Categories
ଆଜିର ଖବର ଜାତୀୟ ଖବର

‘ଇଣ୍ଡିଆ ଇୟର ବୁକ୍ ୨୦୨୪’ ଏବଂ ‘କ୍ୟାରିୟର କଲିଂ’ ଉନ୍ମୋଚନ କଲେ ସୂଚନା ଓ ପ୍ରସାରଣ ସଚିବ

ନୂଆଦିଲ୍ଲୀ: ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଶ୍ରୀ ସଞ୍ଜୟ ଜାଜୁ ଆଜି ପ୍ରଗତି ମଇଦାନଠାରେ ନୂଆଦିଲ୍ଲୀ ବିଶ୍ୱ ପୁସ୍ତକ ମେଳାରେ ପ୍ରକାଶନ ବିଭାଗ ଦ୍ୱାରା ପ୍ରକାଶିତ ‘ଇଣ୍ଡିଆ ଇୟର ବୁକ୍ ୨୦୨୪’ ଏବଂ ‘କ୍ୟାରିୟର କଲିଂ’କୁ  ଉନ୍ମୋଚନ କରିଛନ୍ତି।

‘ଇଣ୍ଡିଆ ଇୟର ବୁକ୍ ୨୦୨୪’ ହେଉଛି ଭାରତର ପ୍ରଗତିକୁ ବର୍ଣ୍ଣନା କରୁଥିବା  ଏକ ରେଫରେନ୍ସ ବାର୍ଷିକ- ଦେଶର ବିକାଶ ବିଷୟରେ ଜାଣିବାକୁ ଆଗ୍ରହୀ ଲୋକଙ୍କ ପାଇଁ ଏକ ଅତ୍ୟାବଶ୍ୟକ ପୁସ୍ତକ।

‘କ୍ୟାରିୟର କଲିଂ’  ବିଭାଗର ଆଉ ଏକ ପ୍ରକାଶନ ହେଉଛି ନିକଟରେ ସାପ୍ତାହିକ ଖବରକାଗଜ ‘ଏମ୍ପ୍ଲଏମେଣ୍ଟ ନ୍ୟୁଜ୍’ରେ ପ୍ରକାଶିତ ପ୍ରବନ୍ଧଗୁଡ଼ିକର ଏକ ସଂକଳନ ଯାହା ଛାତ୍ର ଏବଂ ଯୁବକମାନଙ୍କୁ କ୍ୟାରିୟର ମାର୍ଗଦର୍ଶନ ପ୍ରଦାନ କରିବ । ଏହି ପୁସ୍ତକରେ ଆଜିର ପ୍ରତିଯୋଗିତାମୂଳକ ଦୃଶ୍ୟପଟରେ ସୂଚନା ଉପରେ ଗୁରୁତ୍ୱାରୋପ କରାଯାଇଛି ।

ଏହି ଉନ୍ମୋଚନ ବ୍ୟତୀତ ଷ୍ଟଲ ନଂ ବି-୧୧, ହଲ୍ ନଂ-୫, ପ୍ରଗତି ମଇଦାନରେ ପ୍ରକାଶନ ବିଭାଗର ବିସ୍ତୃତ ସଂକଳନରେ ‘ଯୋଜନା’, ‘କୁରୁକ୍ଷେତ୍ର’, ‘ଆଜକଲ’ ଏବଂ ‘ବାଲ ଭାରତୀ’ ଭଳି ଲୋକପ୍ରିୟ ପତ୍ରିକା ରହିଛି, ଯାହା ଅନେକ ବିଷୟରେ ମୂଲ୍ୟବାନ ଜ୍ଞାନ ପ୍ରଦାନ କରିଥାଏ।

