Categories
ଆଜିର ଖବର ଜାତୀୟ ଖବର

ଦେଶର ସମସ୍ତ ସମବାୟ ସମିତିକୁ ସୁଦୃଢ଼ କରିବାକୁ ଅନେକ ପଦକ୍ଷେପ ନେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଏବଂ କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ ମାର୍ଗଦର୍ଶନରେ ଭାରତ ସରକାର ଦେଶର ସମସ୍ତ ସମବାୟ ସମିତିକୁ ସୁଦୃଢ଼ କରିବା ପାଇଁ ଅନେକ ପଦକ୍ଷେପ ନେଇଛନ୍ତି।

ଏହି କ୍ରମରେ ସମସ୍ତ ୨୮ଟି ରାଜ୍ୟ ଓ ୮ଟି କେନ୍ଦ୍ରଶାସିତ ପ୍ରଦେଶରେ ଥିବା ସମବାୟ ନିବନ୍ଧକ ଏବଂ ୧୩ଟି ରାଜ୍ୟରେ କାର୍ଯ୍ୟକରୁଥିବା ୧୮୫୧ଟି କୃଷି ଓ ଗ୍ରାମ୍ୟ ଉନ୍ନୟନ ବ୍ୟାଙ୍କ (ଏଆରଡିବି)ର କମ୍ପ୍ୟୁଟରୀକରଣ ଓ ଅଧିକ କ୍ଷମତା ପ୍ରଦାନ କରିବା ପାଇଁ କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ।

ଦେଶର ସମସ୍ତ ପ୍ରାଥମିକ କୃଷି ଋଣ ସମିତି (ପିଏସିଏସ୍)ର କମ୍ପ୍ୟୁଟରୀକରଣ ଅନୁରୂପ, ଏକ ଜାତୀୟ ସମନ୍ୱିତ ସଫ୍ଟୱେର୍ ମାଧ୍ୟମରେ ୧୩ଟି ରାଜ୍ୟରେ କାର୍ଯ୍ୟ କରୁଥିବା ୧୮୫୧ଟି କୃଷି ଓ ଗ୍ରାମୀଣ ଉନ୍ନୟନ ବ୍ୟାଙ୍କ (ଏଆରଡିବି)ଗୁଡ଼ିକର ସମସ୍ତ ୟୁନିଟର କମ୍ପ୍ୟୁଟରୀକରଣ କରାଯିବ । ସେହିପରି ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ସମବାୟ ସମିତି ନିବନ୍ଧକ କାର୍ଯ୍ୟାଳୟଗୁଡ଼ିକର କମ୍ପ୍ୟୁଟରୀକରଣ କରାଯାଇ ସେଗୁଡ଼ିକୁ ଅଧିକ କ୍ଷମତା ସମ୍ପନ୍ନ କରାଯିବ । ଏଥିନିମନ୍ତେ ଏକ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନାକୁ ଅନୁମୋଦନ ମିଳିଛି।

ଏହି ଯୋଜନା ପାଇଁ ଏକ କେନ୍ଦ୍ରୀୟ ପ୍ରକଳ୍ପ ମନିଟରିଂ ୟୁନିଟ୍ (ପିଏମୟୁ) ଗଠନ କରାଯିବ ଯାହା ଯୋଜନାର ସଫଳ ରୂପାୟନ ପାଇଁ କାର୍ଯ୍ୟ କରିବ। ଯୋଜନାରେ ମୋଟ୍‌ ଆନୁମାନିକ ୨୨୫.୦୯ କୋଟି ଟଙ୍କା ବ୍ୟୟ କରାଯିବ ।

