Categories
ଆଜିର ଖବର ରାଜ୍ୟ ଖବର

ମିଲରମାନଙ୍କ ମନମାନି: ମଣ୍ଡିରୁ କିଣୁନାହାନ୍ତି ଧାନ, ବାଣପୁର ତହସିଲ ଘେରାଉ କଲେ ଉତ୍ତ୍ୟକ୍ତ ଚାଷୀ

ସୀତାରାମ ଅଗ୍ରୱାଲ

ବାଣପୁର: ସମଗ୍ର ରାଜ୍ୟରେ ଧାନ ମଣ୍ଡି ଖୋଲିବା ଏବଂ ଧାନ ବିକ୍ରିକୁ ନେଇ ଦେଖାଯାଉଛି ଚାଷୀ ଉତ୍ତେଜନା। ତେବେ ଏଥିରୁ ବାଦ ପଡିନି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଅଞ୍ଚଳ। ଗତ ୧୩ ତାରିଖରେ ବାଣପୁର ବ୍ଲକ ଏବଂ ଏନଏସି ର ସମସ୍ତ ୧୩ ଗୋଟି ସେବା ସମବାୟ ସମିତିର ଶତାଧିକ ଚାଷୀ ମାନେ ବାଣପୁର ତହସିଲଦାରଙ୍କୁ ଭେଟି ଯଥାଶୀଘ୍ର କିପରି ସମସ୍ତ ସୋସାଇଟିରେ ଧାନ ମଣ୍ଡି ଖୋଲିବ ଏବଂ ଉଚିତ ମୂଲ୍ୟରେ ଧାନ ବିକ୍ରି ହେବ ସେ ନେଇ ଏକ ଦାବିପତ୍ର ପ୍ରଦାନ କରିଥିଲେ।

ତେବେ ଗତକାଲି ବାଣପୁର ଏନଏସି ବଡ଼ହନ୍ତୁଆଡ଼ ସେବା ସମବାୟ ସମିତିରେ ଧାନ ମଣ୍ଡି ଖୋଲିଥିବାବେଳେ ଏହାକୁ ତହସିଲଦାର ଉଦଘାଟନ କରିଥିଲେ। କିନ୍ତୁ ମିଲରମାନେ ଆସି ଧାନ ନିରୀକ୍ଷଣ କରି ମାନ ଉତ୍କୃଷ୍ଟ ନଥିବା କହି ଧାନ ନକିଣି ଫେରିଯାଇଥିଲେ। ଏହାପରେ ନିୟନ୍ତ୍ରିତ ବଜାର କମିଟିର ଅଧିକାରୀ ଉକ୍ତ ସ୍ଥାନକୁ ଆସି ଧାନର ମାନ ନିରୀକ୍ଷଣ କରିଥିଲେ ସୁଦ୍ଧା ମିଲର ମାନେ ଚାଷୀଙ୍କଠାରୁ ଧାନ କିଣୁନାହାନ୍ତି। ଯାହାଦ୍ୱାରା ଦୀର୍ଘ ଦୁଇ ଦିନ ହେଲା ଚାଷୀମାନେ ଶୀତ କାକରରେ ପଡ଼ି ନିଜ ଅମଳ ଧାନକୁ ଜଗି ରହିଛନ୍ତି।

ତେବେ ଆଜି ଏହାର ପ୍ରତିବାଦରେ ଏବଂ ସ୍ଥାୟୀ ସମାଧାନ ଦାବିରେ ୧୩ ଗୋଟି ସୋସାଇଟିର ଶତାଧିକ ଚାଷୀ ବାଣପୁର ତହସିଲଦାରଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ଯଥାଶୀଘ୍ର ଉକ୍ତ ସମସ୍ୟାର ସମାଧାନ ଦାବିରେ ଆନ୍ଦୋଳନ କରିଥିଲେ। ଏବଂ ତହସିଲଦାରଙ୍କୁ ଦୁଇ ଦିନ ମଧ୍ୟରେ ଉକ୍ତ ସମସ୍ୟାର ସମାଧାନ କରିବା ନିମନ୍ତେ ଦାବିପତ୍ର ପ୍ରଦାନ କରିଥିଲେ। ଯଦି ଏହାର କିଛି ସୁଫଳ ନମିଳେ ତେବେ ଆଗାମୀ ଦିନରେ ଚାଷୀମାନେ ରାଜରାସ୍ତାଙ୍କୁ ଓଲ୍ହାଇବାକୁ ପଛାଇବେ ନାହିଁ ବୋଲି ଗଣମାଧ୍ୟମକୁ କହିଛନ୍ତି।