ପ୍ରକାଶନ ବିଭାଗ ମଧ୍ୟ ବିଭିନ୍ନ ବିଷୟକୁ ନେଇ ଏହାର ପୁସ୍ତକ ସଂଗ୍ରହ ପ୍ରଦର୍ଶନ କରୁଛି। ଗାନ୍ଧିସାହିତ୍ୟ, ବିଶିଷ୍ଟ ‘ଆଧୁନିକ ଭାରତର ନିର୍ମାତା’, କଳା, ସଂସ୍କୃତି, ଐତିହ୍ୟ ଓ ଶିଶୁ ସାହିତ୍ୟ ଉପରେ ବିଭିନ୍ନ ପୁସ୍ତକ ରହିଛି।

ଦେଶବ୍ୟାପୀ ଅନେକ ଭାରତୀୟ ଭାଷାରେ ଏହି ପ୍ରକାଶନ ଉପଲବ୍ଧ ରହିଛି ।

Categories
ବିଶେଷ ଖବର

ଜିସାଟ୍-୨୪ ସଫଳତାର ସହ କାର୍ଯ୍ୟକ୍ଷମ ହେବା ଆତ୍ମନିର୍ଭର ଭାରତ ଦିଗରେ ଆଉ ଏକ ପଦକ୍ଷେପ: ଅପୂର୍ବ ଚନ୍ଦ୍ର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ‘ମେକ୍ ଇନ୍ ଇଣ୍ଡିଆ’ ଭିଜନ ସହ ଯୋଡ଼ି ହୋଇଥିବା ନ୍ୟୁସ୍ପେସ୍ ଇଣ୍ଡିଆ ଲିମିଟେଡ୍ (ଏନ୍ଏସ୍ଆଇଏଲ୍) ଟାଟା ପ୍ଲେ ସହିତ ଭାଗିଦାରୀ ସ୍ଥାପନ  କରି ଜୁନ୍ ୨୦୨୨ରେ ଜିସାଟ୍-୨୪ ଉପଗ୍ରହ ଉତକ୍ଷେପଣ କରିଥିଲା। ଟାଟା ପ୍ଲେ ଆଜିଠାରୁ ଏହାର କକ୍ଷପଥରେ ଥିବା ଏହି ଉପଗ୍ରହର ବ୍ୟବହାର ଆରମ୍ଭ କରିଛି।

ନୂଆଦିଲ୍ଲୀସ୍ଥିତ ଟାଟା ପ୍ଲେର ବ୍ରଡକାଷ୍ଟ ସେଣ୍ଟରରେ ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ସୂଚନା ଓ ପ୍ରସାରଣ ସଚିବ ଅପୂର୍ବ ଚନ୍ଦ୍ର ଖୁସି ବ୍ୟକ୍ତ କରିବା ସହ ଜିସାଟ୍-୨୪କୁ ସଫଳତାର ସହ କାର୍ଯ୍ୟକ୍ଷମ କରିଥିବାରୁ ମହାକାଶ ବିଭାଗ ଓ ଟାଟା ପ୍ଲେକୁ ଅଭିନନ୍ଦନ ଜଣାଇଛନ୍ତି। ମହାକାଶ ଓ ଯୋଗାଯୋଗ କ୍ଷେତ୍ରରେ ଏହି କାର୍ଯ୍ୟକ୍ରମ ଆତ୍ମନିର୍ଭର ଭାରତ ଏବଂ ଆତ୍ମନିର୍ଭରଶୀଳତା ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଶ୍ରୀ ଚନ୍ଦ୍ର କହିଥିଲେ।