ଏହି ଯୋଜନା କାର୍ଯ୍ୟକାରୀ ହେଲେ ଗୋଟିଏ ପଟେ ରାଜ୍ୟ ସମବାୟ ବିଭାଗ ଓ କୃଷି ଓ ଗ୍ରାମ୍ୟ ଉନ୍ନୟନ ବ୍ୟାଙ୍କ (ଏଆରଡିବି)ର କାର୍ଯ୍ୟାଳୟରୁ ଲୋକମାନେ ଶୀଘ୍ର ଉପଲବ୍ଧ ହେଉଥିବା ସେବା ପାଇପାରିବେ। ଅନ୍ୟପଟେ ଏହି କାର୍ଯ୍ୟାଳୟଗୁଡ଼ିକର କାର୍ଯ୍ୟରେ ସ୍ୱଚ୍ଛତା ଓ ସମାନତା ଆସିବ, ଯାହା କାର୍ଯ୍ୟ ଦକ୍ଷତା ବୃଦ୍ଧି କରିବା ସହ ସମୟ ସଞ୍ଚୟ କରିବ ।

Categories
ଆଜିର ଖବର ରାଜ୍ୟ ଖବର

ମିଲରମାନଙ୍କ ମନମାନି: ମଣ୍ଡିରୁ କିଣୁନାହାନ୍ତି ଧାନ, ବାଣପୁର ତହସିଲ ଘେରାଉ କଲେ ଉତ୍ତ୍ୟକ୍ତ ଚାଷୀ

ସୀତାରାମ ଅଗ୍ରୱାଲ

ବାଣପୁର: ସମଗ୍ର ରାଜ୍ୟରେ ଧାନ ମଣ୍ଡି ଖୋଲିବା ଏବଂ ଧାନ ବିକ୍ରିକୁ ନେଇ ଦେଖାଯାଉଛି ଚାଷୀ ଉତ୍ତେଜନା। ତେବେ ଏଥିରୁ ବାଦ ପଡିନି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଅଞ୍ଚଳ। ଗତ ୧୩ ତାରିଖରେ ବାଣପୁର ବ୍ଲକ ଏବଂ ଏନଏସି ର ସମସ୍ତ ୧୩ ଗୋଟି ସେବା ସମବାୟ ସମିତିର ଶତାଧିକ ଚାଷୀ ମାନେ ବାଣପୁର ତହସିଲଦାରଙ୍କୁ ଭେଟି ଯଥାଶୀଘ୍ର କିପରି ସମସ୍ତ ସୋସାଇଟିରେ ଧାନ ମଣ୍ଡି ଖୋଲିବ ଏବଂ ଉଚିତ ମୂଲ୍ୟରେ ଧାନ ବିକ୍ରି ହେବ ସେ ନେଇ ଏକ ଦାବିପତ୍ର ପ୍ରଦାନ କରିଥିଲେ।

ତେବେ ଗତକାଲି ବାଣପୁର ଏନଏସି ବଡ଼ହନ୍ତୁଆଡ଼ ସେବା ସମବାୟ ସମିତିରେ ଧାନ ମଣ୍ଡି ଖୋଲିଥିବାବେଳେ ଏହାକୁ ତହସିଲଦାର ଉଦଘାଟନ କରିଥିଲେ। କିନ୍ତୁ ମିଲରମାନେ ଆସି ଧାନ ନିରୀକ୍ଷଣ କରି ମାନ ଉତ୍କୃଷ୍ଟ ନଥିବା କହି ଧାନ ନକିଣି ଫେରିଯାଇଥିଲେ। ଏହାପରେ ନିୟନ୍ତ୍ରିତ ବଜାର କମିଟିର ଅଧିକାରୀ ଉକ୍ତ ସ୍ଥାନକୁ ଆସି ଧାନର ମାନ ନିରୀକ୍ଷଣ କରିଥିଲେ ସୁଦ୍ଧା ମିଲର ମାନେ ଚାଷୀଙ୍କଠାରୁ ଧାନ କିଣୁନାହାନ୍ତି। ଯାହାଦ୍ୱାରା ଦୀର୍ଘ ଦୁଇ ଦିନ ହେଲା ଚାଷୀମାନେ ଶୀତ କାକରରେ ପଡ଼ି ନିଜ ଅମଳ ଧାନକୁ ଜଗି ରହିଛନ୍ତି।

