Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଟାଙ୍ଗିରେ ସେକ୍ସ ରାକେଟ ଚାଲିଥିବା ବେଳେ ଚଢାଉ କଲା ପୋଲିସ: ଦୁଇ ମହିଳାଙ୍କ ସମେତ ୩ ଗିରଫ

ସୀତାରାମ ଅଗ୍ରୱାଲ

ଟାଙ୍ଗି: ସହରରେ ପୋଲିସ୍ ର ବ୍ୟାପକ ଚଢାଉ ପରେ ଏବେ ରାଣୀ ମହୁମାଛିମାନେ ଗାଁ ମୁହାଁ ହେବାରେ ଲାଗିଛନ୍ତି। ଗାଁ ଗହଳିର ବିବାହିତା ମହିଳା, ଯୁବତୀମାନଙ୍କୁ ପ୍ରଲୋଭନ ଦେଖାଇ ସେମାନେ ସେକ୍ସ ରାକେଟରେ ନିୟୋଜିତ କରୁଛନ୍ତି। ଏଭଳି ଘଟଣା ଆଜି ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀରେ ଦେଖିବାକୁ ମିଳିଛି।

ସୂଚନା ଅନୁଯାୟୀ, ଟାଙ୍ଗି ବ୍ଲକ ମୁଖ୍ୟ ରାସ୍ତା କଡରେ ଏକ ସେକ୍ସ ରେକେଟ ଚାଲିଥିବାର ବିଶେଷ ସୂତ୍ରରୁ ପୋଲିସ ଖବର ପାଇଥିଲା। ଏହାପରେ ପୋଲିସ ଉକ୍ତ ଘର ଉପରେ ଯୋଜନାବଦ୍ଧ ଭାବେ ଚଢାଉ କରିଥିଲା। ଯେଉଁ ଜାଗାରେ ଏହି ସେକ୍ସ ରାକେଟ ଚାଲିଥିଲା, ସେହି ଘର ଚତୁଃପାର୍ଶ୍ଵରେ ବ୍ଲକ ଅଫିସ୍ ଠାରୁ ଆରମ୍ଭ କରି ତହସିଲ ଅଫିସ ପର୍ଯ୍ୟନ୍ତ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ରହିଥିଲା। ଚଢାଉ ପରେ ଏଠାରୁ ଦୁଇ ଜଣ ମହିଳାଙ୍କ ସମେତ ୩ ଜଣଙ୍କୁ ପୋଲିସ ଅଟକ ରଖିଛି। ଅଟକ ରହିଥିବା ମହିଳା ଜଣଙ୍କ ଏହି ସେକ୍ସ ରେକେଟର ରାଣୀ ମହୁମାଛି ବୋଲି ଜଣାପଡିଛି। ତାଙ୍କର ନାମ ସୁନିତା ମଲ୍ଲିକ ବୋଲି ପୋଲିସ ସୂଚନା ଦେଇଛି।

ତେବେ ସେଠାରୁ ବହୁ ଆପତ୍ତିଜନକ ସାମଗ୍ରୀ ଜବତ କରିଛି ପୋଲିସ। ବର୍ତ୍ତମାନ ଏହାକୁ ନେଇ ପୋଲିସର ତଦନ୍ତ ଆରମ୍ଭ ହୋଇଯାଇଛି। ଏଥିରେ କେବଳ ସେହି ମହିଳା ଜଣଙ୍କ ସାମିଲ ଅଛନ୍ତି, ନା ତାଙ୍କ ସହ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି, ତାହା ତଦନ୍ତ ପରେ ସ୍ପଷ୍ଟ ଜଣାପଡିବ।