ବର୍ତ୍ତମାନ ଟାଟା ପ୍ଲେରେ ୬୦୦ ଚ୍ୟାନେଲ ରହିଛି। ଇସ୍ରୋ ଉପଗ୍ରହକୁ ଅନ୍ତର୍ଭୁକ୍ତ କରିବା ଦ୍ୱାରା ଏହା ୯୦୦ ଚ୍ୟାନେଲ ପ୍ରସାରଣ କରିବାରେ ସକ୍ଷମ ହେବ ଯାହା ସାଧାରଣ ଜନତାଙ୍କୁ ଉପକୃତ କରିବ। ଏହା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଘରୋଇକରଣ ଏବଂ ଏନଏସଆଇଏଲ ପ୍ରତିଷ୍ଠାର ସ୍ୱପ୍ନର ପରିଣାମ, ଯାହା ଟାଟା ପ୍ଲେ ସହଯୋଗରେ ପ୍ରଥମ ଥର ପାଇଁ ଚାହିଦା ଭିତ୍ତିକ ଉପଗ୍ରହ ଉତକ୍ଷେପଣ କରିଛି। ପାର୍ବତ୍ୟାଞ୍ଚଳ ଉତ୍ତର-ପୂର୍ବ ଏବଂ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ସମେତ ସମଗ୍ର ଦେଶରେ ଏହି ଚ୍ୟାନେଲ୍ ଉପଲବ୍ଧ ହେବ ବୋଲି ସଚିବ କହିଛନ୍ତି।

ଜିସାଟ୍ -୨୪କୁ ଅନ୍ତର୍ଭୁକ୍ତ କରିବା ପରେ ବ୍ୟାଣ୍ଡ ୱିଡଥ୍ ବୃଦ୍ଧି ପାଇବ । ଯାହାଫଳରେ ଟାଟା ପ୍ଲେକୁ ଏହାର ଉପଭୋକ୍ତାମାନଙ୍କୁ ଆହୁରି ଉନ୍ନତମାନର ଚିତ୍ର ଏବଂ ଶବ୍ଦ ଗୁଣବତ୍ତା ପ୍ରଦାନ କରିବାରେ ସକ୍ଷମ କରିବ। ସମସ୍ତ ଡିଟିଏଚ୍ ପ୍ଲାଟଫର୍ମ ମଧ୍ୟରେ ସର୍ବବୃହତ ଉପଗ୍ରହ ବ୍ୟାଣ୍ଡୱିଥ୍ ପ୍ରଦାନକାରୀ ହେବା ସହିତ ୫୦ ପ୍ରତିଶତ ଅଧିକ ଚ୍ୟାନେଲ ବହନ କରିବାର କ୍ଷମତା ପ୍ରଦାନ କରିବ।

ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ଅଧ୍ୟକ୍ଷ ଶ୍ରୀ ଏସ୍. ସୋମନାଥ କହିଛନ୍ତି, ଡିଟିଏଚ୍ ସେବା ଯୋଗାଇବା ପାଇଁ ଇସ୍ରୋ ଦ୍ୱାରା ନିର୍ମିତ ୪ ଟନ୍ ବିଶିଷ୍ଟ ଯୋଗାଯୋଗ ଉପଗ୍ରହ ଜିସାଟ୍-୨୪ କକ୍ଷପଥରେ ପରୀକ୍ଷଣ ପରେ ଏହାର ସର୍ବାଧିକ ଉପଗ୍ରହ କ୍ଷମତାରେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଛି। ଏହା ଅତ୍ୟାଧୁନିକ ସ୍ୱଦେଶୀ ଜ୍ଞାନକୌଶଳ ଦ୍ୱାରା ପରିଚାଳିତ ଯାହାକି ଭାରତର ଟେଲିଯୋଗାଯୋଗ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସଫଳତାକୁ ଦର୍ଶାଉଛି। ଏହା ଆମ ଦେଶର ମହାକାଶ କ୍ଷମତାକୁ ଦର୍ଶାଇବା ସହିତ ଚାହିଦା ପରିଚାଳିତ ଅଭିଯାନ ବର୍ଗରେ ଭାରତର ସଫଳ ପ୍ରବେଶକୁ ଆରମ୍ଭ କରିଛି।

