Categories
ଆଜିର ଖବର ଖେଳ ରାଜ୍ୟ ଖବର

ସୋଆ କପ୍ ଉଦ୍‌ଯାପିତ: ଶିକ୍ଷା ସହିତ କ୍ରିଡାକୁ ଗୁରୁତ୍ୱ ଦେବା ଜରୁରୀ ବୋଲି କହିଲେ ଅରୁଣ ଲାଲ

ଭୁବନେଶ୍ୱର: ଛାତ୍ରଛାତ୍ରୀମାନେ ପାଠପଢ଼ା ସହିତ କ୍ରିଡ଼ାରେ ମଧ୍ୟ ମନୋନିବେଶ କରିବା ଜରୁରୀ। ପାଠ ସହିତ କ୍ରିଡ଼ା ସମାନ୍ତରାଳ ଭାବେ ନ ରହିଲେ ଛାତ୍ରଛାତ୍ରୀଙ୍କୁ ଅର୍ଦ୍ଧ ଶିକ୍ଷିତ କୁହାଯିବ ବୋଲି କହିଛନ୍ତି ପୂର୍ବତନ କ୍ରୀକେଟର ତଥା କମେଂଟେଟର୍ ଅରୁଣ ଲାଲ। ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ବାର୍ଷିକ କ୍ରିଡ଼ା ଉତ୍ସବ ସୋଆ କପ୍‌ର ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ଏଭଳି ବକ୍ତବ୍ୟ ରଖିଛନ୍ତି ଲାଲ।

ପାଠପଢ଼ା ସହିତ ଶାରୀରିକ ଓ ମାନସିକ ସୁସ୍ଥତା ମଧ୍ୟ ଜରୁରୀ। ତେଣୁ ନିଜକୁ ଉନ୍ନତ କରିବାକୁ ହେଲେ ଖେଳକୁଦରେ ମଧ୍ୟ ରୁଚି ରଖିବା ଆବଶ୍ୟକ। ଯେ କୌଣସି କ୍ଷେତ୍ର ହେଉ ପଛେ କଠିନ ପରିଶ୍ରମ ଦ୍ୱାରାହିଁ ସଫଳତା ମିଳିପାରିବ ବୋଲି ଭାରତର ପୂର୍ବତନ ଟେଷ୍ଟ ଓପନର କହିଥିଲେ।

ଦକ୍ଷତା, ପାରଦର୍ଶିତା, କଠିନ ପରିଶ୍ରମ, ଅଭ୍ୟାସ ଏବଂ ଇଚ୍ଛାଶକ୍ତି ଦ୍ୱାରା ହିଁ ସଫଳତା ହାସଲ କରିହେବ। ଛାତ୍ରାବସ୍ଥାର ଏହି ସୁବର୍ଣ୍ଣ ସମୟ ଆଉ ଆଗକୁ ଆସିବନି। ତେଣୁ ଏଭଳି ସୁଯୋଗକୁ ହାତଛଡା ନ କରି ନିଜ କର୍ମ ପଥରେ ଅଗ୍ରସର ହେବା ନେଇ ଛାତ୍ରଛାତ୍ରୀଙ୍କୁ ସେ ଆହ୍ୱାନ ଦେଇଛନ୍ତି।

କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ବିଜୟ କୁମାର ସାହୁ ଏବଂ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ବକ୍ତବ୍ୟ ରଖିଥିବା ବେଳେ ସ୍ପୋର୍ଟ୍ସ ଅଫିସର ଶ୍ରୀମତି ସୁନୀତା ବର୍ମା ବାର୍ଷିକ କ୍ରିଡ଼ା ବିବରଣୀ ପ୍ରଦାନ କରିଥିଲେ।

ଲାଲ କୃତି ପତିଯୋଗୀମାନଙ୍କୁ ପୁରସ୍କାର ଓ ଟ୍ରଫି ପ୍ରଦାନ କରିଥିଲେ। ସୋଆ କପ ୨୦୨୨ ଜାନୁଆରୀ ୪ ତାରିଖ ଦିନ ଉଦ୍‌ଘାଟିତ ହୋଇଥିଲା।