ତେବେ ଆଜି ଏହାର ପ୍ରତିବାଦରେ ଏବଂ ସ୍ଥାୟୀ ସମାଧାନ ଦାବିରେ ୧୩ ଗୋଟି ସୋସାଇଟିର ଶତାଧିକ ଚାଷୀ ବାଣପୁର ତହସିଲଦାରଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ଯଥାଶୀଘ୍ର ଉକ୍ତ ସମସ୍ୟାର ସମାଧାନ ଦାବିରେ ଆନ୍ଦୋଳନ କରିଥିଲେ। ଏବଂ ତହସିଲଦାରଙ୍କୁ ଦୁଇ ଦିନ ମଧ୍ୟରେ ଉକ୍ତ ସମସ୍ୟାର ସମାଧାନ କରିବା ନିମନ୍ତେ ଦାବିପତ୍ର ପ୍ରଦାନ କରିଥିଲେ। ଯଦି ଏହାର କିଛି ସୁଫଳ ନମିଳେ ତେବେ ଆଗାମୀ ଦିନରେ ଚାଷୀମାନେ ରାଜରାସ୍ତାଙ୍କୁ ଓଲ୍ହାଇବାକୁ ପଛାଇବେ ନାହିଁ ବୋଲି ଗଣମାଧ୍ୟମକୁ କହିଛନ୍ତି।

କିନ୍ତୁ ଏ ନେଇ ବାଣପୁର ତହସିଲଦାର କୁଞ୍ଜବିହାରୀ ବଡ଼ଜେନାଙ୍କୁ ପଚାରିବାରୁ ସେ ଉକ୍ତ ସମସ୍ୟା ଖୋର୍ଦ୍ଧା ଉପଜିଲ୍ଲାପାଳ ଏବଂ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଅବଗତ କରାଇଛନ୍ତି ଏବଂ ଏବାବଦରେ ଆଜି ମିଲରମାନଙ୍କ ସହ ଏକ ବୈଠକ ଜାରିରହିଥିବାର ଜିଲ୍ଲା ଯୋଗାଣ ଅଧିକାରୀ କହିଛନ୍ତି। ତେବେ ଖୁବଶୀଘ୍ର ଉକ୍ତ ସମସ୍ୟାର ସମାଧାନ ହେବ ବୋଲି ତହସିଲଦାର କହିଛନ୍ତି।

Categories
ଅପରାଧ ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ବାଣପୁର: ସମବାୟ ସମିତିରେ ମହାଦୁର୍ନୀତି, କର୍ମଚାରୀ ଖାଇଗଲେ ଗରିବ ଚାଷୀଙ୍କ ୬ ଲକ୍ଷ ଟଙ୍କା

ସୀତାରାମ ଅଗ୍ରୱାଲ

ବାଣପୁର: ବର୍ତ୍ତମାନ ସାରା ରାଜ୍ୟରେ ଚାଷୀମାନଙ୍କ ମଣ୍ଡି ସମସ୍ୟାକୁ ନେଇ ବିରୋଧ ଦଳ ଆନ୍ଦୋଳନ ଜାରି ରଖିଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ହଳନ୍ଦା ସମବାୟ ସମିତିରେ ଏକ ବଡ଼ ଦୁର୍ନୀତିର ଗୁମର ଫିଟିଛି। ଗୋଟିଏ ପଟେ ଚାଷୀ ମାନଙ୍କୁ ରାଜ୍ୟ ସରକାର ପ୍ରାଧାନ୍ୟ ଦେଉଥିବା ବେଳେ ଅପରପକ୍ଷରେ ଚାଷୀ ମାନଙ୍କୁ ଲୁଟିବାରେ ଲାଗିଛନ୍ତି ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ସଂସ୍ଥାମାନ।