କିନ୍ତୁ ଏ ନେଇ ବାଣପୁର ତହସିଲଦାର କୁଞ୍ଜବିହାରୀ ବଡ଼ଜେନାଙ୍କୁ ପଚାରିବାରୁ ସେ ଉକ୍ତ ସମସ୍ୟା ଖୋର୍ଦ୍ଧା ଉପଜିଲ୍ଲାପାଳ ଏବଂ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଅବଗତ କରାଇଛନ୍ତି ଏବଂ ଏବାବଦରେ ଆଜି ମିଲରମାନଙ୍କ ସହ ଏକ ବୈଠକ ଜାରିରହିଥିବାର ଜିଲ୍ଲା ଯୋଗାଣ ଅଧିକାରୀ କହିଛନ୍ତି। ତେବେ ଖୁବଶୀଘ୍ର ଉକ୍ତ ସମସ୍ୟାର ସମାଧାନ ହେବ ବୋଲି ତହସିଲଦାର କହିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଚିଲିକା ବ୍ଲକର ସରକାରୀ ମଣ୍ଡିରେ ଧାନ ବିକ୍ରି: ୧୦ ଦିନ ପରେ ବି ଚାଷୀଙ୍କୁ ମିଳୁନି ଟଙ୍କା

ସୀତାରାମ ଅଗ୍ରୱାଲ
ଚିଲିକା: ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସେବା ସମବାୟ ସମିତି ତରଫରୁ ସରକାର ପଞ୍ଜିକୃତ ଚାଷୀମାନଙ୍କ ଠାରୁ ଧାନ କିଣିଛନ୍ତି। କିନ୍ତୁ ସରକାରି ଘୋଷଣା ମୁତାବକ ଧାନ କିଣା ପରେ ସମ୍ପୃକ୍ତ ଚାଷୀଙ୍କର ଆଖି ଦ୍ୱାରା ଆଧାର ଭେରୀଫିକେସନ ପ୍ରକ୍ରିୟା ଦ୍ବାରା ଧାନ ବିକ୍ରିର ସଠିକ ମୂଲ୍ୟ ଚାଷୀର ପଞ୍ଜିକୃତ ବ୍ୟାଙ୍କକୁ ୨୪ ଘଣ୍ଟା ମଧ୍ୟରେ ଟଙ୍କା ଜମା ହେବା କଥା। କିନ୍ତୁ ବିଗତ ଡିସେମ୍ବର ମାସର ପ୍ରଥମ ଗୋଟିଏ ଦୁଇଟି ମଣ୍ଡି ଛାଡିଦେଲେ ଅଧୁନା ଜାନୁଆରୀ ମାସର ୧ ତାରିଖରୁ ଆଜି ଯାଏଁ ପ୍ରଶାସନ ଧାନ କିଣାରେ ବ୍ୟସ୍ତ ଥିବାବେଳେ ଚାଷୀମାନଙ୍କର ଖାତାକୁ ଟଙ୍କା ଆସୁନାହିଁ।