ସୋଆର ବିଭିନ୍ନ ଅନୁଷ୍ଠାନ ଏବଂ ଇନ୍‌ଷ୍ଟିୁଚ୍ୟଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌)ର ବିଭିନ୍ନ ବିଭାଗର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ୧୧ ଟି କ୍ରିଡ଼ାକୁ ନେଇ ପ୍ରତିଯୋଗିତା କରାଯାଇଥିଲା।

ଆଇଟିଇଆର୍‌ର କମ୍ପ୍ୟୁଟର୍ ସାଇନ୍‌ସ ଆଣ୍ଡ ଇଞ୍ଜିନିୟରିଂ ବିଭାଗ ଫୁଟବଲ୍‌ରେ ବିଜୟ ହାସଲ କରିଥିବା ବେଳେ ମାଷ୍ଟର ଇନ୍ କମ୍ପ୍ୟୁଟର ଆପ୍ଲିକେସନ୍ ବିଭାଗର ପୁରୁଷ କ୍ରିକେଟ ଟାଇଟଲ୍ ହାସଲ କରିଥିଲା। ସେହିପରି ସ୍କୁଲ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍ (ଏସ୍‌ପିଏସ୍‌) ମହିଳା କ୍ରିକେଟ ଫାଇନାଲରେ ବିଜୟ ହାସଲ କରିଥିଲା।

ସିଏସ୍‌ଇର ଅମ୍ଳାନ୍ ପ୍ରଧାନ ପୁରୁଷ ବିଭାଗରେ ଚେସ୍ ଚାମ୍ପିଅନ୍ ହୋଇଥିବା ବେଳେ ମହିଳାମାନଙ୍କ କ୍ଷେତ୍ରରେ ସ୍ନିଲ୍‌ର ହ୍ରିମାଦ୍ରୀ ସାଇକିଆ ବିଜୟ ହାସଲ କରିଥିଲେ। ସେହିପରି ସିଏସ୍‌ଇର ଅବିନାଶ ତ୍ରୀପାଠି ଏବଂ ସ୍ନିଲ୍‌ର ପାୟଲ ପାଣି ଯଥାକ୍ରମେ ପୁରୁଷ ଏବଂ ମହିଳା ଟେବୁଲ ଟେନିସ୍ ଚାମ୍ପିଅନ୍ ଟାଇଟଲ୍ ହାସଲ କରିଥିବା ବେଳେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲଚରାଲ୍ ସାଇନ୍‌ସେସ୍ (ଆଇଏଏସ୍‌)ର ଅମିତୋଜ ସିଂ ସଚଦେବ ଏବଂ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ (ଆଇଏମ୍‌ଏସ୍‌)ର ସଗୁନ୍ ବଶିଷ୍ଟ ଟେନିସ୍ ପୁରୁଷ ଓ ମହିଳା କ୍ୟାଟେଗୋରୀରେ ବିଜୟ ହାସଲ କରିଥିଲେ।

ଥ୍ରୋ ବଲ୍‌ର ଫାଇନାଲ୍‌ରେ ସମ୍ ନର୍ସିଂ କଲେଜର ଛାତ୍ରୀମାନେ ବିଜୟ ହୋଇଛନ୍ତି। ସେହିପରି ପୁରୁଷ କବାଡିରେ ଆଇବିସିଏସ୍ ଚାମ୍ପିଅନ୍ ହୋଇଥିବା ବେଳେ ମହିଳା କ୍ୟାଟେଗୋରୀରେ ଆଇଟିଇଆର୍ ବିଜୟୀ ହୋଇଛି। ଖୋ ଖୋ ରେ ଆଇବିସିଏସ୍ ଛାତ୍ରମାନେ ଚାମ୍ପିଅନ୍ ହୋଇଥିବା ବେଳେ ବାସ୍କେଟବଲ୍‌ରେ ପୁରୁଷ କ୍ୟାଟେଗୋରୀରେ ଆଇଏମ୍‌ଏସ୍ ବିଜୟୀ ହୋଇଛି ଏବଂ ମହିଳା କ୍ୟାଟେଗୋରୀରେ ସ୍ନିଲ୍ ବିଜୟ ହାସଲ କରିଛି।