ଏନ୍ ଏସ୍ ଆଇଏଲ୍ ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ରାଧାକ୍ରିଷ୍ଣନ୍ ଦୁରାଇରାଜ କହିଛନ୍ତି, ମହାକାଶ କ୍ଷେତ୍ରରେ ସଂସ୍କାର ପରେ ଏନ୍ଏସ୍ଆଇଏଲ୍ ଦ୍ୱାରା ଆରମ୍ଭ ହୋଇଥିବା ଜିସାଟ୍-୨୪ ହେଉଛି ପ୍ରଥମ ଚାହିଦା ପରିଚାଳିତ ଯୋଗାଯୋଗ ଉପଗ୍ରହ ଅଭିଯାନ। ଜିସାଟ୍ -୨୪ ଉପଗ୍ରହ ଭାରତ ପାଇଁ ଉପଗ୍ରହ ଟେଲିଭିଜନର ଏକ ନୂତନ ଯୁଗ ଆରମ୍ଭ କରିବାକୁ ପ୍ରସ୍ତୁତ ହୋଇଛି। ‘ମେକ୍ ଇନ୍ ଇଣ୍ଡିଆ’ ଅଭିଯାନର ସଫଳତାର ପ୍ରମାଣ ସ୍ୱରୂପ, ଏହି ଉପଗ୍ରହ ଉନ୍ନତ ଡିଜିଟାଲ ଟିଭି ପ୍ରସାରଣ କ୍ଷମତା ସହିତ ଘରୋଇ ପ୍ରସାରଣ ସେବାକୁ ସମର୍ଥନ କରିବ। ଏହି ସଫଳ ପ୍ରକଳ୍ପରେ ସହଯୋଗ କରିଥିବାରୁ ଏନଏସଆଇଏଲ, ଇସ୍ରୋ ଏବଂ ଟାଟା ପ୍ଲେର ଟିମକୁ ଅଭିନନ୍ଦନ।

ଏହି ଅବସରରେ ଟାଟା ପ୍ଲେର ଏମଡି ତଥା ସିଇଓ ହରିତ୍ ନାଗପାଲ କହିଛନ୍ତି, ଦର୍ଶକଙ୍କ ଦେଖିବା ଅଭିଜ୍ଞତାକୁ ଉନ୍ନତ କରିବା ଟାଟା ପ୍ଲେର ମୁଖ୍ୟ ପ୍ରାଥମିକତା। ଏନଏସଆଇଏଲ ସହିତ ଏହି ସହଯୋଗ ଆମର ଡିଟିଏଚ ଗ୍ରାହକମାନଙ୍କୁ ଆହୁରି ଉନ୍ନତ ଭିଡିଓ ଏବଂ ଅଡିଓ ଗୁଣବତ୍ତା ଏବଂ ଆହୁରି ଅନେକ ଚ୍ୟାନେଲ ଏବଂ ସେବା ପ୍ରଦାନ କରିବ। ଏହା ଏପରି ଏକ ଦେଶରେ ଲିନିୟର ଟିଭି ପ୍ରତି ଆମର ପ୍ରତିବଦ୍ଧତାକୁ ମଧ୍ୟ ଦୃଢ଼ କରେ ଯେଉଁଠାରେ ପ୍ରାୟ ୧୪୦ ନିୟୁତ ଏପରି ପରିବାର ରହିଛନ୍ତି ଯେଉଁମାନେ ଏପର୍ଯ୍ୟନ୍ତ ସେମାନଙ୍କର ପ୍ରଥମ ଟିଭି କିଣିନାହାନ୍ତି । ଆମେ ସର୍ବଦା ଡିଓଏସ୍ ଦ୍ୱାରା ସ୍ୱଦେଶୀ ଉତ୍ପାଦିତ ଉପଗ୍ରହରେ ଆମର ସମସ୍ତ ସେବା ପ୍ରଦାନ କରିଛୁ ଏବଂ ଏହି କ୍ଷମତା ବୃଦ୍ଧି ମେକ୍ ଇନ୍ ଇଣ୍ଡିଆ ପ୍ରତି ଆମର ପ୍ରତିବଦ୍ଧତାକୁ ପୁନର୍ବାର ପ୍ରମାଣିତ କରୁଛି।