ପରିସ୍ଥିତି ଏପରି ହୋଇଛି ଯେ, ଚାଷୀ ଶୋଷଣ ନୀତିରେ ଧାନ ମଣ୍ଡି ଚାଲୁଛି। ରାଜନେତା ମାନେ ଧାନ ମଣ୍ଡି ଉଦଘାଟନ କରି ବାହାବା ନେଉଥିବା ବେଳେ ଏଭଳି ପରିସ୍ଥିତିରେ ସମ୍ପୂର୍ଣ୍ଣ ଆଖି ବୁଜିଦେଇଛନ୍ତି। ଧାନ ନେଉଥିବା ମିଲର ମାନଙ୍କର ପ୍ରଶାସନ ସହ ମଧୁଚନ୍ଦ୍ରିକା ଯୋଗୁଁ ଚାଷୀ ମାନେ ବିଭିନ୍ନ ସମୟରେ ଅସୁବିଧା ଭୋଗୁଛନ୍ତି ବୋଲି ଅଭିଯୋଗ ହେଉଛି। ଏପରିକି ଟୋକନ୍ ପାଇଥିବା ଚାଷୀ ନିର୍ଦ୍ଦିଷ୍ଟ ତାରିଖରେ ଧାନ ବିକ୍ରି କରିପାରୁନାହିଁ। ଟୋକନ୍ ତାରିଖର ୧୫ଦିନ ବିଳମ୍ବରେ ଧାନ ନେଉଛନ୍ତି ମିଲର।

ସରକାରୀ ନିର୍ଦ୍ଦେଶ ମୁତାବକ ଟୋକନ୍ ନମ୍ବର ପଞ୍ଜିକୃତ ତାରିଖଠାରୁ ୧୫ଦିନ ବିଳମ୍ବରେ ଉଠୁଛି ଧାନ। ଧାନ ବିକ୍ରି ହେବାର ୧୦ ଦିନ ପରେବି ଚାଷୀକୁ ତାର ପ୍ରାପ୍ୟ ମିଳୁନି। ଚାଷୀ ବ୍ୟାଙ୍କକୁ ସୋସାଇଟି ଧାଇଁ ଧାଇଁ ନୟାନ୍ତ। ଅପରପକ୍ଷରେ ଏଭଳି ସମସ୍ୟା ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଳକ୍ ଅଧିନସ୍ଥ ଜରିପଡ଼ା, ସୋରଣ, ବିରିବାଡି, ନଇରି, ଚଣ୍ଡେଶ୍ଵର ଆଦି ସେବା ସମବାୟ ସମିତିର ଶହ ଶହ ଚାଷୀ ବର୍ଷାକୁ ଚାତକ ଚାହିଁ ରହିବା ଭଳି ବର୍ଷ କର ରୋଜଗାରକୁ ଅନେଇ ରହିଛନ୍ତି।

ଅଧୁନା ଧାନ ଚାଷ ବ୍ୟୟବହୁଳ ସହ ଚାଷୀ ତାର ପରମ୍ପରା ବଜାୟ ରଖି କ୍ଷତିରେ ଚାଲୁଥିବା ବେଳେ ସରକାରଙ୍କର ନିର୍ଦ୍ଦୟ ମନୋଭାବ ସହ ଟାଳଟୁଳ ନୀତି ଯୋଗୁଁ ଚାଷୀ ତାର ହକ୍ ପାଇବାରୁ ବଞ୍ଚିତ ହେଉଛି। ଚାଷୀ ମାନଙ୍କର ଧାନ ବିକ୍ରି ପଇସା କେବେ ପ୍ରାପ୍ୟ ହେବ ଏନେଇ ଆମ ପ୍ରତିନିଧି ଖୋର୍ଦ୍ଧା ଜିଲ୍ଲାର ଯୋଗାଣ ବିଭାଗ ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ତାଙ୍କ ନମ୍ବର ବନ୍ଦ ଥିଲା।

ତେବେ ଜିଲ୍ଲା ସହକାରୀ ଯୋଗାଣ ଅଧିକାରୀ ନରସିଂହ ପଣ୍ଡାଙ୍କୁ ଯୋଗାଯୋଗ କରିବାରୁ ସେ କହିଥିଲେ ଏବାବଦରେ ଉତ୍ତର ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଡ଼ି.ଇ.ଓ ଦେଇପାରିବେ ଏବଂ କିଛି ତ୍ରୁଟି ଲାଗି ପଇସା ମିଳିପାରିନଥିବ। ଚାଷୀମାନେ ଟିକେ ଅପେକ୍ଷା କରନ୍ତୁ ବିଳମ୍ବ ହେଲେବି ପଇସା ନିଶ୍ଚିତ ମିଳିବ।