ଭଳିବଲ୍‌ରେ ଆଇବିସିଏସ୍‌ର ଛାତ୍ରମାନେ ଜିତିଥିବା ବେଳେ ଏସ୍‌ପିଏସ୍ ଏବଂ ଆଇବିସିଏସ୍ ଯଥାକ୍ରମେ ପୁରୁଷ ଏବଂ ମହିଳା କ୍ୟାଟେଗୋରୀରେ ସଫ୍ଟବଲ୍ ଟାଇଟଲ୍ ହାସଲ କରିଛନ୍ତି।
ସୁନ୍ଦର ସ୍ୱାସ୍ଥ୍ର ପ୍ରତିଯୋଗିତାରେ ସାର୍ତିକ ସତ୍ୟକାମ ନାୟକ ପୁରସ୍କୃତ ହୋଇଛନ୍ତି।

Categories
ଆଜିର ଖବର ଖେଳ ରାଜ୍ୟ ଖବର

୨୬ ଦିନିଆ ସୋଆ କପ୍ କ୍ରୀଡା ପ୍ରତିଯୋଗିତା ଉଦ୍‌ଘାଟିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ବାର୍ଷିର୍କ କ୍ରୀଡା ଉତ୍ସବ ‘ସୋଆ କପ୍‌’ ଆଜି ବିଶ୍ୱବିଦ୍ୟାଳୟର କ୍ୟାମ୍ପସ ୨ ସ୍ପୋର୍ଟ୍ସ କମ୍ପେ୍ଲକ୍ସ ଠାରେ ଉଦ୍‌ଘାଟିତ ହୋଇଯାଇଛି। ୨୬ ଦିନ ଧରି ଚାଲିବାକୁ ଥିବା ଏହି ସୋଆ କପ୍‌ରେ ୧୨ ରୁ ଅଧିକ କ୍ରୀଡା ପ୍ରତିଯୋଗିତାରେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଭାଗ ନେବେ।

ଛାତ୍ରଛାତ୍ରୀଙ୍କ ମଧ୍ୟରେ ଫୁଟବଲ୍ (ପୁରୁଷ), କ୍ରିକେଟ, ଭଲିବଲ୍ (ପୁରୁଷ), ବାସ୍କେଟବଲ୍‌, ଲନ୍ ଟେନିସ୍‌, ଖୋଖୋ (ପୁରୁଷ), ଥ୍ରୋ ବଲ୍ (ମହିଳା), ଟେବୁଲ୍ ଟେନିସ୍‌, ସଫ୍ଟ ବଲ୍‌, ଚେସ୍ ଏବଂ କବାଡି ଭଳି ପ୍ରତିଯୋଗିତାର ଆୟୋଜନ କରାଯାଇଛି। ସେହିପରି କେବଳ ପୁରୁଷମାନଙ୍କ ପାଇଁ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ରଖାଯାଇଥିବା ବେଳେ ପ୍ରଥମ ଥର ନିମନ୍ତେ ଚଳିତ ବର୍ଷ ଖୋଖୋକୁ ସୋଆ କପ୍‌ରେ ସାମିଲ କରାଯାଇଛି।