ଜିସାଟ୍ -୨୪ ହେଉଛି ଏକ ୨୪-କେୟୁ ବ୍ୟାଣ୍ଡ ଯୋଗାଯୋଗ ଉପଗ୍ରହ ଯାହାକୁ ଭାରତ ସରକାର କେବଳ ଟାଟା ପ୍ଲେର ଡିଟିଏଚ୍ ଆପ୍ଲିକେସନ୍ ଆବଶ୍ୟକତା ପୂରଣ କରିବା ପାଇଁ ଉତକ୍ଷେପଣ କରିଛନ୍ତି। ମାର୍ଚ୍ଚ ୨୦୧୯ରେ ଗଠିତ ଏନଏସଆଇଏଲ୍ ମହାକାଶ ବିଭାଗ (ଡିଓଏସ୍) ଅଧୀନରେ ଥିବା ଏକ କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ସିପିଏସ୍ଇ) ଏବଂ ଏହା ଡିଏସଓର ବାଣିଜ୍ୟିକ ଶାଖା ଅଟେ। ଜିସାଟ୍ -୨୪ରେ ଥିବା ସମ୍ପୂର୍ଣ୍ଣ ଉପଗ୍ରହ କ୍ଷମତା ଏହାର ପ୍ରତିବଦ୍ଧ ଗ୍ରାହକ ଟାଟା ପ୍ଲେକୁ ଲିଜରେ ଦିଆଯାଇଛି।

Categories
ଆଜିର ଖବର ଜାତୀୟ ଖବର

ପ୍ରଥମ ବିଶ୍ବ ଗଣମାଧ୍ୟମ କଂଗ୍ରେସରେ ଉଦବୋଧନ ଦେଲେ ସୂଚନା ଓ ପ୍ରସାରଣ ସଚିବ ଅପୂର୍ବ ଚନ୍ଦ୍ର

ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ସଚିବ ଅୂପୂର୍ବ ଚନ୍ଦ୍ର ବୁଧବାର ଦିନ କହିଛନ୍ତି ଯେ, ଭାରତରେ ୧୨୦ କୋଟି ମୋବାଇଲ ଫୋନ ବ୍ୟବହାରକାରୀ ଏବଂ ୬୦କୋଟି ସ୍ମାର୍ଟଫୋନ୍‌ ବ୍ୟବହାରକାରୀ ରହିଛନ୍ତି। ଇଣ୍ଟରନେଟ ଡାଟା ଦର କମ ଥିବା କାରଣରୁ ଉପଭୋକ୍ତା ବା ୟୁଜରମାନେ ମୋବାଇଲ ଫୋନ ଡିଭାଇସ ମାଧ୍ୟମରେ ଅଧିକ ପରିମାଣରେ ସୂଚନା ଏବଂ ମନୋରଞ୍ଜନ ସେବା ଉପଭୋଗ କରୁଛନ୍ତି। ସାମାଜିକ ଗଣମାଧ୍ୟମ କାରଣରୁ ଭାରତରେ ଲୋକଙ୍କ ନିକଟରେ ଅଧିକ ଦ୍ରୁତ ଗତିରେ ଏବଂ ଗଭୀର ଭାବେ ସୂଚନା ପହଞ୍ଚି ପାରୁଛି। ଏହାର ପ୍ରଭାବ ଏପରିକି ପ୍ରାକୃତିକ ଦୁର୍ବିପାକରେ ଜୀବନହାନିକୁ ହ୍ରାସ କରିପାରିଛି। ସଂଯୁକ୍ତ ଆରବ ଅମୀରତନ୍ତ୍ର (ୟୁଏଇ)ର ଆବୁଧାବି ଠାରେ ଆୟୋଜିତ ପ୍ରଥମ ବିଶ୍ବ ଗଣମାଧ୍ୟମ କଂଗ୍ରେସକୁ ସମ୍ବୋଧିତ କରି ସଚିବ ଶ୍ରୀ ଚନ୍ଦ୍ର ଏହା କହିଛନ୍ତି।