ଏଠାରେ ପ୍ରଶ୍ନ ଉଠେ ଯେ ସରକାର ଘୋଷଣା ମୁତାବକ ଚାଷୀ ଧାନ ବିକିବାର ୨୪ ଘଣ୍ଟା ରେ ବ୍ୟାଙ୍କ ଖାତାରେ ଚାଷୀର ପ୍ରାପ୍ୟ ମିଳିବ। ତେବେ ଏହା କେତେଦୂର ଫଳପ୍ରଦ ତାହା ଏଥିରୁ ସ୍ପଷ୍ଟ ଅନୁମେୟ। ଆଗକୁ ଏ ବିବାଦର ସମାଧାନ ନହେଲେ ଚାଷୀ ଧାନ ମଣ୍ଡି ଘେରାଉ ସହ ରାଜରାସ୍ତାକୁ ଆସିବାର ଧମକ ଦେଲେଣି। ତୁରନ୍ତ ଏ ଦିଗରେ ଖୋର୍ଦ୍ଧା ଜିଲ୍ଲାପାଳ ଦୃଷ୍ଟି ଦେବା ସହ ଯୋଗାଣ ବିଭାଗର ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଦାବି ହେଉଛି। ନଚେତ ଚାଷୀ ସମାବେଶ ପାଇଁ ସରକାର ପ୍ରସ୍ତୁତ ରୁହନ୍ତୁ ବୋଲି ଚାଷୀମାନେ ଧମକ ଦେଇଛନ୍ତି।

Categories
ଆଞ୍ଚଳିକ

ଡଇଁଚା ସେବା ସମବାୟ ସମିତି ତରଫରୁ ମାକ୍ସ ବଂଟନ

କନ୍ଦର୍ପ ବେହେରା
ରେଢାଖୋଲ: ନାକଟିଦେଉଳ ବ୍ଲକ ଡଇଁଚା ଗ୍ରାମରେ ଥିବା ସେବା ସମବାୟ ସମିତି ତରଫରୁ ମାକ୍ସ ବଂଟନ କରାଯାଇଛି। ସମିତିର ସଂପାଦକ ଆର୍ତ୍ତତ୍ରାଣ ରାଉଳ ୫ ଟି ପଂଚାୟତର ସହସ୍ରାଧିକ ଚାଷୀଭାଇମାନଙ୍କୁ ମାକ୍ସବଂଟନ କରିଥିଲେ। ସାରା ଦେଶରୁ କରୋନା ମହାମାରୀକୁ କିପରି ବିନାଶ କରିବା ସେ ସଂପର୍କରେ ଚାଷୀମାନଙ୍କୁ ସଂପାଦକ ଆର୍ତ୍ତତ୍ରାଣ ରାଉଳ ସଚେତନତାର ବାର୍ତ୍ତା ଦେଇଥିଲେ। ସମସ୍ତେ ବାହାରକୁ ବାହାରିଲେ ଦୂରତା ରକ୍ଷା କରିବା, ମାକ୍ସ ପିନ୍ଧିବା, ପ୍ରବାସୀ ମାନଙ୍କୁ ସହଯୋଗର ହାତ ବଢାଇବା ପାଇଁ ସଂପାଦକ ଆହ୍ୱାନ ଦେଇଥିଲେ। ଅଯଥା ପ୍ରବାସୀ ମାନଙ୍କୁ ଗ୍ରାମାଂଚଳର ଲୋକମାନେ ହଇରାଣ ନ କରି ସେମାନେ ଆମର ଭାଇ ଟିଏ ବୋଲି ଆଦର କରିବା ସହ ସେମାନେ ମଧ୍ୟ ସାମାଜିକ ଦୂରତା ବଜାୟ ରଖିବାକୁ ଆମେ ସମସ୍ତେ ସେମାନଙ୍କୁ ସଚେତନତାର ବାର୍ତ୍ତା ଦେବା ବୋଲି ପ୍ରକାଶ କରିଥିଲେ। ସମିତିର ସମସ୍ତ କର୍ମକର୍ତ୍ତା, ଚାଷୀମାନେ ଉପସ୍ଥିତ ଥିଲେ।