ମିଲରମାନଙ୍କ ମନମାନି: ମଣ୍ଡିରୁ କିଣୁନାହାନ୍ତି ଧାନ, ବାଣପୁର ତହସିଲ ଘେରାଉ କଲେ ଉତ୍ତ୍ୟକ୍ତ ଚାଷୀ

Published: Jan 18, 2022, 5:33 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ସମଗ୍ର ରାଜ୍ୟରେ ଧାନ ମଣ୍ଡି ଖୋଲିବା ଏବଂ ଧାନ ବିକ୍ରିକୁ ନେଇ ଦେଖାଯାଉଛି ଚାଷୀ ଉତ୍ତେଜନା। ତେବେ ଏଥିରୁ ବାଦ ପଡିନି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଅଞ୍ଚଳ। ଗତ ୧୩ ତାରିଖରେ ବାଣପୁର ବ୍ଲକ ଏବଂ ଏନଏସି ର ସମସ୍ତ ୧୩ ଗୋଟି ସେବା ସମବାୟ ସମିତିର ଶତାଧିକ ଚାଷୀ ମାନେ ବାଣପୁର ତହସିଲଦାରଙ୍କୁ ଭେଟି ଯଥାଶୀଘ୍ର କିପରି ସମସ୍ତ ସୋସାଇଟିରେ ଧାନ ମଣ୍ଡି ଖୋଲିବ ଏବଂ ଉଚିତ ମୂଲ୍ୟରେ ଧାନ ବିକ୍ରି ହେବ ସେ ନେଇ ଏକ ଦାବିପତ୍ର ପ୍ରଦାନ କରିଥିଲେ।

ତେବେ ଗତକାଲି ବାଣପୁର ଏନଏସି ବଡ଼ହନ୍ତୁଆଡ଼ ସେବା ସମବାୟ ସମିତିରେ ଧାନ ମଣ୍ଡି ଖୋଲିଥିବାବେଳେ ଏହାକୁ ତହସିଲଦାର ଉଦଘାଟନ କରିଥିଲେ। କିନ୍ତୁ ମିଲରମାନେ ଆସି ଧାନ ନିରୀକ୍ଷଣ କରି ମାନ ଉତ୍କୃଷ୍ଟ ନଥିବା କହି ଧାନ ନକିଣି ଫେରିଯାଇଥିଲେ। ଏହାପରେ ନିୟନ୍ତ୍ରିତ ବଜାର କମିଟିର ଅଧିକାରୀ ଉକ୍ତ ସ୍ଥାନକୁ ଆସି ଧାନର ମାନ ନିରୀକ୍ଷଣ କରିଥିଲେ ସୁଦ୍ଧା ମିଲର ମାନେ ଚାଷୀଙ୍କଠାରୁ ଧାନ କିଣୁନାହାନ୍ତି। ଯାହାଦ୍ୱାରା ଦୀର୍ଘ ଦୁଇ ଦିନ ହେଲା ଚାଷୀମାନେ ଶୀତ କାକରରେ ପଡ଼ି ନିଜ ଅମଳ ଧାନକୁ ଜଗି ରହିଛନ୍ତି।

ତେବେ ଆଜି ଏହାର ପ୍ରତିବାଦରେ ଏବଂ ସ୍ଥାୟୀ ସମାଧାନ ଦାବିରେ ୧୩ ଗୋଟି ସୋସାଇଟିର ଶତାଧିକ ଚାଷୀ ବାଣପୁର ତହସିଲଦାରଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ଯଥାଶୀଘ୍ର ଉକ୍ତ ସମସ୍ୟାର ସମାଧାନ ଦାବିରେ ଆନ୍ଦୋଳନ କରିଥିଲେ। ଏବଂ ତହସିଲଦାରଙ୍କୁ ଦୁଇ ଦିନ ମଧ୍ୟରେ ଉକ୍ତ ସମସ୍ୟାର ସମାଧାନ କରିବା ନିମନ୍ତେ ଦାବିପତ୍ର ପ୍ରଦାନ କରିଥିଲେ। ଯଦି ଏହାର କିଛି ସୁଫଳ ନମିଳେ ତେବେ ଆଗାମୀ ଦିନରେ ଚାଷୀମାନେ ରାଜରାସ୍ତାଙ୍କୁ ଓଲ୍ହାଇବାକୁ ପଛାଇବେ ନାହିଁ ବୋଲି ଗଣମାଧ୍ୟମକୁ କହିଛନ୍ତି।

କିନ୍ତୁ ଏ ନେଇ ବାଣପୁର ତହସିଲଦାର କୁଞ୍ଜବିହାରୀ ବଡ଼ଜେନାଙ୍କୁ ପଚାରିବାରୁ ସେ ଉକ୍ତ ସମସ୍ୟା ଖୋର୍ଦ୍ଧା ଉପଜିଲ୍ଲାପାଳ ଏବଂ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଅବଗତ କରାଇଛନ୍ତି ଏବଂ ଏବାବଦରେ ଆଜି ମିଲରମାନଙ୍କ ସହ ଏକ ବୈଠକ ଜାରିରହିଥିବାର ଜିଲ୍ଲା ଯୋଗାଣ ଅଧିକାରୀ କହିଛନ୍ତି। ତେବେ ଖୁବଶୀଘ୍ର ଉକ୍ତ ସମସ୍ୟାର ସମାଧାନ ହେବ ବୋଲି ତହସିଲଦାର କହିଛନ୍ତି।

Related posts