ଅଭିଯୋଗ ମୁତାବକ ହଳନ୍ଦା ସମବାୟ ସମିତି ଅଧୀନରେ ଥିବା ହଳନ୍ଦା, ବଡ଼ସିରେଇପୁର, ଅରଖଡିହ, ବେରୁଆଁବାଡ଼ି, ସାଲୁଣି ଏବଂ କୋଳଥଡିହ ଗ୍ରାମର ପାଖାପାଖି ୩୦ ଜଣ ଚାଷୀ ଗତ ମାର୍ଚ୍ଚ ମାସ ୧୯ ତାରିଖରୁ ସେମାନଙ୍କ ଧାନ ବିକ୍ରି କରିଥିଲେ ସୁଧା ଅଦ୍ୟାବଧି ଧାନ ବିକ୍ରି ଟଙ୍କା ସେମାନେ ପାଇନାହାନ୍ତି। ଚାଷୀମାନଙ୍କ କହିବା କଥା ଯେ, ସେମାନେ ହାରାହାରି ୩୨୨ କ୍ୟୁଇଣ୍ଟାଲ ଧାନ ସମବାୟ ସମିତି ଜରିଆରେ ବିକ୍ରି କରିଛନ୍ତି, ଯାହାର ସରକାରୀ ମୂଲ୍ୟ କ୍ୟୁଇଣ୍ଟାଲ ପିଛା  ୧୮୬୮ ଟଙ୍କା ହିସାବରେ ପାଖାପାଖି ୬ ଲକ୍ଷ ଟଙ୍କା ହେବ।

ନିୟମ ମୁତାବକ ଧାନ ବିକ୍ରିର ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କ ବ୍ୟାଙ୍କ ଖାତାକୁ ପଇସା ଆସିବା କଥା। କିନ୍ତୁ ଏହା ଭିତରେ ସାଢେ ତିନି ମାସ ବିତିଯାଇଥିଲେ ମଧ୍ୟ ଚାଷୀଙ୍କ ଆକାଉଣ୍ଟରେ ଏପର୍ଯ୍ୟନ୍ତ ପଇସା ଜମା ହୋଇନାହିଁ। ଏ ନେଇ ବାରମ୍ବାର ଚାଷୀମାନେ ହଳନ୍ଦା ସମବାୟ ସମିତି ଡ଼ିଇଓ ବିପ୍ଳବ ବିଶୋଇଙ୍କୁ ପଚାରିଥିଲେ ମଧ୍ୟ ସେ ବାରମ୍ବାର ବିଭିନ୍ନ ବାହାନା ଦେଖାଇ ଦିନ ଗଡ଼ାଇ ଚାଲିଛନ୍ତି। ଅନୁରୂପ ଭାବେ ସମବାୟ ସମିତି ସମ୍ପାଦକ ଜୟନ୍ତ ରଣସିଂହକୁ ପଚାରିବାରୁ ସେ ମଧ୍ୟ କଥାକୁ ଏଡାଇଦେଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।

ତେବେ ସେମାନଙ୍କ ସନ୍ଦେହ ବଢ଼ିବାରୁ ବାଧ୍ୟ ହୋଇ ଗତକାଲି କିଛି ଚାଷୀ ମାନେ ଖୋର୍ଦ୍ଧା ଜିଲ୍ଲା ସମବାୟ ସମିତି ସହ ନିବନ୍ଧକଙ୍କ ନିକଟକୁ ଯାଇ ଏନେଇ ଅଭିଯୋଗ କରିବା ସହ ଜିଲ୍ଲାପାଳଙ୍କୁ ମଧ୍ୟ ଏକ ପତ୍ର ଦେଇ ଉକ୍ତ ଦୁର୍ନୀତିର ତଦନ୍ତ ପାଇଁ ଦାବି କରିଛନ୍ତି। ଆମ ଚିଲିକା ପ୍ରତିନିଧି ଏନେଇ  ଜିଲ୍ଲା ସମବାୟ ସମିତି ସହ ନିବନ୍ଧକ ଉମାଶଙ୍କର ଦାସଙ୍କୁ ପଚାରିବାରୁ ଉକ୍ତ ଘଟଣା ସତ୍ୟ ବୋଲି ସେ ସ୍ୱୀକାର କରିବା ସହ ଚାଷୀମାନଙ୍କ ଟୋକନର ଅବଧି ଉକ୍ତ ଦିନ ସରିଯାଇଥିଲେ ସୁଦ୍ଧା ଡ଼ିଇଓ ଜାଣିଶୁଣି ସେମାନଙ୍କ ମିଛ ଆଇ ସ୍କାନ କରି ନକଲି ଭେଣ୍ଡର ସ୍ଲିପ ଦେଇ ଧାନଗୁଡିକୁ ବେଆଇନ ଭାବେ ଅନ୍ୟତ୍ର ବିକ୍ରି କରିଦେଇଥିବାର କହିଛନ୍ତି।