ସୋଆ କପ୍‌ର ଉଦ୍‌ଘାଟନୀ ଉତ୍ସବରେ ଦୈନିକ ଇଂରାଜୀ ସମ୍ବାଦପତ୍ର ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସ୍‌ର ଆବାସିକ ସମ୍ପାଦକ ଶିବ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ଏହି ଅବସରରେ ଶ୍ରୀ ମହାନ୍ତି କହିଥିଲେ ଯେ ଭାରତରେ କ୍ରୀଡାକୁ ବହୁତ ବଡ଼ ପ୍ରୋତ୍ସାହନର ଆବଶ୍ୟକତା ରହିଛି। କାରଣ ୧୪୦ କୋଟି ଜନସଂଖ୍ୟା ବିଶିଷ୍ଟ ଦେଶରେ ମାତ୍ର ୫.୭ ପ୍ରତିଶତ ଲୋକଙ୍କ ନିକଟରେ କ୍ରୀଡା ବିଷୟରେ ଜ୍ଞାନ ରହିଛି। ଏପରି ସ୍ଥଳେ ଚାଇନାରେ ୧ କୋଟି ଯୁବବର୍ଗ କେବଳ ବ୍ୟାଡମିଂଟନ ଖେଳିବାର ନଜିର ରହିଛି। ତେବେ ଚଳିତ ଅଲିମ୍ପିକ୍‌ରେ କ୍ରୀଡ଼ାରେ ଭାରତର ପ୍ରଦର୍ଶନ ବେଶ ଭଲ ରହିଥିବାରୁ ସେ କହିଛନ୍ତି। ତେବେ ଓଡ଼ିଶା ମଧ୍ୟ କ୍ରୀଡା କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦେଉଥିବା ଶୁଭ ସଂକେତ ବୋଲି ସେ କହିଛନ୍ତି।
ଏହି ଅବସରରେ ରାଜ୍ୟ ସ୍ତରୀୟ ଟେବୁଲ୍ ଟେନିସ୍ ଖେଳାଳୀ ଅବିନାଶ ତ୍ରିପାଠୀ ପ୍ରତିଯୋଗୀାମାନଙ୍କ ପକ୍ଷରୁ ଶପଥ ଗ୍ରହଣ କରିଥିଲେ ।

ସୋଆ କପ୍‌ରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍‌ସେସ୍‌, ସମ୍ ନର୍ସିଂ କଲେଜ, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ୍ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ୍‌, ସ୍କୁଲ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟ, ସ୍କୁଲ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍‌, ସୋଆ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ ଅଫ୍ ଲ, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ ଏବଂ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଭେଟେରିନାରୀ ସାଇନ୍‌ସ ଆଣ୍ଡ ଆନିମଲ୍ ହଜ୍‌ବ୍ୟାଣ୍ଡରୀ ଭଳି ଅନୁଷ୍ଠାନର ଛାତ୍ରଛାତ୍ରୀ ଭାଗ ନେଉଛନ୍ତି। ସେହିପରି ଚଳିତ ବର୍ଷ ପ୍ରଥମ ଥର ପାଇଁ ସୋଆର ପ୍ଲସ୍ ଟୁ ସାଇନ୍ସ କଲେଜ (ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ହାୟର୍ ସେକେଣ୍ଡାରୀ ଏଜୁକେସନ୍‌)ର ଛାତ୍ରଛାତ୍ରୀମାନେ ଏହି କ୍ରୀଡା ପ୍ରତିଯୋଗିତାରେ ସାମିଲ ହୋଇଛନ୍ତି।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସୋଆର କୁଳପତି ପ୍ରଫେସର ବିଜୟ କୁମାର ସାହୁ, ପ୍ରୋ ଭାଇସ୍ ଚାନ୍‌ସେଲର ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ପ୍ରୋ ଭାଇସ୍ ଚାନ୍‌ସେଲର ତଥା ରେଜିଷ୍ଟ୍ରାର୍ ପ୍ରଫେସର ବିଭୁତି ଭୂଷଣ ପ୍ରଧାନ ଏବଂ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଉପସ୍ଥିତ ରହି ବକ୍ତବ୍ୟ ପ୍ରଦାନ କରିଥିଲେ। ସୋଆର ସ୍ପୋର୍ଟ୍ସ ଅଫିସର ସୁନୀତା ବର୍ମା ଧନ୍ୟବାଦ ଅର୍ପଣ କରିଥିଲେ।