ପ୍ରଥମ ବିଶ୍ବ ଗଣମାଧ୍ୟମ କଂଗ୍ରେସ ଆୟୋଜନ କରୁଥିବା କାରଣରୁ ସଚିବ ଶ୍ରୀ ଚନ୍ଦ୍ର ସଂଯୁକ୍ତ ଆରବ ଅମୀରତନ୍ତ୍ର ସରକାରଙ୍କୁ ପ୍ରଶଂସା କରିଥିଲେ। ଆୟୋଜକ ଦେଶ ସହିତ ଭାରତର ଅନେକ ସମାନତା ରହିଛି ବୋଲି ସେ କହିଥିଲେ। ଭାରତରେ ଗଣମାଧ୍ୟମ ପରିଦୃଶ୍ୟ ସମ୍ପର୍କରେ ଉପସ୍ଥିତ ଶ୍ରୋତାମାନଙ୍କୁ ସଚିବ ଶ୍ରୀ ଚନ୍ଦ୍ର ସୂଚନା ଦେଇଥିଲେ। ସେ କହିଥିଲେ ଯେ ଭାରତ ପାରମ୍ପରିକ ଗଣମାଧ୍ୟମ ଥିବା ଏକ ଦେଶ। ଭାରତରେ ବିଭିନ୍ନ ଭାଷାରେ ୮୯୭ରୁ ଅଧିକ ଟିଭି ଚାନେଲ, ୩୫୦ରୁ ଅଧିକ ନ୍ୟୁଜ୍‌ ଚାନେଲ, ୮୦ ହଜାରରୁ ଅଧିକ ସମ୍ବାଦପତ୍ର ପ୍ରକାଶିତ ଓ ପ୍ରସାରିତ ହେଉଛି। ତେବେ ସମ୍ପ୍ରତି ନ୍ୟୁ ମିଡିଆ ଏବଂ ନୂଆ ପିଢ଼ିର ଗଣମାଧ୍ୟମ ପ୍ରତି ଯୁବପିଢ଼ି ଅଧିକ ଆକୃଷ୍ଟ ହେବା ସହିତ ଏଥିରୁ ସୂଚନା ସଂଗ୍ରହ କରୁଛନ୍ତି। ସଚିବ ଶ୍ରୀ ଚନ୍ଦ୍ର କହିଥିଲେ ଯେ ଏହି ନୂଆ ଗଣମାଧ୍ୟମ ବିଶ୍ବସନୀୟତା ପ୍ରତି ଆହ୍ବାନ ସୃଷ୍ଟି କରିବା ସହିତ ସରକାରଙ୍କ ପାଇଁ ମଧ୍ୟ ସମସ୍ୟା ଛିଡ଼ା କରିଛି।

ସେ ଆହୁରି କହିଥିଲେ ଯେ ସରକାର ଏହି ଧାରା ଉପରେ ନିୟନ୍ତ୍ରଣ କରିବା ଲାଗି ଉପାୟ କରିବା ଆବଶ୍ୟକ ଥିଲା। ଭାରତ ଏ କ୍ଷେତ୍ରରେ ଏକ ସ୍ବନିୟନ୍ତ୍ରିତ ନିୟାମକ ବ୍ୟବସ୍ଥା ନେଇ ଆଗକୁ ଆସିଛି। ପ୍ରଥମ ସ୍ତରର ଅଭିଯୋଗର ସମାଧାନ ସାମାଜିକ ଗଣମାଧ୍ୟମ ସଂଗଠନ ସ୍ତରରେ କରାଯିବାକୁ ଏଥିରେ ସୁନିଶ୍ଚିତ କରାଯାଇଛି।