ତେବେ ସମବାୟ ସମିତି ସମ୍ପାଦକ ମଧ୍ୟ ଏଥିରେ ସାମିଲ ଅଛନ୍ତି କି ନାହିଁ ପଚାରିବାରୁ ବୁଧବାର ସୁଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାର ଏକ ନିରପେକ୍ଷ ଯାଞ୍ଚ ରିପୋର୍ଟ ପ୍ରସ୍ତୁତ କରାଯିବ ଏବଂ ଯିଏ ଦୋଷୀ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀ ଦାସ କହିଛନ୍ତି।

ଅନୁରୂପ ଭାବେ ଏ ନେଇ ଆମ ପ୍ରତିନିଧି ହଳନ୍ଦା ସମବାୟ ସମିତିର ସମ୍ପାଦକ ଜୟନ୍ତ ରଣସିଂହଙ୍କୁ ଯୋଗାଯୋଗ କରିବାରୁ ସେ ଉକ୍ତ ଘଟଣା ସତ ବୋଲି କହିବା ସହ ହୋଇଥିବା ଦୁର୍ନୀତିକୁ ସ୍ୱୀକାର କରିଛନ୍ତି। ତାଙ୍କ କହିବା ମୁତାବକ ଡ଼ିଇଓ ୨୩ ଜଣ ଚାଷୀଙ୍କ ୩୧୪ କ୍ୟୁଇଣ୍ଟାଲ ଧାନକୁ ୧୭୦୦ (ପ୍ରତି କ୍ୟୁଇଣ୍ଟାଲ) ଟଙ୍କା ହିସାବରେ ୫ ଲକ୍ଷ ୩୪ ହଜାର ଟଙ୍କାରେ ଅନ୍ୟତ୍ର ବିକି ନିଜେ ଚଳୁ କରିଦେଇଛନ୍ତି। ସେହିପରି ଭାବେ ଡ଼ିଇଓଙ୍କୁ ଆମ ପ୍ରତନିଧି ବାରମ୍ବାର ଯୋଗାଯୋଗ କରିଥିଲେ ସୁଦ୍ଧା ତାହା ସମ୍ଭବ ହୋଇପାରିନାହିଁ।

ଗୋଟେ ପକ୍ଷରେ ଚାଷୀମାନେ ଉଭୟ ଡ଼ିଇଓ ଏବଂ ସମ୍ପାଦକ ମିଶିକରି ଏତେବଡ ଦୁର୍ନୀତି କରିଥିବାର କହୁଥିବା ବେଳେ ଅନ୍ୟ ପକ୍ଷରେ ସମ୍ପାଦକ ଡ଼ିଇଓଙ୍କ ମୁଣ୍ଡରେ ଅଠା ବୋଳୁଛନ୍ତି।  ତେବେ ଏପରି ମହାଦୁର୍ନୀତି ଦୀର୍ଘ ତିନି ମାସ ହେଲା ଚାଲିଥିବାବେଳେ ଜିଲ୍ଲା ପ୍ରଶାସନ କିପରି ଏହାର ଟେର ପାଇଲା ନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି।

ଯଥାଶୀଘ୍ର ସମବାୟ ବିଭାଗ ଏବଂ ଖୋର୍ଦ୍ଧା ଜିଲ୍ଲାପାଳ ଦୋଷୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବା ସହ ଗରିବ ଚାଷୀଙ୍କ ପ୍ରାପ୍ୟ ସେମାନେ କିପରି ଫେରିପାଇବେ ସେଦିଗରେ ପଦକ୍ଷେପ ଗ୍ରହଣ କରିବାପାଇଁ ସାଧାରଣରେ ଦାବି ହେଉଛି।