୟକ ଶ୍ରୀ ପାଣିଗ୍ରାହୀ ପ୍ରଥମେ ଥାନାର ଦ୍ୱାରସ୍ଥ ହୋଇ ଏଫଆଇଆର ରୁଜୁ କରିଥିଲେ। କିନ୍ତୁ ସରକାରଙ୍କ ପରୋକ୍ଷ ଚାପରେ ବିଧାୟକଙ୍କ ଅଭିଯୋଗକୁ ତଦନ୍ତ କରାଗଲା ନାହିଁ। ଅନ୍ୟପକ୍ଷରେ ତା’ପରଦିନ ଏକ ଅଭାବନୀୟ ଘଟଣା କ୍ରମେ ତିଲେଇବଣି ବ୍ଲକ ଉନ୍ନୟନ ଅଧିକାରୀଙ୍କ ଅଭିଯୋଗକୁ ଭିତିକରି ବିନା ତଦନ୍ତରେ ଘଟଣାର ମୂଳ ଉତ୍ସକୁ ନ ଯାଇ ତତ୍‌କ୍ଷଣାତ୍ ସରକାରଙ୍କ ସିଧାସଳଖ ଚାପରେ ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କୁ ତାଙ୍କ ଭୁବନେଶ୍ୱର ବାସଭବନରୁ ଗିରଫ କରାଯାଇଛି।

ସୁପରିକଳ୍ପିତ ଏବଂ ଷଡଯନ୍ତ୍ର ରଚାଯାଇ ମିଛ କେସ୍‌ରେ ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କୁ ଗିରଫ କରାଯିବା ସଂପୂର୍ଣ୍ଣ ଅଗଣତାନ୍ତ୍ରୀକ। ତେଣୁ ଶ୍ରୀ ପାଣିଗ୍ରାହୀଙ୍କ ବିରୋଧରେ ଥିବା ମିଛ କେସ୍‌କୁ ପ୍ରତ୍ୟାହାର କରାଯାଇ ତାଙ୍କୁ ମୁକ୍ତ କରାଯାଉ। ଏଥି ସହ ବିଧାୟକ ଶ୍ରୀ ପାଣିଗ୍ରାହିଙ୍କ ଏଫଆଇଆର ଆଧାରରେ ବିଡିଓଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ପ୍ରତିନିଧି ଦଳ ଦାବୀ କରିଛି ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି।

ଏହି ପ୍ରତିନିଧି ଦଳରେ ବିଧାୟକ ଭାସ୍କର ମଢେଇ, ଡ.ମୁକେଶ ମହାଲିଙ୍ଗ, ପ୍ରକାଶ ସୋରେନ, ନବଚରଣ ମାଝୀ, ସନାତନ ବିଜୁଳି, ଇଂ.ଗଣେଷରାମ ଖୁଂଟିଆ, ଡ.ବୁଧନ ମୁର୍ମୁ, କେ.ନାରାୟଣ ରାଓ, ରାଜ୍ୟ ସାଧାରଣ ସଂପାଦକ ଡ.ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ମୁଖପାତ୍ର ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ ଏବଂ ସହମୁଖ୍ୟ ସୁଜିତ୍ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Related posts